The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Rozalini Mishra

Classics

5.0  

Rozalini Mishra

Classics

ସହରତଳି ର ଦୀପାବଳି

ସହରତଳି ର ଦୀପାବଳି

5 mins
459



କିରେ ନରିଆ... ସେଗୁଡା କଣ ଗୋଟେଇକି ରଖୁଛୁ ଜରି ଭିତରେ ?

    

     ବଗିଚାଭିତର କଅଁଳ ଖରାରେ ଚେୟାର ପକେଇ ବସି ସକାଳର ଚା ପିଉପିଉ ପଚାରିଲେ ହରେକୃଷ୍ଣ ବାବୁ ନରିଆକୁ।

       ନରିଆ ତା ପାନଖିଆ ନାଲିଆ ଦାନ୍ତକୁ ଦେଖେଇ କହିଲା ... " ନାଇଁ ଆଜ୍ଞା.. କାଲି ଦୀପାବଳିଟା ଯାଇଛି।ଛୁଆଗୁଡାକ ଏଥର ବାଣ ଫୁଟେଇ ନାହାନ୍ତି ଯେ ମୁଁହ ଫୁଲେଇକି ବସିଛନ୍ତି । ସେମାନଙ୍କୁ କହିଥିଲି ଆଜି ବାଣ ଆଣିଦେବି ବୋଲି। ଏଠି ଆଜ୍ଞା ଆପଣଙ୍କ ବଗିଚା ସଫା କଲାବେଳେ ଦେଖିଲି ଆପଣଙ୍କ ନାତି ନାତୁଣୀ ମାନେ ବହୁତ ବାଣ ଏଠିସେଠି କରି ଫୋପାଡିଛନ୍ତି।ବାବୁଆଣୀ ମା ମୋତେ ଦି ଦିନ ଆଗରୁ କହିଥିଲେ ଦୀପାବଳି ପରଦିନ ସକାଳୁ ଆସି ବଗିଚା ସଫା କରିଦେବା ପାଇଁ।ଆହୁରି ତିନି ଚାରି ବାବୁଘର ବି ଡାକିଛନ୍ତି ମୋତେ ତାଙ୍କ ଘର ଆଗ ସଫା କରିବା ପାଇଁ।ଏମିତି ଯଦି ଆଉ କିଛି ବାଣ ମିଳିଯିବ ତାହେଲେ ମୋ ପିଲାମାନେ ବି ଖୁସି ଆଉ ଆପଣଙ୍କ ଘର ଆଗ ବି ସଫା।"

  --- ଆରେ ...ଆରେ... ଦୀପାବଳୀଟାରେ ଛୁଆ ଗୁଡାଙ୍କୁ ବାଣ ଦିଟା କିଣି ଦେଇ ପାରିଲୁନି।କେତେ ମନ କଷ୍ଟ କରିଥିବେ ଛୁଆ ଗୁଡାକ !! 

