Satyabati Swain

Drama Others

3  

Satyabati Swain

Drama Others

ଶୁନ ଦେଲି ଲିଭାଇ

ଶୁନ ଦେଲି ଲିଭାଇ

7 mins
198



ମୁଁ ଖୋଜିଲି ଦୁଃଖ କି ଲାଜ ନଥିବା ବୟସଟିକୁ ମୋ ଭିତରେ।


ଚାଳିଶି ବର୍ଷରୁ "ଶୁନ ଲିଭେଇ ଦେଲି"।


ବାସ୍! ଲାଜ ସରମ କିଛି ନାହିଁ।ଦେଖ ଏଥର ମୁଁ ଲଙ୍ଗଳା ହୋଇ ଦୌଡୁଛି।ଖରା ଦିନ ସାରା ଅଦ ଭୁତ ଲଂଗଳା।ବେକରେ ଖାଲି ନାଲି ଫିତାରେ ଟଙ୍ଗା ଓମ୍ ଲେଖା ହୋଇଥିବା ସୁନା ଲକେଟଟିଏ ଯାହା ଥାଏ।କେବେ କଦବା ପ୍ୟାଣ୍ଟ୍ ଖଣ୍ଡେ ପିନ୍ଧିଥାଏ। ହାତ କଟା ବେମାପ ଗଂଜିଟିଏ ନଲେ ବୋଉ ଗଲାଇ ଦିଏ ଲଙ୍ଗଳା ହୁଅନ୍ତି ନାହିଁ କହି। ଗଂଜିଟି ଲମ୍ବିଥାଏ ଜଙ୍ଘଯାଏ।ସାର୍ଟ ପ୍ୟାଣ୍ଟ୍ କାମ ତୁଲାଇ ଦିଏ ସେଇଟି।ଟିକେ ଟିକେ କଥାରେ ତଳେ ଗଡିଯାଏ।କାଳିଆ ଦେହକୁ ଧୂଳି ଲାଗି ଧୁଳିଆ ବାବା ପରି ଦିଶେ।


ସିଙ୍ଘାଣି ଅହରହ ବୋହୁଥିଲା।କେତେ ବଡ଼ ହେବା ଯାଏ ମୋତେ ସିଙ୍ଘାଣିଆଁ ବଣିଆ ଡାକୁଥିଲେ।ମୁଁ କୁଆଡେ ବୋହି ଆସୁଥିବା ସିଙ୍ଘାଣି ଜିଭ ବୁଲେଇ ଚାଟି ଦେଉଥିଲି।ସମସ୍ତେ ଛିଃ..ଛିଃ..ବେଇଲୋ ଥୁ ଥୁ କହୁଥିଲେ।ବେଳେବେଳେ ସିଙ୍ଘାଣି ବୋଳି ନାକ ଦି ପଟେ ଧଳା ନିଶ କରି ଦେଉଥିଲି।ସମସ୍ତେ ଚିଡାଉଥିଲେ ଅସନା ଟୋକାଟା।ହସୁଥିଲେ ମୋ ସିଙ୍ଘାଣି ଶୁଖା ମୁହଁ ଦେହ ଦେଖି।ମୋ ବୋଉ କିନ୍ତୁ କୋଳକୁ ଟାଣି ନେଇ ଗେଲ କରୁଥିଲା ସେଇ ଅସନା ମୁହଁକୁ ଖୁବ୍ ଖୁସିରେ।ତା ପିନ୍ଧା ଲୁଗାରେ ପୋଛି ଦେଉଥିଲା ମୋ ଦିହ ମୁହଁ।


