STORYMIRROR

Antaryami Sahu

Classics Inspirational

3  

Antaryami Sahu

Classics Inspirational

ଶ୍ରୀ ରାଧା ଭାବ

ଶ୍ରୀ ରାଧା ଭାବ

3 mins
248

ଶ୍ରୀ ରାଧା ଭାବ

*************

ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରୀ,

ହେ ନାଥ ନାରାୟଣ ବାସୁଦେବ । ।

        

        

ଦିନେ କୁଞ୍ଜ କାନନରେ ମାତା ରାଧାରାଣୀଙ୍କ ସହିତ ପ୍ରଭୁ ଶ୍ୟାମସୁନ୍ଦର ମୁରଲୀ ମନୋହର କୃଷ୍ଣ କହ୍ନେଇ

ବସିଥାନ୍ତି କଦମ୍ବର ମୂଳରେ । ତାଙ୍କ ଭିତରେ କଥୋପ କଥନ ଚାଲିଥାଏ ।

ଏହି ସମୟରେ ହଠାତ୍ ରାଧାରାଣୀ ପ୍ରଭୁ ଶ୍ୟାମସୁନ୍ଦରଙ୍କୁ କହିଲେ ହେ ଗୋବିନ୍ଦ, ତମକୁ ଗୋଟିଏ କଥା କହିବି ତମେ ରଖିବ ।

ଭଗବାନ କହିଲେ ଠିକ୍ ଅଛି ରାଧେ ତମେ ଗୋଟିଏ କଥା କାହିଁକି ତମ ମନ ଭିତରେ ଯାହା ଅଛି ତାହାସବୁ ପ୍ରକାଶ କର । ମୁଁ ତମର ସବୁ କଥା ଶୁଣିବି ଆଉ ନିଶ୍ଚୟ ରଖିବି ।

ରାଧାରାଣୀ କହୁଛନ୍ତି ହେ ପ୍ରଭୁ, ହେ ମୁରଲୀ ମନୋହର ହେ କୃଷ୍ଣ କହ୍ନାଇ। ମୁଁ ତମକୁ କାହିଁକି ଏତେ ଭଲ ପାଉଛି। ତୁମ ବିନା ମୁଁ ବଞ୍ଚିପାରୁ ନାହିଁ। ତୁମକୁ କ୍ଷଣେ ମାତ୍ର ନ ଦେଖିଲେ ମୁଁ ବାୟାଣୀ ପ୍ରାୟ ହୋଇଯାଏ । ବାରମ୍ଵାର ମୋର ମନପ୍ରାଣ ବ୍ୟାକୁଳିତ ହୋଇଉଠୁଛି। କାଳେ ତୁମେ ମୋତେ ଭୁଲି ଯିବନିତ ।

ସତରେ ମୋହନ,ମୁଁ ତମ ବିରହରେ ଏମିତି ଖାଲି ଛଟପଟ ହେଉଛି ।ଜାଲରେ ପକ୍ଷୀଟିଏ ପଡ଼ିଲେ ଯେମିତି ବାହାରକୁ ବାହାରି ପାରେ ନାହିଁ। ପକ୍ଷୀଟି ସେହି ଜାଲ ଭିତରେ ପଡି ଛଟପଟ ହୋଇଥାଏ।

ଠିକ୍ ମୋ ଜୀବନ ମଧ୍ୟ ତମରି ପ୍ରେମ ଜାଲରେ ପଡ଼ି ମୋ ସ୍ପନ୍ଦନ କେବଳ ତୁମରି ପାଇଁ ଛଟପଟ ହେଉଛି। କାହିଁ ତମେତ ମୋ ଭଲି ହେଉନ ।ଏହାର କାରଣ କଣ ।

ଭଗବାନ ଶ୍ୟାମସୁନ୍ଦର କହୁଛନ୍ତି ହେ ପ୍ରାଣପ୍ରିୟେ , ତମେ ନିଜ ସ୍ଵରୁପକୁ ଫେରିଆସି ଥରେ ଚିନ୍ତାକରି ଦେଖ। ତାପରେ ତମେ ସବୁ ବୁଝିପାରିବ । ପ୍ରେମ କାହାକୁ କରାଯାଏ। ଭଲ କାହାକୁ ପାଇ ହୁଏ । ପ୍ରେମ ଅନ୍ୟଜଣକୁ କରାଯାଏ। ଭଲ ଅନ୍ୟକୁ ପାଇ ହୁଏ ନିଜକୁ ନୁହେଁ। ତମେ ତ ଜାଣିଛ ମୁଁ ହେଉଛି ତୁମେ । ଆଉ ତମେ ହେଉଛ ମୁଁ l ରାଧାକୃଷ୍ଣ ଶରୀର ସିନା ଭିନ୍ନ ଅଟେ କିନ୍ତୁ ମନ ପ୍ରାଣ ଏକ ।

ରାଧାକୃଷ୍ଣ ଏକତନୁ ଦୁଇ ଦେହଧାରୀ ।

ହେ ରାଧେ, ଧରଣୀଠାରୁ ଯେମିତି ତାର ଗନ୍ଧକୁ ଅଲଗା କରାଯାଇପାରେନା।ନଦୀଠୁ ଲହରୀକୁ ଅଲଗା କରାଯାଇପାରେନା । ଠିକ୍ ସେହିପରି ରାଧା-କୃଷ୍ଣଙ୍କୁ ଅଲଗା କରାଯାଇପାରେନା।

ହେ ରାଧେ ମୁଁ ତୁମ୍ଭରି ବିନା ସଂପୁର୍ଣ ଅଧା । ଆତ୍ମା ବିନା ଶରୀର ଯେମିତି ମୃତବତ୍ । ତୁମେ ମଧ୍ୟ ସେହିପରି ମୋ ବିନା ନିର୍ଜିବ ଆଉ ତୁମେ ନିର୍ଜିବ ହେଲେ ମୁଁ ତୁମରି ବିନା ଅଦୃଶ୍ୟ |

ରାଧା କହୁଛନ୍ତି ହେ ଶ୍ୟାମସୁନ୍ଦର, ତୁମେ ମୋ ସହିତ ଏତେ ଛଳନା କରୁଛ କାହିଁକି? ସାରା ସଂସାର ତମରି ମାୟାଜାଲରେ ବାନ୍ଧି ରଖିଛ । ଆଉ ସେହି ମାୟାଜାଲରେ ମୋତେ ଛନ୍ଦି ଭୁଲାଇ ଦେବାକୁ ଚେଷ୍ଟା କରୁଛ କାହିଁକି?

ରାଧାଙ୍କର କଥା ଶୁଣି ଭଗବାନ କହୁଛନ୍ତି ହେ ରାଧେ, ଯାହା ପ୍ରକୃତ ସତ୍ୟ ତାହା ମୁଁ ତୁମ ଆଗରେ ପ୍ରକାଶ କରୁଛି। ଏହି ସାରା ଅନନ୍ତ ବ୍ରହ୍ମାଣ୍ତର ମୁଁ ହେଉଛି ମୂଳପିଣ୍ତ । ଏହାର ଉତ୍ପତ୍ତି, ସ୍ଥିତି ଓ ପ୍ରଳୟ ହେଉଛି ମୁଁ l ପୁଣି ମୁଁ ପିତା, ମୁଁ ପୁଣି ପୁତ୍ର, ମୁଁ ନାରୀ_ ମୁଁ ପୁରୁଷ ।ମୁଁ ହିଁ କେବଳ . . .

ଶ୍ରୀକୃଷ୍ଣଙ୍କ ବାଣୀ ଶୁଣି ବୃଷଭାନୁ ସୁତା କହୁଛନ୍ତି, ହେ ମୋହନ, ମୋତେ ତୁମର ଶବ୍ଦ ଜାଲରେ ଛନ୍ଦି ଦେଉଛ । ମିଠାମିଠା କଥା କହି ମୋର ମନ କିଣିନେଉଛ, ହେଲେ ମୋ ହୃଦୟର ପରିଭାଷାକୁ ବୁଝି ପାରୁନାହଁ କଣ ପାଇଁ । ମୋର ହୃଦୟର ବ୍ୟଥାକୁ ବୁଝିବାକୁ ଚେଷ୍ଟା କର ।

ରାଧାଙ୍କ କଥା ଶୁଣି ଭଗବାନ ନନ୍ଦ ନନ୍ଦନ କହୁଛନ୍ତି ହେ ରାଧେ, ତୁମେ ହେଉଛ ମୋର ଆଧେୟ ଏବଂ ମୁଁ ହେଉଛି ତୁମର ଆଧାର ।

ଯେପରିକି ଫଳର ଆଧାର ଫୁଲ,

ଫୁଲର ଆଧାର ପତ୍ର . . .

ପତ୍ରର ଆଧାର ବୃକ୍ଷ . . . ଆଉ

ବୃକ୍ଷର ଆଧାର ବୀଜ ଅଟେ । ସେହିଭଳି କୃଷ୍ଣ ଏବଂ ରାଧା ଭିନ୍ନ ନୁହନ୍ତି।

ଆଉ ତମେ ଯେଉଁ ଅନନ୍ତ ବିଶ୍ଵ ବ୍ରହ୍ମାଣ୍ଡ ଦେଖୁଛ । ସେହି ଅନନ୍ତ ବ୍ରହ୍ମାଣ୍ଡର ମୁଁ ହେଉଛି ଆଧାର ।

