Nityananda Nandi

Classics Inspirational

4.3  

Nityananda Nandi

Classics Inspirational

ସନ୍ତୋଷ ସାର

ସନ୍ତୋଷ ସାର

4 mins
181



ଓକ୍ରିଜ ସ୍କୁଲରେ ଜଏନ କରିଛନ୍ତି ସନ୍ତୋଷ ସାର ମାସେ ପୂରିବ। ଗାଁରୁ ଆସିଛନ୍ତି ସେ ଅତି ଗରିବ ଘରୁ। ସହରରୁ ପଚିଶ ମାଇଲ ଦୂରରେ ଅବସ୍ଥିତ ସ୍କୁଲଟି। ପ୍ରାକୃତିକ ସୌନ୍ଦର୍ଯ୍ୟ ଘେରରେ ଆକାଶ ଛୁଆଁ ଅଟ୍ଟାଳିକା ସାମ୍ରାଜ୍ୟ ବିସ୍ତାର କରିଛି ଦଶ ପନ୍ଦର ଏକର ଜାଗାରେ। ପାହାଡ଼, ଝରଣା ଓ ଦିଗବଳୟ ବ୍ୟାପୀ ସବୁଜିମା ଓକ୍ରିଜ ସ୍କୁଲର ପ୍ରାକୃତିକ ଅଳଙ୍କାର । କହିବାକୁ ଗଲେ ପାଞ୍ଚ ତାରକାରୁ କୌଣସି ଦୃଷ୍ଟିରୁ କମ ନୁହଁ।

ଗୋଟାଏ ଦିନର ଘଟଣା..

ପିରିୟଡ଼ର ଶେଷ ପାଞ୍ଚ ମିନିଟ, ସନ୍ତୋଷ ସାର ଗପସପ କଲେ ପିଲା ମାନଙ୍କ ସହିତ। ବାପା, ମାଆ କଣ କରୁଛନ୍ତି, ଜୀବନର ଲକ୍ଷ୍ୟ କଣ। କହି ଚାଲିଲେ ପିଲାମାନେ। ସାର ଅଟକିଗଲେ ଦିଶା ପାଖରେ। 

-ଦିଶା ! ବହୁତ ଭଲ ପଢୁଛ, ଡାକ୍ତର ହେବ ନା ଇଂଜିନିଅର ?

-ସାର ମୁଁ ଇଂଜିନିଅର ହେବି

-ବାପା କଣ କରନ୍ତି। କିଛି ଉତ୍ତର ନ ଦେଇ ଦିଶା ଓଠ ଚାପି ହସିଲା,

-ହଁ , କୁହ- କୁହ !

ବେଲ ବାଜି ଉଠିଲା, 

-ଠିକ ଅଛି, କାଲି କହିବ...

ପିଲାମାନେ ଶୃଙ୍ଖଳିତ ଧାଡିରେ ବାହାରି ଗଲେ କ୍ଳାସ ରୁମରୁ। ସନ୍ତୋଷ ସାର ଫ୍ୟାନ ସୁଇଚ ଅଫ କରୁ କରୁ ଦେଖିଲେ କିଏ ଜଣେ ଟିଫିନ ବକ୍ସ ଛାଡି ଦେଇ ଯାଇଛି ବେଞ୍ଚ ଥାକରେ। ଟିଫିନ ବକ୍ସ ଧରି ସେ ବାହାରକୁ ଧାଇଁଲେ । ଷ୍ଟେଆରକେଶ ଦେଇ ସମସ୍ତେ ଚାଲିଯାଇଥିଲେ ତଳକୁ। କାଲି ଫେରେଇବେ ଭାବି ନିଜ ବ୍ୟାଗରେ ରଖିନେଲେ ଟିଫିନ ବକ୍ସଟିକୁ,ସନ୍ତୋଷ ସାର।