ମୁଁ ସେଇ ଲଙ୍ଗଳା ଦେହରେ ଖେଳୁଥିଲି ଦାଣ୍ଡରେ।ଦେହ ସାରା ପାଉଡର ପରି ଧୂଳି।ମୁଣ୍ଡରେ ମେଞ୍ଚା ମେଞ୍ଚା ଧୂଳି।ସିଙ୍ଘାଣିରେ ଧୂଳି ଲାଗି ଶୁଖିଯାଏ।ରଗଡି ଦିଏ ହାତରେ।ଛିଣ୍ଡିଯାଏ ନାକ ତଳ।ପୋଡେ ହୁ ହୁ।ଭେଁ କିନା କାନ୍ଦି ଉଠେ।ଆମ ଦାଣ୍ଡ ଧୂଳିରୁ ନାଲି,ନାଲିରୁ କଳା ହେଲା ପିଚୁ ହୋଇ।ମୁଁ ଆଉ ଧୂଳି ପାଇଲି ନାହିଁ ଲିମା ସାଙ୍ଗେ ସଢେଇରେ ଚୁଲି,ଘର, ଭାତ, ତରକାରୀ କରିବାକୁ।ମୁଁ ବି ଗାଢ଼ ନୀଳ ରଙ୍ଗ ପେଣ୍ଟ ଓ ଧଳା ରଙ୍ଗ ସାର୍ଟ ପିନ୍ଧିଲି। ନାଲି ଟାଇ ମୋ ବେକରେ ପୋଷା କୁକୁର ପରି ବନ୍ଧା ହେଲା।କାଳିଆ ଜୋତାକୁ ଧଳା ମୋଜା।ଲଂଗଳା ଦେହକୁ ଏ ପୋଷାକ ସବୁ କଟ୍ କଟ୍ କଲେ।ପିଠିରେ ନୂଆ ବ୍ୟାଗ୍ ରେ ପାଣି ବଟଲ୍,ଟିଫିନ୍ ଭର୍ତ୍ତୀ କରି ଗଲି ନୂଆ କରି ହୋଇ ଥିବା ପବ୍ଲିକ ସ୍କୁଲ ବସ୍ ରେ।ସ୍କୁଲଟି ଥିଲା ଆମ ଘର ଠାରୁ ପାଞ୍ଚ ବହୁ ଦୂର୍,ବଜାର ଉପରେ।


ମୋ ବୁଇନାନୀ ଗାଁ ସ୍କୁଲରେ ପଢେ,ମୋଠୁ ବର୍ଷେ ବଡ଼।ମୋ ବହି ମୋତେ ଭଲ ଲାଗନ୍ତି ନାହିଁ।ନାନୀ କୁ ମୁଁ ଡାକେ ଈ।ଈ ର ବିଲେଇ ବସିଥିବା ଛବିଳ ମଧୁ ବର୍ଣ୍ଣବୋଧ ମୋତେ ଭଲ ଲାଗେ।ଭଲ ଲାଗେ ଅ ରେ ଅଖ ପଢିବାକୁ।କିନ୍ତୁ ମୋତେ ଏ ଫର ଆପଲ୍ ମନେ ନ ରହିଲେ ବି ଘୋଷିବାକୁ ପଡୁଥିଲା।ଠିକ୍ "ଏ " ଟିଏ ଲେଖିବାକୁ କେତୁଟା ପେନ୍ସିଲ୍ କଟରରେ କାଟି ଶେଷ କରିଛି ତାର ଇୟତା ନାହିଁ।କଟରରେ ପେନ୍ସିଲ୍ କାଟିବା ଅନୁଭୂତି ଭାରି ମଜାଦାର।କାଟୁ କାଟୁ ମୁନ ଭାଙ୍ଗି ଯାଉଥିବ,ପୁଣି କାଟ।ପୁଣି ଭାଙ୍ଗ ,କାଟ,କାଟ ଭାଙ୍ଗ।ଶେଷରେ ଏଡିକି ବକଟେ ହୋଇଯାଏ ପେନ୍ସିଲ୍।ନନା ଠୋ କରି ବଜେଇ ଦିଅନ୍ତି ଗାଲରେ।ଏ ନନାଟା ଭାରି,ମୋ ହାଡୁଆ ଦେହରେ ଟିକେ ବି ମାଂସ ନ ଥିଲା।ଚାପଡ଼ ନନାର ହୋଲି ଖେଳିଲା ଅବିର ପରି ପାଞ୍ଚ ଗାର ପକାଇ ଦେଉଥିଲା ମୋ ଗାଲରେ।ନନାଙ୍କୁ ଆଉ କେଉଁଠି ମିଳିବ ନାହିଁ କଥା କଥାକେ ମାରିବେ ବେଶୀ ଗାଲକୁ ଠୋ;ନଲେ ପିଠିକୁ ଦୁମ୍।


