ସ୍ମୃତି ବଦ୍ଧ
ସ୍ମୃତି ବଦ୍ଧ
ଆଜି ଯିଏ ଝିଅ କାଲି ସିଏ ବୋହୂ, ବାପା, ମା, ପାଖରେ ରାଜକନ୍ୟା ହେଇକି ରହିଥିବା ଝିଅଟି କାଲି ବୋହୂ ହେଇ ଘରର ସମସ୍ତ କାର୍ଯ୍ୟ ସୁଚାରୁ ରୁପେ ସମ୍ପୁର୍ଣ୍ଣ କରେ । ଯିଏ ଠିକ୍ ଠାକ୍ କରି ପାରନ୍ତି ସିଏ ଭଲ ବୋହୂ, ଭଲ ଭାଉଜ, ଆଉ ଭଲ ସ୍ତ୍ରୀ, ଭଲ ମା ହେଇ ପାରନ୍ତି । ତାଙ୍କୁ ସମସ୍ତେ ଭଲ ପାନ୍ତି, ଆଉ ଯଥାଯୋଗ୍ୟ ସମ୍ମାନ,ସ୍ନେହ , ମମତା ସେ ସବୁ ପ୍ରାପ୍ତ କରନ୍ତି । କିନ୍ତୁ ଯିଏ ଅସମର୍ଥ ହୁଅନ୍ତି ସେ ସମସ୍ତି ଙ୍କର ଅପ୍ରିୟ ହୁଅନ୍ତି । ଦୁହିତା ଦୁଇ କୂଳକୁ ହିତା, ନାଇଁ ତ ଦୁଇ କୂଳକୁ ପିତା । ଝିଅ ବେଳେ ସମସ୍ତ କାର୍ଯ୍ୟରେ ସପକ୍ଷ କରୁଥିବା ବାପା ମା ବି ଏ ଅସମୟରେ ଝିଅ ର ସବୁ କାର୍ଯ୍ୟ ରେ ସହଯୋଗ କରନ୍ତି ନାହିଁ । କିନ୍ତୁ ସବୁ ମା ଉପରେ ଦୋଷ ଆସେ । ମା କିଛି ଶିକ୍ଷା ଦୀକ୍ଷା ନ ଦେଇ ବିବାହ କରାଇ ଦେଲେ ବୋଲି ମନ୍ତବ୍ୟ ଦିଅନ୍ତି ।
ଘର ସଂସାର ସମ୍ଭାଳିବା କିଛି କମ୍ କଥା ବି ନୁହେଁ । ସହଜସାଧ୍ୟ ନୁହଁ । ପାଦେ ପାଦେ ବିପଦ । କୋଉଠି ଶାଶୁ ରାଗି ବେ ତ କୋଉଠି ଫୁଲେଇ ନଣନ୍ଦ ରାଗି ପାଚି ଲାଲ , ତାଙ୍କୁ ନିଜ ମା ଭାବି ଶାଶୁଙ୍କୁ ନିଜର କରିବ ତ ନଣନ୍ଦ ଙ୍କୁ ନିଜ ଝିଅ ବେଳର ଅନୁଭୂତି ମନେ ପକାଇ ତାଙ୍କୁ ଆଦର କରିବ । ଦିଅରକୁ ସାନ ଭାଇର ସ୍ନେହ ଦବ । ଶଶୁର ଙ୍କ ମନ ଯାଣି ମେଡିସିନ୍ , ଖାଦ୍ୟ, ପାନୀୟ ଠିକ୍ ସମୟରେ ଦବ, ତାଙ୍କ କୋଠରୀ ପରିଷ୍କାର କରିବ, ସବୁ ଛୋଟ ଛୁଆଙ୍କ କାମ ପରି ତାଙ୍କର ସମସ୍ତ କାମ କରିବ । ସମସ୍ତ କାର୍ଯ୍ୟ କରି ସମସ୍ତିଙ୍କ ମନ ଯାଣି ଖାଦ୍ୟ ପେୟ ସମାନ ଭାବରେ ସମର୍ପିବ । ପାତର ଅନ୍ତର କେବେ କରିବ ନାହିଁ । ତେବେ ଭଲ ବୋହୂ ଆଉ ଭଲ ସ୍ତ୍ରୀ ହେଇ ପାରିବ ।
ମୀନା ଝିଅ ରୁ ବୋହୂ ହେଇକି ଯେତେବେଳେ ତାର ଶାଶୁ ଘରେ ପହଞ୍ଚିଲା ସେତେବଳେ ସେ ଗୋଟିଏ ଭଲ ସ୍ତ୍ରୀ ହେବ ଆଉ ଭଲ ବୋହୂ ହେବାର ସ୍ବପ୍ନ ଦେଖିକି ଯାଇଥିଲା । ମାଆ ଶିଖେଇଥିବା ସ୍ତ୍ରୀର କର୍ତ୍ତବ୍ୟ ମନେ ପକେଇଲା । ମା କହିଥିଲେ " ଗୋଟିଏ ସୁସ୍ତ୍ରୀ ତା'ର ସ୍ବାମୀଙ୍କୁ ସବୁ ପ୍ରକାରେ ଶ୍ରେଷ୍ଠ କରି ତୋଳିବ, ସ୍ବାମୀଙ୍କର ଦୋଷ ତୃଟିକୁ ନିଜ ବୁଦ୍ଧି ବଳରେ ସଂଶୋଧନ କରିବ, କାରଣ ଆଦର୍ଶ ସ୍ତ୍ରୀ କେବେ ବି ସ୍ବାମୀର