ସମ୍ପର୍କର ଡୋର
ସମ୍ପର୍କର ଡୋର
ମୋର ନିଃସଙ୍ଗତା ଭଙ୍ଗ କରୁଥିଲେ ବରଷାରଟୋପାଗୁଡିକ। ଛାତର ପାରାପେଟ୍ ଉପର ଦେଇ ଗଛ ଗୁଡିକ ଊଙ୍କି ମାରୁଥିଲେ। ସତେ ଯେମିତି କହୁଥୁଲେ ବର୍ଷାକୁ କଣ ଡରୁଛୁ? ଚାଲ୍ ଖେଳିବା ।ଆଉ କିଛିଦୂରରେ ବାରିସ୍ନାତ ସୁଉଚ୍ଚ ଅଟ୍ଟାଳିକା ସବୁ ଅଧିକ ଉଜ୍ଜ୍ବଳ ଦିଶୁଥିଲେ । ଏକାକି ବଗଟିଏ ଗଛରେ ବସି ତା ପକ୍ଷୀ ଝାଡିବାର ଉପକ୍ରମ କରୁଥିଲା। ଅପେକ୍ଷାରତ ଥିଲା ତା ସାଥୀ ମାନଙ୍କୁ୍। ସେମାନଙ୍କ ଭିତରୁ କିଏ ନ ଆସିବା ଦେଖି ପୁଣି ଫେରିଆସିଲା ନିଜର ନୀଡଟିକୁ । ଝିପ୍ ଝିପ୍ ଶବ୍ଦଟା ନିରବତା ସହିତ ସାଲିସ୍ କରିସାରିଥିଲେ । ମୁଁ ହଜିଯାଇଥିଲି ମୋ ଭାବନା ରାଜ୍ଯରେ। ହଠାତ୍ ନିରବତା ଭଙ୍ଗକଲା ଓମଫେଡ୍ ଗାଡିଟା , ଫେରିଆସିଲି ବାସ୍ତବତାକୁ । ଦେଖିଲି ପୂର୍ବଦିଗରୁ ଚାଲିଆସୁଛନ୍ତି ସୂର୍ଯ୍ଯଦେବ, ଅପସରି ଯାଉଛି ବର୍ଷା । ମୋ ସ୍ବପ୍ନାଳୁ ଆଖିଟା ଚମକି ପଡି ଘଡିକୁ ଚାହିଁ ଦେଖିଲା ସମୟ ସାତଟା ଚାଳିଶ।
ଏକଦା ଏଇ ସାତଟା ଚାଳିଶ ମୋ ପାଇଁ ଗୋଟିଏ ମନେରଖିବାର ସମୟଥିଲା । ସବୁଦିନ ଅନୀଲ ଓ ଅନନ୍ୟା ଙ୍କୁ ନେଇ ସ୍କୁଲ ବସ୍ ପାଖରେ ଛାଡ଼ିବାକୁ ପଡେ । ଭୋର ୪ ଟା ପାଖାପାଖି ଉଠି ନିତ୍ୟକର୍ମ ସାରି,ଟିଫିନ୍ ଓ ଖାଇବା ପ୍ରସ୍ତୁତ କରେ , ପିଲାମାନଙ୍କୁ ଉଠେଇ ସେମାନଙ୍କୁ ମଧ୍ୟ ପ୍ରସ୍ତୁତ କରିବାକୁ ପଡେ। ତାପରେ ସେମାନଙ୍କୁ କିଛି ଟିକେ ଖାଇବାକୁ ଦେଇ ପାଖ ବସ୍ ଷ୍ଟାଣ୍ଡରେ ସ୍କୁଲ ବସ୍ ରେ ବସେଇବାକୁ ବାହାରିଥାଏ। ଅନୀଲ ଓ ଅନନ୍ୟା ମୋର ନାତି ଓ ନାତୁଣୀ ପୁଅ ଓ ବୋହୁର ପିଲାମାନେ। ଅନୀଲ କୁ ୮ ବର୍ଷ ଓ ଅନନ୍ୟା କୁ ୫ ବର୍ଷ ହେଇଥିଲା ତାଙ୍କ ମା ଅନିତା ଚାକିରି କରୁଥିବାରୁ ପିଲାମାନଙ୍କ ଦାୟିତ୍ବ ମୋ ଉପରେ। ପ୍ରଥମେ କିଛିଦିନ ପୁଅଘରେ ରହି ପିଲାଙ୍କ କଥା ବୁଝିଲି। ତାପରେ ସେମାନଙ୍କ ଘରେ ରହିଲେ ଏପଟେ ପ୍ରିୟବ୍ରତଙ୍କୁ ଅସୁବିଧା ହେଲା, ଘର ଏକା ଏକା ଚଳେଇବାକୁ । ତେଣୁ ସବୁଆଡୁ ଭାବିଚିନ୍ତି ନିଷ୍ପତ୍ତି ନିଆଗଲା ଓ ଠିକଣା ହେଲା ଛୁଆଦିଜଣଙ୍କୁ ମୁଁ ନେଇ ଆସିବି ଆମେ ରହୁଥିବା ସହରକୁ। ଏଇଠି ରହି ସେମାନେ ପଢିବେ।
ପିଲାମାନେ ଆସିବାପରେ ଘର ଚଳଚଞ୍ଚଳ ହେଇ ଉଠିଲା। ଆମ ଦିଜଣଙ୍କୁ ଆମ ନିଜ ପିଲାମାନଙ୍କର ପାଠପଢା ସମୟ କୁ ଫେରିଗଲା ପରି ଲାଗିଲା। ଭରପୁର ଘର , ଖାଇବା ପିଇବା, ଖେଳ, ଯିବା ଆସିବା ଲାଗି ରହିଲା। ସ୍କୁଲବସ୍ ଆସିବା ସମୟ ଥିଲା ସାତଟା ଚାଳିଶ । ତାଙ୍କୁ ନେଇ ଛାଡ଼ିବାକୁ ପଡେ ବସ୍ ପାଖରେ। ମୁଁ କିମ୍ବା ପ୍ରିୟବ୍ରତ ଯାଉ ତାଙ୍କୁ ଛାଡ଼ିବାକୁ। ଆମେ ଦିଜଣଙ୍କର ସମୟ କଟିଯାଉଥିଲା ପିଲାଙ୍କ ସହିତ। ସମୟ କେମିତି ଚାଲିଯାଉଥିଲା ବୁଝିହେଉନଥିଲା । ଟୁଓ୍ବଲଥ ପରୀକ୍ଷା ପରେ ଅନୀଲ ପ୍ରବେଶିକା ପରୀକ୍ଷା ପାଇଁ ମୋ ପୁଅ ପାଖକୁ ଚାଲିଗଲା। ତାଭିତରେ ଅନନ୍ୟା ର ବି ଟେନଥ ହେଇଗଲା, ସେବି ଫେରିଗଲା ତା ମା ବାପା ପାଖକୁ ପରୀକ୍ଷା ପରେ।
ଆମେ ଦିଜଣ ପୁଣି ଏକା ହେଇଗଲୁ। ଅବଶ୍ୟ ଆମେ ଦିଜଣ ଦିଜଣକୁ ସଙ୍ଗ ଦେଉଥିଲୁ। କିନ୍ତୁ ନିୟତିର ଇଚ୍ଛା ଥିଲା ଭିନ୍ନ। ଅନିଲ୍ ଅନନ୍ୟା ଯିବାର କିଛି ବର୍ଷ ପରେ ପ୍ରିୟବ୍ରତ ହଠାତ୍ ଚାଲିଗଲେ ହୃଦଘାତରେ। ତାପରେ ମୁଁ ବହୁତ ଏକା ହେଇଯାଇଛି। ପୁଅ ଓ ବୋହୁ କିଛିବର୍ଷ ହେଲା ବିଦେଶରେ। ବର୍ଷକୁ ଥରେ ମାତ୍ର ଆସନ୍ତି ଏକମାସ ପାଇଁ। ବର୍ଷ ସାରା ଚାହିଁ ଥାଏ ମୁଁ ତାଙ୍କ ଆସିବା ବାଟକୁ। ମଝିରେ ମଝିରେ ସେମାନେ ଫୋନ୍ କରନ୍ତି। ଅନୀଲ ଚାକିରି କରୁଛି ଆମେରିକାରେ ଓ ଅନନ୍ୟା ଗବେଷଣା କରୁଛି ସେଇଠି। ସମୟ ସମୟରେ ସେମାନଙ୍କ ସହ ଫୋନ୍ ରେ କଥା। ସେଇଥିରେ ସନ୍ତୁଷ୍ଟ ରହିବାକୁ ପଡେ ମତେ। ପିଲାମାନେ ଆଉ ଓଡିଶାକୁ ଫେରିଆସିବେନି ବୋଲି କ଼ିହିଛନ୍ତି।
ଆଜିକାଲି ଦେହ ଆଉ ପାରୁନି। ଯଦିଓ ଘର ସଫାସଫି ଓ ଅନ୍ୟାନ୍ୟ କାମ ପାଇଁ ସାହାଯ୍ୟ କରିବାକୁ ଝିଅଟିଏ ଆସେ। କିନ୍ତୁ ଘରକଥା ବୁଝିବା, ଡ଼ାକ୍ତର ପାଖକୁ ଯିବା, ଅନ୍ୟାନ୍ୟ ଦାୟିତ୍ବପୂର୍ଣ କାମ କରିବା ପାଇଁ ମାନସିକ ଶକ୍ତି କମିଆସୁଛି। ନିଜପାଇଁ ଖାଲି ରୋଷେଇ କରିସାରିବା ପରେ ବିଶ୍ରାମ ହିଁ ବିଶ୍ରାମ। ଖରାବେଳ ଓ ସନ୍ଧ୍ୟା ବେଳେ ଖୁବ୍ ଖାଲି ଖାଲି ଭାବ। ସେହି ଶୁନ୍ଯତା ଭିତରେ ରହିବା ର ଅଭ୍ୟାସ କରୁଛି ମୁଁ।
ସେଦିନ ସନ୍ଧ୍ୟା ବେଳେ କଲିଂବେଲ୍ ବାଜି ଉଠିଲା। ଏ ସମୟରେ କିଏ ଆସିବ ? ଉଠିକି ଗଲି କବାଟ ଖୋଲି ଦେଖିଲି ପଚିଶ ଛବିଶ୍ ବର୍ଷର ଯୁବକଟିଏ । ଚିହ୍ନା ଚିହ୍ନା ମୁହଁ ହେଲେ ବି ଜମାରୁ ମନେ ପଡୁନଥାଏ କିଏ ସେହି ପିଲାଟି। ନମସ୍କାର କରି ପଚାରିଲା ଏଇଟା ପ୍ରିୟବ୍ରତ ତ୍ରିପାଠୀ ଙ୍କ ଘରତ । ମୁଁ କହିଲି ହଁ।
ତାପରେ ସେ କହିଲା "ଜେଜେମା ମତେ ଚିହ୍ନି ପାରୁ ନାହାଁନ୍ତି ?
ମୁଁ ରମେଶ।
ତାପରେ ପଚାରିଲା ବାପା ନାହାନ୍ତି ?"
ମୁଁ କହିଲି , ସେ ପାଞ୍ଚବର୍ଷ ହେଲା ଚାଲିଗଲେଣି।
ତା ମୁହଁଟା କାନ୍ଦ କାନ୍ଦ ହେଇଗଲା। କହିଲା ମୁଁ ଦେଖିବାକୁ ଆସିଥିଲି ଏଘରେ ଆପଣମାନେ ରହୁଛନ୍ତି କି ନାହିଁ। ମୁଁ ପଛେ ଆସିବି କହି, ମତେ ତା କାର୍ଡ ଦେଇ ଚାଲିଗଲା।
କବାଟ ବନ୍ଦକରି ଆସି ସୋଫାରେ ବସିଲି ଆଉ ଫେରିଗଲି କୋଡ଼ିଏ ବର୍ଷ ପଛକୁ। ବିତି ଯାଇଥିବା ସମୟ ର ସ୍ମୃତି ସବୁ ମାନସ ପଟରେ ଭାସିଉଠିଲା।
ଅନନ୍ଯା, ଅନିଲ୍ କୁ ବସ୍ ଷ୍ଟପ୍ ରେ ଛାଡିବାକୁ ଗଲାବେଳେ , ସେଇ ପାଖରେ ବୁଲୁଥାଏ ଛଅ ସାତ ବର୍ଷର ପିଲାଟିଏ । ପିଲାଟି ଦେଖିବାକୁ ବେଶ୍ ଡଉଲ ଡାଉଲ। ସବୁ ପିଲା ବସ୍ ରେ ଚଢ଼ିଲା ବେଳେ ସେ ଏକ ଲୟରେ ଚାହିଁ ଥାଏ ସେମାନଙ୍କୁ। କିଛି ଦିନ ପରେ ମୁଁ ତାକୁ ଲକ୍ଷକଲି। ପାଖକୁ ଯାଇ ପଚାରିଲି ତା ନା କ'ଣ ବୋଲି।
ସେ ଟିକେ ଡରି ଡରି କହିଲା 'ରମେଶ' ।
ମୁଁ ପଚାରିଲି ପାଠ ପଢୁଛ ? 'ନା' ସକ୍ଷେପ ଉତ୍ତର
ତାପରଦିନ ଦେଖିଲି ତାକୁ , ତା ଘର ପରିବାର ବିଷୟରେ ପଚାରି ବୁଝିଲି। ପଢିବାକୁ ଇଚ୍ଛା ଅଛି କି ପଚାରିବାରୁ ମୁଣ୍ଡ ଟୁଙ୍ଗାରି ହଁ କହିଲା।
ଏହିପରି ତା ସହ ପରିଚୟ ବଢିଲା ।
ଭାବିଲି ମୁଁ ଯଦି ତା ପଢ଼ିବାର ବ୍ୟବସ୍ଥା କରିପାରନ୍ତି ...
ମୁଁ ପିଲାଟିକୁ ଅନନ୍ଯାର ପୁରୁଣା ବହି କେତୋଟି ଦେଲି , ଛବି ଦେଖିବ ଓ କିଛି ଶିଖିବା ପାଇଁ।
ସେ ପାଖ ବସ୍ତିରେ ରହୁଥିବା କଥା କହିଲା । ଆଉ ତା ମା କାହାଘରେ କାମ କରି ସେ ଦୁଇଜଣଙ୍କ ର ପେଟ ପୋଷେ। ବାପା ଦୂରରେ ଅଛନ୍ତି ବୋଲି କହିଲା । ମୁଁ ସେଦିନ ତା ମା କୁ ବି ଦେଖିଲି ଆଉ ପଚାରିଲି ସେମାନଙ୍କ ଘରଦ୍ୱାର ବିଷୟରେ। ସେଦିନ ସେ ତରତର ରେ କାମକୁ ଚାଲିଗଲା, ତେଣୁ ଅଧିକ କିଛି କଥା ହେଇ ପାରିଲୁନି। ତାକୁ କହିଲି କେବେ ବେଳ ହେଲେ ଆମଘରକୁ ଆସିବାପାଇଁ। ସତକୁ ସତ ଦୁଇଚାରିଦିନ ପରେ ରମେଶ ଆସିଥିଲା ଆମ ଘରକୁ ତା ମା'କୁ ନେଇ। ପରିଷ୍କାର ସଲଓ୍ବାର ସୁଟ ପିନ୍ଧିଥିବା ଝିଅଟିଏ ମୋ ସାମ୍ନାରେ ଠିଆ ହେଇଥିଲା
ତାର ବୟସ ତିରିଶ ପାଖାପାଖି ହେବ। ନିହାତି ଗରିବ ପରିବାରର ବୋଲି ଲାଗୁ ନଥାଏ। ବ୍ୟକ୍ତିତ୍ବ ରେ ଏକ ଶାଳିନତା ଓ ସ୍ବାଭିମାନର ଛାପ। ।
"ମୋ ସ୍ବାମୀ ସୈନ୍ୟ ବିଭାଗରେ ଚାକିରି କରୁଥିଲେ । କାରଗିଲ୍ ଯୁଦ୍ଧ ଲାଗିବାରୁ , ସେ ସହୀଦ ହେଇଗଲେ। ଆମେ ସବୁ ଗାଁରେ ରହୁଥିଲୁ। ସେଇଠି ମୋ ଶାଶୁ ଓ ଶଶୁର ରହନ୍ତି। ସେମାନଙ୍କ ଆଉ ବିଶେଷ କିଛି ରୋଜଗାର ନଥିଲା , ମତେ ବି ଏପର୍ଯ୍ୟନ୍ତ ଭତ୍ତା ମିଳିନି। ଶଶୁରଙ୍କ ଅଳ୍ପ ପେନସନ୍ ରେ ଚଳିବା ସମ୍ଭବ ହେଲାନି ଗାଁ ରେ। ମୁଁ ଭାବିଲି ସହର ଆସି ଚାକିରି କରି ପୁଅକୁ ଭଲ ସ୍କୁଲରେ ପାଠ ପଢେଇବି । କିନ୍ତୁ ମୁଁତ କଲେଜ ପଢ଼ା ମଝିରେ ବାହାହେଇଥିଲି , କଣ ଚାକିରି ମିଳିବ ? ତେଣୁ ଏବେ କିଛି ଦିନ ଜଣଙ୍କ ଘରେ ତାଙ୍କ ଛୋଟ ଝିଅକୁ ରଖିବା କାମ କରି ଚଳୁଛି।"
ଏକା ନିଃଶ୍ବାସ ରେ କହିଗଲା ଝିଅଟି।
ଆଉ ତମ ନାଁ କଣ ?
"ରଞ୍ଜିତା"
ମୁଁ ପଚାରିଲି, ତେବେ ପୁଅକୁ ପାଠ ପଢଉନ କଣପାଇଁ?
କହିଲା, ପୁଅତ ଗାଁ ସ୍କୁଲରେ ପାଠ ଆରମ୍ଭ କରିଥିଲା। ତେଣୁ ଏଇଠି ଭଲ ସ୍କୁଲରେ ବର୍ଷ ମଝିରେ ନାଁ ଲେଖେଇ ହେଲାନି। ପୁଣି ସ୍କୁଲରେ ନାମ ଲେଖା ଫିସ୍ ଦେବାକୁ ମୋର ସମ୍ବଳ ନାହିଁ। କାମ କରି କିଛି ପଇସା ସଞ୍ଚୟ କଲେ ରମେଶ ର ନାଁ ଲେଖେଇବି। ମୋର ତାକୁ ଇଂରାଜୀ ମିଡିଅମ୍ ସ୍କୁଲରେ ନାଁ ଲେଖାଇବାକୁ ଇଛ୍ଛାତ।
ତା ବିଷୟରେ ଏତକ କହି କହିଲା , "ଏବେ ମୁଁ ଯାଉଛି , ଘରେ ଯାଇ ରୋଷେଇବାସ କରିବି"। ମୁଁ କହିଲି , ଘରତ ଦେଖିଲ, ବେଳହେଲେ ଆସୁଥିବ। ମୁଣ୍ଡ ଟୁଙ୍ଗାରି ହଁମାରି ସେ ଚାଲିଗଲା। ଗଲାବେଳେ ଚୁପ୍ କରି କହିଲା ରମେଶ ବାପା ନଥିବା କଥା ମୁଁ ତାକୁ କହିନି କି ଏଠି ବି କାହାକୁ ଜଣାଏନି। ସେଇଟା ମୋ ସୁରକ୍ଷା ପାଇଁ ଆଣ୍ଟି।
ସେଦିନ ରାତିରେ ରମେଶ ଓ ତାର ମାଙ୍କ କଥା ଭାବି ମତେ ଭଲ ନିଦ ହେଲାନି। ମୋ ଚିନ୍ତା ଦେଖି ପ୍ରିୟବ୍ରତ କହିଲେ ତାକୁ ଆମେ ଏଇ ପାଖ କେନ୍ଦ୍ରୀୟ ବିଦ୍ୟାଳୟରେ ନା ଲେଖାଇଦେବା। ପିଲାଟିର ବାପା ସୈନ୍ୟ ବିଭାଗରେ ଚାକିରି କରୁଥିଲେ। ତେଣୁ ତାକୁ ସୁବିଧାରେ ଆଡମିସନ୍ ମିଳିଯାଇ ପାରେ। ଆମେ ରମେଶ ର ମା'କୁ ଡକେଇ ସବୁକଥା କହିଲୁ ଓ ଦୁଇଦିନ ଭିତରେ ସ୍କୁଲ ପ୍ରଧାନ ଶିକ୍ଷକଙ୍କ ସହ ଦେଖାକରି ସବୁକଥା ବୁଝାଇଲୁ। ରଞ୍ଜିତା ସବୁ କାଗଜପତ୍ର ଆଣିଲା। ରମେଶଙ୍କୁ ପ୍ରବେଶିକା ପରୀକ୍ଷା ଦେବାକୁ ପଡିଲା। ତାକୁ ମୁଁ ସେଥିପାଇଁ ପ୍ରସ୍ତୁତ କରେଇଥିଲି ମଧ୍ଯ। ରମେଶ ଦ୍ବିତୀୟ ଶ୍ରେଣୀରେ ନାଁ ଲେଖାଇଲା।
ରମେଶ ପାଠ ପଢିବାରେ ଲାଗିଲା। ଭଲ ପଢୁଥିଲା। ମୁଁ ତାକୁ ପଢେଇ ଦେଉଥିଲି।ସେ ଓ ତାର ମା ଆମଘରକୁ ଯିବାଆସିବା କରୁଥିଲେ। ଏହିପରି ସେମାନଙ୍କ ସହ ଏକ ସମ୍ପର୍କର ଡୋରି ଲାଗିଗଲା।କିଛିଦିନ ପରେ ସେମାନେ ସେ ପାଖ ବସ୍ତି ଛାଡି ଆଉ ଏକ ସ୍ଥାନକୁ ଚାଲିଗଲେ। ଆସ୍ତେ ଆସ୍ତେ ଯୋଗାଯୋଗ କମିଗଲା । କିନ୍ତୁ ଦୁଇ ତିନି ମାସରେ ଥରେ ରଞ୍ଜିତା ଫୋନ୍ କରେ। ୟାଭିତରେ ଆମେ ଦୁଇଜଣ ପୁଅ ପାଖକୁ ଆମେରିକା କିଛିଦିନ ପାଇଁ ଗଲୁ। ଛଅମାସ ପରେ ଫେରିଲୁ। ଫେରିଲାପରେ, ରମେଶ ଓ ରଞ୍ଜିତାଙ୍କ କୌଣସି ଖବର ଆଉ ପାଇନଥିଲୁ । ସ୍କୁଲପାଠ ସରିବା ପରେ ବୋଧେ ଆଉ ଅଧିକ ପଢିବା ପାଇଁ ସେମାନେ ଆଉ କୁଆଡ଼କୁ ଚାଲିଯାଇଥିବେ। କିଛି ବର୍ଷ ସେମାନଙ୍କର କଥା ମନେଥିଲା, ଆସ୍ତେ ଆସ୍ତେ ସବୁକଥା ଭୂଲି ହେଇଗଲା
ଆଜି ହଠାତ୍ ରମେଶକୁ ଦେଖି ସେମାନଙ୍କ ବିଷୟରେ ମନେପଡିଗଲା। ଆଉ ଆଶ୍ଚର୍ଯ୍ୟ ବି ଲାଗିଲା ମନେରଖି ଆମଘରକୁ ତାର ଆସିବା ଦେଖି। ତାର କାର୍ଡ କୁ ଦେଖି ଜାଣିଲି, ସେ ଜଣେ ଇଂଜିନିଅର, ଆଉ ଗୋଟିଏ କନଷ୍ଟ୍ରରକସନ୍ କମ୍ପାନୀ ରେ କାମ କରେ। ତା ବିଷୟରେ ଅଧିକ ଜାଣିବାକୁ ବହୁତ ଇଚ୍ଛା ହେଲା। ମୁଁ ଅପେକ୍ଷା କରୁଥିଲି ସେ ଆମଘରକୁ ପୁଣିଥରେ ଆସିବ। ତାର ଆସିବା ଡେରି ଦେଖି ମୁଁ ତା ନମ୍ବର ରେ ଫୋନ୍ କଲି। ଆଉ ତା ମା'କୁ ନେଇ ଆସିବାକୁ କହିଲି। ସେ କହିଲା, "ହଁ ଟିକେ ବ୍ୟସ୍ତ ଅଛି ତେଣୁ ଯାଇପାରିନି। ମୁଁ ଯିବି ଯେ ହେଲେ" ଏତିକି କହି ସେ ଫୋନ୍ ରଖିଦେଲା।
ଆଠଦିନ ପରେ ଦିନେ ରବିବାର ସେ ଏକା ଆସିଲା। ଦିଜଣ ମିଶିକି ଚାହା ପିଇକି କଥା ହେଲୁ। ମୁଁ କହିଲି ରମେଶ ରହ ତୁ ଆଜି ଆମଘରେ ଭାତ ଖାଇକି ଯିବୁ। ସେ ତାର କାହାଣୀ ବିଷୟରେ କହିଚାଲୁଥାଏ।" ମୋର ସ୍କୁଲ ପାଠ ସରିବାପରେ ମୁଁ ଡିପ୍ଲୋମା ଇଞ୍ଜିନିୟରିଂ କରିବାକୁ ଚାହୁଁଥିଲି, ଶୀଘ୍ର ଚାକିରି କରିବା ଉଦ୍ଦେଶ୍ୟରେ। ମୋର ଟେନ୍ଥ କିନ୍ତୁ ମୋତେ ବୃତ୍ତି ମିଳିବ ଓ ଆହୁରି ଭଲ ଲାଇନ୍ ଧରିପାରିବି ବୋଲି ସାର୍ ମାନେ କହି ପ୍ଲସ୍ ଟୁ ପଢିବାକୁ ଉତ୍ସାହିତ କଲେ। ମୋ ମା ବହୁତ ଲୋକଙ୍କ ଘରେ ରୋଷେଇ କାମ କରି ମତେ ପଢଉଥିବାରୁ, ମୁଁ ଶୀଘ୍ର କିଛି ରୋଜଗାର କରିବାକୁ ଚାହୁଁଥିଲି। ତେଣୁ ପିଲାମାନଙ୍କୁ ଟ୍ଯୁସନ୍ କଲି, ଡିପ୍ଲୋମା ପଢ଼ିବାର ଶେଷ ବର୍ଷ ରେ ମୁଁ ଗୋଟିଏ ଝିଅକୁ ଟ୍ୟୁସନ୍ କରୁଥିଲି , ତାର ବଡ଼ ଭଉଣୀ ସହିତ ମୋର ଭାବପୂର୍ଣ ସମ୍ପର୍କ ଗଢିଉଠିଲା। ଏ କଥା ମୁଁ ମୋର ମା'କୁ ବି କହିଥିଲି। ମା ଟିକେ ବ୍ୟସ୍ତ ହେଇ ପଡିଲା, ତାପରେ ରାଗିଗଲା ଓ କାନ୍ଦି କି କହିଲା ସେମାନେ ବଡଲୋକ , ତୁ ସେଥିରେ କାହିଁକି ପସୁଛୁ।
ମୁଁ କ'ଣ କରିବି କିଛି ବୁଝିପାରୁନଥାଏ । ତଥାପି ସେଥିରୁ ନିଜକୁ ନିବୃତ ରହିବାକୁ ଭାବି କିଛି ନ କହି ଟ୍ଯୁସନ୍ ଛାଡ଼ିଦେଲି। କିନ୍ତୁ ତାଙ୍କ ଘରୁ ଘନ ଘନ ଫୋନ୍ ଆସିଲା, ତେଣୁ ପୁଣି ଗଲି। କାରଣ ମୋର ବି ନମିତା ସହିତ ଭଲପାଇବା ସମ୍ପର୍କ ବେଶ୍ ଗଭୀର ହେଇଯାଇଥିଲା। ମା ଜାଣିପାରିଲା। ତାପରେ ମୋ ମା ତାଙ୍କ ଘରକୁ ଯାଇ କଣ କଥା ହେଲା ଓ ମୋତେ ଆସି କହିଲା ,"ତୁ ଏଇ ଡିପ୍ଲୋମା କୋର୍ସ ପରେ ଡିଗ୍ରୀ ପଢିବାକୁ ପ୍ରସ୍ତୁତ ହେଇଯା"। ମା ମତେ କିଛି କହିବାକୁ ସୁଯୋଗ ନଦେଇ ତାକାମରେ ଲାଗିଲା।
ତାପରେ ମୁଁ ପଚାରିଲି "ସେଇଠୁ କଣ ହେଲା"
ଡିଗ୍ରୀ ଇଞ୍ଜିନିୟରିଂ ପାଇଁ ଟଙ୍କା କେଉଁଠୁ ଆସିବ ବୁଝିପାରିଲିନି। କିନ୍ତୁ କିଛି ପଚାରି ପାରିଲିନି ମା'କୁ । ତାପରେ ମା ବହୁତ ଗମ୍ଭୀର ରହିଲା। ଚୁପ୍ ଚାପ୍ କାମ କରେ। ମୋର ଆଡ଼ମିଶନ ହେଇଗଲା। ଆମ କଲେଜର ଜଣେ ଅଧ୍ୟାପକ ମୋତେ ଅର୍ଥ ସାହାଯ୍ୟ କରୁଥିଲେ ପଢ଼ିବା ଓ ହଷ୍ଟେଲ୍ ଖର୍ଚ୍ଚ ପାଇଁ।ଦୁଇବର୍ଷ ପାଠ ସରିଲା ପରେ ମତେ କ୍ୟାମ୍ପସ ସିଲେକ୍ସନ୍ ରେ ଚାକିରି ମିଳିଗଲା। ଚାକିରି ପରେ ପରେ ମା ମତେ ଲଗେଇ ଲଗେଇ ବାହା କରେଇଦେଲା ନମିତା ସହିତ। ବାହାଘରର ଅଳ୍ପଦିନ ପରେ ମୋ ମା ଘର ଛାଡ଼ି ଚାଲିଗଲା ଆଉ ଗୋଟେ ଚିଠିରେ ଲେଖିଯାଇଥିଲା ଯେ ତାପାଇଁ ବ୍ୟସ୍ତ ନହେବା ପାଇଁ ଓ ତାକୁ ନଖୋଜିବା ପାଇଁ। ସେଇ ଚିଠିରେ ଜେଜେମା , ସେ ଆପଣଙ୍କ କଥା ଲେଖିଥିଲା ଆଉ କହିଥିଲା ଯେମିତି ହେଉ ଆପଣଙ୍କୁ ଦେଖାକରିବାକୁ। ସେ ଲେଖିଥିଲା, "ତୋର ଏଇ ଅବସ୍ଥା ପାଇଁ ସେହି ଜେଜେମା ଙ୍କ ଅବଦାନ ଅନେକ। ତାଙ୍କ ଋଣ ସୁଝିବାକୁ ଚେଷ୍ଟା କରିବୁ। "
ତୋ ମା ଚାଲିଗଲା ଅଥଚ ତୁ ତାକୁ ଖୋଜିଲୁନି। ମୁଁ ପଚାରିଲି।ସେ ଛଳ ଛଳ ଆଖିରେ କହିଲା ମୁଁ ବହୁତ ଖୋଜିଛି ତାକୁ । କିନ୍ତୁ ପାଉନି। ସେ କାହିଁକି ଗଲା ଓ କେଉଁଠି ଅଛି, ତାର ସୁରାକ୍ ପାଉନି ମୁଁ। ହଉ ଛାଡ଼ନ୍ତୁ ଜେଜେମା, ଆପଣଙ୍କୁ ଦୁଃଖ କଥା ଶୁଣେଇ ଦୁଃଖିତ କରିସାରିଲିଣି । ଏବେ ଆପଣଙ୍କ କଥା କୁହନ୍ତୁ ?
ମୁଁ, ମୋର ଏକାକିତ୍ବ କଥା, ତାକୁ କହୁଥିଲି। ବେଳେ ବେଳେ ମୋର ଅସହାୟ ଭାବ ସମ୍ପର୍କରେ କହିସାରିଲା ପରେ ରମେଶ କହିଲା ଅନିନାନି ଓ ଅନୀଲ ଭାଇଙ୍କ କଥା ମନେପଡେ। ଆମେ ସାଙ୍ଗ ହେଇ ଖେଳୁଥିଲୁ । ସେମାନେ ବି କଣ ଆପଣଙ୍କ କଥା ମନେପକଉ ନାହାଁନ୍ତି? ମୁଁ କହିଲି ମନେପକଉଥୁବେ ଯେ , ନିଜ କାମ ଓ ପଢ଼ାରେ ବ୍ୟସ୍ତ। ଏଠି କ'ଣ ସେ ସୁବଧା ସବୁ ଅଛି ଯେ ସେମାନେ ଆସିବେ।
ମୋ କଥା ଶୁଣି ରମେଶ କହିଲା, ବ୍ୟସ୍ତ ହୁଅନି ଜେଜେମା। ମୁଁ ଏବେ ଏଇଠିକୁ ଆସିଗଲିଣି। ତୁମର ଯାହା ଦରକାର ମତେ କହିବ, ମୁଁ ସବୁ ବୁଝିଦେବି। ମୋ ଉପରେ ଭରସା ରଖିପାରିବ ତ ? ରମେଶ ର ମୁହଁ କୁ ଚାହୁଁଥିଲି ମୁଁ। ସତରେ କ'ଣ ମୋର ବୃଦ୍ଧ ବୟସରେ ସାହାଟିଏ ମିଳିଯିବ। ରମେଶ କହିଲା ," ଜେଜେମା ମତେ ବିଶ୍ବାସ କର, ମୁଁ ତୁମ ସୁବିଧା ଅସୁବିଧା ରେ ନିଶ୍ଚୟ ଅଛି। ମତେ ଲାଗୁଥିଲା ମୋ ପୁଅ ଫେରି ଆସିଛି।