ଗଦା ଗଦା ଖାତା ବହି ଚିରିଛି ମୁଁ। ଅରଖ ନୂଆ ବହି ଗୁଡା ଚିରି କାଗଜ ଡଙ୍ଗା କରି ସ୍କୁଲ ପଡିଆ ଚଳେ ପାଣିରେ କେତେ ଭସେଇଛି।ସାଙ୍ଗ ମାନଙ୍କୁ ବି ଦେଇଛି।

କେବେ ଗୁଡ଼ି,ଅନ୍ଧାର ଆଲୁଅ,ପେଣ୍ଟ ସାର୍ଟ,ବାଡ଼ି,ବନ୍ଧୁକ କରିଛି ଖାତା ବହି ଚିରି।ଖାଲି ମାଡ଼।ବୋଉ ମୋତେ ରକ୍ଷା କରୁ କରୁ ମୋ ଭାଗର କିଛି ପାହାର ବସିଯାଏ ତା ହାତରେ।


ନାନୀର ସେତେ କିଛି ପାଠ ପଢା ନଥାଏ।ସେ ମୋ ପରି ବସ୍ ରେ ଯାଏ ନାହିଁ। ଗାଁ ସ୍କୁଲ ଆମ ଘରୁ ଗୋଟିଏ ଡିଆଁ ମାଇଲେ ପହଞ୍ଚିହେବ। ତାର ଜୋତା ମୋଜା ନଥାଏ, ସେ ସ୍ଲିପର୍ କି ଚପଲ ପିନ୍ଧେ।ତାର ମୋ ପରି କୁକୁର ବନ୍ଧା ଟାଇ ନଥାଏ।ବ୍ୟାଗ୍ ବି ତାର ଛୋଟ।ବଟଲ କି ଟିଫିନି ନିଏନି।ଖେଳ ଛୁଟିରେ ବାପା ଯାଇ ତାକୁ କାଖେଇ ଖାଇବାକୁ ଆଣନ୍ତି।ଈ ଟା କୁ ମୋର ଭାରି ଈର୍ଷା ହୁଏ।କିଛି ତ ବେଶୀ ବହି କି ପାଠ ତାର ନାହିଁ।ଏମିତିରେ ସବୁ କଥା ସେ ଚଟ୍ କରି ମନେ ରଖିଦିଏ।ମୁଁ ଆମ ଠାକୁର ଘରେ ଥିବା ଠାକୁରଙ୍କୁ ବହେ ଗାଳି କରେ।ଯିଏ ଭଲ ପଢୁଛି ତାର କମ୍ ବହି,କମ୍ ପାଠ; ଆଉ ଯିଏ ଗଧ ତାରି ପାଇଁ ଏଡ଼େ ଏଡ଼େ ବ୍ୟାଗ୍ ଭର୍ତ୍ତୀ ବହି ଖାତା!! ମୋତେ ଗାଁ ସ୍କୁଲରେ ପଢେଇ ଈ କୁ

ପବ୍ଲିକ୍ ସ୍କୁଲରେ ପଢେଇ ଥିଲେ ହୋଇ ନଥାନ୍ତା।ଯା ତୁମର ମୋର କଟି।କେତେ ଘୋଷିବି କହିଲ ଏତେ ପାଠ।ଅବଶ୍ୟ ଈ ମୋର ସବୁ ଖାତରେ ଲେଖିଦିଏ।କିନ୍ତୁ ଦିନେ ଧରା ପଡି କେବଳ ମୁଁ ନୁହେଁ ଦୋଷ ନ କରିବି କଷା ଖାଇଲା,ଏଇ ମୋର ଲେଖିବା ନେଇ ଈ।


