Madhu mita

Classics Inspirational

4  

Madhu mita

Classics Inspirational

ସେଇ ନିରୀହ ଚାହାଣୀ

ସେଇ ନିରୀହ ଚାହାଣୀ

5 mins
320



          ପାଖାପାଖି ପ୍ରାୟ ବାର/ଚଉଦ ବର୍ଷ ତଳେ ମୁଁ ଆପାର୍ଟମେଣ୍ଟ କୁ ନୂଆ କରି ଆସିଥାଏ ।ନୂଆ ଘର ଆଉ ନୂଆ ପରିବେଶକୁ ଚାରିଆଡ଼େ ଥରେ ଆଖି ବୁଲେଇ ଦେଖି ଦେଲି।ମନେ ମନେ ବହୁତ ଖୁସି ଲାଗୁଥାଏ ।ସବୁଜ ଗଛଲତା ମଝିରେ ବୋହି ଯାଉଥିବା ନାଳଟି କୃତିମ ପୁଷ୍କରିଣୀର ଭ୍ରମ ସୃଷ୍ଟି କରୁଥାଏ ।ନୂଆ ନୂଆ ସବୁ ଜିନିଷ କେତେ ଭଲ ଲାଗେ ସତରେ । ନୂଆ ନୂଆ ହାଲକା ହାଲକା ଯନ୍ତ୍ରଣା ମଧ୍ୟ ବେଳେ ବେଳେ କେଜାଣି କାହିଁକି ପୁଲକିତ କରିଥାଏ ।ନୂଆ ଚଢା ହୋଇଥିବା ରଙ୍ଗର ବାସ୍ନା ଆଉ ନୂଆ ତିଆରି ହୋଇଥିବା ଘରର ଆକର୍ଷଣ ଠାରୁ ମଧ୍ୟ ମୋତେ ବେଶୀ ଭଲ ଲାଗୁଥିଲା ବାଲକୋନୀକୁ ଆସି ପ୍ରକୃତିକୁ ଉପଭୋଗ କରିବାକୁ ।କିଛି କ୍ଷଣ ନିଜଠାରୁ ନିଜକୁ ଟିକେ ଚୋରାଇ ଦେବାକୁ ।

          ଏମିତି ଦିନେ ଅନ୍ୟମନସ୍କ ହେଇ କଳା ବାଦଲ ଭିତରେ ଲୁଚକାଳି ଖେଳୁଥିବା ସୂର୍ଯ୍ୟକୁ ଚାହିଁ ଦୂର ଦିଗବଳୟରେ ସବୁଜ ପ୍ରାନ୍ତରରେ ହଜି ଯିବାକୁ ଚେଷ୍ଟା କଲା ବେଳେ ହଠାତ୍ ଦୃଷ୍ଟି ପଡିଗଲା ପାଚେରୀ ପାଖରେ ମୋତେ ଏକ ଲୟରେ ଚାହିଁ ରହିଥିବା ଦୁଇଟି ଆଖି ଉପରେ ।ଆଃ କି କରୁଣ ଚାହାଣୀ !ଛାତିରେ କଣ ଗୋଟେ ହଠାତ୍ ଫୋଡି ହେଇଗଲା ପରି ମନେହେଲା ।ଯନ୍ତ୍ରବତ୍ ଘରକୁ ଆସି ଦୁଇ ଖଣ୍ଡ ରୋଟି ନେଇ ପାଚେରୀ ଆଡ଼କୁ ପକେଇଦେଲି ।ଅତି ସନ୍ତୋଷ ସହିତ ସେ ଆଖି ଦୁଇଟି ତଳେ ପଡ଼ିଥିବା ରୋଟିକୁ ଦେଖି ଆନନ୍ଦରେ ଝଲସି ଉଠିଲା ।ଆଉ ତା ସହିତ ମୋ ଆଖି ଦୁଇଟି ମଧ୍ୟ ଏକ ଅନୁପମ ଶାନ୍ତିରେ ଭରିଗଲା ।

                 ତା ପରେ ମୁଁ ଯେମିତି ସେହି ଚାହାଣୀର ରୀତିମତ ଏକ ଅଭ୍ୟାସରେ ହିଁ ପଡ଼ିଗଲି ।କାମ ସାରି ଏକ ନିର୍ଦ୍ଧିଷ୍ଟ ସମୟରେ ନିଶ୍ଚିତ ରୂପେ ବାଲକୋନୀକୁ ଖାଇବା ପଦାର୍ଥ କିଛି ନେଇଯାଏ ।ସେ ଆଖି ଦୁଇଟି ସେମିତି ଉପରକୁ ଚାହିଁ ରହିଥାଏ ।ମୁଁ ଖାଦ୍ୟ ଦେଇ ସାରିଲା ପରେ ସେ ଆଖି କୃତଜ୍ଞତାରେ ଭରିଯାଏ ଓ ମୋ ଆଖି ଭରିଯାଏ ଆତ୍ମସନ୍ତୋଷରେ ।ଆଉ ପ୍ରାୟ ଏକ ବର୍ଷ ପରେ ପାଚେରୀ ପାଖରେ ସେ ଆଖି ମୋତେ ଅପେକ୍ଷା କରି ରହିଥିବା ଦେଖା ଗଲାନି ।ସେଥିପାଇଁ ସତରେ କେମିତି ଖାଲି ଖାଲି ଲାଗିଲା ।ମନେ ମନେ ସେ ଆଖି ଦୁଇଟିକୁ ବହୁତ୍ ଖୋଜିଲି ।ବହୁତ୍ ଛଟପଟ ହେଲି ।ଆଉ ପ୍ରାୟ ଏକ ସପ୍ତାହ ପରେସେଇ କରୁଣ ଆଖି ଦୁଇଟି ସହ ଆଉ ଛୋଟ ଛୋଟ ଛ ଟି ଆଖି ସାଙ୍ଗ ହୋଇ ଉପରକୁ ଚାହିଁଲେ ।ଓଃ ମାଇ ଗଡ୍! ବାଲକୋନୀରୁ ଏ ଦୃଶ୍ୟ ଦେଖି ସେ ସମୟର ଖୁସିକୁ କାହାକୁ କହି ପାରିଲିନି.. କିନ୍ତୁ ମୋ ମନ ସତେ ଯେମିତି ନାଚିବାକୁ ଲାଗିଲା ।ଲାଗିଲା ଯେପରି ମୋ ଜୀବନକୁ କେତେ ନୂତନ ଆଗନ୍ତୁକ ଆସି ଯାଇଛନ୍ତି ।ଏହି ଖୁସିକୁ ସେହି ନିରୀହ ବନ୍ଧୁମାନଙ୍କ ସହ ସେଦିନ ବାଣ୍ଟିବାକୁ ଚାହିଁଲି।

ରୋଷେଇ ଘରକୁ ଆସି କିଛି ପିଆଜ ଛୋଟ ଛୋଟ କରି କାଟି ଗୋଟିଏ ପାତ୍ରରେ ରଖିଦେଲି।କଞ୍ଚାଲଙ୍କା ଆଉ ରସୁଣ କୋଲା କେଇ ଖଣ୍ଡ ଛୋଟ ଛୋଟ କରି କାଟି ସେଥିରେ ପକେଇ ଦେଲି।କିଛି ଗାଜର ଆଉ ଆଳୁ ମଧ୍ୟ ଛୋଟ ଛୋଟ ଖଣ୍ଡ କାଟି ପକେଇଲି।ତା ପରେ ସେହି ପାତ୍ରରେ ବେସନ ଆଉ ହଳଦୀ ଗୁଣ୍ଡ,ଲଙ୍କା ଗୁଣ୍ଡ ଆଉ ଲୁଣ ଦେଇ ଟିକେ ଅଦା ରସୁଣ ପେଷ୍ଟ ପକେଇଲି।ଭୃଷଙ୍ଗ ପତ୍ର ଆଉ ଗରମ୍ ମସଲା ସହ କିଛି ବାଦାମ ମଞ୍ଜି ପକେଇ ଦେଲି।ତା ପରେ ଅଳ୍ପ ବେକିଙ୍ଗ ପାଉଡର ପକେଇ ପାଣି ଦେଇ ଭଲ ରୂପେ ଗୋଳେଇଲି।ଯେପରି ତାହା ପାଣିଆ ହେବନି କି ଶୁଖିଲା ରହିବନି।ଅଳ୍ପ ଜୁଆଣି ନେଇ ସେଥିରେ ଛିଞ୍ଚି ଦେଲି।ପ୍ରାୟ ଛଣା ଛଣି ସମୟରେ ମୁଁ ଜୁଆଣି ପକାଇ ଥାଏ।ତା ହେଲେ ପେଟରେ ଗ୍ୟାସ୍ ହେବା ସମ୍ଭାବନା ନ ଥାଏ।ସ୍ବାସ୍ଥ୍ୟ ଆଉ ସ୍ଵାଦ ଏକା ସହିତ ରଖିବା ହିଁ ଏକ ଗୃହିଣୀ ର କର୍ତ୍ତବ୍ୟ ନା..??ତା ପରେ ଗୋଟିଏ କଡାଇରେ ତେଲ ନେଇ ତାହା ଗରମ୍ ହୋଇଯିବା ପରେ ଗରମା ଗରମ୍ କ୍ରିସ୍ପି ପକୋଡି କିଛି ଛାଣି ଦେଲି।

