Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Sambit Srikumar

Classics Inspirational Others

4.3  

Sambit Srikumar

Classics Inspirational Others

ଶେଷ ଧାଡ଼ିର ପୁଅ

ଶେଷ ଧାଡ଼ିର ପୁଅ

4 mins
79


"ଶେଷ ଧାଡ଼ିର ପୁଅ"

ସଦାନନ୍ଦ ଶତପଥୀ! ପୁରୁଷୋତ୍ତମପୁର ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ। ବୟସ ପାଖାପାଖି ପଞ୍ଚସ୍ତରି ବର୍ଷ ହେବ। ଜୀବନର ସାୟାହ୍ନରେ ପହଞ୍ଚିଥିଲେ ମଧ୍ୟ ସେ ବେଶ୍ ଚଳଚଞ୍ଚଳ। ଯୁବ ସୁଲଭ ହୃଦୟ ତାଙ୍କର। ଦିନେ ଗାଁ ମାଟିର ସେବା କରିବା ପାଇଁ ରାଜ୍ୟ ସଚିବାଳୟର ଚାକିରିକୁ ପ୍ରତ୍ୟାଖ୍ୟାନ କରିଥିବା ସଦାନନ୍ଦ ବାବୁ କିନ୍ତୁ ଆଜି ଖୁବ୍ ଏକାନ୍ତ ନିଜ ଜନ୍ମମାଟିରେ। ଦୁଇ ପୁଅ ଓ ଗୋଟିଏ ଝିଅର ଜନକ ହୋଇ ବି ସବୁବେଳେ ଏକେଲା ଏକେଲା ଅନୁଭବ କରନ୍ତି ସେ।

ସଦାନନ୍ଦ ବାବୁ ତାଙ୍କ ନନା ବୋଉଙ୍କର ଏକମାତ୍ର ସନ୍ତାନ। ବଡ଼ ଗେଲବସରରେ ବଢିଥିଲେ ସେ। ମେଧାବୀ ଛାତ୍ର ଥିଲେ।ପାଠ ପଢା ସରିବା ପରେ ସଚିବାଳୟରେ ଚାକିରି କରିଥିଲେ କିଛି ଦିନ। କିନ୍ତୁ ତାଙ୍କ ନନାଙ୍କ ଏକା ଜିଦ୍ ଗାଁକୁ ଫେରି ସ୍କୁଲରେ ଶିକ୍ଷକତା କରିବା ପାଇଁ। ଏ ଯିଦ୍ ପଛରେ ଏକ ମହତ ଉଦ୍ଦେଶ୍ୟ ବି ଥିଲା। ନନା ତାଙ୍କର ଚାହୁଁଥିଲେ ଗାଁର ପୁଅ ଗାଁରେ ରହିବ ଆଉ ଗାଁ ପିଲାମାନଙ୍କୁ ପାଠପଢାଇ ଭଲ ମଣିଷ କରିବ। ତାଙ୍କର ତ ସେମିତି କିଛି ଅଭାବ ନଥିଲା। ଚାଷ ଜମି ଦଶ ବାର ଏକର, ମାଛ ପୋଖରୀ, ଆମ୍ବ ତୋଟା, ଗୋଟିଏ ପୁଅ ପାଇଁ ଆଉ କେତେ ସମ୍ପତ୍ତି ଦରକାର?

ଏହା ବାଦ୍ ଇଷ୍ଟ ଦେବତା ଶ୍ରୀବାସୁଦେବ ଗୋସେଇଁଙ୍କ ସେବା ପୂଜା। ସୃଷ୍ଟି ପ୍ରଳୟ ହୋଇ ଗଲେ ମଧ୍ୟ ନନା ବୋଉ ଗାଁ ଛାଡି ବାହାରକୁ ଆସିବେ ନାହିଁ। କାଳେ ଭୁବନେଶ୍ବରରେ ଚାକିରି କଲେ ନନା ବୋଉ ନାରାଜ ହେବେ ଆଉ ତାଙ୍କ ଅନୁପସ୍ଥିତିରେ ସେମାନଙ୍କ ସେବା ଯତ୍ନ କରିବା ପାଇଁ ଘରେ କେହି ବି ନଥିଲେ ସେଥିପାଇଁ ଆଗପଛ କିଛି ବି ବିଚାର ନକରି ଗାଁକୁ ଫେରିଆସିଲେ ସଦାନନ୍ଦ ବାବୁ ସଚିବାଳୟ ଚାକିରି ଛାଡ଼ି। ନନା ବୋଉଙ୍କ ଖୁସି କହିଲେ ନ ସରେ! ଏହାପରେ ସ୍କୁଲରେ ଶିକ୍ଷକତା, ବିବାହ, ଘର ସଂସାର।