ନାନୀ ମୋତେ ଖୁବ୍ ଭଲ ପାଉଥିଲା।


ସବୁ କଥାରେ ଈ ଠାରୁ ମୋର ଖରାପ ଜୀବନ ।ମୋ ଈ ଅତି ସୁନ୍ଦର।ପୁରା ଚକ ଚକ ଧଳା।ଡଉଲ ଡାଉଲ।ତା ମୁଣ୍ଡରେ ଗୋଛାଏ ବାଳ।ସବୁ ଠାରୁ ସୁନ୍ଦର ମୋ ନାନୀ ନାକ ଓ ଆଖି।ଆଖିରେ ସବୁବେଳେ ଯେମିତି ମେଘ ଭର୍ତ୍ତୀ।ହସକୁରୀ ହେଲେ ବି ଟିକେ ବାଧିଲା କଥାରେ କାନ୍ଦି ପକାଇବ।କେଉଁଥିରେ ଅଝଟ ନାହିଁ।ମୁଁ ଓଲଟା।କଲା ଭୁଷୁଣ୍ଡା।ନକନକ ପତଳା।ବାଳ ଜମା ନାହିଁ ମୁଣ୍ଡରେ।ଯାହା ହୁଅନ୍ତା ପନ୍ଦର ଦିନକୁ ଥରେ ସେ ସପନା ଭଣ୍ଡାରୀ ଆସି ଡାକିବ "ହୋ ଦୈତାରି ନନା ବାଳ କାଟିବ ପୁଅକୁ ଆଣ।"ଈ ବେଳକୁ ନାଇଁ।ସେ ଝିଅ ପିଲାଟା ବାଳ କଣ କାଟିବ?ଆଉ ମୋ ନାକ?ଛି ଛି ଗେଣ୍ଡା ଭଳିଆ।ଆଖି ଏଇ ଟିକି ଟିକି ହାତୀ ପରି।ରାଗି ଗଲେ ଯାହା ହାତ ପାଆନ୍ତାରେ ପାଏ ଫୋପାଡି ଦେଉଥିଲି।ପୁଅ ବୋଲି କେହି ଉପ୍ରୋଧ ନ କରୁ ନ ଥିଲେ; ଖାଉଥିଲି ଖୁବ୍ ଛେଚା।ନୋଲା ଫାଟୁଥିଲା ପିଠି।ସତେକି ମୋ ପିଠି ଗୋଟେ ଡ୍ରମ୍ ବାଜା। ମୋ ସହ ମୋ ବୋଉର ବି ଦେହ କିଛି ଭାଗ ମାଡ଼ ନେବାରୁ ଫାଟି ନାଲି ପଡୁଥିଲା।


ସବୁଠାରୁ ବଡ଼ ଦୁଃଖ ମୋର ପିଲା ଦିନେ ମୁଁ ଈ ପରି କାନ୍ଦି ପାରେନାହିଁ।ବୁଈ ନାନୀ କୁ ମୁଁ ଈ ଡାକେ।ଚେଷ୍ଟା କରି ଏତେ ପାଠ ପଢି ବଡ଼ ଅଫିସର ଟିଏ ହେଲିଟି!!ଚେଷ୍ଟା କରି କଣ କାନ୍ଦି ପାରି ନ ଥାଆନ୍ତି?କିନ୍ତୁ କଣ ହେବ ଏଁ ଏଁ ଆରମ୍ଭ କଲା ବେଳକୁ ଘରେ କି ବାହାରେ ସମସ୍ତେ କୁହନ୍ତି ଦେବାଶିଷ ଓରଫ ଦେବୁ ମାଇଚିଆଟା ହେବ କିରେ?ପୁଅ ପିଲାଟା କାନ୍ଦୁଛୁ କଣ?


