ଭୋଜି ଖାଇବା ପୂର୍ବରୁ ବାଘ ମୁହଁରୁ
ଭୋଜି ଖାଇବା ପୂର୍ବରୁ ବାଘ ମୁହଁରୁ
ବାଛୁରୀ ତା ଗାଈ ମା ' କୁ ପଚାରୁଛି," ମା ଲୋ,ତୁ ତ ସବୁଦିନ ମାଲିକକୁ କ୍ଷୀର ଦେଉଛୁ।ମାଲିକ ମନ ଭରି କ୍ଷୀର ଦୁହିଁ ନେଲା ପରେ ମୋତେ ଯେଉଁ କ୍ଷୀର ମିଳୁଛି,ସେଥିରେ ମୋ ପେଟ ପୁରୁ ନାହିଁ,ପୁଣି ତୁ ଚରିବାକୁ ଯାଇ ସନ୍ଧ୍ୟା ହେଲେ ଆସୁଛୁ।ମୋ କଥା ଥାଉ,ଏବେ ମୋତେ ବୁଝାଇ କହ, ଗାଈ ପରିବର୍ତ୍ତେ ବାଘ କେମିତି ଭାରତର ଜାତୀୟ ପଶୁ ହେଲା? ମୁଁ କଣ ଏତେ କଥା ଜାଣି ଥିଲି କି!...,ମାଲିକର ସାନ ପୁଅ ପାଠ ପଢ଼ିଲା ବେଳେ ମୁଁ ଶୁଣିଛି।ଏବେ ତୋ ମୁହଁ ରୁ ଶୁଣିବାକୁ ଚାହୁଁଛି।"
ମା ଗାଈ ଆଉ କଣ କହିବ,ତଥାପି କଥା ବୁଲେଇ କହିଲା,"ଆଜି ମାଲିକର ଝିଅ ବାହାଘର।ସକାଳୁ ସକାଳୁ ଗୁହାଳ ଖୋଲି ମୋତେ ଚରିବାକୁ ଛାଡ଼ି ଦିଆ ଯିବ। ମୁଁ ଫେରିଲେ,ତୁ ପଚାରି ଥିବା ପ୍ରଶ୍ନର ଉତ୍ତର କହିବି।" ଚରିବାକୁ ଯିବା ପୂର୍ବରୁ ବାଛୁରୀ କୁ ଗାଈ କହି ଯାଇଛି,ଡେରି ହେଲେ କାନ୍ଦିବ ନାହିଁ। ବିଚରା ବାଛୁରୀ ମୁହଁ ଶୁଖାଇ ମା ' ର
ଫେରିବା ବାଟକୁ ଚାହିଁ ରହିଛି।
ଗାଁ ପାଖ ଜଙ୍ଗଲ ଭିତରେ ଗାଈ ନିର୍ଭୟରେ ଘାସ ଚରୁଛି ।ଜଙ୍ଗଲ ବି ଆଗ ପରି ଆଉ ଘଞ୍ଚ ନାହିଁ।ଗଛ କାଟି ଜଙ୍ଗଲ ସଫା ହୋଇ ଯାଇଛି ।ହଠାତ୍ ବାଘ ଗର୍ଜନ ଶୁଭିଲା, ଏପଟେ ସେପଟେ ଗାଈ ଦେଖିବାକୁ ଲାଗିଲା,କିନ୍ତୁ ବାଘର ଦେଖା ନାହିଁ ।
ମନକୁ ମନ ଭାବିଲା,ଆସିଲା ବେଳେ ବାଘ କଥା ଶୁଣି ଥିଲି, ବୋଧେ ସେଇ କଥା ମୋତେ ଭ୍ରମରେ
ରଖିଛି...ଏହି ପରି ଭାବୁଥିଲା ବେଳେ,ସତକୁ ସତ ବାଘ ଆସି ସାମନାରେ ଠିଆ।
ଗାଈ ନିଜକୁ ବିଶ୍ୱାସ କରି ପାରିଲା ନାହିଁ, ଏ ଜଙ୍ଗଲ କୁ ବାଘ କେମିତି ଆସିଲା।ଗାଈ କିଛି ଭାବୁଥିବା ର ଲକ୍ଷ୍ୟ କରି,ବାଘ ପଚାରିଲା," କଣ ଏତେ ଭାବୁଛୁ ଯେ, ମୁଁ ତୋତେ ଖାଇବି ନାହିଁ।ଆମ ବାଘ ଜାତି ଆଉ କଞ୍ଚା ମାଂସ ଖାଉ ନାହୁଁ।ରହିବା ପାଇଁ ତ ଜଙ୍ଗଲ ନାହିଁ,ଆହୁରି ଜାତୀୟ ପଶୁର ମାନ୍ୟତା!ଛାଡ,କଣ ମିଳିବ ସେ ଜାତୀୟ ପଶୁ ରୁ,ହେଲେ ଆଜି କାଲି ଯେଉଁଠି ଭୋଜି ହେଉଛି,ଆମେ ପହଞ୍ଚି ରନ୍ଧା ଯାଇଥିବା ଚିକେନ, ମଟନ୍ ଖାଉଛୁ,ଯଦି ନ ମିଳେ,ତେବେ ଫୋପଡ଼ା ହୋଇଥିବା ଖାଦ୍ୟ ରୁ ମାଂସ ଵାଛି ବାଛି ଖାଇ କାମ ଚଳେଇ ଦେଉଛୁ।"
ବାଘର କଥା ଶୁଣି,ଗାଈର ବାଛୁରୀ ପଚାରିଥିବା ପ୍ରଶ୍ନ ମନେ ପଡ଼ିଲା।ବାଘ ମୁହଁ ରୁ ଶୁଣିବା ପାଇଁ ପଚାରିଲା, " ଆଚ୍ଛା ବାଘ ମାମୁଁ,ଜାତୀୟ ପଶୁ ଆମ ଗାଈ ମାନଙ୍କର ହେବା କଥା,ଆମେ କେତେ ସେବା କରୁଛୁ,ହେଲେ ତୁମେ କିଛି ନ କରି ଲୋକଙ୍କୁ ଡରେଇ ରଖିଛ,ତଥାପି ଟାଇଟଲ ତୁମ ପାଖରେ।"
ଏପଟ ସେପଟ ଦେଖି , କେହି ନ ଆସୁଥିବାର ଦେଖି ବାଘ କହିଲା," ଆଜି କାଲି ଜୋର୍ ଯା'ର,ସବୁ କିଛି ତାର,ହେଲେ ଏ ପଦବୀ ଆଉ ଆମ ପାଖରେ ରହିବ ନାହିଁ ବୋଲି ଶୁଣା ଯାଉଛି,ଗାଈ ପାଇଁ ଜୋର୍ ଦାର୍ ଲବି ହେଉଛି।
ପାର୍ଲିଆମେଣ୍ଟ ରେ ବି କଥା ଉଠିଲାଣି ବୋଲି ଆମର ନେତା ବୁଢ଼ା ବାଘ କହୁଥିବା ର ମୁଁ ଶୁଣିଛି।ସବୁ ସହର ର ନାଁ ବଦଳି ଗଲାଣି,ପୁଣି ରାମ ଆସି ରାଜ ସିଂହାସନରେ,ତେଣୁ ନ୍ୟାୟ ଗାଈ ମାନଙ୍କ ସପକ୍ଷରେ ଯିବ ବୋଲି ସବୁ ପ୍ରସ୍ତୁତି ଚାଲିଛି,ଛାଡ,ସେଥିରୁ କଣ ମିଳିବ,ଆଜି ଭୋଜି ଖାଇବାକୁ କେମିତି ଯିବି ମୋତେ ଟିକିଏ ଉପାୟ କହୁନୁ!"
ଗାଈ ର ବାଘ ନାଚ କଥା ମନେ ପଡ଼ିଲା।ମାଲିକ କହୁଥିଲେ,କୁଆଡେ଼ ବାଘ ନାଚ ହେବ..."ତେଣୁ ସତ ବାଘ ସେହି ପାଖରେ ଦେଖା ଗଲେ ମଧ୍ୟ କେହି ସନ୍ଦେହ କରିବେ ନାହିଁ, ହେଲେ ବାଘ ପରି ଗର୍ଜନ ନ କଲେ ହେଲା।"
କଥା ବାର୍ତ୍ତା ହେଉ ହେଉ କେତେବେଳେ ସନ୍ଧ୍ୟା ହୋଇ ଗଲାଣି,ଆଉ ସମୟ ଜଣା ପଡୁ ନ ଥିଲା।ବାଘ ଠାରୁ ବିଦାୟ ନେଇ ଗାଈ ଘର ମୁହାଁ ହେଲା।
ଗୁହାଳ ଭିତରେ ପଶି,ବାଛୁରୀକୁ ସବୁ କଥା ବୁଝାଇ ମା ଗାଈ କହିଲା।ବାଛୁରୀ ପିଲା ଖାଲି ଡେଇଁବାକୁ
ଲାଗିଲା, "ହାମ୍ୱା ହମ୍ଵା ସ୍ୱରରେ ଗୀତ ଗାଇଲା,ବାଘ ମାମୁଁ ଆଜି ଭୋଜି ଖାଇ ଆସିବେ,ଆଉ ଆମ ଗାଈ ଜାତିକୁ ଜାତୀୟ ପଶୁର ମାନ୍ୟତା ମିଳିବ...ଇତ୍ୟାଦି"
ବାଛୁରୀ ମୁହଁରୁ କଥା ଶୁଣି,ବୁଲା କୁକୁର ଦଳ ସତର୍କ ହୋଇ ଚାହିଁ ରହିଛନ୍ତି,ବାଘ ଆସିବ କେବେ!!ମଝିରେ ମଝିରେ ଭୂକି-ବାକୁ ଲାଗିଲେ।
ଭୋଜି ଖିଆ ପ୍ରାୟ ସରିବା ଉପରେ।ବାଘ ଆଉ ଆସିବ କଣ,କୁକୁରଙ୍କ କ୍ରମାଗତ ରଡ଼ି ଶୁଣି ଜଙ୍ଗଲ ଭିତରେ ଲୁଚି ରହିଛି ।
ରାତି ପାହି ସକାଳ ହେଲା ।ଗାଈ ଜାଣି ପାରିଲା, ସମସ୍ତେ ଶୋଇ ପଡ଼ିଲା ପରେ ବାଘ ଆସି ଫୋଫଡା ଯାଇଥିବା ଖାଦ୍ୟ ରୁ ମାଂସ ଖାଇ ପୁଣି ଜଙ୍ଗଲ କୁ ଚାଲି ଯାଇଛି। ଏ କଥା ଆଉ କାହାରି କୁ ନ କହିବାକୁ ମା ଗାଈ ତା ବାଛୁରୀ ପିଲାକୁ ତାଗିଦ୍ କରି ଦେଇଛି ।
ଦେଖାଯାଉ, ଏବେ ତ ନିର୍ବାଚନ ପ୍ରକ୍ରିୟା ଚାଲୁ ରହିଛି,କେତୋଟି ଦଳ ପକ୍ଷରୁ ମଧ୍ୟ ନିର୍ବାଚନ ଇସ୍ତାହାର ରେ ଉଲ୍ଲେଖ ଅଛି ଯେ ..."ନୂଆ ସରକାର ଗଠନ ହେଲା ପରେ ଗାଈ ହିଁ ଜାତୀୟ ପଶୁ ବୋଲି ଘୋଷଣା କରାଯିବ ।ସବୁ ତ ଡେରି ରେ ହେଉଛି,ଆଉ କେଉଁ ବଡ କଥା ଯେ !"
ଏବେ ଗାଈ ପାଇଁ ଆଚ୍ଛା ଦିନ ଅପେକ୍ଷା କରି ରହିଛି....
