ସେଇ ଗାଁ ଝିଅ ହସ
ସେଇ ଗାଁ ଝିଅ ହସ
ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ବୟସର ଅପରାହ୍ନରେ ପଦାର୍ପଣ ସହିତ ନିଜ ଜନ୍ମ ମାଟି ଗାଁକୁ ଫେରିଛି ମାଧବ। ଗାଁର ପରିବେଶ ଓ ଚିତ୍ର ପ୍ରାୟ ବଦଳି ଯାଇଛି।ବଦଳି ଯାଇଛି ସେହି ପିଲା ଦିନ ସ୍ମୃତି ବହନ କରୁଥିବା ପ୍ରତିଟି କ୍ଷେତ୍ର।ତଥାପି ମାଧବ ମୁହଁରେ ହସ ଫୁଟିଛି।ସେ ଆଜି ନିଜର ପରିଚିତ ପ୍ରିୟ ଗାଁ ଓ ଗାଁର ଗଳି-କନ୍ଦି ଭିତରେ ଘୁରି ବୁଲୁଛି।
କାହାକୁ ଆଉ ପଚାରି ପାରୁନି ସେଇ ଘର ବିଷୟରେ।ଯାହା ଆଜି ଡିହ ରୂପେ ଦେଖା ଯାଉଛି। ହଁ,ବାହାରେ ଥାଇ ଶୁଣି ଥିଲା,ବାତ୍ୟାରେ ଗାଁର ଅଧିକାଂଶ ଘର ଭାଙ୍ଗି ଯାଇଛି ଆଉ ସେହି ଭଙ୍ଗା ଘରେ ଥିବା ଲୋକଙ୍କୁ ପ୍ରଶାସନ ତରଫରୁ ଥଇଥାନ କରି ନୂଆ ଜାଗାରେ ଘର ତିଆରି କରି ଦିଆ ଯାଇଛି।
ଗାଁରେ ଆଉ କେହି ବି ଚିହ୍ନି ପାରୁ ନାହାନ୍ତି।ପରିଚୟ ଦେଲା ପରେ ମଧ୍ୟ ଆନ୍ତରିକତା ଅଭାବ ରହୁଛି। ଏମିତି ଗାଁ ଦାଣ୍ଡରେ ବୁଲୁ ବୁଲୁ,ପିଲାଦିନର ସାଙ୍ଗ ଟିଏ ଦେଖି ଗାଁ ବିଷୟରେ ସବୁ କିଛି ପଚାରି ବୁଝିବାକୁ ଚେଷ୍ଟା କଲା। ମାଧବ ର ସବୁ ସେଇ ପୁରୁଣା କଥା ପରେ ଘଟି ଯାଇଥିବା ଗାଁ ଖବର ଯୋଡ଼ି ସାଙ୍ଗ କହି ଚାଲିଛି ।ମଝିରେ ସୁଯୋଗ ଦେଖି ପୁରୁଣା ପ୍ରେମିକା କଥା ବି ପଚାରୁଛି ମାଧବ।
କେମିତି ଭୁଲି ଯିବ ସେ ଦିନର ମିଠା ମିଠା ସ୍ମୃତି।
ସେତେବେଳେ ସମୟ ବିତେଇବା ପାଇଁ ନନ୍ଦିନୀ ହିଁ ସାହାରା ଥିଲା।କଥା ବାର୍ତ୍ତା ହେଉ ବା ନ ହେଉ,ତାକୁ କେମିତି ହେଲେ ଥରେ ଦେଖି ଦେଲେ ନିଜକୁ ଖୁସି ଲାଗୁ ଥିଲା।ନନ୍ଦିନୀ ବି କଣ କମ୍ କି,ଥର ଥର କରି ଅତି କମ୍ ରେ ଦଶ ଥର କେବଳ ଗୋଟିଏ ଗରା ଧରି କୂଅରୁ ପାଣି ଆଣି ବାକୁ ଯାଉଥିଲା।ନନ୍ଦିନୀ କୁ ଦେଖିବା ବାହାନା ରେ ମଝିରେ ମଝିରେ ମୁହାଁ ମୁହିଁ ହେବାକୁ ପଡୁ ଥିଲା।ଆଉ ନନ୍ଦିନୀ ହସ କୁ ଯେତେ ଚାପି ରଖିଲେ ବି,ଓଠ ଉପରେ ଫୁଟି ଉଠୁ ଥିଲା।ଏମିତି ପ୍ରାୟ ସମୟ ବିତି ଯାଉଥିଲା ନନ୍ଦିନୀ ର ସେଇ ଲାଜ ଭିଜା ହସ ଦେଖିବାରେ।
ଟିକିଏ ଅନ୍ୟ ମନସ୍କ ହେବା ଦେଖି ସାଙ୍ଗ କହି ଚାଲିଥିଲା , "ବିଚରା ନନ୍ଦିନୀ ଏବେ ବହୁତ ଦୁଃଖରେ ଅଛି।ଯାହା ହାତ ଧରି ସଂସାର ଗଢ଼ିବାକୁ ଯାଇଥିଲା,କିଛି ବୁଝାମଣା ଅଭାବ ରୁ ଦୁହିଁଙ୍କ ଭିତରେ ଫାଟ ସୃଷ୍ଟି ହୋଇ ଅଲଗା ଅଲଗା ରହୁଛି।ବାହା ହେବାର ପାଞ୍ଚ ବର୍ଷ ପରେ ବି ମା' ହୋଇ ନ ପାରିବା,ସେଇ ଅଲଗା ରହିବାର ଆଉ ଏକ କାରଣ।''
ଏତିକି ଶୁଣୁ ଶୁଣୁ ସାଙ୍ଗ ମୁହଁ ରୁ କଥା ଛଡ଼ାଇ ମାଧବ ପଚାରିଲା,''ତାହା ହେଲେ ନନ୍ଦିନୀ ରହୁଛି କେଉଁଠି"। ଏ ପରିଣତି ବୟସରେ ସେଇ ପିଲାଦିନର ସ୍ମୃତି ନେଇ କିଛି କହିବାକୁ ଚାହୁଁ ଥିଲା ମାଧବ। ମାଧବ ର ଜିଜ୍ଞାସା ଶୁଣି ନନ୍ଦିନୀ ର ସ୍ଥାୟୀ ଠିକଣା ବିଷୟ ରେ ସୂଚନା ଦେବାକୁ ଯାଇ କହିଲା,'' ସ୍ବାମୀ ଠାରୁ ଅଲଗା ହେଲା ପରେ କିଛି ଦିନ ଗାଁ କୁ ଆସି ଭାଇ ଭାଉଜ ସହିତ ରହିଥିଲା।କିନ୍ତୁ ଭାଉଜର ଅସହଯୋଗ ଯୋଗୁଁ ନନ୍ଦିନୀ ଏକ ମନ୍ଦିର ପରିସର ଭିତରେ ରହି ନିଜକୁ ଠାକୁରଙ୍କ ସେବାରେ ସମର୍ପଣ କରି ରହିଛି।ଗୋଟିଏ ଛୋଟିଆ କୁଡିଆ ମଧ୍ୟ ନନ୍ଦିନୀ ପାଇଁ ସେହି ମନ୍ଦିର ପରିସର ଭିତରେ ତିଆରି ହୋଇଛି।ଆଉ ସେହି ମନ୍ଦିର ଆମ ଗାଁ ଠୁ ପନ୍ଦର କିଲୋ ମିଟର ଦୂରରେ ଥିବା ଶରଧାପୁର ଗାଁ ରେ"।
ସାଙ୍ଗ ସହିତ ଆଉ ଅଧିକ କିଛି କଥା ବାର୍ତ୍ତା ନ ହୋଇ ମାଧବ ମନରେ ନନ୍ଦିନୀ ପ୍ରତି ଅହେତୁକ ସମବେଦନା ର ଭାବ କ୍ରମେ ବଳବତ୍ତର ହେବାକୁ ଲାଗିଲା।ଯାହା ହେଉ,ନନ୍ଦିନୀ କୁ ଦେଖା କରିବା ପାଇଁ ମାଧବ ମନେ ମନେ ସ୍ଥିର କରି ନେଇଛି।
ଗାଁ ରେ ଆଉ ଅଧିକ ବୁଲା ବୁଲି କରିବାର ସ୍ପୃହା କମିଗଲା ।ରାତି ଘଡିକ ବିଶ୍ରାମ ନେଲା ପରେ ନନ୍ଦିନୀ କୁ ଭେଟିବା ପାଇଁ ସକାଳର ପରିବେଶ ମାଧବ କୁ ଉତ୍ସାହିତ କରିଛି ବୋଧେ,ମାଧବ ସାଇକେଲ ଧରି ଏକ ମୁହାଁ ଶରଧାପୁର ଗାଁ ଅଭିମୁଖେ।ନନ୍ଦିନୀ ସହିତ ଦେଖା ହେଲେ କଣ କହିବ,କେଉଁ ବିଷୟରେ କଥା ବାର୍ତ୍ତା ହେବ,ଏହିପରି ଭାବୁ ଭାବୁ ମାଧବ ସେହି ମନ୍ଦିର ପାଖକୁ ପହଞ୍ଚି ଗଲାଣି ।ସାଇକେଲ ଟିକୁ ମନ୍ଦିର ବାହାରେ ରଖି ଦୂରରୁ ଥାଇ ଲକ୍ଷ୍ୟ କରି ନନ୍ଦିନୀ କୁ ଦେଖି ପ୍ରଥମେ ମନ୍ଦିର ଦର୍ଶନ ପରେ ନନ୍ଦିନୀ ସହିତ ଭେଟ ହେଲା।
"ଆରେ ତମେ ତ ମାଧବ ,କେବେ ଠୁ ଗାଁକୁ ଆସିଛ, ଆଉ ଖବର କଣ," ଏତିକି ପଚାରି ନନ୍ଦିନୀ ବହୁତ ଖୁସି ଅନୁଭବ କରୁଛି ବୋଲି ମାଧବ ଲକ୍ଷ୍ୟ କଲା।ମାଧବ ଆଉ ନନ୍ଦିନୀ ବିଷୟ ରେ କିଛି ନ ପଚାରି,କେବଳ ସେଇ ପଛ କଥା ମନେ ପକେଇବାକୁ ଯାଇ କହିଲା, " ବୁଝିଲୁ ନନ୍ଦିନୀ, ସାରା ଜୀବନ ତୋ ସହିତ ବାନ୍ଧି ହେବା ପାଇଁ ମୋର ଇଛା ଥିଲା ,କିନ୍ତୁ ଆମ ଘର ଲୋକଙ୍କ ଅସହଯୋଗୁଁ ତୋ ଠାରୁ ଦୂରେଇ ଗଲି,ଜୀବନରେ ସବୁ କିଛି ପାଇଛି, କିନ୍ତୁ ସେଇ ବିଗତ ଦିନର ସ୍ମୃତି ମୋତେ ଦିନକୁ ଦିନ ବିଚଳିତ କରୁଛି। ଏ ପରିଣତି ବୟସରେ ବି ସେଇ ପଛ କଥା ଗୁଡ଼ିକ ମୁଣ୍ଡ ଭିତରେ ଗୋଳେଇ ଘାଣ୍ଟି ହେଉଛି। ଗାଁ କୁ ଆସି ତୋ ବିଷୟ ରେ ସବୁ ସାଙ୍ଗ ମୁହଁ ରୁ ଶୁଣିଛି। ଆଉ ଅଧିକ କଣ କହିବି ଯେ...."
ନନ୍ଦିନୀ ସବୁ ଶୁଣି ଠାକୁରଙ୍କ ଉଦ୍ଦେଶ୍ୟରେ ହାତ ଯୋଡ଼ି ପ୍ରାର୍ଥନା ପୂର୍ବକ ମାଧବ କୁ କହିଲା," ସବୁ ନିୟତି ର ଖେଳ।ଗୁରୁଜନ ମାନଙ୍କ ନିଷ୍ପତ୍ତି କୁ ସମର୍ଥନ ଜଣାଇ ବେଳେ ବେଳେ ନିଜ ଜୀବନ କୁ ଏକ ଅନିଶ୍ଚିତତା ପରିଧି ଭିତରେ ରଖି ବାକୁ ହେଉଛି।ଯାହା ହେଉ,ମୋ ପ୍ରତି ତୁମ ମନରେ ଥିବା ଭାବନା କୁ ଜଣାଇ ତୁମେ ହାଲୁକା ଅନୁଭବ କରୁଛ,ମୋର କିନ୍ତୁ ଆଉ ଏ ସଂସାର ରୂପକ ମାୟା ଜାଲ ପ୍ରତି ମୋହ ତୁଟି ଯାଇଛି।ଆଜି କାଲି କେବଳ ଠାକୁରଙ୍କ ସେବାରେ ମନ ନିବେଶ କରି ବଞ୍ଚି ରହିଛି"....
ମାଧବ ଓ ନନ୍ଦିନୀ କଥା ବାର୍ତ୍ତା ଆଉ କିଛି ସମୟ ଜାରି ରହି ଥାନ୍ତା ବୋଧେ,ମନ୍ଦିର ବନ୍ଦ କରିବା ପାଇଁ ପୂଜାରୀ ନନ୍ଦିନୀ କୁ ଡାକୁ ଥିବାର ଶୁଣା ଗଲା। କଥା ସେଇଠି ଅଟକି ଯାଇଛି।ମାଧବ କ୍ରମେ ଗାଁ ମୁହାଁ ହେବା ପୂର୍ବରୁ ନନ୍ଦିନୀ ର ସେଇ ପୁରୁଣା ହସ ଠାରୁ ଭିନ୍ନ ଏକ ହସ ର ଇଶାରା ମିଳିଛି। ମାଧବ ମୁଁହ ରେ ହସ ନାହିଁ ସତ,କିନ୍ତୁ ହୃଦୟ ଭିତରେ ନନ୍ଦିନୀ ର ନୂଆ ହସ ପ୍ରତିଧ୍ଵନି ସୃଷ୍ଟି କରିବାରେ ବ୍ୟସ୍ତ.....