ଏହା ମଧ୍ୟରେ ଚାଳିଶଟି ମହାର୍ଘ ବର୍ଷ ବିତି ଯାଇଛି। ସମସ୍ତଙ୍କୁ ଖୁସି କରିବା ପାଇଁ ନିଜକୁ ଭୁଲିଯାଇଛନ୍ତି ସଦାନନ୍ଦ ବାବୁ। କିନ୍ତୁ ସାର୍ଥକ ଜୀବନ ଟିଏ ଜୀଇଁଛନ୍ତି ସେ। ସମସ୍ତଙ୍କୁ କେବଳ ଖୁସି ହିଁ ଖୁସି ବାଣ୍ଟିଛନ୍ତି ଜୀବନ ସାରା। ଦେବତା ସମାନ ନନା ବୋଉ, ସ୍ତ୍ରୀ, ପିଲା, ବନ୍ଧୁ ବାନ୍ଧବ, ଜ୍ଞାତି କୁଟୁମ୍ବ, ହଜାର ହଜାର ଛାତ୍ରଛାତ୍ରୀ ସମସ୍ତେ ଖୁସି ତାଙ୍କ କାର୍ଯ୍ୟ ଧାରାରେ। ଜୀବନରେ ସବୁ ସୁଖ ସବୁ ଖୁସି ପାଇଛନ୍ତି ସେ। ଜୀବନ ବ୍ୟାପି ତ୍ଯାଗ ହିଁ ଏଇ ଖୁସିର ଉତ୍ସ!

କିନ୍ତୁ ଏ କଣ? ଆଜି ଜୀବନର ସାୟାହ୍ନରେ ସେ ଏତେ ଏକାନ୍ତ କଣ ପାଇଁ? ସବୁ କିଛି ତାଙ୍କ ପାଖରେ ଥାଇ ବି ଏ ଅଭାବବୋଧ କଣ ପାଇଁ? ଯେଉଁ ଅଭାବବୋଧକୁ ତାଙ୍କ ନନା ବୋଉ ଦିନେ ଉପଲବ୍ଧି କରି ତାଙ୍କୁ ଡାକିଆଣିଥିଲେ ଗାଁକୁ ଏଇ ଆଉ ସେୟା ନୁହେଁ ତ?

ଦୁଇ ପୁଅ ଉଚ୍ଚ ଶିକ୍ଷିତ ଏବଂ ଉଚ୍ଚ ପଦ ପଦବୀରେ ଅଧିଷ୍ଠିତ। ସେମାନଙ୍କ ପାଖରେ ଆଦୌ ସମ୍ଭବପର ନୁହେଁ ଗାଁରେ ଆସି ତାଙ୍କ ସହ ରହିବା। ବୋହୂମାନେ ସହରୀ ସଭ୍ୟତାରେ ବଢିଛନ୍ତି। ମଫସଲରେ ରହି ଚଳିବା ସେମାନଙ୍କ ପାଇଁ କଷ୍ଟକର ବ୍ୟାପାର। ଅବଶ୍ୟ ଛୁଟିରେ ଆସନ୍ତି ସେମାନେ, କିନ୍ତୁ ସଦାନନ୍ଦ ବାବୁଙ୍କ ପାଖକୁ ନୁହେଁ ବରଂ ସେମାନଙ୍କ ବାପଘରକୁ। ପୁଅମାନେ ଦିନେ ଓଳିଏ ଆସି ବୁଲି ପଡି ଯାଆନ୍ତି, କିନ୍ତୁ କେହି ଦିନଟେ ରହିବାକୁ ପ୍ରସ୍ତୁତ ନୁହଁନ୍ତି ଗାଁରେ। ଝିଅ ଜ୍ବାଇଁ ବିଦେଶରେ ସ୍ଥାୟୀ ନାଗରିକତ୍ଵ ଗ୍ରହଣ କରିସାରିବା ପରେ ଭୁଲିଯାଇଛନ୍ତି ନିଜର ଜନ୍ମଭୂମିକୁ କର୍ମଭୂମିର ମୋହରେ।

ଏତେ ବଡ ଖଞ୍ଜା ଘରେ ବୁଢ଼ା ବୁଢୀ ଦୁଇ ଜଣ। ଖାଁ ଖାଁ ଲାଗେ ସବୁବେଳେ। ନିଜ ସାଙ୍ଗ ସାଥୀମାନଙ୍କ ହସିଲା ପୁରିଲା ପରିବାରକୁ ଦେଖିଲେ ସଦାନନ୍ଦ ବାବୁଙ୍କ ଏହି ଅଭାବବୋଧ ତାଙ୍କ ମନରେ ଘୂର୍ଣ୍ଣିଝଡ଼ର ରୂପ ନିଏ ବେଳେ ବେଳେ। ପତ୍ନୀ ସୁନିତୀ ଦେବୀଙ୍କ ପ୍ରବୋଧନା ଓ ଇଷ୍ଟଦେବ ଶ୍ରୀବାସୁଦେବ ଗୋସେଇଁଙ୍କ ପାଇଁ ମନର ପୀଡ଼ା କିଛିଟା ଲାଘବ ହୁଏ ସତ କିନ୍ତୁ ଅଭାବବୋଧ ଦୂର ହୁଏ ନାହିଁ।

ଦିନେ ସଞ୍ଜରେ ସଦାନନ୍ଦ ବାବୁ ଗାଁ ଛକ ଆଡେ ବୁଲିବାକୁ ଆସିଥିବା ବେଳେ ହଠାତ୍ ଅନୁଭବ କଲେ କେହି ଜଣେ ତାଙ୍କ ପାଦ ଛୁଇଁ ପ୍ରଣାମ କରୁଛି। ଚଷମା ସଳଖି ମୁଣ୍ଡ ଟେକି ଦେଖିଲେ, ମଧ୍ଯ ବୟସ୍କ ଶାବନା ଯୁବକଟିଏ। ଚିହ୍ନ ପାରିଲେ ନାହିଁ ତାକୁ। ପଚାରିଲେ, "କିଏ ତୁମେ ବାବୁ? ଜାଣିପାରିଲିନି। ବୟସ ହୋଇଗଲାଣି ତ!"

ଯୁବକଟି ବିନମ୍ରତାର ସହିତ କହିଲା, "ସାର୍! ତୁମେ କଣ କହୁଛନ୍ତି ମୋତେ? ମୁଁ ଆପଣଙ୍କର ଛାତ୍ର ଅରକ୍ଷିତ..."

: ନାଇଁ ବାବା ଜାଣିପାରୁନି। କୋଉ ବ୍ଯାଚ୍ ମ୍ଯାଟ୍ରିକ୍ କହିଲ?

: ସାର୍, ପଞ୍ଚାନବେ ମସିହା। ମୁଁ ସବା ଶେଷ ଧାଡିରେ ବସୁଥିଲି। ପାଠ ପଢାରେ ସବୁବେଳେ ପଛୁଆ କିନ୍ତୁ ବଦମାସିରେ ଆଗୁଆ ଥିଲି। ଆପଣ ମୋତେ କେତେ ଥର ଆଦରରେ ବୁଝାଇଛନ୍ତି କିନ୍ତୁ ମୁଁ ଅବାଟକୁ ଚାଲିଯାଇଥିଲି।

: ଆରେ ହଁ, ମନେପଡିଲା। ତୁମେ ଅରକ୍ଷିତ ସାହୁ ନା? ଯିଏ ଆମ ସ୍କୁଲ ନାଁ କୁ ମାଟିରେ ମିଶେଇ ଦେଇଥିଲା ଏମ୍. ପି. ହୋଇ ବୋର୍ଡ ପରୀକ୍ଷାରେ?

: ଆଜ୍ଞା ସାର୍! ପିଲାଟି ଦିନରୁ କୁସଙ୍ଗରେ ପଡ଼ି ମୁଁ ଚାରି ନିଶା ପାର କରିଯାଇଥିଲି ହାଇସ୍କୁଲରେ ପଢ଼ିବା ବେଳକୁ। ତାର ଦଣ୍ଡ ତ ଆଜି ଯାଏଁ ଭୋଗୁଛି ମୁଁ ଆଉ ଭୋଗୁଥିବି ମଧ୍ୟ ମଲା ଯାଏଁ। ମେଟ୍ରିକ ପରୀକ୍ଷାରେ ଏମ୍. ପି. ହେବା ପରେ ମୋ ଜୀବନର ଗତିପଥ ସଂପୂର୍ଣ୍ଣ ଭାବେ ବଦଳି ଯାଇଛି।

: କଣ କରୁଛ ଏବେ? କୋଉଠି ରହୁଛ ଏବେ?