ମାଇଚିଆ ଶବ୍ଦ ଶୁଣି ମୁଁ ଡରି ଯାଏ।ମୋ ଆଖି ଆଗରେ ଦିଶିଯାଏ ଆମ ଗାଁର ଗଉରା ମାଇଚିଆ।ଏହେ... ତାର କି ଚାଲି?ଲୁଙ୍ଗି ଖଣ୍ଡେ ପୁରା ଘୋଷାରି ପିନ୍ଧିଥିବ।ଛାତିରେ ମାଳ କଲା ପରି ଟାଉଲ ଟିଏ ପକାଇଥିବ।ଅଣ୍ଟା ମୋଡି ମୋଡି ଚାଲୁଥିବ।ଝିଅ ପିଲାଙ୍କ ପରି କଥା ହେଉଥିବ।ମୁଣ୍ଡରେ ଟେକିଟାକି ବାଳ ଗୁଡା ମୋ ବୋଉ ପରି ବାନ୍ଧିଦେଇଥିବ।ଆମ ଗାଁରେ ସମସ୍ତଙ୍କ ଠାରୁ ଗୋଟେ ଅଲଗା ରୂପ ତାର।ନା ସେ ଆମକୁ ପୁଅ ପିଲା ଲାଗେ ନା ଝିଅ ପିଲା।ତା ଚାଲି,ଚଳଣ,ପାନ ଖିଆ, କଥାବାର୍ତ୍ତା କେମିତି ଅଦ୍ଭୂତ ଲାଗେ।ସବୁ ଛୁଆ ତାକୁ ଦେଖି ହସନ୍ତି।ମୋତେ ତାକୁ ଦେଖିଲେ ମନ ଦୁଃଖ ହୁଏ।ପିଲାଏ ତା ପଛେ ପଛେ କୁକୁର ପରି ଗୋଡେଇ କହୁଥିବେ " ହେ ଗଉରା ତୋ ମୁଣ୍ଡ ଉପରେ ଚଉରା।ଗଲା ଗଲା ଗଲାରେ ଗ ଉରା ମାଇଚିଆ। " ଧେତି କୁକୁର ଭଳିଆ ତା ପଛରେ ଗାଇ ଗାଇ କହୁଥିବେ, "ମାଇଚିଆ ମାଗୁଣି ସାହୁ ମାଇପ ହାତରେ କହୁଣୀ ଖାଉ" ।ଓହୋ ଏତିକ ଶୁଣି ଦେଲେ ତାର କି ଶମ୍ଫା!! କାନରୁ ପୋକ ଗଳିବ।କିନ୍ତୁ ଶମ୍ଫି ଶମ୍ଫି ଥକତ ହୋଇ ଶେଷକୁ ବିଚରା କାନ୍ଦି ପକାଏ।


ଆରେ ବାବା ନାଇଁରେ ନାଇଁ ମୁଁ କାନ୍ଦିବି ନାଇଁ କି ଗଉରା ମାଇଚିଆ ହେବି ନାଇଁ।ସେଇ ପିଲା ଦିନୁ ଶିଖିଥିଲି ପୁଅ ପିଲା କାନ୍ଦନ୍ତି ନାହିଁ।ଈ ପରି ଝିଅ ହେଲେ କାନ୍ଦନ୍ତି।ମୁଁ ଲୁଚେଇକି ଠାକୁର ଘରେ କେହି ନଥିଲା ବେଳେ କୁହେ ତୁମେ ସତରେ ଖରାପ।ଈ କୁ ଝିଅ କଲାବେଳେ ମୋତେ କାଇଁ ପୁଅ କଲ?ସେ ସେମିତି ବଇଥାନ୍ତି ।ମୁଁ ତାଙ୍କୁ ବହୁତ କଥା କୁହେ ଯେଉଁ କଥା ଅନ୍ୟ କାହାକୁ କହିପାରେ ନାହିଁ।କିନ୍ତୁ ସେ ଖାଲି ଶୁଣନ୍ତି କିଛି ଉତ୍ତର ଦିଅନ୍ତି ନାହିଁ।ବୋଧେ ହୋଇଥିବେ ମୋ ସାଙ୍ଗ ଶ୍ରୀଧର ପରି ଘୁଙ୍ଗା ଓ କାଲା।ଏଣୁ ଆସ୍ତେ ଆସ୍ତେ ଏମିତି ଦିନ ଆସିଲା ସେଇ ଠାକୁରଙ୍କୁ କିଛି କହିବାକୁ ମୋତେ ଭଲ ଲାଗିଲା ନାହିଁ।


