ସମୟ ଓ ଭାଗ୍ୟ
ସମୟ ଓ ଭାଗ୍ୟ
ସମୟ ଓ ଭାଗ୍ୟ—ଏ ଦୁଇଟି ଶବ୍ଦ ଶୁଣିବାକୁ ସରଳ ଲାଗୁଥିଲେ ମଧ୍ୟ ଜୀବନରେ ଏମାନଙ୍କର ଭୂମିକା ବହୁତ ଗଭୀର। ଏମାନେ ପରସ୍ପର ସହ ଏମିତି ଭାବେ ଜଡ଼ିତ, ଯେମିତି ଦିନ ଓ ରାତି, ଆଲୋକ ଓ ଅନ୍ଧାର। ସମୟ ଅଛି ଭଲ ଓ ଖରାପ, ଏବଂ ଭାଗ୍ୟ ମଧ୍ୟ ଅଛି ସୌଭାଗ୍ୟ ଓ ଦୁର୍ଭାଗ୍ୟ।
ମନୁଷ୍ୟ ଜୀବନରେ ଯେତେବେଳେ ଖରାପ ସମୟ ଆସେ, ସେତେବେଳେ ଲାଗେ ଯେ ଏ ଅନ୍ଧାର ଆଉ କେବେ ଶେଷ ହେବନି। ପ୍ରତିଦିନ ଦୁଃଖ, ସମସ୍ୟା ଓ ହତାଶା ମଧ୍ୟରେ କଟେ। ଠିକ ସେଇ ସମୟରେ ଭଲ ସମୟ ଦୂରେ ଥିବା ଏକ ସ୍ୱପ୍ନ ଭଳି ଲାଗେ। କିନ୍ତୁ ସମୟର ଏକ ଅଦୃଶ୍ୟ ନିୟମ ଅଛି—ଯେପର୍ଯ୍ୟନ୍ତ ଖରାପ ସମୟ ଚାଲୁଥାଏ, ଭଲ ସମୟ ପାଖକୁ ଆସେନି। ଏବଂ ଯେମିତି ଗୋଟିଏ ଥର ଭଲ ସମୟ ଆସିଯାଏ, ଖରାପ ସମୟ ଆପେ ଆପେ ପଛକୁ ହଟିଯାଏ।
ଭାଗ୍ୟ ଓ ଦୁର୍ଭାଗ୍ୟର କଥା କହିଲେ, ଆମ ପୁରୁଣା କାଳିଆ ଲୋକମାନେ ମାନେ ଗୋଟିଏ ସରଳ କିନ୍ତୁ ଗଭୀର କଥା କହିଥାନ୍ତି—
“ଯେମିତି ମଞ୍ଜି ଲଗାଇବ, ସେମିତି ଗଛ ପାଇବ।”
ଲେମ୍ବୁ ମଞ୍ଜି ଲଗାଇଲେ ଲେମ୍ବୁ ଗଛ ହେବ, ପିଜୁଳି ଗଛ ହେବାର ଆଶା କରିବା ଅର୍ଥହୀନ। ଏହିପରି ଆମ କର୍ମ ମଧ୍ୟ ଆମ ଭାଗ୍ୟର ମଞ୍ଜି।
କୁହାଯାଏ ଯେ ଆମ ପୂର୍ବଜନ୍ମରେ କରିଥିବା କର୍ମର ଫଳ ଏ ଜନ୍ମରେ ଭୋଗିବାକୁ ପଡ଼େ। ଏ କଥା ଶୁଣିବାକୁ ସମସ୍ତଙ୍କୁ ସତ ଲାଗେନି, କିନ୍ତୁ ଏହା ଏକ ଅଦୃଶ୍ୟ ଓ ନିରାଟ ସତ୍ୟ। ଅନେକ ସମୟରେ ଆମେ କିଛି ନ କରିଥିବା ସତ୍ତ୍ୱେ ଦୁଃଖ ଭୋଗୁଛୁ ବୋଲି ଲାଗେ, କିନ୍ତୁ ସେ ଦୁଃଖର ମୂଳ କେଉଁଠି ନା କେଉଁଠି ଆମ କର୍ମ ସହ ଜଡ଼ିତ।
ତଥାପି ଜୀବନ ଆମକୁ ଆଉ ଗୋଟିଏ ସୁଯୋଗ ଦେଇଥାଏ—ଏ ଜନ୍ମର କର୍ମ। ଯଦି ଏ ଜନ୍ମରେ ଆମେ ଭଲ କର୍ମ କରୁ, ସତ ପଥରେ ଚାଲୁ, ମନୁଷ୍ୟତାକୁ ଆଧାର କରି ଜୀବନ ବିତାଉ, ତେବେ ଖରାପ ସମୟ ଆସିଲେ ମଧ୍ୟ ସେ ଦୀର୍ଘ ସମୟ ରହିପାରେନି। ହଁ, ଖରାପ ସମୟ ନିଶ୍ଚୟ ଆସିବ—କାରଣ ଏହା ସମୟର ନିୟମ—କିନ୍ତୁ ସେତେଟା କଷ୍ଟଦାୟକ ହେବ ନାହିଁ, ଯେତେଟା ଭଲ କର୍ମ ନ କରିଥିଲେ ହେବାର ସମ୍ଭାବନା ଥାଏ।
ଶେଷରେ କୁହାଯାଇପାରେ, ସମୟ ଆମକୁ ପରୀକ୍ଷା କରେ ଏବଂ କର୍ମ ଆମକୁ ଫଳ ଦିଏ। ଭାଗ୍ୟ ଅନ୍ଧ ନୁହେଁ, ସେ ଆମ କର୍ମକୁ ଦେଖି ଆମ ପାଖକୁ ଆସେ। ତେଣୁ ଯଦି ଆଜି ସମୟ ଭଲ ନୁହେଁ, ହତାଶ ହେବାର କିଛି ନାହିଁ—ଭଲ କର୍ମ କରି ଚାଲ, କାରଣ ଆସନ୍ତାକାଲିର ଭାଗ୍ୟ ଆଜିର କର୍ମ ଉପରେ ହିଁ ନିର୍ଭର କରେ।
