ଗରିବର ଶୀତ
ଗରିବର ଶୀତ
ଶୀତ ଋତୁ ଗୋଟିଏ ଏମିତି ଋତୁ, ଯେଉଁ ଋତୁରେ ପ୍ରବଳ ଥଣ୍ଡାର ଅନୁଭୂତି ହୁଏ। ଶୀତରୁ ରକ୍ଷା ପାଇବା ପାଇଁ ଲୋକେ କମ୍ବଳ, ସ୍ୱେଟର, ଜାକେଟ୍, ମଫଲର ପରି ନାନା ପ୍ରକାର ଶୀତ ବସ୍ତ୍ର ପରିଧାନ କରନ୍ତି। ଶୀତ ସକାଳରେ ବିଛଣା ଛାଡ଼ି ବାହାରିବା ଅତ୍ୟନ୍ତ କଷ୍ଟକର ହୋଇଥାଏ। ପ୍ରବଳ ଥଣ୍ଡା ଦେହକୁ ଥରହର କରାଇଦିଏ, ହାତ ପାଦ ଜଡ଼ ହୋଇଯାଏ।
ଯାହା ପାଖରେ ନିଜକୁ ଘୋଡ଼ାଇବା ପାଇଁ କମ୍ବଳ କିମ୍ବା ଘର ଅଛି, ସେ ତ ଶୀତରୁ କିଛି ମାତ୍ରାରେ ବଞ୍ଚିଯାଏ। କିନ୍ତୁ ଯାହା ପାଖରେ କିଛି ନାହିଁ, ସେ କେମିତି ଅବସ୍ଥାରେ ଜୀବନ କାଟୁଥିବ? ଗରୀବ ଶ୍ରେଣୀର ଲୋକମାନଙ୍କ ପାଇଁ ନା ରହିବାକୁ ଘର ଥାଏ, ନା ଠିକ୍ ଭାବରେ ଖାଇବାକୁ ମିଳେ। ଦୁଇ ବେଳା ଭୋଜନ ଯୋଗାଇବା ଯେଉଁଠି ମୁଶ୍କିଲ, ସେଠି କମ୍ବଳ କିମ୍ବା ସ୍ୱେଟର କିଣିବା ସ୍ୱପ୍ନ ସମାନ।
ରାସ୍ତା କଡ଼ରେ, ବସ୍ଷ୍ଟାଣ୍ଡରେ, ଫୁଟପାଥରେ କିମ୍ବା ରେଳ ଷ୍ଟେସନରେ ଅନେକ ଗରୀବ ଲୋକ ଶୀତରେ ରାତି କାଟନ୍ତି। କେହି ପୁରୁଣା କପଡ଼ା, କେହି ପ୍ଲାଷ୍ଟିକ୍ ଶିଟ୍, ତ ଆଉ କେହି ଖାଲି ଖବରକାଗଜରେ ନିଜକୁ ଘୋଡ଼ାଇ ଥଣ୍ଡା ସହ ଲଢ଼େଇ କରିଥାନ୍ତି। ସାରା ରାତି ଥରଥର କମ୍ପି କମ୍ପି ସେମାନେ ଜୀବନ କାଟନ୍ତି, ସକାଳ ହେଲେ ପୁଣି ସେଇ ସଂଘର୍ଷ।
ଯେଉଁମାନେ ସୁବିଧାଜନକ ଜୀବନ ଯାପନ କରୁଛନ୍ତି, ଗରମ ଘରେ ଆରାମରେ ଶୋଇଛନ୍ତି, ସେମାନେ କି ଗରୀବଙ୍କ ଏହି ଦୁଃଖକୁ ସତରେ ବୁଝିପାରିବେ? ଗରୀବଙ୍କ ପାଇଁ ଶୀତ ମାନେ କେବଳ ଏକ ଋତୁ ନୁହେଁ, ଏହା ଏକ ଦୁଃସହ ଯନ୍ତ୍ରଣା। ଶୀତ ତାଙ୍କ ପାଇଁ ଆଣେ ଭୟ, ଅନିଶ୍ଚିତତା ଓ ମୃତ୍ୟୁର ଆଶଙ୍କା।
ତେଣୁ ଆମର କର୍ତ୍ତବ୍ୟ ହେଉଛି— ଏମିତି ଲୋକମାନଙ୍କ ପ୍ରତି ସହାନୁଭୂତି ଓ ମାନବିକତା ଦେଖାଇବା। ଆମ ପାଖରେ ଥିବା ଅତିରିକ୍ତ କମ୍ବଳ, ସ୍ୱେଟର କିମ୍ବା ଗରମ କପଡ଼ା ଯଦି ଗରୀବଙ୍କୁ ଦେଇପାରିବା, ତେବେ ତାଙ୍କ ଶୀତ କିଛିଟା ହେଲେ ହ୍ରାସ ପାଇବ। ଗରୀବର ଶୀତ ହ୍ରାସ ପାଇଲେ ହିଁ ସମାଜର ମାନବିକତା ସଫଳ ହେବ।
