STORYMIRROR

Nityananda Nandi

Classics Inspirational

4  

Nityananda Nandi

Classics Inspirational

ଶୂନ୍ୟତା

ଶୂନ୍ୟତା

6 mins
210


ଏତେ ରାତିରେ ଫୋନ !

ଚମକି ପଡିଲି, ଓଃ ସାନ ଭାଉଜଠୁ, ବିଚାରୀ କଥା କହି ପାରେନି। ଖନେଇ ଖନେଇ ଅତି ବେଶୀରେ, ଅତି କଷ୍ଟରେ ଦିଦି ବୋଲି ଡାକି ପାରେ। ଦିଦି ବୋଲି ଡାକିଲେ ମୁଁ ବୁଝି ପାରେ ସେ ମୋତେ ଡାକୁଛି ତା ଘରକୁ। ଶବ୍ଦର ଶକ୍ତି ପାଖରେ ଆଉ ସବୁ ତୁଚ୍ଛ, ଖାଲି ସ୍ନେହର ପ୍ରଲେପ ଦରକାର...ଫୋନ କରିଛି ମାନେ ହିଁ ମୋତେ ଯିବାକୁ ହେବ। ପାଖା ପାଖି ପଚାଶ କିଲୋମିଟର ହେବ ଆମ ଗାଆଁ ରୁ।


ଅଚାନକ ଗୋଟାଏ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଭାଇ ଓ ବଡ ଭାଉଜଙ୍କର ମୃତ୍ୟୁ ହୋଇଥିଲା, ଦୁଇ ବର୍ଷ ଆଗରୁ। ରାଜ ପ୍ରସାଦ ଭଳି ଘର। ସାନ ଭାଉଜ ଏକୁଟିଆ ରହେ ଏତେ ବଡ ଘର ଭିତରେ। ସାନ ଭାଉଜର ଛୁଆ ପିଲା ନାହିଁ। ବହୁତ ସ୍ନେହ କରେ ପୁତୁରା ଅଜୟକୁ, ପୁଅ ଠାରୁ ବି ଅଧିକ। ଅଜୟ ମୁମ୍ବାଇରେ ଏମବିଏ କରୁଛି। ମୁଁ ହିଁ ଉଭୟଙ୍କ ସାହା ଭରସା। 

ତିନିଟି ଯାକ ସ୍ମୃତି ସମାଧି ଗେଟ ପାଖରେ। ସବୁଦିନ ପରି ଗେଟ ଖୋଲି ଭିତରକୁ ପଶିବା ପରେ ହାତ ଯୋଡ଼ି ଛିଡା ହେଲି ସମାଧି ଆଗରେ। ଆଖି ଭିଜି ଗଲା। ସାନ ଭାଉଜ ଟାଣି ନେଇଗଲା ମୋତେ ଘର ଭିତରକୁ। 

