ସମାଧି ସ୍ଥଳ
ସମାଧି ସ୍ଥଳ
ତାନି ବାରିପଟ ଘରୁ ପାଟି କରି ତା ବୋଉକୁ ଡାକୁଥାଏ"ବୋଉ ଏ ବୋଉ ଦେବାଙ୍କର କିଛି ଫୋନ ଆସିଥିଲା କି? ମୁଁ ସେତେବେଳୁ ଶୋଇଛି ଯେ ଶୋଇଛି।ଟିକିଏ ଉଠେଇ ଦେଇ ନଥାନ୍ତୁ ସୁଧାଦେବୀ ତାନି ପ୍ରଶ୍ନର କି ଉତ୍ତର ଦେବେ ସ୍ଥିର କରିପାରୁନଥାନ୍ତି।ସୁଧାଦେବୀଙ୍କ ଠାରୁ କିଛି ଉତ୍ତର ନପାଇ ତାନି ବାରିପଟ ଘରୁ ବାହାରି ଆସିଲା।ସୁଧାଦେବୀଙ୍କୁ କହିଲା,"ବୋଉ ତୋତେ ମୁଁ ସେତେବେଳୁ କିଛି ପଚାରୁଛି।ତୁ ଏଇଠି ଥାଇ ମଧ୍ୟ କିଛି ଉତ୍ତର ଦେଉ ନାହୁଁ କାହିଁକି ?"ସୁଧାଦେବୀ ତାନିର ଏପରି ପ୍ରଶ୍ନରେ ବିଚଳିତ ହୋଇଯିବାର ଦେଖି ତାନିର ବାପା ହରିହର ବାବୁ କହିଲେ,"ଆରେ ମାଆ ! ଦେବାଙ୍କର ଫୋନ ଆସିଲେ ଆମେ ତୋତେ ଜଣାଇଦେବୁ।ତୁ ଯାଆ ତୋର କ'ଣ କାମ କର।"
ତାନି ସେଠାରୁ ପ୍ରସ୍ଥାନ କରିବା ପରେ ସୁଧାଦେବୀ ଲୁହ ପୋଛି କହିଲେ ,"ତାନି ର ଏ ଅବସ୍ଥା ଆଉ ମୁଁ ସହିପାରୁନି।କେବେ କେଜାଣି ଏ ଦୁଃଖର ଦିନ ସରିବ? ମୋ ତାନି ତା ଜୀବନକୁ ପୁଣି ଜୀଇବ।"ହରିହର ବାବୁ କହିଲେ,"ସେଥିପାଇଁ ତ କହୁଛି ତାନିକୁ ସବୁ ସତ କହିଦେବା ଉଚିତ ହେବ।ଏମିତିରେ ମଧ୍ୟ ସେ ସ୍ବଭାବିକ ହୋଇପାରୁ ନାହିଁ।ସେଦିନ ଡାକ୍ତର ବାବୁ କ'ଣ କହିଲେ ତୁମେ ତ ଶୁଣିଛ।ସେହି ଦିନର ଦୁର୍ଘଟଣାକୁ ତାନି ମାନସିକ ସ୍ତରରେ ସ୍ୱୀକାର କରିପାରିନାହିଁ।ଯଦି ଏ ଅବସ୍ଥା ଏପରି ଆଉ କିଛି ଦିନ ଚାଲେ ସେ ସତରେ ପାଗେଳି ହୋଇଯିବ।ଦେଖୁ ଦେଖୁ ୨ମାସ ବିତିଗଲାଣି।ଆଖି ଆଗରେ ମୋ ଝିଅଟା କେତେ କଷ୍ଟ ପାଉଛି।ତାକୁ ଦେଖି ମୋର ମଧ୍ୟ ଧର୍ଯ୍ୟ ତୁଟି ଗଲାଣି।ସାହସର ସହ ତାକୁ ଧୀରେ ଧୀରେ ସତ୍ୟତାର ସମ୍ମୁଖୀନ କରାଇବାକୁ ହେବ।
ଏହି ସମୟରେ କେହି ଜଣେ ଦୁଆର କବାଟ ଖଟ୍ ଖଟ୍ କଲା। ହରିହର ବାବୁ କବାଟ ଖୋଲି ଦେଖନ୍ତି ତ ମହାନ୍ତି ସାହିର ପିଲାଟିଏ ଦୁଆରେ ଛିଡା ହୋଇ ଧଇଁସଇଁ ହେଉଥାଏ।ହରିହର ବାବୁ କହିଲେ,"କିଏ ତୁମେ? ଏପରି ଧଇଁସଇଁ କାହିଁକି ହେଉଛ?କ'ଣ କିଛି ହେଇଛି କି?"ପିଲାଟି କହିଲା ,"ଆମ ସାହି ରବି ମହାନ୍ତିଙ୍କ ପୁଅ ରଘୁ ତୁମ ତାନିକୁ ଡାକୁଛି।ତାନିକୁ ନେଇ ଆସ ,ଶୀଘ୍ର ଯିବାକୁ ହେବ।"ହରିହର ବାବୁ ଆଶ୍ଚର୍ଯ୍ୟ ହୋଇ କହିଲେ ,"ସେ କାହିଁକି ତାନିକୁ ଡାକୁଛି ? "ପିଲାଟି ଧୀରେ କରି ହରିହର ବାବୁଙ୍କ କାନରେ କିଛି କହି ଚାଲିଗଲା।
ହରିହର ବାବୁ ଆସି ପତ୍ନୀ ସୁଧାଦେବୀଙ୍କୁ କହିଲେ,"ବୁଝିଲ ସୁଧା ତାନିକୁ ବାସ୍ତବିକତା ର ସମ୍ମୁଖୀନ ହେବାର ସମୟ ଆସିଛି।ତାନିକୁ ଯେମିତି ହେଲେ ବୁଝାସୁଝା କରି ମହାନ୍ତି ସାହିକୁ ନେବାକୁ ହେବ।
ଉଭୟେ ତାନିକୁ ବହୁତ ମିଛସତ କରି କହି ରବି ମହାନ୍ତିଙ୍କ ଘରକୁ ନେଇଗଲେ।ମହାନ୍ତିଙ୍କ ପୁଅ ରଘୁ ତାନିକୁ ଦେଖୁ ଦେଖୁ କହିଲା,"ତାନି ତୁମେ ସତରେ ଆସିଲ!!ମୁଁ ଭାବିଲି ତୁମେ ଆସିବ ନାହିଁ।"
ତାନି ରବି ମହାନ୍ତିଙ୍କ ପୁଅ କଥା ଶୁଣି ହରିହର ବାବୁଙ୍କୁ କହିଲା, "ବାପା ଏହି ଭାଇ ଏପରି କ'ଣ କହୁଛନ୍ତି?"
ହରିହର ବାବୁ,ସୁଧାଦେବୀ ଙ୍କର ଆଖିରେ ଲୁହ ଭରିଯାଇଥାଏ।ତାନି ମଧ୍ୟ ବ୍ୟସ୍ତ ହେଉଥାଏ।ରଘୁ କହିଲା ,"ତାନି ମୁଁ ତୁମ ଦେବାଶିଷ କହୁଛି।ମୋ ମୃତ୍ୟୁ ପରେ ମଧ୍ୟ ମୁଁ ତୁମକୁ ଛାଡି ଯାଇ ପାରୁନାହିଁ।ତୁମ ଭଲ ପାଇବା ମୋତେ ଯିବାକୁ ଦେଉନାହିଁ"
ଦେବାଶିଷର ମୃତ୍ୟୁ ଖବର ଶୁଣି ତାନି ରାଗରେ ରଘୁକୁ ଦୁଇ ଚାପୁଡ଼ା ମାରି କହିଲା ,"ତୋର ବହୁତ ସାହସ ହେଲାଣି ତ !! ତୁ ମୋ ଦେବା ଙ୍କୁ ନେଇ ଏପରି ଥଟ୍ଟା କରୁଚୁ।ଏତିକି କହି ଖୁବ୍ କାନ୍ଦିବାରେ ଲାଗିଲା।
ସୁଧାଦେବୀ ତାନିକୁ କୋଳକୁ ଭିଡି ନେଇ ତାକୁ ସାନ୍ତ୍ୱନା ଦେଇ କହିଲେ,"ମାଆ ରେ ସତରେ ଦେବାଶିଷଙ୍କର ମୃତ୍ୟୁ ହୋଇସାରିଛି।ଏବେ ରଘୁ ଶରୀରରେ ତାଙ୍କର ପ୍ରେତ ସବାର ହୋଇଛି।"ତାନି ବେଶୀରୁ ବେଶୀ କାନ୍ଦିବାରେ ଲାଗିଲା।
ଦେବାଶିଷ କହିଲା,"ତାନି, ଆମର ବିବାହ ସରିବା ପରେ ଘରକୁ ଫେରିବା ସମୟରେ ଡକାୟତ ଦଳ ଆମକୁ ଆକ୍ରମଣ କରିଥିଲେ।ତୁମର ଗହଣା ସବୁ ନେଇଗଲେ।ତୁମକୁ ଅସଦାଚରଣ କରିବାକୁ ପ୍ରୟାସ କରୁଥିବା ବେଳେ ମୋତେ ଆକ୍ରମଣ କରି ହତ୍ୟା କରିଲେ।ମୋ ବାପା ମାଆଙ୍କୁ ମଧ୍ୟ ହତ୍ୟା କରିଚାଲିଗଲେ।ସବୁ କିଛି ତୁମ ସମ୍ମୁଖରେ ଘଟିଗଲା।ଅଥଚ ତୁମେ ମୋ ଫେରିବାର ପ୍ରତୀକ୍ଷା କରୁଛ।ତୁମେ ସତ୍ୟତାକୁ ସ୍ୱୀକାର କର ତାନି।ତୁମ ର ଏ ନିବିଡ଼ ପ୍ରେମ ମୋତେ ବାନ୍ଧି ରଖୁଛି ତାନି।ମୁଁ ତୁମ ରାଇଜକୁ ଫେରିପାରିବିନି।କିନ୍ତୁ ତୁମେ ତ ମୋ ରାଇଜକୁ ଆସି ପାରିବ।ମୋ ସହ ଚାଲିଆସ ତାନି।"ଏତିକି କହି ଦେବାଶିଷର ଆତ୍ମା ମଧ୍ୟ କାନ୍ଦିବାକୁ ଲାଗିଲା।
ତାନି ଧୀରେ ଧୀରେ ପ୍ରକୃତିସ୍ଥ ହେଉଥିଲା।ପୂର୍ଵ ଘଟଣା ସମୁହ ଆଖି ଆଗରେ ନାଚି ଉଠୁଥିଲା। ସେହି ମର୍ମନ୍ତୁଦ ଘଟଣା ସ୍ୱତଃପ୍ରୋତ ଭାବେ ତାନିକୁ ହୃଦୟ ବିଦାରକ ଚିତ୍କାର କରିବାକୁ ବାଧ୍ୟ କରିଦେଲା।
ଉପସ୍ଥିତ ଲୋକାରଣ୍ୟ ପରସ୍ପର କଥା ହେଉଥିଲେ ଦେବା ଆତ୍ମାର ଏ କିପ୍ରକାର ଦାବି !ଆଗକୁ କ'ଣ ହେବ?ଦେବାଶିଷର କଥା ଶୁଣି ତାନିର ବାପା ମା ମଧ୍ୟ ଭୟ କରିଗଲେ ତାନିର ଭବିଷ୍ୟତ କ'ଣ ହେବ ?ତେଣୁ ସେମାନେ ତାନି କୁ ସେ ସ୍ଥାନରୁ ଘରକୁ ଫେରାଇ ଆଣିବାକୁ ଚାହିଁଲେ।କିନ୍ତୁ ତାନି ଦେବାଶିଷକୁ ଛାଡି ଆସିବାକୁ ପ୍ରସ୍ତୁତ ନଥାଏ।ତେଣୁ ତାକୁ ବଳପୂର୍ବକ ଘରକୁ ଫେରାଇ ଆଣିବାକୁ ବାଧ୍ଯ ହେଲେ।
ଘରକୁ ଆସିବା ପରେ ତାନି ଚୁପଚାପ ରହିଲା।ଏକା ବସିଲେ ଗୁମୁରି କାନ୍ଦିଲା।ଝିଅର ଏହି ଅବସ୍ଥା ଦେଖି ହରିହର ବାବୁ ସୁଧାଦେବୀଙ୍କୁ କହିଲେ ,"ଆମର ସେଠାକୁ ଯିବାର ନଥିଲା।ତାନିର ପୂର୍ବାବସ୍ଥାରୁ ଏ ଅବସ୍ଥା ଭାରି ଅସହ୍ୟ ଲାଗୁଛି।ଛୋଟ ବୟସରେ ଏତେ କଷ୍ଟ ସହୁଛି ମୋ ଝିଅ।"ଆଗକୁ କ'ଣ କରିବେ କିଛି ସ୍ଥିର କରି ପାରୁନଥାନ୍ତି।
କିଛି ଦିନ ପରେ ତାନି ବାପା ମାଆଙ୍କୁ ଅନୁରୋଧ କଲା କେବଳ ଗୋଟିଏ ଥର ପାଇଁ ଦେବାଶିଷର ସମାଧି ସ୍ଥଳ କୁ ଯାଇ ଦେଖିବା ପାଇଁ।ଅନିଚ୍ଛା ସତ୍ୱେ ତାନିର ବାପା ମାଆ ତାନିକୁ ଦେବାଶିଷର ସମାଧି ସ୍ଥଳକୁ ନେଇଗଲେ।ଦେବାଶିଷର ସମାଧୀକୁ ଦେଖି ତାନି ମନେମନେ ବହୁତ କିଛି ଗପିଚାଲିଲା।ହରିହର ବାବୁ ତାକୁ ରୋକିବାକୁ ଯାଉଥିଲେ, କିନ୍ତୁ ସୁଧାଦେବୀ ତାଙ୍କୁ ଅଟକାଇ କହିଲେ,"ତା ମନରେ ଯାହା କିଛି ଅବ୍ୟକ୍ତ ହୋଇ ରହିଛି ,ସେ ସବୁ ଏଇଠି କହିଦେଉ।ତା ମନ ହାଲୁକା ହେଇଯାଉ।ତା'ବ୍ୟତୀତ ଆଉ କିଛି ଉପାୟ ମୁଁ ଭାବି ପାରୁନି।ଏମିତି ନହେଉ କି ଆମେ ଆମ ତାନିକୁ ଚିର ଦିନ ପାଇଁ ହରାଇ ଦେବା।
ଏହି ସମୟରେ ହଠାତ୍ ତାନି ସେଠାରେ କାନ୍ଦିକାନ୍ଦି ଚେତାଶୂନ୍ୟ ହୋଇଗଲା।ତେଣୁ ତାନିର ବାପା ମାଆ ବହୁ ଚେଷ୍ଟା କରି ତାକୁ ସଚେତ କରାଇ ହସ୍ପିଟାଲ ନେଇଗଲେ।
ଦେବାଶିଷର କଥା ବ୍ୟତୀତ ଅନ୍ୟ ସବୁକିଛି ଡାକ୍ତରଙ୍କୁ ଜଣାଇବା ପରେ ଡାକ୍ତର କହିଲେ,"ସେ ବାସ୍ତବତାକୁ ସ୍ୱୀକାର କଲେ ତାହା ଯଥେଷ୍ଟ।ଧୀରେ ଧୀରେ ଏହି ଦୁଃଖରୁ ମଧ୍ୟ ସେ ବହାରିଯିବେ।କିନ୍ତୁ ଆପଣ ମାନେ ତାଙ୍କୁ ଯଥେଷ୍ଟ ସମୟ ଦିଅନ୍ତୁ।ସେ ଠିକ୍ ହୋଇଯିବେ।ଦୁର୍ବଳତା କାରଣରୁ ସେ ଚେତାଶୂନ୍ୟ ହୋଇଗଲେ।ତେଣୁ ତାଙ୍କର ବିଶେଷ ଧ୍ୟାନ ରଖନ୍ତୁ।"
ମନରେ ଆଶାର କିରଣ ନେଇ ହରିହର ବାବୁ ଓ ତାଙ୍କ ପତ୍ନୀ ତାନିକୁ ନେଇ ଘରକୁ ଫେରିଲେ।
ଏହି ଘଟଣା ପରେ ତାନିର ହାବ ଭାଵ ବଦଳି ସ୍ବଭାବିକ ହେବାରେ ଲାଗିଲା।ବାପାମାଆ ଦୁହେଁ ତାନିକୁ ଦେଖି ଖୁବ୍ ଖୁସି ହେଲେ।କିନ୍ତୁ ଦିନେ ସୁଧା ଦେବୀ ଲକ୍ଷ୍ୟ କଲେ ଯେ ତାନି ମନେ ମନେ ଗପୁଛି,ମନେ ମନେ ହସୁଛି,ଲାଜେଇ ଯାଉଛି।ସେ ସମ୍ପୂର୍ଣ୍ଣ ଅଜ୍ଞ ଥିଲେ ଯେ ତାନି ଦେବାଶିଷ ର ଆତ୍ମା ସହ ଜୀବନ ଜୀଉଛି।