  ଏଥର ନରିଆ ଆସି ବସି ପଡ଼ିଲା ବଗିଚାର ଘାସ ଉପରେ ହରେକୃଷ୍ଣ ବାବୁଙ୍କ ମୁଁହକୁ ଚାହିଁ।କହିଲା ..." କ'ଣ କରିବି ଆଜ୍ଞା... ଦୁଇ ତିନି ବର୍ଷ ହେଲାଣି ଭାରି ଅସୁବିଧାରେ ଚଳୁଛି। ଅଭାବ ଗୋଡାଉଛି ଖାଲି।ଗଲା ସନ ଆଜ୍ଞା ଦୀପାବଳି ଆଉ ପନ୍ଦର କି କୋଡିଏଟା ଦିନ ଅଛି ମୋ ବା' ମରିଗଲା। ବାଧିକା ପଡିଲା ଗୁଡ଼ାଏ ଦିନ ଯେ ବେଜାଏ ପଇସା ଖର୍ଚ୍ଚ କଲି ତା ପିଛା।ପୁଣି ମରିଗଲା ଯେ ତା ଶୁଦ୍ଧିଘରରେ ବି ପୁଣି ଗୁଡ଼ାଏ ଖର୍ଚ୍ଚ କଲି। ଆଉ ଦୀପାବଳି ପାଳିବାକୁ ପଇସା କାଇଁ ??କିନ୍ତୁ ପିଲାଏ ବୁଝିଲେ ତ ?? ସେଥର ସେମାନଙ୍କୁ ବୁଝେଇ ଦେଲି ଯେ ଘରଲୋକ କିଏ ମରିଗଲେ ବରଷେ ଯାଏ ଘରେ ପୁନିଅପରବ କିଛି ପାଳନ ହୁଏନି। ଆଉ ତୁମ ଜେଜେ ତ ଥିଲେ ଏ ଘରର ବଡମୁଣ୍ଡ।ଏବେ ବାଣ ଫୁଟେଇଲେ ଘରର ଅନିଷ୍ଟ ହେବ।ପିଲାମାନେ ବୁଝିଗଲେ କିନ୍ତୁ ବହୁତ ମନଦୁଃଖ କଲେ।ଅନେଇକି ବସିଥିଲେ ଏ ସନ କୁ। ଏ ସନ ଆଜ୍ଞା ସାନ ପୁଅଟାକୁ ଜଣ୍ଡିସ ଧରିଦେଲା ଯେ ସବୁ ପଇସା ତା ପିଛାରେ ପାଣି ପରି ବୋହିଗଲା। ପିଲାମାନଙ୍କୁ ବୁଝେଇଦେଲି ଯେ ବାଣ ଆଜି ବହୁତ ଦାମ ଥିବ।ଆଜି ଦିନଟା ଯାଉ ...ଟିକେ ଦାମ ଖସିଗଲେ ମୁଁ କାଲି ତୁମ ମାନଙ୍କ ପାଇଁ ବାଣ ଆଣିଦେବି।ସାନ ପୁଅଟା ମୋ କଥା କିଛି ବୁଝିଲାନି ଆଜ୍ଞା। ଜିଦି ଧରି କାନ୍ଦୁଥିଲା ହେଲେ ବଡ ଝିଅଟା ଟିକେ ବୁଝିବାର ହେଇ ଗଲାଣି।ସାନ ଭାଇକୁ ବୁଝେଇ କହିଲା , " ଶୁଣୁ , ... ଆଜି ସମସ୍ତେ ବାଣ ଫୁଟେଇଦେବେ ଆଉ ସମସ୍ତଙ୍କର ବାଣ ସରିଯିବ।ଆଉ କାଲି ଯେତେବେଳେ ତୁ ଏକା ଫୁଟେଇବୁ .. ତୋ ସାଙ୍ଗ କାଳୁ, ଟିମା, ବଳିଆ ସମସ୍ତେ ଆସି ତୋତେ ଖାଲି ଚାହିଁବେ। ସେମାନଙ୍କ ପାଖରେ ତ ଆଉ କିଛି ନ ଥିବ... ...ଆଉ ତୁ ଏକା ଏକା ବାଣ ଫୁଟେଇ ମଜା କରିବୁ।"

      ଏତିକି କହି ନରିଆ ପୁଣି ତା ପାନଖିଆ ନାଲିଆ ଦାନ୍ତକୁ ଦେଖେଇ ହସିଲା ।ହି....ହି...ହି...ହୋଇ।

   ହରେକୃଷ୍ଣ ବାବୁ କଣ କହି ଆସୁଥିଲେ ନରିଆ ତରତର ହୋଇ ଉଠିପଡ଼ିଲା।

 ---- ଆପଣଙ୍କ ସାଙ୍ଗେ ଗପି ଗପି ମୋର ବହୁତ ଉଚ୍ଛୁର ହୋଇଗଲାଣି ଆଜ୍ଞା।ମୁଁ ତ ଗପୁଡା ଟା। ଗପିଲେ ମୋ ଗପ ସରେନି।ଆଉ ଆପଣ ବି ମୋ ସହ ବାଇଆ ହେଇଛନ୍ତି।ଯାଏଁ .... କାମ ଟା ସାରିଦିଏଁ ଆଗ। ଏ ବଗିଚା କୁ ଯାହା କରିଛନ୍ତି ପିଲାମାନେ ମୋତେ ତ ଅଧଘଣ୍ଟେ ଲାଗିବ ଏବେ ସଫା କରିବା ପାଇଁ। ଆହୁରି ପୁଣି କେତେଟା ବାବୁଘର ଡାକିଛନ୍ତି ।ସେଠୁ ବି ଯଦି ଏମିତି କିଛି ବାଣ ମିଳିଯିବ ତାହେଲେ ମୋ ପିଲାମାନଙ୍କର ଦୀପାବଳି ହେଇଗଲା।"