ପଚାରିଲି କଣ ଅସୁବିଧା ହୋଇଛି ଯେ ଅସମୟରେ ଫୋନ କରି ଡାକିଲୁ। ହସିଦେଲା। ବୁଝିଗଲି ତା ମନ କଥା। ଏକା ଏକା ଭଲ ନ ଲାଗିଲେ ମୋତେ ଅଚାନକ ଫୋନ୍ କରେ। ରାତି ଦୁଇ ରାତି କଟେଇବାକୁ ହୁଏ ତା ସହିତ। ବହୁତ ସାନ ମୋ'ଠୁ ମୋ ସାନ ଭାଉଜ। ସାନ ଭଉଣୀ କହିଲେ ଅତ୍ୟୁକ୍ତି ହେବନାହିଁ। ଭାରି ସ୍ନେହ ପିପାସୁ। ବାହାଘର ପରେ, କଣ ହେଲା କେଜାଣି ଅକସ୍ମାତ୍ ପକ୍ଷପାତ ରୋଗରେ ଆକ୍ରାନ୍ତ ହୋଇ ବାକଶକ୍ତି ହରେଇ ବସିଲା। ମୋ ସାନ ଭାଇ ବି ଅର୍ଦ୍ଧ ପାଗଳ। କିଛି ମନେ ରଖି ପାରୁ ନ ଥିଲା। ଅତି ବେଶୀରେ ଅଧା ଘଣ୍ଟା ପାଇଁ ମନେ ରଖୁଥିଲା ସବୁକଥା। ତା ପରେ ସବୁ ଭୁଲିଯାଏ। ସାରା ଜୀବନ ଯୋଡ଼ି ହୋଇ ରହିଲେ ସଂପର୍କରେ ତିକ୍ତତା ଅବଶ୍ୟମ୍ଭାବୀ। ସାନ ଭାଇ କିନ୍ତୁ ସବୁ ଭୁଲିଯାଏ ବୋଲି ମନେ ରଖି ପାରୁଥିବା ସ୍ୱଳ୍ପ ସମୟର ଏଇ ସଂପର୍କ ଭିତରେ ମଧୁରତା ଥିଲା। ବିଚାରୀ ସାନ ଭାଉଜ ବହୁ କଷ୍ଟରେ ସମୟ ବିତାଉଛି ସାନ ଭାଇ ବଳିଆର ମୃତ୍ୟୁ ପରେ। ସେଇଥିପାଇଁ ବୋଧେ ଆନ୍ତରିକତା, ଡାକିଲେ ମୁଁ ମନା କରି ପାରେନି। ଜଣେ ଅସହାୟ ମଣିଷର ଆବଶ୍ୟକତା କୁ ବୁଝି ପାରି ପ୍ରତିଦାନରେ ସ୍ନେହ ଦେଲେ ତା ଭିତରେ ବଞ୍ଚିବାର ଇଚ୍ଛା ଜାଗି ଉଠେ। ଏତେ ବଡ ରଙ୍ଗହୀନ ଶୂନ୍ୟତା ଭିତରେ ସ୍ନେହର ଅସରାଏ ବର୍ଷା ହେଲେ ମନ ଭିତରେ ମାଟିର ବାସ୍ନା ଭରିଯାଏ।


ଗରମ ଦିନ। ପଖାଳ ସାଥିରେ କେତେ କଣ ! ବଡି ଚୂରା, ସଜନା ଶାଗ, ମାଛ ଭଜା। ମନ ଖୁସିରେ ଖାଇଲୁ। ଅଧା ରାତି ପର୍ଯ୍ୟନ୍ତ ଗପିଲା ମୋ ସହିତ, ହାତ ଠାରରେ। ଅଧା ବୁଝିଲି, ଅଧା ନ ବୁଝି ପାରି ହଁ, ହାଁ ମାରିଲି ତା ମନ ରଖିବା ପାଇଁ। 

ତା ପର ଦିନ ସକାଳ ହେଲା। ସାନ ଭାଉଜ ସାତଟା ଆଗରୁ ଉଠେନି। କହିବାକୁ ଆଉ କିଏ ଅଛି ଯେ ! ଦୁଇ ଦୁଇଟି ଚାକରାଣୀ, ଘର କାମ କରନ୍ତି। ମୁଁ ବି କେବେ କିଛି କହେନି ବିଚାରୀ କୁ। ଭୋର ପାଞ୍ଚ ଟାରେ ଉଠି ଗାଧୁଆ ପାଧୁଆ ସାରି ଘର ପଛ ପଟ ବାଡ଼ିକୁ ଯାଇ ବାପା ବୋଉଙ୍କ ସମାଧି ପାଖରେ ମୁଣ୍ଡିଆ ମାରିଲି। ଗେଟ ପାଖକୁ ଗଲି। ଆମ୍ବ ଗଛକୁ ଡେରି ହୋଇ ଦୁଇ ଭାଇ ଓ ଭାଉଜ ଙ୍କ ସମାଧି କୁ ଏକ ଲୟରେ ଦେଖୁଥିଲି। ଘରଟା କୁ ଶୂନ୍ୟ କରି ଚାଲିଗଲେ ସମସ୍ତେ ବାରଣ୍ଡାରେ ଦୁଇଟି ଚେୟାର ପଡି ରହିଛି ସେମିତି, ବସିବ ଆଉ କିଏ ? ବାପା ବସୁଥିଲେ ଗୋଟେ ଚେୟାର ଉପରେ, ପାଖରେ ବଡ ଭାଇ ବସୁଥିଲେ। ଘରଟା ଭରା ଭରା ଲାଗୁଥିଲା, ଆଜି ଖାଲି ଶୂନ୍ୟତା ଆଉ ଶୂନ୍ୟତା ଚରମ ସତ୍ୟ ଏଇ ଜୀବନରେ।


ଫେରିଗଲି ଦଶ ବର୍ଷ ତଳକୁ। ବଡ ଭାଇ ଦିନେ ଫୋନ କରି କହିଲେ ଆରେ ସୁଭଦ୍ରା ! କାଲି ଆସିବୁ, କାଗଜ ପତ୍ରରେ ଟିକିଏ ଦସ୍ତଖତ ଦରକାର। ପୁଅର ଇଞ୍ଜିନିୟରିଂ ପଢା ପାଇଁ ବହୁତ ପଇସା ଲାଗିବ। ଆମ ଘର ପଛପଟେ ଥିବା ଚାଷ ଜମିରୁ ମୋ ଅଂଶ କାଟି ବିକିବାକୁ ଚାହୁଁଛି। ତୁ ଆଉ ସାନ ଭାଇ ବଳିଆକୁ ଦସ୍ତଖତ କରିବାକୁ ପଡ଼ିବ। ସେତେବେଳେ ମୁଁ ସ୍ଵାମୀଙ୍କ ସାଥିରେ କଲିକତା ରେ ରହୁଥିଲି। ସଙ୍ଗେ ସଙ୍ଗେ ବାହାରିଲି। ରାତି ଟ୍ରେନ ଧରି ପହଞ୍ଚିଲି ତାଙ୍କ ଗାଆଁରେ। ସିଧା ପଶିଗଲି ବଡ ଭାଇଙ୍କ କୋଠରୀ ଭିତରକୁ।

କହିଲି, ଭାଇ ! କାଗଜଟି ଦିଅ, ମୁଁ ଦସ୍ତଖତ କରିଦିଏ। ତା ପରେ ଯାଇ ଲୁଗାପଟା ଛାଡ଼ିବି। 

ଭାଇ କାଗଜ ବଢେଇଦେଲେ ମୋ ହାତକୁ। ସାନ ଭାଇ ଦସ୍ତଖତ କରିଛି, ଆଖି ବନ୍ଦ କରି ଦସ୍ତଖତ କରିଦେଲି। ବିଶ୍ବାସରୁ ସମ୍ପର୍କ ଓ ସମ୍ପର୍କରୁ ବିଶ୍ବାସ ଭିତରେ ବୋଧେ କିଛି ପାର୍ଥକ୍ୟ ନ ଥାଏ। ପିଲା ଦିନରୁ ବାପା ମାଆଙ୍କୁ ହରେଇବା ପରେ ବଡ ଭାଇ ସେମାନଙ୍କ ଜାଗା ନେଇଛନ୍ତି ଆମ ଦୁହିଁଙ୍କ ହୃଦୟରେ। ସନ୍ଦେହର ଅବକାଶ ନାହିଁ। ଆଖି ଆଗରେ ଅବସ୍ଥିତ ସବୁଜ ଶ୍ୟାମଳୀମା ଭରା ପାହାଡ ସୁନ୍ଦର ଲାଗିଲେ ମନେ ମନେ ନିଜର କରିବାକୁ ସମୟ ଲାଗେନି ! ବଡ ଭାଇ ବି ଠିକ୍ ସେତିକି ନିଜର ଥିଲେ !