ଆଉ ସେଦିନ ଯେଉଁ ଦିନ ମୋର ବ୍ରତ ଘର ହେଲା।କଣ କହିବି?ଲଙ୍ଗଳା ହେଲା ବେଳେ କାଇଁ ଲଂଗଳା ହେଉଛି କୁହନ୍ତି ସିନା ସମସ୍ତେ କିନ୍ତୁ ମୋ ନୁନୁରେ ହାତ ମାରିବାକୁ ଭଲ ପାଆନ୍ତି।ଦେଲୁ ଦେଲୁ ଟିକେ ଗୁଡ଼ ହାତ ପତେଇ ମାଗନ୍ତି।ମୁଁ ନୁନୁ ଟାଣି ଦେଇ ସମସ୍ତଙ୍କ ହାତରେ ଟିକେ ଟିକେ ହାତ ମାରି ଦିଏ।ସେମାନେ ତାଙ୍କ ହାତ ନେଇ ପାଟିରେ ପୁରାଇଲା ପରି କୁହନ୍ତି ମିଠା।ମୁଁ ବି କୁରୁଳି ଉଠି ନିଜ ନୁନୁ ଟାଣି ନେଇ ଖାଇଦିଏ।ମୋତେ ତ ମିଠା ଲାଗେନି?ଅନ୍ୟକୁ କେମିତି ମିଠା ଲାଗେ?ସେଇ ଯେଉଁ ମାମୁ ଘର ଅପର୍ଣ୍ଣା ଆଈ ମୁଁ ଲଂଗଳା ହେଲା ମାନେ ମୋ ନୁନୁରେ ଟିକେ ହାତ ମାରିଦେଇ କହିବେ "କଟକ ଯିବ,ବୋହୁ ଆଣିବ,ଟର୍ଚ୍ଚ ମାରି ମୁହଁ ଦେଖିବ।"ମୁଁ ଦୁଇ ହାତରେ ଜଙ୍ଘ ସନ୍ଧିରେ ନୁନୁକୁ ଲୁଚାଇ ଦଉଡିବି ଘର ଭିତରକୁ।ବୋଉ କହିବ, "ଦେଖିଲୁ ଟି ଲଙ୍ଗଳା ହେଲେ ସମସ୍ତେ ତୋ ନୁନୁ ରେ ହାତ ମାରୁଛନ୍ତି କେମିତି।"ମୁଁ ଡରରେ ପ୍ୟାଣ୍ଟ୍ ଗଳେଇ ପକାଏ।ସେଇ ଘଣ୍ଟାକ।ଆର ଘଣ୍ଟାକୁ ଯେଉଁ କଥାକୁ ସେଇ କଥା,ଅଦ ଭୁତ ଲଙ୍ଗଳା।କିନ୍ତୁ ଗୋଟିଏ କଥା ବୁଝି ପାରେନାହିଁ ନୁନୁ ର କଣ ଗୋଡ଼ ହାତ ଅଛି କଟକ ଚାଲି ଯାଇ ପାରିବ?ସେ କେମିତି ବୋହୁ ଆଣିବ?କିନ୍ତୁ ସ୍କୁଲ ଗଲା ପରଠାରୁ ଆଉ ମୋତେ କେହି ଲଙ୍ଗଳା ହେବା ଦେଖିନି।


ମାତ୍ର ମୋ ବ୍ରତ ଘର ଦିନ,କଣ କହିବି ମୁଁ ଏଡୁଟିଏ ହେଲେଣି।କ୍ଲାସ୍ ଟୁ ରେ ପଢିଲେଣି।କିନ୍ତୁ ମୋତେ ପ୍ୟାଣ୍ଟ୍ ନ ପିନ୍ଧାଇ,ଜାଲ ଭଳିଆ କଣ ପିନ୍ଧିବାକୁ ଦେଲେ।ମୁଁ ଗଡ଼ିଲି ନା ଲଙ୍ଗଳା ହେବି ନାହିଁ।ମୁଁ କାଇଁ ଏକା ବ୍ରତ ହେବି ଈ ହେଉ।ସମସ୍ତେ ହସିଲେ ବନ୍ଧୁବାନ୍ଧବ ହୋ ହୋ ହୋଇ।


ମୁଁ କିନ୍ତୁ ହସି ପାରିଲି ନାହିଁ ମାଇଚିଆ ଗଉରା ହୋଇ

ଯିବି ବୋଲି।କାନ୍ଦି ବି ପାରିଲି ନାହିଁ ପୁଅ ପିଲା ବୋଲି।କରିବି ତ କଣ କରିବି?ଖାଲି ଖସି ଆସିବାକୁ ଭିଡି ମୋଡି ହେଲି।ମାମୁଁ ବୁଝାଇଲେ ଆମ ବ୍ରାହ୍ମଣ ଘରର ଏ ପରା ପ୍ରଥା।ଭିକ୍ଷା ମାଗିଲି।ଚକୁଳିଆ ପଣ୍ଡା ହେଲି।ନନା ବ୍ରତ କଲେ ମାମୁଁ ବାହା ନ କଲେ ବି କହିଲି।କି ଲାଜ କଥା ପିଲା ବେଳେ ବାହା ହେବା ପାଇଁ କହୁଥିଲି।ବ୍ରତ ଘର ଦିନ ଅଘଟଣଟିଏ ଘଟିଲା।ମୁଁ ତିନି ଗାର ଡେଇଁ ପଡିଲି।ସମସ୍ତେ ପ୍ରମାଦ ଗଣିଲେ।ସଂସାର ତ୍ୟାଗୀ ଯୋଗୀ ହୋଇ ଯିବନି ତ? ଏ ପ୍ରଶ୍ନଟି କୂଟୁ କୂଟୁ କାଟିଲା ସମସ୍ତଙ୍କୁ।ମାମୁଁ ଗାଳି ଖାଇଲେ ମୋତେ ଅନ୍ୟ ମନସ୍କ ହୋଇ ଗାର ଡେଇବା ପୂର୍ବରୁ ଅଟକାଇଲେ ନାହିଁ ବୋଲି।


ଏ ଗୁଡାକ ଡାହା ମିଛ।ଦେବୁ ବା କୃଷ୍ଣ କଳା ନେଇ କୁଆଡେ ଜନ୍ମ ହୋଇଛି।ହଜାର ଜଣକୁ ପ୍ରେମ କରି କରି ଶେଷକୁ କୁ ବାହା ହେବ ପୁଣି ନିଜ ପସନ୍ଦର, ଜାତକ କଲା ଵାଲା କହିଛନ୍ତି ;କହିଲେ ଖୋଦ୍ ମୋ ନନା।ଶୀତଳ ପଡିଲା ଟିକେ ସମସ୍ତିଙ୍କ ମନ।ହେଲେ ମୋ ବୋଉ ଗୁଉଁ ପୁଉଁ ହେଲା।