ସ୍କୁଲ ଗେଷ୍ଟ ହାଉସରେ ରହନ୍ତି । ଭିତରେ କଣ ଅଛି, ଜାଣିବା ପାଇଁ ଇଛା ହେବାରୁ ଡବା ଖୋଲିଲେ ସନ୍ତୋଷ ସାର୍। ଦୁଇପଟ ରୁଟି ଆଉ ଦୁଇ ଖଣ୍ଡ ପିଆଜ ଦେଖି ସ୍ତବ୍ଧ ହୋଇଯାଇଥିଲେ କିଛି ମୁହୂର୍ତ୍ତ ପାଇଁ,ବାକ୍ସଟି କାହାର ! ଟିଫିନ ବକ୍ସ ଓଲଟାଇ ଦେଖିଲେ, ନେଲ ପାଲିସ ରଙ୍ଗରେ ଲେଖାଥିଲା ଦିଶା। ଓକ୍ରିଜ ସ୍କୁଲ, ପଚାଶ ହଜାର ଫିଜ, ରୋଟି ଓ ପିଆଜ। ନିଃସହାୟ ମଣିଷଟିଏ ପରି ଦେଖୁଥିଲେ ସେ ସାରା ପୃଥିବୀକୁ।


ଛୁପି ରହିଥିବା ଗୋଟାଏ ଅଦ୍ଭୂତ ଦାରିଦ୍ର୍ୟକୁ ଆବିଷ୍କାର କରିଛନ୍ତି ସନ୍ତୋଷ ସାର୍, ଓକ୍ରିଜ ଭଳି କର୍ପୋରେଟ ସ୍କୁଲ କ୍ଳାସରୁମର ଗୋଟାଏ ଟିଫିନ ବକ୍ସ ଭିତରେ। ନିଜକୁ ସମ୍ଭାଳି ନ ପାରି ଆଖି ପୋଛି ହେଲେ, କାହିଁକି ନଷ୍ଟ କରିବେ ଭାବି ସେଇ ଦୁଇ ପଟ ରୁଟି ଖାଇଲେ ସନ୍ତୋଷ ସାର ପିଆଜ ଲଗେଇ ଲଗେଇ। ଗରିବୀକୁ ଆଉ ଥରେ ପାଖରୁ ଦେଖି ବିଚଳିତ ହୋଇଉଠିଲେ , ସହରରେ ଅଭାବ ଥାଏ ବୋଲି ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲେ ସେ। ରାତି ସାରା ଶୋଇ ପାରିଲେନି ସନ୍ତୋଷ ସାର୍। କାନ ପାଖରେ ଗୁଞ୍ଜି ଉଠୁଥିଲା ପ୍ରସିଦ୍ଧ ହିନ୍ଦୀ ଗୀତର ଧୋନିଟିଏ " ତୁଝସେ ନାରାଜ ନେହିଁ ଜିନ୍ଦେଗି, ହଇରାନ ହୁଁ ମେ..."

******

ତା ପର ଦିନ ଶେଷ କ୍ଳାସ ସନ୍ତୋଷ ସାରଙ୍କ। 

ଶେଷ ପାଞ୍ଚ ମିନିଟ, ଦିଶା ପାଖକୁ ଆସିଲେ ସନ୍ତୋଷ ସାର

-ତମେ କାଲି ଟିଫିନ ବକ୍ସ ଛାଡି ଯାଇଛ , ମୋ ପାଖରେ ଅଛି,ଭୁଲି ଗଲି, କାଲି ଆଣିଦେବି।

-ହଁ , କାଲିର ପ୍ରଶ୍ନ ମନେ ଅଛି ତ ? କୁହ, ବାପା କଣ କରନ୍ତି ?

କାଲିପରି କେବଳ ଓଠ ଚାପି ହସୁଥାଏ ଦିଶା।

-ଓଃ କେରି ଅନ...

ଦିଶା କିଛି ଉତ୍ତର ନ ଦେଇ ସାରଙ୍କୁ କାଗଜଟିଏ ବଢ଼ାଇଦେଲା। ଅନ୍ୟମାନେ ଅବାକ ହୋଇ ଦେଖୁ ଥାଆନ୍ତି ସନ୍ତୋଷ ସାରଙ୍କୁ...


ସାର !

"ଆଜି ପର୍ଯ୍ୟନ୍ତ କେହି ପଚାରି ନ ଥିବା ପ୍ରଶ୍ନକୁ ଆପଣ ହିଁ ପଚାରିଲେ, ହଁ ଋଷିତା ଥରେ ପଚାରିଥିଲା ମୋ ବାପାଙ୍କ କଥା, ତାକୁ ବି ଗୋଳେଇ ମୁଳେଇ ଜବାବ ଦେଇଥିଲି । ଆପଣଙ୍କୁ ସିଧା ଉତ୍ତରଟିଏ ସାମ୍ନା ସାମ୍ନି ମୁହଁରେ ଦେଇପାଇଥାଆନ୍ତି, କେବଳ ସାଙ୍ଗମାନଙ୍କୁ ହରେଇବା ଭୟରେ ଜବାବ ଦେବା ସମ୍ଭବ ହେଲାନି, କିଏ କଣ ଭାବିବ ବୋଲି ! ଋଷିତା, ମୋ ବେଷ୍ଟ ଫ୍ରେଣ୍ଡ। ଆଇଏସ ଅଫିସରଙ୍କ ଝିଅ। ବାପା କଲେକ୍ଟର। ମୁଁ ତାକୁ ହରେଇବାର ଦୁଃସାହାସ କରିପାରିଲିନି ସାର। ମୁଁ ତାକୁ ବହୁତ ଭଲ ପାଏ।


ସାର ! ବାପା ଜୋତା ସିଲେଇ କରନ୍ତି, He is an honest cobbler . ତାଙ୍କର ପ୍ରବଳ ଇଛାଶକ୍ତି ପାଇଁ ମୁଁ ଆଜି ଏତେ ବଡ କର୍ପୋରେଟ ସ୍କୁଲରେ। ସମାଜର ମୂଖ୍ୟଧାରାରେ ମୁଁ ସାମିଲ ହୋଇପାରିଛି, ଆଉ ଏ ସବୁ ସମ୍ଭବ ହୋଇଛି,କେବଳ ଆମ ବାପାଙ୍କ ପାଇଁ , I am proud of him."

ଦିଶା 

-ମାଆ କଣ କରନ୍ତି ?

-ମାଆ ମରି ଯାଇଛି ଅନେକ ଦିନ ଆଗରୁ । ମୋତେ ଜନ୍ମ ଦେବାର ଅଳ୍ପ ସମୟ ଭିତରେ ସେ ମୋତେ ଛାଡି ଚାଲିଗଲା ବୋଲି ବାପା କହନ୍ତି। କହୁ କହୁ ଦିଶାର ଆଖି ଭରି ଆସିଥିଲା ଲୁହରେ।

ଆଉ କିଛି ପଚାରିବା ଆଗରୁ ସନ୍ତୋଷ ସାରଙ୍କ ସବୁ ସାହସ ମୃତବତ ପ୍ରାୟ। ଅହେତୁକ ନିରବତା ଛାଇଗଲା ଶ୍ରେଣୀ ଗୃହରେ। ଅସହାୟତା ର ସ୍ପଷ୍ଟ ଛାପଟିଏ ପରିପ୍ରକାଶ ହେଉଥିଲା ସାରଙ୍କ ମୁଖମଣ୍ଡଳରେ । କେହି କିଛି ବୁଝିବା ଆଗରୁ ଦିଶାର କାଗଜଟିକୁ ପକେଟରେ ପୂରାଇ ସନ୍ତୋଷ ସାର କ୍ଳାସ ଛାଡି ଚାଲିଗଲେ ଅଫିସ ଗୃହକୁ।

********

ତା ପରଦିନ..

ସନ୍ତୋଷ ସାରଙ୍କୁ ମାସେ ପୂରିଲା ଆଜି, ଖୁସି ଥିଲେ। କ୍ଳାସ ଶେଷ ହେବା ପରେ ଟିଫିନ ବକ୍ସ ଫେରାଇ ଦେଲେ ଦିଶାକୁ...

