Antaryami Sahu

Children Stories Classics Inspirational

3  

Antaryami Sahu

Children Stories Classics Inspirational

ଭରତ ଚରିତ୍ର

ଭରତ ଚରିତ୍ର

5 mins
160



ଅନେକ ଜନ୍ମପୁଣ୍ୟଫଳେ

ମନୁଷ୍ୟ ଜନ୍ମ ମହୀତଳେ ।(ଶ୍ରୀମଦ୍ଭାଗବତ)।


ଅନେକ ଜନ୍ମର ପୂଣ୍ୟଫଳରେ ଆଜି ଆମକୁ ମନୁଷ୍ୟ ଜନ୍ମପ୍ରାପତ ହୋଇଛି। ଯେଉଁ ଶରୀରକି ଦେବ ଦୁର୍ଲଭ । ଦେବତାମାନେ ମଧ୍ୟ ମାନବ ଶରୀର ପାଇବାପାଇଁ ବ୍ୟାକୁଳ ହୋଇଥାନ୍ତି। ଜୀବ ତାର କର୍ମଫଳ ଅନୁଯାୟୀ ତାକୁ ଚୌରାଶି ଲକ୍ଷ ଯୋନୀ ଭ୍ରମଣ କରିବାକୁ ପଡିଥାଏ। ଚୌରାଅଶି ଲକ୍ଷ ଯୋନୀ ଭ୍ରମଣ କରି ସବୁ ଜନ୍ମର କିଛି କିଛି ପୁଣ୍ୟ ଫଳ ସଂଚୟ କରି ଶେଷରେ ଜୀବମଣିଷ ଗର୍ଭରେ ପ୍ରବେଶ କରିଥାଏ । ଏବଂ ପରି ଶେଷରେ ମନୁଷ୍ୟ ଯୋନିରେ ଜନ୍ମଗ୍ରହଣ କରିଥାଏ।


ମନୁଷ୍ୟ ଜନ୍ମ ପାଇବା ଯେତିକି ଦୁର୍ଲଭ । ଠିକ୍ ସେମିତି ଭାରତ ଭଳି ପୂଣ୍ୟମୟ ଭୂମିରେ ଜନ୍ମଗ୍ରହଣ କରିବା ସେତିକି ଦୁର୍ଲଭ ।


ଏଇ ଭାରତ ଭୂମିରେ କେତେ କେତେ ବୀରପୁରୁଷ ଜନ୍ମ ଗ୍ରହଣ କରିଛନ୍ତି। ଏଇ ପବିତ୍ରମାଟି ପୁଣି ଶ୍ରୀକୃଷ୍ଣ , ଶ୍ରୀରାମ, ପର୍ଶୁରାମ, ବରାହ ବାମନ, ଜଗନ୍ନାଥ ଭଲି ଭଗବାନଙ୍କୁ କୋଳରେ ଧରି ସେ ଆଜି ମହାନ ହୋଇଯାଇଛି।ଭଗବାନଙ୍କ ଚରଣ କମଳଲାଗି ଏଇ ମାଟି ମାଆ ଆଜି ନିଜକୁ ଧନ୍ୟ ମନେ କରୁଛି।


ଆମ ଭାରତ ଭୂମି ଆଜି ଭାରତୀୟ ବୀର ପୁରୁଷ ମାନଙ୍କ ନାମରେ ନାମିତ ହୋଇଛି। ଭାରତୀୟ ସଂସ୍କୃତି,ଭାରତୀୟ ପରମ୍ପରା ଅନ୍ୟ ରାଷ୍ଟ୍ର ଠାରୁ ସଂପୁର୍ଣ୍ଣ ଭିନ୍ନ।


ଆମ ଭାରତୀୟ ସଂସ୍କୃତିରେ ତିନିଜଣ ଭରତ ଦେଖାଯାନ୍ତି। ଜଣେ ତ୍ରେତୟା ଯୁଗର ଭରତ । ଆଉ ଦୁଇ ଜଣ ଦ୍ୱାପର ଯୁଗର ଭରତ । ଜଣେ ରାମାୟଣ ର ଭରତ । ଜଣେ ମହାଭାରତର ଭରତ ଏବଂ ଅନ୍ୟ ଜଣେ ହେଲେ ଭାଗବତର ଭରତ ।

ଜଣେ ଭକ୍ତ ଭରତ,ଜଣେ କର୍ମି ଭରତ,ଏବଂ ଅନ୍ୟ ଜଣେ ଜ୍ଞାନୀ ଭରତ।


ରାମାୟଣର ଭରତ ବା ରାଜା ଦଶରଥଙ୍କ ପୁତ୍ର ଭରତ ହେଲେ ଭକ୍ତ ଭରତ।ମହାଭାରତର ଭରତ ବା ଶକୁନ୍ତଳା ନନ୍ଦନ ଭରତ ହେଲେ କର୍ମି ଭରତ। ଭାଗବତର ଭରତ ବା ଋଷଭ ଭଗବାନଙ୍କ ପୁତ୍ର ଭରତ ହେଲେ ଜ୍ଞାନୀ ଭରତ।


ଏହି ଭରତଙ୍କ ନାମ ଅନୁସାରେ ଆମ ଦେଶର ନାମ ଭାରତ ହୋଇଛି। ତା ପୂର୍ବରୁ ଆମ ଦେଶର ନାମ ଅଜନାଭ ଥିଲା।


ଏ ଦେଶ ଅଜନାଭ ଥିଲା

ଭରତୁଁ ଭାରତ ହୋଇଲା । ଶ୍ରୀଭାଗବତ ।


ତିନିଜଣ ଭରତଙ୍କ ଭିତରୁ ମୁଁ ଏଠି ଭାଗବତର ଭରତଙ୍କ କଥା ଉପସ୍ଥାପନା କରୁଛି।


ଋଷଭ ଭଗବାନଙ୍କ ଶହେ ପୁତ୍ର ଥିଲେ।ତାଙ୍କ ବଡପୁଅ ହେଲେ ଭରତ। ଋଷଭ ଭଗବାନ ତାଙ୍କ ପୁଅ ଭରତଙ୍କୁ ରାଜ୍ୟରେ ରାଜା କରାଇ ନିଜେ ସନ୍ୟାସ ଦୀକ୍ଷା ନେଇ ବନକୁ ଗମନ କରିଛନ୍ତି।


ମହାରାଜ ଭରତ ରାଜକାର୍ଯ୍ୟ ସୁଚାରୁରୂପେ ଚଳାଇଛନ୍ତି। ମହାରାଜ ଭରତ ଥିଲେ ଏକା ଧାରରେ ଜ୍ଞାନୀ, ପଣ୍ଡିତ, ଧର୍ମଜ୍ଞ ,ପ୍ରଜାବତ୍ସଳ । ସେ ପ୍ରଜାମାନଙ୍କୁ ନିଜପୁତ୍ର ଭଲି ସ୍ନେହ କରୁଥିଲେ। ରାଜା ଦାନ.,ଧର୍ମ,.ଯଜ୍ଞ, ହୋମ ଇତ୍ୟାଦି ଭଗବତକର୍ମ କରୁଥିଲେ। ସେ ଏକ ଲକ୍ଷ ବର୍ଷ ପର୍ଯ୍ୟନ୍ତ ରାଜ୍ୟଶାସନ କରିଥିଲେ।ତାଙ୍କର ମଧ୍ୟ ଚତୁର୍ଥ ଅବସ୍ଥା ଆସି ଯାଇଛି। ରାଜା ମଧ୍ୟ ତାଙ୍କ ପୁତ୍ରଙ୍କୁ ରାଜ୍ୟରେ ରାଜା କରାଇ ବନଗମନ କରିଛନ୍ତି।


ଇନ୍ଦ୍ରିୟଗଣକୁ ନିବାରି

ବିଷୟରସ ଦୁରକରି । ଶ୍ରୀଭାଗବତ ।


ମହାରାଜ ଭରତ ଆଜି ସକଳ ବିଷୟାରସକୁ ତ୍ୟାଗକରି । ସ୍ତ୍ରୀ, ପୁତ୍ର, ରାଜସୁଖ, ରାଜଭୋଗ ସବୁକୁ ପରିତ୍ୟାଗ କରି ଇନ୍ଦ୍ରିୟମାନଙ୍କୁ ନିଜ ଅଧିନରେ ରଖି ରାଜାସନ୍ୟାସ ଦୀକ୍ଷା ଅବଲମ୍ବନ କରିଛନ୍ତି। ଚାଳିଯାଇଛନ୍ତି ପୁଲହଋଷିଙ୍କ ଆଶ୍ରମକୁ, ଆଶ୍ରମ ଗଣ୍ଡକୀ ନଦୀ ତଟରେ ଅବସ୍ଥିତ। ସେହି ଆଶ୍ରମରେ ନାନାଦି ଫୁଲ ଫଳ ବୃକ୍ଷଲତାରେ ପରିପୁର୍ଣ୍ଣ । ମନୋରମ ପରିବେଶ।


ରାଜା ଭରତ ଆଜି ମହାରାଜା ଠାରୁ ରାଜାଋଷି ପାଳଟିଯାଇଛନ୍ତି। ନିତ୍ୟ ତାଙ୍କର ଭଗବାନଙ୍କ ସେବା ।


ନିତ୍ୟେ ଗୋବିନ୍ଦ ଆରାଧନ

କରଇ ହରସେ ରାଜନ । 


ସକାଳୁ ଉଠି ନିତ୍ୟ କର୍ମ କରନ୍ତି।ସ୍ନାନ, ଶୌଚ଼କରିବାକୁ ଯାଆନ୍ତି ଗଣ୍ଡକୀ ନଦୀକୁ । ନଦୀରୁ ଆସି ଭଗବାନଙ୍କ ପାଇଁ ଫୁଲ ତୋଲିବା, ତୁଳସୀ ତୋଳିବା, ଚନ୍ଦନ ଘୋରିବା । ମାଳା କରିବା ତିଳକ କରିବା, ଭଗବାନଙ୍କ ଭଜନ କରିବା। ନିତ୍ୟ ଲକ୍ଷେ ଭଜନ କରିବା। ଏହା ମହାରାଜ ଭରତଙ୍କ ନିତ୍ୟନୈମିତିକ କର୍ମ ।


ଦିନକର କଥା ଋଷି ପ୍ରବର ଭରତ ମହାରାଜ ପ୍ରାତଃ ସମୟରେ ସ୍ନାନ ଶୌଚପାଇଁ ଯାଇଥାନ୍ତି ନଦୀକୁ ।

ନିଜର ସ୍ନାନ ଶୌଚ ସାରି ନଦୀ ଜଳରେ ସୂର୍ଯ୍ୟଙ୍କୁ ଅର୍ଘ୍ୟଦେଉଥାନ୍ତି। ପ୍ରଥମ ଆଞ୍ଜୁଳା ଜଳ ଦେଇଛନ୍ତି ସୂର୍ଯ୍ୟଙ୍କୁ, ଦ୍ୱିତୀୟ ଆଞ୍ଜୁଳା ଜଳମଧ୍ୟଦେଇଛନ୍ତି। ଯେତେବେଳେ ତୃତୀୟ ଆଞ୍ଜୁଳା ଜଳଧରିଛନ୍ତି ଠିକ୍ ଏହି ସମୟରେ ଏକ ଅଘଟଣ ଘଟିଗଲା ।


ହଠାତ୍ ପଛ ପଟରୁ ଗୋଟିଏ ସିଂହ ଗର୍ଜନ କରି ଗୋଟିଏ ଗର୍ଭିଣୀ ହରିଣୀକୁ ଆକ୍ରମଣ କରୁଛି। ସେହି ହରିଣୀ ଟି ଦୌଡି ଦୌଡି ଆସି ଜୀବନ ବଞ୍ଚାଇବା ପାଇଁ ନଦୀର ଜଳ ଭିତରକୁ ଲମ୍ପ ପ୍ରଦାନ କରିଦେଇଛି । ଯେତେବେଳେ ହରିଣୀଟି ଲମ୍ପ ପ୍ରଦାନ କରିଛି। ସଙ୍ଗେସଙ୍ଗେ ତାର ପ୍ରସବ ହୋଇଯାଇଛି।


ସ୍ୱଭାବେ ଗର୍ଭ ହୋଇଥିଲା

ସେ ଗର୍ଭ ଜଳରେ ପଡିଲା।


ମାଆ ମୃଗୁଣୀଟି ମୃଗଶାବକଟିକୁ ଜନ୍ମ ଦେଇ ତାର ଶେଷ ନିଶ୍ଵାସ ତ୍ୟାଗକରି ଦେଇଛି । ଏଇ ସମୟରେ ସେହି ମୃଗଶାବକଟି ଜଳର ସ୍ରୋତରେ ଭାସି ଆସୁଛି। ଏଇ ସମୟରେ ଋଷିପ୍ରବର ହାତରେ ଜଳଧରି ଛନ୍ତି ସୂର୍ଯ୍ୟଙ୍କ ଅର୍ଘ୍ୟ ପାଇଁ । ଦେଇ ପାରିଲେନି   ତୃତୀୟ ଆଞ୍ଜୁଳା ସୂର୍ଯ୍ୟଙ୍କୁ । ସୂର୍ଯ୍ୟଙ୍କୁ ଅର୍ଘ୍ୟକଣ ଦେବେ ଚାଲିଯାଇଛି ହାତ ମୃଗଶାବକ ପାଖକୁ।ଦୁଇ ହାତରେ ତୋଳି ଧରିଛନ୍ତି ମୃଗ ଶାବକ ଟିକୁ ।


ମାତାର ମୃତ୍ୟୁ ତାର ଦେଖି

ଦୟାରେ ଅଶ୍ରୁପୁର୍ଣ୍ଣ ଆଖି । 


ବିଚାରେ ମାତାପିତା ଭାଇ

ଏହାର ଆନ କେହି ନାହିଁ।(ଶ୍ରୀଭାଗବତ )


ଉଠାଇ ଆଣିଛନ୍ତି ଜଳଭିତରୁ । ଭାବିଲେ ମାଆ ମୃଗୁଣୀଟି ମୋ ଆଖି ସାମ୍ନାରେ ଶାବକଟିକୁ ଜନ୍ମ ଦେଇ ପରପାରିକୁ ଚାଲିଗଲା। ଏହାର ମାତା ନାହିଁକି ପିତା ମଧ୍ୟ ନାହିଁ। କାହାର ଭରଷାରେ ଏହାକୁ ଛାଡ଼ିବି। ଏହାକୁ ଯଦି ଏଠି ଛାଡ଼ିଦେବି ତାହେଲେ ବନ୍ୟ ହିଂସ୍ର ପଶୁ ଖାଇଯିବେ । କଣ କରିବି। ନାଁ ଏହି ମୃଗଶାବକଟିକୁ ସଙ୍ଗରେ ନେଇ ମୋ ଆଶ୍ରମକୁ ଯିବି । ସେଠି ତାର ଲାଳନ ପାଳନ କରିବି।


ମୃଗ ନନ୍ଦନ ଘେରି କରେ

ଆଶ୍ରମେ ମିଳିଲେ ସତ୍ୱରେ । 


ମୃଗଶାବକ ସଙ୍ଗରେ ଆଶ୍ରମକୁ ଆଣିଛନ୍ତି। ସେଥିରେ ମୃଗଶିଶୁର ଯତ୍ନ ନେଇଛନ୍ତି।ଏମିତି ଦିନ ପରେ ଦିନ ବିତିଯାଇଛି। ମୃଗଶାବକ ପ୍ରତି ଏତେ ଭାବ ବଢ଼ିଗଲା ରାଜଋଷି ଭରତଙ୍କର । ସେ ମୃଗଶାବକକୁ କ୍ଷଣେ ମାତ୍ର ନ ଦେଖିଲେ ବାଉଳା ପ୍ରାୟ ହୋଇଗଲେ। ମନରେ ଭାବୁଛନ୍ତି ଋଷି ପ୍ରବର-


ବିଚାରେ ମାତାପିତା ଭାଇ

ଏହାର ଆନ କେହି ନାହିଁ।


ଆଶ୍ରୟ କରିଅଛି ମୋତେ

ମୁଁ ତାକୁ ତେଜିବି କେମନ୍ତେ । (ଶ୍ରୀଭାଗବତ )


ଏହାର ମାତା ନାହିଁକି ପିତା ନାହିଁ। କାହାର ସୁରକ୍ଷାରେ ରହିବ ଏହି ଶାବକଟି । ମୁଁ ଯଦି ତାର ସହାୟକ ନହେବି ତାହେଲେ,ଏହି ମୃଗଶାବକ ମରିଯିବ । ଏହା ଭାବି ମୃଗଶାବକକୁ ନିଜ ପାଖରେ ରଖିଲେ।ସେ ଯାହା ଚାହୁଁଥିଲା ତାକୁ ସେହି ଦ୍ରବ୍ୟ ଦେଇ ଶାବକର ଇଚ୍ଛା ପୁରଣ କରୁଥିଲେ।


କେତେବେଳେ ଯଦି ଆଖିରୁ କ୍ଷଣିକ ପାଇଁ ଅନ୍ତର ହୋଇଗଲେ,ଭାବନ୍ତି କାଳେ ହିଂସ୍ର ଯନ୍ତୁ ଖାଇଗଲେ କି, Iଏମିତି ଅନେକ ଭାବନା ତାଙ୍କ ମନରେ ଆସିଥାଏ। ସଦାସର୍ବଦା ତାଙ୍କ ମନରେ ଗୋଟିଏ ପ୍ରଶ୍ନ ଆସେ ସେ ମୋତେ ଆଶ୍ରୟ କରିଛି ମୁଁ ତାକୁ କେମିତି ପରିତ୍ୟାଗ କରିପାରିବି। 


ତା ସେବା ନିରତେ କରଇ

ମାୟାରେ ମତ୍ତିଭ୍ରମ ହୋଇ ।


ଏମିତି ମୃଗଶାବକ ପଛରେ ପଡିଗଲେ ଋଷି ପ୍ରବର ଶେଷରେ ସେ ଭଗବାନଙ୍କର ସେବା ମଧ୍ୟ ଭୁଲିବାକୁ ଲାଗିଲେ।


ନିୟମ ସନ୍ଧ୍ୟାତପ ଯେତେ

ବିସ୍ମୟ ହେଲା ନୃପ ଚିତ୍ତେ ।।


ସକଳ କର୍ମ ଦୁର କଲା

ମୃଗ ବାଳକେ ମନ ଦେଲା । ଶ୍ରୀଭାଗବତ ।


। ନିଜର ସକଳ କର୍ମକୁ ରାଜା ଭୁଲିଯାଇଛନ୍ତି। ସେ ଜାଣୁଛନ୍ତି ଯେ ମୁଁ ଭୂଲ କରୁଛି କି ଠିକ୍ କରୁଛି। ଜାଣୁଛନ୍ତି ଋଷି ପ୍ରବର ମୋ ପାଇଁ ଏହି ରାସ୍ତାଟା ସଂପୁର୍ଣ୍ଣ ଖରାପ । ତଥାପି ରାଜା ମୃଗଶାବକର ମୋହରେ ପଡି ନିଜ ଜୀବନର ଅନ୍ତିମ ଚରଣ କୁ ବରବାଦ କରିଦେଇ ସାରିଛନ୍ତି।