ଅମର୍ଯ୍ୟାଦା ସହ୍ୟ କରି ପାରେନା । ସେ ସର୍ବଦା ଚାହିଁବ ତା'ର ସ୍ବାମୀଙ୍କୁ ପରିବାରରେ ସମସ୍ତେ ଭଲପାଆନ୍ତୁ ଆଉ ଶ୍ରଦ୍ଧା କରନ୍ତୁ । କିନ୍ତୁ ବେଳେ ବେଳେ ଏପରି ହୁଏ ତା'ର ସ୍ବାମୀ ଯୋଗୁଁ ପରିବାରରେ ଗୃହବିବାଦ ସୃଷ୍ଟି ହୁଏ । ସେତେବେଳେ ତା'ର କର୍ତ୍ତ୍ୟବ୍ୟ ସ୍ବାମୀଙ୍କୁ ବୁଝାଇ ସୁଝାଇ ଠିକ୍ ବାଟକୁ ଆଣିବା । ସ୍ବାମୀ ତାଙ୍କ ସ୍ଥାନରେ ଯେତେ ବି ଠିକ୍ ଥାଆନ୍ତୁ ନା କାହିଁକି, ପରିବାରର ଝଡ଼କୁ ଶାନ୍ତ କରିବା ପାଇଁ ସେ ତା'ର ସ୍ବାମୀଙ୍କୁ ସେଥିରୁ ନିବୃତ୍ତ କରାଇବ । ତା'ହେଲେ ତା'ର ସ୍ତ୍ରୀ ଧର୍ମ ସାର୍ଥକ ହେବ । କାରଣ ସେ କେବଳ ସ୍ବାମୀର ସ୍ତ୍ରୀ ନୁହେଁ, ବରଂ ସେ ଘରର କୁଳବଧୂ । ତା'ଉପରେ ପରିବାରର ସୁଖ ଶାନ୍ତି ନିର୍ଭର କରେ । ଗୋଟିଏ ଅସଜଡ଼ା ଘରକୁ ସଜାଡ଼ିବାରେ ତା'ର ବଧୂତ୍ବ ସାର୍ଥକତା ଲାଭ କରେ । ସ୍ବାମୀ ଯଦି ଅସତ୍ ହୁଅନ୍ତି, ତେବେ ତାଙ୍କୁ ନିଜର ସ୍ନେହ ଶ୍ରଦ୍ଧା ଦେଇ ତାଙ୍କ ମନକୁ ଜୟ କରି ତା'ଙ୍କୁ ସୁପଥକୁ ଫେରାଇ ଆଣିବା ତା'ର ପରମ କର୍ତ୍ତବ୍ୟ ହେବା ଉଚିତ୍ । ତାଙ୍କୁ ସଂଶୋଧନ କରି ପରିବାର ଆଉ ପରିଜନରେ ସୁପ୍ରତିଷ୍ଠା କରିବା ସତୀ ସ୍ତ୍ରୀର ଗୋଟିଏ ଉତ୍ତମ ଲକ୍ଷଣ ।ଏପରି କରି ଜଣେ ସ୍ତ୍ରୀ ତା'ର ପରିବାରରେ ସୃଷ୍ଟି ହୋଇଥିବା ଝଡ଼କୁ ଶାନ୍ତିର ଜଳ ଦେଇ ଲିଭାଇ ଦେଇ ପାରିବ " । ସେଇ କଥା ମନରେ ରଖି ମୀନା ତାର କର୍ତବ୍ଯ ସୁଚାରୁରୂପେ କରି ଚାଲିଲା ।
ଶାଶୁ ଶ୍ବଶୁର ମୀନା କୁ ବହୁତ ଭଲ ପାନ୍ତି । ମୀନା ମା ପାଖରୁ ପାଇଥିବା ସମସ୍ତ ସୁଶିକ୍ଷା କୁ ପାଳନ କରି ଭଲ ବୋହୂ ହେବାର ସୁଯୋଗ ସିନା ପାଇଗଲା, କିନ୍ତୁ ସ୍ବାମୀ ଙ୍କୁ ସନ୍ତୁଷ୍ଟ କରି ପାରେନାହିଁ । ସବୁ ସମୟରେ ଏମିତି କରନି ମା ରାଗିବେ, ସେମିତି କରନି ଦିଅର ଦୁଃଖ କରିବେ, ସେଇଟା କଲେ ନଣନ୍ଦ ମୁହଁ ଶୁଖେଇବେ, ସେମିତି କରନି, ଏଇ କଥା ଶୁଣି ଶୁଣି ପତି ମନୋଜ ମନେ ମନେ ଚିଡି ଯାଉଥିଲେ । ଭାବୁଥିଲେ ମୀନା ମୋ ସ୍ତ୍ରୀ ଅପେକ୍ଷା ସେମାନଙ୍କ ବୋହୂ ଅଧିକ ହେବାକୁ ଚେଷ୍ଟା କରୁଛି । ମତେ ବୋଧେ ପସନ୍ଦ କରୁନି । ଏ ପର୍ଯ୍ୟନ୍ତ ମୋ ସାମ୍ନାରେ ସିଧା ମୁଣ୍ଡ ଟେକିକି କଥା ହେଇନି କିନ୍ତୁ ତଳକୁ ଅନାଇ ସବୁ ଆସ୍ତେ ଆସ୍ତେ କହି ପକାଏ , ବେଳେ ବେଳେ ମିନା କୁ ବୁଝି ପାରେନି । ବୁଝି ବାକୁ ସମୟ ବି ନାହିଁ, ମୁଁ ବେଳେ ବେଳେ ଅପେକ୍ଷା କରେ କିଛି କଥା ହେବି, କିନ୍ତୁ କାମରୁ ସମୟ ମିଳିଲେ ତ ? ଆସିବ ରାତି ଏଗାର ବାର ଆଡକୁ, ପିନ୍ଧିବା ଶାଢି ଟି ଓଦା ହେଇଥିବ ବାସନ ମାଜିକି, ଡରି ଥରି ମୋ ପାଖରେ ପହଞ୍ଚି ଦେଖିବ ଆସ୍ତେ ଆସ୍ତେ ମୁଁ ଶୋଇଚି ନା ଚେଇଁଚି । ଏ ବିପର୍ଯ୍ୟସ୍ତ ଅବସ୍ଥା ଦେଖି ମୁଁ ବେଳେ ବେଳେ ଶୋଇ ବାର ବାହାନା କରି ଶୋଇଯାଏ । କେବେ କେବେ ରାଗି ଯାଇ ଏମିତି ଓଦା ହେଇ କଣ ଶୋଉଚ କହି ପାଟି ବି କରେ।
ଏଇ ଭାବରେ କେତେ ଦିନ ଚାଲିଗଲା । ମନୋଜ ଦିନେ ଅପରାହ୍ନରେ ଅଫିସ୍ ରୁ ଆସିବା ସମୟରେ ଅତି ଖୁସିରେ ଭଲ ଶାଢୀ ଆଉ ଚୁଡି ମିନାପାଇଁ ନେଇକି ଆସିଲେ । ଭାବିଲେ ବିଚରା ମୀନା ଆମ ଘରକୁ ସଜାଡିବା ପାଇଁ ନିଜର ସୁଖ ବଳି ଦାନ କରୁଛି । ଆଜି ଦରମା ଟଙ୍କାରୁ କିଛି ଖର୍ଚ୍ଚ କରି ତା ପାଇଁ ନାଲି ରଙ୍ଗର ଶାଢି ଖଣ୍ଡେ ଆଣିଛି । ତା ଗୋରା ଦେହକୁ ନାଲି ଶାଢି ବହୁତ ଭଲ ଲାଗିବ । ଆଉ ନାଲି ଚୁଡି ସେ ବହୁତ ଭଲପାଏ । କିନ୍ତୁ କେବେ ମୁହଁ ଖୋଲି କହିନି ମୋ ପାଇଁ ଆଣ ବୋଲି । ସେଦିନ ମୀନା ବଡ ଭାଇ ଭାଉଜ ଆସିଥିଲେ ଗୋଟିଏ ଭଲ କଟନ ନାଲି ଶାଢି ଆଣି ଥିଲେ ଆଉ ଚୁଡି ବି ଆଣିଥିଲେ । ଭାଉଜ କହିଲେ ମୋ ଫୁଲେଇ ମୀନା କୁ ନାଲି ଶାଢି ଆଉ ନାଲି ଚୁଡି ବହୁତ ପସନ୍ଦ । ହସି ହସି ମୀନା କହିଲା ହଉ, ମୁଁ କାଲି ପିନ୍ଧିବି । କହି ବହେ ଆଖି ପୁରାଇ ସେ ଶାଢି ଟିକୁ ଦେଖିଲା ଆଉ ଭାଉଜଙ୍କ କୋଳକୁ ଆଉଜି ଗଲା । ବହେ ଗେହ୍ଲା ହେଲା ଆଉ ଗେହ୍ଲା କଲା । ଭାଉଜ ପଳାଇଲେ । ମନୋଜ ମୀନାର ଭଲ ପାଇବା ଦେଖି ଟିକିଏ ଇର୍ଷା କଲେ । କେବେ ସ୍ତ୍ରୀ ର ଅଧିକାର ନେଇ ସେ କେବେ ମୋ ପାଖରେ ଏମିତି ଗେହ୍ଲା ହେଇନି । ସବୁ ସମୟରେ ମୁଁ ଯାହା କହିବି ସେ ତାହା ହିଁ କରିବ କଣ ଦର୍କାର କହିଲେ ମନା କରିବ । ମୋର ଭାରି ଇଛା ହେଉଥିଲା ତା ଭାଉଜ ଉପରେ ଢାଳି ହେଇଗଲା ପରି ମୋ ଉପରେ ଟିକିଏ ସେମିତି ଢଳି ପଡନ୍ତାନି ? ଗୋଟିଏ ବାହାନା କରି ଡାକ ମାରିଲି -" ମୀନା,ପାଣି ସରିଗଲା ଗୋଟିଏ ଜଗ ପାଣି ଆଣ କି ଆସ ତ" । ହଁ ନଉଚି କହି ମୀନା ବଦଳରେ ଭଉଣୀ ପାଣି ଆଣିକି ଆସିଲା ।
କହିଲା " ଭାଇନା ପାଣି ତ ଜଗ ରେ ଫୁଲ ଅଛି, ମୁଁ ପଛକୁ ଅନାଇ ଦେଖି କହିଲି ଆରେ ମୁଁ ଦେଖିନି ମ । ଭଉଣୀ ହସି ଦେଇ କହିଲା ହଉ ପାଣି ରହିଲା ପିଇବୁ । ଭାଉଜ ବୋଉର ମୁଣ୍ଡ କୁଣ୍ଢେଇ ଦେଉଛନ୍ତି ପାଞ୍ଚ ଦିନ ହେଲା କୁଣ୍ଡାଇ ନଥିଲା ବହେ ଜଟ । ଆଜି ଖାଇ ସାରିବା ପରଠାରୁ ସେଇ କାମ ରେ ଭାଉଜ ଲାଗିଛନ୍ତି । ମନମାରି ବସିଲି । ପୁଣି ଚା ସଂଧ୍ୟା ଟିଫିନ । ରାତ୍ରି ଭୋଜନ ଲାଗି ଗଲା ମୀନା । ସକାଳୁ ଉଠି କି ଆମ ବେଡ ରୁମ ଟା ସଫା ସୁତୁରା କରି ଦେଇ ଯିବ ଯେ ପୁଣି ରାତ୍ରି ବାର ,ବେଳେ ବେଳେ ମୁଁ ଶୋଇ ଥାଏ । ମୀନା ଶୋଇବା ଦେଖେନି କି ଉଠିବା ଦେଖେନି ।
ସେହିପରି ସେଦିନ ମନ ସ୍ନେହ ମନରେ ମଲା । ମୀନା ଆସିଲା ବେଳକୁ ମୁଁ ଶୋଇ ଯାଇଥିଲି । ସକାଳୁ ସକାଳୁ ଭଉଣୀ ମମତା ସେ ଶାଢୀ ଟିକୁ ପିନ୍ଧି ତା ଶାଶୁ ଘରକୁ ବାହାରିଲା । ମୁଁ ମୀନା ମୁହଁ କୁ ଚାହିଁଲି ମୋ ଆଖି ନାଲି ହେଇ ଗଲା, ଆଉ ଟିକିଏ ହେଇଥିଲେ ମୋ ପାଟିରୁ ବାହାରି ଯାଇଥାନ୍ତା ମମତା ତୋ ପାଇଁ ଯେଉଁ ଶାଢୀ ଆସିଥିଲା ପିନ୍ଧିଲୁନି ? ତୁ ତ ନିଜେ ଚୟନରେ ଆଣିଥିଲୁ ? ଭାଉଜ ଖୁସିରେ ଆଣି ଥିଲେ । ମୀନା ପାଇଁ ତୁ ସେଇଟା ନେଇ ଯାଉଛୁ ? କିନ୍ତୁ ମମତା ଆଗୁଆ କହିଦେଲା ମତେ ଭାଉଜଙ୍କ ଶାଢୀ ଟା ବହୁତ ଭଲ ଲାଗିଲା, ମୁଁ ନେଇ ଯାଉଛି । ମୀନା ହସି ହସି ମମତା କୁ ବଳେଇ ଦବାକୁ ରାସ୍ତା ଯାଏ ଆସି ମତେ କହିଲା ହେଇ ଶୁଣ ମ । ଆସିବା ସମୟରେ ମମତା ଙ୍କୁ କିଛି ଟଙ୍କା ଦବ । ସ୍ବାମୀଙ୍କର ଯେତେ ଥାଉ, ଭଉଣୀ ର ଭାଇ ଟଙ୍କାରେ ଅଧିକାର ବହୁତ । ମୁଁ ମମତା କୁ ଛାଡି ସିଧା ଭୁବନେଶ୍ବର ଘରକୁ ପଳାଇ ଆସିଲି । ଆଉ ସେଇ ଦିନୁ ଘରକୁ ଯାଇନାହିଁ ।
ଆଜି ମୀନା ର ଶୁଖିଲା ମୁହଁ ଟା ଦେଖାଗଲା । ଆଜି ଫୋନ୍ କରି ବାପା କହିଲେ "ମନୋଜ ତୁ ଦରମା ପାଇନୁ ମୋ ମେଡିସିନ୍ ସରିଗଲାଣି ଆଉ ଗୋଟିଏ ଦିନ ଯିବ ତା ପରେ କହିଲେ ବୋହୂ କଣ କଥା ହେବେ । ମୁଁ ଯାଣିଛି ମୀନା ବାପା ଙ୍କ ଫୋନ୍ ରୁ କେବେ ମତେ କିଛି କହିବନି । ସେଥିପାଇଁ ମୁଁ କହିଲି ହଁ ବାପା ମୁଁ ଆଜି ଯିବି । ଶାଢୀ ଆଉ ଚୁଡି ମୀନା ପାଇଁ ଆଣିଲି ଆସୁଥିଲି ଆଉ ଭାବୁଥିଲି, କିପରି ଧାତୁରେ ମୀନା ତିଆରି ? ମୁଁ ସପ୍ତାହକୁ ଥରେ ଯିବି କେବେ ଗୋଟିଏ ରାତ୍ରି ତ କେବେ ଦୁଇଟି ରାତ୍ରି । ନା ମୀନା ମୋ ବିଷୟରେ ଚିନ୍ତା କରେ ନା ତାର ଅସୁବିଧା ସୁବିଧା କିଛି କୁହେ, କହିବତ ଖାଲି କାହାକୁ କିଛି କୁହ ନାହିଁ । ମନ ଦୁଃଖ କାହାରି କରାଅନି, ବାସ୍ ଏଇ କଥା ଶୁଣି ଶୁଣି ମୁଁ ବୋର ହେଇ ଗଲେଣି, ଏମିତି ଭାବି ଭାବି ଘର କେତେବେଳେ ହେଇଗଲା ମୁଁ ଯାଣି ପାରିଲିନି ।
