ସ୍ବପ୍ନ ସାକାର
ସ୍ବପ୍ନ ସାକାର
ନିଦରେ ସ୍ଵପ୍ନ ଦେଖିବା ଆଉ ସ୍ଵପ୍ନ ରାଜ୍ୟରେ ବିଚରଣ କରିବାର ନିଆରା ଅନୁଭବ।ସ୍ୱପ୍ନର ପରିଭାଷା ବୁଝିବାର ବୟସରେ ପାଦ ଦେଇଛି ନନ୍ଦିନୀ। ସ୍ଵପ୍ନ ରାଇଜର କଥା ନିଜେ ହିଁ ବୁଝିଛି।କେତେବେଳେ ସ୍ୱପ୍ନର ରାଜକୁମାର କଥା ତ କେତେବେଳେ ଭବିଷ୍ୟତ ଜୀବନକୁ ନେଇ ପରିକଳ୍ପନା। କାହିଁକି କେଜାଣି ସ୍ବପ୍ନ ରାଇଜରେ ଘୁରି ବୁଲିବାକୁ ଏତେ ଭଲ ଲାଗୁଛି ନିଜେ ବି ଜାଣି ପାରୁନି।ମାତ୍ର ବୟସର ସତର ଟି ପାହାଚ ଅତିକ୍ରମ କରିଛି। ଏ ଭିତରେ ଅନେକ ସ୍ବପ୍ନ ଦେଖିଛି।ସ୍ଵପ୍ନ ପୁରଣ ହେଉ ବା ନ ହେଉ ,ପୁଣି ଆଖିରେ ଆଖିଏ ସ୍ଵପ୍ନ ଆପେ ଆପେ ଉଭା ହେଉଛି।ଆଜିକାଲି ଘର ପଛ ପଟେ ରହୁଥିବା ପିଲା ଦିନର ପୁଅ ସାଙ୍ଗ ମାଧବକୁ ନେଇ ସ୍ଵପ୍ନ ରାଜ୍ୟରେ ବିଚରଣ କରିବାରେ ଏକ ଅଲଗା ଅନୁଭବ ହେଉଛି,ଆଉ ଦେହ ମନ ବି ଉଲ୍ଲସିତ ହେଉଛି।
ସକାଳୁ ସକାଳୁ ମୋବାଇଲରେ ମେସେଜ୍...ସୁପ୍ରଭାତ।ଆଉ ପ୍ରେରକ ବି ଅନ୍ୟ କେହି ନୁହଁ,ସେଇ ବଳିଷ୍ଠ ଚେହେରା ଥିବା ,ପିଲା ଦିନର ସାଙ୍ଗ ମାଧବ। ସକାଳ ସଞ୍ଜ ତ ଦେଖା ହେଉଛି,ତଥାପି ମୋବାଇଲରେ ମେସେଜ୍ ପଠାଇ ନନ୍ଦିନୀକୁ ସ୍ଵପ୍ନ ରାଇଜ ରୁ ଫେରାଇ ଆଣିବାରେ ସହାୟକ ହେଉଛି।
ସ୍ବପ୍ନ ସତ ହେଉ ବା ନ ହେଉ,ନନ୍ଦିନୀ କିନ୍ତୁ ମାଧବକୁ ନେଇ ସ୍ଵପ୍ନ ଦେଖୁଛି।ମନର କଥା କହିବାକୁ ଯଦିଓ ସଙ୍କୋଚ,ତଥାପି ସ୍ଵପ୍ନ ଦୁନିଆରେ ମାଧବ ସହିତ ସମୟ ବିତେଇବାକୁ ଭଲ ଲାଗୁଛି।କ୍ରମେ ନିଦରେ ଯେଉଁ ସ୍ଵପ୍ନ ଆସୁଛି,ସେଥିରେ ବି ମାଧବ ସହିତ କଥାବାର୍ତ୍ତା, ଖେଳା ଖେଳି ବା କୌଣସି ନା କୌଣସି କାର୍ଯ୍ୟକଳାପ ରେ ସ୍ଵପ୍ନର ଦୁନିଆ ମହକି ଉଠୁଛି।
ନିଜକୁ ପ୍ରେମ ହେଲା ପରି ଅନୁଭବ କରୁଛି ନନ୍ଦିନୀ। ହାତ ପାଆନ୍ତା ରେ ଯୋଗାଯୋଗ କରିବାର ସବୁ ସୁବିଧା ଥିଲେ ବି, ସ୍ବପ୍ନ ର ଭାବନାକୁ ମୁହଁରେ କହିବାକୁ ନନ୍ଦିନୀ ଉଚିତ୍ ମଣୁ ନାହିଁ।ସହଜରେ ମାଧବ ସହିତ ନିତି ଦିନ ଦେଖା ହେଉଛି,ଅନ୍ୟ ବିଷୟରେ କଥା ବାର୍ତ୍ତା ବି ଚାଲୁ ରହୁଛି, ହେଲେ ମାଧବ ଚରିତ୍ର
ନନ୍ଦିନୀ ର ଭାବନା ରାଜ୍ୟରେ ଘୁରି ବୁଲୁଛି ବୋଲି ନନ୍ଦିନୀ କହି ପାରୁନି।ନିଜକୁ ନିଜେ ସେ ପଚାରୁଛି...ସତରେ କଣ ସ୍ବପ୍ନ ସତ ହେବ !!
କାହାର ଡାକ ଶୁଭିଲା... ହଠାତ୍ ନନ୍ଦିନୀ ର ସ୍ୱପ୍ନର ଦୁନିଆରେ ବ୍ୟାଘାତ ସୃଷ୍ଟି ହୋଇଛି।ପଛ ପଟୁ ନନ୍ଦିନୀ ର ଆଖି ବନ୍ଦ କରି, ମାଧବ ପଚାରୁଛି,"କହ କିଏ ମୁଁ"।ନନ୍ଦିନୀ କୁ କହିବାର ସୁଯୋଗ ମିଳିଛି।ଆଉ କହି ବି ଦେଇଛି..."ମୋ ସ୍ଵପ୍ନ ରାଜ୍ୟରେ ମାଧବ ହିଁ ମୁଖ୍ୟ ଚରିତ୍ର"।ମାଧବ ବିଚରା ନ ବୁଝିବା ପରି ଅଭିନୟ ଭଙ୍ଗୀରେ ବି କହି ରଖିଛି ..."ଆଜିକାଲି ତୋ ସ୍ଵପ୍ନ ରାଜ୍ୟରେ ବି ମୋତେ ଦେଖୁଛୁ ,ଭଲ କଥା...ଆମ ସ୍ବପ୍ନ କଣ ସତ ହେବ !! "
ସ୍ଵପ୍ନ ସତ ହେଉ ବା ନ ହେଉ,ଦୁଇ ଆତ୍ମାର ଅନାବିଳ ପ୍ରେମ ହିଁ ସ୍ବପ୍ନ ଦୁନିଆର ଚରିତ୍ର ହୋଇ ରହିଛି।ସମୟ କହିବ,"ସ୍ଵପ୍ନ କଣ ସତରେ ସତ ହେବ !!''
ଯେଉଁ ସ୍ଵପ୍ନ ନନ୍ଦିନୀ ଆଖିରେ,ସେହି ସ୍ଵପ୍ନ ଆଜିକାଲି ମାଧବ ଆଖିରେ।ସେହି ସ୍ଵପ୍ନ ଶୋଇବାକୁ ଯିବା ପୂର୍ବରୁ ଓ ସ୍ୱପ୍ନରେ ବି କ୍ରମେ ବ୍ୟାପକ ହେଉଛି। ସ୍ଵପ୍ନ ଦେଖିବା ଓ ସ୍ଵପ୍ନକୁ ଚରିତାର୍ଥ କରିବା ପାଇଁ ଆତ୍ମନିର୍ଭରଶୀଳ ହେବା ପାଇଁ ଦୁହେଁ ପ୍ରସ୍ତୁତି ପଥରେ....ସେମାନଙ୍କ ସ୍ବପ୍ନ ସତ ହେବା ପାଇଁ,ଦୁଇ ପରିବାର କ୍ରମେ ସ୍ଵପ୍ନ ରାଜ୍ୟରେ....ଗୋଟିଏ ସ୍ବପ୍ନ ସମସ୍ତଙ୍କ ଆଖିରେ..
ଆଉ ଶେଷରେ ସ୍ବପ୍ନ ସତ ହୋଇଛି...."ଯଥା ମାଧବସ୍ୟ ନନ୍ଦିନୀ" ଉଚ୍ଚାରଣ ବିବାହ ବେଦୀ ରେ....ଆଉ ସେହି ସ୍ୱପ୍ନର ଦୁଇ ଚରିତ୍ର ପକ୍ଷରୁ ଭବ୍ୟ ଭୋଜିର ଆୟୋଜନ ତିଥି ...ଆଜି ହିଁ ସେ ଦୁହେଁ ଆଶୀର୍ବାଦ ଭିକ୍ଷା କରିବାକୁ ମଞ୍ଚ ଉପରେ ଅପେକ୍ଷାରତ ...ସ୍ବପ୍ନ ସାକାର ହୋଇଛି,ସ୍ୱପ୍ନର ମଣିଷ ସହିତ ଅପେକ୍ଷାରତ ଏକ ନବ ବଧୁ କୁ ଆଶୀର୍ବାଦ ଦେବା ପାଇଁ ପାଠକ ମାନଙ୍କୁ ଅନୁରୋଧ .......