ଆଗକୁ ରଥଯାତ୍ରା, ଦୁଇ ଭାଇଙ୍କ ପାଇଁ କୁର୍ତ୍ତା ପାଇଜାମା ନେଇ ଆସିଥିଲି କଲିକତାରୁ। ବଡ ଭାଇଙ୍କୁ କୁର୍ତ୍ତା ପାଇଜାମା ଧରେଇ ଦେଇ ଲୁଗା ବଦଳେଇବାକୁ ଚାଲିଲି ଛାତ ଉପରକୁ। ଭାଇ ମୋ ପାଇଁ କୋଠରୀଟିଏ ବନେଇଛନ୍ତି ଛାତ ଉପରେ। ମୁଁ ଆସିଲେ ସେଇଠି ରହେ। ରାତିରେ ବଡ ଭାଇ କାହିଁକି କେଜାଣି ଗମ୍ଭୀର ଥିଲେ। ମୁଁ ଆସିଲେ ସବୁ ଦିନ ଯେମିତି ଖୁସି ହୁଅନ୍ତି, ସେମିତି ଖୁସି ନ ଥିଲେ ସେଦିନ। ଖାଇ ପିଇ ସମସ୍ତେ ଶୋଇବାକୁ ଗଲେ। ସାନ ଭାଇର ବାହାଘର ପ୍ରସ୍ତାବ ଆସିଥାଏ। ଭଗବାନଙ୍କୁ ଡାକୁଥିଲି ବାହାଘରଟା ହେଇଯାଉ, ଆଜି କାଲି ଯୁଗରେ ଟିକିଏ ଚାଲାକ ଚତୁର ନ ହେଲେ ସମସ୍ତେ ଠକି ଦେବେ। ତା ପାଖରେ ବସି ରାତି ଅଢେ଼ଇଟା ପର୍ଯ୍ୟନ୍ତ ଗପିଲି। ନୂଆ କୁର୍ତ୍ତା ପାଇଜାମା ପିନ୍ଧି ବର ପରି ସୁନ୍ଦର ଲାଗୁଥିଲା ମୋ ସାନ ଭାଇ। ଘଣ୍ଟାଏ ପରେ ପଚାରିଲି, ବଳିଆ ! ଏଇ ନୂଆ ପୋଷାକଟି କିଏ ଆଣିଛି ? ଖାଲି ହସିଲା, ଭୁଲି ଯାଇଛି ସବୁକଥା ସେ ଏଇ ସ୍ୱଳ୍ପ ସମୟ ଭିତରେ। କିଛି ମନେ ରଖି ପାରେନି। କାହିଁକି କେଜାଣି, ହସି ହସି କାନ୍ଦିଲି ତା ଆଗରେ। କେତେ ନିଃସହାୟ ମୋ ସାନ ଭାଇ। ମୋତେ ଦେଖି ତା ଆଖିରେ ବି ଲୁହ ଜମିଗଲା। କହିଲି ଶୋଇପଡ୍। କାଲି ପୁଣି କଥା ହେବା। କେତେ ସ୍ୱଳ୍ପ ସମୟର ଏଇ ସମ୍ପର୍କ, ପୁଣି ଥରେ ଶୂନ୍ୟ ରୁ ଆରମ୍ଭ କରିବାକୁ ହୁଏ। ବେଳା ଭୂଇଁରେ ଅତି ଯତ୍ନରେ ଆଙ୍କିଥିବା ପାଦ ଚିହ୍ନ ଉଦ୍ଧତ ସାଗର ଲହଡ଼ିରେ ଧୋଇ ଗଲେ ମନ ମରିଯାଏ। କ୍ଷଣସ୍ଥାୟୀ ଜାଣି ସୁଦ୍ଧା ଆଉ ଥରେ ବନେଇବାକୁ ହୁଏ ପାଦ ଚିହ୍ନ ବେଳା ଭୂଇଁରେ..


ସକାଳୁ ଉଠି ବାପା ବୋଉଙ୍କ ସମାଧି ପାଖରେ ବୁଲୁଥାଏ। ଛିଣ୍ଡା ଚୁକ୍ତିପତ୍ରଟି ପଡ଼ିଥାଏ ଅଳିଆ ଗଦାରେ। ସ୍ପଷ୍ଟ ଭାବେ ମୁଁ ଦେଖୁଥାଏ ମୋ ଦସ୍ତଖତକୁ। ଏଇ କାଗଜରେ ଦସ୍ତଖତ ପାଇଁ ସୁଦୂର କଲିକତାରୁ ମୁଁ ଗାଆଁ କୁ ଆସିଛି। ମୁଣ୍ଡ କାମ କଲାନି। 

ଭାଇ କାହିଁକି ଛିଣ୍ଡେଇ ଦେଲ ଚୁକ୍ତିନାମାକୁ। ଭାଇ ଘରେ ନ ଥିଲେ, ପଚାରିବି କାହାକୁ ? ସାନ ଭାଇ କୁ କହିଲେ କିଛି ବୁଝିବନି