ରାଧାରାଣୀ ମୁରୁକି ହସଟିଏ ମାରିଦେଇ କହିଲେ

ହେ ଶ୍ୟାମସୁନ୍ଦର, ପ୍ରେମ ଖେଳ ନୁହେଁ । ପ୍ରେମ ସଦାସର୍ବଦା ଚିରନ୍ତନ ସତ୍ୟ ଓ ଶାଶ୍ୱତ ।ଯଦି ମୋ ମତରେ ପ୍ରେମ ସତ୍ୟ ନୁହେଁ ତାହେଲେ ଭକ୍ତି ସତ୍ୟ ନୁହେଁ। ଆଉ ଭକ୍ତି ସତ୍ୟ ନହୁଏ ତାହେଲେ ଭଗବାନ ମଧ୍ୟ ସତ୍ୟ ନୁହନ୍ତି ।

ରାଧାଙ୍କ କଥା ଶୁଣି ଶ୍ୟାମସୁନ୍ଦର କହୁଛନ୍ତି, ହେ ରାଧେ, ତୁମେ ଯାହା କହୁଛ ତାହା ସତ୍ୟ । ଭକ୍ତ ହେଉଛି ମୋ ପାଇଁ ସବୁ କିଛି। ପ୍ରେମ ଆଗରେ ମୁଁ ହାରିଥାଏ, ଆଉ ଭକ୍ତ ହୃଦୟରେ ମୁଁ ବାସ କରିଥାଏ। ଏବଂ ଭକ୍ତ ମୋ ହୃଦୟରେ ବାସ କରିଥାଏ । ଏହି ରିତିରେ ମୁଁ ସଦାସର୍ବଦା ତୁମଠାରେ ଋଣୀ । ମୁଁ ମୋର ଏହି ବୈରାଗୀ ମନକୁ ଦୁରେଇଦେଇ ତମର ପ୍ରେମଭାବ ବୁଝିବା ପାଇଁ ନିଶ୍ଚୟ ରାଧା ହେବି।

ପୀଡାରେ ଆନନ୍ଦ ଏବଂ ଆନନ୍ଦରେ ପୀଡ଼ା ଅନୁଭବ କରି ତୁମରି ମନ ନେଇ ମୁଁ ରାଧା ସାଜିବି । ଶରୀର ସିନା ପୁରୁଷର ହେବ। କିନ୍ତୁ ହୃଦୟ ରାଧାର ହେବ ।

ଭଗବାନ ସଙ୍ଗେସଙ୍ଗେ ରାଧା ବେଶ ହୋଇଛନ୍ତି।ମାତା ରାଧାରାଣୀଙ୍କ ହୃଦୟର ବେଦନାକୁ ବୁଝିବା ପାଇଁ।

ଭଗବାନ ରାଧା ବେଶ ସିନା ହୋଇଗଲେ ତଥାପି ରାଧାଙ୍କର ସଂପୂର୍ଣ୍ଣ ବେଦନାକୁ ହୃଦୟଙ୍ଗମ କରିପାରିଲେ ନାହିଁ। ତେଣୁ ଭଗବାନ ଶ୍ରୀକୃଷ୍ଣ କହିଲେ ହେ ରାଧେ , ତମର ଏଇ ଭାବ ବୁଝିବା ପାଇଁ ମୋତେ ଆଉ ଗୋଟିଏ ଜନ୍ମକୁ ଅପେକ୍ଷା କରିବାକୁ ପଡିବ। ଆଉ ସେହି ଜନ୍ମ ମୁଁ କଳିଯୁଗରେ ହେବି।

ଆଉ ସେହି ଶରୀର ରାଧାକୃଷ୍ଣ ମିଳିତ ତନୁ ହୋଇ କୃଷ୍ଣଚୈତନ୍ୟ ରୂପରେ ନଦିଆ ନଗରେ ଜନ୍ମ ହେବି। ଆଉ କୃଷ୍ଣ କୃଷ୍ଣ ଗାଇ ଗାଇ ତମରି ହୃଦୟର ପରିଭାଷାକୁ ବୁଝିବି ।

ସେହି ରାଧାକୃଷ୍ଣଙ୍କର ମିଳିତ ତନୁ ଚୈତନ୍ୟ ରୂପରେ କଳିଯୁଗରେ ଜନ୍ମଗ୍ରହଣ କରି କେବଳ ରାଧାଙ୍କର ହୃଦୟର ଯନ୍ତ୍ରଣା, ହୃଦୟର ବେଦନାକୁ ପ୍ରକାଶ କରି ନାଚି ନାଚି ଗାଇବି . . . .

"ହରେକୃଷ୍ଣ ହରେକୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ"

ହରେ ରାମ ହରେ ରାମ ରାମ ରାମ ହରେ ହରେ" ।

ଜୟଶ୍ରୀ ରାଧେ. . . .


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics