ସଖା
ସଖା
ସଖା ଆଜି ଫେରୁଛି ଆମ ଗାଆଁକୁ, ପ୍ରାୟ କୋଡିଏ ବର୍ଷ ପରେ
କୋଉଠୁ କେଜାଣି ଉଡାଜାହାଜରେ ଆସିବ। ତା ପରେ ଟ୍ରେନ। ରାତି ନ ଟାରେ ପହଞ୍ଚିବ ସେ ଆମ ଗାଁ ଷ୍ଟେସନରେ। ଭାରି ଇଚ୍ଛା ହେଲା ଷ୍ଟେସନକୁ ଯାଇ ଦେଖିବି ମୋ ସଖାକୁ। ଷ୍ଟେସନ ପାଖକୁ ଲାଗିଛି ଆମ ଗାଆଁଟି। ତାଙ୍କ ଘର ଆମ ଘରଠୁ କେତେ ଆଉ ଦୂର ଡାକିଲେ ଶୁଣାଯାଏ
ଠିକ୍ ନ ଟାରେ ଟ୍ରେନ ଲାଗିଲା, କାଁ ଭାଁ ଦୁଇ ଚାରିଜଣ ଲୋକ ପ୍ଲାଟ ଫର୍ମ ଉପରେ। ପ୍ରବଳ ଶୀତ।
ଅଳ୍ପ ଓଢ଼ଣା ଟାଣି ବସିଥିଲି ମୁଁ କାଠ ବେଞ୍ଚ ଉପରେ । ଜଣେ ବିଦେଶୀଙ୍କ ସହ ମହିଳା ଜଣେ ଗାଡିରୁ ଓଲ୍ହେଇବାର ଦେଖି ଧାଇଁ ଗଲି ଆଗ୍ରହରେ। ଏଇ ମୋ ସଖା ତା ହେଲେ, ଗୋରୀ ତକ୍ ତକ୍। ଚିହ୍ନି ହେଲାନି। ତଳ ଓଠରେ ଦୁଇ ଦୁଇଟି ତିଳ ଚିହ୍ନ । ହଁ, ଏଇ ମୋ ସଖା। ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ଶୀତ ପୋଷାକ। ବିଦେଶୀ ଙ୍କ ସହ ଇଂରାଜୀରେ ଗପୁଥିଲେ, ଡରିଗଲି। ପରିଚୟ ତ ଦୂରର କଥା, ଆଉ ଟିକିଏ ଓଢ଼ଣୀ ଟାଣି ଦେଇ ବସି ପଡ଼ିଲି ବେଞ୍ଚ ଉପରେ। କୋଡିଏ ବର୍ଷ ବିତି ଯାଇଛି ଏହା ଭିତରେ। ସେ କଣ ମୋତେ ମନେ ରଖିଥିବ !
ମୋ ଆଡ଼କୁ ଅନେଇଲା ସେ, ମୁଁ ଆହୁରି ଡରିଗଲି।
ପ୍ଲିଜ୍ ହେଲ୍ପ ମି !
ବେଗଟାକୁ ଟିକିଏ କାର ପର୍ଯ୍ୟନ୍ତ ପହୁଞ୍ଚେଇ ଦେବ ?
