STORYMIRROR

ayiswarya maharana

Romance Tragedy Others

3  

ayiswarya maharana

Romance Tragedy Others

ସ୍ମୃତିରେଖା

ସ୍ମୃତିରେଖା

3 mins
253

ଭଙ୍ଗା ମନଟିଏ ନେଇ ରେଖା ତା'ର ପୁରୁଣା ଦିନର ସ୍ମୃତି ବହନ କରୁଥିବା ବ୍ୟାଗ ସହିତ ଖୋଲା ଛାତରେ ମୁକ୍ତ ଆକାଶ ତଳେ ବସିଗଲା। କୋଳରେ ଅଜାଡି ଦେଲା ସେହି ସାଇତା ସ୍ମୃତି ସବୁକୁ।ଅତି ପ୍ରିୟ ଡାଏରୀକୁ ଛାତିରେ ଆଉଜି ନୀରବେ ଅମାନିଆ ଲୁହକୁ ଝରାଇ ଦେଉଥିଲା।ଖୋଲିବାରେ ଲାଗିଲା ଡାଏରୀର ପୃଷ୍ଠା ସବୁକୁ।ସମାନ୍ତରାଳ ଭାବେ ବହୁଥିବା ଲୁହ ଧାର ସ୍ମୃତି ସବୁକୁ ଭିଯାଇ ଚାଲିଥିଲେ।ପୃଷ୍ଠା ପରେ ପୃଷ୍ଠା ଓଲଟାଇବା ସହ ରେଖା ହଜି ଯାଉଥିଲା ସ୍ମୃତି ସାଥିରେ ବିତାଇଥିବା ମିଠା ସ୍ମୃତିରେ।କେତେ ସୁନ୍ଦର ଥିଲା ଦିନ ଗୁଡିକ!!!!

ଉଭୟେ ଥିଲେ ବାଣୀବିହାରରେ ଗଣିତରେ pg କରୁଥିବା ସହପାଠୀ।ପଢାପଢିର ଆଲୋଚନା ଭିତରେ ରେଖା ଓ ସ୍ମୃତି ଏକ ଅଦେଖା ସୂତ୍ରରେ ବାନ୍ଧି ହୋଇ ଯାଇଥିଲେ।ସେତେବେଳେ ସ୍ମୃତି ରେଖାର ଅତି ଯତ୍ନ ନିଏ।ରେଖାର ଟିକିଏ ଦେହ ଖରାପ ହେଲେ ସେ ବ୍ୟତିବ୍ୟସ୍ତ ହୋଇପଡେ।ରେଖା ମାନ ଅଭିମାନ କଲେ ସ୍ମୃତି ତାକୁ ବୁଝାଇ ବୁଝାଇ କଦାପି ଥକି ଯାଇ ନଥିଲା।ଉଭୟ ଉଭୟଙ୍କୁ ବୁଝୁଥିଲେ।ଜଣେ ଅନ୍ୟ ଜଣଙ୍କର ଅସୁବିଧାକୁ ନିଜର କରି ମିଳିମିଶି ସମାଧାନ କରୁଥିଲେ।ଏତେ ସବୁ ଭିତରେ ସବୁଠାରୁ ସୁନ୍ଦର କଥା ଥିଲା ଯେ ଉଭୟ ଲଜକୁରା ସ୍ୱଭାବର ଥିଲେ।ତେଣୁ ନିଜର ଘନିଷ୍ଠ ବନ୍ଧୁଙ୍କୁ ଛାଡିଦେଲେ ଅନ୍ୟ ମାନଙ୍କ ଆଗରେ ପଦଟିଏ ହେଲେ କଥା ହୁଅନ୍ତି ନାହିଁ।ଫୋନର ମଧ୍ୟ ସୁବିଧା ନଥାଏ।ତେଣୁ ଉଭୟଙ୍କର ଏକ ମାତ୍ର ଆଶ୍ରା ଥିଲା ବନ୍ଧୁ ଦ୍ଵାରା ପ୍ରେରିତ ଚିଠି।ଚିଠି ମାଧ୍ୟମରେ ବାର୍ତା ପ୍ରେରଣ ହୁଏ।ବାର୍ତା ଟି ଭବିଷ୍ୟତର ସ୍ବପ୍ନ ବହନ କରୁ କି କେଉଁଠି ଦେଖା କରିବାର ଇଛା ହୋଇଥାଉ।

