ସମୟ ସୁଅରେ ଆଜିର ପଞ୍ଚୁଦୋଳ
ସମୟ ସୁଅରେ ଆଜିର ପଞ୍ଚୁଦୋଳ
ସମୟ ଠିକ ଗୋଟିଏ ଅଙ୍କା ବଙ୍କା ନଈ ଟିଏ ପରି। ଚିର ସ୍ରୋତସ୍ବିନୀ।ଅବିରତ କୁଳୁକୁଳୁ ନାଦ କରି ବହି ଚାଲିଥାଏ ଆଗକୁ ଆଗକୁ ବହୁତ ଆଗକୁ। କେବେ ବି ପଛକୁ ଫେରି ଚାହେଁ ନାହିଁ। ନଦୀ ଭଳି ସମୟ ଛାଡିଯାଏ କିଛି ଉର୍ବର ସ୍ମୃତି ଓ ଅନେକ ପରିବର୍ତ୍ତନ।ସିନ୍ଧୁ ସଭ୍ୟତା ରୁ ଆରମ୍ଭ କରି ଆଜିର ଅତ୍ୟାଧୁନିକ ସଭ୍ୟତା ପର୍ଯ୍ୟନ୍ତ ସବୁଠାରେ ଏହାର ଛାପ ଆମେ ଦେଖିବାକୁ ପାଇବା। ସମୟ ସୁଅରେ ସେହିଭଳି ପରିବର୍ତ୍ତିତ ହୋଇଯାଇଥିବା ଏକ ସଂସ୍କୃତି ଓ ପରମ୍ପରା ର ମାଇଲ ଖୁଣ୍ଟ ମାଲୁଦ ପଞ୍ଚୁଦୋଳ।
ପୁରୀ ଜିଲ୍ଲାର ମହୋଦଧି କୂଳରେ ସବୁଜିମା ଭରା ପlରିକୁଦ ମାଲୁଦ ଦ୍ୱୀପ କଥା ଆମେ ସମସ୍ତେ ଅଳ୍ପ ବହୁତେ ଜାଣିଛେ। ପlରିକୁଦ ଦୀପ ହୋଇ ଥିବାରୁ ବିକାଶର ଅଳ୍ପ ପଛରେ ରହି ଆସିଥିଲା। ଚତୁର୍ଦିଗ କୁ ଚାହିଁଲେ ଖାଲି ଜଳମୟ।ତଥାପି ନିଜର ସଂସ୍କୃତି, ପରମ୍ପରା ଓ ଭାଇଚାରାକୁ ସେ ଏଯାଏ ଜାବୁଡି ଧରି ଆସିଛି।ଅନେକ ବୀର, ବାଗ୍ମୀ, କର୍ମଠକୁ ନିଜ ବକ୍ଷରେ ଜନ୍ମ ଦେଇ ସେ ଆଜି ବିଶ୍ୱ ପ୍ରସିଦ୍ଧ। ସେହି ପବିତ୍ର ମାଟିର ଏକ ପବିତ୍ର ସ୍ଥାନ ହେଲା ମାଲୁଦ ନିକଟବର୍ତ୍ତୀ ଫତେପୁର ପଞ୍ଚୁଦୋଳ ମେଳଣ ପଡିଆ।
କାହିଁ କେଉଁ କାଳରୁ ସେଠାରେ ଚାଲି ଆସୁଛି ପଞ୍ଚୁଦୋଳ ମେଳଣ।ଅବଶ୍ୟ ଓଡ଼ିଆ ସଂସ୍କୃତି ରେ ପଞ୍ଚୁଦୋଳ ମେଳଣ କିଛି ନୂଆ କଥା ନୁହେଁ, ତଥାପି ମାଲୁଦ ପଞ୍ଚୁଦୋଳ ମେଳଣ ଏହାର ବିଶେଷତ୍ଵ ପାଇଁ ପ୍ରସିଦ୍ଧି ଲାଭ କରିଛି।ଇତିହାସ କୁ ଦୋହରାଇ ଏହାର ଅତୀତ ପୃଷ୍ଠା କୁ ଲେଉଟେଇ ପଢିବା ଆଜି ସମ୍ଭବ ନୁହେଁ।ତଥାପି କୋଡିଏ ବର୍ଷ ପଛକୁ ଫେରି ଦେଖିଲେ ଏହାର ଅତୀତର ମୌଳିକତା ସମ୍ପର୍କରେ ଆଭାସ ମିଳିଯାଏ।
ଦୋଳପୁର୍ଣିମା ର ଠିକ ପାଞ୍ଚ ଦିନ ପରେ ପଞ୍ଚୁଦୋଳ ଯାତ୍ରା । କେବଳ ନାମ ହିଁ ଯଥେଷ୍ଟ ଏହାର ପବିତ୍ରତା ଜାଣିବା ପାଇଁ।ଦୂର ଦୁରନ୍ତ ରେ ରହୁଥିବା ଏହାର ଅଧିବାସୀ ମାନେ ଚାହିଁ ରହିଥାନ୍ତୁ ଏହି ଦିନକୁ। ସମୟ ପାଖେଇ ଆସିଲେ ମନର ଉତ୍କଣ୍ଠା ବହୁଗୁଣିତ ହୋଇ ଯାଏ । ହୃଦୟର ସ୍ପନ୍ଦନ ବଢ଼ି ଯାଏ ।ମନ ଚାହିଁ ରହିଥାଏ ସେହି ଦିନକୁ। ଅନେକ ମଠ ମନ୍ଦିର ଯାଇ ଯେଉଁ ପୁଣ୍ୟ ମିଳି ନଥାଏ, ଥରଟିଏ ସେଠାକୁ ଯାଇ ମେଳଣ ଦେଖିଲେ ସେହି ପୁଣ୍ୟ ମିଳିଯାଏ। ଓଃ କି ପବିତ୍ର ସେ ସ୍ଥାନ। ଥରଟିଏ ସେଠି ଛିଡା ହୋଇଗଲେ ଅପୂର୍ବ ଆନନ୍ଦ ମିଳିଯାଏ । ଅନ୍ୟ ଏକ ପୃଥିବୀ।
ଦୋଳ ଯାତ୍ରାର ପବିତ୍ର ତିଥିରେ ହି ଏହାର ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଯାଏ ।ମାଲୁଦ ପଞ୍ଚୁଦୋଳ ର ମୁଖ୍ୟ ଆକର୍ଷଣ ଓ ବିଶେଷତ୍ଵ ହେଲା ଏହାର ସୁସଜ୍ଜିତ ମେଢ଼ ଓ ବିମାନ। ପାଖାପାଖି ୨୪ ଖଣ୍ଡ ଗ୍ରାମରୁ ଶ୍ରୀଜୀଉ ମାନଙ୍କୁ ବିମାନରେ ପଞ୍ଚୁଦୋଳ ପଡିଆ କୁ ଅଣାଯାଇଥାଏ।ପ୍ରାୟଗି ଠାରୁ ନବା ପର୍ଯ୍ୟନ୍ତ ପ୍ରତେକ ଗ୍ରାମର ଯୁବକ ମାନେ ନିଜ ନିଜ ଗ୍ରାମ ମେଢ଼ ଓ ବିମାନର ସାଜସଜ୍ଜା ଦାଇତ୍ଵ ନେଇଥାନ୍ତି।ସତେ ଯେପରି ବିଶାଳ ପ୍ରତିଯୋଗିତାର ଅଂଶ। ସୂକ୍ଷ୍ମ କାରୁକାର୍ଯ୍ୟ, ଆକର୍ଷଣୀୟ ଡାଳିକୁ ଜରି, ଜମ୍ବୁରା, କଣ୍ଠି, କାଚ , ଓ ରଙ୍ଗୀନ କାଗଜରେ ସଜାଇ ପ୍ରସ୍ତୁତ କରାଯାଏ ସ୍ଵର୍ଣ ଭଳି ଚମକୁଥିବା ମେଢ଼। ନିଜ ନିଜ କଳା କାରିଗରୀ ର ଶ୍ରେଷ୍ଠ ନିଦର୍ଶନ ଦେବାରେ ସମସ୍ତେ ବ୍ୟସ୍ତ ରୁହନ୍ତି। ପାଖାପାଖି ତେତିଶ ଖଣ୍ଡ ଗ୍ରାମର ମିଳିତ ସହଯୋଗରେ ପାଳନ ହୁଏ ଯାତ୍ରା।
ବିଭିନ୍ନ ଗ୍ରାମର ଭିନ୍ନ ଭିନ୍ନ ଦୁରତାରେ ଥାଏ ଯାତ୍ରା ପଡିଆ।ତେଣୁ କିଛି ଗାଁର ଠାକୁର ଶ୍ରୀଘ୍ର ଓ କିଛି ଗ୍ରାମର ଠାକୁର ବିଳମ୍ବରେ ପଂହଁଚି ଥାନ୍ତି।ପଞ୍ଚୁଦୋଳ ଯାତ୍ରା ପୂର୍ବ ରାତିରେ ସମସ୍ତ ଗ୍ରାମରେ ସାହି ଯାତ୍ରା ହୁଏ।ସେହି ରାତିରେ ହିଁ ଶ୍ରୀଜୀଉ ମାନଙ୍କୁ ସୁସଜ୍ଜିତ ବିମାନରେ ବସାଇ ବୋହି ନିଅନ୍ତି ପଡିଆକୁ।ବିମାନ କୁ ନେବା ପାଇଁ ରମ୍ଭା ଅଞ୍ଚଳରୁ ଗଉଡ଼ ମନେ ଆସିଥାନ୍ତି।ଗ୍ରାମରୁ ଶ୍ରୀଜୀଉ ମାନେ ବାହାରିବା ସମୟରେ ପାରମ୍ପରିକ ନୃତ୍ୟ ସହ ପାଇକ ଅଖଡା, ଘଣ୍ଟ ଘଣ୍ଟା ଶବ୍ଦ ଓ କୀର୍ତ୍ତନ କରି ମହା ଆଡମ୍ବରରେ ନେଇଥାନ୍ତି।ଠାକୁରଙ୍କ ନୀତି ନିର୍ଘଣ୍ଟ ପାଇଁ ଆବଶ୍ୟକ ସମସ୍ତ ଜିନିଷ ଶଗଡ଼ ଯୋଗେ ନିଅ ଯାଇଥାଏ।
ସେହି ବର୍ଷ ମାନଙ୍କରେ ମନର ଉତ୍କଣ୍ଠା କୁ ଛାତିରେ ଭରି ଡୋଲି ଲଗା ଶଗଡରେ ସମସ୍ତେ ବସି, କେହି କେହି ଚାଲି ଚାଲି ଯାଆନ୍ତି ଯାତ୍ରା ଦେଖିବାକୁ।ଏହି ଅଂଚଳଟି ବାହ୍ୟ ଜଗତ ସହ ଯୋଗାଯୋଗ ର ବହୁତ ଦୂରରେ ଥିବାରୁ ଏହି ମେଳଣ ହି ଯୋଗାଯୋଗ ଓ ଭାବ ଆଦାନ ପ୍ରଦାନ ର ଶ୍ରେଷ୍ଠ ମାଧ୍ୟମ ସାଜିଥିଲା।କଥାରେ କୁହାଯାଏ, ବାପା ମା ଙ୍କୁ ଛାଡି ଏ ଯାତ୍ରାରେ ପ୍ରାୟ ସବୁକିଛି ମିଳିଯାଏ ।ପ୍ରତେକ ଗ୍ରାମର ସମସ୍ତ ଲୋକ ତଥା ପରିବାର ର ସମସ୍ତ ଲୋକ ଏହି ଯାତ୍ରାକୁ ଯାଇଥାନ୍ତି।
ପ୍ରଥମ ଦଳ ସକାଳେ ହେଉଥିବା ମେଳଣ ଦେଖି ଦିନବେଳେ କିଣା କିଣି କରି ସଞ୍ଜ ରେ ଘରକୁ ଫେରି ଆସନ୍ତି। ଅନ୍ୟ ଏକ ଦଳ ସଞ୍ଜ ରେ ଯାତ୍ରା କୁ ଯାଇ ରାତିରେ ଯାତ୍ରା ଦେଖନ୍ତି, ଓ ସକାଳ ମେଳଣ ଦେଖି ଠାକୁରଙ୍କ ସହ ଘରକୁ ଫେରି ଥାନ୍ତି। ରାତିରେ ଯାତ୍ରା ସାଙ୍ଗକୁ ଭଳିକି ଭଳି ପସରା ସର୍ବପରି ଅତସବାଜି ର ପ୍ରଦର୍ଶନ ମନ ମୋହିନୀଏ।କେବଳ ପlରିକୁଦ କାହିଁକି ଖୋର୍ଦ୍ଧା, ,ଗଞ୍ଜାମ ଓ ପୁରୀ ଜିଲ୍ଲାର କୋଣନୁକୋଣରୁ ଭକ୍ତ ମାନେ ଛୁଟି ଆସନ୍ତି ଭଗବାନ ଙ୍କର ଏହି ମାନବୀୟ ଲୀଳା ଦେଖିବା ପାଇଁ। ରାତିରେ ପ୍ରତେକ ଠାକୁରଙ୍କ ଆଗରେ ଅଲଗା ଅଲଗା ନୃତ୍ୟ ପରିବେଷଣ ହୁଏ। ଭାରତଳିଲା, ପାଲା, କୃଷ୍ଣଳିଲା, ରାଧା ପ୍ରେମଲିଳା, ଦାସକାଠିଆ, ଘୁଡୁକି ଭଳି ନୃତ୍ୟ ଦେଖିବାକୁ ବହୁତ ଭିଡ ଜମେ। ଚିଲିକାର ପାଦ ଦେଶରେ ଅବସ୍ଥିତ ଏହି ଯାତ୍ରା ପଡ଼ିଆରେ ଯେତେବେଳେ ରାତିରେ ଘନ ଅନ୍ଧାରକୁ ଭେଦ କରି ରଙ୍ଗ ବେରଙ୍ଗର ଆଲୁଅ ଚିଲିକା ଜଳରେ ପଡେ, ମନେ ହୁଏ ସତେ ଇନ୍ଦ୍ରମହଲ।
ସକାଳେ ଶ୍ରୀଜୀଉ ମନେ ମେଳଣ ସାରି ନିଜ ମନ୍ଦିରକୁ ଫେରି ଥାନ୍ତି।ଲୋକମାନେ ଫେରିବାର ସୁବିଧା ନଥିଲେ ପାଦରେ ଚାଲି ଚାଲି ଘରକୁ ଆସିଥାନ୍ତି।ଗ୍ରାମ ଯେତେ ଦୂର ହେଲେ ବି (ସର୍ବାଧିକ ପନ୍ଦର କିଲୋମିଟର) ପିଲା ଠାରୁ ବୁଢା ସମସ୍ତେ ଚାଲି ଚାଲି ଆସନ୍ତି।ଓଃ କି ସୁନ୍ଦର ଅନୁଭୂତି। ଏହାର ଶେଷ ପର୍ଯ୍ୟାୟରେ ସମସ୍ତଙ୍କ ଚକ୍ଷୁ ରୁ ସ୍ୱତଃ ଲୋତକ ଝରି ଆସେ।ଗୋଟିଏ ଦିନ ପାଇଁ ଯାତ୍ରା ହେଉଥିଲେ ହେ ତାର ଅନୁଭୂତି ର ମହକ ପୁଣି ଆଗାମୀ ବର୍ଷ ଯାଏ ସତେଜ ହୋଇ ରୁହେ।୨୪ ମୌଜାର ପୁରା ବର୍ଷର ସମସ୍ତ ମାଲି ମକଦ୍ଦମା ଏହିଠାରେ ସମାଧାନ ହୁଏ।ସବୁଠାରୁ ଆଶ୍ଚର୍ଯ୍ୟର କଥା ହଜାର ହଜାର ସ୍ତ୍ରୀ ପୁରୁଷ, ପିଲା, ବୁଢା ଗୋଟିଏ ସ୍ଥାନରେ ଏକାଠି ହେଲେ ସୁଦ୍ଧା, କୌଣସି ପ୍ରକାର ଗହଳି ଗଣ୍ଡଗୋଳ ହୁଏ ନାହିଁ। ଏହା ହିଁ ମାଲୁଦ ପଞ୍ଚୁଦୋଳ ର ପ୍ରମୁଖ ବୈଶିଷ୍ଟ୍ୟ।
ସମୟ ଆଜି ସବୁକିଛି ପରିବର୍ତ୍ତନ କରି ସାରିଛି।ମାଟି କାଦୁଅ ପରିବର୍ତ୍ତେ ପକ୍କା ସଡକ ହୋଇ ଯାଇଛି। ଶ୍ରୀଜୀଉମାନଙ୍କର ମେଢ ସାଜସଜ୍ଜା ର ମାନ ଅହେତୁକ ବଢି ଯାଇଛି। ଅଗଭଳି ଆଉ ଦୋଲି ଶଗଡ ପଞ୍ଚୁଦୋଳ କୁ ଯାଉନାହିଁ। ଡିଜେ ଲଗାଇ ଠାକୁରଙ୍କୁ ସ୍ୱାଗତ କର ଯାଉଛି। ଯାତ୍ରା କୁ ଯାଇ ଆଉ ଅଧିକ ସମୟ ରହିବାକୁ ପସନ୍ଦ କରୁ ନାହାନ୍ତି।
କିଛି ଯୁବ ପିଢ଼ି ଚିନ୍ତା କଲେ ପଞ୍ଚୁଦୋଳ ଯାତ୍ରାର ରାତିରେ ଯେଉଁ ନାଚ ହେଉଛି , ସେ ସବୁକୁ ବଦଳାଇ ଦେବେ।ଛବିଶ ମୌଜାର ସମସ୍ତ ଯୁବ ଶକ୍ତି ଏକ ହୋଇ ଠିଆ ପଞ୍ଚୁଦୋଳ କୁ ବସି ଦେଖିବାକୁ ଐତିହାସିକ ନିଷ୍ପତ୍ତି ନେଲେ। ସମସ୍ତ ଗ୍ରାମର ଛୋଟ ଛୋଟ ସଂସ୍କୃତି ନାଚ କୁ ବନ୍ଦ କରି ବଡ଼ ଅପେରା ହେଉଛି।ଦିନକ ପାଇଁ ହେଉଥିବା ପଞ୍ଚୁଦୋଳ କୁ ଜନସାଧାରଣ ସମ୍ପୂର୍ଣ୍ଣ ଉପଭୋଗ କରି ପାରୁ ନଥିବାରୁ, ଏହା ତିନି ଦିନ କୁ ବଢ଼େଇ ଦିଆଗଲା।
ଏବେ ଏକ ଦଶନ୍ଧି ହେବ ପଞ୍ଚୁଦୋଳ ଯାତ୍ରା ତିନି ଦିନ ପାଇଁ ହେଉଛି।ଠାକୁରଙ୍କ ଭଲ ମନ୍ଦ ବୁଝିବା ପାଇଁ ସେଠାରେ ଏକ ମନ୍ଦିର ମଧ୍ୟ ନିର୍ମାଣ କରାଯାଇଛି। ପରିବର୍ତ୍ତନ ହୋଇଛି ସ୍ୱାଗତ ଯୋଗ୍ୟ। କିନ୍ତୁ ଏହା ଦେଖିବାରୁ ଆଗରୁ ଲୋକ ମାନଙ୍କର ଆଗ୍ରହ କମି ଯାଇଛି।ଆଜିର ଆଧୁନିକ ଲୋକମାନେ କେବଳ ଅପେରା ଦେଖିବାକୁ ରାତିରେ ଭିଡ଼ ଜମାଇଛନ୍ତି।ବୟସ୍କ ଲୋକମାନେ ଠାକୁରଙ୍କ ପାଇଁ କେବଳ ଦିନରେ ଯାଇ ଫେରୁଛନ୍ତି। ଦିନବେଳ ଆଉ ଅଗଭଳି ଗହଳି ଚହଲି ନାହିଁ। କଁl ଭାଁ କେଇଜଣ ଲୋକଙ୍କୁ ଛାଡ଼ିଦେଲେ ଆଉ କେହି ରାହୁନାହଁନ୍ତୁ। ସଂସ୍କୃତି ଓ ପୁରାଣ ଆଧାରିତ ନାଚ ବନ୍ଦ ହୋଇଯିବାରୁ ବୟସ୍କ ଲୋକ ମାନଙ୍କ ଆଗ୍ରହ କମି କମି ଯାଉଛି।
ଏହି ଐତିହାସିକ ପଞ୍ଚୁଦୋଳ ମେଳଣ ର ଏକମାତ୍ର ବୈଶିଷ୍ଟ୍ୟ ଏଯାଏ ବି ରହିଛି, ଏକତା। ଯେଉଁ ଭିତ୍ତିଭୂମି ଉପରେ ଯାତ୍ରାର କାୟା ଛିଡା ହୋଇଥିଲା ତାହା ଏଯାଏ ବି ଅଛି। ଛବିଶ ମୌଜ଼ା ର ଲୋକେ ଏବେ ବି ଏକ ମନ ହୋଇ ରହି ଆସୁଛନ୍ତି। ଏ ଆଧୁନିକ ସମାଜ ଏ ମହାନ ପରମ୍ପରା କୁ ବଦଳାଇ ପାରିନି। ଆଜିର ସମୟେ ଏଠାରେ ଲକ୍ଷାଧିକ ଲୋକ ରୁଣ୍ଡ ହେଲେ ସୁଦ୍ଧା ଶାନ୍ତି ଶୃଙ୍ଖଳା ରେ ଯାତ୍ରା ସମାପନ ହେଉଛି। ଏହା ହିଁ ଗର୍ବ ଓ ଗୌରବର ବିଷୟ।
