ଶିଶୁ କନ୍ୟା
ଶିଶୁ କନ୍ୟା
ଶାଶୁ କହୁଥିଲେ ବଡ଼ଶାଶୁଙ୍କର ତିନିପୁଅଙ୍କର ତିନି ନାତି. ଦିଅରଙ୍କ ଦୁଇ ପୁଅଙ୍କର ଦୁଇ ନାତି. ଆମରି ଏକା ନାତୁଣୀଟିଏ. ଏ ଘରେ ଝିଅ ସଂଖ୍ୟା କମ ସତ ହେଲେ ପୁଅଟିଏ ଦରକାର ନା ନାହିଁ??ମାନସିକ କରିଛି, ସମସ୍ତେ ଯିବା, ଗୁଆ ନଡ଼ିଆ ବାନ୍ଧି ଦେଇ ଆସିଲେ କଳ୍ପବଟରେ , ଏଥର ପୁଅ ନିଶ୍ଚିନ୍ତ. ଝିଅ ଖରାପ ମୁଁ କହୁନି କିନ୍ତୁ କୂଳ ରକ୍ଷା ଓ ଵଂଶ ମର୍ଯ୍ୟାଦା ପାଇଁ ପୁଅଟିଏ ଦରକାର ନା ନାହିଁ?? ସବୁ ଶୁଣୁଥିଲା ଆଦ୍ୟାଶା. ଭାବୁଥିଲା ବହୁତ କହୁଥିଲା କମ. ଝିଅକୁ ଏବେ ତିନି ଛୁଇଁଲାଣି. କିଏ କହୁଛି ତା ପରି ହେଇଛି ତ କିଏ କହୁଛି ବାପା ପରି ହେଇଛି. ଶାଶୁ କିନ୍ତୁ କୁହନ୍ତି କାହା ଭଳି ହେଇଛି କାହିଁ ଜଣା ପଡୁନି, ହେଲେ ନାତୁଣୀଟା ମୋର ଭାରି ସୁନ୍ଦର. ଅଜାଣତରେ କୋଳକୁ ଉଠେଇ ନେଇ ଝିଅକୁ ଚୁମା ପରେ ଚୁମା ଦେଇ ମନେ ମନେ କେତେ କେତେ ଠାକୁର ଠାକୁରାଣୀଙ୍କ ନାମ ଡାକି ଝାଡୁଥାଆନ୍ତି, ଆଦ୍ୟାଶା,ଝିଅକୁ ନଣ୍ଡେ ଛେପ ପକାଇ କେବେ ତ କେବେ ବଡ଼ କଜ୍ଜଳ ଟିପା ଲଗେଇ. ମନେ ମନେ ଭାବୁଥାଆନ୍ତି ପୁଅ, କଣ ହେବ ତାଙ୍କର??ବୁଢା ବୁଢ଼ୀ ବେଳେ, ପରଝିଅ ହାତ ଟେକାକୁ ଚାହିଁ ରହିବାକୁ ଜମା ଚାଁହାନ୍ତି ନାହିଁ ସେ. ହେଲେ ତାଙ୍କ ଝିଅ ତାଙ୍କରି ତ?? ଏ ପ୍ରଶ୍ନର ଉତ୍ତର ଦେବାକୁ ଆଉ କେହି ସାକ୍ଷୀ ନାହାଁନ୍ତି, ସେ ନିଜେ ହିଁ ସାକ୍ଷୀ. ପାଖ ହସ୍ପିଟାଲରେ ଦଶ ଦିନ ଜୀବନ ସହ ସଂଗ୍ରାମ ଚଳାଇ ଚଳାଇ ଯେବେ ନିଜ ପ୍ରଥମ ସନ୍ତାନର ମାଆ ହେଲେ, ସେହି ସମୟରେ ପାଖରେ କେହି ନଥିଲେ. ଯନ୍ତ୍ରଣା ଭିତରେ ନର୍ସ ଦିଦି ପୁଅ ହୋଇଛିର ଉଚ୍ଚାରଣ ଅସ୍ପଷ୍ଟ ଭାବେ ଏବେ ବି କେବେ କେବେ ଶୁଭି ତାଙ୍କୁ ବେଳେ ବେଳେ ଅସ୍ଥିର କଲେ ମଧ୍ୟ ସେ ତାହାକୁ ଦୁଃସ୍ବପ୍ନ ମନେକରନ୍ତି. ନିଜର ଚେତା ଫେରିପାଇଲା ପରେ, ସେ ଦେଖିଥିଲେ ତାଙ୍କ କୋଳରେ ନବଜାତ ଶିଶୁ କନ୍ୟା. ଶାଶୁ କହୁଥିଲେ, ସ୍ୱର୍ଗ ଅପସରୀ ପରି ହେଇଛି. କୋଳରେ ଜଡ଼ାଇ ଧରୁ ଧରୁ ମେହେନ୍ତର କହୁଥିଲା ମାଆ ତୁମର ପୁଅ ହୋଇଥିଲା, ତା କେଇପଦ ଶେଷ କଥା କେହି ନଶୁଣିଲେ ମଧ୍ୟ ଆଦ୍ୟାଶା ଶୁଣି ନେଉ ନେଉ ନର୍ସ ଦିଦି ଗାଳି ଦେଉଥିଲେ ମେହେନ୍ତର ମଉସାଙ୍କୁ, ଗୋଟେ ବି କ୍ୟାବିନ ଠିକ କରି ସଫା କରୁନ, ଏଥର ତୁମକୁ ଚାକିରୀରୁ ବିଦା କରିବାକୁ ପଡିବ. ଝିଅ ଚାହୁଁଥିବା ଆଦ୍ୟାଶା ମେହେନ୍ତର ମଉସାଙ୍କୁ ଦ୍ୱିତୀୟବାର କିଛି ପଚାରିବାକୁ ତାଙ୍କୁ ଦେଖିନଥିଲେ ସତ କିନ୍ତୁ ଶାଶୁ ଯେବେ କୁହନ୍ତି, ତାଙ୍କ ଦେଢ଼ଶୁର ଓ ଦିଅରଙ୍କର ମିଶି ପାଞ୍ଚ ନାତି ଘରେ,ହେଲେ ମୋରି ଏକା ନାତୁଣୀ. ଶଶୁର କହୁଥାନ୍ତି ଆହେ,ନାତୁଣୀ ଆମର ହେରୋଇନ ହେବ. କାର୍ତ୍ତିକ ପୂର୍ଣ୍ଣମୀରେ ଜନ୍ମ ମାଆ ମହାଲଷ୍ମୀ ସିଏ. ସ୍ୱାମୀ ମଧ୍ୟ ଛାତିରେ ଧରି କହୁଥାନ୍ତି ଇଏ ଦିନେ ମତେ ଛାଡ଼ି ତା ଶାଶୁ ଘରକୁ ଚାଲିଯିବ !!ନା ନା ତାହା ହେବାକୁ ଦେବିନି କେବେ. ନିଜେ ଆଦ୍ୟାଶା ସର୍ତ୍ତ ଜିତି ସ୍ୱାମୀଙ୍କୁ କଣେଇ କଣେଇ ଚାହିଁଲା ବେଳେ, ସ୍ୱାମୀ କହନ୍ତି ପୁଅ ହେଉ କହିଦେଉଥିଲି ସିନା ଝିଅଟିଏ ହେଉ ବୋଲି ଚାଁହୁଥିଲି ଭିତରେ ଭିତରେ. ଆମ ଝିଅ ଭାରି ବୁଦ୍ଧିମତୀ, ଜ୍ଞାନୀ, ଗୁଣୀ ତଥା ରୂପବତୀ ହେବ, ଦେଖିବ ରୁହ.ପ୍ରତିଦିନ ମାସ୍କ ପିନ୍ଧେଇ ସ୍କୁଲ ଛଡା ଅଣା କରିବାକୁ ହେବ ମୋ ଝିଅକୁ. ହସନ୍ତି ଆଦ୍ୟାଶା, ଆଉ ବେଳେ ବେଳେ ଶୁଣନ୍ତି ଏଇ ପାଖରେ ଥିବା ହସ୍ପିଟାଲରେ ବହୁ ପିଲାଚୋରି ହୁଏ, ସେଠିକି ଯିବା ଉଚିତ ନୁହେଁ. ଯାହାର ଝିଅ ହେଲା ଭଲ, ପୁଅ ହେଲେ ଚୋରି ନିଶ୍ଚୟ, ଶୁଣି ଶୁଣି ଆଦ୍ୟାଶା ତଟସ୍ଥ ହୁଅନ୍ତି, କୋଉଠି ନା କୋଉଠି ଛିର୍ଣ୍ଣ ବୀଣାର ବେସୁରା କଣ୍ଠ ଶୁଭେ ତାଙ୍କୁ, ଅସ୍ପଷ୍ଟ ଭାବେ ଦୁଇଟି ଖଣ୍ଡ ବାକ୍ୟ, ଦିଦିଙ୍କ ସ୍ୱର, ପୁଅ ହୋଇଛି ଓ ତୁମର ପୁଅ ହୋଇଥିଲା ମାଆ, ସେହି ମେହେନ୍ତରଙ୍କ ସ୍ୱର, ଆଉ ସେତିକି ବେଳେ ଝୁମୁରୀ ଝୁମୁ ଝୁମୁ ପାଉଁଜି ବଜାଇ ଦଉଡି ଆସେ ଖିଲଖିଲ ହସି ଆଦ୍ୟାଶାଙ୍କ ପାଖକୁ ତ,ମୋ ଝିଅ, ମୋ ରାଧା କହି କୋଳେଇ ନେଇ ଗେଲ କରୁଥାନ୍ତି ଆଦ୍ୟାଶା ଶେଷକୁ ଆଦ୍ୟାଶାଙ୍କୁ ନେଇ ସମସ୍ତେ ପୁରୀ ଯିବାକୁ ସ୍ଥିର ହେଲା. ଦ୍ୱିତୀୟ ସନ୍ତାନଟି ପୁଅଟିଏ ଏ ଘରକୁ ଆସିବାର ଇଛା କେବଳ ଜଗନ୍ନାଥ ହିଁ ପୁରଣ କରିବେ. କଳ୍ପବଟରେ ଗୁଆ ନଡ଼ିଆ ବାନ୍ଧି, ବିବାହର ଆଠ ବର୍ଷ ପରେ ଶାଶୁ ମାଆ ହହୋଇଥିଲେ. ପ୍ରଥମେ ନଣନ୍ଦଙ୍କୁ ଜନ୍ମ ଦେବା ପରେ, ଦ୍ୱିତୀୟ ସନ୍ତାନଟି କାଳେ ଏଥର ପୁଅ ନହୋଇ ପୁଣି ଝିଅ ହେବ ଭାବି, କଳ୍ପବଟରେ ନାଲି କପଡ଼ାରେ ମାନସିକ କରି ପୁଣି ବାନ୍ଧିଥିଲେ ଗୁଆ ନଡ଼ିଆ ଆଉ ପାଇଥିଲେ ପୁତ୍ର ରତ୍ନ, ତାଙ୍କ ସ୍ୱାମୀଙ୍କୁ. ଆଦ୍ୟାଶା କିନ୍ତୁ ଭାବୁଥିଲେ ଅନ୍ୟ କିଛି. ପୁଅ ପାଇଁ ଆଶା ରଖି ଯଦି ଝିଅ ହେଲା?? ତାଙ୍କର ମନ ଊଣା ହେବ ନାହିଁ ସତ କିନ୍ତୁ ନାତିର ଜେଜେ ଓ ଜେଜେମା ହେବାକୁ ଇଛା ରଖିଥିବା ଶାଶୁ ଶଶୁରଙ୍କର କଣ ହେବ ମାନସିକତା??ଡରରେ ସେ ଭାଙ୍ଗିପଡୁଥିଲେ ଏ ଭିତରେ କୋରାପୁଟରୁ ଗାଡି ଆସି ଖୋର୍ଦ୍ଧାରୋଡରେ ଅପେକ୍ଷା କରିଥାନ୍ତି, ପୁରୀ ଗାଡିକୁ.ଏପଟୁ ଗାଡି, ସେପଟୁ ଗାଡି, ଖସିଯାଇଛି ଝୁମୁରୀ ହାତରୁ. ଆଗେଇ ଯାଉଛି ବାଷ୍ପୀୟ ଶକଟ ଆଡକୁ. ଡରୁନାହିଁ. ନିର୍ଭୟା ସେ ଶିଶୁ କନ୍ୟା. ଆଖି ମୁଜି ହେଇଯିବା ପୂର୍ବରୁ, ଏକ ଲମ୍ବା କୁଦ ମାରି ଧରିନେଲେ ସ୍ୱାମୀ ଝୁମୁରୀକୁ, ଚିଲେଇ ଚିଲେଇ କହୁଥିଲେ ଆଦ୍ୟାଶାଙ୍କୁ କଣ ଏତେ ଭାବନା, ପୁଅ ହେଉ ନହେଉ, ଆଜି ଯଦି ମୋ ଝିଅର କଣ ହୋଇଯାଇଥାନ୍ତା? କିଏ ଦେଇଥାନ୍ତା ମତେ ଝିଅଟେ?? ସମସ୍ତେ ଝୁମୁରୀର କିଛି ହେଇଛି ନହୋଇଛି ଦେଖି ଭୁଲିଯାଇଥିଲେ ଝୁମୁରୀ ବାପାଙ୍କ ହାତ, ଘୋଷାଡି ହୋଇ ଝରୁଛି ରକ୍ତ. ଆଦ୍ୟାଶା ଉପଚାର ପାଇଁ ଆଗେଇ ଆସୁଥିଲେ ତ ସ୍ୱାମୀ କହୁଥିଲେ ମୋ ଝିଅକୁ ଠିକ ଠାକ ସମ୍ଭାଳ ପ୍ରଥମେ ।
