ନିଶୀଥ ସୂର୍ଯ୍ୟ
ନିଶୀଥ ସୂର୍ଯ୍ୟ
ଅସ୍ତ ହେଉ ନଥିବା ସୂର୍ଯ୍ୟ ପରିକା ପ୍ରେମ କାହାଣୀ ଥିଲା ରାଧା ବହ୍ଲୋବ ଓ କୃଷ୍ଣ କୁମାରୀଙ୍କର ।ଆଉ ମୁଁ ଥିଲି ସେ ପ୍ରେମ କାହାଣୀର ମୁଖ୍ୟ ପୁରୋଧା ମାନେ ସେମାନଙ୍କର ମେସେଞ୍ଜର ବା ପୋଷ୍ଟ ପିଅନ।ସେଥିପାଇଁ ରାଧା ଭାଇଙ୍କ ଠାରୁ ପାଉଥିଲି ସୁନ୍ଦର ପେନ ସାଙ୍ଗକୁ ଢେରସାରା ଚକଲେଟ୍ ଓ କୃଷ୍ଣା ଦିଦି ମୋ ପାଇଁ ଆଣିଦେଉଥିଲେ ଯାବତୀୟ ଟେସନାରୀ ସାମଗ୍ରୀ। ମୁଁ କିନ୍ତୁ ସେସବୁ ଲୋଭରେ ପଡ଼ି ଏସବୁ କରୁନଥିଲି,ଉଭୟ ମତେ ବହୁତ ଭଲ ଲାଗୁଥିଲେ ।
ରାଧା ଭାଇ ଦେଖିବାକୁ ସୁନ୍ଦର, ସୁଢ଼ଳ, ଗୋରା ତକତକ ।ଆଉ କୃଷ୍ଣା ଦିଦି ଟିକେ ରଙ୍ଗ କମ୍ ହେଲେ କଣ ହେବ ଗୋଟିଏ ଚାଉଳରେ ଗଢ଼ା, ଟଣା ଟଣା କଥା କୁହା ଆଖି, ତୀକ୍ଷ୍ଣ ନାକ ଲମ୍ବା କେଶ ଅଣ୍ଟା ପର୍ଯ୍ୟନ୍ତ ଖୁବ୍ ସୁନ୍ଦର ମାନେ ତାଙ୍କୁ।ଏମାନଙ୍କୁ ଦେଖିଲେ ମନେ ହୁଏ ସତେବା ରାଧା - କୃଷ୍ଣଙ୍କ ଯୋଡ଼ି।
ରାଧା ଭାଇଙ୍କ ଘରକୁ ଯିବାର ମୋର ସେମିତି କେହି ବାଧକ ନଥିଲେ।ତାଙ୍କ ତିନି ଭାଇଙ୍କର କେହି ଭୋଉଣୀ ନଥିବାରୁ ମୁଁ ସେମାନଙ୍କୁ ରାକ୍ଷୀ ବାନ୍ଧୁଥିଲି ।ରାଧା ଭାଇଙ୍କ ଉପର ଭାଇ ଚାକିରୀ କରୁଥିଲେ ସେ ତାଙ୍କର ଚାକିରୀ ନେଇ ଵ୍ୟସ୍ତ ।ଆଉ ସାନଭାଇ ପଢୁଥିଲା ତାସହ ସେତାର ସାଙ୍ଗ ମାନଙ୍କୁ ନେଇ ବ୍ୟସ୍ତ।ଅବଶ୍ୟ ରାଧା ଭାଇଙ୍କ ପଢ଼ା ସରି ଯାଇଥିଲା ଏବଂ ସେ ଏବେ ଚାକିରୀ ଖୋଜୁଥିଲେ।କୃଷ୍ଣା ଦିଦିର ମଧ୍ୟ କଲେଜରେ ଶେଷବର୍ଷ ଥିଲା।
ଏମାନଙ୍କ ଚିଠି ଦିଆନିଆରେ ମୁଁ ମୋର ସ୍ବତନ୍ତ୍ର ଡ୍ରେସ ରଖିଥିଲି।ଆଉ ସେଇ ଡ୍ରେସ ପାଇଁ ମୁଁ ଜୁଲି ଦିଦି ହାବୁଡ଼ରେ ପଡ଼ି ଗଲି।ଜୁଲି ଦିଦି ହେଲା ମାନେ କୃଷ୍ଣା ଦିଦିଙ୍କ ସାନ ଭୋଉଣୀ।ଆଉ ମୋ ରାସ୍ତାର କଣ୍ଟା, କାଳୀ ବିଲେଇ ଭଳି ସବୁବେଳେ ମୋ ରାସ୍ତା କାଟିବ।ମତେ ଦେଖି କହିଲା ତର ଏତେ ଡ୍ରେସ ଥାଉଥାଉ ତୁ ଏଇ ଡ୍ରେସ କାହିଁ ଘୋଡ଼ାଇ ବୁଲୁଛୁ ସବୁବେଳେ।ମୁଁ ଚଟ୍ କରି କଥା ବଦଳି କହିଦେଲି ଏଇଟା କୃଷ୍ଣା ଦିଦି ଙ୍କୁ ଭଲଲାଗେ।ତମର କଣ ଯାଉଛି,ମୁଁ ଯାହା ପିନ୍ଧିଲେ।ସେ ଖେତେଇ କରି କହିଲା ଯାଉନୁ କୃଷ୍ଣା ଦିଦିର ଚାମଚା।ମୁଁ କୃଷ୍ଣା ଦିଦିଙ୍କୁ ଅଭିଯୋଗ କଲି ଯେତେବେଳେ ସେ କହିଲେ ଅନ୍ୟ ଡ୍ରେସ ପିନ୍ଧି ଆସୁନୁ।ମୁଁ ମୁହଁ ଥମଥମ କରି କହିଲି କେମିତି ଯେ,ଏଥିରେ ପରା ପକେଟ୍ ଅଛି ତୁମ ଚିଠି ଲୁଚାଇକି ଆଣିବାକୁ ପଡୁଛି।ସେ ମୋ ପାଖକୁ ଆସି କହିଲେ ବ୍ୟସ୍ତହନା ଆର ମାସ ସୁଧା ତୋ ରାଧା ଭାଇର ଚାକିରୀ ହେଇଯିବାର ଅଛି, ମୋର ବି ପରୀକ୍ଷା ସରିଯାଇଥିବ ।ଘରେ ସମସ୍ତଙ୍କ ସହ ଆମେ କଥାହେବା ।ସେତେଦିନ ଯାଏ ଚଳାଇ ନେ,ଏହା ପରେ ତତେ ନିସ୍ତାର ମିଳିଯିବ।ମୁଁ କାନ ପାଖରେ କହିଲି ମୋ ନଣନ୍ଦ ପେଡିଟି ଭଲରେ ସଜେଇଥିବ,ସେ ଲାଜେଇ ଗଲେ।
କିନ୍ତୁ ସମୟର ଗତି ଅନ୍ୟ କିଛି ଆଣିଦେଲା।ଯାହାର ପ୍ରଳୟଙ୍କରୀ ଘୂର୍ଣ୍ଣିଝଡ ରେ ତାସଘର ପରି ଏମାନଙ୍କ ସ୍ବପ୍ନର ଘରକୁ ଉଡ଼ାଇ ନେଲା।ହଠାତ ରାଧାଭାଇଙ୍କ ଜୀବନ ଦୀପ ଲିଭିଗଲା।ତାଙ୍କ ସାନଭାଇ କରିଥିବା ଗଣ୍ଡଗୋଳ କୁ ସମାଧାନ କରିବାକୁ ଯାଇ ବଳି ପଡିଗଲେ।
ଏ ଖବର ଶୁଣି କୃଷ୍ଣା ଦିଦି ପାଗଳ ପ୍ରାୟ ହେଇଗଲା,ଖାଇବା ପିଇବା ଛାଡ଼ି ବାଉଳି ଚାଉଳି ହେଲା। ଅନେକ ସମୟରେ ମଶାଣି ପଦାରେ ଯାଇ ଘଣ୍ଟା ଘଣ୍ଟା ବସିଥାନ୍ତି,ଗାଁ ଲୋକ କିଏ କେମିତି ଦେଖିଲେ ଘରକୁ ଆଣନ୍ତି।ମୁଁ ତ ସାହସ କରି ତାଙ୍କ ଆଗକୁ ଯାଇ ପାରୁ ନଥାଏ,କେବ କେମିତି ଗଲେ ମତେ ଦେଖି ଝୁଙ୍କେ କାନ୍ଦନ୍ତି।ମୋ ପାଖରେ ମଧ୍ୟ ସାନ୍ତ୍ବନା ଦେବା ପାଇଁ ଶବ୍ଦ ନଥାଏ।ହଠାତ ଦିନେ ସେ ମଧ୍ୟ ନିଃଶଦ୍ଧ ହୋଇ ରାଧାଭାଇଙ୍କ ସମାଧି ପାଖରେ ଟଳି ପଡିଥିଲେ।
ଆଜିକୁ ଅନେକ ବର୍ଷ ବିତିଗଲାଣି ଉଭୟଙ୍କ ଗାଁ ଲୋକ ତଥା ଉଭୟଙ୍କ ପରିବାର କିଛିଟା ପାସୋରି ଗଲେଣି।ମୁଁ ଗାଁ ଛାଡି ମୋ ସଂସାରରେ ଆଗକୁ ବଢିଲିଣି।ହେଲେ ଆଜି ମଧ୍ୟ ଯେବେ ଗାଁକୁ ଯାଏ ମଶାଣି ପଦାଆଡେ ଥରଟିଏ ହେଲେ ଯାଏ।ମୋ ମା ଯେତେ ବାରଣ କଲେ ମଧ୍ୟ ମୁଁ ନିଜକୁ ଅଟକାଇ ପାରେନି।ମତେ ଲାଗେ ଉଭୟଙ୍କ ଆତ୍ମା ଯେମିତି ସେଇଠି ଅଛି, ଆଉ ସେମାନଙ୍କ ଶୀତଳ ସ୍ପର୍ଶ ସେଠିକାର ପବନରେ ଥାଏ।