ଗାଁ ଲେଉଟା
ଗାଁ ଲେଉଟା
ଆଜି ବିଶ୍ବମ୍ବର ବାବୁ ଭାରି ବ୍ୟସ୍ତ ଅଛନ୍ତି।ସକାଳୁ ପ୍ରହରରୁ ସ୍ବାମୀ ,ସ୍ତ୍ରୀ ଦୁଇ ଜଣଯାକ ଘରର ସଫା ସୁତୁରାରେ ଲାଗି ପଡ଼ିଛନ୍ତି । ବଡିଭୋରରୁ ଗାଁ ପିଲା ଶୁକୁରାକୁ ଡାକି ପଠାଇଛନ୍ତି, ସେ ମଧ୍ୟ ନିଦ ଛାଡି ଭୋରରୁ ହାଜର।ଆସନ୍ତାନି କେମିତି ବିଶ୍ବମ୍ବର ବାବୁ ତାର ଦାଇ ଦରକାର ସବୁ ବୁଝନ୍ତି। ସେ ମଧ୍ୟ ସାନବାବୁ ସହରକୁ ଯିବା ଠାରୁ ତାଙ୍କର ପୁଅ ପରିକା ଡାକହାକ ଶୁଣେ।
ପୋଖରୀ ହୁଡା ସଫାକରିବା ଠାରୁ ଦାଣ୍ଡ ଦୁଆରର ଅନାବନା ଗଛ ଯେତକ କାଟି ସଫା କରିସାରିଲେଣି।ପୋଖରୀରୁ ରୁହି ମାଛ ସହ ମହୁରାଳୀ ମାଛ ମଧ୍ୟ ଧରା ସରିଲାଣି। ଏବେ ଶୁକୁରାଟା ବିଶ୍ବମ୍ବର ବାବୁଙ୍କ ଠାରୁ ଆଜିର ମଜୁରୀ ସହ,ତାଙ୍କ ସ୍ତ୍ରୀ ସବିତାଙ୍କ ଠାରୁ ବାଡ଼ି ଶାଗ,ସୁଜନାଛୁଇଁ,ମାଛ କେଇଟା ତା'ପିଲାଛୁଆଙ୍କ ପାଇଁ ଧରି ଖୁସି ମନରେ ବାହୁଡ଼ିଲାଣି।
ବେଳ ଆସି ଦିପହର ହେଲାଣି ହେଲେ ତାଙ୍କ ଵୋହୁ, ନାତି, ନାତୁଣୀ ଙ୍କ ଦେଖା ନାହିଁ। କାଲି ରାତିରେ ପୁଅ ସହ କଥା ହୋଇଥିଲେ,ଫନି ବାତ୍ୟା ପାଇଁ ଭୁବନେଶ୍ବରରେ ଲାଇନ ,ପାଣିର ଅସୁବିଧା ତେଣୁ ଡ୍ରାଇଭର ପିଲାମାନଙ୍କୁ ନେଇ ଘରକୁ ଆସିବା କଥା। ଡ୍ରାଇଭର ଟା ପୁରୁଣା ଲୋକ, ବାଟରେ କିଛି ହେଲାକି। ପାପ ମନକୁ କେତେ କଣ ଛୁଉଁଛି। ନହେଲେ ଏଯାଏଁ କାହାରି ଦେଖାନାହିଁ କାହିଁକି କିଛି ବୁଝା ପଡୁନି। ସକାଳୁ ୭.୦୦ ଟାରୁ ବାହାରିଲେଣି ୧୧.୦୦ ସୁଧା ପହଞ୍ଚି ଯିବା କଥା । ଭୁବନେଶ୍ୱରରୁ ବାଲେଶ୍ବରକୁ ଚାରି ଘଣ୍ଟାର ରାସ୍ତା। ଗାଁ କୁ ନହେଲେ ଆଉ ୧୫ମିନିଟ ଯିବ।
୧.୦୦ ବାଜିବାକୁ ଗଲାଣି,ସେ ଵୋହୁ ନମ୍ବରକୁ ଫୋନ ଲଗାଇଲେ। ଦୁଇଥର ରିଙ୍ଗ୍ ହେଲାପରେ ଵୋହୁ ଫୋନ ଉଠାଇଲା। ଟିକେ ବିରକ୍ତି ଭରା ଶ୍ବରରେ କହିଲା ,ଆପଣ ବାରମ୍ବାର କାହିଁ ଫୋନଟା ଲଗାଉଛନ୍ତି। କାଲି ରାତିରୁ ଯେଉଁ ଅବସ୍ଥା, ସେଥିରେ ପୁଣି ପିଲାମାନେ ଗାଁରେ ଯାଇ କେମିତି ଚଳିବେ। ଆମେ ଆମ ବାଲେଶ୍ବର ଟାଉନ ଘରେ ରହିବୁ। ଏଠି ପାଣି କନ୍କେସନ୍ ସାଙ୍ଗକୁ ଏସି,ଏନଭେଟର ସବୁ ବ୍ୟବସ୍ଥା ଅଛି। ଆମେ ଭୁବନେଶ୍ବର ଫେରିବା ପୂର୍ବରୁ ଗାଁ ଘରେ ବଲିଆସିବୁ।
ବିଶ୍ବମ୍ବର ବାବୁଙ୍କ ଠାରୁ କଥା ତକ ଶୁଣି ସବିତା ଦେବି ,ତାଙ୍କର ଘରକୁ ପସିଗଲେ। ଦୁଇ ଝୁଲାରେ ବାଡ଼ି ଜିନିଷ, ଟିଫିନ ରେ ମାଛଭଜା, ମହୁରାଳୀ ମାଛଖଟା ସବୁ ଭରି...ଶୁକୁରାଟାକୁ ପୁଣି ଲୋଡ଼ା ପଡ଼ିଲା।
ସେ ମଧ୍ୟ ବିଶ୍ବମ୍ବର ବାବୁଙ୍କ ଡାକରା ପାଇ,ଦୁଇ ଗୁଣ୍ଡାଭାତ ତରବରରେ ଖାଇ ବାହାରି ଆସିଲା। ଆଉ ବିଶ୍ବମ୍ବର ବାବୁ ସେମିତି ଅଖିଆ ପିଲାମାନଙ୍କ ପାଇଁ ଜିନିଷ ତକ ଧରି ...ଧୂ ଧୂ ଖରାଟାରେ ସ୍କୁଟି ଧରି ବାହାରି ପଡ଼ିଲେ ସମୁଦୀ ଘରକୁ।