Arati Sahoo

Classics

4  

Arati Sahoo

Classics

ସ୍ମୁତିଚିହ୍ନ

ସ୍ମୁତିଚିହ୍ନ

19 mins
530



 ନିରୁପମା ଆଖିରୁ ନିଦ ହଜି ଯାଇଛି । ଅତ୍ୟନ୍ତ ଆହ୍ଲାଦରେ , ଖୁବ୍ ସ୍ନେହରେ ନିଜ ପାର୍ଶ୍ଵରେ ନିଦ୍ରାମଗ୍ନ ସ୍ଵାମୀଙ୍କୁ ଅନେଇଲା । ନିଦ୍ରିତାବସ୍ଥାରେ ତାଙ୍କର ସୌମ୍ୟ ମୁଖମଣ୍ଡଳ ଶିଶୁସମ ନିଷ୍ପାପ ଓ ନିଶ୍ଚିନ୍ତ ଲାଗୁଥିଲା । କେରାଏ ଚୁଟି ବାରମ୍ବାର ତାଙ୍କ ଆଖି ଉପରକୁ ଆସି ନିଦରେ ବ୍ୟାଘାତ ସୃଷ୍ଟି କରୁଥିଲା । ଅତି ସନ୍ତର୍ପଣରେ ନିରୁ ତାଙ୍କ ଚୁଟିକୁ ଆଉଁସି ପଛପାଖକୁ କଲା ବେଳକୁ ନରେନ୍ଦ୍ରଙ୍କ ନିଦ ଭାଙ୍ଗିଗଲା ।


 - ଆଃ , ଶୋଇବାକୁ ଦିଅନା ପ୍ଲିଜ୍ । 


 କଡ଼ ଭାଙ୍ଗି ପୁଣି ଥରେ ସେ ଶୋଇପଡ଼ିଲେ । ନିରୁକୁ ହସ ମାଡ଼ିଲା । କି ନିଦରେ ବାବା ! ତାର ତ ଆଖି ଟିକେ ହେଲେ ଲାଗି ନାହିଁ । ନିଦ ହେବ ବା କେମିତି ଯେ ? ଏମିତି ଉତ୍ତେଜିତ ଅବସ୍ଥାରେ? ତାର ଗେହ୍ଲୀ କୁନି ଭଉଣୀ ଅନୁକୁ ଦୀର୍ଘ ସମୟ ପରେ ଭେଟିକି ଆସିଛି ଯେ?


 ଦୀର୍ଘଶ୍ଵାସ ନେଇ ସେ କାନ୍ଥ ଆଡ଼କୁ ମୁହଁ କରି ଶୋଇଲା । 


 ଆଃ , କେତେ ବଦଳି ଯାଇଛି ସତରେ ଅନୁପମା ! ନାକକାନ୍ଦୁରୀ , ତନୁପାତଳି ଅନୁକୁ ଯଦି ଭିଡ଼ ଭିତରେ ଦେଖିଥାଆନ୍ତା ମୋଟେ ଚିହ୍ନି ପାରି ନଥାନ୍ତା । ବର୍ତ୍ତମାନ ତ ମେଦ ବହୁଳ ମାରୁଆଡି଼ ମହିଳା ପରି ଗୋଲଗାଲ୍ ହେଇ ଯାଇଛି।


  ଗତକାଲି ହିଁ ତ ସେ ମାଇଁଙ୍କ ଠାରୁ ଖବର ପାଇଥିଲା , ଅନୁ ରାଉରକେଲା ଦେଇ କଟକ ଯିବ ବୋଲି । ମୋବାଇଲର ମେସେଜ ଚେକ କଲା ବୋଲି ସିନା । ନହେଲେ ଏତେ କାଳରୁ ବିଚ୍ଛିନ୍ନ ତାର ସାନ ଛୁଆ ଭଉଣୀଟିକୁ କଣ ଭେଟି ପାରି ଥାଆନ୍ତା? ଏମିତରେ ମୋବାଇଲ ଧରିବା ଅଭ୍ୟାସ ଟା ତାର ଜମା ପସନ୍ଦ ନୁହେଁ । ବାପା ମାଆ ଓ ଅନ୍ୟ ଭଉଣୀ ମାନେ ତ ତାକୁ ଶୁଦ୍ଧ ହେଇ ପଡ଼ିଛନ୍ତି । ସେ ବଞ୍ଚିଛି ନା ମରିଛି ଖୋଜଖଵର ସୁଦ୍ଧା ନେଇ ନାହାନ୍ତି । ବଡ଼ ନାନୀ ତା ପୁଅ ବାହାଘର କଲା । କେଉଁ ଦୂର ଦୂରାନ୍ତରୁ ବନ୍ଧୁ ଖୋଜା ଲୋଡ଼ା ହେଲେ , କିନ୍ତୁ ରକ୍ତର ସାନ ଭଉଣୀକୁ ପୋଷ୍ଟକାର୍ଡ ଖଣ୍ଡେ ଭି ପଠାଇଲା ନାହିଁ । ମଝିଆଁ ନାନୀ ହେଲେ ତ ତା ପୁଅ ବ୍ରତଘରେ ତାକୁ ଖୋଜି ପାରିଥାନ୍ତା । ତାର ତ ଦୁଇ ଦୁଇଟା ଯାଆ ବିଜାତୀୟ । ସେମାନେ ସଵୁ ଆମେରିକାରୁ ବୁଲି ଆସିଲେଣି, କିନ୍ତୁ ଏ ପର୍ଯ୍ୟନ୍ତ ଅଜାତିରେ ବାହା ହେଇଥିବା ସାନ ଭଉଣୀକୁ କ୍ଷମା କରି ପାରିଲେ ନାହିଁ । ବାପଘର ଲୋକେ ତ ଦକ୍ଷକନ୍ୟା ସତୀ ଭଳି ତାର ସ୍ମୃତି କୁ ମଧ୍ୟ ପୋଛି ଦେଇଛନ୍ତି । ସେଇ ଜଣେ କେବଳ ସ୍ନେହୀ ମାଇଁ । ତାଙ୍କରି ଦ୍ଵାରା ସେ ସମ୍ପର୍କର କ୍ଷୀଣ ସୂତ୍ରରେ ବନ୍ଧା ହୋଇଛି ବାପଘର ସହ । ମାଇଁ ମଧ୍ୟ ଆଜି ଜୀହ୍ଵା କର୍କଟରେ ଆକ୍ରାନ୍ତା । ତେଣୁ ସେହି କ୍ଷୀଣ ସମ୍ପର୍କ ସୂତ୍ରର ଆୟୁଷ ମଧ୍ୟ ସରି ସରି ଆସିଲାଣି । କାଲି ସେହି ମାଇଁ ହିଁ ଅନୁ ଆସୁଛି ବୋଲି ଖବର ଦେଇଥିଲେ । 


 ଅନୁ , ଅନୁପମା , ତାର ସବୁଠାରୁ ସାନ ଓ ଗେଲ୍ହା ଭଉଣୀ । ତା ବାହାଘର ଖବର ମଧ୍ୟ ମାଇଁଙ୍କ ଠାରୁ ପାଇଥିଲା । ବାପା କଣ ଦେଖିଲେ କେଜାଣି , ସେହି ପେଟୁ, ବସନ୍ତମୁହାଁ, ଦାନ୍ତୁରା କିରାଣୀ ଠେଇଁ? ସ୍ଵର୍ଗର ଅପ୍ସରୀ ଭଳି ସୁନ୍ଦରୀ ଅନୁକୁ , ବିବାହ କରିଦେଲେ । ନରେନ୍ଦ୍ରଙ୍କ ଅଗୋଚରରେ ନିରୁ ଅନେକ କାନ୍ଦିଥିଲା ।


- ଅନୁ ଲୋ, ବାହାଘରରେ ତୋତେ ଲୋଡ଼ିବା ପାଇଁ ମୁଁ ତ ତୋ ମାଆଙ୍କୁ ରାଜୀ କରି ଦେଇଥିଲି । ହେଲେ ତୋର ଦୁର୍ବାସା ବାପା ମୋତେ ଯୋଉ କଲିଜାଚିରା , ତୁଣ୍ଡରେ ନ ଧରିବା ଅକଥା କହିଲେ , ବୁଝି ଖବରଦାର୍, ସେ କଳଙ୍କିନୀର ନାଁ ମଧ୍ୟ କେହି ତୁଣ୍ଡରେ ଧରିବାର ଦୁଃସାହସ କରିବ ନାହିଁ । ନୈଷ୍ଠିକ ବ୍ରାହ୍ମଣ ଘରର ଝିଅ ଖଣ୍ଡାୟତର ହାତ ଧରିଲା । ସେ ମଲାଣି ଆମପାଇଁ ଜାଣ ।  


ନିରୁ ଜାଣେ, ସର୍ବସହଣୀ ବୋଉ ତାର ଖୁବ୍ ବତୁରିଥିବ , ଖୁବ୍ କୁହୁଳିଥିବ।


 ଏକଥା ଠିକ ଯେ ପାରମ୍ପରିକ ଚଳଣି ଛାଡ଼ି , ନରେନ୍ଦ୍ର ମହାନ୍ତିଙ୍କୁ କୋର୍ଟ ମ୍ୟାରେଜ କରିଥିଲା ନିରୁ । ସେଇଠୁ କଣ ହେଇଗଲା , କିଛି ହେଲେ ଅଭାବ ଅଛି କି ତାର ? ଆଇ ଏ ଏସ୍ ସୌମ୍ୟଦର୍ଶନ ସ୍ଵାମୀ , ଚାରି ଚାରିଟା ଗାଡ଼ି , ବିରାଟ ବଙ୍ଗଳା , ଅର୍ଦ୍ଦଳି , ଚାକର ବାକର ସବୁରେ ପରିପୂର୍ଣ୍ଣ । ବାପା କଣ ନିଜ ପସନ୍ଦରେ ଗୋଟିଏ ହେଲେ ଏମିତି ଜୋଇଁ କରି ପାରିଲେ? 