ସେଇଦିନ ମୁଁ କଲିକତାକୁ ଫେରି ଆସିଲି , ଦୁଇଦିନ ପରେ ଭାଇ ଫୋନ କଲେ।

ସୁଭଦ୍ରା ! ତୋତେ କହିଦେଲେ ମନଟା ହାଲୁକା ହୋଇଯିବ ବୋଲି ଭାବିଲି ଫୋନ କରି ସବୁ କଥା କହିଦେବି। ମୁଁ ଅତି ନୃଶଂସ ଭାବେ ସାନଭାଇ ପାଖରୁ ଜମି ହଡପେଇବା ପାଇଁ ଯୋଜନା କରିଥିଲି। ତା ବାହାଘର ପରେ ସମ୍ଭବ ହେବ ନ ହେବ ଭାବି ବାହାଘର ପୂର୍ବରୁ ତମ ଦୁହିଁଙ୍କ ପାଖରୁ ଦସ୍ତଖତ ନେଇନେଲି ପାୱାର ଅଫ ଅଟୋର୍ଣିରେ। କେତେ ସରଳ ଦୁଇଟି ମଣିଷ, ତୁ ଆଉ ବଳିଆ। କିଛି ନ ବୁଝି ନ ଦେଖି ଦସ୍ତଖତ କରିଦେଲ। ଆଖି ପିଛୁଳାକେ ଘରର ସମସ୍ତ ସମ୍ପତ୍ତି ମୋ ନାଁରେ ହୋଇଗଲା। 

ବିଶ୍ୱାସ ରେ ବିଷ ମିଶେଇ ଦେଲି। ବିଶ୍ୱାସଘାତକ କୁମ୍ଭୀର ପିଠିରେ ବସି କେହି କଣ ଅଧା ନଈ ପର୍ଯ୍ୟନ୍ତ ଯାଇପାରେ ନା.। ସବୁ ଶେଷ ହୋଇଯାଏ ତା ପୂର୍ବରୁ। ମୁଁ ସେଦିନ ନୃଶଂସ କୁମ୍ଭୀରଟିଏ ପାଲଟି ଯାଇଥିଲି ସୁଭଦ୍ରା। କାହିଁକି କେଜାଣି, ମୁଁ ବି ଜାଣିନି। ରାତିରେ ନିଦ ହେଲାନି। ବାରଣ୍ଡାରେ ବୁଲୁ ବୁଲୁ ଦେଖିଲି ତୁ ବଳିଆ ପାଖରେ ବସିଛୁ । ତାକୁ ବୁଝଉଥିବା କଥା ମୋ କାନରେ ପଡ଼ିଲା, ଦେଖ ବଳିଆ ! ବଡ ଭାଇ ଆମ ବାପା ପରି, ବାପା ମାଆ ଛେଉଣ୍ଡ ଆମ ଦୁହିଁଙ୍କ ହାତ ଧରି ସେ ଆମକୁ ମଣିଷ କରିଛନ୍ତି। ଭାଇ ଯା କହିବେ ମାନିବୁ। ତାଙ୍କ ମନରେ କେବେ ବି ଦୁଃଖ ଦବୁନି"। କଥାଟି ବାର ବାର ମୋ କାନ ପାଖରେ ପ୍ରତିଧ୍ଵନିତ ହେଉଥିଲା। ଜଳି ପୋଡ଼ି ପାଉଁଶ ହୋଇଗଲା ମୋ ମନଟା। ବିବେକ ବାଧା ଦେଲା। ପାୱାର ଅଫ ଆଟୋର୍ଣି କୁ ଛିଣ୍ଡି ଫିଙ୍ଗି ଦେଲି ଖତ ଗଦାକୁ। ସରଳତାର ସୁଯୋଗ ନେଇ ଏତେବଡ ପାପ ! କାହାକୁ କିଛି ନ କହି ଚୁପଚାପ୍ ଘରୁ ବାହାରି ଗଲି, ସକାଳ ହେବା ଆଗରୁ। ମୋତେ କ୍ଷମା କରିଦେବୁ ନା ସୁଭଦ୍ରା । 

ହାତରୁ ଫୋନ ଖସି ପଡିଲା ତଳକୁ। କଣ ଆଉ କରି ଥା'ନ୍ତି ଯେ ବଡଭାଇଙ୍କର ଏତେ ବଡ ସ୍ଵୀକାରୋକ୍ତି, ମନଭିତରେ କ୍ଷମା କରିଦେଲି, ଭୁଲିଗଲି କଥାଟିକୁ ସବୁଦିନ ପାଇଁ।


କିଏ କାହାର ଜମି ହଡପେଇ ନେବାକୁ ଚାହୁଁଥିଲା ? କିଏ ଆଜି ଉପଭୋଗ କରୁଛି ସବୁ ସମ୍ପତ୍ତି ? ମଣିଷ ଚାହେଁ ଅନେକ କିଛି, ବିଚରା କିଛି କରିପାରେନି। ପଘାଟି କିନ୍ତୁ ଆଉ କାହା ହାତରେ। ନା ବଡ ଭାଇ ବୁଝିଥିଲେ କଥାଟିକୁ ନା ଲୋକେ ବୁଝନ୍ତି। ସାନ ଭାଉଜ ହିଁ ସର୍ବଶେଷରେ ଏତେ ବଡ ଘରର ସର୍ବେସର୍ବା ! ବିଧିର ବିଧାନ ଅତି ବିଚିତ୍ର !

ପୁଣି ଥରେ ଅନେଇ ରହିଲି ସମାଧି ଆଡ଼କୁ। ଦୁଇ ଭାଇଙ୍କ ସମାଧି ଲାଗି ଲାଗି ରହିଛି। ବାହାରେ ବ୍ୟସ୍ତ ବହୁଳ ପୃଥିବୀ, ଆମ ଘରେ କିନ୍ତୁ ରଙ୍ଗହୀନ ଶୂନ୍ୟତା

ସବୁ ସମ୍ପତ୍ତି ନିଜ ନାଆଁ ରେ କରିନେବାଟା କ୍ଷଣିକ ଉନ୍ମାଦନା ଥିଲା। ମନ ବଦଳେଇଦେଲେ ଗୋଟାଏ ରାତି ଭିତରେ। ତାହା ହିଁ ଥିଲା ମୋ ଭାଇଙ୍କ ମହାନତା

ବଞ୍ଚିଥିବା ବେଳେ ବଡ଼ଭାଇ ହାତ ଧରି ରାସ୍ତା ଦେଖାଉଥିଲେ ବଳିଆକୁ, ମୃତ୍ୟୁ ପରେ ବି ଠିକ୍ ତା ପାଖେ ପାଖେ ଯୁଗ ଯୁଗ ପାଇଁ ଜଗିଥିବେ ସେ ସାନ ଭାଇକୁ ଏଇ ଗେଟ ପାଖରେ। ସର୍ବଶେଷରେ ଏଇ ଦୁଇ ଚାରି ଫୁଟ ଜାଗା ଭିତରେ ହିଁ ଜୀବନର ପରିସୀମା ନିର୍ଦ୍ଧାରିତ ହୋଇଯାଏ, ସାରା ଜୀବନଟା କିନ୍ତୁ କଟିଯାଏ ଖାଲି ସମ୍ପତ୍ତି, ସମ୍ପତ୍ତି ର ପ୍ରଲୋଭନରେ । ଅମାନିଆ ଦୁଇ ଟୋପା ଲୁହ ନିଗିଡ଼ି ଆସିଲା ମୋ ଆଖି ଭିତରୁ

ପଛରୁ ଆସି ସାନ ଭାଉଜ ମୋ ଆଖି ଉପରେ ତା ହାତ ପାପୁଲି ଚାପି ରଖିଲା, ମୋ ଆଖି ଲୁହରେ ତା ଆଙ୍ଗୁଠି ଭିଜି ସାରିଥିଲା ସେତେବେଳକୁ, ଖନେଇ ଖନେଇ ସେ ଦିଦି ବୋଲି ଚିତ୍କାର କଲା। ମୁଁ ହସିଦେଲି, ସେ ବି ହସିଦେଲା କେତେ ସରଳ, ସହଜ ମଣିଷ ମୋ ସାନ ଭାଉଜ ଠିକ୍ ମୋ ସାନ ଭାଇ ବଳିଆ ପରି, କିଛି ବୁଝେନି । 


Rate this content
Log in

Similar oriya story from Classics