Nityananda Nandi

Classics Inspirational

4  

Nityananda Nandi

Classics Inspirational

ସ୍ଵର୍ଣ୍ଣ ପଦକ

ସ୍ଵର୍ଣ୍ଣ ପଦକ

6 mins
167



କାହିଁକି କେଜାଣି ଖାଁ ଖାଁ ଲାଗୁଥିଲା ଘରଟି ! ବାପା ଥିଲେ ଘରଟି ଭରା ଭରା ଲାଗେ ବୋଲି ବୁଝିଲା ବେଳକୁ, ବାପା ଆଉ ନାହାନ୍ତି।

ତାଙ୍କ ଫଟୋ ଆଗରେ ଛିଡ଼ା ହୋଇ କାନ୍ଦିବା ଛଡା କିଛି ବିକଳ୍ପ ନ ଥିଲା ମୋ ପାଖରେ। 

ଠିକ୍ ସେଇଦିନ ଦୁଇ ଦୁଇଟା ଫ୍ଲାଇଟ ରବ୍ଦ ହେଲା। ଭାରତକୁ ଆସିବା ସମ୍ଭବ ହେଲାନାହିଁ। ତିନି ଚାରିଦିନ ଝଡ ଲାଗି ରହିଲା କାଲିଫର୍ଣ୍ଣିଆରେ। ମୁଁ ନିରୁପାୟ ଥିଲି, ସାନ ଭଉଣୀ ଓ ବୋଉ ମିଶି କ୍ରିୟା କର୍ମ ସମ୍ପାଦନ କଲେ । 


ମୁଁ ଏକ ଲୟରେ ବାପାଙ୍କ ଫଟୋକୁ ଅନେଇ ରହିଲି। ସ୍ଥାଣୁ ପାଲଟି ଗଲି କିଛି ମୁହୂର୍ତ୍ତ ପାଇଁ। ଶୁଭେନ୍ଦୁ ହାତ ଧରି ମୋତେ ସୋଫା ଉପରେ ବସେଇ ଦେଲେ। ମୋ ବାହାଘର ଦିନ ସ୍ୱଳ୍ପ ସମୟ ରହଣି ଭିତରେ ଆମ ଘର ବାବଦରେ ବେଶି କିଛି ଜାଣି ନ ଥିଲେ ଶୁଭେନ୍ଦୁ। ବାହାଘର ପରେ ପ୍ରଥମ ଥର ପାଇଁ ସେ ଆସିଛନ୍ତି ଆମ ଘରକୁ।


ଶୁଭେନ୍ଦୁ ! ଏଇ କୋଠରୀଟି ମୋ ବାପାଙ୍କର। ଏଇଟା ତାଙ୍କର ପିଲାଦିନର ଫଟୋ, ତା ପରେ ସ୍କୁଲ, କଲେଜ ଓ ବାହାଘର ଫଟୋ ମୋ ବୋଉ ସାଥିରେ, ତା ପର ଫଟୋଟି ଜଣେ ଆଦର୍ଶ ସ୍କୁଲ ଶିକ୍ଷକ ର ଫଟୋ, ମୋ ବାପା ଆଦର୍ଶ ସ୍କୁଲ ଶିକ୍ଷକ ଥିଲେ। କାନ୍ଧରେ ଝୁଲା, ପାଦରେ ହାୱାଇ ଚପଲ, ମନ ଭିତରେ ଉତ୍ଫୁ ଲତା.. ତାହା ହିଁ ବୋଧେ ଅର୍ଜିତ ସମ୍ପତ୍ତି ..ଜଣେ ଆଦର୍ଶ ଶିକ୍ଷକର। ଛବିଳ ମଧୁ ବର୍ଣ୍ଣବୋଧ ରୁ ଆରମ୍ଭ କରି ଜୀବନ ଉପନ୍ୟାସ ପର୍ଯ୍ୟନ୍ତ ସବୁ ପୃଷ୍ଠାରେ ବାପାଙ୍କ ଦେହ ଆଉ ଗାମୁଛା ର ବାସ୍ନା ଲାଖି ହୋଇ ରହିଥାଏ। ଅଧା ରାତିର ଫୁଲ ପୃଥିବୀ ପୃଷ୍ଠରେ ଅନବରତ ଝଡୁଥାଏ, ନା ଶବ୍ଦ ...ନା ବିରହର ଆଭାସ, ମହକ କିନ୍ତୁ ଖେଳି ଯାଏ ସାରା ଆକାଶରେ। ମୋ ବାପାଙ୍କ ଅସ୍ତିତ୍ଵ କୁ ଭୁଲିହୁଏନି..ଚେଷ୍ଟା କଲେ ବି !


ଦେଖ ଶୁଭେନ୍ଦୁ ! ଶେଷ ଫଟୋରେ, ବାପା ଛିଡା ହୋଇଛନ୍ତି ରାଷ୍ଟ୍ରପତିଙ୍କ ପାଖରେ । ଶେଷ ଫଟୋ ବାବଦରେ ଅନେକ କଥା ଅଛି, ରାତିରେ ସବୁ କହିବି। ସସପେନ୍ସ ଭରା କଥାଟି


ଘର ବଗିଚାଠୁ ଆରମ୍ଭ କରି ଆମ ଗାଆଁ ନଦୀ ତୁଠ ପର୍ଯ୍ୟନ୍ତ ସବୁ ଦେଖେଇଲି ଶୁଭେନ୍ଦୁ ଙ୍କୁ। ନଦୀ କୂଳରେ ସୂର୍ଯ୍ୟାସ୍ତ, ହାଲୁକା ଅଦିନିଆ ଅସରାଏ ମେଘରେ ନିମ୍ବ ଗଛ ମୂଳେ ଉଭୟେ ଉଭୟଙ୍କୁ ଜାବୁଡ଼ି ଧରିବାର କିଛି ଉଷ୍ମ ମୁହୂର୍ତ୍ତ, ନଦୀ ଆରପଟ ଆକାଶରେ ଇନ୍ଦ୍ରଧନୁର ବିଶାଳ ତୋରଣ ଭିତରେ ବିଭୋର ହୋଇ ଉଠିଲେ ଶୁଭେନ୍ଦୁ।


ଶୁଭେନ୍ଦୁଙ୍କ ଜନ୍ମ ସହରରେ, ଗାଆଁ କେବେ ଦେଖି ନାହାନ୍ତି। ଗାଆଁ ଭିତରୁ ଶଙ୍ଖ ଧ୍ୱନି, ପଡୋଶୀ ଘରୁ ଭଜନ କୀର୍ତ୍ତନର କୋଳାହଳ, ଆମ ଘର ତୁଳସୀ ଚୌରା ପାଖରୁ ଗନ୍ଧ କର୍ପୁର ମହକ, ବୋଉର ରଧାଗୋବିନ୍ଦ ଭଜନ ପାଠ ଦେଖି ଶୁଭେନ୍ଦୁ ଭିନ୍ନ ଏକ ପୃଥିବୀ ଭିତରେ ନିଜକୁ ହଜେଇ ଦେଇଥିଲେ। ଉତ୍ତପ୍ତ ବାଲୁକା ଉପରେ ରଞ୍ଜି ଘସି ହେଉଥିବା କୁମ୍ଭୀର ପାଣି ଦେଖିଲେ ପାଗଳ ହୋଇଯାଏ..ସୁଖ ଶାନ୍ତି ତ ଗାଆଁ ଭିତରେ, ସହର ଏକ କୃତ୍ରିମ ଉପତ୍ୟକା। କାଚ ଆଉ ପ୍ଲାଷ୍ଟିକ ଖେଳନା ପରି ଲାଗେ ସ୍ନେହ ମମତା, ସହରରେ। ଶୁଭେନ୍ଦୁ ଭାରି ଖୁସି ଥିଲେ...ଆମ ଗାଆଁରେ।


ରାତ୍ରି ଭୋଜନ ପରେ ବୋଉ ପାଖରେ ଜିଦ୍ କଲି ବାପାଙ୍କ ରୁମ୍ ଭିତରେ ମୁଁ ଶୁଭେନ୍ଦୁ ଙ୍କୁ ନେଇ ଶୋଇବି। ବୋଉ ରାଜି ହୋଇଗଲା। ବୋଉ ଯାଇ ଶୋଇଲା ଆମ ପଢା ଘରେ..