: ସାର୍, ମେଟ୍ରିକ ପରେ ବାହାରକୁ ପଳେଇଲି କାମ କରିବା ପାଇଁ। ହାଡଭଙ୍ଗା ପରିଶ୍ରମ କରି ପଇସା ରୋଜଗାର କଲି ବମ୍ବେରେ। ସେଇଠିକା ଝିଅଟିକୁ ବାହା ବି ହେଲି ବାପା ମାଆଙ୍କୁ ନଜଣେଇ। ଦୁଇଟି ଝିଅ ମୋର। ଢେର ଦିନ ରହିଲି ସେଠି। ହେଲେ ଏବେ ମାଆବାପାଙ୍କ ବୟସ ହେଲାଣି, ମୁଁ ତ ଗୋଟିଏ ବୋଲି ପୁଅ ସେମାନଙ୍କର। ଆଉ ଏ ବୟସରେ ଏକା ଛାଡ଼ି ରହିବା କଥା ନାହିଁ। ଏଣୁ ମୁଁ ଫେରିଆସିଲି ଗାଁକୁ। ଛକରେ ଦୋକାନ ଗୋଟିଏ କରିଛି ଚଳିବା ପାଇଁ। ଏବେ ଆମେ ସମସ୍ତେ ଗୋଟିଏ ଛାତ ତଳେ ଏକାଠି ଖୁସିରେ ରହୁଛୁ। ଆପଣ ତ ଏକେଲା ରହୁଛନ୍ତି କିଛି ସୁବିଧା ଅସୁବିଧା ହେଲେ କହିବେ, ମୁଁ ଅଛି ସବୁବେଳେ ଆପଣଙ୍କ ପାଖରେ।

ଅରକ୍ଷିତର ଏଇ କଥା ପଦକରେ ସଦାନନ୍ଦ ବାବୁଙ୍କୁ ବହୁତ ଖୁସି ଲାଗିଲା। ଦାରୁଣ ଅଭାବବୋଧ କିଛି ମାତ୍ରାରେ ଦୂରେଇ ଗଲା ପରି ଲାଗୁଥିଲା। ସଦାନନ୍ଦ ବାବୁ ମନେ ମନେ ଭାବୁଥିଲେ ଅରକ୍ଷିତର କଥା। ଯାହାକୁ କହନ୍ତି ବାଳୁଙ୍ଗା ପିଲାଟିଏ ସେ। ସବୁ ଦିନ କିଛ ନା କିଛି ଅଭିଯୋଗ ଆସେ ତା ନାଁରେ। କେବେ ତାର ସହପାଠୀମାନେ କରନ୍ତି ତ କେବେ ଶିକ୍ଷକମାନେ। ଅନେକ ଥର ବୁଝାଇଛନ୍ତି ତାକୁ, ଦଣ୍ଡିତ ବି କରିଛନ୍ତି। କିନ୍ତୁ ସେ ସୁଧୁରିଲା ନାହିଁ। ମ୍ଯାଟ୍ରିକ୍ ପରୀକ୍ଷାରେ ବସିବା ପାଇଁ ତାର ଯୋଗ୍ୟତା ନଥିଲା କିନ୍ତୁ ତା ବାପାମାଆଙ୍କ ଆକୁଳ ନିବେଦନରେ ତରଳି ଯାଇଥିଲେ ସଦାନନ୍ଦ ବାବୁ। ତାର ପ୍ରତିଦାନରେ ମିଳିଥିଲା ତାଙ୍କୁ ବଦନାମୀ ଦୀର୍ଘ ବର୍ଷର ଶିକ୍ଷକ ଜୀବନରେ। ଅରକ୍ଷିତ ପରୀକ୍ଷାରେ ଜାଣିଶୁଣି କପି କରିବାର ବାହାନା କରି ବଦନାମ କରିଥିଲା ତାଙ୍କୁ ଓ ପୁରୁଷୋତ୍ତମପୁର ହାଇସ୍କୁଲକୁ। ଏହା ହିଁ ଥିଲା ପ୍ରଥମ ଓ ଶେଷ ଭୁଲ୍ ସଦାନନ୍ଦ ବାବୁଙ୍କର ଶିକ୍ଷକତା ଜୀବନରେ।ପୁନରାବୃତ୍ତି ଘଟିନାହିଁ ଏ ଭୁଲର ଆଉ କେବେ ବି।

ଏ ଘଟଣାର ଏତେ ବର୍ଷ ପରେ ଶେଷ ଧାଡ଼ିରେ ବସୁଥିବା ପିଲାଟା ମଣିଷପଣିଆର ଶିକ୍ଷାରେ ଢେର୍ ଆଗରେ ଅଛି ତା ସମସାମୟିକ ସହପାଠୀମାନଙ୍କଠାରୁ। ନିଜ ହାତରେ ହଜାର ହଜାର ପିଲାଙ୍କ ଜୀବନ ଗଢିଥିବା ସଦାନନ୍ଦ ବାବୁ ଚିନ୍ତା କରୁଥିଲେ ଅରକ୍ଷିତ ତାଙ୍କ ନିଜ ପିଲାମାନଙ୍କ ଠାରୁ ଅନେକ ଗୁଣରେ ଅଗ୍ରଣୀ ନିଶ୍ଚିତ ଭାବେ...

©ସମ୍ବିତ୍ ଶ୍ରୀକୁମାର



Rate this content
Log in

More oriya story from Sambit Srikumar

Similar oriya story from Classics