ଘରେ ସମସ୍ତେ ଖାଇବା ପାଇଁ କିଛି ରଖି ଆଉ ବାକି ପକୋଡ଼ି ସବୁକୁ ନେଇ ବାଲକୋନୀକୁ ଦୋୖଡି ଗଲି ଆଉ ଗୋଟି ଗୋଟି କରି ପାଚେରୀ ଆର ପଟକୁ ଲକ୍ଷ୍ୟ କରି ପକେଇଲି।ତୃପ୍ତିରେ ମନ ପୂରି ଉଠିଲା।ସେହି ସନ୍ତୁଷ୍ଟ ଆଖି ସବୁ ଦେଖି ଲାଗିଲା ଯେପରି ମୋ ନିଜ ପେଟ ମଧ୍ୟ ପୁରି ଯାଇଛି।ଅଜାଣତରେ ମୋ ଆଖି କୋଣରେ ସେତେବେଳେ କେଜାଣି କାହିଁକି ଖୁସିର ଲୁହ ଟିକକ ଛଲକି ଉଠିଲା।ନିଷ୍ପତ୍ତି ନେଲି ସେ ସମସ୍ତଙ୍କୁ ଯଥା ସମ୍ଭବ ଖାଦ୍ୟ ଦେଇ ପେଟ ପୁରେଇବା କାମ ଏଥର ମୋର।ଆଉ ତା ପରେ ଲାଗୁଥିଲା ଯେମିତି ମୋ ଦାୟିତ୍ଵ ଆହୁରି ଅନେକ ବଢି ଯାଇଛି ।ତା ପରଠୁ ନିୟମିତ ଖାଦ୍ୟ ପ୍ୟାକେଟ କରି ପାଚେରୀ ସେ ପାଖକୁ ସଯତ୍ନେ ପକାଇ ଦିଏ ।ପ୍ରାୟ ମୋ ରୋଷେଇ ସାରିବା ବେଳେ କିଛି ଅଧିକା ରୋଷେଇ ନିଶ୍ଚୟ କରି ନେଇଥାଏ ଆଉ ପାଚେରୀ ଆରପଟ ଯାଏଁ ସେହି ଖାଦ୍ୟ ପହଞ୍ଚିବା ପର୍ଯ୍ୟନ୍ତ ସେଠାରେ ଅପେକ୍ଷା କରିବା ପରେ ଯାଇ ତା ପରେ ଘର ଭିତରକୁ ଆସେ।

             ସବୁଦିନ କଣ ସତରେ ସମାନ ଯାଏ କି ? ଦିନ ପରେ ତ ରାତି ନିଶ୍ଚୟ ଆସିଥାଏ ।ଆଉ ସୁଖ ପରେ ଦୁଃଖ ମଧ୍ୟ..ଏହା ତ ପ୍ରକୃତିର ଧରାବନ୍ଧା ନିୟମ ।ମୋ ଜୀବନ ମଧ୍ୟ ସେମିତି ନିୟମରେ ହିଁ ଚାଲିଥାଏ।କିଛି ମାସ ପରେ ସେ ଛୋଟ ଛୋଟ ଛ ଟି ଆଖି ଆଉ ମୋତେ କେଜାଣି କାହିଁକି ଦେଖା ଗଲାନି ।ବୋଧେ ବାତ୍ସଲ୍ୟର ଦିନ ଶେଷ ହେଇ ଯାଇଥିଲା ।ଆଉ ସେହି ଛୋଟ ଆଖିମାନେ ନିଜ ନିଜ ଚାହାଣୀ ବଦଳେଇ ଦେଇଥିଲେ।ଗନ୍ତବ୍ୟ ଏମିତି ହିଁ ତ ବଦଳି ଯାଏ।କିନ୍ତୁ ପ୍ରଥମରୁ ଦେଖୁଥିବା ସେ ନିରୀହ ଆଖି ଦୁଇଟି ଉପରକୁ ଚାହିଁବା କେବେ ମଧ୍ୟ ବନ୍ଦକରି ନ ଥିଲେ ।ଆଉ ମୁଁ ମଧ୍ୟ ମୋ ଦୟାରେ କଦାପି କାର୍ପଣ୍ୟ କରି ନ ଥିଲି ।

              ଦିନେ କିନ୍ତୁ ମୋ ମନ ଭଲ ନ ଥାଏ ।ମନୁଷ୍ୟ ମାତ୍ରକେ ଜଞ୍ଜାଳ ତ ନିଶ୍ଚୟ ଅଛି ।ଆଉ ତା ସହ ମାନ ଅଭିମାନ କ୍ରୋଧ କ୍ଷୋଭ ମଧ୍ୟ ।ଘରୋଇ ଝିଂଝଟ୍ କିମ୍ବା ବୋଧେ କିଛି ଅକୁହା ବେଦନା ମୋ ମନକୁ ଯାବୋଡି ରଖି ଦେଇଥିଲା ଯାହା ଠାରୁ ମୁକୁଳିବା ମୋ ପାଇଁ ସମ୍ପୂର୍ଣ୍ଣ ଅସମ୍ଭବ ଥିଲା। ସେଦିନ ଅନ୍ୟମନସ୍କ ହୋଇ ରୋଷେଇ କରିଥିଲି।ନିୟମରେ ଆବଶ୍ୟକୀୟ କିଛି ଖାଦ୍ୟ ଛଡା ବୋଧେ ଆଉ କିଛି ଅଧିକ ତିଆରି ହୋଇ ପାରି ନ ଥିଲା।ତେଣୁ ମୋତେ ବୋଧେ ଏକଥା ମନ ନ ଥିଲା ଯେ ମୋ ଦ୍ଵାରା ବଳି ପଡ଼ିଥିବା ଖାଦ୍ୟ ପାଇବା ଅପେକ୍ଷାରେ କେହି ଜଣେ ଅଛି ?ଏମିତି ମନ ଖରାପ କରି ଘର କାମ ସରିବା ପରେ ବାଲକୋନିକୁ ଆସି ପାଚେରୀ ଆଡେ ଚାହିଁଲି ।କିନ୍ତୁ ଖାଦ୍ୟ କିଛି ସାଙ୍ଗରେ ଆଣି ନ ଥିବାରୁ କିଛି ଖାଇବାକୁ ଦେଇ ପାରିଲି ନାହିଁ ।ମନ ଭଲ ଥିଲେ କେଜାଣି କିଛି ନ ହେଲେ କିଛି ଶୁଖିଲା ଖାଦ୍ୟ କି ବିସ୍କୁଟ ହେଲେ ପକେଇ ଦେଇଥାନ୍ତି।କିନ୍ତୁ ମନ ଏମିତିରେ ଭଲ ନ ଥିଲା।ତେଣୁ ଖାଲି ଠିଆ ହୋଇ କିଛି ସମୟ ରହିଲି ଆଉ ଭିତରକୁ ଆସି ଚୁପଚାପ୍ ଶୋଇ ପଡ଼ିଲି।ସେ ଆଖି ଦୁଇଟି କିନ୍ତୁ ଅନେକ ସମୟ ଯାଏଁ ସେପରି ମୋତେ ଅପେକ୍ଷା କରି ଉପରକୁ ହିଁ ଚାହିଁ ରହିଥିଲା ।ମୁଁ ପଥର ପରି ଦେଖୁଥିଲି।କିନ୍ତୁ..ମୋ ସମସ୍ୟା କଥା ଚିନ୍ତା କରି ସେ ଚାହାଣୀକୁ ସେଦିନ ଜମାରୁ ଗୁରୁତ୍ବ ବୋଧେ ଦେଇ ନ ଥିଲି ।ସମୟ ତା ବାଟରେ ଚାଲିଥାଏ।ଆଉ ତାହା ଅତିବାହିତ ହେବା ସହିତ ତା ପରଦିନ ମୋ ସମସ୍ୟା ମଧ୍ୟ ଆପଣାଛାଏଁ ସମାପ୍ତ ହେଇଗଲା ।ଆଉ ସେ ପୂର୍ବ ନିର୍ଦ୍ଧିଷ୍ଟ ସମୟରେ ମୁଁ ଚିରାଚରିତ ଢଙ୍ଗରେ ପାଚେରୀ ଆଡ଼କୁ ସ୍ନେହର ସହିତ ଦୃଷ୍ଟି ନିକ୍ଷେପ କଲି ।ହାତରେ ସବୁଦିନ ପରି ଏକ ଖାଦ୍ୟ ପ୍ୟାକେଟ ମଧ୍ୟ ଥିଲା।କିନ୍ତୁ କାହିଁ ସେ ଚାହାଣୀ ?ସେ ପ୍ରଶ୍ନିଳ ନିରୀହ ଆଖିକୁ ତ କେଉଁଠି ହେଲେ ଦେଖି ପାରୁନି ?ଚାରିଆଡ଼େ ଖୋଜିଲି। ମନ ଖୁବ୍ ବିଚଳିତ ହେଲା।କିନ୍ତୁ ମନକୁ ବୁଝେଇଲି ହେଇଥିବ !ଗତଥର ପରି ଏଥର ମଧ୍ୟ ଆସନ୍ନ ସନ୍ତାନପ୍ରସବା ହୋଇ ସେ ଅନୁପସ୍ଥିତ ଥିବ ନିଶ୍ଚୟ।ମନକୁ କୌଣସି ମତେ ବୁଝାଇ ଦେଲି ।ସପ୍ତାହ ଖଣ୍ଡେ ପରେ ଆପେ ଆସିଯିବ ।ଆଉ ସାଙ୍ଗରେ ହୁଏତ କିଛି ନୂତନ ଆଗନ୍ତୁକ ମଧ୍ୟ ଆସିଥବେ !

କିନ୍ତୁ ନା ସପ୍ତାହ ମାସ ଆଉ ବର୍ଷ ପରେ ବର୍ଷ ମଧ୍ୟ ବିତିଗଲା । ଆଜକୁ ପ୍ରାୟ ୧୦ ବର୍ଷ ହେବ ମୁଁ ଅପେକ୍ଷା କରିଛି..ସେ କିନ୍ତୁ ଆଉ ଜମାରୁ ଆସିଲାନି ।

              ସେ ଶୂନ୍ୟ ନିରୀହ ଚାହାଣୀ ଆଜି ବି ବ୍ୟଥିତ କରେ ମୋତେ । ବେଳେ ବେଳେ ନିଜ ସମସ୍ୟାକୁ ଆମେ ଏତେ ଗୁରୁତ୍ବ ଦେଉ ଯେ ଅନ୍ୟର ଭାବନା ସେ ଭିତରେ କେତେବେଳେ କେଜାଣି କେମିତି ହଜିଯାଏ !ଜାଣି ପାରୁନାହୁଁ !କିନ୍ତୁ ମନ ତ ସମସ୍ତଙ୍କର ଅଛି ।ହୃଦୟ ତ ସମସ୍ତଙ୍କର ଥାଏ । ଇତର ପ୍ରାଣୀ ଶ୍ୱାନ ବୋଲି କଣ ସେ ସେଦିନ ମୋ ବ୍ୟବହାର ପାଇଁ ଅଭିମାନ କରି ନ ଥିବ?ମୋ ଭିତରେ ତା ପ୍ରତି ଥିବା ସେ ବୀତସ୍ପୃହତା କଣ ତାକୁ ବ୍ୟତିବ୍ୟସ୍ତ କରି ପକେଇ ନ ଥିବ ?ସେ ମନୁଷ୍ୟ ଜନ୍ମ ପାଇନି ବୋଲି କଣ ଛୋଟିଆ ମନଟେ ପାଇ ନ ଥିବ?ଆଉ ସେଦିନ ସେଇ ଚାହାଣୀର କରୁଣତା ମୋ ଦାନୀ ପଣିଆକୁ ଧିକ୍ କରୁଛି ଆଜି ମଧ୍ୟ ସେ ଚାହାଁଣୀରେ ଥିବା ଆତୁରତା କହୁଛି"ଯେ ତୁମକୁ ଚାହେଁ ତୁମେ ତାକୁ ହେୟ କରନା "ସଭିଙ୍କ ଘଟେ ଯଦି ନାରାୟଣ ତେବେ ସେଦିନ ସେ ନିରୀହ ଶ୍ୱାନରୁପି ନାରାୟଣଙ୍କୁ ମୁଁ କାହିଁକି ଯେ ଅଣଦେଖା କଲି ?ଆଉ ତା ପ୍ରାୟଶ୍ଚିତ କଣ ବା ଥାଇପାରେ ? ସେହି କଥା ଆଜି ବି ପଚାରୁଛି ସେ ନିଷ୍ପ୍ରାଣ ପାଚେରୀକୁଯାହା ଜୀବନ୍ୟାସ ପାଇଥିଲା ସେ ଦୁଇ ଆଖିର ନିରୀହ ନିଷ୍ପାପ ଚାହାଣୀରେ ।



Rate this content
Log in

Similar oriya story from Classics