ଶୁଭେନ୍ଦୁ  ବେଡ ଉପରେ ଗୋଟେ ମାଗାଜିନ୍ ଧରି ଗଡ଼ପଡ ହେଉଥିଲେ।

ଶୁଭେନ୍ଦୁଙ୍କୁ ମୋ ବାପାଙ୍କ ରାଷ୍ଟ୍ରପତି ପ୍ରଦତ୍ତ ସ୍ଵର୍ଣ୍ଣ ପଦକ ଦେଖେଇବି ବୋଲି ମନ ଭିତରେ ବ୍ୟଗ୍ରତା କୂଳ ଲଂଘୁଥିଲା ପ୍ରତି ମୁହୂର୍ତ୍ତରେ। ବାହାଘର ପରେ ଆଜି ପର୍ଯ୍ୟନ୍ତ ଲୁଚେଇ ରଖିଛି କଥାଟିକୁ। ସରପ୍ରାଇଜ ଦେବି ବୋଲି। ସେ ସବୁବେଳେ କହନ୍ତି ତାଙ୍କ ବାପା ଫିଜିକ୍ସ ପ୍ରଫେସର, ଗୋଲ୍ଡ ମେଡାଲିଷ୍ଟ। ସବୁବେଳେ ବାପାଙ୍କ ଗୁଣ ଗାନ କରନ୍ତି। ମୋ ବାପା ବି ସ୍ଵର୍ଣ୍ଣ ପଦକ ପାଇଛନ୍ତି ରାଷ୍ଟ୍ରପତିଙ୍କ ପାଖରୁ। ମୋ ବାପାଙ୍କୁ ନେଇ ଗର୍ବରେ ଫାଟି ପଡିବି ଶୁଭେନ୍ଦୁଙ୍କ ଆଗରେ...


ବ୍ରିଫକେସ ଖୋଲିବା ଆଗରୁ ଚିଠି ଥାକ ଉପରେ ନଜର ପଡିଲା। ଆମ ଦୁଇ ଭଉଣୀ ଙ୍କ ଚିଠି ବାପା ଏମିତି ସଜେଇ ରଖନ୍ତି। ଉପରେ ମୁଁ ମୋ ଚିଠି କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲି। ବାପାଙ୍କ ମୃତ୍ୟୁ ର ଦୁଇ ମାସ ଆଗରୁ ଲେଖିଥିଲି, ତାହା ହିଁ ବୋଧେ ତାଙ୍କ ଜୀବନର ଶେଷ ଚିଠି, ମୋ ପାଖରୁ। ଭାରି ମନ ହେଲା, ପଢିବାକୁ। କ'ଣ ଲେଖିଥିଲି କେଜାଣି ବାପାଙ୍କୁ, ଭୁଲି ଯାଇଛି। ବସିଲି ପଢିବାକୁ ମୋ ଚିଠିକୁ ଆଉଥରେ।

ବାପା !

କାହିଁକି କେଜାଣି ଯେତେ ବୟସ ବଢ଼ୁଥାଏ ତମ ସହ ଆନ୍ତରିକତା ସେତିକି କମୁଥାଏ। ଭାବୁଥିଲି, ସବୁ ବାପା ମାନେ ବୋଧେ ଏମିତି! ବେଳେ ବେଳେ ଅସହ୍ୟ ଲାଗେ ତମ କଥା। 

ଦିନେ ହଠାତ୍ ମନ ବଦଳି ଗଲା, ଭୁଲ ବୁଝି ପାରିଲି । ଅନେକ ଦିନ ତଳର କଥା, ହୋଲି ଦିନ ଆମ ଦୁଇ ଭଉଣୀ ଙ୍କ ପାଇଁ ଦୁଇ ହଳ ଚମଡା ଚପଲ ନେଇ ଆସିଥିଲ। ବହୁତ ଦିନ ପରେ ତମ ପାଦରେ ନୂଆ ଚପଲ ଦେଖି ଭାରି ଖୁସି ହୋଇଯାଇ ଥିଲି ମୁଁ। ତା ପର ଦିନ ଆମେ ହଷ୍ଟେଲ ଯାଇ ସବୁ କଥା ଭୁଲିଗଲୁ। ସେଇଟା କିନ୍ତୁ ତମ ଚପଲ ନ ଥିଲା ବାପା। ଦିନେ ହଠାତ୍ ରମେଶ କାକା ଆମ ଘରେ ବସି ଗପୁଥିଲେ ତମ କଥା। ତମେ କୁଆଡେ ଗୋଟେ ରାତି ପାଇଁ ତାଙ୍କ ଚପଲ ନେଇ ଆସିଥିଲ, ଆମ ଦୁହିଁଙ୍କ ମନ ରଖିବା ପାଇଁ। ଆଖିରୁ ଲୁହ ବହି ଆସିବା ପୂର୍ବରୁ ନିଜକୁ ନିୟନ୍ତ୍ରଣ କରି ନେଲି ବାପା। ତମେ ନିଜ ପାଇଁ ନୂଆ ଚପଲ ଟିଏ କିଣି ପାରି ଥାଆନ୍ତ ନା..। କେତେ ସୁନ୍ଦର ଅଭିନୟ କଲ ଆମ ଆଗରେ !! ତା ପରେ ମୁଁ ତମ ବିରୁଦ୍ଧରେ କେମିତି ଖରାପ ଭାବିବି କହିଲ ???

 

ଦିଦି ପରେ, ମୁଁ ପୁଣି ଝିଅଟିଏ ହୋଇ ଜନ୍ମ ନେଲି ତମ ଘରେ, ଦୁଃଖର ଛାୟା ଖେଳି ଯାଇଥିଲା ଘରସାରା। ତମେ କିନ୍ତୁ ଭାରି ଖୁସିଥିଲ ବୋଲି ବୋଉ ସବୁଦିନ କହେ। ଦିଦି ଭଲ ପଢ଼ୁଥିଲା, ଇଂଜିନିୟର ବରକୁ ବାହା ହୋଇ ନାଗପୁରରେ ସେଟେଲ ହୋଇ ଯାଇଛି। କାହିଁକି କେଜାଣି ତମେ କିନ୍ତୁ ମୋତେ ହିଁ ବହୁତ ଭଲ ପାଉଥିଲ ଯଦିଓ ମୁଁ ଆଦୌ ପଢ଼ୁ ନ ଥିଲି। ମୁଁ ଭଲ ଖେଳୁଥିଲି। ଗୋଟାଏ ଜାତୀୟ ସ୍ତର କାର୍ଯ୍ୟକ୍ରମରେ ଶୁଭେନ୍ଦୁଙ୍କ ସହ ଦେଖା ହେବା ଗୋଟାଏ ସଂଯୋଗ ଥିଲା। ପ୍ରଥମ ଦେଖା, ପ୍ରଥମ ପ୍ରେମ, ତା ପରେ ବାହାଘର। ନା ତାଙ୍କ ଘରେ ପ୍ରତିବାଦ କଲେ ନା ତୁମେ ପ୍ରତିବାଦ କଲ। ନା ତମେ ଜାତି ଗୋତ୍ର ପଚାରିଲ ନା ସେମାନେ। ତମେ ମହାନ ବାପା, ତମେ ଭଗବାନ। ତମର ଗୋଟାଏ କଥା ସବୁବେଳେ ମନେପଡେ , " ଚାଲି ଚାଲି ସିନା ମନ୍ଦିର ଯାଏ ପହଞ୍ଚି ହୁଏ, କିନ୍ତୁ ଚାଲିଚଳନ ଭଲ ହେଲେ ସିଧା ଭଗବାନଙ୍କ ପାଖରେ......"


ଆମ ଦୁହିଁଙ୍କ ପଢା ପାଇଁ ପ୍ରାୟ ସବୁ ସାରି ଦେଇଥିଲ ବାପା ! ଏପରିକି, ନା ତମେ ନିଜେ ନୂଆ ଚପଲ ପିନ୍ଧୁଥିଲ, ନା ବୋଉ ପାଇଁ ନୂଆ ଶାଢ଼ୀ କିଣୁଥିଲ ପର୍ବ ପର୍ବାଣୀରେ..ଦିଦି ଚାକିରୀ ପାଇବା ପରେ ଗାଆଁରେ ସମସ୍ତେ ଭୁଟ ଭାଟ ହେଉଥିଲେ, କେତେ ସୁନ୍ଦର, ସୁଖ ଶାନ୍ତିର ପରିବାର ଟି !!! ତେଲ ଓ ସଳିତା ସାରା ଜୀବନ ଜଳି ଜଳି ଆଲୋକ ଦିଅନ୍ତି, ଲୋକେ କିନ୍ତୁ କହନ୍ତି ଦୀପ ଜଳୁଛି। ତମେ କିନ୍ତୁ ତମର ପ୍ରତିଟି ରକ୍ତ ବିନ୍ଦୁ ଜାଳିଦେଇଛ ଆମ ପରିବାରର ସୁଖ ଶାନ୍ତି ପାଇଁ।


ଝିଅ ଜନ୍ମ କେତେ କଷ୍ଟ କହିଲ ! ନା ତୁମ ପାଖରେ ପୁରା ଜୀବନ କଟେଇବାର ସୁଯୋଗ ମିଳିଲା ନା ଶ୍ବଶୁର ଘରେ। ସ୍ନେହ ମମତା ସବୁ ଅଧା ଅଧା ଭାଗ ହୋଇ ଗଲା ନା...। ନିଦ ଲାଗିଲାଣି ବାପା ଶୋଇବି.... ଆଉ ସବୁ କଥା ପର ଚିଠିରେ... ସ୍ନେହର ମିତା


ଆଖିରେ କାହିଁକି କେଜାଣି ଲୁହ ଜମି ଆସିଲା। ଝରକା ଦେଇ ଆକାଶ ଆଡକୁ ଅନେଇଲି । ଏତେ ବଡ ଆକାଶ ! କ'ଣ ନ ଦେଇଛି ଆମକୁ ? ପାଣି, ପବନ, ଆଲୁଅ ସବୁକିଛି। ତଥାପି ଟିକିଏ ପ୍ରଶଂସାରେ ଆକାଶ ବି ଗଦଗଦ ହୋଇ ଉଠେ ଆତ୍ମ ତୃପ୍ତିରେ। ମୋ ବାପା, ଠିକ୍ ଆକାଶ ପରି ବିସ୍ତୃତ..ମୋ ଚିଠିଟି ତାଙ୍କ ମନକୁ ଛୁଇଁଥିବ କି ନା ମୁଁ ଜାଣିନି, ମୁଁ କିନ୍ତୁ ବହୁତ୍ ଖୁସି। ବାପା ମୋ ଚିଠି ପଢ଼ିଛନ୍ତି ବୋଲି ..... !!!


ହଁ ଶୁଭେନ୍ଦୁ ! ଦୁଇ ମିନିଟ ପାଇଁ ଆଖି ବନ୍ଦ କର ! ସୁନ୍ଦର ଜିନିଷ ଟିଏ ଦେଖେଇବି । ଶୁଭେନ୍ଦୁ ତକିଆରେ ମୁହଁ ମାଡି ଶୋଇ ରହିଲେ। ମୁଁ ଆଉ ଅପେକ୍ଷା ନ କରି ବାପାଙ୍କ ବ୍ରିଫକେସ ଖୋଲିଲି, ଖୋଜିଲି ସ୍ଵର୍ଣ୍ଣ ପଦକଟିକୁ, ପାଉ ନ ଥାଏ। ମନଟା ବିଷର୍ଣ୍ଣ ହୋଇଗଲା। କେତେ ଥର ମୁଁ ଦେଖିଛି , ବାପା ଏଇ ପାଉଚ୍ ଭିତରେ ରଖିଥିଲେ। ବୋଉ ଆଉ ରଖି ନେଇଛି କି ପଦକ ଟିକୁ ?? ଦିଦି ନେବାର ପ୍ରଶ୍ନ ଉଠୁନି !

ପାଉଚ ଭିତରେ ହାତ ଦେଇ ଭଲ ଭାବେ ଖୋଜିଲି। ଛୋଟ କାଗଜଟିଏ। ବାପାଙ୍କ ହାତ ଲେଖା ଚିଠି


ମିତା ! ମୁଁ ଜାଣିଛି ତୁ ନିଶ୍ଚୟ ଦିନେ ପଦକ ଟିକୁ ଏଇ ପାଉଚ ଭିତରେ ଖୋଜିବୁ ବୋଲି। ତୋ ନାଁରେ ଉତ୍ସର୍ଗୀକୃତ ପଦକ। କ୍ଷମା କରିବୁ ! ହଠାତ୍ ତୋ ବାହାଘର ହେବ ବୋଲି ସ୍ୱପ୍ନରେ ଭାବି ନ ଥିଲି। ତୋ ଦିଦି ବାହାଘର ପରେ ମୋ ପାଖରେ ଆଉ କିଛି ନ ଥିଲା। ଜଣେ ଦୁଇ ଜଣ ଶିକ୍ଷକ ବନ୍ଧୁଙ୍କୁ କିଛି ପଇସା ମାଗିବି ବୋଲି ମନେ ମନେ ଭାବିଲି। କାହିଁକି କେଜାଣି ବିବେକ ବାଧା ଦେଲା, ଜୀବନରେ କାହାକୁ କେବେ କିଛି ମାଗି ନାହିଁ। ଅତି ନିମ୍ନ ମଧ୍ୟବିତ୍ତ ପରିବାରରେ ସମ୍ମାନ ହିଁ ସବୁକିଛି ମିତା। ସ୍ଵର୍ଣ୍ଣ ପଦକଟିକୁ ଲକ୍ଷେ ଟଙ୍କାରେ ବିକି ଦେଲି, କିଛି ଉପାୟ ନ ଥିଲା ମୋ ପାଖରେ...କ୍ଷମା କରିବୁ, କଥା ରଖି ପାରିଲିନି। ତୋତେ ଦେବି ବୋଲି କହିଥିଲି ନା ... 

ମୋ ଆଖିରୁ ଅନବରତ ଅଶ୍ରୁ ଝରୁଥିଲା। ମୁଁ ସ୍ତବ୍ଧ ହୋଇଗଲି କିଛି ମୁହୂର୍ତ୍ତ ପାଇଁ..

ଶୁଭେନ୍ଦୁ ଆଉ ଅପେକ୍ଷା ନ କରି ଉଠି ବସିଲେ। କହିଲେ, ଆଖି ଖୋଲିବି !! ମୁଁ ଚୁପ୍ ରହିଲି। ସେ ଆଉ ଅପେକ୍ଷା ନ କରି ଆଖି ଖୋଲି ଦେଲେ। ହଇରାଣ ହୋଇଗଲେ ସେ ମୋତେ ଏମିତି କାନ୍ଦିବା ଦେଖି। ମୋ ହାତରୁ କାଗଜ ଟିକୁ ଛଡେଇ ନେଇ ପଢ଼ିଲେ ଶୁଭେନ୍ଦୁ। 

ପଚାରିଲେ ସ୍ଵର୍ଣ୍ଣ ପଦକ !!!

କାନ୍ଥରେ ଝୁଲୁଥିବା ଶେଷ ଫଟୋ କୁ ଦେଖେଇ କହିଲି ଆଦର୍ଶ ଶିକ୍ଷକ ଭାବେ ରାଷ୍ଟ୍ରପତି ସ୍ଵର୍ଣ୍ଣ ପଦକ ପ୍ରଦାନ କରିଥିଲେ ମୋ ବାପାଙ୍କୁ...ବାପା କିନ୍ତୁ ମୋ ବାହାଘର ଖର୍ଚ୍ଚ ବହନ କରିବାକୁ ଅକ୍ଷମ ଥିଲେ, ବିକି ଦେଇଛନ୍ତି ପଦକଟିକୁ...ଶୁଭେନ୍ଦୁ ମୋ ମଥା ଚୁଟିକୁ ସାଉଁଳୁ ଥିଲେ, ରାଷ୍ଟ୍ରପତିଙ୍କ ପାଖରେ ଛିଡ଼ା ହୋଇଥିବା ମୋ ଅସହାୟ ବାପାଙ୍କୁ ମୁଁ ଦେଖୁଥିଲି ..ଝିଅର ଖର୍ଚ୍ଚ ପାଇଁ କିନ୍ତୁ ମୋ ବାପା ସବୁବେଳେ ଧନୀ, କିଛି ନା କିଛି ଉପାୟ ବାହାର କରି ନିଅନ୍ତି। ଗୁଲଜାରଙ୍କ ସେଇ କଥାଟି ମୋ କାନ ପରଦା ଉପରେ ବାର ବାର ପ୍ରତିଫଳିତ ହେଉଥିଲା

" ଜେବ ଖାଲି ହୋ, ଫିର ଭି ମନା କରତେ ନେହିଁ ଦେଖା

ମୈନେ ଅପନେ ପିତା ସେ ଅମିର ଆଦମୀ ନେହିଁ ଦେଖା"





Rate this content
Log in

Similar oriya story from Classics