କିନ୍ତୁ, ଏପରି ସମ୍ମାନ ଓ ବୈଭବର ଜୀବନ ଥାଇ ସୁଦ୍ଧା କିଛି ଗୋଟାଏର ଅଭାବର ଦଂଶନ ତାକୁ ବରାବର କଷ୍ଟ ଦିଏ । ସେ ଦଂଶନକୁ ଇଚ୍ଛା କରି ମଧ୍ୟ ଏଡ଼ାଇ ଯାଇ ପାରେ ନାହିଁ । ତାର ବିଗତ ସ୍ମୃତିର ଦଂଶନ, ସ୍ଵ ସଂସ୍କୃତିର ଦଂଶନ ଆଉ ସବୁଠାରୁ ବଳି ଏକ ଅପୂର୍ଣ୍ଣତାର ଦଂଶନ ।


 ଅନୁର ବାହାଘରରେ କେତେ ବନ୍ଧୁ ବାନ୍ଧବ ଆସିଥିବେ । ଗହଳିର ସାମୁହିକ ହସ କୌତୁକରେ ଘର ଉଠୁଥିବ ପଡୁଥିବ । କନ୍ୟାଭାର ସକାଶେ କେତେ ଖଈ ଉଖୁଡା , ଲଡୁ ଖଜା ତିଆରି ହେଉଥିଵ । କେତେ କିସମର ମିଷ୍ଟାନ୍ନ ଶିକାରେ ଥୁଆ ହୋଇଥିବ । 


ତାର ମନେ ଅଛି,


 ମଝିଆଁ ନାନୀର ବାହାଘରେ ସେ ଅନୁକୁ ଚାରିି କାତରେ ଘୋଡ଼ା ପରି କରି ହାଣ୍ଡିଏ ରସଗୋଲା ଚୋରାଇ ଆଣିଥିଲା । ଦୁଇ ଭଉଣୀ ପଛପାଖ ଅଗଣାର ଭୃଶାଳ ତେନ୍ତୁଳି ଗଛ ମୂଳରେ ଲୁଚି ସଙ୍ଗେ ସଙ୍ଗେ ରସଗୋଲା ହାଣ୍ଡି ଚାଟିଚୁଟି ସଫା କରି ହାଣ୍ଡିକୁ କଳମ ଗଡ଼ିଆ ଭିତରକୁ ଫୋପାଡ଼ି ଦେଇଥିଲେ । ସେହି ତେନ୍ତୁଳି ଗଛର ଛାଇରେ କେତେ ଯେ ଅଖାଦ୍ୟ ମ୍ଳେଚ୍ଛ ସାମଗ୍ରୀର ଭାଗ ବଣ୍ଟରା ହୋଇଛି ତାର କଳନା ନାହିଁ । ପଛପାଖ ଘରଟିରେ ରହୁଥିବା ମୁସଲମାନ ଶହନାଜ ଚାଚିଠାରୁ କେତେଥର ବିଲାତି କୁକୁଡ଼ାର ବଡ଼ ଅଣ୍ଡାଟିଏ ବଦଳରେ ମାଆକୁ ଲୁଚେଇ ତସଲା ତସଲା ଅଟା ଚାଉଳ ଦେଇ ନିଅନ୍ତି । ତେନ୍ତୁଳି ଗଛ ମୂଳରେ କାଠି କୁଟା ଜଳେଇ , ପୁରୁଣା ରଫଲ ହାଣ୍ଡିରେ ଅଣ୍ଡା ସିଝେଇ ତାକୁ ଭଙ୍ଗା ବ୍ଲେଡରେ ସମାନ ଭାଗ କରି ନିରୁ ଯାଏ ଲଙ୍କା ଲୁଣ ଆଣିବାକୁ । ଆସି ଦେଖେ ଅଣ୍ଡାର ହଳଦିଆ କେସର ଜେଲେଖେଲେ ହେଇ ରହିଛି । ସେ ସ୍ପଷ୍ଟ ଜାଣି ପାରେ ଅନୁ ନିଶ୍ଚୟ ଧୈର୍ଯ୍ୟର ଲକ୍ଷ୍ମଣରେଖା ଡେଇଁ ଜିଭ ଲୋଲୁପତା ରୁ ଓଲେଇ ବିଲେଇ ପରି କେସର ଆମ୍ପୁଡି଼ ଖାଇ ଯାଇଛି।

 

- ଆଜି ପୁଣି କେସର ଖାଇ ଦେଇଛୁ ନା ଅନୁ ? 


- ନାଇଁ ଲୋ ନାନୀ। ଆଖି ଛୁଉଁଛି।


- କହିଲୁ ବିଦ୍ୟାରାଣ ! 


 ଅନୁ ରାଣ ଖାଇଲା ବେଳେ ତାର ଗୋଲାପୀ ଜିଭ ଅଗ ହଳଦିଆ ହଳଦିଆ ଦିଶିଯାଏ । ତାପରେ ତ ମାରାମାରି , ଚୁଟି ଝୁଣାଝୁଣି ।


  ବାପା କେବେ ଜିଲାପି ଆଣିଲେ ସେମିତି ହୁଏ ଏକା । ବାପା ଜିଲାପି ଠୋଲାକୁ ଶିକାରେ ଥୋଇ ହାତ ଗୋଡ଼ ଧୋଇଲା ବେଳେ ଅନୁ ଏକ ରକ୍ତପିଶାଚ ସଦୃଶ୍ୟ କ୍ଷଣକରେ ସମ୍ପୂର୍ଣ୍ଣ ରସସମୁଦ୍ର ଶୋଷିନେଇ ବଡ଼ ଭଉଣୀ ପାଇଁ ଜିଲାପିର ଅସ୍ଥି ପଞ୍ଜରା ମାତ୍ର ଛାଡ଼ି ଯାଏ । ନିରୁ ତା ଭଳି ଲୋଭୀ ହୋଇ ପାରେନା । ରାଉରକେଲା କାରମେଲ କନଭେଣ୍ଟରେ ପଢ଼ୁଥିବା ଝିଅ ସିଏ, ସବୁଥିରେ ଏକ ସଣ୍ଠଣା ଓ ଶାଳୀନତା ଥାଏ । ମାମୁଁ ସେହି ସ୍କୁଲରେ ହେଡ କ୍ଲର୍କ ଥିବାରୁ ପ୍ରିୟ ଚତୁରୀ ଭାଣିଜୀକୁ ନେଇ ଏଡ଼ମିଶନ କରି ଦେଇ ଥିଲେ । ଆଉ ତାଙ୍କରି କୃପାରୁ ସେ ଆଇ ସି ଏସ ଇ ରୁ ପାସ କରି ଯାଇଥିଲା । ବାପାଙ୍କର ଅଭିମାନ ଥିଲା ସିଏ । ଅନର୍ଗଳ ଇଂରାଜୀ କହୁଥିବା କନଭେଣ୍ଟ ପଢ଼ନ୍ତା ଝିଅ ପାଇଁ ସେ ଏକ ଗର୍ବ ଅନୁଭବ କରୁଥିଲେ । ବେଳେ ବେଳେ କହୁଥିଲେ,


- ମାଆ ଲୋ , ତୋର ଏଇ ଗାଉଁଲୀ ଭଉଣୀଟାକୁ ବି ଟିକେ କଣ ଶିଖା। ଇଂରାଜୀ ଭାଷା ଓ ଆଦବ କାଇଦା , ସଣ୍ଠଣା ଇତ୍ୟାଦି । ଏକୁ ତ ସାଇ ପଡ଼ିଶାଙ୍କ ବାଡ଼ିରୁ ଆମ୍ବ , ପିଜୁଳି , କଇଁଥ ଚୋରାଇ ଗାଳି ଶୁଣିବା ଛଡ଼ା ଆଉ କିଛି ମାଲୁମ ନାହିଁ ।


- ମୋର ଦରକାର ନାହିଁ ଇଂରାଜୀ ଶିଖିବା । ନିରନାନୀକୁ ସଂସ୍କୃତ ଆସିବ ନା ଆଗ? କହୁ ତ ଦେଖି 'ଭୁ ' ର ଧାତୁରୂପ ଆଉ 'ଲତା' ର ଶବ୍ଦ ରୂପ ?


 ଅନୁ ଝୁଲି ଝୁଲି ବଡ଼ ସୁଲଳିତ ସ୍ଵରରେ ବଡ଼ ପାଟିରେ ରଟିବାକୁ ଲାଗେ ।


ଭବତି ଭବତ ଭବନ୍ତି

ଭବସି ଭବଥ ଭବଥ

ଭବାମି ଭବାବ ଭବାମ ।


ଅନୁ ଅତି ମନଦେଇ ତାଳଲୟରେ ଝୁଲି ଝୁଲି ମୁଖସ୍ଥ କରିଥିବା ଭୁ ଧାତୁର ସମସ୍ତ ରୂପ ଶୁଣେଇ ବାକୁ ଲାଗେ । ମଜ୍ଜି ଯାଇଥାଏ ସେ। ସଂସ୍କୃତରେ ନିଜର ପାଣ୍ଡିତ୍ୟ ନେଇ ଖୁବ୍ ଅହଙ୍କାର କରେ ସେ।


ନିରୁ ନିଜର ଫୁଲେଇ , ସୁନା ମନ ଥିବା , ନିରୀହା ଭଉଣୀର ନିର୍ଦୋଷ କାର୍ଯ୍ୟ କଳାପକୁ ନିଠେଇ ଦେଖେ। ବାପା ଦୁଇ ଝିଅଙ୍କ ମୁଣ୍ଡକୁ ଆଉଁସି ଆଣନ୍ତି ଧିରେ। ବଡ଼ଗୁଡା ତ ଯାହା ଯେମିତି କୂଳରେ ଲାଗିଗଲେ , ପାଠୋଇ ହୁଅନ୍ତୁ କି ଅପାଠୋଇ। ଆଉ ଏଇ ଦୁଇ ସାନଝିଅ ଦି ଅକ୍ଷର ପାଠ ପଢ଼ିଗଲେ ଭଲ। ଚାକିରିଆ ଜୋଇଁ ଦିଟା ହୁଅନ୍ତେ। ପୁଅର ତ ଆଶା ନାଇଁ ଆଉ। ଦୀର୍ଘନିଶ୍ଵାସଟିଏ ଛାଡ଼ନ୍ତି ବାପା ।


ଶାମ୍ବ ଦଶମୀ ,

ସେଦିନ ମାଆ ସମସ୍ତଙ୍କ ନାଆଁରେ ସୂର୍ଯ୍ୟଙ୍କ ପାଖରେ ଅର୍ଘ୍ୟ ବାଢ଼ିବା ସକାଶେ ବିଭିନ୍ନ ପ୍ରକାର ପିଠା ତିଆରି କରେ । ବଡ଼ ନାନୀର ବିନା ପୁର ଚାଉଳ କାକରା , ମଝିଆଁ ନାନୀର ଗୁଡ଼ ଆରିସା , ନିରୁର ଛେନାପୁର ଚିନି କାକରା , ଅନୁର ନଡ଼ିଆ ପୁର ଦିଆ କ୍ଷୀର ସିଝା ମଣ୍ଡା । ବାପା କାହିଁକି ବାଦ୍ ଯିବେ ଯେ? ତାଙ୍କ ପାଇଁ ବିରି ଚାଉଳ ଏଣ୍ଡୁରି ଆଉ ମୁଆଁ । ଆଉ ଗୋଟାଏ ପିଠା ସିଏ କରେ , ବିରି ଓ ସୁଜିରେ ଚିନି ,ନଡ଼ିଆ , ଛେନା, ଅଳେଇଚ ଇତ୍ୟାଦି ଦେଇ ବଡ଼ ଯତ୍ନରେ। ନିରୁ ଟିକିଏ ଆଗତ କହି , ଠକର କହି । ପଚାରି ଦିଏ ,


- ମାଆ ଗୋ , ଏଇଟା କାହାର ପାଇଁ? 


 ମାଆ କିଛି ଜବାବ୍ ଦିଏ ନାହିଁ । ଆଖି ଛଳଛଳ କରି ଉପରକୁ ଅନାଇ ଦୁଇ ହାତ ଯୋଡ଼ି ମୁଣ୍ଡରେ ଲଗାଏ। କିନ୍ତୁ ନିରୁ ଜାଣି ପାରେ। ତା ପିଠିର ଘୁରି ଯାଇଥିବା ମୃତ ଭାଇ ଉଦ୍ଦେଶ୍ୟରେ ବୋଧେ ତିଆରି ହୁଏ ଏଇଟା। 


 ବିଚାରୀ ମାଆ ! ନିଜକୁ ଅହରହ ଅପୂର୍ଣ୍ଣ ଓ ଅର୍ଦ୍ଧବାଞ୍ଝ ଭାବି ଭାଗ୍ୟ ଓ ଭଗବାନଙ୍କୁ ନିନ୍ଦୁଥାଏ। ସେଇ ଅପୂର୍ଣ୍ଣତା, ସେଇ ନିରାଶା ତାର ରହିଲା କୋକେଇରେ ସବାର୍ ହେଲା ପର୍ଯ୍ୟନ୍ତ। 


- ମାଆ ଗୋ , ଆଉ ତୋ ପାଇଁ?


