STORYMIRROR

Bidyadhar Mantry

Abstract Drama Classics

4  

Bidyadhar Mantry

Abstract Drama Classics

ଅଜଣା ସମ୍ପର୍କ

ଅଜଣା ସମ୍ପର୍କ

3 mins
9

  

ସମୟ ପାଖେଇ ଆସିଲାଣି। ସୁକନ୍ୟା ଘରୁ ବାହାରିବା ଆଗରୁ ମୋବାଇଲ୍ ବାଜି ଉଠିଲା।କିନ୍ତୁ ଏକ ଅଜଣା କଲ୍ ଦେଖି, ମୋବାଇଲ୍ ସ୍ୱିଚ ଅଫ କରି ସୁକନ୍ୟା କଲେଜ୍ ମୁହାଁ। କ୍ରମେ ପରୀକ୍ଷା ସରିଲା । ବନ୍ଦ ଥିବା ମୋବାଇଲ୍ ଖୋଲିଲା ପରେ ଏକ ନୂଆ ମେସେଜ ଦେଖିବାକୁ ମିଳିଲା,ଲେଖାଥିଲା," ମୁଁ ତୁମ ପାଇଁ ହୁଏତ ଅଜଣା,ତଥାପି କିଛି କହିବାକୁ ଚାହୁଁଛି,ଜଣେ ବୃଦ୍ଧ ବ୍ୟକ୍ତି ସହିତ ଟିକେ କଥା ହେବା ପାଇଁ ଅନୁରୋଧ ରହିଲା "

ମେସେଜ ପଢ଼ି ସାରି ନିଜ ମାଆ କୁ ବି ଜଣେଇଲା। ମାଆ ସବୁ ଶୁଣି କହିଲେ,'' ଠିକ୍ ଅଛି,ପୁଣି କଲ୍ ଆସିଲେ, କଥା ହେବା ଉଚିତ୍ ହେବ।କଣ କହୁଛନ୍ତି ଶୁଣ,ଯଦି କିଛି ଅବୁଝା ହେଉଛି,ମୋତେ ମୋବାଇଲ ଦେଇ ଦେବୁ, ମୁଁ ତାଙ୍କ ସହିତ କଥା ହେବି।

ରାତି ପ୍ରାୟ ଦଶ ହେବାକୁ ଯାଉଛି।ମୋବାଇଲ୍ ବାଜି ଉଠିଲା।

ଏଥର ମୋବାଇଲ୍ ଉଠାଇ ହେଲୋ କହୁ କହୁ ସେ ପଟରୁ ଏକ ଆନ୍ତରିକତା ର ଭାବ ଥିଲା ପରି ପ୍ରଥମେ ସୂଚନା ମିଳିଲା।

ସେ ପଟୁ କହୁ ଥିବାର କଥା ଥିଲା.." ତୁମ ନାଁ ସୁକନ୍ୟା।ହୁଏତ ଅଜ୍ଞାତ ଭାବି ପାର।କିନ୍ତୁ ତୁମକୁ ଛୋଟ ପିଲା ବେଳୁ ଜାଣିଛି।ଆଉ ଅଧିକ କିଛି କହୁ ନାହିଁ।ତୁମ ମାଆଙ୍କୁ ପଚାରି ବୁଝି ପାରିବ"।

ନନ୍ଦିନୀ ପାଖରୁ କିଛି ଉତ୍ତର ମିଳିବା ଆଗରୁ ସେ ପଟରୁ କଲ୍ କଟି ଗଲା।ଅଧିକ କିଛି ଜାଣିବାକୁ ମନରେ ଉତ୍କଣ୍ଠା। ମାଆ ପାଖକୁ ଯାଇ ନନ୍ଦିନୀ ଯାହା ଶୁଣି ଥିଲା ଜଣେଇଲା ପରେ, ମା କିଛି ସମୟ ଚିନ୍ତା କରି ୩୦ ବର୍ଷ ତଳର କଥା ମନେ ପକାଇ କହି ବାକୁ ଲାଗିଲେ.................

ହଁ," ଆଜକୁ ୨୦ ବର୍ଷ ତଳେ ଗୋଟିଏ ଚାକିରିଆ ଦମ୍ପତ୍ତି ଆମ ଘର କୁ ଲାଗି ଭଡ଼ାରେ ରହୁ ଥିଲେ।ତାଙ୍କର ବିବାହ ହେବାର ପ୍ରାୟ ପାଞ୍ଚ/ଛଅ ହୋଇଥିଲା।କିଛି ବି ଛୁଆ ପିଲା ନ ଥିଲା।ଛୋଟ ପିଲାଙ୍କୁ ଦେଖିଲେ ଭାରି ଭଲ ପାଆନ୍ତି। ପଡ଼ୋଶୀ ହିସାବରେ କ୍ରମେ ସମ୍ପର୍କ ଅତି ମଧୁର ଥିଲା।ତୁ ଜନ୍ମ ହେବାର ୨୧ ଦିନ ପରେ ,ପ୍ରଥମେ ତାଙ୍କ ସହିତ ପ୍ରାୟ ଦିନ ସାରା ରହୁଥିଲୁ।ସେହି ଦମ୍ପତ୍ତି ହିଁ ତୋ ନାଁ ସୁକନ୍ୟା ରଖି ଥିଲେ।

ତାଙ୍କ ନାମ ନେଇ ତୁ ଶିଶୁ ମନ୍ଦିରରେ ପଢ଼ିବା ପାଇଁ ନାମ ଲେଖା ହୋଇ ଥିଲା।ତୁ ସେତେବେଳେ କହୁ ଥିଲୁ,ମୋର ଦୁଇଟି ବାପା ଓ ଦୁଇଟି ମାଆ।ସେହି ପଡ଼ୋଶୀ ଦମ୍ପତି ସହିତ ତୋର ନିବିଡ ସମ୍ପର୍କ।ସେମାନେ ଯେଉଁ ଆଡ଼େ ଗଲେ ବି ତୋତେ ସାଥିରେ ନେଇ ଯାଆନ୍ତି।ସେମାନଙ୍କ ସହିତ ମିଶି ଆମେ ସପରିବାର ପୁରୀ ମଧ୍ୟ ଯାଇ ଥିଲୁ।ଅଚାନକ ଦୃଶ୍ୟରେ ପରିବର୍ତ୍ତନ ହେଲା ।ସେହି ପଡ଼ୋଶୀ ଆମ ଘର ଠାରୁ ୧୦ କିମି ଦୂରତା ରେ ରହିବାକୁ ଇଛା କଲେ ।ଆମେ ତୋତେ ତାଙ୍କ ସହିତ ଯିବା ପାଇଁ ମନା କଲୁ ।ସେମାନେ ବହୁତ ଦୁଃଖ କଲେ।"

ମାଆ ମୁହଁ ରୁ ନିଜ ବିଷୟ ରେ ଶୁଣି ସୁକନ୍ୟା ଆଖିରେ ବି ଲୁହ ଆସି ଯାଇଥିଲା।ହେଲେ ସେ ପିଲାଦିନର କଥା ସୁକନ୍ୟା ର ମନେ ନାହିଁ। ଏ ବିଷୟରେ କାହା ମୁହଁ ରୁ ବି ସେ ଶୁଣି ନ ଥିଲା। ମାଆ ଠାରୁ ଅଧିକ କିଛି ରହସ୍ୟ ଜାଣିବା ପାଇଁ ପୁଣି ସୁକନ୍ୟା ର ପ୍ରଶ୍ନ..." ଏମିତି କାହିଁକି ନିଷ୍ପତି ନେଲ,ମୋର ତ ଆହୁରି ବଡ ଭଉଣୀ ଓ ଭାଇ ଥିଲେ।ମୋତେ ସେମାନଙ୍କ ସହିତ ରହିବା ପାଇଁ କାହିଁକି ମନା କଲ।"

ସୁକନ୍ୟା ର ଭାବ ପ୍ରବଣତା ଦେଖି ମାଆ ବୁଝାଇ କହିଲେ..." ଅନେକ କାରଣ ଜଡ଼ିତ ଥିଲା।ତୋ ପାଇଁ ସେହି ପଡ଼ୋଶୀ ଘର ଅଙ୍କଲ,ଯାହାକୁ ତୁ ବାବା ବୋଲି ଡାକୁଥିଲୁ ଏବଂ ତାଙ୍କ ନାମ ହିଁ ତୋର ବାପା ବୋଲି ସ୍କୁଲ ରେକର୍ଡ ରେ ଲେଖା ହୋଇଥିଲା, ବିଚରା ବହୁତ ଝୁରି ହେଲେ, କିଛି ଭଦ୍ର ଲୋକଙ୍କ ସହିତ ସେ ବିଷୟରେ ଆଲୋଚନା ବି ହୋଇଥିଲା।ପ୍ରକୃତ କାରଣ କହି ତୋ ମନ କଷ୍ଟ ହେବାକୁ ଆମେ ଚାହୁଁ ନାହୁଁ।ତୋ ବଡ ଭାଇ ଓ ଭଉଣୀ ସବୁ ଜାଣିଛନ୍ତି। ସେ ବିଷୟରେ କିଛି କଥା ନ ହେବା ପାଇଁ କୁହା ଗଲା,ଏବଂ ସେପରି ହୋଇଛି।ସେ ଯାହା ହେଉ,ଯଦି ଆଉ ଥରେ କଲ୍ ଆସେ,ତୁ ବାବା ବୋଲି ସମ୍ମାନ ପୂର୍ବକ କଥା ହେବୁ, ସେ ଭାରି ଦରଦୀ ମଣିଷ।"

ରାତି ଅନେକ ହେଲାଣି। ସୁକନ୍ୟା ଆଖିରେ ଲୁହ ଆଉ କୋହ...ଏକ ଦରଦୀ ହୃଦୟର କଷ୍ଟକୁ ହୃଦୟଙ୍ଗମ କରିବା ପାଇଁ ଅପେକ୍ଷା କରିଛି ସୁକନ୍ୟା...

ସକାଳ ହେଲା।ଆଉ କଲ୍ ଆସିଲା ନାହିଁ। ମୋବାଇଲ୍ ନମ୍ବର ରୁ ଠିକଣା ବାହାର କରି ସୁକନ୍ୟା ନିଶ୍ଚିତ ହୋଇଛି ସେଇ 

ବାବାଙ୍କୁ ଭେଟିବା ପାଇଁ।କିନ୍ତୁ ଅନୁସନ୍ଧାନ ପରେ ସୁକନ୍ୟା ଜାଣିବାକୁ ପାଇଲା...ସେ ସମ୍ପର୍କ ଆଉ ଆଗକୁ ବଢିବ ନାହିଁ।

କାରଣ ବି ସହଜ... ସୁକନ୍ୟା ର ପିଲା ଦିନର ବାବା ଅଜ୍ଞାତ ରାଜ୍ୟର ଯାତ୍ରୀ...ଆଉ ସମ୍ପର୍କ ବି ଅଜଣା ରହିଲା।



Rate this content
Log in

Similar oriya story from Abstract