ସ୍ମୃତି ତା'ର ପ୍ରତ୍ୟେକ ଚିଠି ଲେଖିବା ପରେ ସେଥିରେ ଏକ ସ୍ୱତନ୍ତ୍ର ପରଫ୍ୟୁମ୍ ର ପ୍ରାୟୋଗ କରେ।ରେଖା ସେହି ବାସ୍ନାରେ ବିଭୋର ହୋଇଉଠେ।ଅନେକ ଥର ସ୍ମୃତିକୁ ପଚାରିଛି ଏ କେଉଁ ପରଫ୍ୟୁମ୍।କିନ୍ତୁ ସ୍ମୃତି ତାହା କଦାପି ଜାଣିବାକୁ ଦେଇନାହିଁ।ଉତ୍ତରରେ କେବଳ କହେ ,"ଭାବିନିଅ ଏ ହେଉଛି ମୋ ଚିଠି ର ମହକ....।"ରେଖା ସେହି ଚିଠିର ମୋହରେ ତାକୁ ସାଇତି ରଖେ ସେହି ଡାଏରୀ ଭିତରେ।

ରେଖାର ବିବାହ ବୟସ ଅତିକ୍ରାନ୍ତ କରୁଥାଏ।ତେଣୁ ଘରେ ବାରମ୍ବାର ବିବାହ ପାଇଁ ଚାପ ପଡୁଥାଏ।ସ୍ମୃତି ସେତେବେଳେ ରୋଜଗାରକ୍ଷମ ହୋଇସାରିଥାଏ।ତେଣୁ ଉଭୟେ ପରିବାର ବିରୁଦ୍ଧରେ ଯାଇ ଗନ୍ଧର୍ବ ବିବାହରେ ବାନ୍ଧି ହୋଇଗଲେ।ଧୀରେ ଧୀରେ ସ୍ମୃତିର ବାପା ମା ପୁଅ ସହିତ ସମ୍ପର୍କ ଯୋଡିବାକୁ ଚାହିଁଲେ।ସ୍ମୃତି ଓ ରେଖା ମଧ୍ୟ ପରିବାର ସହ ଯୋଡି ହେବାକୁ ନେଇ ଖୁବ ଖୁସିହେଲେ।କେବେ କେବେ ସ୍ମୃତିର ବାପା ମା ଗାଁ ଛାଡି ସ୍ମୃତି ପାଖରେ ରହିବାକୁ ଆସିଲେ।ଉଭୟେ ସ୍ମୃତିକୁ ସାଦରେ ଗ୍ରହଣ କରିଥିଲେ ,କିନ୍ତୁ ରେଖା ପ୍ରତି ମନରେ କେବଳ ଘୃଣା ସାଇତି ରଖିଥିଲେ।କଥା କଥାରେ ସ୍ମୃତିର ମାଆ ରେଖାକୁ ଏହି ବିବାହକୁ ନେଇ ଅନେକ କଟୁକ୍ତି ପ୍ରୟୋଗ କରନ୍ତି।ଅନ୍ୟ ମାନଙ୍କ ସହ ତୁଳନା କରି ଭର୍ତ୍ସନା କରନ୍ତି।ଧୀରେ ଧୀରେ ଏସବୁ ରେଖା ପାଇଁ ଅସହ୍ୟ ବୋଧ ହେଉଥାଏ।ତେଣୁ ସେ ଏସବୁ ସ୍ମୃତିକୁ କହିଲା।ସ୍ମୃତି ସବୁ ଶୁଣି କୁହେ ,"ସେ ମୋ ମା।ତମେ ସ୍ତ୍ରୀ।ମୁଁ ତାକୁ କିଛି କହିଲେ ତା ମନ କଷ୍ଟ ହେବ ।ଆମେ ତ ଏପରି କରିଛେ,ଯେ କେହି କହିବା ସ୍ବାଭାବିକ କଥା।ଆଉ କିଛିଦିନ ପରେ ସବୁକିଛି ଠିକ୍ ହୋଇଯିବ।ଧର୍ଯ୍ୟ ରଖ।"ରେଖା ଏସବୁ ଶୁଣି ଚୁପ ରହିଯାଏ।ଦିନକୁ ଦିନ ଏହି କଷ୍ଟ ବଢୁଥାଏ।ଗୋଟିଏ ପଟେ ଶାଶୁଙ୍କର ଦୁଃବ୍ୟବହାର ଅନ୍ୟ ପଟେ ସ୍ମୃତିର ବିଚାର।ତେଣୁ ରେଖା ନିଜେ ଏସବୁର ପ୍ରତିଉତ୍ତୋର ଦେବାରେ ଲାଗିଲା।ଏହାର ସୁବିଧା ନେଇ ସ୍ମୃତିର ମାଆ ସ୍ମୃତି ମନରେ ରେଖା ପ୍ରତି ଭ୍ରାନ୍ତ ଧାରଣା ସୃଷ୍ଟି କରିବାରେ ସମର୍ଥ ହେଲେ।ସମୟ କ୍ରମେ ସ୍ମୃତି ରେଖାକୁ ଛୋଟରୁ ଛୋଟ କଥା ଲୁଚାଇବାରେ ଲାଗିଲା।ରେଖା ପ୍ରତି ପୂର୍ବ ପରି ଯତ୍ନବାନ ହେଲାନାହିଁ।

ଦୁଇଟି ଭିନ୍ନ ପରିବାରର ଭିନ୍ନ ମଣିଷ ଗୋଟିଏ ଛାତ ତଳେ ରହିଲେ ମତ ପାର୍ଥକ୍ୟ ହେବା ସ୍ବାଭାବିକ କଥା।ଏଭଳି ଛୋଟ ଛୋଟ କଥା କଟାକଟିରେ ସ୍ମୃତି ମାଆଙ୍କର ପ୍ରଚେଷ୍ଟା ଘୃତ ଭଳି କାର୍ଯ୍ୟ କରୁଥିଲା।ସ୍ୱାମୀ ସ୍ତ୍ରୀର ସମ୍ପର୍କ ମଧ୍ୟରେ ଯେତେବେଳେ ତୃତୀୟ ବ୍ୟକ୍ତିର ଅଭୁଦୟ ଘଟେ ବୁଝିବାକୁ ହୁଏ ଯେ ସମ୍ପର୍କର ସୂତାଖିଅଟି ଦୁର୍ବଳ ହେବାରେ ଲାଗିଛି।

ସମୟ ଏପରି ଆସିଲା ଯେ ଛୋଟ ଘଟଣାକୁ କେନ୍ଦ୍ର କରି ରେଖାର ଶାଶୂ ଶଶୁର ଉଭୟେ କଥାଟିକୁ ଛାଡପତ୍ର ପର୍ଯ୍ୟନ୍ତ ପହଞ୍ଚାଇ ଦେଲେ।ସ୍ମୃତି ମଧ୍ୟ ଏଥିରେ ସହମତି ପ୍ରକାଶ କରିଥିଲା।କୋର୍ଟରେ ଏହାର ମକଦ୍ଦମା ଚାଲିଥାଏ।ରାତି ପାହିଲେ କୋର୍ଟରେ ଛାଡପତ୍ରର ଶେଷ ଶୁଣାଣି ହେବ।ସେତେବେଳେ ରେଖା ୫ମାସର ଅନ୍ତଃସତ୍ଵା।ତେଣୁ ସ୍ମୃତିର ମନରେ କେଉଁଠି ନା କେଉଁଠି ରେଖା ପ୍ରତି ସମବେଦନା ସୃଷ୍ଟି ହେଉଥାଏ।ନିଜର ଅଜନ୍ମା ଶିଶୁ ପ୍ରତି ଦୁର୍ବଳତା ଆସୁଥାଏ।ସ୍ମୃତି ନିଜର ମାନସିକ ଭାରସାମ୍ୟ ହରାଇ ଘର ସାରା ରେଖାକୁ ଖୋଜିବାରେ ଲାଗିଲା।ଘର ଭିତରେ ରେଖାକୁ ନପାଇ ଛାତ ଉପରକୁ ଦୌଡ଼ିଲା।

ସ୍ମୃତି ଛାତରେ ପାଦ ଦେଉଦେଉ ଧୀର ପବନରେ ଭାସି ଆସୁଥିବା ଚିଠିର ହାଲ୍କା ମହକକୁ ଚିହ୍ନି ପାରିଲା।ବୁଝିପାରିଲା ରେଖାର ଉପସ୍ଥିତିକୁ।ଆଗକୁ ଯାଇ ରେଖାକୁ ତା'ର ଅତି ପ୍ରିୟ ଡାଏରୀ ସହ ଲୁହରେ ଭିଜୁଥିବାର ଦେଖିଲା ।ସେ ନିଜର ଭୁଲ ବୁଝିପାରୁଥିଲା।ରେଖା ପ୍ରତି କରିଥିବା ଅନ୍ୟାୟ ପାଇଁ ଅନୁତପ୍ତ ଥିଲା।ରେଖା ସ୍ମୃତିକୁ ଦେଖି ବସିବା ଜାଗାରୁ ଲୁହ ପୋଛି ଛିଡା ହୋଇଗଲା।ସ୍ମୃତି ରେଖାକୁ କୋଳାଗ୍ରତ କରି କହିଲା ,"ମତେ କ୍ଷମା କରିଦିଅ ରେଖା।ଏ ଚିଠି ର ମହକ ଶେଷ ହୋଇ ଆସିଲାଣି।କିନ୍ତୁ କଥା ଦେଉଛି ଆମ ସମ୍ପର୍କର ମହକ କୁ ଶେଷ ହେବାକୁ ଦେବିନି।"ରେଖା ଅଭିମାନ କରି ସ୍ମୃତି ପାଖରୁ ଚାଲି ଯାଉଯାଉ କହିଗଲା ,"ତଳକୁ ଆସିଲାବେଳେ ସେ ଡାଏରୀ ଆଉ ଚିଠି ସବୁକୁ ସାଇତି ନେଇଆସିବ।ଯେମିତି ଗୋଟିଏ ବି ଉଣା ନହୁଏ।"ସ୍ମୃତି ଚିଠି ସବୁକୁ ସଜାଡୁଥିବା ବେଳେ ଭାବୁଥିଲା ସତରେ କେତେବଡ ଅଘଟଣରୁ ଆମେ ଦୁହେଁ ରକ୍ଷା ପାଇଗଲୁ।କ୍ଷଣକର କ୍ରୋଧ,ତୃତୀୟ ବ୍ୟକ୍ତିର ହସ୍ତକ୍ଷେପ ସମ୍ପର୍କରେ ଫାଟ ସୃଷ୍ଟି କରିଦେଇଥାନ୍ତା।

କିଛି ଦିନ ପରେ ଉଭୟଙ୍କର କୋଳ ମଣ୍ଡନ କରି ଶିଶୁ କନ୍ୟାଟିଏ ଆସିଲା।ନାଁ ଦେଲେ ସ୍ମୃତିରେଖା।ତିନି ପ୍ରାଣୀକୁ ନେଇ ସମ୍ପର୍କର ସୂତାଖିଅଟି ସୁଦୃଢ଼ ହୋଇସାରିଥିଲା।

।।ଧନ୍ୟବାଦ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance