Pranati Mahapatra

Action Inspirational

4.0  

Pranati Mahapatra

Action Inspirational

ସମୟ ଏମିତି ଆସେ

ସମୟ ଏମିତି ଆସେ

4 mins
281



ସବୁବେଳେ ସେ ମାଆ ମାଆ ବୋଲି ବହୁତ ଜୋରରେ ଡାକୁଥାଏ, କ'ଣ ଟିକେ ଦେଇଦେଲେ ତାକୁ ଖାଇବାରେ ବ୍ୟସ୍ତ ହୋଇଯାଏ।ସରିଗଲେ ଯେଉଁ କଥାକୁ ସେଇ କଥା।ତଥାପି ବିରକ୍ତ ହୁଏ ନାହିଁ ସୁଲି।

ବଡିଭୋରୁ ଉଠି କି ଶୀତ କି କାକର କିଛି ନ ମାନି ଘରର ଯାବତୀୟ କାମ ସକାଳୁ ସଞ୍ଜ ଯାଏ ସବୁ ପାଇଟି କରେ,ନା କେବେ ଖାଇବା, ନାଇବା,ପିନ୍ଧିବା,ସୌକ୍ ସାକ୍ କରିବା କିଛି କରିବା କେହି ଦେଖି ନାହାଁନ୍ତି କେମିତି ପୁଅ ଦୁଇଟିକୁ ମଣିଷ କରିବେ ଦୁଇପ୍ରାଣୀ ସେହି ଚିନ୍ତାରେ ଥାଆନ୍ତି।


ପର ଘରେ ମୁଲ ଲାଗି ଯାହା କିଛି ଆଣନ୍ତି ସେଥିରେ ଚାରିପ୍ରାଣୀ ଚଳି ଯାଆନ୍ତି।ଦୁଇରୁ ଚାରି ,ପୁଣି ଚାରିରୁ ଏଇ କିଛି ଦିନ ହେବ ଛଅ ହୋଇଛନ୍ତି।

ଦୁଃଖି ନୁହଁନ୍ତି ବରଂ ବହୁତ ଖୁସି ଅଛନ୍ତି ସୁଲି ଆଉ ପବନା। ପୁଅ ଦୁଇ ,ଝିଅ ଦୁଇରେ ପରିବାର ଉଛୁଳି ପଡେ।

ଚାଟଶାଳୀରୁ ମନ ଦିଆନିଆ ସୁଲି ଆଉ ପବନା। ପାଠରେ ଡୋରି ବନ୍ଧା ହେଲା ଘରଯୋଗୀ ପରଠାରୁ। ସୁଲି ବୋଉ ମରିଗଲେ ଯେ ସୁଲିର ଯେମିତି କଲିଜା ଛିଡିଗଲା। ବାଆ ଦ୍ଵିତୀୟ ହେଲା ଯେ ସୁଲିର ସୁଖର ନଉକା ନଦୀ ପାଣିରେ ଡୁବିଗଲା। ଆକ୍ତା ମାକ୍ତା ସୁଲି ବଞ୍ଚିବା ପାଇଁ ପେଟ ଚାଖଣ୍ଡକ ଶାନ୍ତି ଆଶାରେ ୟା ଘରେ ତା'ଘରେ ଗୁହାଳ ଗୋବର ନିକେଇଲା। କାମ ସରିଲା ପରେ ଓଳି ତଳେ ପଖାଳ ପେଟେ ଖାଇ ନିଘୋଡ଼ ନିଦରେ ଶୋଉ ଶୋଉ କେତେବେଳେ ଯେ କୁଆଁରୀ ସୁଲିଟା ଗର୍ଭବତୀ ହେଲା ନିଜେ ବି ଜାଣି ପାରିଲା ନାହିଁ। ପିଲାର ବାପା ଚିହ୍ନଟ ନ କରି ପାରି ସୁଲି ବାଆକୁ ନିଆଁ ପାଣି ବାସନ୍ଦ ଆଉ ଏକ ଘରକିଆରୁ ରକ୍ଷା ପାଇବା ପାଇଁ ଦ୍ଵିତୀୟ ବୋଉ ଘରୁ ତଡିଦେଲା।