      ହାତରେ ବାଣ ପୁରେଇଥିବା ଜରି ପୁଡାଟା ଧରି ଉଠିଗଲା ନରିଆ ବଗିଚା ସଫା କରିବା ପାଇଁ ଆଉ ହରେକୃଷ୍ଣ ବାବୁ ଫେରିଗଲେ କେଉଁ ଏକ ସୁଦୂର ଅତୀତକୁ।


ବାପା .... ଆଜି ଦୀପାବଳି ଜାଣିଛ ତ ?


  ହଁ ...ହଁ... ଜାଣିଛି ମୁଁ..


  ମୋ ପାଇଁ ବାଣ ଆଣିବନି ଏ ବର୍ଷ ?


ଆରେ ....ତୋତେ କେତେ ଥର ବୁଝେଇବି ସେଇ ଗୋଟିଏ କଥା।ଦୀପାବଳି ଦିନ ପରା ତୋ ମା ର ଶ୍ରାଦ୍ଧ।ତୋ ମା ବାଣକୁ ବହୁତ ଡରେ।ତୁ ଯଦି ବାଣ ଫୁଟେଇବୁ ତାହେଲେ ତୋ ମା ଡରିକି ଆଉ ଆସିବନି ପିଣ୍ଡ ଦେଲାବେଳେ।ଆଜି ଦିନଟା ଟିକେ ସମ୍ଭାଳି ଯାଆ ମୁଁ ତୋ ପାଇଁ କାଲି କେତେ ପ୍ରକାର ବାଣ ଆଣିଦେବି।


  ବାପା ...କାଲି ଝୁରୁଝୁରି ଟିକେ ବେଶି ଆଣିବ।


ହଉ ...ହଉ .. କାଲି କଥା କାଲି ଦେଖିବା କହି ବୁଝେଇ ଦିଏ ହରିକୁ ତା ବାପା ମୁକୁନ୍ଦ।

  ତା ପରଦିନ ସକାଳ ହଉ ନ ହଉଣୁ ମୁକୁନ୍ଦ ବାହାରିଯାଏ ଗୋଟେ ଅଧାଭଙ୍ଗା ସାଇକେଲର ଆଗପଛରେ କିଛି ଶସ୍ତା ଆଉ ଛୋଟମୋଟ ପ୍ଲାଷ୍ଟିକ ଜିନିଷର ପସରା ବାନ୍ଧିକି।

   

    ହରେକ ମାଲ....... ପାଞ୍ଚ ଟଙ୍କା.....

    

    ପାଞ୍ଚ ଟଙ୍କା ...... ହରେକ ମାଲ .....ଡାକିଡାକି ଆଖି ଆଗରୁ ଅଦୃଶ୍ୟ ହୋଇଯାଏ ମୁକୁନ୍ଦ। ଆଉ ଫେରିଲାବେଳେ ଆଣିଥାଏ ଗୋଟେ ପଲିଥିନରେ ସବୁ ପ୍ରକାର ମିଶାମିଶି ବାଣରୁ କିଛି ।ହାତରେ ଚାନ୍ଦ ପାଇଲା ପରି ଝାମ୍ପି ନେଇଯାଏ ଖୁସିରେ ସେତିକ ହରି।ଚାତକ ପରି ଚାହିଁ ବସିଥାଏ କେତେବେଳେ ସଞ୍ଜ ହେବ ଆଉ ସେ ବାଣ ଫୁଟେଇବ ।ସଞ୍ଜ ହେଉ ହେଉ ମହମବତୀ ଟିଏ ଲଗେଇ ଘରୁ ବାହାରକୁ ଚାଲିଆସେ ହରି।ଆଗ ତାଳଫୁଟୁକି ଟିଏ ଫୁଟେଇ ଦେଇ ଅପେକ୍ଷା କରେ ପାଖଘରୁ ତା ସାଙ୍ଗସାଥି ମାନେ ବାହାରିବା ଯାଏ।ବାଣ ଶବ୍ଦ ଶୁଣି ସାନବଡ କିଛି ପିଲା ଆସି ଉଣ୍ଡନ୍ତି ଘର ବାହାରେ।ସବୁ ଛୁଆ ତା ବାଣକୁ ଲୋଭିଲା ଆଖିରେ ଦେଖୁଛନ୍ତି ଲକ୍ଷ୍ୟକରି ହରିକୁ ଗଡ ଜିତିଲା ପରି ଲାଗେ।ତା ପରେ ସେ ଫୁଟାଏ ଝୁରୁଝୁରି, ଧପଧପି, ଚକ୍ରି ବାଣ, ସାପ ବାଣ.....।ସେଥିରୁ ଅଧେ ଫୁଟେ ଆଉ ଅଧେ ଫୁଟେନି ତଥାପି ହରିର ମନ ବହୁତ ଖୁସି ସେ ଦୀପାବଳି ପାଳୁଛି ବୋଲି।