ନିରୋଳାରେ ତା 'ସହ କଥା ହୁଏ,ସମୟ ବିତାଇ ଦିଏ।ବାପାମାଆ ଦୁହିଁଙ୍କର ଖୁସି ସବୁ ପାଣିଫୋଟୋକା ପରି ଉଭାନ ହୋଇଗଲା।ଦୁହେଁ ନିଶ୍ଚିତ ହୋଇଗଲେ ଯେ ତାନି ସ୍ବଭାବିକ ନୁହେଁ।ତେଣୁ ରାତି ପାହିଲେ ପୁଣିଥରେ ହସ୍ପିଟାଲ ଯିବା ପାଇଁ ସ୍ଥିର କରି ଶୋଇଗଲେ।
ସକାଳୁ ଉଠି ସୁଧାଦେବୀ ଦେଖନ୍ତି ଯେ ପାଖରେ ତାନି ନାହିଁ।ଆଲମାରୀ ଖୋଲା ଥାଏ।ତା ବାହାଘର ପିନ୍ଧା ପାଟ ନଥାଏ।ଗହଣା ଏଣେ ତେଣେ ଖୋଲା ହୋଇ ପଡିଥାଏ।ତାନିକୁ ଘର ସାରା ଖୋଜି ଖୋଜି ନପାଇ ଦେଖନ୍ତି ତ ଦୁଆର ମଧ୍ୟ ଖୋଲା ପଡିଥାଏ।ବ୍ୟସ୍ତ ହୋଇ ହରିହର ବାବୁଙ୍କୁ ଉଠାଇ ସବୁ କଥା କହିଲେ।ଉଭୟେ ଅନୁମାନ କରିପାରୁନଥିଲେ ତାନି ବାହାଘର ପାଟ, ଗହଣା ପିନ୍ଧି କୁଆଡେ ଯାଇଥିବ।ସାଇ ପଡିଶା କହିଲେ ," ଦେବାଶିଷ ତାନିକୁ ନେବାପାଇଁ କହୁଥିଲା।ତାନିର ଆଉ ସେମିତି କିଛି ହୋଇଯାଇ ନାହିଁ ତ?"ଲୋକମାନଙ୍କ କଥା ଶୁଣି ମାଆ ମନକୁ ପାପ ଛୁଉଁଥାଏ।ହରିହର ବାବୁ ,ସୁଧାଦେବୀ କିଛି ଲୋକଙ୍କ ସହ ଥାନାରେ ନିଖୋଜ ଖବର ଦେଇ ଦେବାଶିଷର ସମାଧି ସ୍ଥଳକୁ ଗଲେ।ଯାଇ ଦେଖନ୍ତି ତ ତାନି ନବବଧୂର ବେଶ ହୋଇ ଦେବାଶିଷର ସମାଧିରେ ମଥା ରଖି ଶୋଇଯାଇଛି।ଓଠରେ ଗାଢ଼ ହସ ଟିଏ ରହି ଶରୀର ନିସ୍ତେଜ ହୋଇଯାଇଛି।
ଲୋକମାନେ ସ୍ଥିର କରିପାରୁନଥିଲେ ଏହା ଏକ ଭୌତିକ କାଣ୍ଡ କିମ୍ବା ତାନିର ମାନସିକ ବିକୃତି ର ପରିଣାମ।କିଛି ଲୋକ କହିଲେ ଏହା ଦେବାଶିଷର ପଦକ୍ଷେପ ଆଉ କିଛି ଜଣ କହୁଥିଲେ ବିଚାରୀଟି ଏହି କଷ୍ଟ ସହିପାରିଲା ନାହିଁ । ମାଆ ମନ କିନ୍ତୁ ଦାୟୀ କରୁଥିଲା ଦେବାଶିଷକୁ।କୋଳରେ ଝିଅକୁ ଧରି ବାହୁନି କାନ୍ଦୁଥିଲା ମାଆଟିଏ।
ପରେ ଝିଅର ଇଚ୍ଛାକୁ ସମ୍ମାନ ଜଣାଇ ହରିହର ବାବୁ ଦେବାଶିଷର ସମାଧି ପାଖରେ ତାନିର ସମାଧି ନିର୍ମାଣ କରାଇଲେ।ସମାଧି ସ୍ଥଳ ହୋଇଯାଇଥିଲା ମିଳନ ସ୍ଥଳ।