ସାଇପଡିଶା ଜୋର୍ ଜବରଦସ୍ତ ଗାଁର ଇଜ୍ଜତ ରହୁ ବୋଲି କହି ଡାକ୍ତରଖାନାରେ ଚିକିତ୍ସିତ କଲେ। ଅସହାୟର ସାହା ଭରସା କେହି ନାହିଁ । ଗର୍ଭପାତ କରାଇବା ବଦଳରେ ଷୋହଳ ବର୍ଷର ନିଆଶ୍ରୀ ସୁଲିର ଗର୍ଭାଶୟ ବାହାର କରିଦେଲେ। ଯନ୍ତ୍ରଣାରେ ଛଟପଟ କିଶୋରୀ ସୁଲି ବିକଳରେ ବୋଉ ଲୋ ,ବୋଉଲୋ ମତେ ବଞ୍ଚାଅ ,ବଞ୍ଚାଅ ଚିତ୍କାର ଛାଡୁଥାଏ।


କି ବିକଳ ସେ ଚିତ୍କାର, ଏମିତି ନିରୀହ ଶବ୍ଦରେ ଗଛପତ୍ର କାନ୍ଦି ପକେଇବା ବେଳେ ସର୍ବଶ୍ରେଷ୍ଠ ଜୀବ ମଣିଷ କେମିତି ଅମଣିଷ ହୋଇଯାଏ।ଅଣ୍ଟା ,ପିଠିରେ ପ୍ରବଳ ଯନ୍ତ୍ରଣା ହେଉଥିବା ବେଳେ ବିନା ଔଷଧ, ବିନା ଚିକିତ୍ସାରେ ଡାକ୍ତରଖାନା ବାରଣ୍ଡାରେ ଜୀବନର ଜଳଛବିକୁ ଜଳଜଳ କରି ଦେଖୁଥିଲା ସୁଲି।ଆଗକୁ ଯେ ଶାଗୁଣା ପାଖରେ ମୃତବତ୍ ଶିଶୁ ପଡିଥିବା ଭଳି ପ୍ରତି ମୁହୂର୍ତ୍ତରେ ମୃତ୍ୟୁକୁ ଢିମାଢିମା ଆଖିରେ ଦେଖୁଥିଲା ।

ଜହ୍ଲାଦମାନଙ୍କୁ ଆଖି ଆଗରେ ଦେଖି ବି ଗଣ୍ଡେ ଦାନା ଟୋପେ ଔଷଧ ପାଇଁ କାକୁତି ମୀନତି ହେଉଥିଲା।ଏମାନେ ମଣିଷ ନା ନର ରାକ୍ଷସ ।

ନିଜକୁ ନିଜେ ଆବିଷ୍କାର କଲା ପରିତ୍ୟକ୍ତ ଭଙ୍ଗା ଘର ପାଖରୁ ଉଲଗ୍ନ ଅବସ୍ଥାରେ।ବଞ୍ଚିବାର କ୍ଷୀର ଆଶାରେ ପାଖରେ ଯାଉଥିବା ଲୋକଟିକୁ ହାତରେ ଇସାରା କଲା।

ଲୋକଟି ସୁଲି ପାଖରେ ପହଞ୍ଚି ବିନା ବାକ୍ୟବ୍ୟୟରେ ନିଜ ଦେହର ଗଞ୍ଜି ଆଉ ଗାମୁଛା ବେଢେଇ ଅଳିଆ ଟଣା ଗାଡ଼ିରେ ଡାକ୍ତରଖାନାରେ ପହଞ୍ଚାଇ ଚିକିତ୍ସା କରି ଘରକୁ ନେଇ ଆସିଲା।ଦୀର୍ଘ ତିନି ମାସ ପରେ ସୁଲି ଜାଣିଲା ପବନା ତା ପାଇଁ ଦେବଦୂତ ହୋଇ, ଦିନରାତି ସେବା ଶୁଶୃଷା କରି ନବଜୀବନ ଦେଇଛି।

ପବନା ବି ନିରାଶ୍ରୟ ।କେଉଁ ଅଳିଆ ଗଦାରୁ ଆସି ନିଇତି ବସ୍ତି ସଫେଇ କାମ କରି ଏକା ଏକା ଗାଁ ଶେଷ ମୁଣ୍ଡରେ ଘର ବଖରାଏ କରି ରହେ।ଭଲ ହେଲା ,ଗଣ୍ଡେ ଫୁଟେଇ ଦେବାକୁ ଭଗବାନ ସୁଲିକୁ ପଠେଇଲେ।


