ସନ୍ତାନ ପ୍ରାପ୍ତି
ସନ୍ତାନ ପ୍ରାପ୍ତି
ଡକ୍ଟର ଲିସା ଜଣେ ସୁପରିଚିତ ମେଡିସିନ ବିଭାଗର ଡାକ୍ତର। ସେ ତାଙ୍କର ବ୍ୟବହାରରେ ହିଁ ରୋଗୀର ଅଧା ରୋଗ ଭଲ କରି ଦିଅନ୍ତି। ସବୁବେଳେ ତାଙ୍କ ମୁହଁ ହସ ହସ। ସେ ରୋଗୀକୁ ଏମିତି ଚିକିତ୍ସା କରନ୍ତି ଯେମିତି କି ସେ ରୋଗୀର ଡାକ୍ତର ନୁହନ୍ତି, ତାଙ୍କର ମାଆ।
ଦେଖିବାକୁ ଲିସା ବହୁତ ସୁନ୍ଦର।ନିଜର ସୁବ୍ୟବହାର ଓ ଦକ୍ଷତା ପାଇଁ ସେ ବହୁତ ଜଳଦି ହରିଆପୁର ଡାକ୍ତରଖାନାର ମୁଖ୍ୟ ଚିକିତ୍ସାଧିକାରୀ ହୋଇ ପାରିଛନ୍ତି।
ସବୁବେଳେ ହସୁ ଥିବା ଲିସାଙ୍କ ମନରେ ଅନେକ ବେଦନା। ବିବାହକୁ ଆଠ ବର୍ଷ ହୋଇ ଗଲାଣି। ହେଲେ ଏବେ ଯାଏଁ ତାଙ୍କର କୋଳରେ ସନ୍ତାନର ମୁଖ ଦେଖିବାକୁ ମିଳି ନାହିଁ। ଲିସା ଡାକ୍ତର ହେଲେ ମଧ୍ୟ ସନ୍ତାନର ମାଆ ହୋଇ ପାରି ନାହାନ୍ତି।
ଲିସା ଆଠ ବର୍ଷ ତଳେ ନୟନଙ୍କୁ ପ୍ରେମ ବିବାହ କରିଥିଲେ। ନୟନ ସହରର ଜଣେ ସୁପ୍ରତିଷ୍ଠିତ ବ୍ୟବସାୟୀ। ନୟନ ଲିସାଙ୍କ ଉପର ଶ୍ରେଣୀରେ ପଢୁଥିଲେ।ସ୍କୁଲରୁ ଦୁଇଜଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ଲିସା ଡାକ୍ତର ହେଲା ପରେ ଘର ଲୋକଙ୍କୁ କହି ବିବାହ କଲେ।ହେଲେ ବିବାହ ଆଠ ବର୍ଷ ହୋଇ ଗଲାଣି ଲିସାଙ୍କ କୋଳରେ ସନ୍ତାନର କିଳକିତାରି ହସ ଶୁଣିବକୁ ମିଳିନି। ବିବାହର ତିନି ବର୍ଷ ପରେ ଲିସା ଗର୍ଭବତୀ ହୋଇ ଥିଲେ ସତ କିନ୍ତୁ ସନ୍ତାନ ଦୁନିଆକୁ ଆସିବା ଆଗରୁ ହିଁ ପାଞ୍ଚ ମାସରେ ଲିସାଙ୍କ ଗର୍ଭରେ ମରି ଗଲା।ଲିସାଙ୍କୁ ଦେଖୁଥିବା ଡାକ୍ତର କହିଲେ ଲିସାଙ୍କ ଗର୍ଭାଶୟ ଛୋଟ ଓ ଦୁର୍ବଳ। ତେଣୁ ସନ୍ତାନ ଗର୍ଭରେ ବଢି ନ ପାରି ମରି ଗଲା।
ତାପରେ ଲିସା ପୁରା ଭାଙ୍ଗି ପଡିଥିଲେ.... କିନ୍ତୁ ନୟନ ଲିସାଙ୍କ ସାଙ୍ଗ ଛାଡ଼ି ନ ଥିଲେ। ସବୁବେଳେ କୁହନ୍ତି ଆମର ସନ୍ତାନ ନ ହେଲେ ଆମେ ଅନାଥାଶ୍ରମରୁ ଛୁଆ ଆଣି ପାଳିବା।ହେଲେ ଶାଶୁ ଶଶୁର ଏଥିରେ ଅସନ୍ତୁଷ୍ଟ। ନୟନ ତାଙ୍କ ବଂଶର ଗୋଟିଏ ମାତ୍ର ଉତ୍ତରଦାୟକ।ସେମାନେ ନୟନଙ୍କୁ ଦ୍ୱିତୀୟ ବିବାହ କରିବା କଥା କହିଲେ ମଧ୍ୟ ନୟନ ଲିସାଙ୍କ ହାତ ଛାଡ଼ି ନାହାଁନ୍ତି ଏବଂ ବିବାହ ପାଇଁ ରାଜି ହୋଇ ନାହାଁନ୍ତି।
ମାଆ ନ ହେବା ଦୁଃଖରେ ଥାଇ ମଧ୍ୟ ଲିସା ନିଜ ରୋଗୀମାନଙ୍କ ପ୍ରତି ଚିକିତ୍ସାରେ ଅବହେଳା କରି ନାହାଁନ୍ତି।ସେ ସବୁବେଳେ କୁହନ୍ତି କର୍ମ ହିଁ ଶ୍ରେଷ୍ଠ। ମୁଁ ମୋ କର୍ମ କରି ଚାଳିଲେ ମୋତେ ନିହାତି ମୋ କର୍ମଫଳ ମିଳିବ। ସେଥିପାଇଁ ସେ ହସି ହସି ନିଜ ଦାୟିତ୍ୱ ପାଳନ କରନ୍ତି।
ଗତ ବର୍ଷ ଅକ୍ଟୋବର ମାସରେ ଲିସାଙ୍କର ସନ୍ତାନ ପ୍ରାପ୍ତି ପାଇଁ ଗୋଟିଏ ବଡ଼ ଅପରେସନ ହୋଇ ଥିଲା। ଡାକ୍ତର କହି ଥିଲେ ଯଦି ଅପରେସନ୍ ଛଅ ମାସ ଭିତରେ ଲିସା ଗର୍ଭବତୀ ନ ହୋଇଛନ୍ତି କିମ୍ବା ଏ ଥର ଲିସାଙ୍କ ଗର୍ଭପାତ ହୋଇଛି ସେ ଆଉ କେବେ ମାଆ ହୋଇ ପାରିବେ ନାହିଁ।
ଅପରେସନ୍ ଚାରିମାସ ପରେ ମଧ୍ୟ ଲିସା ଗର୍ଭବତୀ ହୋଇ ପାରି ନାହାଁନ୍ତି।ଶାଶୁ ଶଶୁର ପୁରା ହତାଶ ହୋଇ ଯାଇଛନ୍ତି। ଠିକ୍ ଏତିକିବେଳେ ଦୁନିଆର ସବୁଠାରୁ ବଡ ମହାମାରୀ କରୋନା ବ୍ୟାଧି ବ୍ୟାପିଛି। ଲିସାଙ୍କୁ ହରିଆ ଡାକ୍ତରଖାନାର କୋଭିଡ ଚିକିତ୍ସାର ମୁଖ୍ୟଭାବରେ ନିଯୁକ୍ତ କରାଯାଇଛି।
ସନ୍ତାନ ପ୍ରାପ୍ତିର ଆଶା ଏବେ ମଉଳି ଗଲାଣି। ଅପରେସନର ପାଞ୍ଚ ଛଅ ମାସ ହେଲାଣି। ହେଲେ ଲିସା ଗର୍ଭବତୀ ହୋଇ ପାରି ନାହାଁନ୍ତି। ସେ ନିଜକୁ ରୋଗୀ ସେବାରେ ବ୍ୟସ୍ତ ରଖିଛନ୍ତି
କରୋନା ନିଜର ତାଣ୍ଡବ ଲୀଳା ଆରମ୍ଭ କରି ସାରିଛି। ଅପ୍ରେଲ ମାସ ଶେଷ ବେଳକୁ ଲିସା ଜାଣିବାକୁ ପାଇଲେ ସେ ଦୁଇ ମାସର ଗର୍ଭବତୀ। ଏ ଖବର ପାଇ ଘରେ ଉଲ୍ଲାସର ଲହରୀ ଖେଳି ଉଠିଲା। ଘରେ ଲିସାଙ୍କ ଶାଶୁ ଶଶୁର, ଲିସାଙ୍କ ବାପା ମାଆ ଲିସାଙ୍କୁ ଡାକ୍ତରଖାନା ଯିବା ପାଇଁ ମନା କଲେ... ଛୁଟି ନେଇ ରହିବା ପାଇଁ କହିଲେ।ଲିସା ମଧ୍ୟ ସେମାନଙ୍କ କଥା କାଟି ନ ପାରି କିଛି ଦିନ ଛୁଟିରେ ରହିଲେ।
ହେଲେ କରୋନାର ତାଣ୍ଡବଲୀଳା, ଆଉ ସେ ଅଞ୍ଚଳର ଲୋଙ୍କର ଅବସ୍ଥା ଦେଖି ଲିସା ବିଚଳିତ ହେଉଥିଲେ। ନିଜକୁ ଧିକ୍କାର କରୁ ଥିଲେ ଯେ ନିଜ ସ୍ୱାର୍ଥ ପାଇଁ ସେ ରୋଗୀମାନଙ୍କୁ ଏମିତି ଅବସ୍ଥାରେ ଛିଡି ଦେଇଛନ୍ତି। ସବୁବେଳେ ସେ ବିଚଳିତ ରହୁଥିଲେ। ଗୋଟିଏ ପଟେ କାଳେ ସନ୍ତାନକୁ ଆଉ ଥରେ ହରାଇବା ଡର ତ ସେପଟେ ଲୋକମାନଙ୍କ କରୁଣ ଅବସ୍ଥା ଦେଖି ସେ ଉଦାସ ରହୁଥିଲେ।
ନୟନ ଲିସାଙ୍କ ମନର ବିଚଳିତ ବୁଝି ପାରି ଦିନେ ଲିସାଙ୍କ ହାତ ଧରି ଘର ଲୋକଙ୍କୁ କହିଲେ ଲିସା ଆଜି ଠାରୁ ଡାକ୍ତରଖାନା ଯିବେ। ସେ ଆଜି ଧର୍ମ ସଙ୍କଟରେ ପଡି ଚୁପ ଅଛନ୍ତି। ଗୋଟିଏ ପଟେ ଆମ ସନ୍ତାନ, ଆମ ପରିବାର ତାଙ୍କୁ ଧରି ରଖିଛି ତ ଆଉ ଗୋଟିଏ ପଟେ ଶହ ଶହ ପରିବାର ଏ ବିପଦ କାଳରେ ଲିସାଙ୍କୁ ହାତ ଠାରି ଡାକୁଛନ୍ତି। ସେ ଦୋଛକିରେ ଛିଡ଼ା ହୋଇ ତଡପୁଛନ୍ତି।
ଏ କଥା ଶୁଣି ଲିସାଙ୍କର ମାଆ ଆଉ ଶାଶୁ କହିଛନ୍ତି ତୁମେ ମାନେ ପାଗଳ ହେଲ କି। ଲିସା ଗର୍ଭବତୀ। ତାର କି ତା ସନ୍ତାନର ଯଦି କିଛି ହୋଇଯାଏ...?
ନୟନ କହିଛନ୍ତି କର୍ମ ହିଁ ଶ୍ରେଷ୍ଠ। କର୍ମ କରି ଚାଲିଲେ ଭଗବାନ ଫଳ ଆପେ ଦେବେ। ଲିସାଙ୍କୁ ତାଙ୍କ କର୍ମ କରିବାକୁ ଦିଅନ୍ତୁ। ଆମ ଗୋଟିଏ ସନ୍ତାନ ପାଇଁ ସହସ୍ର ଘରର ସନ୍ତାନ ଏ ଦୁନିଆରୁ ଚାଲି ଯିବେ ସେଇଟା ଠିକ ନୁହେଁ।
ନୟନ ଲିସାଙ୍କୁ କହିଲେ ତୁମେ ବାହାର। ମୁଁ ନିଜେ ତୁମକୁ ଡାକ୍ତରଖାନାରେ ଛାଡିବି। ଆଉ ମୋର ବିଶ୍ୱାସ ଅଛି ଡକ୍ଟର ଲିସା ନିହାତି ମୋର ସ୍ତ୍ରୀ ଆଉ ତାଙ୍କ ଗର୍ଭରେ ଥିବା ଆମ ସନ୍ତାନର ଯତ୍ନ ନେବେ ଆଉ ସେମାନଙ୍କର କିଛି ହେବାକୁ ଦେବେନି।
ଏ କଥା ଶୁଣି ଲିସାଙ୍କ ଆଖିରୁ ଲୁହ ଝର ଝର ହୋଇ ବହି ଗଲା.... ଏମିତି ସ୍ୱାମୀ ପାଇ ସେ ଗର୍ବିତ ଅନୁଭବ କଲେ।
ନୟନ ନିଜେ ଲିସାଙ୍କୁ ନେଇ ଡାକ୍ତରଖାନାରେ ଛାଡ଼ିଲେ। ଡାକ୍ତରଖାନାରେ ସମସ୍ତେ ଲିସା ଓ ନୟନଙ୍କ ପ୍ରଶଂସା କଲେ।
ମାସ ପରେ ମାସ ଗଡି ଚାଲିଲା। କରୋନାର ତାଣ୍ଡବଲୀଳା କମିବା ନାମ ନେଉ ନାହିଁ। ଏପଟେ ଲିସାଙ୍କ ପ୍ରସବ ସମୟ ପାଖେଇ ଆସୁ ଥାଏ। ଲିସା ଆଉ ନୟନଙ୍କ ପରିବାରରେ ସବୁ ଚିନ୍ତିତ। ଠାକୁରଙ୍କୁ ଡାକୁ ଥାନ୍ତି ଲିସା ଆଉ ତାଙ୍କ ସନ୍ତାନର କିଛି ନ ହେଉ। ଲିସାଙ୍କ ସେବା ଯତ୍ନରେ ଶହ ଶହ ଲୋକ ଭଲ ହୋଇଛନ୍ତି। ନୟନ କିନ୍ତୁ ଏତିକି ବିଶ୍ୱାସ ରଖିଥାନ୍ତି କର୍ମ ହିଁ ଶ୍ରେଷ୍ଠ। ଲିସାଙ୍କ କର୍ମଫଳ ତାଙ୍କୁ ଆଉ ତାଙ୍କ ସନ୍ତାନର ରକ୍ଷା କରିବ।
ହତାଠ ଅକ୍ଟୋବର ମାସ ଆରମ୍ଭ ଲିସାଙ୍କ ଆଠ ମାସ ଚାଲିଲା ବେଳକୁ ଲିସା ଅସୁସ୍ଥ ହୋଇ ପଡିଲେ। ଡାକ୍ତର କହିଲେ ଲିସାଙ୍କ ପ୍ରସବ ସମୟ ଆଗରୁ କରିବାକୁ ପଡ଼ିବ। ଘର ଲୋକଙ୍କ ମନରେ ଡର ଆଉ ଅବସାଦ।ସମସ୍ତେ ନୟନଙ୍କୁ ବିରକ୍ତ ହେଉଥାନ୍ତି।
ନୟନ କରୁଥାନ୍ତି ମୋର ବିଶ୍ୱାସ ଅଛି ଲିସା ନିଜ କର୍ମ ଆଉ କର୍ତ୍ତବ୍ୟ କରିଛନ୍ତି। ଲିସା ବି ମାନନ୍ତି କର୍ମ ହିଁ ଶ୍ରେଷ୍ଠ ...ଶହ ଶହ ଲୋକ ତାଙ୍କ ସେବା ଯତ୍ନରେ ଭଲ ହୋଇଛନ୍ତି। ସେମାନଙ୍କ ଆଶୀର୍ବାଦରେ ଲିସା ଆଉ ସନ୍ତାନର କିଛି ହେବନି।
ଡାକ୍ତର, ଲିସାଙ୍କର ସମୟ ଆଗରୁ ପ୍ରସବ କରାଇଲେ। ପ୍ରସବ ସମୟରେ ଲିସା କରୋନାରେ ଆକ୍ରାନ୍ତ ବୋଲି ଜଣା ଗଲା। ଶେଷରେ କରୋନା ହାର ମାନିଛି.... ଲିସାଙ୍କୁ ପୁତ୍ର ସନ୍ତାନ ପ୍ରାପ୍ତି ହୋଇଛି।ଲିସା ଏବଂ ନୟନଙ୍କ ପୁତ୍ର ସନ୍ତାନକୁ କରୋନା ହୋଇ ନ ଥିଲା।
ସମସ୍ତେ ସନ୍ତାନଙ୍କୁ ଦେଖି ଖୁସି ହୋଇ ଗଲେ। ଲିସାଙ୍କ କରୋନା ଆରମ୍ଭ ଅବସ୍ଥାରେ ଥିଲା। ଡାକ୍ତର କହିଲେ ଚିନ୍ତା କରିବା ନାହିଁ। ଲିସା ବହୁତ ଜଲ୍ଦି ଠିକ୍ ହୋଇ ଯିବେ।ସମସ୍ତେ ମାନି ନେଲେ ଏ ସବୁ ଲିସାଙ୍କ କର୍ମଫଳ...କାରଣ ଏମିତି ଘଡିସନ୍ଧି ସମୟରେ ଲିସା ନିଜ କର୍ତ୍ତବ୍ୟ ପାଳନ କରିବା ସହ ଏତେ ବର୍ଷ ପରେ ତାଙ୍କର ସନ୍ତାନ ପ୍ରାପ୍ତି ହୋଇଛି।ଏବେ ସମସ୍ତଙ୍କ ମନରେ ହସର ଲହରୀ ଖେଳି ଗଲା।
ଲିସା କିଛି ଦିନ ମଧ୍ୟରେ ସୁସ୍ଥ ହୋଇ ଗଲେ। ସମସ୍ତେ ଗୋଟିଏ କଥା କହିଲେ କର୍ମ ଦ୍ୱାରା ଅସମ୍ଭବ ଲାଗୁଥିବା କାମ ବି ସମ୍ଭବ ହୁଏ। କାରଣ କର୍ମ ଦ୍ୱାରା ଈଶ୍ୱରଙ୍କ ଆଶୀର୍ବାଦ ମିଳେ। ତେଣୁ କର୍ମ ହିଁ ଶ୍ରେଷ୍ଠ।