ଓଡ଼ିଆ କଥାଟି ଇଂଲିଶ ପରି ଲାଗିଲେ ବି ବୁଝିଗଲି ମୋ ସଖାର କଥାଟିକୁ। ବେଶି ଭାରି ନ ଥିଲା ବେଗଟି। ଜମାରୁ କଷ୍ଟ ହେଲାନି। ଆଗରେ ସଖା ଚାଲିଲା, ପଛେ ପଛେ ମୁଁ। ଭାବୁଥିଲି ପରିଚୟଟି ଦେଇ ଦେବି କି ? ନା ଈର୍ଷା, ନା ହୀନମାନ୍ୟତା ଆକାଶରେ ସମଗତିରେ ଦୌଡ଼ୁଥିବା କଳା ଧଳା ବାଦଲ ଭିତରେ କଣ ଲଢେଇ ହୁଏ, ସାଥିରେ ଥାଇ ବି କେହି କାହାକୁ ଚିହ୍ନନ୍ତିନି ସାଗରର ଆସେ ପାସେ କୋଉ ଏକ ଦିଗବଳୟରୁ ଜନ୍ମିତ ସେମାନେ। ଅନିଶ୍ଚିତ କ୍ଷଣଭଙ୍ଗୁର ଜୀବନରେ କାହାଣୀ ସବୁ ଏମିତି ଚିହ୍ନା ଅଚିହ୍ନା କିଛି ମୁହୂର୍ତ୍ତର ମିଶ୍ରଣରେ ହିଁ ଜୀବନ ର ରୂପରେଖ ଉଦ୍ଭାସିତ, ପରିଚୟ ଦେଇ ହେଲାନି
ଶହେ ଟଙ୍କା ମୋ ହାତକୁ ବଢ଼ାଉଥିଲା। ମୁଁ ହସି ଦେଇ ଦଉଡ଼ି ଦଉଡ଼ି ଫେରି ଆସିଲି ପ୍ଲାଟଫର୍ମକୁ। ସମ୍ପର୍କ ଏକ ଖୋଲା ଅଧ୍ୟାୟ, ଦିଗବଳୟ ବ୍ୟାପୀ ବିସ୍ତୃତି, ସମ୍ପର୍କର ଢାଞ୍ଚା ଅନ୍ତହୀନ, ଦିଶା ହୀନ। ଟଙ୍କା ପଇସା ଭିତରେ କାବୁ ହୁଏନି ସମ୍ପର୍କଟା। ମୁଁ କେମିତି ଟଙ୍କା ନେଇ ଥାଆନ୍ତି ଯେ ମୋ ସଖା ହାତରୁ ଭାରି ଲାଜ ଲାଗିଲା।
ଶୂନ୍ୟ ହାତରେ ଫେରିଲି ଘରକୁ, ନା ସଖା ସହ ପରିଚୟ ହେଲା ନା ଟିକିଏ ସ୍ନେହ ଦେଇ ପାରିଲି ମୋ ସଖା କୁ।
ତା ପରଦିନ ସକାଳେ ଓଲେନ ନାଇଟି ପିନ୍ଧି କେହି ଜଣେ ଆମ ତାଟି ପାଖରେ ଛିଡା ହୋଇ ଅନାଉଥିଲେ ଭିତରକୁ।
ହଁ ! ମୋ ସଖା ମୋତେ ଖୋଜୁଛି।
ସଖା ! ରୁହ ମୁଁ ଆସୁଛି। ବାସନ କୁସନ ଛାଡି ଦେଇ ଘର ଭିତରକୁ ଦୌଡ଼ି ଗଲି। ଛିଣ୍ଡା ଲୁଗାକୁ ବଦଳେଇ ନାଇଟି ପିନ୍ଧି ଆସିଲି ବାହାରକୁ। ବାସ୍ନାରେ ମହକୁଥିବା ମୋ ସଖାକୁ ଆଉ କୁଣ୍ଢେଇବାକୁ ସାହାସ ପାଇଲାନି। ସେ କିନ୍ତୁ କୋଳେଇ ନେଲା, ମୁଁ ଚାପି ହୋଇଗଲି ତା ବାହୁ ଭିତରେ।
ଶିଳ୍ପୀ ତୁ କେମିତି ଅଛୁ ?
ଠିକ୍ ଅଛି ସଖା, କହି କାନ୍ଦି ପକେଇଲି। ପହିଲି ଜୁଆର ମୁହୂର୍ତ୍ତ, ଶୁଷ୍କ ବେଳାଭୂମିରେ ଆର୍ଦ୍ରତା ଭରିଯାଏ
ଗୋପାଳ ! ଦେଖ୍ ମୋ ସଖା କୁ , ସବୁଦିନ ମୁଁ ଯା କଥା କହେ ଗୋପାଳ ହାତ ଯୋଡ଼ି ନମସ୍କାର କଲା ମୋ ସଖାକୁ।
ଭଲରେ ଅଛ ତ ମୃଦୁ ହସିଦେଇ ସଖା ପଚାରିଲା ଗୋପାଳକୁ।
ବସନ୍ତ ଅପରାହ୍ନରେ ଅସରାଏ ବର୍ଷା ପରି ଅଜଣା ଅତିଥିଙ୍କ ମୁହଁରୁ କେରାଏ ହସ ଶୀତଳତା ଭରିଦେଲା ଗୋପାଳର ଦରଦୀ ହୃଦୟରେ। ଏତେ ସହଜ ପ୍ରଶ୍ନରେ ଏତେ ଉଷ୍ମତା !ମନ ଭିତରେ ଗଚ୍ଛିତ ଦୁଃଖ କଷ୍ଟ ତରଳି ଗଲା। ସ୍ନେହ ଭରା ଗୋଟାଏ ଶବ୍ଦ ମନରେ ଯେତେବେଳେ ନେସି ହୋଇଯାଏ, ଇଚ୍ଛା ହୁଏ ସବୁ ଦେଇ ଦେବାକୁ
ଗୋପାଳ ଧାଇଁଲା ଷ୍ଟେସନ ମୁହାଁ ହୋଇ।
ପାଞ୍ଚୋଟି ପଇଡ଼ ନେଇଆସି ଗୋଟି ଗୋଟି କରି କାଟିଲା ମୋ ସଖା ପାଇଁ। ମୋର ମନେ ଅଛି, ତିନିଟି ପଇଡ଼ ପାଣି ଢ଼କ୍ ଢ଼କ୍ କରି ପିଇ ଗଲା ମୋ ସଖା ଅତି ଆନନ୍ଦରେ।
ମୋର ଦୁଇ ଝିଅଙ୍କୁ ଦେଖିବା ପାଇଁ ସଖା ପଶିଗଲା ଆମ ଘର ଭିତରକୁ। ଦୁଇ ଜଣ ଭୟରେ ଖଟ ତଳେ ଏମିତି ଲୁଚି ଯାଇଥିଲେ ଯେ ସେମାନଙ୍କୁ ବାହାର କରି ମୋ ସଖାକୁ ଦେଖେଇବା ସମ୍ଭବ ହେଲାନି। ମୋ ସଖା ପରି, ଗୋରୀ, ସୁନ୍ଦରୀ, କିମ୍ଭୁତ କିମ୍ଭାକାର ମଣିଷକୁ ଦେଖି ସେମାନେ ସମ୍ପୂର୍ଣ୍ଣ ଡରି ଯାଇଥିଲେ।
ମୋ ସଖାକୁ ନେଇ ମୁଁ ବାହାରି ଗଲି ଗାଆଁ ଦାଣ୍ଡକୁ।
ମୋ ଉତ୍ତରୀକୁ ଠିକ୍ ଭାବେ ଘୋଡେ଼ଇ ଦେଲା ସେ ମୋ ଉପରେ, ମୁଁ ଜାଣି ନ ଥିଲି, ଛିଣ୍ଡା ନାଇଟି ପିନ୍ଧି ବାହାରି ଆସିଛି। ଦର୍ପଣ ଆଗରେ ନିଜ ମୁହଁ ଦେଖିବାକୁ ହେଲେ ଦର୍ପଣ ଆଗରେ ଛିଡା ହେବାକୁ ହୁଏ। ଗରିବ ଓ ଗରିବୀ ର ଅର୍ଥ ବୁଝିବାକୁ ହେଲେ ଛିଣ୍ଡା କପଡା ରେ ଲାଖି ରହିଥିବା ଯନ୍ତ୍ରଣା କୁ ଅନୁଭବ କରିବାର କ୍ଷମତା ଦରକାର। ମୋ ସଖା ଥିଲା ଭାରି ଦରଦୀ, କଥାଟି ଛୁଇଁ ଗଲା ତା ମନକୁ, କ୍ଷତ ବିକ୍ଷତ କଲା ବୋଧେ ।
ଶିଳ୍ପୀ, ସବୁ ବଦଳି ଗଲାଣି ଆମ ଗାଁରେ, ତୋ ଘର କିନ୍ତୁ ଠିକ୍ ସେମିତି, କିଛି ବଦଳିନି।
ହଁ, ସଖା ! ମୁଁ ବାପାଙ୍କ ଘରେ ହିଁ ରହୁଛି। ଗୋପାଳ ଘର ଜୁଆଇଁ ହୋଇ ରହିଛି ଆମ ଘରେ। ଭଲ ମଣିଷଟା। ଅଟୋ ଚଲାଏ।
ଭାରି ଭଲ ପାଏ ସେ ମୋତେ।
ଚାଲୁ ଚାଲୁ ଗାଆଁ ଦାଣ୍ଡରେ ଅନେକ ଦୂର ଚାଲି ଆସିଥିଲୁ। ସଖା ମନେ ଅଛି ! କଣ୍ଟା ବଇଞ୍ଚ କୋଳି ବୁଦା କଥା। ଏଇଠି ଥିଲା, ସରକାର ସଫା କରି ଅଙ୍ଗନ୍ଵାଡ଼ି ବନେଇଛି ଗାଆଁର ଅବହେଳିତ ଛୁଆଙ୍କ ପାଇଁ।
ଏଇଠି ଆମେ ଖପରାକାତି ଖେଳୁଥିଲୁ ନା..