ବିନା ବାଣ ,ରୋଷଣୀ ,ଦେବାଦେବୀ ,ମନ୍ଦିର ,ବେଦୀରେ ଟୋପାଏ ସିନ୍ଦୁର ଆଉ ଦୁଇପଟ ଶଙ୍ଖାରେ ଦୁଇ ମନ ଆତ୍ମାର ସ୍ଵୀକୃତି ନେଇ ପତିପତ୍ନୀ ହୋଇଗଲେ।ଝାଟିମାଟିର କୁଡିଆ ଘରେ ସୁଲିର ମାଟିଗୋବର ଲିପା କାନ୍ଥରେ ଅଳତାରେ ପବନା ହାତରେ ଶୁଭ ବିବାହ ଲେଖି ଦୁହେଁ ଦୁହିଁଙ୍କୁ ସ୍ଵାଗତ ଜଣାଇଲେ।ସକାଳେ ବାହାହୋଇ ରାତିରେ ମିଳନ ରାତ୍ରି କରିନେଲେ।ସାତକଳସ ,ଆଠଦୀପ,ଯଥା ରାବଣସ୍ୟ ମନ୍ଦୋଦରୀ,ବାସର ଦୀପ ,ପୁନର୍ବିବାହ ,ହୋମ ଯଜ୍ଞ କିଛି ଖୋଜି ନ ଥିଲେ ଏ ଦୁଇଟି ନୀରିହ ମନ ଓ ଆତ୍ମା।


ନିଜ ନିଜର ସ୍ଵୀକୃତି ନେଇ ବାସର ଯଜ୍ଞ ସମାପନ କରି ହୋଇଗଲେ ସାତ ଜନ୍ମକୁ ନୁହେଁ ଜନ୍ମ ଜନ୍ମର ସାଥି।ବେଶ୍ ପରିଶ୍ରମ କଲେ, ଭଲରେ ଖାଇ ଭଲରେ ଚଳିବାର ସ୍ବପ୍ନ ଦେଖୁ ଦେଖୁ ଭଗବାନ ଦେଲେ ଦୁଇଟି ପୁଅ। ଏମିତି ଏମିତି ଚାରି ବର୍ଷ ପରେ ପୁଣି ଦୁଇ ଝିଅ।

ସତେ ଯେମିତି ଆହା ମୋ ନନ୍ଦ ,କୋଳେ ଗୋବିନ୍ଦ। ହସଖୁସିରେ ଫାଟି ପଢୁଥାଏ ପବନାର ଘର।ସୁଲି ଆଉ କାମକୁ ନ ଯାଇ ପିଲାଙ୍କ ସେବାରେ ଘରେ ରହିଲା ଦିନକୁ ତିରିଶି ଟଙ୍କା ମଜୁରୀକୁ ଛଅପ୍ରାଣୀ କୁଟୁମ୍ବ।ଝଡି ବର୍ଷା କାମ ବନ୍ଦ।ଓଳିଏ ଖାଇ ଓଳିଏ ଉପବାସ।


ତଥାପି ଅଣ୍ଟା ସଳଖିବାକୁ ସୁଲିର ପ୍ରେରଣା। ଭାତ ହାଣ୍ଡିରୁ ସବୁ ବାଢିଦେଇ ଗୋଟିଏ ଦୁଇଟି ଭାତରେ କଂସାଏ ତୋରାଣିକୁ ହସିହସି ପିଇଦିଏ ,ପୁଅଝିଅଙ୍କୁ ହାକିମ ହୁକୁମା କରିବା ସ୍ଵପ୍ନରେ।