ବ୍ରତ ହେବା ପରଠାରୁ ମୋର ଦୁଃଖ କହିଲେ ନ ସରେ।ଧୋଇ ଧାଇ ହୋଇ ଆସନ ପକାଇ ବସ।ଚଳୁ କରି ସାରିଲା ପରେ ଖାଅ।ସିସି କି ଝାଡା ଗଲା ବେଳେ କାନରେ ପଇତା ଦିଅ।ନଲେ ପଇତା ମାରା ହେଲା ଜାଣ।ପୁଣି ପଇତା କରିବା ଝିଞ୍ଝଟ।ପୁଣି ସଂସ୍କୃତ ଶ୍ଳୋକ ଜାଗ ଯଜ୍ଞ ପୂଜା କରିବା ପାଇଁ ଶିଖ।ମୁଁ ଦିନେ କହିଲି, "ନନା ! ପାଠ ପଢୁଛି ଗୋଟେ ବ..ଡ଼ ସ୍କୁଲରେ ମାନେ ଗୋଟେ ଏତେ ବ...ଡ଼ ଚାକିରି କରିବି।ଏ ଶ୍ଳୋକ ପଢି ପୂଜା କରିବି କେତେବେଳେ"?ନନା ମୁହଁ ଛିଞ୍ଚାଡି କହିଲେ,"ତୋତେ ଯାହା କୁହା ହେଉଛି କର୍।ଘୋଷ ଶ୍ଳୋକ।ଆମେ ବ୍ରାହ୍ମଣ ଘର ପିଲା ବ୍ରହ୍ମ ଚିହ୍ନିବା ନାହିଁ?"


ଖାଲି ଗୋଲକ ଧନ୍ଦା।ପୁଅ ପିଲା କାନ୍ଦିବି ନାହିଁ।ଯଦି କାନ୍ଦିବି ଦେବୁ ମାଇଚିଆ।ବ୍ରତ ହେବି।ପଇତା ପକେଇବି।ଖାଇବା ବେଳେ ଯେଉଁ ହାଇଁ ପାଇଁ,ଝାଡା ଗଲା ବେଳେ ଯେଉଁ ଅତର୍ଛିଆ ଭାଵ;ସେଥିରେ ମନେ ପକାଇ କାମ ନ କଲେ ବାଧା।ବାପାଙ୍କ ସ୍କୁଟର ଛୁଇଁଲେ ଛୁଆଟା।ବୋଉ କୋଳରେ ପଶିଲେ ବୁଢ଼ାଟା।ଓହୋ ଅତିଷ୍ଠ ହୋଇ ପଡି ଗୋଡ଼ ହାତ ବାଡେଇ ମୁଁ କୁହେ କାହିଁକି ଈ ନ ହେଲି।କାହିଁକି ଦେବୁ ହେଲି।ଏତିକ କହି ମୁଣ୍ଡ ଝାଙ୍କି ଦେଲି ଯେମିତି ଛୁଆ ବେଳେ କରେ।


ମୋ ପୁଅ ଋଷି ହସି ଦେଇ କହିଲା ନନା କଣ ଏମିତି ମନକୁ ମନ ଓଠ ପାକୁ ପାକୁ କରି ମୁଣ୍ଡ ହଲଉଛ?ମୁଁ ନିଜ ଭିତରେ ହସଟିକୁ ଚାପି ରଖି କହିଲି ଘୋଷ ଶ୍ଳୋକ।ଶ୍ଳୋକ ମୁଖସ୍ଥ କରୁଛୁ ନା ଏଣେ ତେଣେ ଚାହିଛୁ?ଋଷି ପଚାରିଲା ନନା, ମୁଁ ଏ ଶ୍ଳୋକ ମୁଖସ୍ଥ କରି କଣ କରିବି? ମୁଁ ତ ପୋଲିସ୍ ଅଫିସର୍ ହେବି।ଚୋର ଧରିବି କେତେବେଳେ ପୂଜା କରିବି କେତେବେଳେ?


ମୁଁ ଚୁପ୍ କିଛି କ୍ଷଣ ହୋଇ ଯାଉଥିଲି ।ମୋତେ ସେଇ ପିଲା ଚଗଲା ଦେବୁଟା ମୋ ପୁଅ ଋଷି ଭିତରେ ଦିଶିଗଲା। ସେଇ ଏକା ପ୍ରଶ୍ନ ଯାହା ଦିନେ ମୁଁ ମୋ ନନାଙ୍କୁ ପଚାରିଥିଲି ଆଜି ମୋ ପୁଅ ମୋତେ ପଚାରୁଛି।ମୁଁ ବି ନନାଙ୍କ ପରି ନିରୁତ୍ତର ଥିଲି।


Rate this content
Log in

Similar oriya story from Drama