ମାଆର ମଳୀନ ପଡ଼ି ଆସୁଥିବା ମୁହଁରେ ହସ ଉକୁଟେ। ନିରୁକୁ ଓ ଅନୁକୁ କୋଡେଇ ନେଇ କୁହେ,


- ମୋର କୁନିମାନେ ଖାଇଲେ ହେଲା ନାଇଁ କି? ମୋର ପେଟ ତ ଆପଣେ ଭରିଯିବ ।


  ଗୁଡ଼, ଅଦା , ଗୋଲମରିଚ , ତେଜପତ୍ର , ଅଳେଇଚ , ନଡ଼ିଆ ଓ ଖାଣ୍ଟି ଗୁଆଘିଅର ଲୋଭନୀୟ ବାସ୍ନା ଘର ସାରା ଖେଳିବୁଲେ। ଘର ସାରା ମହକି ଯାଏ । ଦୁଇ ଭଉଣୀ ମିଶି ସମସ୍ତଙ୍କ ନାଆଁରେ ଅର୍ଘ୍ୟ ଥାଳି ସଜାନ୍ତି । ପରଘରି ବଡ଼ ଭଉଣୀ ମାନଙ୍କ ପାଇଁ ମଧ୍ୟ । ବଡ଼ ନାନୀର ,ତା ଛୁଆମାନଙ୍କର ,ମଝିଆଁ ନାନୀର ଓ ତା ଛୁଆମାନଙ୍କର , ଶେଷରେ ନିଜ ନିଜର । ଏଠାରେ ମଧ୍ୟ ବଡ଼ ଚାଲାକିରେ ଅନୁ ସବୁଠାରୁ ବଡ଼ ବଡ଼ ପିଠା ସବୁ ନିଜ ଥାଳିରେ ସଜାଡି ପକାଏ । ଭାରି ଓଲେଇ ଓ ଲୋଭୀଟା।


 କୁମାର ପୂର୍ଣ୍ଣିମା ,

ସେଦିନ ଚାନ୍ଦକୁ ଅର୍ଘ୍ୟ ଦେବା , ରୂପାଜହ୍ନପରି ବର ପାଇବାର ଆଶାରେ ବଉଳବେଣୀ ଗୀତରେ ଗାଁ ଦାଣ୍ଡ କମ୍ପେଇବା। ରଜ ପର୍ବରେ ଦୋଳି ପେହୁଂଚେଇ ଆକାଶ ଛୁଇଁବାର ପ୍ରତିସ୍ପର୍ଦ୍ଧା ।


ଦଳକୁ ଦଳ କୁଆଁରୀ ଝିଅମାନେ ରଙ୍ଗବେରଙ୍ଗ ପୋଷାକରେ ଗଳାରେ , ଅଣ୍ଟାରେ ହାତ ଛନ୍ଦାଛନ୍ଦି ହେଇ, ସାରା ଗାଁଟାକୁ ରଙ୍ଗୀନ୍ କରି ଦେଉଥିଲେ। ପୁଚି ଖେଳି ଧୂଳି ଉଡେଇ ଚାନ୍ଦକୁ ଅନ୍ଧ କରି ଦେଉଥିଲେ।

ଠିଆ ପୁଚି ନାରଙ୍ଗ

ଗୋଡ଼ ଦିଟା ସାରଙ୍ଗ...


ଆଃ କି ସମୟ ଥିଲା ସିଏ ! କିପରି ସୁନ୍ଦର ରୀତି ନୀତି ସବୁ ଥିଲା ସତରେ ! ଯୁଗ ଯୁଗାନ୍ତରରୁ ଗ୍ରାମ୍ୟ ବାତାବରଣ ଏମିତି କୁମାରୀ ମାନଙ୍କର ଫୁଲ ବଉଳ ବେଣୀ ଓ ରଜ ଦୋଳି ଗୀତର ମଧୁର ଧ୍ଵନିରେ ମଧୁମୟ ହେଉଥିବ , କିଏ ଜାଣେ, ହୁଏତ ଏବେବି ହେଉଥିବ। । କିନ୍ତୁ ନିରୁ ପାଇଁ କାହିଁ କୋଉଠି ହଜିଗଲା ସେ ସ୍ଵଚ୍ଛ ନୀଳ ଆକାଶ , ଧୂମାଭ ହେଇଗଲା ଆଧୁନିକତାର ପ୍ରଦୂଷିତ ବାୟୁରେ। ସେହି ସୁନୀଳ ଆକାଶରେ ବିଚରଣ କରୁଥିବା ବଳାକା ପଂକ୍ତି ରୁ ସେ ଛିଟିକି ଆସି ଏକୁଟିଆ ହୋଇ ରହି ଯାଇଛି, ବହୁତ ଦୂରରେ । ବର୍ତ୍ତମାନ ସେ ପାଲଟି ଯାଇଛି ସ୍ଵର୍ଣ୍ଣ ପଞ୍ଜୁରୀର ଶାରିକା । ଶ୍ଵଶୂର ଆମେରିକାର ସ୍ଥାୟୀ ବାସିନ୍ଦା ଓ ଏକ ଗଣ୍ୟମାନ୍ୟ ବ୍ୟକ୍ତି । ଦୁଇ ଦିଅର ବିଦେଶିନୀ ଖଇରଚୂଳୀ , ଚିଲରିଆଖି ଝିଅ ମାନଙ୍କୁ ବିବାହ କରି ସେହିଠାରେ କାର୍ଯ୍ୟରତ । କେବଳ ନରେନ୍ଦ୍ର ସ୍ଵଇଚ୍ଛାରେ ଭାରତକୁ ଆସି ସେଲ୍ ରାଉରକେଲାରେ ଚାକିରୀ କରିବା ପସନ୍ଦ କଲେ। ନିରୁର ନଣନ୍ଦ ବିନ୍ନି ମଧ୍ୟ ଓଡିଶାକୁ ପାଠ ପଢ଼ିବା ପାଇଁ ଆସିଥିଲା ଓଡ଼ିଆ ରିତିନୀତି , ସଂସ୍କୃତି, ପରମ୍ପରା ସହିତ ପରିଚିତ ହେବା ପାଇଁ। ଆସିଥିଲା ନୁହେଁ ଯେ ପଠା ହୋଇଥିଲା । ଆଉ ସିଏ ଥିଲା ନିରୁର କାରମେଲ୍ କନଭେଣ୍ଟର ସହପାଠିନୀ । ତାରି ଡୋରିରେ ଟାଣି ହୋଇ ନିରୁ ଏଇ ପରିବାର ଭିତରକୁ ପଶି ଆସିଥିଲା । 


 ଅନେକ ଥର ସେ ଆମେରିକା ଯାଇଛି। ତାର ଶାଶୁ ଓ ସାନ ଯାଆ ମାନଙ୍କୁ ଚାଂଖଡେ ଲେଖା ବିକିନି ପିନ୍ଧି ସ୍ଵିମିଂ ପୁଲର ଲନରେ ଶୁଖୁଆ ଭଳି ଶୁଖୁଥିବା ଅବସ୍ଥାରେ ଦେଖିଛି । ମାଙ୍କଡ଼ ପରି ନାଲି ମୁହଁ ଥିବା ସୁନେଲି ଦାଢି଼ଆ ଶ୍ଵଶୁର ମଧ୍ୟ ତଦ୍ରୁପ । ଆମେରିକାରେ ଅନେକ କାଳରୁ ରହି , ତାର ହାବାପାଣି ଖାଇ ସେମାନେ ମଧ୍ୟ ଫିରଙ୍ଗିଆ ଅଡ଼ଙ୍ଗର ଦେଖା ଯାଉଥିଲେ । ନରେନ୍ଦ୍ର ତ ସମୁଦ୍ର ବା ସ୍ଵିମିଂ ପୁଲ ଦେଖିଲା ମାତ୍ରେ ଉତ୍ତେଜିତ ହେଇ ସାର୍ଟ ପେଣ୍ଟ ଫୋପାଡ଼ି ଖାଲି ଜଂଙ୍ଘିଆରେ ପହଁରିବା ପାଇଁ ଉଦ୍ଗ୍ରୀବ ହୋଇ ପଡୁଥିଲେ । ତାକୁ ମଧ୍ୟ ଉସୁକାଉଥିଲେ। ନିର୍ଲଜ ଭାବରେ ଟାଣୁଥିଲେ। କିନ୍ତୁ ଯେତେ କହିଲେ ସୁଦ୍ଧା , ସମ୍ଭ୍ରମତା ତ୍ୟାଗକରି ନିରୁପମା ଶ୍ଵଶୁର କୁଳର ସୂର୍ଯ୍ୟ ସ୍ନାନ ପରମ୍ପରାକୁ ଆଦରି ପାରିଲା ନାହିଁ । ସେଥିପାଇଁ ତାର ଶାଶୁ କିନ୍ତୁ ଭାରି ଗର୍ବ ଅନୁଭବ କରୁଥିଲେ। ନିରୁ ଭଳି ସୁନ୍ଦରୀ ଓ ଲଜ୍ଜାଶୀଳା ପୁତ୍ରବଧୁ ପାଇ ପ୍ରବାସୀ ଭାରତୀୟ ବନ୍ଧୁ ମହଲରେ ଗୌରବରେ ଫାଟି ପଡୁଥିଲେ । ମନଦୁଃଖ ମଧ୍ୟ କରୁଥିଲେ ଯେ ତାର ନଣନ୍ଦ ଏ ପର୍ଯ୍ୟନ୍ତ ଭାରତୀୟ ସଂସ୍କୃତି ଟିକେ ହେଲେ ଶିଖି ପାରିଲା ନାହିଁ କି ଆଦରି ପାରିଲା ନାହିଁ । ତାଙ୍କର ଭାରତୀୟ ଜୋଇଁଟିଏ ଦରକାର ଥିଲା। ନିରୁ ତା ଶାଶୁଙ୍କର ଅତି ଅଲ୍ୟଳି ଥିଲା । ଶାଶୁଙ୍କ ଠାରୁ ଯଥେଷ୍ଟ ସ୍ନେହ ଆଦର ପାଇ ମଧ୍ୟ ସେ ଏକ ଭିନ୍ନ ଧରଣର ଭରତୀୟ ଅଧିକାର ଜନିତ ସ୍ନେହ ସକାଶେ ବ୍ୟାକୁଳ ଥିଲା । ବଡ଼ନାନୀ ଶାଶୁର ଉଲୁଗୁଣିଆ ସ୍ନେହ ପରି । କ୍ଷଣେତୁଷ୍ଟା , କ୍ଷଣେରୁଷ୍ଟା । 