     ଏମିତିରେ କିଛି ବର୍ଷ କଟିଗଲା ହରିର।ତିନି ବର୍ଷର ହୋଇଥିଲା ମା ମରିଯାଇଥିଲା ତାର ଆଉ ବାପା ଚାଲିଗଲା ଏଗାର ବର୍ଷ ବୟସରେ।ଆହା ନାହିଁ କି ସାହା ନାହିଁ।ବାଧ୍ୟ ହୋଇ ମଉସା ମାଉସୀଙ୍କ ଆଶ୍ରିତ ହେଲା ହରି।ସହରତଳି ବସ୍ତିର ପଲିଥିନ ଘେରାଘର , ସାଙ୍ଗସାଥି, ସାଇପଡ଼ିଶା ଆଉ ବସ୍ତି ପଛପାଖ ଖେଳପଡିଆ ସବୁକୁ ଛାଡି ବାହାରିଲା ହରି ମାଉସୀ ସହ କିନ୍ତୁ ଛାଡି ଯାଇ ପାରିଲାନି ଗୋଟିଏ ଜିନିଷ।ଜିଦ ଧରି ସାଙ୍ଗରେ ଧରିକି ଆସିଲା ତା ବାପାଙ୍କ ଶେଷ ସ୍ମୃତି .....ଛୋଟମୋଟ ପ୍ଲାଷ୍ଟିକ ଜିନିଷ ଲଦା ହୋଇଥିବା ଗୋଟେ ଦରଭଙ୍ଗା ସାଇକେଲ।

     ମାଉସୀ ଘରେ କିଛିଦିନର ରହଣି ଭିତରେ ଗୋଟେ ନୂଆ ତଥ୍ୟ ଆବିଷ୍କାର କଲା ହରି।ଯେଉଁଦିନ ମାଉସୀ କହିଲା , " ହରି ...କାଲି ତୋ ମା' ର ଶ୍ରାଦ୍ଧ।ତୋ ବାପା ତ ଚାଲିଗଲା। ଏ ଥର ଏ ଦାୟିତ୍ୱ ସବୁ ତୋର। ତିଥିବାର ମନେରଖ ଏଥର।କାଲି ସକାଳୁ ଗାଧୋଇ ପାଧୋଇ ପାଖ ମନ୍ଦିରରେ ନନାଙ୍କୁ ସଞ୍ଚା ଟେକିଦେଇ ଆସିବୁ।ମୁଁ ଚାଉଳ ଡାଲି, ପରିବା, ଦକ୍ଷିଣା ସବୁ ସଜାଡି ଦେଇଥିବି।" ସେଦିନ ହରି ଜାଣିଲା ତା ମା' ର ଶ୍ରାଦ୍ଧ ଦୀପାବଳି ଦିନ ନୁହେଁ ଫଗୁ ଦଶମୀର ଦୁଇ ଦିନ ପୂର୍ବରୁ ପଡ଼େ ବୋଲି।ତା ଆଖି ଆଗରୁ ଧୀରେ ଧୀରେ ସବୁ ପରଦା ହଟିବାକୁ ଲାଗିଲା।ଏ ଥର ସେ ବୁଝି ପାରିଲା ...

   ସମସ୍ତଙ୍କ ଶ୍ରାଦ୍ଧ ବର୍ଷକୁ ଥରେ ପଡୁଥିବା ବେଳେ ତା ମା'ର ଶ୍ରାଦ୍ଧ ବର୍ଷକୁ ଦି ଥର କାହିଁକି ପଡେ ?

   ତା ସାଙ୍ଗ ରାମୁ ତାକୁ କାହିଁକି ଚିଡାଏ ଯେ ତୋ ବାପା ଦୀପାବଳି ପରଦିନ ରାସ୍ତାରୁ ବାଣ ଗୋଟାଏ ବୋଲି ?

   ସେଦିନ ରାମୁ କଥା କାନ୍ଦିକାନ୍ଦି ବାପାଙ୍କୁ ପଚାରିଥିଲା ହରି।କିନ୍ତୁ ତା କଅଁଳ ମନରେ ଦୁଃଖ ନଦେବା ପାଇଁ ବାପା କହିଥିଲେ ରାମୁ ଟା ମିଛୁଆ ।ତୁ କଣ ପାଇଁ ତା କଥା ଶୁଣୁଛୁ ? ଆଜି କିନ୍ତୁ ବାପାଙ୍କ ଅବର୍ତ୍ତମାନରେ ହରି ଜାଣି ପାରୁଥିଲା ଯେ ରାମୁ ମିଛୁଆ ନୁହେଁ ତା ବାପା ଥିଲେ ମିଛୁଆ।ତାକୁ ସବୁବେଳେ ସତ କହିବା ପାଇଁ ସାହସ ଆଉ ପ୍ରେରଣା ଦେଇ ଆସୁଥିବା ବାପା ଯେ ନିଜେ ଏତେ ବିବଶ ଥିଲେ ମିଛ କହିବା ପାଇଁ ଭାବିଲା ବେଳକୁ ଅନ୍ତର ଭିତର ବିଦାରି ହୋଇଯାଉଥିଲା ଗୋଟିଏ କିଶୋର ବାଳକର।

     ସେଦିନର ସେ ସହରତଳି ବସ୍ତିର କିଶୋର ବାଳକ ଆଜି ସହରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ହରେକୃଷ୍ଣ ବାବୁ।ବାପାଙ୍କର ସେଇ ପୁରୁଣା ଦରଭଙ୍ଗା ସାଇକେଲ ଆଉ କିଛି ଶସ୍ତା ପ୍ଲାଷ୍ଟିକ ଜିନିଷରୁ ବେଉସା ଆରମ୍ଭ କରିଥିବା ବାଳକ ଟି ଆଜି ସହରର ନାମୀଦାମୀ ଦୋକାନ " The Ceramic World" ର ମାଲିକ।ତାଙ୍କର ବିରାଟ ଘର ଆଗରେ ଦୀପାବଳି ପାଳନର ଚିହ୍ନ ସ୍ବରୂପ ତାଙ୍କ ନାତିନାତୁଣୀ ମାନେ କରିଦେଇଛନ୍ତି ଫୁଟା ଆଉ ଦରଫୁଟା ବାଣର ଛୋଟିଆ ସ୍ତୁପଟିଏ।କିନ୍ତୁ ବାପା ନାହାନ୍ତି ଏ ସବୁ ଦେଖିବା ପାଇଁ।


      ଆଜ୍ଞା.... ମୋ କାମ ସରିଲା।ଯାଉଛି ଏ ଥର ... ଆହୁରି କେତେ ଘର କାମ ଅଛି ମୋର।ନରିଆ ଡାକରେ ଅତୀତରୁ ବର୍ତ୍ତମାନକୁ ଫେରି ଆସିଲେ ହରେକୃଷ୍ଣ ବାବୁ।କେତେବେଳେ ଯେ ଆଖିରୁ ଦୁଇ ଠୋପା ଲୁହ ଖସିପଡିଛି ଜଣାନାହିଁ ତାଙ୍କୁ।ପଛରୁ ଡାକିଲେ ନରିଆକୁ।ନରିଆ ଗେଟ ପାଖରୁ ଫେରିଆସି ଠିଆହେଲା ପାଖରେ।ତା ହାତରେ କିଛି ଟଙ୍କା ଗୁଞ୍ଜି ଦେଲେ ହରେକୃଷ୍ଣ ବାବୁ ଆଉ କହିଲେ ପିଲାମାନଙ୍କ ପାଇଁ କିଛି ବାଣ ଆଉ ଖାଇବା ଜିନିଷ କିଣି ନେଇ ଯିବୁ ଘରକୁ ଫେରିଲା ବେଳେ।

                   


Rate this content
Log in

More oriya story from Rozalini Mishra

Similar oriya story from Classics