ଦିଶା ଘରେ ଯାଇ ଟିଫିନ ବକ୍ସ ଖୋଲି ଦେଖିଲା, ପୁଳାଏ ଟଙ୍କା ତା ଭିତରେ। ଦିଶା ଆଶ୍ଚର୍ଯ୍ୟ ହୋଇଗଲା ଟଙ୍କା ଦେଖିକି, ଚିଠିଟିଏ ବି ଥିଲା ତା ଭିତରେ।


ସ୍ନେହର ଦିଶା

"ଆଶାକରେ, ତମ ସ୍ୱାଭିମାନ ଆଘାତ ହେବନି। ମୋର ଏଇ ସାହାଯ୍ୟ ଟିକକ ତମେ ଗ୍ରହଣ କରିବ। ଦରମା ଆଜି ପାଇଲି। ପ୍ରଥମ ମାସର ଦରମା ପାଇ ସବୁ ପଇସା ବାପାଙ୍କ ପାଖକୁ ପଠେଇବି ବୋଲି ଭାବିଥିଲି ପିଲାଦିନଠୁ। ଶେଷ ମୁହୂର୍ତ୍ତରେ ସିଦ୍ଧାନ୍ତ ବଦଳେଇଲି କେବଳ ତମ ପାଇଁ। ତମ ପରିବାର ବାବଦରେ ସବୁ ଜାଣିବା ପରେ ଗରିବୀକୁ ଆଉଥରେ ଏତେ ପାଖରୁ ଦେଖିଲି ଯେ ମନଟା ବୁଝିଲାନି। ମନ ଭାଙ୍ଗି ଧରାଶାୟୀ ହୋଇଗଲା ସେଇଦିନ ଯେଉଁଦିନ ତମ ଟିଫିନ ବକ୍ସ ଭିତରେ ରୋଟି ଆଉ ପିଆଜ ଦେଖି ଥିଲି । ପ୍ରଥମ ମାସର ଦରମା, ପୂରା ଦଶ ହଜାର ତା ଭିତରେ ଅଛି। ଭାବି ନିଅ,ତମ ପାଇଁ ପଠେଇଥିବା ଏ ପଇସା ମୋ ବାପାଙ୍କ ଉଦ୍ଦେଶ୍ୟରେ ସମର୍ପିତ। ଏଇ ପଇସାରେ ପ୍ରତିଦିନ ଟିଫିନ ବକ୍ସ ଭରି କେକ, ମିକ୍ସଚର, ବିସ୍କୁଟ ଆଣିବ, ଗୋଟାଏ ବର୍ଷର ଟିଫିନ ହୋଇଯିବ ପ୍ରାୟ। ଏ କଥା କାହାକୁ କହିବନି.... 

ଜାଣିଛ ! ତମ ବାପା ଜଣେ ମହାନ ମଣିଷ, ସେ କେବଳ ବାପା ନୁହନ୍ତି , ମାଆ ମଧ୍ୟ । ମାଆ ମରିବା ପରେ କେତେ ରୋଟି ନିଜ ହାତରେ ସେ ବନେଇଥିବେ ତମ ପାଇଁ, କେତେଥର ତମ ପାଇଁ ହାତ ଜଳେଇଥିବେ ସେ, He is rarest in this universe. ମୋ ପାଖରେ ଶବ୍ଦ ନାହିଁ ତାଙ୍କ ବିଷୟରେ କହିବା ପାଇଁ, ତାଙ୍କୁ ମୋର ସାଲ୍ୟୁଟ ଜଣେଇବ । ସେମିତି ପଢୁଥାଅ, ଯେମିତି ପଢୁଛ, କିଛି ଅସୁବିଧା ହେଲେ କହିବ ।" 

ସାର


ଦିଶା ଆଖିରୁ ଅଜସ୍ର ଲୁହ ବୋହି ଆସୁଥିଲା। କିଛି ଖୁସିର ଆଉ କିଛି ଦୁଃଖର। ମନେ ମନେ ଭାବୁଥିଲା ସନ୍ତୋଷ ସାର ବି କେତେ ମହାନ, ଠିକ୍ ତା ବାପାଙ୍କ ପରି...ଆପଣ ଙ୍କ ଏଇ ସାହାଯ୍ୟ ମୁଁ ସାରା ଜୀବନ ମନେ ରଖିବି। ଆଇ ସାଲ୍ୟୁଟ ୟୁ ସାର୍...



Rate this content
Log in

Similar oriya story from Classics