ସମ୍ପର୍କର ଦୁଇ ପାର୍ଶ୍ଵ
ସମ୍ପର୍କର ଦୁଇ ପାର୍ଶ୍ଵ
ଆଜି ସୁଜିତ ବାବୁଙ୍କ ଘର ପୁରା ସୁସଜ୍ଜିତ ହୋଇଛି। ନାନା ପ୍ରକାରର ବ୍ଯଞ୍ଜନ ରୋଷେଇ ଚାଳିଛି। ଗୋଟିଏ ଫୋନ ଆସିଲା। ସୁଜିତ ବାବୁ ଫୋନରେ କଥା ହେଇ ବ୍ୟସ୍ତ ହୋଇ ସ୍ତ୍ରୀ ସୁମନଙ୍କୁ ଡାକିଲେ।
ସୁଜିତ ବାବୁ: ସୁମନ ସବୁ ବ୍ୟବସ୍ଥା ଠିକ୍ ଠାକ୍ ହେଲାଣି ତ।
ସୁମନ : ହଁ ସବୁ ପୁରା ପ୍ରସ୍ତୁତ।
ସୁଜିତ ବାବୁ : ଆଉ ଆମ ଲୀନା?
ସୁମନ : ସେ ବାହାରୁଛି।
ସୁଜିତ ବାବୁ : ସେ ବାହାରୁଛି ମାନେ ଏ ଯାଏଁ କଣ ସେ ସଜବାଜ ହୋଇ ନାହିଁ।
ସୁମନ : ଆରେ ଆଜିକାଲିର ଝିଅ। ସଜବାଜ ହେବାରେ ତ ସମୟ ଲାଗିବ ନା ତାପରେ ତୁମେ ତ ଜାଣ ସିଏ ଏବେ ଏ ସବୁ ପାଇଁ ପ୍ରସ୍ତୁତ ନ ଥିଲା। ରମେଶ ବାବୁ ସୁଜିତ ବାବୁଙ୍କ ସାନ ଭଉଣୀ ରୀନାଙ୍କ ସ୍ୱାମୀ ଏତେ ଭଲ ପ୍ରସ୍ତାବ ଦେଇ ଥିବାରୁ ମାଆ ତାକୁ ରାଣ ନିୟମ ଦେଇ ରାଜି କଲେ। ସକାଳଠାରୁ ତାର କନ୍ଦାକଟା ଚାଳିଥିଲା। ଏବେ ରୀନା ଆସି ତାକୁ ବୁଝାଇ ବାହାର କରୁଛନ୍ତି।
ସୁଜିତ ବାବୁ : ହଉ ହଉ ଟିକେ ଜଳଦି କର। ରମେଶ ବାବୁ ସେମାନଙ୍କୁ ନେଇ ଆଉ କିଛି ସମୟ ମଧ୍ୟରେ ପହଞ୍ଚିବେ।
ସୁମନ : ହଁ ହଁ। ତୁମେ ବ୍ୟସ୍ତ ହୁଅ ନାହିଁ। ଲିନା ତ ନିଜେ ବେଶୀ ସଜବାଜ ହୁଏ ନାହିଁ। ତେଣୁ ମୁଁ ତନୁ ( ସୁଜିତ ବାବୁ ଓ ସୁମନଙ୍କ ସାନ ଝିଅକୁ ) କହିଛି।
ସୁମିତ୍ରା ଦେବୀ ( ସୁଜିତ ବାବୁଙ୍କ ମାଆ ) ଆସି କହିଲେ ହଁ ଠିକ୍ ଅଛି। ହେଲେ ତନୁକୁ ପୁଅଘର ସାମ୍ନାକୁ ଆସିବା ପାଇଁ ମନା କରିବୁ।
ସୁମନ କହିଲେ ହଁ ମାଆ ମୁଁ ତନୁକୁ ବୁଝାଇ ଦେଇଛି।
ସୁଜିତ ବାବୁ : ଆମ ପୁଅ ମନୁ କାହିଁ?
ସୁମିତ୍ର ଦେବୀ : ମୁଁ ତାକୁ ପୁଅଘର ଲୋକଙ୍କ ସ୍ୱାଗତ ପାଇଁ ଫୁଲ ଆଣିବା ପାଇଁ ପଠାଇଛି। ଏତେ ବଡ ପରିବାରରୁ ପ୍ରସ୍ତାବ ଆସିଛି। ଏଥର ଯେମିତି ଆଗଥର ପରି ଏ ପ୍ରସ୍ତାବ ତୁମ ଗେଲ୍ହି ଲୀନା ନ ଭାଙ୍ଗୁ। ଏଥର ଭାଙ୍ଗିଲେ ମୋ ଠାରୁ ଆଉ ଖରାପ କେହି ହେବେନି।
ସୁମନ : ନା ମାଆ ମୁଁ ତାକୁ ବୁଝାଇ ଦେଇଛି। ଆଉ ସେ ସେମିତି କରିବ ନାହିଁ। ତାପରେ ପୁଅଘର ବି ତ ତାକୁ ବିବାହ ପରେ ପଢାଇବା ପାଇଁ ରାଜି ନା।
ସୁମିତ୍ରା ଦେବୀ : ଭାଗ୍ୟରେ ଥିଲେ ଏମିତି ଘରେ ବୋହୂ ହେବାର ସୁଯୋଗ ମିଳେ। ମୋ ଝିଅ ଜୁଆଇଁ ପରା ଏ ପ୍ରସ୍ତାବ ଶୁଣି ପୁଅ ଘରକୁ ଆମ ଲିନା କଥା କହିଲେ। ପୁଅଘର କେତେ ଭଲ ପରା। ନହେଲେ ସେମାନଙ୍କ ପାଖରେ ମୋ ଜୁଆଇଁ କାମ କରୁଛି। ସେମାନେ କଣ ଆମ ଘରେ ସମ୍ପର୍କ ବାନ୍ଧିବା ପାଇଁ ରାଜି ହୋଇ ଥାଆନ୍ତେ!
ସୁଜିତ ବାବୁ : ହଁ ମାଆ ଯାହା କହିଲ ପୁରା ଠିକ କହିଲ। ହଉ ଦେଖିଲ ମାଆ ଲିନା ରେଡି ତ?
ଆଉ ସୁମନ ପୁଅଘର ସ୍ୱାଗତ ପାଇଁ ରେଡି ହେଇଯାଅ। ସେମାନେ ଆସି କି କେତେବେଳେ ବି ପହଞ୍ଚି ଯିବେ।
ସୁମିତ୍ରା ଦେବୀ ଡାକ ପକାଇ ପକାଇ ଚାଲିଲେ ଲୀନା ରୁମ ଆଡକୁ। ଲୀନା ଆଲୋ ଲୀନା.....ବାହାରିଲୁଣି କି ନା ବା।
ତନୁ ଲୀନାର ରୁମ କବାଟ ଖୋଲି କହିଲା ଆଲୋ ଜେଜେମା ସୁମିତ୍ରା ଦେବୀ) ଏତେ ବ୍ୟସ୍ତ ହେଉଛୁ କେନେ ବା। ଆଜି ତ ପୁଅଘର ପ୍ରଥମ ଥର ପାଇଁ ଦେଖିବାକୁ ଆସୁଛନ୍ତି। ମୋତେ କିନ୍ତୁ ଲାଗୁଛି ଯେମିତି ତୁ ଆଜି ହିଁ ମୋ ନାନୀକୁ ( ଲୀନା) ବିଦା କରି ଦେବୁ।
ସୁମିତ୍ରା ଦେବୀ : ଆଲୋ ହୁଣ୍ଡି। ପୁଅଘର ଲିନାର ଫୋଟୋ ଦେଖି ହଁ ମାରିଛନ୍ତି। କେବଳ ପୁଅ ଥରେ ଲୀନାକୁ ଦେଖି ହଁ କହିଲେ ମାସେ ଭିତରେ ପରା ବାହାଘର ହେବ। ତୁ ( ତନୁକୁ) ଛାଡ ନା। ମୋ ଲୀନା କାହିଁ?
ଲୀନା ଜେଜେମାଙ୍କୁ ପଛ କରି ଛିଡ଼ା ହୋଇଥାଆନ୍ତି। ଆଖିରୁ ଲୁହ ବହି ଯାଉଥାଏ।
ରୀନା ( ଲୀନାର ପିଉସୀ) : ଦେଖ୍ ନା ମାଆ ଏତେ ସୁନ୍ଦର ଶାଢୀ ପିନ୍ଧି ସଜବାଜ ହେଇଛି। ହେଲେ କାନ୍ଦି କାନ୍ଦି ନିଜ ମେକ୍ ଅପ୍ ଖରାପ କରୁଛି।
ସୁମିତ୍ରା ଦେବୀ ଯାଇ ଲୀନାକୁ ନିଜ ଆଡକୁ ମୁହଁ କରାଇ ଆଁ କରି ରହିଗଲେ। ଆଜି ଲୀନା କି ସୁନ୍ଦର ଦେଖା ଯାଉଛି। ଯେମିତି ସ୍ୱର୍ଗର ପରିଟିଏ। ହଳଦିଆ ସିଲ୍କ ଶାଢୀରେ ଗୋଲାପି ରଙ୍ଗର ବୋର୍ଡର।ତା ସହ ଗଜରା ମୁଣ୍ଡରେ। ଶାଢୀ ସହ ମ୍ୟାଚିଂ ଚୁଡି, ହାର କାନଫୁଲ। ଆଉ ଲୀନା ବି ତ ଏମିତି ବି ଦେଖିବା ପାଇଁ ସୁନ୍ଦର। ପୁରା ହଳଦୀ ବସନ୍ତ ପରି ଗୋରୀ.... ଆଖି ଦୁଇଟି ଟଣା ଟଣା। ଓଠ ତ ଗୋଲାପ କଢି।
ରୀନା : ମାଆ କଣ ହେଲା। ଚୁପ୍ ହୋଇଗଲୁ ଯେ।
ସୁମିତ୍ରା ଦେବୀ : ଆଲୋ ଆଲୋ ତା ମୁଣ୍ଡରେ କଜଳ ଲଗାଅ ରେ। ତାକୁ ନଜର ନ ଲାଗି ଯାଉ। ଏ ହୁଣ୍ଡି (ଲୀନା) ତୁ କାନ୍ଦି କାନ୍ଦି ଆଖି ତାକୁ ଲାଲ କରି ସାରିଲୁଣି ଯେ। ତୋ ଶାଶୁଘର ପାଖରେ ପରା ତୋ ପିଉସୀ ଥିବ। କିଛି ଅସୁବିଧା ହେଲେ ସେ କଣ ତ କଥା ବୁଝିବ ନାହିଁ।
ଲୀନା ଯାଇ ଜେଜେମାଙ୍କୁ ଜାକି ଧରି କାନ୍ଦିବା ପାଇଁ ଲାଗିଲେ।
ଠିକ୍ ସେହି ସମୟରେ ମେଘା ଲୀନାର ପିଲା ଦିନର ସାଙ୍ଗ ଆସି ପହଞ୍ଚିଲେ।
ମେଘାକୁ ଧରି ଲୀନା ଆହୁରି ଜୋରରେ କାନ୍ଦିବା ପାଇଁ ଲାଗିଲେ।
ମେଘା : ଆଲୋ ଏତିକି କାନ୍ଦ। ବାହାଘର ବିଦା ପାଇଁ କିଛି ରଖିବୁ ନା ଆଜି ସାରିଦେବୁ।
ଜେଜେମା : ମେଘା ତୁ ତୋ ଭଲ ସାଙ୍ଗ। ଆଜି ଭଳି ଦିନରେ ଏତେ ଡେରି।
ମେଘା : Sorry sorry ଜେଜେମା। ତୁମେ ତ ଜାଣ ବାପା ଗଲା ( ଆଉ ନାହାଁନ୍ତି) ପରେ ମୁଁ ପଢା ଅଧାରୁ ଛାଡି କି ଚାକିରୀ କରୁଛି। ଆଜି କାଲି ଗୋଟିଏ ମିଟିଂ ଥିଲା।ତାକୁ ସାରି ଆଉ ରାତିରେ ଆସି ପାରିଲି ନାହିଁ। ଆଜି ସକାଳୁ ଆସି ପହଞ୍ଚିଲି। ମୋ ସାଙ୍ଗର କଥା ନ ଆସିକି କି ରହି ପାରିବି।
ଠିକ୍ ଏତିକି ବେଳେ ଗାଡି ହରନ ବାଜିଲା। ଜେଜେମା କହିଲେ ପୁଅଘର ଆସିଗଲେ। ମୁଁ ଯାଏ ତଙ୍କୁ ସ୍ୱାଗତ ପାଇଁ। ଲୀନା ତୁ କାନ୍ଦ ବନ୍ଦ କରି ରେଡି ହେଇ ଯାଆ। ତନୁ ଆଉ ମେଘା ପୁଅଘର ଲୀନାକୁ ନ ଦେଖି ସାରିବା ଯାଏଁ କେହି ପୁଅଘର ସାମ୍ନାକୁ ଯିବ ନାହିଁ।
ସୁମିତ୍ରା ଦେବୀ ଲୀନାର ରୁମରୁ ବାହାରି ତଳକୁ ଗଲେ ପୁଅଘରର ସ୍ୱାଗତ ପାଇଁ। ତନୁ ଝରକା ବାଟେ ବାହାରକୁ ଲୁଚି ଲୁଚି ଦେଖୁଥାଏ। ତିନୋଟି ଗାଡି ଆସି ଲାଗିଲା। ପୁଅଘର ବହୁତ ଧନୀ ବୋଲି ଜଣା ପଡୁଥାଆନ୍ତି। ପାଖାପାଖି ପନ୍ଦର ଜଣ ଲୋକ ଆସିଛନ୍ତି। ସୁଜିତ ବାବୁ ଓ ଜେଜେମା ଯାଇ କରି ସେମାନଙ୍କୁ ସ୍ୱାଗତ ଜଣାଇ ଭିତରକୁ ପାଛୋଟି ନେଲେ। ମନୁ ସମସ୍ତଙ୍କୁ ଫୁଲ ଦେଇ ସ୍ୱାଗତ ଜଣାଇଲା।
ଗାଡିରୁ ତିନି ଜଣ ଟୋକା ଓହ୍ଲାଇଲେ। ଜଣେ ପୁରା ଗୋରା ହେଇ କି ହିରୋ ଭଲି ଦେଖିବା ପାଇଁ। କୁଞ୍ଚକୁଞ୍ଚିଆ ବାଳ। ଆଉ ଜଣେ ଟିକିଏ ଦେଖିବା ପାଇଁ ସୁନ୍ଦର ହେଲେ ମୁହଁ ଟିକିଏ ଝିଅ ପରି। ସେ କାନରେ ଛୋଟ କାଫୁଲ ରିଙ୍ଗ୍ ମଧ୍ୟ ପିନ୍ଧିଛନ୍ତି ଏବେର ପୁଅମାନଙ୍କ ଷ୍ଟାଇଲ। ଆଉ ଜଣେ ସେ ଦୁହିଁଙ୍କ ଠାରୁ ଟିକେ କମ ବୟସର ଜଣା ପଡୁଥାଏ। ଦେଖିବା ପାଇଁ ଠିକ୍ ଠାକ୍। ତନୁ ଆଉ ଜାଣି ପାରୁ ନ ଥାଏ ଯେ ତା ଭଉଣୀକୁ ଦେଖିବା ପାଇଁ କିଏ ଆସିଛି। ଗାଡିରୁ ଓହ୍ଲାଇଲା ପରେ ଗୋଟିଏ ସ୍ତ୍ରୀ ଲୋକ ଆସି ତାର କୁନି ଝିଅକୁ ତିନି ନମ୍ବର ଟୋକାକୁ ଦେଲା। ଚାଳିଚଳନରୁ ଜଣା ପଡୁ ଥାଏ ଯେ ସେ ସ୍ତ୍ରୀ ଲୋକ ଆଉ ସେ ଟୋକା ହେଉଛନ୍ତି ସ୍ୱାମୀ ସ୍ତ୍ରୀ ଆଉ କୁନି ଝିଅଟି ତାଙ୍କର ସନ୍ତାନ। ସମସ୍ତେ ଭିତରକୁ ଆସିଲେ।
ସେପଟେ ଲୀନା ମେଘାଙ୍କୁ କୁଣ୍ଢାଇ ଧରି କହୁ ଥାଆନ୍ତି ତୁ ତୋ ଜାଣୁ ମୁଁ ଏ ବାହାଘର ପାଇଁ ରାଜି ନ ଥିଲି। କାରଣ ବି ତୁ ଜାଣୁ। ହେଲେ ଘରେ ସବୁ ମୋତେ ବାଧ୍ୟ କଲେ ବିବାହ ପାଇଁ।
ମେଘା : ମୁଁ ଜାଣେ। ହେଲେ କିଛି କଥା ଆମ ହାତରେ ନ ଥାଏ। ପରିସ୍ଥିତି ଆମକୁ କରିବା ପାଇଁ ବାଧ୍ୟ କରିଥାଏ।
ଲୀନା : ତୁ ଚାକିରୀ ପାଇଁ ଯିବା ପରେ ମୁଁ ପୁରା ଏକା ହୋଇ ଯାଇଛି।ବାପା ମାଆ କି ଜେଜେମା ମୋ କଥା ଶୁଣିଲେ ନାହିଁ। ତୁ ଏଠି ଥିଲେ ସେମାନଙ୍କୁ ବୁଝାଇ ପାରିଥାଆନ୍ତୁ।
ମେଘା : ତୁ ବ୍ୟସ୍ତ ଜମା ନ ହୋଇ କାନ୍ଦ ବନ୍ଦ କର। ତୋ ଶାଶୁଘର ଘର ପରା ମୁଁ ଯେଉଁ ସହରରେ କାମ କରୁଛି ସେଇଠି ବୋଲି ଶୁଣିଲି। ତୋର ମୋର ତ ସେଠି ପ୍ରାୟ ଦେଖା ହେବ। ତୋତେ ଭଲ ନ ଲାଗିଲେ ମୋତେ ଡାକିବୁ। ମୁଁ ଯିବି ତୋ ପାଖକୁ ନ ହେଲେ ତୁ ମୋ ରୁମକୁ ଆସିବୁ। ଆମେ ଆଗ ଭଲି ପାଖରେ ରହି ପାରିବା, ବୁଲିବା, କଥା ହେବା ଆଉ କଣ ଦରକାର ତୋର
ଲିନା ଫିକ୍ କି ନା ହସି ଦେଲେ।
ସେହି ସମୟରେ ତନୁ ଭିତରକୁ ଆସିଲା ଆଉ ଚିଡାଇ କହିଲା ତୁମ ଦୁଇ ଜଣଙ୍କ ପ୍ରେମ ସେତିକି ଥାଉ। ନ ହେଲେ ମୋ ଜିଜୁ କଣ କରିବେ ବା। ନାନୀ ଲୀନା ଦୁଇ ଜଣ ଟୋକା ଅଛନ୍ତି। ଦୁଇ ଜଣ ଦେଖିବା ପାଇଁ ବହୁତ ସୁନ୍ଦର। ହେଲେ ମୁଁ ଜାଣି ପାରୁ ନାହିଁ ତୋର କିଏ?
ଲୀନାକୁ ହସାଇବା ପାଇଁ ଆହୁରି କହିଲା ତୋ ଲୋକକୁ ଛାଡି ଦେଇ ଆରଟା ସହ ମୁଁ ଲାଗି ଯିବି କି!
ଲୀନା : ତୋର ଏ ଚିଡେଇବା ପ୍ରକୃତି ଯିବ ନାହିଁ। ସେଇଠି ପାଇଁ ଜେଜେମା ତୋତେ ଗାଳି କରେ ନା।
ଏତିକି ବେଳେ ରୀନା ପିଉସୀ ସହ ଦୁଇ ଜଣ ମାନୀ ଆଉ ଧାନୀ ଲୀନା ରୁମକୁ ଆସିଲେ।ମାନୀ ବିବାହିତା। ରୀନା ପିଉସୀ ଲୀନାଙ୍କୁ କହିଲେ ଏମାନେ ତୋର ନଣନ୍ଦ ହେବେ।
ରୀନା ଚମକି ଉଠି ଛିଡ଼ା ହେଲେ ଆଉ ନମସ୍କାର କଲେ।
ଧାନୀ କହିଲେ ଭାଉଜ ଆମେ ପରା ସାନ ହେବୁ।ନମସ୍କାର କଣ କରୁଛ ମ।
ସେତିକି ବେଳେ ସୁମନ ଆସି କହିଲେ ରୀନା ଲୀନାକୁ ନେଇ ତଳକୁ ଆସ। ତଳେ ତାକୁ ଦେଖିବା ପାଇଁ ଡାକୁଛନ୍ତି। ସେ ଚାହା ନେଇ ଯିବ।
ଲୀନା ନର୍ଭସ ଜଣା ପଡୁଥାଆନ୍ତି।
କ୍ରମଶଃ