ତାହାକୁ ଥୋଇ ହୃଦାସନେ

ଭୁଲିଲା ଜଗତ କାରଣେ ।


ଏମିତି ରାଜା ମୃଗକୁ ନିଜର ହୃଦୟ ଆସନରେ ସଜାଇ ରଖିଲେ। ଯେଉଁ ଆସନରେ କି ଭଗବାନ ବିରାଜମାନ କରୁଥାନ୍ତି। ଋଷି ପ୍ରବର ଆଜି ମୋହ ବସତଃ ଅଜ୍ଞାନୀଙ୍କ ଭଳି ହୋଇଗଲେ।ଏତେବଡ ଜ୍ଞାନୀ ରାଜାଙ୍କର ଆଜି ମତିଭ୍ରମ ହୋଇଗଲା। ଦିନଚର୍ଯ୍ୟା ଭିତରେ ସେ ଏକ ତୃତୀୟାଂଶ ସମୟ ମୃଗଶାବକ ପଛରେ ଲଗାଇଦେଲେ । ଫଳରେ ଭଗବାନଙ୍କ ପ୍ରତି ଯେଉଁ ଭାବ ରହିବା କଥା ସେ ଭାବ ଆଉ ରହିଲା ନାହିଁ।


ଏମିତି ବିତି ଯାଇଛି ଅନେକ ଦିନ ଋଷି ପ୍ରବରଙ୍କ ଶେଷ ସମୟ ଉପସ୍ଥିତ ଆସିଯାଇଛି । ସଦାସର୍ବଦା ସେ ମୃଗଶାବକକୁ ଚିନ୍ତନ କରୁଥାନ୍ତି। ଶେଷରେ ଋଷି ପ୍ରବର ମୃଗଶାବକକୁ ଚିନ୍ତା କରି କରି ଦେହ ତ୍ୟାଗ କରିଛନ୍ତି। ଆମ ହିନ୍ଦୁ ଶାସ୍ତ୍ର ଗୀତାରେ ପ୍ରମାଣ ଅଛି।


ୟ°ୟ° ବାପି ସ୍ମରଣଭାବ°ତ୍ୟଜତ୍ୟନ୍ତେ କଳେବରମ୍,

ତ°ତମେବୈତି କୌନ୍ତେୟ ସଦା ତଦ୍ଭାବ ଭାବିତ

। ଗୀତା ।


ଭଗବାନ ଶ୍ରୀକୃଷ୍ଣ ଗୀତାରେ ଅର୍ଜୁନଙ୍କୁ ଉପଦେଶ ଦେଉଛନ୍ତି। ହେ ଅର୍ଜୁନ,ଜୀବ ତାର ଶେଷ ସମୟରେ ଯେଉଁ ଭାବ ଚିନ୍ତନ କରି ତାର କଳେବର ତ୍ୟାଗ କରେ । ତାକୁ ସେହି ଯୋନିରେ ଜନ୍ମଗ୍ରହଣ ହେବାକୁ ପଡିଥାଏ।

ତେଣୁ ଋଷି ପ୍ରବରଙ୍କୁ ଆର ଜନ୍ମରେ ମୃଗ ହୋଇ ଜନ୍ମ ହେବାକୁ ପଡିଲା।


ମୃଗର ତହିଁ ମନ ଥିଲା

ତେଣୁ ସେ ମୃଗ ଜନ୍ମହେଲା। ଶ୍ରୀଭାଗବତ ।


ଏଣୁ ଆମେ ସମସ୍ତେ ଗୋଟିଏ କଥା ମନେ ରଖିବା, ଆମେ ଘରେ ଘରେ କେତେ ଆଦର ସହକାରେ ପଶୁପକ୍ଷୀ ପୋଷୁଛୁ। ଜୀବ ପ୍ରତି ଦୟାତ ନିଶ୍ଚୟ ରହିବ, କିନ୍ତୁ ମୋହ ନରହୁ । ଯାହାକି ଆଗାମି ଜନ୍ମରେ ପ୍ରତିବନ୍ଧକ ନସାଜୁ।


ଆମର ମନପ୍ରାଣ ସଦାସର୍ବଦା ଭଗବାନଙ୍କ ଶ୍ରୀଚରଣ ବିନା ଅନ୍ୟଠାରେ ମତ୍ତି ନରହୁ, Iଆଉ ଅନ୍ୟ ଯାଗାରେ ମୋହ ରହେ ,ମାୟା ରହେ ତା ହେଲେ ଆର ଜନ୍ମ ପାଇଁ କ୍ଷତିକାରକ ହେବ ।


ଜୟ ଶ୍ରୀରାଧେ. . .


Rate this content
Log in