ତାର ମନେ ପଡେ ,ମଝିଆଁ ନାନୀର ବାହାଘର ବେଳେ ସବୁ ଭଉଣୀ ମିଶି ଗୁପଚୁପବାଲାକୁ ଦାଣ୍ଡ ଦୁଆରକୁ ଡାକି , ଦେଢ଼ ଦର୍ଜନ ଲେଖା ଗୁପଚୁପ୍ ଖାଇ, ରାଗ ଖଟାପାଣି ପିଇ ସୁ ସା ହେଉଥିଲା ବେଳେ ବଡ଼ନାନୀର ଶାଶୁ ଦେଖି ପକାଇଲା, ବଡ଼ନାନୀର ଶାଶୁଘର ସେଇ ଗାଁରେ ଏକା , ବଡ଼ସାହିରେ। ସେହି ଦାଣ୍ଡ ମଝିଟାରେ ଗାଳି ଦେଇ ତାଙ୍କର ସାତପୁରୁଷ ଉଝାଳି ପକାଇ ଥିଲା । ଠିଏ ଠିଏ ଚିରି ଦେଇଥିଲା ତାକୁ। ବଡ଼ନାନୀ ମୂଷା ହେଇଯାଇ ତଳକୁ ମୁହଁ ପୋତି ଚରି ଯାଉଥିଲା ତା ଶାଶୁର ସବୁ ଅଦଉତି। 


- ଅଲଜ୍ଜ୍ୟା , ମୁହଁରେ ଲାଜ ନାହିଁ କିଲୋ ? ଦେହରୁ ମୁଣ୍ଡରୁ ଲୁଗା କାଢ଼ି ଛକ ମଝିଟାରେ ଗିଳୁଛୁ ? ବଡ଼ ସାନ ଦୁଶୁ ନାହାନ୍ତି ତୋତେ? ଛିଃ ଛିଃ , ତୋ ମାଆ କିଛି ଶିଖେଇ ନାଇଁ ତୋତେ।


ବଡ଼ନାନୀ ଭୟରେ କଳାକାଠ ପଡ଼ି ଯାଇଥିଲା ।


କିନ୍ତୁ ସେହି ରାହାବାଳୀ ଶାଶୁ ତା ପାଇଁ ଖାଣ୍ଟି ସୁନାର ସାତସରି କଣ୍ଠିହାର ମଧ୍ୟ ଗଢ଼ାଇ ଦେଇ ଥିଲା । ନାନୀର ଛୁଆମାନେ କାନ୍ଦିଲେ ତାକୁ ମାରିବା ପାଇଁ ଧସି ଆସୁଥିଲା । କିନ୍ତୁ କାଳେବେଳେ ବଡ଼ନାନୀର ଦେହ ଖରାପ ହେଲେ ବାହୁନି ବାହୁନି ତାରି ମୁଣ୍ଡ ପାଖରେ ଦିନ ରାତି ବସି ରହୁଥିଲା । ତାକୁ ଆଉଁସା ଘଷା କରୁଥିଲା । ଦୁନିଆ ସହଣୀ ବାହାଣୀ କରି ପକାଉଥିଲା। 


ଆଉ ଏଠି ତ ଖାଲି ମୁହଁ ମୁଲାଜା ,ଫର୍ମାଲିଟି । ସେ ଖାଣ୍ଟି ସୁନାର ମନ ନାହିଁ କି ନିର୍ଭେଜାଲ୍ ସ୍ନେହ ମମତା ନାଇଁ।


 ବଡ଼ନାନୀର ଶାଶୁ ଦେଇଥିବା ସେହି ସୁନା କଣ୍ଠିମାଳ ନାଇ ଅନୁ , ତାର ସ୍କୁଲ ବାର୍ଷିକୋତ୍ସବରେ ମାଆ ସରସ୍ବତୀ ବେଶ ହେଇ ପ୍ରଥମ ପୁରସ୍କାର ପାଇଥିଲା । ଧଳା ପାଟରେ ଅନୁ ଅବିକଳ ବାଗ୍ଦେବୀ ପରିକା ଦିଶୁଥିଲା । 


 ସେହି ଅଲ୍ୟଳୀ ନାକ କାନ୍ଦୁରୀ , ସିଙ୍ଘାଣିନାକୀ ଅନୁ ସାଥିରେ ଦୀର୍ଘସମୟର ବ୍ୟବଧାନ ପରେ ଆଜି ତାର ଭେଟ । ଖରାବେଳୁ ନିରୁ ଉପହାର ସବୁ ସଜାଡି ରଖିଥିଲା । ଦର୍ଜନେ ଖଣ୍ଡେ ସିଝା ଅଣ୍ଡା ରଖିଥିଲା , ମନଭରି ହଳଦିଆ କେସର ଖାଇବ ଅନୁ । ଜିଲାପି , ବହୁମୂଲ୍ୟ ଶାଢ଼ୀ , ଅନୁର ଶିଶୁପୁତ୍ର ପାଇଁ ଭଳିକି ଭଳି ପୋଷାକ ଓ ଦାମୀ ଦାମୀ ଚକୋଲେଟ । ମାତୃତ୍ଵହୀନା ଅନଭିଜ୍ଞା ନିରୁକୁ ଜଣା ନଥିଲା ଯେ ଏଡେ ଟିକିଏ ଛୁଆ ଏତିକି ଚକୋଲେଟ ଏକାଥରକେ ହଜମ କରି ପାରିବନି । କଞ୍ଚା ଆମ୍ବର ସିଜନ ନାହିଁ ନହେଲେ ତାକୁ ମଧ୍ୟ ଆଣିଥାନ୍ତା । କଞ୍ଚା ଆମ୍ବ ମିଳିଲେ ଦୁଇ ଭଉଣୀ ଧାଉଁଥିଲେ ତଳବାଡି଼ର ଝଙ୍କାଳିଆ ତେନ୍ତୁଳି ମୂଳକୁ । ସେହି ତେନ୍ତୁଳି ଗଛ କେତେ ଯେ ଖଟାମିଠା ସ୍ମୁତି କୋଳେଇ ଧରିଛି ତାର ଇୟତ୍ତା ନାଇଁ। ଆମ୍ବକୁ ବ୍ଲେଡରେ ଚାଞ୍ଛି ଲୁଣ ଲଙ୍କା ଲଗେଇ ଚାଟୁ ଚାଟୁ କେମିତି କେଜାଣି ଅନୁର ଜିଭଟା ଦାନ୍ତ ପାଲଟିଯାଏ। ଆମ୍ଵରେ ଦନ୍ତକ୍ଷତ ଦେଖି ନିରୁ ହସି ପକାଏ । 


- ପୁଣି ମୋତେ ଭୁରୁଡାଉଛୁ ନା ?


ଅନୁ ତାର ଦୁଇ ପୋକରା ଛାମୁଦାନ୍ତ ଦେଖାଇ ଫିକ୍ କିନା ହସିଦିଏ।


 ସ୍ଵାମୀଙ୍କ ସହ ଷ୍ଟେସନ ପହଞ୍ଚିଲା ବେଳକୁ ଅନୁର ଟ୍ରେନ ଆସି ସାରିଥିଲା । ବାତାନୁକୁଳିତ ବଗିରେ ଯାତ୍ରା କରିବାର ଅଭ୍ୟାସ ଥିବାରୁ ନରେନ୍ଦ୍ର ସିଆଡ଼କୁ ମୁହାଁଉ ଥିଲେ କିନ୍ତୁ ନିରୁ ତ ଠିକ ଜାଣିଥିଲା ନିମ୍ନବିତ୍ତ କିରାଣୀ ସ୍ଵାମୀର ସ୍ତ୍ରୀ ଅନୁ କେଉଁଠାରେ ଥିବ । ରାଉରକେଲା ଷ୍ଟେସନ୍ ପ୍ଲାଟଫର୍ମରେ ଭିଡ଼ ଭିତର ଧସ୍ତାଧସ୍ତିରେ ସେ ଅଣନିଶ୍ଵାସି ହେଇ ଯାଉଥିଲା । ହାତରେ ପୁଣି ଭାରି ବ୍ୟାଗ। ଏସବୁ ସେ ପନ୍ଦର ବର୍ଷ ପୂର୍ବରୁ ଛାଡ଼ି ସାରିଥିଲା । ତା ପାଇଁ ତ ପିଅନ ମାନେ ରିଜର୍ବେସନ କରୁଥିଲେ , ତାର ଜିନିଷପତ୍ର ବୋହୁଥିଲେ । ତାର ଏସବୁର ଅଭ୍ୟାସ ଆଉ ନଥିଲା ।


 ହଠାତ କାନରେ ବାଜେ କୋକିଳକଣ୍ଠି ଅନୁର ଡାକ , କାନ ପବିତ୍ର ହେଇଯାଏ।


- ଆଲୋ ଏଏଏ ନିରନାନୀଈଈଈ , ନିରନାନୀଲୋଓଓଓଓ , ଇଆଡେ ଦେଏଖେଏଏ


ନିର୍ନାନୀଲୋଓଓଓ

ଇଆଡେ ଅଛି ମୁଁ


 ଗୋଟିଏ ବଗିର ଝରକା ଫାଙ୍କରୁ ଗୋରା ତକ୍ ତକ୍ ଗୋଲଗାଲ୍ ସୁନ୍ଦର ହାତଟିଏ ସିଗ୍ନାଲ ଚମକାଉ ଥିଲା । କହୁଣି ପର୍ଯ୍ୟନ୍ତ ଲାଲ ପାଣିକାଚ , ପୋଲା ଆଉ ଶଙ୍ଖା ଭର୍ତ୍ତି ହାତ। ଠିକ ସେଇମିତି ଉତ୍ତେଜନା , ଉତ୍ସୁକତା ପୂର୍ଣ୍ଣ ଡାକ , ଯେମିତି ଡାକ କିଛି ବର୍ଷ ତଳେ ବରଯାତ୍ରୀ କିମ୍ବା ଶବଯାତ୍ରାଟିଏ ଦାଣ୍ଡରେ ଗଲାବେଳେ ତାକୁ ଛାତ ଉପରକୁ ଆକର୍ଷି ନେଉଥିଲା ।


- ନାନୀଲୋ , ଟେରା ବରଟାଏ କିଲୋ? ଦେଖୁନୁ ଗୋଟାଏ ଆଖି ଦକ୍ଷୀଣ ଠାକୁରଘର ଆଡକୁ ତ ଗୋଟାଏ ଉତ୍ତରାଛକ ଆଡ଼କୁ।


ଦୁଇ ଭଉଣୀଙ୍କ ମନଖୋଲା କୁତମାତିଆ ହସର ସଫେଦ , ନିର୍ମଳ ଫୁଲ ଛାତସାରା ବିଛାଡି଼ ହେଇ ଯାଉଥିଲା।


- ନିର୍ନାନୀ , ବାପାଙ୍କୁ କହିବି ତୋ ପାଇଁ ଏମିତିକା ବରଟାଏ ଯୋଗାଡି଼ବେ ଏକା।


- ମରୁନୁ ନା ଆହୁରି। ତୋ ପାଇଁ ଆଠାରୁ ସୁନ୍ଦର ବରଟିଏ ମୁଁ ଖୋଜିଦେବି , ହେଲା। 


- ଏହେ ! ଆଲୋ ଆଲୋ, ସଧବା ଅଳ୍ପ ବୟସୀ ଅହ୍ୟରାଣୀଟାଏ କିଲୋ ? ଦେଖୁନୁ ଅହ୍ୟ ଡେଙ୍ଗୁରା ବଜେଇ ନେଉଛନ୍ତି। ଓହୋ, ସେ ମାଧିଆ ମାଆ ପରା। ଆହା ମାଧିଆଟା ତ କେଡ଼େ ଟିକିଟାଏ ଲୋ। କେତେ କାନ୍ଦୁଥିବ। ଯିବା ଟିକେ ଚୁପକିନା।


ଏଘର ମାଉସୀ ସେଘର ପିଉସୀ ଅନୁକୁ ଗାଁଟା ସାରା ଲୋକ ଜାଣନ୍ତି ଆଉ ଅନୁ ବି ଗାଁ ସାରା ଲୋକଙ୍କର କୋଷ୍ଠି ଜାତକ ଜାଣେ। 


- ହେଃ ନାଇଁ, ବାପା ଦେଖିଲେ ଏଇନା ଗୋଡ଼ଗଣ୍ଠି ଭାଙ୍ଗିଦେବେ।


 ନିରୁର ଆଖି ଛଳଛଳ ହେଇ ଯାଉଥିଲା । ବଗି ଝରକାରୁ ସେହି ନିଟୋଳ କମନୀୟ ଚୁଲବୁଲି ଚେହେରାଟି ଝଲସି ଉଠିଲା । ନିରୁର ଛାତି ଧଡ଼ଧଡ଼ ହେଉଥିଲା ଗତି କମି କମି ଆସୁଥିବା ରେଳର ଧକଡ଼ ଚକଡ଼ ସହିତ। ଆହୁରି ସୁନ୍ଦର ହୋଇ ଯାଇଥିଲା ଅନୁ । ଖଣ୍ଡାଧାର ପରି ତୀଖ ନାକ । ଦାଡି଼ମ ବୀଜ ସଦୃଶ୍ୟ ଦନ୍ତପନ୍ତି । ନାଲିମା ବୋଳା ଚକଚକ ଚିବୁକ। ଚିକ୍କଣ କପାଳରେ ଚାରଣିଆ ସିନ୍ଦୂରଟୋପା। ପ୍ରାକୃତିକ ଗୋଲାପି ଗୋଲାପୀ ଅଧର ଦ୍ଵୟ । ସ୍ଵାସ୍ଥ୍ୟରେ ଭରପୁର ଶରୀର । ମାତୃତ୍ଵର ଆଭାରେ ଚକ୍ ଚକ୍ ଆଖି ଦୁଇଟି।


- କେତେ ସୁନ୍ଦର ଦେଖା ଯାଉଛୁ ତୁ ଅନୁ ? କିନ୍ତୁ ମଝିଆଁ ନାନୀ ପରି ମୋଟକି ହେଇ ଯାଇଛୁ ଲୋ। 


- ନିରୁନାନୀ ଲୋ , ମୁଁ ଭାବି ନଥିଲି ତୋ ସାଙ୍ଗରେ ଦେଖାହବ ବୋଲି। ତୁ ଭି ତ ସିନେମା ହିରୋଇନ ପରି ଦେଖା ଯାଉଛୁ ଲୋ।


ଦୁହିଁଙ୍କ ଆଖିରୁ ଆନନ୍ଦାଶ୍ରୁ ବହି ବ୍ୟାପ୍ତ କରି ଦେଉଥିଲା ଆଖପାଖର ବାତାବରଣକୁ। ଭିଜି ଯାଉଥିଲା ପବନ , ଆଉଟିକେ କୋହଲା ହେଇ ଯାଉଥିଲା ପାହାଡ଼ ଘେରା ରାଉରକେଲାର କୁହୁଡ଼ିଆ ଡିସେମ୍ବରିଆ ପାଗ। 


ରେଳ ସହଯାତ୍ରୀ ମାନେ ଚକିତ ହୋଇ ଦେଖୁଥିଲେ ଦୁଇ ଭଉଣୀଙ୍କ ଏଇ ଅପୂର୍ବ ମିଳନର ଦୃଶ୍ୟ । ଜଣେ ତନୁ ପାତଳୀ , ମପାଚୁପା ଶରୀର ବ୍ୟଷ୍ଟି , ସୁନ୍ଦର ଢଙ୍ଗରେ ପିନ୍ଧା ଯାଇଥିବା ସୁରୁଚିପୂର୍ଣ୍ଣ ଶାଢ଼ୀ , ତା ଉପରେ ଟାଇଟ୍ ଫିଟିଂ କୋଟ। କାନରେ ହୀରାର ଟିକି ଟିକି କାନଫୁଲ , ହାଇହିଲ ଯୋତା , ହାତରେ ଷ୍ଟାଇଲିଷ୍ଟ ପର୍ସ , ଚିତ୍ର ତାରକା ସମ ଧ୍ୟୁତିମାନ । ଆଉ ଜଣେ ଗୋଲଗାଲ , ଚମ୍ପାଗୋରୀ , ଇଆଡୁ ବୋଇଲେ ସିଆଡୁ ଖସି ପଡୁଥିବା ଲତର ପତର ଶାଢ଼ୀ , କାଖରେ ଶାଢ଼ୀକୁ ଇଆଡୁ ବୋଇଲେ ସିଆଡୁ ଟଣା ଓଟରା କରି ତାର ଦେହକୁ ଅନାବରଣ କରିବାର ନିର୍ଲଜ ଜିଦିରେ ବ୍ୟସ୍ତ ସୁସ୍ଥ ସବଳ ହୃଷ୍ଟ ପୁଷ୍ଟ ଶିଶୁ । କଥା ବାର୍ତ୍ତା , ଚାଲି ଚଳନ ସବୁଥିରେ ଗୋଟାଏ ଠେଠ୍ ଗାଉଁଲି ଛାପ ।


 - ଇଏ ମୋର ନିରୁନାନୀ । 


  ଅନୁ ତାର ପେଟକା , କଳା ଭୁଷୁଣ୍ଡା ,ଦାନ୍ତୁରା ସ୍ଵାମୀକୁ ଆଗକୁ ପେଲିଦେଲା । ଖସି ପଡୁଥିବା ପେଣ୍ଟକୁ ଚର୍ବିଳ ପେଟ ଉପରକୁ ଟାଣି ଆଣି ସେ ହାତ ଯୋଡ଼ିଲା । ପତ୍ନୀଙ୍କୁ ଥାର୍ଡକ୍ଲାସ ପାଖରେ ଦେଖି ନରେନ୍ଦ୍ର ମଧ୍ୟ ଆସି ଯାଇଥିଲା । 


- ଆଉ ଇଏ ନା ତୋର ଭାଇନା । 


ନିରୁ ପରିଚୟ କରେଇ ଦେଲା ।


ଅନୁର ଆଖି ଅଟକି ଯାଉଥିଲା ସୁଦର୍ଶନ ଭିଣେଇ ଉପରେ ।


- ଆପଣ ମାନେ ଆଜି ଦିନଟା ରହି ଯାଆନ୍ତୁ ନା । ନିରୁକୁ ବହୁତ ଭଲ ଲାଗିବ । 


ନରେନ୍ଦ୍ର କହୁଥିଲେ ।


- ଆରେ ନା , ମୋତେ କାଲି ହିଁ ଅଫିଶରେ ଜଇନ୍ କରିବାକୁ ପଡ଼ିବ । ଆମର ଶେକ୍ଶନ୍ ଅଫିଶର୍ ଦୁଇଦିନ ଛୁଟି ଦେଇଥିଲେ । ଚାରିଦିନ ହେଲାଣି। 


 ଗଳା ଖଙ୍କାରି ପିଚ୍ କିନା ପାନପିକ ଥୁକିଦେଲା , ଟ୍ରେନ ବଗି ଉପରକୁ ଆଧୁନିକ ଚିତ୍ରଟାଏ ଆଙ୍କିଲା ପରି ନିରୁର ଭଗ୍ନୀ ପତି ।


 ନିରୁର ମନ କଣ ହୋଇଗଲା ଅସୁକରେ , ତାର ରୂପ ଢଙ୍ଗ ଆଉ ସବୁ 'ସ' କୁ 'ଶ' ଉଚ୍ଚାରଣ କରି ନିଜକୁ ଉଚ୍ଚ ଶିକ୍ଷିତ ଦେଖାଇବାର ବ୍ୟର୍ଥ ଚେଷ୍ଟା ଦେଖି । କଣ ଦେଖିଲେ କେଜାଣି ବାପା ଇଆଠି , ଯେ ତାର ତଅପୋଇ ଭଳି ସୁନ୍ଦରୀ ଭଉଣୀକୁ ଏଇ ମର୍କଟ ସହିତ ଯୋଡ଼ିଦେଲେ । ଛିଃ ! ବାନ୍ତି ଆସୁଥିଲା , ସେ ଛେଳିପରି ପାନକୁ ପାକୁଳି କରୁଥିବାର ଦେଖି। ନା ରୂପ ନା ରଙ୍ଗ, ନା ପାଠ ନା ଶାଠ! 


- ଆଃ , କି ଗୁଲୁଗୁଲିଆ ହେଇଛି କିଲୋ ତୋ ପୁଅ? ଆ , ଆଆରେ ବାବା।


 ଛୁଆ ରଙ୍କୁଣୀ , ଶୂନ୍ୟହସ୍ତା , ଅପୂର୍ଣ୍ଣ କୋଳ ପାଇଁ ଶୋକାତୁରା ନିରୁ ଦୁଇ ହାତରେ ଟେକି ଆଣିଲା ଲହୁଣୀ ପିତୁଳା ପରି ସାନ ଭଉଣୀର ପୁଅକୁ। ଦୁଷ୍ଟ ଟୋକା ତାର ସୌମ୍ୟ ଦର୍ଶନ ମଉସା ଆଡ଼କୁ ଡେଇଁ ପଡ଼ିଲା। ଚକୋଲେଟ୍ ଚର୍ଚ୍ଚିତ ଶ୍ରୀମୁଖ ଘଷି ନେସି ଦେଲା ମଉସାଙ୍କର ଧଳା ଫରଫର ଶାର୍ଟରେ। ଦୁଇ ହାତର ପାଞ୍ଚ ଆଙ୍ଗୁଳିର କଂଗ୍ରେସିଆ ଷ୍ଟାମ୍ପ୍ ଲଗେଇଦେଲା ଛାତି ପକେଟ ପାଖକୁ।


- ଆହା ହା , ଏଇ ନଟି ବୟ୍ , ଦୁଶ୍ଟ , କଣ କଲୁରେ? ଶତ୍ୟାନାଶ କରିଦେଲୁ ମଉଶାଙ୍କର ଶାର୍ଟ? ବହୁତ ନଟି ଏଇ ଟୋକାଟା। ମଝି ମାର୍କେଟରେ ଥରେ ବ୍ରେଶ୍ଟ ମିଲ୍କ ପିଇବା ପାଇଁ......


କହି ହସି ହସି ପୁଅର ଦୁଷ୍ଟାମୀ ଆଉ ଅପୂର୍ବ କାରନାମା ବର୍ଣ୍ଣନା କରିବାରେ ଲାଗିଗଲା ନିଜର ଜବରଦସ୍ତିଆ ହିନ୍ଦୀ ଢଙ୍ଗିଆ ଓଡ଼ିଆରେ।


 ଦୁଇ ସଡୁଭାଇ କଣ ସବୁ କଥାବାର୍ତ୍ତା ହେଉଛନ୍ତି ଶୁଣିବାକୁ ଦୁଇ ଭଉଣୀଙ୍କ ପାଖରେ ଫୁରସତ କି ଧୈର୍ଯ୍ୟ କିଛି ବି ନଥିଲା । ଝରକା କୁ ପୋଲ କରି ମୁଣ୍ଡକୁ ମୁଣ୍ଡ ଯୋଡ଼ି ଦୁଇଜଣ ଯୁଗ ଯୁଗର ଅକୁହା ଅଶୁଣା କାହାଣୀରେ ମଜ୍ଜିଗଲେ ।


- ଅନୁ , ବଡ଼ ଭାଇନାଙ୍କୁ କଣ ସତରେ ପାରାଲିସିସ୍ ହେଇ ଯାଇଛି କିଲୋ?


- ହଁ ଲୋ ନାନୀ , ବିଚରା ଚକଲଗା ଚଉକିରେ ବସି ଦିନରାତି ଗଁ ଗଁ କରୁଥାଆନ୍ତି । କଥା କହି ପାରନ୍ତିନି କି ଗୋଡ଼ହାତ ହଲେଇ ପାରନ୍ତି ନାଇଁ। ବଡ଼ନାନୀ ବେଳେ ବେଳେ ବହୁତ ବିରକ୍ତ ହୁଏ ।ଆଉ ଜାଣିଛୁ କେବେ କେବେ ତ ଦୁଲଦାଲ୍ ଥୋଇଦିଏ ବି ପିଠିରେ !


ଜିଭ କାମୁଡ଼ି ପକେଇଲା ନିରୁ


- ସତ କହୁଛୁ? ବଡ଼ନାନୀଟା ସୁଧୁରିଲା ନାଇଁ। ଶାଶୁ ସହିତ ରହିରହି ତାରି ପରିକା କଳିହାଣୀ ହେଇ ଯାଇଛି।


- ସତରେ ଲୋ ନିରୁନାନୀ ! ମୁଁ ଦେଖିଛି ଥରେ। ଆମଘରକୁ ଆସିଥିଲେ ବେଳେ।


 ଅନୁ ଲୁହ ପୋଛିଲା ,


- ଦିନେ ନା, ଚକଲଗା ଚଉକିରେ ବଡ଼ନାନୀ ତାଙ୍କୁ ଗାଧେଇ ପାଧେଇ ମାଆ ପାଖରେ ରୋଷେଇ ଘର ପାଖ ବାରଣ୍ଡାରେ ବସେଇ ଦେଇ ଥିଲା । ଯେତେ ଦୁଃଖ ଯନ୍ତ୍ରଣା ଥିଲେ ମଧ୍ୟ ବଡ଼ ଭାଇନା ବର୍ତ୍ତମାନ ମଧ୍ୟ ମାଆ ପାଖକୁ ଗଲେ ଖୁସି ହୋଇ ଯାଆନ୍ତି। ମାଆର ସର୍ବାଧିକ ପ୍ରିୟ ଜୋଇଁ ଯେ ସିଏ । ତଳ ପାଖ ଅଚଳ ହୋଇ ଯାଇ ଥିବାରୁ , ସେ ଅଟକେଇ ନପାରି ସେମିତି ବସି ବସି ଏକ କରିଦେଲେ !

କୋହ ଅଟକେଇ କହିଲା ଅନୁ ।


- ଗଁ ଗଁ ହେଇ ଇସାରା ଦେଇ ଥିଲେ ସେ , କିନ୍ତୁ ବଡ଼ନାନୀଟା ବୁଝି ପାରିନଥିଲା । ଧାଇଁ ଆସି ଦୁମ୍ ଦୁମ୍ ଦି ବିଧା ଥୋଇଦେଲା । କଂକ୍ କରି ଆଗକୁ ନଇଁ ପଡ଼ିଲା ତାଙ୍କର ଅଚଳ ଦେହଟା ।କାନ୍ଦି ପକେଇଲେ ବିଚରା ଭାଇନା ।


 ବଡ଼ ନାନୀର ତା ଶାଶୁପରି ଶାସନପ୍ରିୟ କଠୋର ସ୍ଵଭାବ ଏମିତି ମଧ୍ୟ ବଡ଼ ଭାଇନାଙ୍କୁ ଆତଙ୍କିତ କରି ରଖିଥିଲା ବିବାହ ପରଠାରୁ । କିନ୍ତୁ ଅତି ଶାନ୍ତ ସୁଧାର ଭାଇନା ସବୁବେଳେ ହସହସ । କେଡ଼େ ସୁନ୍ଦର ସୌମ୍ୟ ଚେହେରା ଭାଇନାଙ୍କର? ନାନୀ ବାହାଘର ପରେ ଭାଇନାଙ୍କୁ ଜୋଇଁ ରୂପରେ ପାଇ ମାଆ ଅପୁଆଣୀ ହେବାର ଦୁଃଖକୁ କିଛି ମାତ୍ରାରେ ଭୁଲି ଯାଇଥିଲା। କିନ୍ତୁ ଭାଇନାଙ୍କର ଏଇ ଦୁର୍ଦ୍ଦଶା ମାଆର ହୃଦୟକୁ ଏକା ବେଳକେ ଭାଙ୍ଗି ଦେଇଥିଲା । ସେଇ ଦୁଃଖରେ ସେ ବିଛଣା ଧରି ନେଇଥିଲା ଯେ ଆଉ ଉଠି ପାରି ନଥିଲା।


କେତେ ସରଳ ଓ ଉଦାର ସ୍ଵଭାବ ଥିଲା ବଡ଼ ଭାଇନାଙ୍କର । ହୋଲିରେ ଶାଳୀ ମାନେ ଗୋଟେ ଗାଲରେ କାଦୁଅ, ଗୋବର, ଆଲକାତରା ବୋଳିଲା ବେଳକୁ ସେ ଆର ଗାଲ ବଢ଼ାଇ ଦେଉଥିଲେ ହସି ହସି ପରମ ଉଦାର ହେଇ ।


ବଡ଼ନାନୀ ରାଗରେ ଦାନ୍ତ କଡ଼ମଡ଼ କରୁଥିଲା , 


- ଆଲୋ , ତାଙ୍କ ମୁହଁ ରେଳ ଇଞ୍ଜିନ ଭଳି କରିଦେଲଣି ଯେ । ଅଲାଜୁକ ମୁହଁରୁ ପୁଣି ହସ ବାହାରୁଛି । ଏବେ ଆଣ କିରାସିନି, ଆଣ ପେଟ୍ରୋଲ ତେବେ ଯାଇ ତାଙ୍କ ମାଙ୍କଡ଼ ମୁହଁ ସୁଧାରିବି ।


 ସତକୁ ସତ ତାଙ୍କ ମୁହଁକୁ ରଗଡ଼ି ରଗଡ଼ି ନୋଳା ଫଟେଇଲା ପରି କରିଦିଏ ବଡ଼ନାନୀ । ସେଇ ଜଖମ ଆଉ କଷ୍ଟକୁ ଭୁଲି ସନ୍ଧ୍ୟା ବେଳେ ପୁଣି ଭାଇନା ହାଜିର ହୋଇଯାଆନ୍ତି ମୁଚୁକୁନ୍ଦିଆ ହସ ଧାରେ ସୁଦର୍ଶନ ପାଉଡର ବୋଳା ଚେହେରାରେ ଥୋଇ , ଧଳା ପୋଷାକ ପିନ୍ଧି । କେଡ଼େ ଆକର୍ଷଣୀୟ ଚେହେରା ନଥିଲା ସତରେ ଭାଇନାଙ୍କର । ମାଆ ଏକାଥରକେ ପ୍ରସ୍ତାବରେ ରାଜି ହେଇ ଯାଇଥିଲା ସେ ସୌମ୍ୟ ସରଳ ନିଟୋଳ ଚେହେରାଟି ଦେଖି।


 ମଝିଆଁ ନାନୀ ତାଙ୍କୁ ଚିଡାଏ , 

- ଏ ନିରୁ , ଏ ଅନୁ , ଆଲୋ ଦେଖ ଲୋ , ଭାଇନାଙ୍କର ମୁହଁରୁ କେମିତି ରେଳ ଇଞ୍ଜିନ ପରି ଭକ ଭକ୍ ଧୂଆଁ ବାହାରୁଛି , ଇହି ଇହି ....


- ଆସୁନୁ, ତୋତେ ବି ଉଷୁମେଇ ଦେବି ଟିକେ ଏଇ ଧୂଆଁରେ।


 ଭାଇନା ମଝିଆଁ ନାନୀକୁ ଟାଣି ଧରନ୍ତି ଛାତି ଉପରକୁ, ଆଉ ତତ୍କ୍ଷଣାତ୍ ଛାଡ଼ି ବି ଦିଅନ୍ତି ବଡ଼୍ ନାନୀର ତରାଟିଆ ନାଲି ଆଖିକୁ ଦେଖି। କିନ୍ତୁ କୁନି ଅନୁକୁ ଉଠେଇ ନେଇ କାନ୍ଧରେ ଧରି ନାଚନ୍ତି , ଯେମିତି ଗାଁର ଦଶହରା ନାଟକରେ ସେ ନାଚନ୍ତି ନଟରାଜ ଶିବ ପାର୍ଟ କଲାବେଳେ।


  ବଡ଼ ଭାଇନାଙ୍କର ନାଚ, ଗୀତ , ଯାତ୍ରା, ନାଟକ ଇତ୍ୟାଦିରେ ବହୁତ ରୁଚି ଥିଲା। ଗଣେଶ ଜନ୍ମ ନାଟକରେ ଶିବ ଓ ରାମଲୀଳା ହେଲେ ସେ ହନୁମାନ ସାଜି ଅଭିନୟ କରୁଥିଲେ। ଏତେ ଜୀଵନ୍ତ ଓ ନିଖୁଣ ଅଭିନୟ କରୁଥିଲେ ଯେ ଦର୍ଶକ ମାନେ ଟଙ୍କାମାଳରେ ପୋତି ପକାଉଥିଲେ ତାଙ୍କୁ। ପହିଲିମାନିଆ , କସରତିଆ ଡଉଲ ଡାଉଲ୍ ସୁସ୍ଥ ସବଳ ଶରୀରର ଅଧିକାରୀ ବଡ଼ ଭାଇନା ନାଟକ କରୁକରୁ ସାମନାରେ ବସ୍ତା ପକେଇ ବସିଥିବା ଅନୁକୁ ଟେକି ନେଇ କାନ୍ଧେଇ ଧରି ଷ୍ଟେଜ ଉପରେ ଏମିତି ନାଚାକୁଦା କରୁଥିଲେ ଯେ ହସି ହସି ସମସ୍ତେ ଦୋହରା ହେଇ ଯାଉଥିଲେ। ଜୀବନ ଆଉ ଊର୍ଜାରେ ଭରପୁର ସେହି ପହିଲମାନ ଭାଇନା ପୁଣି ଯେ ଅଥର୍ବ ପଙ୍ଗୁ ହେଇ ହ୍ଵିଲ୍ ଚେୟରରେ ସମୟ କାଟୁଛନ୍ତି , ଅନ୍ୟର କାନ୍ଧରେ ନାଉ ହେଇ ବେତାଳ ପରି ବସିଛନ୍ତି ଭାବି ଭାବି ନିରୁର ମନ ବିଷର୍ଣ୍ଣ ହେଇ ଯାଉଥିଲା। ସିଆଡୁ ଧ୍ୟାନ ହଟେଇବା ପାଇଁ ନିରୁ ପଚାରିଲା, 


- ଅନୁ ଲୋ , ନାନୀମାନେ କଣ ଏବେବି ମାଆକୁ ଦହଘଞ୍ଜ କରୁଛନ୍ତି ଭାର ଥୋର ନେବାପାଇଁ।


- ଆଉ? ଫୁଲ ଫୁଟିବା ଊଣା ହେବ କିନ୍ତୁ ସେଇ ନାଟକ ଅଟକ ହେବ ନା। ଫି ପୂଜା ପର୍ବରେ ଆସି ମାଆ ଛାତିରେ ବସି ଯାଉଛନ୍ତି ସେମାନେ।


 ପ୍ରତ୍ୟେକ ଥର ନାନୀମାନେ ଆସିଲେ ମାଆ ବିଚାରୀ କୋଉ ବାହା ପୁଆଣି କି ବ୍ରତ ଉପନୟନରେ ବେଭାର ପାଇଥିବା ଓ ଓଷା ବ୍ରତ ପାଇଁ ଜଗେଇ ରଖିଥିବା ଶାଢ଼ୀ ଦୁଇ ଚାରିଖଣ୍ଡ ବଡ଼ ଅମାନୁଷିକ ଔଦାର୍ଯ୍ୟ ସହିତ ବାଣ୍ଟି ଦିଏ ନାନୀ ମାନଙ୍କ ଭିତରେ। ବାପା ତ ଫାଲତୁ ଛଦାମଟିଏ ଦିଅନ୍ତି ନାଇଁ ମାଆକୁ ଖର୍ଚ୍ଚ କରିବାକୁ । ନିରୁର କନଭେଣ୍ଟିଆ ଅନୁଶାସନ ତାର ପାଟିକୁ ସିନା ଚାପି ଧରେ , କିନ୍ତୁ ମୁଖରା ଅନୁ ନାନୀ ମାନଙ୍କର ଅଦଉତି ସହି ନପାରି ଭଡ଼ଭଡ଼ କରି କହିପକାଏ,


- ଆଲୋ ବଡ଼ନାନ୍ ଆଉ ମଝିଆଁନ୍ , ତୁମେମାନେ ପାରନ୍ତ ଯଦି ମାଆକୁ ନଙ୍ଗଳା କରି ତା ପିନ୍ଧିଲା ନୁଗାକୁ ଭି କାଢ଼ି ନିଅନ୍ତ , ନାଇଁ?


- ଚୁପ୍ ପୋଡ଼ାମୁହିଁ , ଏତେ ଦିନକେ ମୋ ଝିଅମାନେ ଆସିଛନ୍ତି । ଏମିତି କହନ୍ତି ନା?


- ଏତେଦିନେ ? ଏଇ ପା , ପନ୍ଦର ଦିନ ଆଗୁରୁ ଆଇଥିଲେ। ରଖି ନଉନୁ ସବୁଦିନ ପାଇଁ ତାଙ୍କୁ?


- ହଇଲୋ , କେତେ ଭଡ଼ଭଡ଼ ହେଉଛୁ ବା? ପାଟିରେ ବାଡ଼ବତା ରହୁ ନାଇଁ? ସେଇ ପୋଡ଼ାମୁହିଁ କଳାବତୀ ବାଈର ହିଁ ଛାଇ ପଡ଼ିଛି ଆଠି। ସମସ୍ତେ ଠିକ୍ କହନ୍ତି । ସେଇଥିପାଇଁ ତ ଏତେ ମୁହଁଖୋର୍। ବାଟୁଳି ବାଜୁ ନାହିଁ ତୁଣ୍ଡରେ। ଛିଃ!


 ଅନୁ ଯେତେବେଳେ ମାଆ ପେଟରେ ଥିଲା, ସାମନା ଖାଲି ଡିହଟାରେ ମହିଳା ଯାତ୍ରାପାର୍ଟି ଦଳଟାଏ ଆସି ତମ୍ବୁ ପକେଇ ରହିଥିଲେ। ସେଥିରେ ଅଭିନେତ୍ରୀ ରୋଲ୍ କରୁଥିବା କଳାବତୀ ବାଈ ବହୁତ ସୁନ୍ଦରୀ ଥିଲା। ତା ପାଇଁ ଟୋକା ଟାକଳିଆଙ୍କ ଆଡ୍ଡା ଜମୁଥିଲା ଛକରେ। ମାଆ ଦିନ ରାତି ଆସୁଣୁ ଯାଉଣୁ ମୁଗ୍ଧ ହୋଇ ତାକୁ ଲୋଭିଲା ଆଖିରେ ନିହିରୁଥିଲା। ତା ପେଟର ଛୁଆ ସେମିତି ନୟନାଭିରାମ ଓ ସୁସ୍ଥ ସବଳ ହେଉ ବୋଲି ଠାକୁରଙ୍କ ପାଖରେ ମନାସୁଥିଲା। ତାକୁ ଭି କଳାବତୀର ଗୋଟିଏ ଚାଉଳରେ ଗଢ଼ା ସ୍ଵର୍ଗର ଅପ୍ସରୀ ପରି ଅପୂର୍ବ ରୂପ କିମିଆ କରିଥିଲା। କିନ୍ତୁ ଅଚାନକ ତାକୁ ସାପ କାମୁଡ଼ି ଦେବାରୁ ଅତି ଦୟନୀୟ ଅବସ୍ଥାରେ ସିଏ ମରି ଯାଇଥିଲା ସେଇ ଡିହର ଜନ୍ଦାଖାଇ ଗଛମୂଳରେ ଛଟ୍ ଛଟ୍ ହେଇ। ମାଆ ଖୁବ୍ ଶୋକ ସନ୍ତପ୍ତା ହେଇ ପଡ଼ିଥିଲା କିଛି ଦିନ ପାଇଁ। ଯାତ୍ରାଦଳ ତ ସାଙ୍ଗେ ସାଙ୍ଗେ ତମ୍ବୁ ପାଲ ଉଠେଇ ନେଇ ପଳେଇଗଲେ। କିନ୍ତୁ ଗାଁରେ ହାଟ ହେଲା ଯେ କଳାବତୀ ବାଈର ଆତ୍ମା ରହି ଯାଇଛି ଖାଲି ଡିହର ସେଇ ଝଙ୍କାଳିଆ ଜନ୍ଦାଖାଇ ଗଛ ଉପରେ। ରାତିରେ ଘୁଂଗୁର , ନୂପୁରର ଝମ୍ ଝମ୍ ଶୁଣିଛନ୍ତି ଅନେକେ। ଆଉ କେହି କେହି ବିଷଜ୍ଵାଳାରେ ଛଟପଟ ହେଇ ବିକଳ ଚିତ୍କାର କରିବା ଭି ଶୁଣିଛନ୍ତି। ନିରୁ ଘରର ବୋଲକରା ହଳିଆ ତ ଖୁବ୍ ଛାତି ଠୁକି କୁହେ ଯେ ସେ କଳାବତୀ ବାଈକୁ ନାଚୁଥିବାର ଦେଖିଛି ଦିନେ ପରିସ୍ରା କରି ଉଠିଥିଲା ବେଳକୁ। ତା ପାଦ କୁଆଡ଼େ ଭୂଇଁ ଛୁଁ ନଥିଲା । ଆସମାନରେ ନାଚୁଥିଲା ସିଏ।


ନିରୁ ଓ ଅନୁ ବାରମ୍ବାର ଏଇ ଗପ ଶୁଣେଇବାକୁ କହୁଥିଲେ ତାକୁ ଆଉ ଡରାଡରି ହେଇ ଏକ ଆରେକକୁ କୁଣ୍ଢେଇ ଧରୁଥିଲେ।


 ଅନୁ ଏତିକି ସୁନ୍ଦର ରୂପ ନେଇ ଜନ୍ମ ହେଇଥିଲା ଯେ ସମସ୍ତେ କହିଲେ କଳାବତୀ ବାଈର ଛାଇ ପଡ଼ିଛି ଆଠି।


ବଡ଼ ଭାଇନା ମଜାକ୍ କରି କହନ୍ତି ,


- ଶାଶୁମା , ସେଇଥିପାଇଁ ତ ମୋର ନାଲିପରୀକୁ ଟାଉ ଟାଉ କରି ଗିଳି ଦେବାକୁ ଇଚ୍ଛା ହୁଏ। ଆ, ଆ, ଲୋ ମୋର ନାଲି ପାନ୍ ବିବି।


ଟିକି ଅନୁକୁ ଜାବୁଡ଼ି ଧରନ୍ତି ଭାଇନା। ଆଉ ଅନୁ ବାୟାଣୀ ତାଙ୍କ ଦେହମୁହଁକୁ ଆମ୍ପୁଡି଼ କାମୁଡ଼ି ଘାଇଲା କରିଦିଏ। 


ମାଆ ଲାଜେଇ ପଶିଯାଏ ରୋଷେଇଶାଳକୁ।


ବଡ଼ ଭାଇନା ଅନୁକୁ ନାଲି ପାନ୍ ବିବି ଆଉ ନିରୁକୁ ତୁଷାରବାଳା ବୋଲି ଡାକୁଥିଲେ।


 - ଏମିତି ମନଧ୍ୟାନ ଦେଇ କଣ ଦେଖୁଛୁ କିଲୋ ଅନୁ?


ଅନୁ ବୁଡ଼ି ଯାଇଥିଲା ନିରୁର ଆମେରିକାନ୍ ଲିନେନ୍ ତିଆରି କୋଟର ଲାଇନିଂ ଭିତରେ। ତାର ତନ୍ମୟତା ଭଙ୍ଗକରି ନିରୁ ପଚାରିଲା ।


- ତୋ କୋଟ୍ ନିର୍ନାନୀ । କେତେ ସୁନ୍ଦର ହେଇଛି ସତରେ । କୋଉଠୁ କିଣିଛୁ? ମୋ ପାଇଁ ଭି ଗୋଟେ କିଣି ଦେଇଛନ୍ତି ଯେ ଇଏ । କିନ୍ତୁ କଟକ ବଜାରର କଲିକତି ଜିନିଷ ସେମିତି ବାଗ ନୁହେଁ।


- ଭଲ ଲାଗୁଛି ତୋତେ , ଏଇଟା ନେଉନୁ ।


ନାଲି ବ୍ଲାଉଜ ଭିତର କାନ୍ଧରୁ ଗଳିପଡି଼ ପଇତା ପରି ଝଟକୁଥିବା ଅନୁର କୋଚଟିଆ ଶସ୍ତା ଅନ୍ତର୍ବାସର ଷ୍ଟ୍ରେପ୍ ଉପରେ ଦୃଷ୍ଟି ପଡ଼ିଗଲା ନିରୁର। 


 ମନ କଣ ହେଇଗଲା । ବିଚାରୀ ଅନୁ । ନିରୁର ତ ଗୋଟିଏ ଗୋଟିଏ ଅନ୍ତର୍ବାସ ପଚିଶ ପଚିଶ ଡଲାରର। ଜାଣିଥାନ୍ତା ଯଦି ଆହୁରି କେତକଣ ପୋଷାକ ପତ୍ର ନେଇ ଆସିଥାନ୍ତା ତାର ଆଦରର ଗେହ୍ଲେଇ ଅନୁ ପାଇଁ । 


 - ନାଇଁ ଲୋ ନାନୀ , ମୁଁ ଏମିତି ପଚାରୁଥିଲି ନା ?


- ଏତେ ଶ୍ନେହରେ ଦେଉଛନ୍ତି । ମନା କାହିଁକି କରୁଛ?


ପୁଣିଥରେ ଭଗ୍ନିପତିର 'ଶ' ର ମାଡ଼ ନିରୁର କାନପଟି ତତେଇ ଦେଲା। 


 ପୁଅ ତେଣେ ମାଆ ପାଖକୁ ଯିବାକୁ ଏକଲଗା ରାହା ଲଗେଇଥିଲା। ଭଉଣୀର ସ୍ଵାମୀ ତାକୁ ବଗି ଭିତରକୁ ଯାଇ ଛାଡ଼ି ଆସିଲା। ପୁଅ ଯେମିତି ମାଆ କୋଳକୁ ଯାଇଛି , କ୍ଷୀର ଖାଇବା ପାଇଁ ମାଆକୁ ବ୍ୟତିବ୍ୟସ୍ତ କରିଦେଲା। ଅନାଡି଼ ମାଆ ସର୍ବ ସମକ୍ଷରେ କ୍ଷୀର ପିଆଇବାକୁ ପୁଅକୁ ଯେତେ ଶାଢ଼ୀରେ ଘୋଡ଼ାଉଥାଏ ପୁଅ ଗୋଡ଼ରେ ପେଡାଲ୍ ମାରି ସେତିକି ଖସେଇ ଦେଉଥାଏ। ଢୋ କିନା ଚାପୁଡ଼ାଟାଏ ମାରିଲା ଅନୁ ,


- ରହରେ ବାଇଆ , ଏମିତି ଦିକଦାର୍ କାହିଁକି କରୁଛୁ?


- ଅନୁ, ସେ କଣ ବୁଝିଲାଣି ମାଡ଼ କଣ , ଏଡି଼କି ଟିକିଏ ପିଲାକୁ କଣ ମାରା ଯାଏ? 


- ଦେଖ୍ ନା ନାନୀ , କେତେ ହଇରାଣ କରୁଛି ?


 ପୁଅ ତାର ମହା ଆନନ୍ଦରେ ଅମୃତ ଢୋକୁଥାଏ ସାରା ଦୁନିଆରୁ ବେଖବର୍। ମାଡ଼ ତାକୁ କାଟି ନଥାଏ କି କଣ । ନିରୁ ଗଭୀର ଅନୁରାଗରେ ଲାଳାୟିତ ଦୃଷ୍ଟିରେ ଅନେଇ ରହିଥାଏ ମାଆ ପୁଅଙ୍କର ଅପୂର୍ବ ଲୀଳାଖେଳାକୁ। 


ଟ୍ରେନ୍ ସିଟି ମାରେ ।


  ଦୀର୍ଘ ନିଃଶ୍ୱାସ ନେଇ ନିରୁ ଓ୍ଵିଣ୍ଡୋ ରେଲିଂ ଛାଡ଼ି ଦିଏ। ଧିରେ ଧିରେ ରିଙ୍ଗେଇ ରିଙ୍ଗେଇ ଟ୍ରେନ୍ ପ୍ଲାଟଫର୍ମ ଛାଡେ। ଅନୁ ଥରେ ହାତ ହଲେଇଦେଇ ପୁଣିଥରେ ତା ନିଜ ପୁଅ ଆଉ ସଦ୍ୟ ପାଇଥିବା ଆମେରିକାନ୍ କୋଟର ଲାଇନିଂ ଭିତରେ ହଜି ଯାଇଥାଏ।


  ଆଖିରୁ ଉଝଲ ହେଲା ପର୍ଯ୍ୟନ୍ତ ନିରୁ ନିର୍ନିମେଷ ଚାହିଁଥାଏ। 


ବଡ଼ ଉଦାସ ହେଇ ସେ ଫେରୁଥିବା ଦେଖି ନରେନ୍ଦ୍ର କୁହନ୍ତି। 


 - ୟୋର୍ ସିସ୍ଟର ଇଜ୍ କ୍ଵାଇଟ୍ ଏ ମାଉଥଫୁଲ୍ , କିନ୍ତୁ ତା ସ୍ଵାମୀ ପୁରା ଗବଗଣ୍ଡ ଖଚରଟେ। କିନ୍ତୁ ଯାହା କୁହ , ତାଙ୍କ ପୁଅଟା ପକ୍କା ଶଇତାନ୍ ଟେ। ମୋର ଏତେ ଫେବରିଟ କୋଟଟାକୁ ନଷ୍ଟ କରିଦେଲାଟି। 


 ସେଦିନ ଆଉ ନିରୁକୁ କିଛି ଭଲ ଲାଗୁ ନଥିଲା। ବିଛଣାରେ ଶୋଇ ଛାତକୁ ଏକଲୟରେ ଅନେଇ ରହିଥିଲା। ଏକା ମାଆ ପେଟର ଭଉଣୀ ହେଲେ ମଧ୍ୟ କେତେ ଅଲଗା ପ୍ରକାରର ଭାଗ୍ୟ ଲେଖେଇ ଆଣିଛନ୍ତି ସେମାନେ । ବିଚାରୀ ଅନୁ! 


 ହେଲେ ଅନୁ ବିଚାରୀ କୋଉଠି ଯେ? ଯେଉଁ ଅମୂଲ୍ୟ ସମ୍ପତ୍ତିଟା ତା ପାଖରେ ଅଛି , ନିରୁ କଣ ନିଜର ସବୁକିଛି ଦେଇ ବି ପାଇ ପାରିବ? ଅନୁ ତ ନିଜର ପତିପୁତ୍ରର ଭରାପୁରା ସଂସାର ନେଇ ଆନନ୍ଦ ଉତ୍ସବରେ ମଶଗୁଲ ଅଛି । ଆଉ ମିଛଟାରେ ସେ କାହିଁକି ଶୋକ ସନ୍ତପ୍ତ ହେବ ଯେ?


  ହେଙ୍ଗରରେ ଟଙ୍ଗା ହେଇଥିବା ସ୍ଵାମୀଙ୍କ କୋଟର ଛାତି ପକେଟ୍ ପାଖରେ ଫୁଲରୁ ନରମ ଟିକି ଟିକି ହାତର ସୁନ୍ଦର ସ୍ମୁତିଚିହ୍ନଟାଏ ଖତେଇ ହେଉଥାଏ ତାକୁ। ଆଖିରେ ଆଖିରେ ରାତି ପାହୁଥାଏ। ଖରା ଉଷୁମାଉଥାଏ ଧରାକୁ। ରାସ୍ତା ଚଳ ଚଞ୍ଚଳ ହେଉଥାଏ।


 କୋଉଠି କାହାର ଛୁଆ କାନ୍ଦିଲା କି? ନା ତାର ମତି ଭ୍ରମ ହେଉଛି?


 ନିରୁ ବାହାରକୁ ଆସିଲା। ଗେଟ୍ ପାଖ ଲନରେ ପ୍ରାମ ଭିତରେ ନୀଳ ନୟନା ସୁନ୍ଦର ପୋଷାକରେ ଝଲମଲ ହେଉଥିବା କୁନି ଝିଅଟାଏ। ସେ ତାକୁ ପ୍ରାମରୁ ଉଠେଇ ଖୁବ୍ ଆଦରରେ ଛାତିରେ ଜାକି ନେଇ ଆସି ଶୋଇ ପକେଇଲା ନରେନ୍ଦ୍ରଙ୍କ ଦେହକୁ ଲଗେଇ।


- ଏହେଃ , ପାଗଳ ନା କଣ? କାହା ଛୁଆ ଇଏ?


- ଶହେରୁ ଶହେ ଏଟା ଆମର ଝିଅ? ମାଆରେ , ଠିକ୍ କହୁଛି ନା ମୁଁ ?ବାପାଙ୍କୁ ଡାକ୍, ଡାକ୍ ତ ମାଆ , କହ, ବାପାଆଆ , ବାପାଆଆ ।


- ଆଃ , ନିରୁ । ତୁମେ ପାଗଳ କରିଦେବ ଦେଖୁଛି। ଯାଅ , କାହାର ଛୁଆ ନେଇ ଦେଇ ଆସ।


- କହିଲି ପା, ଆମର ଛୁଆ ବୋଲି। ଆମ ଝିଅ ସ୍କୁଲ ଯିବ , ପାଠ ପଢ଼ିବ, ତା ପାଇଁ ଟେଡି ଆଣିବି , କଣ୍ଢେଇ ଆଣିବି , ନାଇଁ ରେ ମାଆ?


 - ଆରେ ନିରୁପମା ଦି, ଝିଅ ହଇରାଣ କଲା କି? ତୁମ ଲନ୍ ରେ ଖରାରେ ଶୋଇ ଦେବାକୁ ମାଆ କହିଥିଲା ତ । ଲନ୍ ରେ ପ୍ରାମ ଥୋଇ ଯାଇଥିଲି ନେପି ଆଣିବାକୁ । ଭୁଲି ଯାଇଥିଲି ତ। ଆମ ଘର ଜମା ଖରାମୁହାଁ ନୁହେଁ। ଆମ ଭୁବନେଶ୍ୱରରେ ଏତେ ଥଣ୍ଡା ବି ତ ହୁଏ ନାହିଁ। ଝିଅଟା ଶୀତ ଜମା ସହି ପାରୁ ନାହିଁ। ପଳେଇବି କାଲି । ମାର୍ଚ୍ଚ ମାସରେ ପୁଣି ଆସିବି ବୋଲି ଇଏ କହିଲେ।


ପଡ଼ିଶା ଘର ଝିଅ ଆସିଥିଲା ତା ଝିଅକୁ ନେଇ ଖରାରେ ବସିବାକୁ। 


ସେ ପଳେଇଲା ପରେ ନିରୁ ଆଖି ମାରିଲା ନରେନ୍ଦ୍ରଙ୍କୁ ଦେଖି। କିନ୍ତୁ ନରେନ୍ଦ୍ର ଚିଡି଼ ଯାଉଥିଲେ।


- ହେଇ ଦେଖ , ଏଇ ତୁମର ଝିଅ ପୁଣି କି କାରନାମା କରିକି ଗଲା। ଡନଲପ ଗଦିଟାକୁ ନଷ୍ଟ କରି ଦେଇ ଗଲା। ଛେଃ!


 ନିରୁ ଦେଖିଲା ଧଳା ଚଦର ଉପରେ ବିହାର ମାନଚିତ୍ର ଆକାରର ଆଉ ଗୋଟିଏ ଓଦାଳିଆ ସ୍ମୁତିଚିହ୍ନ ଉକୁଟି ଉଠିଥିଲା।


 ନରେନ୍ଦ୍ର ଯାହା ଭାବୁଛନ୍ତି ଭାବନ୍ତୁ ନା, କିନ୍ତୁ ନିରୁ ଯଦି ପାରନ୍ତା ଏଇ ଅମୂଲ୍ୟ ସ୍ମୁତିଚିହ୍ନ ଦୁଇଟାକୁ ସୁନା ଫ୍ରେମ ବାନ୍ଧି ଟାଙ୍ଗି ଦିଅନ୍ତା ତାର ବୈଠକରେ ଆଉ ଜୀବନ ସାରା ଦେଖି ଦେଖି ଉଲ୍ଲସିତ ହେଉଥାନ୍ତା।



Rate this content
Log in

Similar oriya story from Classics