ମନେ ନାହିଁ ! ଆଣ୍ଠୁ ଆଁଚୁଡ଼ା କଥା, ବିଶଲ୍ୟକରଣୀ। ସଖା ଆଣ୍ଠୁ ଦେଖେଇ କହିଲା ଦେଖ୍ ଦାଗ ଏବେ ବି ଅଛି। ଗାଁ କ୍ଳବର ଯୁବକ ମାନେ ଦଖଲ କରି ଠାକୁରାଣୀ ମନ୍ଦିର ବନେଇଛନ୍ତି ଏଇ ଜାଗାରେ।
ଟିକିଏ ଆଗକୁ ଯାଇ କହିଲି ସଖା ! ସ୍କୁଲ ଛୁଟି ପରେ ଏଇ ପଡ଼ିଆରେ ଆମେ ପୁଚି ଖେଳୁ ଥିଲୁ ନା ପଡିଆ କଣ ଆଉ ଅଛି ! ଛୁଆଙ୍କ ପାଇଁ ଛୋଟ ପାର୍କଟିଏ ସେଇ ଜାଗାରେ। କେତେ ରକମର ଫୁଲ ଦେଖ୍
ୱାଉ !
ଗାଆଁ ଦାଣ୍ଡରେ ଅନେକ ସ୍ମୃତି ସାଉଁଟିଲୁ ଆମେ ଦୁଇଜଣ। ତା ରହଣି ଭିତରେ କେତେ ଥର ବୁଲିଲୁ ଆମେ ଗାଆଁ ଦାଣ୍ଡରୁ ନଦୀ ପର୍ଯ୍ୟନ୍ତ କେତେ ଗପିଲୁ । କିଛି ମୋ କଥା ମୁଁ କହିଲି, କିଛି ତା କଥା ସେ କହିଲା।
ମୋ ସଖାର ଫେରିବା ଦିନ ପାଖେଇଲା , ବିଲାତକୁ ଫେରିଯିବ।
ଆଉ ଭୟ ନ ଥିଲା, ସଖାକୁ ବିଦାୟ ଦେବାପାଇଁ ଷ୍ଟେସନ ଆସିଲି।
ତା ବିଦେଶୀ ସ୍ବାମୀଙ୍କୁ ପରିଚୟ କରିଦେଲା ସେ ମୋ ସହିତ। ସେ ହାୟ କହି ହସିଦେଲେ ମୁଁ କିଛି ନ କହି ହସିଦେଲି।
ଟ୍ରେନ ଛାଡ଼ିବ ବୋଲି ଘୋଷଣା କଲା, କୋଳେଇ ନେଲା ସେ ମୋତେ ପ୍ଲାଟଫର୍ମ ଉପରେ। ଛୋଟ ପ୍ଲାଷ୍ଟିକ ବେଗ ଭରା କଣ୍ଟେଇ କୋଳି ବଢେଇ ଦେଲି ମୋ ସଖାକୁ।
ୱାଓ ! ମାଇଁ ଫେଭୋରାଇଟ
ଗାଡ଼ି ଛାଡ଼ିଲା, ବେଞ୍ଚ ଉପରେ ବିଗ ସପରଟିଏ ଛାଡି ଯାଇଛି ଭାବି ବେଗଟିକୁ ଧରି ଦୌଡ଼ିଲି ପ୍ଲାଟଫର୍ମ ଉପରେ। ସଖା ହାତ ଠାରି କହିଲା ଓଃ ଭୁଲି ଯାଇଥିଲି କହିବାକୁ। ସେଇଟା ତୋର, ତୋ ପାଇଁ ଆଣିଥିଲି। ହାଲିଆ ହୋଇ ବସିପଡ଼ିଲି ବେଞ୍ଚ ଉପରେ
ଦେଖିଲି ତା ଭିତରେ ସାଲ୍ଵାର କମିଜ୍, ସାଲ ଆଉ ଅନେକ କିଛି ! ସଖା କିଣିଛି ମୋ ପାଇଁ। କିନ୍ତୁ କାହିଁକି ? ମୋ ଛିଣ୍ଡା ନାଇଟି ଦେଖି ତରଳି ଗଲା ବୋଧେ ସେଦିନ। ଛୋଟ ଚିଠିଟିଏ ତା ଭିତରେ, ବଙ୍କା ତେଢ଼ା ଓଡ଼ିଆ ଅକ୍ଷରରେ ଲେଖିଥିଲେ ବି ସ୍ପଷ୍ଟ ପଢ଼ିପାରୁଥିଲି।
ଶିଳ୍ପୀ !
ବିଦେଶ ଖାଲି ଶୁଣିବାକୁ ଭଲ ଲାଗେ ସିନା, ଦେଖିବାକୁ ଗଲେ ଆମ ଗାଁ ହିଁ ଭଲ। ମୋତେ ଦେଖି ତୋ ବର କେତେ ଖୁସି ହୋଇ ଗଲା କହିଲୁ ସେଦିନ। ଦୌଡ଼ି ଯାଇ ପଇଡ଼ ନେଇ ଆସିଲା ମୋ ପାଇଁ। ଏ ସବୁ କିନ୍ତୁ ବିଦେଶରେ ନାହିଁ ଶିଳ୍ପୀ । ତୋତେ ଯଦି ମୁଁ ମୋ ସ୍ବାମୀଙ୍କ ସାଥିରେ ପରିଚୟ କରିଦିଏ, ଅତି ବେଶୀରେ ହସି ଦେଇ ହାୟ କହିବେ, ବାସ୍ ତା ଠୁ ବେଶି କିଛି ନାହିଁ ବିଦେଶରେ। ଜୀବନଟା ସମ୍ପୂର୍ଣ୍ଣ ଯନ୍ତ୍ରବତ୍ ବିଦେଶରେ ! କେହି କାହାକୁ ଚିହ୍ନନ୍ତି ନାହିଁ। ଅତୁଳନୀୟ ଆମ ଭାରତୀୟ ସଂସ୍କୃତି !
ସେ ଯା ହେଉ ତୁ କିନ୍ତୁ ଭଲରେ ଅଛୁ ଶିଳ୍ପୀ। ଖୁସିର ସେମିତି କିଛି ନିର୍ଦ୍ଦିଷ୍ଟ ମାପକାଠି ନାହିଁ ଭଲ ଲାଗିବା, ଭଲ ହେବା ଓ ଅନ୍ୟ କେହି ଜଣେ ଭଲ ପାଇବା ଏମିତି ଆପେକ୍ଷିକ ଶବ୍ଦାବଳୀ ଭିତରେ ଆମେ କେତେ ଛନ୍ଦି ହୋଇ ଯାଇଛୁ ନା ଶିଳ୍ପୀ। ଦିନ ଶେଷ ରେ ସ୍ନେହ ଭରା କଥାଟିଏ କାନ ପାଖରେ ଗୁଞ୍ଜି ଉଠିଲେ ଖୁସିର ଉତ୍ସବଟିଏ ମୁଖରିତ ହୁଏ। ଫୁଟପାଥ ପଥରେ ଉପରେ ମୁଣ୍ଡ ରଖି ହେଉ ବା ଫୁଲଶଯ୍ୟା ର ବାସ୍ନା ବୋଳା ତକିଆ ଉପରେ ହେଉ, ସୁଖ ନିଦ୍ରା ହିଁ ଦରକାର। ଆମର ସେଠି ବିଦେଶରେ ରାତି ସେମିତି କଟେ ନାହିଁ ଶିଳ୍ପୀ। ତଥାକଥିତ ଖୁସି ଭିତରେ ଦୁଃଖର ଉତ୍ତପ୍ତ ଲାଭା ! ଆମେ ସନ୍ତୁଳି ଯାଉ ପ୍ରତି ରାତିରେ, ପ୍ରତି ମୁହୂର୍ତ୍ତରେ