ସଂଧ୍ୟା ଦେଉଥିଲା ମୀନା । ତୁଳସୀ ଚଉରା ମୂଳରେ ବସି ମତେ ଚାହିଁ ଦେଇ ଟିକିଏ ହସି ଦେଲା । ବୋଉ ଦଉଡ଼ି ଆସିଲା କହିଲା ମୁଁ ଯାଣି ଥିଲି ବାପା ମେଡିସିନ୍ ପାଇଁ ମୋ ପୁଅ ନିଶ୍ଚୟ ଆସିବ । ବାସ୍ ଘରେ ପହଞ୍ଚିଲି ସବୁ ଦିନିଆ ପରି ମୁଣ୍ଡିଆ ଟିଏ ପକାଇ ମୀନା ଚାଲି ଗଲା ମୋ ପାଇଁ ଖାଇବା ଆଣିବାକୁ । ମୁଁ ସ୍ଥିର କରିଥିଲି କିଛି ଗୋଟାଏ ବାହାନା କରି ଆଜି ମୀନା କୁ ମୋ ପାଖରେ ବହୁତ ସମୟ ରଖିବି । ତେଣୁ ବୋଉକୁ ଫଳ ମେଡିସିନ୍ ଆଉ ଦରମା ଟଙ୍କାରୁ ଦଶ ହଜାର ଦେଇ କହିଲି ବୋଉ ମତେ ଭଲ ଲାଗୁନି ମୁଁ ମୋ ରୁମ୍ କୁ ଯାଉଛି । ମୀନା କୁ ସମୟ ହେଲେ କହିବୁ ମତେ ଖାଲି କ୍ଷୀର ଗୋଟିଏ ଗ୍ଲାସ ଦେଇଦବ ମୁଁ ଟିକିଏ ଗୋଡହାତ ଧୋଇ ଶୋଉଚି । ଆଲୋ ମୋ ପୁଅର କଣ ହେଲା କହି ବୋଉ ଆଉଁସି ପକାଇଲା । ମୀନା ମୋ ଆଡକୁ ଆସୁଥିଲା ମୁଁ ଉପର ଘରକୁ ପଳାଇ ଆସିଲି । ବୋଉ ଜୋରେ ପାଟି କରି କହିଲା ମୀନା ମୋ ପୁଅକୁ ଆଗେ କ୍ଷୀର ଗ୍ଲାସ ଦେଇକି ଟିକିଏ ତା ମୁଣ୍ଡ ଚିପି ଦେ । ଏବେ ସମସ୍ତେ ଖାଇଛନ୍ତି, ତୁ ଆମ ଚିନ୍ତା କର ନା ତ । ଆମେ ରାତି ରେ ମୁଢି କ୍ଷୀର ଖାଇ ଦବୁ ତୁ ଯା ଆଗେ ମୋ ପୁଅ କଥା ବୁଝୁ ।
ବାସ୍ ଖୁବ୍ କମ୍ ସମୟ ଭିତରେ ମୀନା ମୋ ପାଖରେ ପହଞ୍ଚି ଗଲା । କ୍ଷୀର ଗ୍ଲାସ ଟା ହାତ ରୁ ଗଳି ପଡିବ ନା କଣ , ଗୋଟାପଣେ ଥରୁଥିଲା । ମୁଁ ଧରି ନେଲି କ୍ଷୀର ଗ୍ଲାସ ଟା । ଯେମିତି ମତେ ପ୍ରଥମ ଦେଖୁଛି ସେମିତି ଚାହିଁ ରହିଥିଲା, ମୁଁ କହିଲି "ଏଇ ମୀନା କଣ ହେଲା ? ମୋ ଦେହ ଖରାପ ତୁମେ କାହିଁକି ଥରୁଚ ? ମୋ ପାଟିରୁ କଥା ସରିନି ଆଖିରେ ଆଖିଏ ଲୁହ ଭରି ଥିଲା ମିନା, ହଠାତ୍ ମୋ ଛାତି ଉପରେ ଢଳି ପଡିଲା, ଓଃ କି ଆତ୍ମତୃପ୍ତି । ଶାଢୀ ରୁ ଠାକୁର ଙ୍କ ଚନ୍ଦନ ବାସ୍ନା ଆସୁଥିଲା । ଆଜି ବୋଧେ ମୁଁ ମୀନାକୁ ସମ୍ପୁର୍ଣ୍ଣ ପାଇଲି । ମୋ ଛାତି ଭିଜିଗଲା ମୀନା ଆଖିର ଲୁହ ରେ ମୋର ପୁରୁଷ ପଣିଆ ଲୁହାର ଛାତି ଟା ଦୋହଲି ଗଲା । ମୁଁ ଦୁଇ ପାପୁଲିରେ ମୀନା ମୁହଁଟିକୁ ଉଠାଇ ଆଣି ତା ମଥାରେ ଗୋଟିଏ ସ୍ନେହ ର ଚୁମ୍ବନ ଦେଇ କହିଲି ମୁଁ ଭଲ ଅଛି, ତୁମେ ବ୍ୟସ୍ତ ହୁଅନାହିଁ । କିଛି ଶୁଣିବାକୁ ପ୍ରସ୍ତୁତ ନଥିଲା ମୀନା । ଆଖିରୁ ବୋହି ଚାଲିଛି ଅମାନିଆ ଲୁହ ଧାରା । ପାଟି ଖୋଲିଲା ମୀନାର । କାହିଁକି ଆଗରୁ ଆସିଲନି ? କଣ ପାଇଁ ଦେହ ଖରାପ ହେଲା ? କେବେ ଠାରୁ ଦେହ ଖରାପ ହେଲା ? ଆହୁରି କିଛି କହିବା ପୂର୍ବରୁ ମୁଁ ତା ମୁହଁକୁ ମୋ ହାତ ଆଙ୍ଗୁଠି ରେ ବନ୍ଦ କରି ଅଲଗା ଆଡେ ଭୁଲାଇ ଦେଇ କହିଲି ଆଜି ପୁଣି ଓଦା ? ପଛ ଘୁଞ୍ଚା ଦେଇ ମୀନା କହିଲା ନା ମ, ମୁଁ ଏଇ ସଂଧ୍ୟା ରେ ସଂଧ୍ୟା ଦେଉଥିଲି ଏବେ ଭଲ ଶାଢୀ ବଦଳି କି ଆସିଛି । ନିଅ ଆଗେ କ୍ଷୀର ପିଇ ଦିଅ, ମେଡିସିନ୍ ଖାଅ । ମୋର ଆଦୌ ଇଛା ନଥିଲା କ୍ଷୀର ଗ୍ଲାସ ଟା ପିଇ ବାକୁ,ବାଧ୍ୟ ହେଇ ପିଇଲି ।
ହଠାତ୍ ତଳୁ ସାନଭାଇ ଡାକିଲା ଭାଉଜ, ଚା ଅଛି କି ଟିକିଏ ମିଳିବ ? ବାସ୍ ସଙ୍ଗେ ସଙ୍ଗେ ହଁ ଯାଉଛି କହି ବାହାରି ପଡିଲେ । ସେଇ ସମୟରେ ମୁଁ ଜୋରରେ ଧରି ପକେଇଲି ମୀନା ହାତ । ଭିଡି ଆଣିଲି ମୋ ପାଖକୁ । ମୋ ଢଙ୍ଗଦେଖି ମୀନା ଯାଣି ନେଲା ମୋ ଦେହ ଭଲ ଅଛି । ମୋ ଦୁଇ ହାତକୁ ଧରି କହିଲା ତୁମେ ଠିକ୍ ଅଛ ନା ? ମା ଙ୍କୁ କହି କି ଆସୁଛି ତୁମେ ଭଲଅଛ ବୋଲି । ମୁଁ କହିଲି ଆଜି ମୋ ପାଖରୁ ହଲିବନି, ଯିବ ଯଦି ଯାଅ । ମୁଁ ଏବେ ଭୁବନେଶ୍ବର ପଳାଇବି ।
ବୋଉ ତଳୁ କହିଲା ନାଇଁ ମା ତୁ ଆସେ ନା ମୋ ପୁଅକୁ ଏକୁଟିଆ ଛାଡି କି, ତା ଦେହ ଭଲ ନାହିଁ । ମୁଁ ଚା କରି ଦଉଚି । ସେହିପରି ଛିଡା ହେଇଥିଲା ଆଉ ତଳକୁ ଚାହିଁ ଥିଲା ମୀନା । ମୁଁ ଆଣିଥିବା ଶାଢୀ ବଢ଼େଇ ଦେଲି ତା ହାତକୁ , ସେ ଦେଖି ଦେଇ ଅତ୍ୟନ୍ତ ଆନନ୍ଦିତ ହେଇ କହିଲା ମୁଁ ଯାଉଛି ଆକୁ ମା ଙ୍କୁ ଦେବି ସେ ବହୁତ ଖୁସି ହେବେ ? ମୁଁ ଟିକିଏ ରାଗି ଗଲି, ଆଉ କହିଲି ଯାଅ ମୁଁ ଏବେ ଭୁବନେଶ୍ବର ଯାଉଛି । ମୀନା କାନ୍ଦି ପକାଇଲା । କହିଲା ମୋ ପାଇଁ ଆଣିଲ ମା ଙ୍କ ର ନାହିଁ ? ମୁଁ କିପରି ପିନ୍ଧିବି, ମୋ ବୋଉ ମନା କରିଛନ୍ତି, କହିଛନ୍ତି ସମସ୍ତେ ତୋ ପାଇଁ ସମାନ । କାହାରି କୁ ପାତର ଅନ୍ତର କରିବୁନି । ମୁଁ କିପରି ଏକା ପିନ୍ଧି ବି ଯେ ? ମୁଁ ଲୁହ ପୋଛିଦେଲି ଆଉ କାନ ଧରି ମୀନାର ଗୋଡ ପାଖରେ ବସି ପଡିଲି କହିଲି ଆଜି ମୋ ର ବଡ ଭୁଲ୍ ହେଇଛି । ଆଉ ଏପରି ହବନି । ମୁଁ କାଲି ଯିବି ବୋଉପାଇଁ ଆଣିବି ପରେ ତୁମେ ପିନ୍ଧିବ ଯାଅ । ଏବେ ସମସ୍ତଙ୍କୁ ସମାନ ଭାବେ ଖାଇବାକୁ ଦବ । ଚାଲି ଗଲା ମୀନା ଶାଢୀ ଧରିକି । ମୁଁ ଉପରକୁ ଚାହିଁ ଚିନ୍ତା ରେ ପଡିଗଲି କଣ ଭାବିଥିଲି, ଆଉ କଣ ହଉଚି ।
ସମସ୍ତେ ଖାଇ ପିଇ ସାରିଲା ପରେ ମୋ ପାଇଁ ଖାଇବା ଧରିକି ଆସିଲେ । ବୋଉ କହିଲେ ମନୋଜ ଦେହ କିପରି ଅଛି ମା ? ମୁଁ ଡରି ଗଲି କାଳେ କହିଦେବ ମୁଁ ଭଲ ଅଛି ବୋଲି ? ନା କହିଲେ ଟିକିଏ ଭଲ ଲାଗୁଛି ଏବେ ମେଡିସିନ୍ ଖାଇବେ । ବାସ ଖାଇବା ପାଇଁ ଅଳ୍ପ ନେବି କହିଛନ୍ତି । ହଁ ଯା ଯା ଆଜି ବାପାଙ୍କୁ ମୋଡି ଦବା ଦର୍କାର ନାହିଁ । ତୁ ଯା । ମୁଁ ଅପେକ୍ଷା କରିଥିଲି, ଆସିବା କୁ । ଆସି ମତେ ଖାଇବାକୁ ଦେଲା ଆଉ କହିଲା ଖାଇ ନିଅ ମୁଁ ଟିକିଏ ଆସୁଛି, ଯାଇଛି ତ ଯାଇଚି । ମୁଁ ଖାଇ ସାରି ବାସନ ନିଜେ ଉଠାଇ ନେଲି ଦେଖିବା ପାଇଁ ମୀନା କୁଆଡେ ଗଲା । ବୋଉ ତ ମୋଡିବାକୁ ମନା କଲା । ସମସ୍ତେ ଶୋଇ ଗଲେଣି । କେହି ଦେଖାଯାଉ ନାହାନ୍ତି । ଆସିଲି ଖଟ ଉପରେ ବସି ଅପେକ୍ଷା କଲି । ଆଜି ଆସିଲେ ଗାଳି ଦେବି । ବୋଉ କଣ ଏଇ ଶିକ୍ଷା ଦେଇଛନ୍ତି, ସ୍ବାମୀ କଥା କିଛି ବୁଝିବନି । ନା ସେ ପିଲା, ମୋ ଅନ୍ତର କଥା କିଛି ବୁଝି ପାରୁନି ?
ରୁଣୁଝୁଣୁ ଶବ୍ଦ ମୋ କାନକୁ ପବିତ୍ର କଲା ମୁଁ ଦୁଆର ସାମ୍ନାରେ ଦେଖିଲି ମୀନା ଛିଡା ହେଇଛି, ମୁଁ ମୋ ଆଖିକି ବିଶ୍ୱାସ କରି ପାରିଲିନି । ସେଇ ନାଲି ଶାଢୀ ଆଉ ନାଲି ଚୁଡି । ଅଳ୍ପ ସଜେଇ ହୋଇ ଆସି କବାଟ ବନ୍ଦ କଲା, ବହୁତ ସୁନ୍ଦର ଦେଖା ଯାଉଥିଲା । ମୋ ପାଖରେ ବସି ପଡି କହିଲା ତୁମେ କାଳେ ମନ କଷ୍ଟ କରିବ ସେଥିପାଇଁ ମୁଁ ଆଜି ତୁମ କଥା ରକ୍ଷା କରି ଶାଢୀ ଟି ପିନ୍ଧି ଦେଲି । ମୁଁ ଚେଷ୍ଟା କରୁଥାଏ ମୀନା ର ମୁହଁଟିକୁ ଦେଖିବାକୁ କିନ୍ତୁ ସେ ତଳକୁ ଚାହିଁ କହୁଥିଲା, ମୁଁ ସିଧା ଖଟ ତଳକୁ ଓହ୍ଲାଇ ପଡି ଦୁଇ ବାହୁ ର ଆଶ୍ରୟ ନେଇ ମୀନା ଗୋଡ ଦୁଇ ଟିକୁ ଧରି ଛୋଟ ପିଲାଙ୍କ ପରି ହଲେଇ ଦେଲି ଆଉ କହିଲି, ମା କଣ ଖାଲି ଶାଶୁ ଶଶୁର ଆଉ ଦିଅର ନଣନ୍ଦ ଏଇ ମାନଙ୍କ ସେବା କରିବା ପାଇଁ ତୁମକୁ ଶିକ୍ଷା ଦେଇଛନ୍ତି ? ମୋ ଖୁସି କିଛି ବି କହି ନାହାନ୍ତି ? ଆସ୍ତେ ପାଟି ଖୋଲି କହିଲା ହଁ । କଣ କହିଛନ୍ତି ମୋ ବିଷୟରେ ? ତୁମେ ଏମିତି ମୋ ଗୋଡ ପାଖରେ ବସି ବାକୁ ମନା କରିଛନ୍ତି ଆଗେ ଉପରକୁ ଆସ । ମୀନା ସେଦିନ ପ୍ରଥମ ଥର ମୋ ଖୁସି ମତେ ଅର୍ପଣ କଲା । ସିଧା ତାର ନିଜସ୍ୱ ଶରୀର ଭାବି ମୋ ଉପରେ ନିଜକୁ ଢାଳି ଦେଲା । ଆଉ କହିଲା ତୁମକୁ ଖୁସି ରଖିବା ପାଇଁ ମତେ କହିଛନ୍ତି । ମୋ ଛାତି ଉପରେ ଶୋଇ ସେ କହୁଥିଲା । ମୁଁ ତା ମୁହଁକୁ ଚାହିଁ ଥିଲି । ସତରେ ବହୁତ ସୁନ୍ଦର ଲାଗୁଥିଲା ସେ ଆଉ ତାର କଥା । ମୁଁ ଆତ୍ମ ସନ୍ତୁଷ୍ଟ ପାଉଥିଲି ତା ମୃଦୁ ସ୍ପର୍ଶରେ ଆଉ ଅନୁଭବ କରୁଥିଲି ମୁଁ ଯାହାକୁ ଭୁଲ ବୁଝୁଥିଲି, ସେଦିନ ସେ ମୋ ମନକଥା ବିନା କଥା ରେ ଜାଣି ଯାଇ ଥିଲା । ସତରେ ମୀନା ସୁନ୍ଦର ଯେମିତି ବୁଝିବା ବାଲା ବି ସେମିତି । ସେଦିନ ମତେ ଦୁନିଆ ର ସମସ୍ତ ସୁଖ ପ୍ରାପ୍ତ ହେଇଥିଲା । ମୁଁ କହିଲି "ମୀନା ସତରେ ତୁ କେତେ ସୁନ୍ଦର ? ମୁଁ ଆଜି ଯାଣି ପାରିଲି " ମୁଁ ଆସିଲେ ମୋ ପାଖରେ ଏମିତି ଆସିବୁ । ସେମିତି କାମବାଲି ହେଇକି ଆସିବୁନି, ଟିକିଏ ମନ ଦୁଃଖ କରି କହିଲା, ଚାଷବନ୍ଦୀ ଘର, କାମ ଟିକିଏ ଅଧିକ, କାହାକୁ କହିବି ସବୁ ତ ମୋର । କାମ ସାରି ଆସିଲା ବେଳକୁ ତମେ ଶୋଇ ଯାଇ ଥାଅ । ନାଇଁ ତ ମୁଁ ଯାଣିଛି ତୁମକୁ କିପରି ଖୁସି କରିହବ ।
ମୁଁ ପିଇ ଯାଉଥିଲି ତାର ସେ ଗୋରା ଗୋରା ମୁହଁ ରୁ ସୁନ୍ଦର କଥା ସବୁ । ସେ ହଲାଇ ଦେଇ କହିଲା ଏମିତି କଣ ଚାହିଁଚ ? ମତେ ଲାଜ ଲାଗୁଛି, ମୁଁ କହିଲି ମୋ ମୀନା କେତେ ସୁନ୍ଦର ସତରେ ମୁଁ ଆଜି ଯାଏ ଦେଖି ନଥିଲି । ମୀନା କହିଲା "ନା ତୁମେ ଆଜି ମତେ ଭଲ ପାଇଲ ଆଗରୁ ପାଇ ନଥିଲ କାହିଁକି ନା ଯିଏ ଯାହାକୁ ଯେତେ ଭଲ ପାଏ ସେ ତାକୁ ସେତେ ଅଧିକ ଆକର୍ଷଣୀୟ ଆଉ ସୁନ୍ଦର ଲାଗେ । ମୁଁ ମୀନାକୁ ଚିଡାଇ ବାକୁ ଯାଇ କହିଲି "ଏ କଥା ବି ମା ଶିଖାଇଛନ୍ତି ? ମୀନା ମୋ ଛାତି ରେ ମୁହଁ ଗୁଞ୍ଜି ଦେଇ ତାର ଦୁଇ ହାତରେ ମୋ ମୁଣ୍ଡ ଚୁଟି କୁ ଆଲୁରା କରି କହିଲା "ନା ଇୟେ ହେଲା ସ୍ତ୍ରୀ ଧର୍ମ ର ତତ୍ତ୍ୱ " ସ୍ତ୍ରୀ ଯେତେ ନିକଟତର ହେବ ସେତେ ସୁନ୍ଦର ଦିଶିବ । ସେଦିନ ହସ ଖୁସିରେ ରାତିଟି କଟିଗଲା । ସତରେ ସ୍ତ୍ରୀ ଧର୍ମ ରେ ମୀନା ସେଦିନ ସମ୍ପୂର୍ଣ୍ଣା ହେଲା ।

