STORYMIRROR

Bidyadhar Mantry

Abstract Classics Crime

4  

Bidyadhar Mantry

Abstract Classics Crime

ସେଇ ରାତି

ସେଇ ରାତି

2 mins
27


ସେଇ ରାତିର ଘଟଣା ଆଜି ବି ମନେ ପଡୁଛି। ନନ୍ଦିନୀ ସେତେବେଳେ ମାତ୍ର ଆଠ ବର୍ଷ ବୟସର ଏକ ଅଲିଅଳି ସ୍ନେହ ସାଉଁଟି ଥିଲା। ଗାଁ ରେ ଘର ଥିଲେ ସୁଦ୍ଧା ପ୍ରାୟ ବର୍ଷ ସାରା ସହରରେ ରହିବାକୁ ହୁଏ,କାରଣ ବାପାଙ୍କର ସରକାରୀ ଚାକିରୀ ,ପୁଣି ସହରରେ କାର୍ଯ୍ୟାଳୟ।କେବଳ ଖରାଦିନ ଛୁଟି କଟେଇବା ପାଇଁ ସପରିବାର ଗାଁ କୁ ଆସନ୍ତି। ଗାଁ ରେ ନନ୍ଦିନୀ ର ବଡ ବାପାଙ୍କ ପରିବାର ।ତେଣୁ ଗାଁ ରେ ରହିବାକୁ କିଛି ଅସୁବିଧା ନ ଥାଏ। ବେଶି ସମୟ ବାହାରେ ବୁଲା ବୁଲି ନ କଲେ ବି,ଘର ଭିତରେ ରହି ବିଭିନ୍ନ ଗପ ବହି ପଢ଼ି ନନ୍ଦିନୀ ବେଶ୍ ଖୁସି ଅନୁଭବ କରେ।

ଗାଁ ପରିବେଶ ସମ୍ପୂର୍ଣ୍ଣ ନିଆରା। ସହରର ଶବ୍ଦ ଓ ଧୁଆଁ ପରି ଗାଁ ରେ ନ ଥାଏ।ସବୁଜ ପରିବେଶ।ନଦୀ, ନାଳ,ବିଲ ବଣ ,ପୋଖରୀ ସହିତ ଗାଁ ମଣିଷ ପ୍ରାୟ ପରିଚିତ ।ଦୈନିକ ନିତ୍ୟକର୍ମ ବି ଖୋଲା ଆକାଶ ତଳେ।

                  ସେ ସମୟରେ ଟି ଭି, ମୋବାଇଲ ବି ନ ଥିଲା। ଘଣ୍ଟା ଘଣ୍ଟା ଧରି ସାନ ଠାରୁ ବଡ ପର୍ଯ୍ୟନ୍ତ ଭାବ ଦିଆ ନିଆ ଚାଲୁ ରହୁଥିଲା। ଅଧିକାଂଶ ଘରେ ବିଜୁଳି ବତୀ ର ବ୍ୟବହାର ବି ନ ଥିଲା। ସନ୍ଧ୍ୟା ଆଠ ଘଟିକା ବେଳକୁ ଗାଁ ପ୍ରାୟ ଶୁନଶାନ ହୋଇ ଯାଏ।

ଖରା ଦିନେ ଘର ଅଗଣା ପ୍ରାୟତଃ ବୟସ୍କା ସ୍ତ୍ରୀ ଲୋକ ଓ ପିଲାମାନଙ୍କ ଆସ୍ଥାନ ଥିଲା। ଖରା ଦିନେ ରାତ୍ରୀ ଭୋଜନ ପରେ ସେଇ ଅଗଣାରେ ହିଁ ଶୋଇ ଥାନ୍ତି ।

    ସବୁ ରାତି ପରି,ସେଇ ରାତି ବି ନନ୍ଦିନୀ ଘର ଅଗଣାରେ ଶୋଇଛି।ରାତି ପ୍ରାୟ ବାରଟା ବେଳକୁ ନନ୍ଦିନୀ ର ନିଦ ପତଳା ହେବାକୁ ଲାଗିଲା।ଏକ ଅଲଗା ଅନୁଭବ ।ପାଖରେ ଥାଇ କେହି ଜଣେ ବାରମ୍ବାର ଗୋଡ ଉପରେ ଗୋଡ଼ ତୁହାକୁ ତୁହା ରଖୁଛି। ଗାଲ,ମୁଣ୍ଡ,ଛାତି ଓ ହାତ ରେ ବି ଅନ୍ୟ ହାତର ସ୍ପର୍ଶ ଅନୁଭବ।ନନ୍ଦିନୀ ମନରେ ଭୂତ ଭୟ ଉଙ୍କି ମାରିଲା।କ୍ରମେ ସେହି ପ୍ରକ୍ରିୟା କ୍ରମାଗତ ହେବା ଯୋଗୁଁ ନିଜକୁ ଅସହଜ ମନେ କରି ଶୋଇବା ଜାଗା ରୁ ଉଠି ଘର ଭିତରକୁ ଯାଇ ଲୁଚି ରହି,ସେହି ଅଜଣା ହାତର ଚେହେରା ଦେଖିବାକୁ ଚେଷ୍ଟା କଲା। ଏଣେ ଭୂତ ଭୟ,ଘର ଅଗଣାରେ ଅନ୍ଧାର ରାଜୁତି। ମୁହଁ ଦେଖା ଯାଉ ନ ଥାଏ ,କିନ୍ତୁ ପିନ୍ଧିଥିବା ପରିଧାନ କୁ ମନ ଭିତରେ ସାଇତି ରଖି ବାକୁ ଚେଷ୍ଟା କଲା।ଭୟ ସହିତ ଆଖି ପତା ବି ଖୋଲିବାକୁ ଡର,ବସିବା ଜାଗାରେ ହିଁ ଆଖିକୁ ନିଦ ଆସି ଯାଇଛି, ପରେ କିଛି ଶବ୍ଦ ଶୁଣି ନିଦ ଭାଙ୍ଗି ଗଲା।ଆଖି ଖୋଲି ଦେଖିଲା ବେଳକୁ ,ସେଇ ଚେହେରା ଆଉ ନାହିଁ।ପୁଣି ଡର।ମନରେ ସାହସ ରଖି ସେଇଠି ହିଁ ବସି ରହିଲା। ବସି ରହିବା ଭିତରେ ପୁଣି ନିଦ,ଆଉ ସେ ନିଦ ସକାଳ ହେଲା ପର୍ଯ୍ୟନ୍ତ ଲାଗି ରହିଥିଲା।

କ୍ରମେ ସକାଳ ହେଲା ।ନନ୍ଦିନୀ ମନରେ ଯେଉଁ ଭୟ ଥିଲା,ସେ ଭୟ କ୍ରମେ ଦୂରୀଭୂତ ହୋଇଛି। ତା'ର କାରଣ ଅନ୍ୟ କିଛି ନୁହଁ,କାରଣ ସେଇ ରାତିରେ ଯାହାକୁ ଭୂତ ଭାବି ଡରୁ ଥିଲା,ସେଇ ପରିଧାନ ପିନ୍ଧି ଥିବା ଚେହେରା ନନ୍ଦିନୀ ସମ୍ମୁଖ ରେ ଠିଆ,ପୁଣି ପରିବାର ଭିତର ର ଚରିତ୍ର,ଯାହା ସହିତ ନନ୍ଦିନୀ ଅଧିକାଂଶ ସମୟ ଖେଳା ଖେଳି କରେ....

ଆଠ ବର୍ଷ ବୟସର ଝିଅ ସେଇ ରାତିର ଘଟଣା ଠିକ୍ ଭାବେ ବୁଝି ପାରି ନ ଥିଲା।ସେଇ ରାତିର ଘଟଣା ପର ଠାରୁ ଆଉ ପରିବାରର ସେହି ଚରିତ୍ର ଧାରୀ ସହିତ ଆଦୌ ଖେଳି ନ ଥିଲା।

ବୟସର ଅପରାହ୍ନ ରେ ଥାଇ ନନ୍ଦିନୀ ସେଇ ରାତିର ଘଟଣାକୁ ଭୁଲି ବାକୁ ଚେଷ୍ଟା କଲେ ବି ଭୁଲି ପାରୁନି....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract