Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Sasmita Rout

Romance

2  

Sasmita Rout

Romance

ସମାନ୍ତରାଳ ପଥ

ସମାନ୍ତରାଳ ପଥ

6 mins
252


 ପ୍ରଭାସ ବାବୁଙ୍କର ଗାଡ଼ି ତାଙ୍କର ପରିଚିତ ପୁରୁଣା ଅଫିସ ଆଗରେ ଛିଡା ହେଲା।ପୁରୁଣା ପରିଚିତ କୋଠା ସହ ଅନେକ ସୁଉଚ୍ଚ ନୂଆ କୋଠା ସବୁ ମୁଣ୍ଡ ଟେକିଥିଲେ ମଧ୍ୟ ସେହି ପୁରୁଣା ଗଛ କେତଟି ପାଚେରୀ ପାଖରେ ସେମିତି ଥିଲା।ସେମାନେ ତାଙ୍କର ଉପସ୍ଥିତି ଜାହିର କରିବା ସହ ଯେମିତି ତାଙ୍କୁ ଓ୍ବେଲକମ୍ କରୁଥିଲେ।ଅନେକ ବର୍ଷ ପରେ ଏଇ ପରିଚିତ ପୁରୁଣା ସହରକୁ ଫେରିଥିଲେ।ଏ ସହରରେ ତାଙ୍କର ପ୍ରଥମ ଚାକିରୀ ଆରମ୍ଭ ହୋଇଥିଲା।ପୁଣି ଥରେ ଏହି ପରିଚିତ ସହରକୁ କେବେ ଫେରିବେ ବୋଲି ସେ ସ୍ବପ୍ନରେ ସୁଧା ଭାବିନଥିଲେ।ହେଲେ ସମୟର ଡୋରି ପୁଣି ଥରେ ଏହି ରୂପସୀ ପରିବେଶକୁ ଟାଣି ଆଣିଛି।


ଦୀର୍ଘ ୨୦ ବର୍ଷ ତଳେ ଯୁବ ସାଇନ୍ଟିଷ୍ଟ୍ ପ୍ରଭାସ ମହାପାତ୍ର ଅନେକ ସ୍ବପ୍ନ ସମ୍ଭାର ନେଇ ଚାକିରୀରେ ଯୋଗ ଦେଇଥିଲେ।ପୁରୀର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ଘର ହୋଇଥିଲେ ମଧ୍ୟ ଵାଲେଶ୍ଵର ସ୍ଥିତ ଚାନ୍ଦିପୁରର ନିରଳା ସମୁଦ୍ର ତଟଦେଶ ତାଙ୍କୁ ଆକର୍ଷିତ କରୁଥିଲା। ଲଗାମ ଛଡ଼ା ମନ ସେତେବେଳେ ଟାଣି ହୋଇ ଯାଇଥିଲା ନୂଆ ସ୍ପଫୁଟିତ କଳି ଝୁମ୍ପା ଆଡ଼କୁ।ଝୁମ୍ପାର ବାପା ଚାନ୍ଦିପୁର ସ୍ଥିତ ଡାକବଙ୍ଗଳାରେ ରକ୍ଷଣାବେକ୍ଷଣ କରୁଥିଲେ।ସେମାନେ ଡାକବଙ୍ଗଳା ଠାରୁ କିଛି ଦୂରରେ ଥିବା ଏଜବେଷ୍ଟ ଘରଟିରେ ରହୁଥିଲେ।ସବୁଜ ବଣ,ପାହାଡ ଘେରା ନିଳଗିରୀରେ ତାଙ୍କର ଘର।ଅବଶ୍ୟ ଵାଲେଶ୍ଵରର ଚାକିରୀ କାଳରେ ପ୍ରଭାସ ବାବୁ ନିଳଗିରୀ ତଥା ଆଖପାଖ ଅଞ୍ଚଳ ବୁଲି ଯାଇଥିଲେ,ଖୁବ୍ ସୁନ୍ଦର ବନାନୀ ଭରା ମନମୁଗ୍ଧକର ପରିବେଶ।


ଆଦିବାସୀ ଝିଅ ହେଲେ ମଧ୍ୟ ନବଯୌବନ ପାଇ,ଝୁମ୍ପାର ସୁଢ଼ଳ ଅଙ୍ଗେ ଯୌବନ ଉଙ୍କି ମାରୁଥିଲା ଅବଦମିତ ଆକର୍ଷଣଟେ।ସହଜେ ନୂତନ ଭାବେ ପ୍ରାପ୍ୟ ଯୁବ ସୁଲଭ ଅମାନିଆ ମନଟା ପ୍ରଭାସ ବାବୁଙ୍କର ,ତା' ଆଡ଼କୁ ଚୁମ୍ବକୀୟ ଆକର୍ଷଣରେ ଆକର୍ଷିତ ହୋଇ ଯାଇଥିଲା।ଉଭୟଙ୍କ ଆଖିରେ ଅମାନିଆ ପ୍ରେମ ଢେଉ ଲହଡି ଭାଙ୍ଗୁଥିଲା।ଦୁଇଜଣ ଅସହଯ ଓ ଅପ୍ରସ୍ତୁତ ଥିବା ସତ୍ତ୍ୱେ ଖୁବ ନିକଟତର ହୋଇ ଯାଇଥିଲେ।କେତେବେଳେ ପ୍ରେମ ନିଆଁ ଝାସ ଦେଇ ସାରିଥିଲେ ଉଭୟେ ବୁଝିବା ଆଗରୁ ଭାଙ୍ଗି ଯାଇଥିଲା ବନ୍ଧ।ଅଙ୍ଗ ଯୌବନ ଉପଭୋଗରେ ଉଭୟେ ଲଙ୍ଘି ଯାଇଥିଲେ ନିଜର ପରିସୀମା।ଅନ୍ଧାର ଚିରି ଉଭୟେ ମାପିନେଇଥିଲେ ଦେହାତୀତ ଚହୁଦି।


ପ୍ରଭାସ ବାବୁଙ୍କର ବେଙ୍ଗାଳୁରୁକୁ ବଦଳି ହୋଇ ଯାଇଥିଲା,ସେଠାରୁ ଉଚ୍ଚ ଶିକ୍ଷା ପାଇଁ ବିଦେଶ ଚାଲି ଯାଇଥିଲେ।ଦୀର୍ଘ ଦିନ ପରେ ବାଲେଶ୍ବର ମାଟିରେ ପାଦଦେଇ ଥିଲେ , ଅବଶ୍ୟ ଅଳ୍ପ ଦିନର ରହଣି ଥିଲା ବାଲେଶ୍ବରରେ।ବାଲେଶ୍ବରକୁ ଛାଡି ଯିବା ପରେ ଭୁଲି ହୋଇ ଯାଇଥିବା ପଛକଥା ସବୁ ତାଙ୍କ ଆଖି ସାମନାରେ କଳାଧଳା ରିଲ ପିକ୍ଚର ଚାଲିଲା ପରି ଘୁରି ବୁଲିଥିଲା।


ସେ ଗାଡିରୁ ଅହ୍ଲାଇ ଯେମିତି ସ୍ଥିର ମୂର୍ତ୍ତି ସଦୃଶ୍ୟ ହୋଇ ଯାଇଥିଲେ ଏଠିକାର ପବନ ଛୁଇଁ।ଏବେ ଡାକବଙ୍ଗଳାର ରକ୍ଷଣାବେକ୍ଷଣ ଦାୟିତ୍ୱରେ ସନିଆ ଅଛି।ସେ ପ୍ରଭାସ ବାବୁଙ୍କ ପଛରେ ଛିଡା ହୋଇ କେବେଠୁ ଡାକୁଛି ବଙ୍ଗଳା ଭିତରକୁ ଯିବା ପାଇଁ।ହେଲେ ତା'ର କଥା ଯେମିତି ପ୍ରଭାସ ବାବୁଙ୍କ କାନର ପରଦା ପର୍ଯ୍ୟନ୍ତ ଯାଉ ନଥିଲା।


ସେ ସେହି ପରିତ୍ୟକ୍ତ ଭଙ୍ଗା ଏଜବେଷ୍ଟ ଘର ଆଡ଼କୁ ଏକଲୟରେ ଚାହିଁ ରହିଥିଲେ।ସନିଆର ଅନେକ ଡାକିବା ପରେ ନଶୁଣିବାରୁ ପ୍ରଭାସ ବାବୁଙ୍କୁ ଅଳ୍ପ ହଲେଇ ଦେଇ କହିଲା କଣ ଦେଖୁଛନ୍ତି ବାବୁ ସେ ଭଙ୍ଗାଘରେ।ପ୍ରଭାସ ବାବୁଙ୍କ ଅଜାଣତରେ ତାଙ୍କ ମୁହଁରୁ ଝୁମ୍ପାର ନାଁଟା ବାହାରି ଗଲା।ସନିଆ ପ୍ରଭାସ ବାବୁଙ୍କ ସାମନାକୁ ଆସି କହିଲା, ଆପଣ କଣ ଝୁମ୍ପାକୁ ଜାଣିଛନ୍ତି ?ପ୍ରଭାସ ବାବୁ କଣ କହିବେ କିଛି ବୁଝି ପାରୁନଥାନ୍ତି।ସେ କଥ ସମ୍ଭାଳିବାକୁ ଯାଇ କହିଲେ ନା ସେମିତି କିଛି ନାହିଁ, ତାର ବାପା ପରା ଏଠି ଆଗରୁ କାମ କରୁଥିଲେ।ଏତିକି ତାଙ୍କ ପାଟିରୁ ବାହାରିଛି କି ନାହିଁ ସନିଆ କହିଲା ସେ କଣ ଆଉ ବଞ୍ଚିଛି ଯେ ଏଠି କାମ କରିବାକୁ ଆସିବ।ସେ ଏ ଦୁନିଆ ଛାଡି ଯିବା ଆଗରୁ ପରା ଏ ବଙ୍ଗଳା ଓ ଝୁମ୍ପାର ଦାୟିତ୍ୱ ମତେ ଦେଇ ଯାଇଛି।


ସନିଆ ଜିନିଷ ତକ ଉଠେଇ ନେଇ ବଙ୍ଗଳା ଭିତରେ ରଖିଦେଇ ଖାଇବା ବ୍ୟବସ୍ଥାରେ ଲାଗିଗଲା।ସନିଆ ମୁହଁରୁ ଝୁମ୍ପା ବିଷୟରେ ଶୁଣିବା ଠାରୁ ତା ବିଷୟରେ ଜାଣିବାର ଉତ୍ସୁକତା ଆହୁରି ଅଧିକ ବଢ଼ି ଯାଇଥାଏ।କିନ୍ତୁ ମୁହଁ ଖୋଲି ସନିଆକୁ କିଛି ପଚାରି ପାରୁ ନଥାନ୍ତି,ତେଣୁ ସନିଆ ଟିକେ ଫାଙ୍କା ହେଲେ ନିରଳିରେ ପଚାରି ବୁଝିବାଟା ଉଚିତ ଭାବି ଚୁପ ରହିଲେ ପ୍ରଭାସ ବାବୁ।


ଅଳ୍ପ ସମୟ ଭିତରେ ଖାଇବା ରେଡ଼ିକରି ପ୍ରଭାସ ବାବୁଙ୍କୁ ଡାକିଲା ସନିଆ।ଖାଇବା ପ୍ଲେଟରେ ଦେଖି ସେହି ପୁରୁଣା ୨୦ ବର୍ଷ ତଳର କଥା ମନେ ପଡ଼ି ଯାଉଥିଲା।ଏଠାରୁ ଛାଡି ଯିବା ଠାରୁ ଏମିତି ଦେସି କୁକୁଡ଼ାମାଂସ ଝୋଳର ବାସ୍ନା ସେ କେବେ ପାଇନଥିଲେ।ସ୍ବାଦ ମଧ୍ୟ ସେଇ ପୁରୁଣା ପରିଚିତ ପରି ଲାଗୁଥିଲା, ସେ ସନିଆକୁ ପଚାରିଲେ ଏସବୁ କିଏ ରାନ୍ଧିଛି ? ସନିଆ ବ୍ୟସ୍ତ ହୋଇ ପଚାରିଲା କଣ ଖରାପ ହୋଇଛି କି ରନ୍ଧା।ପ୍ରଭାସ ବାବୁ ତାକୁ କହିଲେ ନାହିଁ ବହୁତ ଭଲ ହୋଇଛି,ସେଥିପାଇଁ ପଚାରିଲି।ସନିଆ ଖୁସି ହୋଇ ଆଉଟିକେ ମାଂସ ବାଢୁବାଢୁ କହିଲା ମତେ କଣ ଏଡ଼େ ସୁନ୍ଦର ରନ୍ଧା ଆସନ୍ତା କି,ସେହି ଝୁମ୍ପା ମତେ ସବୁ ଶିଖେଇ ଦେଇଛି ପରା।ଝୁମ୍ପା ନାଁଟା ଶୁଣୁଶୁଣୁ ଖାଇବା ପାଖରେ ହାତଟା ଯେମିତି ଅଟକି ଗଲା,ଯେନତେନ ଅଳ୍ପ ଖାଇ ଉଠିଗଲେ ଖାଇବା ଟେବୁଲ ପାଖରୁ।


ସବୁ କାମ ସରିବା ପରେ ସନିଆ ଘରକୁ ବାହାରିଲା, ପ୍ରଭାସ ବାବୁଙ୍କ ଖଟ ପାଖରେ ପାଣି ରଖି ବିଦାୟ ନେଲା।ପ୍ରଭାସ ବାବୁ ପଛରୁ ଡାକି ଅଳ୍ପ ଟଙ୍କା ହାତରେ ଧରାଇଦେଲେ।ସନିଆ କହିଲା ନାହିଁ ବାବୁ ମୁଁ ଟଙ୍କା ନେବିନି।ଝୁମ୍ପା କହିଛି ଆମର ଯେତିକି ଅଛି ସତିକରେ ଚଳିଯିବା,କାହାରିଠୁ ହାତ ପତାଇ ଆଣିବୁନି।ପ୍ରଭାସ ବାବୁ ପଚାରି ବସିଲେ ଝୁମ୍ପା କଣ ତ ପାଖରେ ରହୁଛି ? ବାବୁ ତାର ବାପା ଥିଲାବେଳେ ଆମର ବାହାଘର କରାଇଥିଲା ଏବଂ ସରକାରୀ ବାବୁମାନଙ୍କୁ କହିବୁଲି ମତେ ଏଇଠି ରଖାଇ ଦେଇଥିଲା।


ସେଇଦିନ ଠାରୁ ଗାଁ ଛାଡି ଏଇଠି ରହି ଆସୁଥିଲୁ,ପୁଅର ଜନ୍ମ ମଧ୍ୟ ଏଇଠି ରହୁଥିଲା ବେଳେ ହୋଇ ଥିଲା।ହେଲେ ପୁଅର ବଡ଼ ହେବା ପରେ ଝୁମ୍ପା ତାକୁ ପଢାଇବାକୁ ଜିଦି ଧରିଲା ଯେ ସେଥିପାଇଁ ସ୍କୁଲ ପାଖ ହେବ ବଲି ଛକ ପାଖରେ ଘର ନେଇ ରହିଲୁ।ମୁଁ ସକାଳୁ ଆସି ଡାକବଙ୍ଗଳାର ଦେଖା ଶୁଣା କରି ସନ୍ଧ୍ୟାରେ ଫେରିଯାଏ।ଆପଣ ଭଲ ଲୋକ ଖାଇବା ପାଇଁ ହୋଇରାଣ ହେବେ ସେଥିପାଇଁ ଆପଣଙ୍କ ଖାଇବାକଥା ବୁଝି ଟିକେ ଡେରିରେ ଘରକୁ ଏବେ ଯାଉଛି।ତାପରେ ଘରେ ଆଉ କଣ କାମ ଯେ ,ତାଛଡା ଝୁମ୍ପା ମଧ୍ୟ ଦୁଇ,ଚାରିଜଣ ବାବୁଙ୍କ ଘରେ ଦିପାଇଟି କରୁଛି।ପୁଅ ଏବେ ଭୁବନେଶ୍ୱରରେ ବଡ଼ କଲେଜରେ ପଢୁଛି।ତା'ର ପଢାପାଇଁ ଯେତେ ଖର୍ଚ୍ଚ ହେଉ ପଛେ ,ଦୁଇଜଣ ଯାକ ଯେମିତି ହେଲେ ଚଳାଇ ନେଉଛୁ।


ସନିଆ ଚାଲିଯିବା ପରେ ପୁରା ଡାକବଙ୍ଗଳାଟା ଖାଲି ହୋଇଯାଇଥିଲା, ଅବଶ୍ୟ ଓ୍ବାଚମ୍ୟାନ ଗେଟପାଖ କଠୋରୀରେ ରାତିରେ ରହୁଥିଲା।ହେଲେ ପ୍ରଭାସ ବାବୁଙ୍କର ତା'ସହ ସେତେଟା ଆନ୍ତରିକତା ହୋଇ ନଥିଲା।ପ୍ରଭାସ ବାବୁ ଏବେ ବେଡ଼ ପାଖକୁ ଆଗେଇଲେ ,ଯଦିଓ ଆଖିକୁ ନିଦ ଆସିନଥିଲା ହେଲେ ଅବସ ମନ ଆଉ କିଛି କରିବା ପାଇଁ ଚାହୁଁ ନଥିଲା।ତାଙ୍କ ଭାବନାରେ ଅନେକ କଥା ଉଙ୍କି ମାରୁଥିଲା।


ତାଙ୍କ ମନରେ କେବେବି ସାଧାରଣ ଗତାନୁଗତିକ ପରିବାର ଗଢ଼ି ସେଇଥିରେ ଜୀବନ ସୁଖ,ସ୍ବାଚ୍ଛନ୍ଦ୍ୟ ପାଇବାର ଅଭିଳାଷା ତାଙ୍କର ନଥିଲା।ଆଜିଯାଏ ଝୁମ୍ପା ଛଡ଼ା ଅନ୍ୟ କୌଣସି ଝିଅ ତାଙ୍କ ଜୀବନ ପରିଧି ଭିତରକୁ ଆସି ନଥିଲେ।ଆଦ୍ୟ ଯୌବନ ବେଳେ ଝୁମ୍ପା ତାଙ୍କ ଜୀବନ ପରିଧିକୁ ଧସେଇ ପସି ଆସିଥିଲା ଯଦିଓ କିନ୍ତୁ ସେ ତାକୁ ନେଇ କେବେ ସିରିୟସ ନଥିଲେ।ଆଉ ଝୁମ୍ପା ମଧ୍ୟ ଏକଥା ଭଲଭାବରେ ବୁଝିଥିଲା।ଆଦିବାସୀ ଝିଅ ହେଲେ ମଧ୍ୟ ଝୁମ୍ପା ଦିଅକ୍ଷର ପାଠ ପଢିଥିଲା ।ଯେହେତୁ ସେମାନେ ତାଙ୍କ ଗାଁ ପରିବେଶରୁ ବାହାରି ଆସିଥିଲେ ,ତଥା ଡାକବଙ୍ଗଳାରେ ପ୍ରାୟତଃ ସରକାରୀ କର୍ମଚାରୀ ତଥା ତାଙ୍କ ପରିବାରର ସଂସ୍ପର୍ଶରେ ଆସିବା ହେତ ଗତାନୁଗତିକ ସମାଜର ଚଳଣି ସେମାନେ ଶିଖି ଯାଇଥିଲେ।


ବିଶ୍ବବ୍ରହ୍ମାଣ୍ଡରେ ଅନେକ କିଛି ଜାଣିବା ଓ ଖୋଜିବା ବାକି ଅଛି ଏବଂ ତାହାର ଉପଲବ୍ଧିକୁ ପାଇବା ଆଶାରେ ସେ ବିଜ୍ଞାନ ପଢିଥିଲେ।ଆଉ ଆଜି ଦେଶର ପ୍ରତିଷ୍ଠିତ ବୌଜ୍ଞାନିକ ମାନଙ୍କ ଭିତରେ ତାଙ୍କର ନାମ ସ୍ବର୍ଣ୍ଣ ଅକ୍ଷରରେ ଲିପିବଦ୍ଧ।କିନ୍ତୁ ପରିବାର ଯେ ମଣିଷର ମୌଳିକ ଆବଶ୍ୟକତା ତାହା ତାଙ୍କୁ ହସ୍ୟସ୍ପଦ ମନେହୁଏ।ବିନା ପରିବାରରେ ମଧ୍ୟ ବ୍ୟକ୍ତି ଖୁବ ସ୍ବଚ୍ଛନ୍ଦ୍ୟରେ ବଞ୍ଚି ପାରିବ ଏହା ତାଙ୍କର ଦୃଢ଼ ବିଶ୍ୱାସ ଥିଲା।କିନ୍ତୁ ଆଜି କାହିଁକି କେଜାଣି ତାଙ୍କର ଏହି ଜୀବନ ସାରାର ଦୃଢ଼ ବିଶ୍ବାସର ମୂଳଦୂଆଟା ଚହଲି ଯାଉଛି।ତାଙ୍କୁ ଦୃଢ଼ ହେବାକୁ ପଡ଼ିବ ଏବଂ ଯେଉଁ ମିଶନ୍ ପାଇଁ ଏଠିକି ଆସିଛନ୍ତି ସେଥିରେ ଫୋକସ୍ ଦେବାକୁ ପଡ଼ିବ,ଆଉ ସେ ପର୍ଯ୍ୟନ୍ତ ଝୁମ୍ପାର ପରଛାଇଠୁ ମଧ୍ୟ ଦୂରେଇ ରହିବାର ଦୃଢ଼ ନିଶ୍ଚୟ କରି କାମ ଉପରେ ଧ୍ୟାନ ଦେଲେ।


ମାସଟିଏ କେମିତି ଚାଲିଗଲା କଳନା ମଧ୍ୟ କରିପାରୁ ନଥିଲେ ,କାରଣ ସେ ନିଜର ମିଶନର ସଫଳତା ପାଇଁ ରାତିଦିନ ଏକ କରିଦେଇଥିଲେ।ଆଉ ତାର ରେଜଲ୍ଟରେ ମିଶନ୍ ସକ୍ସେସଫୂଲ ହେବାର ଶ୍ରେୟଃ ତାଙ୍କୁ ମିଳିଛି।ଏବେ ତାଙ୍କୁ ଫେରିବାକୁ ପଡିବ ଦିଲ୍ଲୀ ଏବଂ ସେଠାରୁ ରାଷ୍ଟ୍ରପତିଙ୍କ ଠାରୁ ସମ୍ବର୍ଦ୍ଧିତ ହେବା ପରେ, ପୁଣି ନିଜର ରିସର୍ଚ୍ଚ ପାଇଁ ବିଦେଶ ଯିବାର ଅଛି।


ଅଳ୍ପ ଆବଶ୍ୟକ କାଗଜପତ୍ର ତଥା ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଛଡା ଅଧିକ କିଛି ତାଙ୍କ ପାଖରେ ନଥାଏ।ଏମିତିରେତ ଯାଯାବର ଜୀବନ ସେଥିରେ ପୁଣି ରିସର୍ଚ୍ଚ ଓ ମିଶନରେ ପଛରେ ଅର୍ଦ୍ଧାଧିକ ଜୀବନ ଅତିବାହିତ।କିନ୍ତୁ ଏବେ କାହିଁକି କେଜାଣି ଝୁମ୍ପାକୁ ଭେଟିବାର ଅବଦମିତ ଇଚ୍ଛାଟା ବଳବତ୍ତର ହେବାକୁ ଲାଗିଲାଣି।ତେଣୁ ଵାଲେଶ୍ବର ଛାଡ଼ିବା ପୂର୍ବରୁ ଥରଟିଏ ଝୁମ୍ପା କୁ ଦେଖିବାର ଆଶା ନେଇ ସେମାନଙ୍କ ଘର ଅଭିମୁଖେ ଚାଲିଲେ।


ସନିଆ କହିଥିବା ଠିକଣା ମୁତାବକ ପହଞ୍ଚିବାକୁ ତାଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିଲାନି।କବାଟରେ ଦୁଇଥର ନକରେ କବାଟ ଖୋଲିଗଲା।ସାମନାରେ ଝୁମ୍ପା ଯଦିବା ବୟସରେ ଛାପ ପଡିଗଲାଣି ଚେହେରାରେ ହେଲେ ଆଖିରେ ଆଖି ମିଶିବା ପରେ ଉଭୟେ ପଛକୁ ଫେରିଯାଇଥିଲେ।ଅନେକ ସମୟ ଏମିତି ବିତିଯାଇଥିଲା ,କିଛି ସମୟ ଏମିତି ଚୁପଚାପ ବସିରହିବା ପରେ ନିରବତା ଭାଙ୍ଗି ଝୁମ୍ପା ପ୍ରଥମେ କଥା ଆରମ୍ଭ କରିଥିଲା। ବାବୁ ମୁଁ ଜାଣିଥିଲି ଆପଣ ନିଶ୍ଚୟ ଫେରିବେ,ସେଥିପାଇଁ ତ ଆପଣଙ୍କ ଅପେକ୍ଷାରେ ଏଇ ମାଟିକୁ ଆପଣାଇ ପଡି ରହିଛି।ସନିଆ ଯେତେବେଳେ ଆପଣଙ୍କ ବିଷୟରେ କହିଲା ମୁଁ ଆପଣ ଫେରିଛନ୍ତି ବୋଲି ଅନୁମାନ କରିଥିଲି।ଥରେ ଦୁଇଥର ଡାକବଙ୍ଗଳା ଆଡ଼େ ମଧ୍ୟ ବୁଲି ଯାଇଥିଲି ହେଲେ ଆପଣଙ୍କ ଦେଖା ପାଇ ପାରିନଥିଲି।


ଝୁମ୍ପା ଘର ଭିତରକୁ ଚାଲି ଯାଇଥିଲା,ପ୍ରଭାସ ବାବୁ ଘରଟିରେ ଆଖି ବୁଲାଉ ଆଣୁଆଣୁ ତାଙ୍କ ଆଖି କାନ୍ଥରେ ଟଙ୍ଗା ହୋଇଥିବା ଫଟୋରେ ଅଟକି ଗଲା।ଯେମିତି ଅହେତୁକ ଆକର୍ଷଣଟେ ଫଟୋ ଆଡ଼କୁ ଟାଣି ନେଇ ଯାଉଥିଲା।ଫଟୋଟି ହାତକୁ ନେବା ପରେ ଆପଣା ପଣରେ ତାଙ୍କ ହୃଦୟ ଝଙ୍କୃତ ହେଉଥିଲା।ପଛରୁ ଝୁମ୍ପା ପାଣି ଗ୍ଲାସଟି ବଢାଇ ଦେଇ କହିଲା କଣ ଦେଖୁଥିଲେ ବାବୁ ,ଇଏପରା ତୁମର ଅଂଶ।ଏଇ କଥା ଟିକକ ଜଣାଇବା ପାଇଁ ତ ଗଲା ଦୁଇଦଶନ୍ଧି ଧରି ଅପେକ୍ଷା କରିଛି ତୁମକୁ।ଏତେଦିନ ପରେ ଯାଇ ଭଗବାନ ସୁଯୋଗ ଦେଲେ ତୁମ ଅମାନତ ତୁମକୁ ଫେରାଇବାର।ପ୍ରଭାସ ବାବୁ ତା' ପାଟିରେ ହାତ ରଖି କହିଲେ !ଚୁପ ହୋଇଯା ଝୁମ୍ପା,କଥାରେ ଅଛି ପରା କାନ୍ଥରେ ବି କାନଥାଏ।ସେ ତର ଓ ସନିଆର ଅମାନତ ତା' ଉପରେ ମୋର କିଛି ଅଧିକାର ନାହିଁ।ତାକୁ ମୁଁ ତୁମଠାରୁ ଏମିତି ଛଡ଼ାଇ ନେଇ ପାରିବିନି।ତେଣୁ ଏ କଥା କେବଳ ତର ଓ ମୋ ଭିତରେ ରହିବ ଆଜିଠାରୁ।ଝୁମ୍ପା ଗୋଡ଼ ତଳେ ଲୋଟି କହିଲା ବାବୁ ଅମୂଲ୍ୟ ରତ୍ନ ମତେ ଦେଇ ମତେ ଋଣି କରିଦେଲ।ପ୍ରଭାସ ବାବୁ ଏକମୁହାଁ ହୋଇ ଚାଲିଲେ ତାଙ୍କ ଲକ୍ଷ ପଥରେ ଓ ଝୁମ୍ପା ଆସ୍ତେ ଆସ୍ତେ ପଛେଇ ପଛେଇ ଯାଉଥାଏ।

   


Rate this content
Log in

More oriya story from Sasmita Rout

Similar oriya story from Romance