ପିଲାମାନେ କାଳେ ପାରିବାର ହୋଇଗଲେ।ଯେଝା ହାତେ ଯେଝା ଚଉଦ ପା ହୋଇ ଝିଅ ଦୁଇଟା କାହା ହାତଧରି ପରଘରକୁ ଚାଲିଗଲେ।ରାଜିରୁଜାରେ ପୁଅ ଦୁଇଟି ଦୁଇଟି ଝିଅ ଧରି ଘରସଂସାର କଲେ।ପଚିଶ ବର୍ଷ ତଳେ ଯେମିତି ଥିଲା ସୁଲି ଆଜି ସେହି ସମୟରେ ପହଞ୍ଚି ଗଲା।ଗର୍ଭାଶୟ ଅପରେସନ ଠିକ ନ ହୋଇଥିବା କାରଣ, ଭୋକ ଉପବାସ ,ସବୁ ମିଶି ଅଧିକରୁ ଅଧିକ ଯନ୍ତ୍ରଣାରେ ଛଟପଟ ସୁଲି ଶେଷ ସମୟରେ ଲିଭର କ୍ୟାନସର ଶୁଣି ଆଖି ବୁଜିଦେଲା।ଡାକ୍ତର ତ ଅନେକ ଦିନ ଆଗରୁ ଆଶା ଛାଡି ଦେଇ ନିରାଶ ବାଣୀ ଦେଇ ଘରକୁ ବିଦା କରି ଦେଇଥିଲେ।ଡାକ୍ତରଖାନାରେ ହେଲେ ଗଣ୍ଡେ ଶାନ୍ତିରେ ଖାଇବା ମିଳି ଯାଉଥିଲା।ପନ୍ଦର ଦିନ ହେଲା ଘରକୁ ଆସି ଗଣ୍ଡେ ଚାଉଳ ରେ ଦୁହେଁ ଦୁହିଁଙ୍କୁ ଅନେଇ ପେଟ ଭରୁଥିବା ବେଳେ ଗଣ୍ଡାକ ଚାଉଳର ଭାତକୁ ପବନା ପାଇଁ ରଖିଦେଇ ଆଖି ବୁଜିଦେଲା।କେତେ ଯେ ସୁଲିମାନେ ଏଠି ଉପବାସ ଭଳି ବ୍ରତକୁ ପୂଣ୍ୟ ବୋଲି ବିଶ୍ୱାସ କରି ନେଇଥାନ୍ତି ହିସାବ ବି ମିଳେ ନାହିଁ।ଏକା ପବନା ଆଜି ପଚିଶ ବର୍ଷ ତଳର ସେଇ ବାନା ବାସ୍ତୁରା ଏକୁଟିଆ ପବନା ହୋଇ ଯାଇଥିଲା।ପାରିଲେ ଫୁଟାଏ, ନହେଲେ ନାହିଁ।ଦୁଇ ବୋହୁ ଯେ ଦୁଇଜଣ ନର ରାକ୍ଷସୀ ଏକଥା ବୁଝିବାକୁ ବେଶୀ ବେଳ ଲାଗିଲା ନାହିଁ ।

ଆଜିକୁ ଛଅ ସାତ ଦିନ ହେଲା ପ୍ରବଳ ବର୍ଷା ,ଏଣେ ପବନ।ଘର ବାହାରକୁ ଯିବାର ସୁଯୋଗ ବି ନ ଥାଏ।ପେଟ ପୋଡି ଯାଉଥିବା ବେଳେ ପୁଅବୋହୁ ଟଙ୍କା ପଇସା କେଉଁଠି ରଖିଛ ବୋଲି ଭାଗ ଖୋଜୁଥିଲେ ।ଏଣେ ଘୁଷୁରି ଘୁଷୁରି ତିନି ଦିନ ଧରି ପଚା ପଖାଳ ତୋରାଣ ପିଇବା ଆଶାରେ ଭାତ ହାଣ୍ଡିରେ ଥିବା ତୋରାଣି ଢାଳି ହୋଇଗଲା।


ଚାବୁରୁ ଚାବୁରୁ କରି ଖୁଣ୍ଟି ଖାଇବାରେ ବ୍ୟସ୍ତ।

ବୋଧହୁଏ ଶେଷ ଚାଉଳର ଦୁଇଟି କଣିକା କୈବଲ୍ୟ ହୋଇ ରହିଗଲା।

ଦୂରରୁ ଅତୃପ୍ତ ଆତ୍ମାଟି ହସି ହସି ତ୍ରିଶଙ୍କୁ ପ୍ରାୟ ଅନୁଭବ କରୁଛି।ପବନାର ହାତ ମୁଠାକୁ ଭିଡଭିଡି କରି ,ପୁଅଝିଅ ମାନେ ଖୋଲି ଖୋଲିବାରୁ ପାଇଲେ ଦୁଇଟି କୈବଲ୍ୟ କଣିକା ।


ଦୁଇଟି ଆତ୍ମା ସେଦିନ ଦୂରରୁ ଥାଇ ଦେଖୁଥିଲେ ଅମଣିଷ ମାନଙ୍କର ସ୍ଵାର୍ଥପର ନୀତିକୁ...।



Rate this content
Log in

Similar oriya story from Action