ହଁ, ସତ କହିବୁ ! ତୁ ମୋତେ ଷ୍ଟେସନକୁ ରିସିଭ କରିବାକୁ ଆସିଥିଲୁ ନା ତୁ ସେଇ ନା ଯାହାକୁ ମୁଁ ମୋ ବେଗ ଉଠେଇ ଟେକ୍ସି ପର୍ଯ୍ୟନ୍ତ ନେବାକୁ କହିଥିଲି। ସେଦିନ ପିନ୍ଧିଥିବା ଶାଢ଼ୀଟି ଶୁଖୁଥିଲା ତୋ ଘର ବାରଣ୍ଡାରେ। ପଚାରିବାକୁ ସାହାସ ହେଲାନି ଶିଳ୍ପୀ ! ଭାବିଥିଲି ତୁ କହିବୁ ! କେତେ ଅଭିମାନୀ ତୁ ? ଅଜାଣତରେ ଭୁଲ କରି ବସିଲି ଶିଳ୍ପୀ । ଧିକାର କଲି ବିବେକ ଶୂନ୍ୟ ମନଟାକୁ। କୁହୁଡି ଭିତରେ ଲୁଚି ଯାଇଥିବା ସତକୁ ପାଇବାକୁ ହେଲେ ସକାଳର ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଦିଏନି ଏଇ ଉଚ୍ଛୃଙ୍ଖଳ ମନଟା। ଅନୁତାପ ହିଁ ଥିଲା ଏକ ମାତ୍ର ବିକଳ୍ପ ମୋ ପାଖରେ। କେତେ ପାର୍ଥକ୍ୟ ଦେଖ୍ ତୁ ଆଉ ମୋ ଭିତରେ। ଓଢଣୀ ଭିତରେ ନାଲି ଟୁକୁ ଟୁକୁ ତୋ ମୁହଁଟା କେତେ ବ୍ୟଗ୍ର ଥିଲା ମୋତେ ଦେଖିବା ପାଇଁ। କଥା ହେବାକୁ ଡରିଗଲୁ ବୋଧେ ପ୍ରବଳ ଶୀତ ରାତି। ଷ୍ଟେସନ ଆସି ପ୍ଲାଟଫର୍ମ ଉପରେ ବସିଥିଲୁ, ବିନା ସାଲ ବିନା ଚାଦରରେ। କିନ୍ତୁ ହାୟ ! ଅହଙ୍କାର ମିଶା ପ୍ରଲେପ ମୋ ଆଖିର ଦୃଷ୍ଟି ଶକ୍ତିକୁ ଏତେ କ୍ଷୀଣ କରିଦେଲା ଯେ ମୁଁ ତୋତେ ଚିହ୍ନି ପାରିଲିନି। ମୋ ବେଗ ଧରି ଯେତେବେଳେ ମୋ ପଛେ ପଛେ ଆସିଥିଲୁ, କହିଲୁନି କାହିଁକି ସଖା ! ମୁଁ ତୋ ସଙ୍ଗାତ, ଶିଳ୍ପୀ। ସେଇଠି ତୋତେ କୋଳେଇ ନେଇ ଥାଆନ୍ତି ଲୋ ସଙ୍ଗାତ । ମୋ ଭୁଲ ପାଇଁ ମୁଁ ଅନୁତପ୍ତ ଆଜି ! ମୋତେ କ୍ଷମା କରି ଦେବୁ ନା
ଯେତେ ଯାହା କହ, ମୁଁ ବିଦେଶରେ ରହୁଛି ସିନା, ମନ କିନ୍ତୁ ଆମ ଗାଆଁର ସେଇ କଣ୍ଟେଇ କୋଳି ଗଛ ମୂଳରେ, ତୋ ପାଖରେ।
ଅମାନିଆ ଦୁଇଟୋପା ଲୁହ ଆଖି ଡେଇଁ ଆସି ଗାଲ ଉପରେ ଶୁଖି ବି ଗଲାଣି। ଷ୍ଟେସନଟା ଶୂନ ଶାନ୍ ଟ୍ରେନ୍ ର ଶେଷ ଡବା ଝାପସା ଝାପସା ଦେଖା ଯାଉଥିଲା ଅନତି ଦୂରରେ
