ସେଇ ଗାଁ ଧାନ ସାଉଁଟି
ସେଇ ଗାଁ ଧାନ ସାଉଁଟି
ଦୀର୍ଘଦିନର ବ୍ୟବଧାନ ପରେ ମାଧବ ଗାଁ କୁ ଯିବାର ସୁଯୋଗ ଆସିଛି । ସହର ରେ ରହି ପାଠ ପଢ଼ିବା ସହ ଭଲ ଚାକିରୀ ଖଣ୍ଡିଏ ପାଇ,ପୁଣି ସେହି ସହରୀ ଜୀବନ ଭିତରେ ଅଣ-ନିଃଶ୍ୱାସୀ ହେବା ବ୍ୟତୀତ ଅନ୍ୟ ଉପାୟ ନାହିଁ।
ମାଧବ ର ବିବାହ ପାଇଁ ଝିଅ ଖୋଜା ଚାଲିଛି।ଅନେକ ପ୍ରସ୍ତାବ ଆସୁଛି, କିନ୍ତୁ ମାଧବ ର ଏକା ଜିଦ୍ ଗାଁ ଝିଅ ଟିଏ ବାହା ହେବ।
ମାଧବ ଗାଁ ରେ ପହଞ୍ଚିଲା ପୁଣି ଖରା ବେଳ ସମୟରେ।ବହୁ ଦିନରୁ ଗାଁ ସହିତ ସମ୍ପର୍କ ନ ଥିଲା।ଗାଁ ମୁଣ୍ଡ ବିଲ ଭିତରେ କେତେ ଜଣ ଝିଅ ନଇଁ ପଡ଼ି କିଛି ସଂଗ୍ରହ କରୁଥିବା ଦେଖି ମନରେ କୌତୁହଳ ଜାତ ହେଲା।ବିଲରେ ତ ଧାନ ନାହିଁ,ପ୍ରାୟ ଅମଳ ପ୍ରକ୍ରିୟା ଚାଲୁ ରହିଛି।ମଫସଲ ଝିଅ ମାନେ କ୍ରମେ ଲାଜେଇ ଗଲେଣି,ଯେହେତୁ ମାଧବ ସେମାନଙ୍କ ପାଖକୁ ଆସୁଛି।
ଆଉ ବୁଝିବାକୁ ବାକି ରହିଲା ନାହିଁ।ଖଣ୍ଡ ବିଖଣ୍ଡିତ ଧାନ ସିଂଶା ବିଲ ରୁ ସାଉଁଟି ଟୋକେଇ ରେ ଭର୍ତ୍ତି କରୁଛନ୍ତି ସେଇ ଗାଉଁଲୀ ଝିଅ ମାନେ।ବେଶ ଭୂଷା ରୁ ଅତି ଗରିବ ବୋଲି ମନେ ହେଉଛି। ଚାରିଜଣ କମ୍ ବୟସର ଝିଅ ସହିତ ଜଣେ ପ୍ରାପ୍ତ ବୟସ୍କା ଝିଅ ଟିଏ ବି ଅଛି ।ସେ ଝିଅ ଟି ମାଧବ କୁ ଚିହ୍ନି ସାରିଲାଣି।ତେଣୁ ଯଥା ସମ୍ଭବ ମୁହଁ ଲୁଚାଇବାକୁ ଚେଷ୍ଟା କରୁଛି।କାରଣ ହେଲା ତାର ପିନ୍ଧି ଥିବା ଲୁଗା ଖଣ୍ଡିକ।
ମାଧବ କିଛି ସମୟ ସେଠାରେ ରହି ପିଲା ମାନଙ୍କୁ ଲକ୍ଷ୍ୟ କରୁଥାଏ।ସେହି ପ୍ରାପ୍ତ ବୟସ୍କା ଝିଅ କ୍ରମେ ଆକର୍ଷିତ ହେବାକୁ ଲାଗିଲା। ତା'ର ଅସଜଡା ଲୁଗା ଭିତରୁ ଯୌବନର ମହକ ବିଛୁରିତ ହେଉଥିଲା।ହେଲେ କିଛି ପଚାରିବାକୁ ସାହସ ହେଉ ନ ଥିଲା। ପିଲା ମାନଙ୍କ ଭିତରୁ ଗୋଟିଏ ସାନ ପିଲା ମାଧବ କୁ ପ୍ରଶ୍ନ କଲା, '' ବାବୁ,ତୁମର କେଉଁ ଗାଁ,ତୁମେ କଣ ଆଗରୁ ଏମିତି ଧାନ ସାଉଁଟି ଥିବା ପିଲାଙ୍କୁ ଦେଖି ନାହିଁ କି?"..
ମାଧବ ନିଜକୁ ଅସହଜ ମନେ କଲା ।ଫେରି ଆସିବା ପୂର୍ବରୁ ପିଲାଟିର ପ୍ରଶ୍ନରେ କେବଳ କହିଲା, " ଏହି,ଯେଉଁ ଗାଁ ଦେଖା ଯାଉଛି,ସେଇ ମୋର ଗାଁ,ହେଲେ ମୁଁ ଗାଁ ରେ ରହୁ ନାହିଁ,ପିଲା ଦିନରୁ ସହର ରେ ରହୁଛି, ଗାଁ ର ଚାଲି ଚଳନ ବିଷୟରେ ମୋର କିଛି ଧାରଣା ନାହିଁ,ତୁମ ମାନଙ୍କୁ ଏପରି ବିଲ ଭିତରୁ କଣ ସବୁ ଗୋଟେଇ ଟୋକେଇ ଭିତରେ ରଖୁଛ,ତାହା ଜାଣିବା ପାଇଁ ମୁଁ ଏଠି ଅଟକି ଯାଇଛି। ସହର ରୁ ଆସି ଘରକୁ ମଧ୍ୟ ଯାଇ ନାହିଁ, ମୁଁ ହେଉଛି ଏହି ଗାଁର ପୁଜାରୀ ଘର ର ପୁଅ।"
ଏତିକି କହି ମାଧବ ଗାଁ ଭିତରକୁ ଯିବାକୁ ଉଦ୍ୟତ ହେଉଥିବା ବେଳେ, ମାଧବ କହି ଥିବା କଥା ଶୁଣି ସେହି ପ୍ରାପ୍ତ ବୟସ୍କା ଝିଅଟି ମୁହଁକୁ ଲୁଗାରେ ଢାଙ୍କି କହିଲା,"ତୁମେ ମାଧବ ନା !!"
ନିଜ ନାଁ ସେହି ଝିଅ ମୁଖରୁ ଶୁଣି,ମାଧବ ର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ।ଏତେ ଦିନ ପରେ ଗାଁ କୁ ଆସି ପୁଣି ଘର ଭିତରକୁ ଯାଇ ନାହିଁ ,ଅଥଚ ମୋ କଥା ରୁ ମୋ ନାଁ କେମିତି ଜାଣିଲା,ନିଜକୁ ନିଜେ ପ୍ରଶ୍ନ କରିବାକୁ ସମୟ ବି ନ ଥିଲା।ଉତ୍ତର ଦେବାକୁ ହିଁ ହେବ, ହଁ, ମୁଁ ମାଧବ..."ତୁମ ନାଁ କଣ,ତୁମ ଘର କେଉଁଠି,ମୋତେ କିପରି ଚିହ୍ନି ପାରିଲ?"
ସବୁ ପ୍ରଶ୍ନର ଉତ୍ତର କେବଳ ଗୋଟିଏ ବାକ୍ୟରେ ଥିଲା," ମୁଁ ନନ୍ଦିନୀ,ତୁମ ଘର ପଛ ପଟେ ଆମର କୁଡିଆ"
ନନ୍ଦିନୀ ର ନାଁ ଶୁଣି ମାଧବ ଆହୁରି ଆଶ୍ଚର୍ଯ୍ୟ ହେବାକୁ ଲାଗିଲା,ମଝିରେ ମଝିରେ ଗାଁ କୁ ଆସି ସାଙ୍ଗେ ସାଙ୍ଗେ ଅବଶ୍ୟ ଫେରି ଯାଇଛି,ହେଲେ ଆମ ଘର ପଛ ପଟେ ..... ନା, ନା ..କିଛି ମନେ ପଡୁନି। ନନ୍ଦିନୀ କୁ ଆହୁରି ନିରେଖି ଦେଖିବାକୁ ଇଛା ହେଲା।କ୍ରମେ ନନ୍ଦିନୀ ପ୍ରତି ସମବେଦନା ର ଭାବନା ଜାଗ୍ରତ ହେବାକୁ ଲାଗିଲା। ନନ୍ଦିନୀ ଦେହରେ ଯୌବନ ର ଢେ଼ଉ । ମାଧବ ନିଜକୁ ନିଜେ ସଞ୍ଜତ ହେବା ସହ ଗାଁ ଭିତରକୁ ଯିବାକୁ ଉଦ୍ୟତ।କିଛି ମନେ ନାହିଁ ବୋଲି ଅଭିନୟ କରି ନନ୍ଦିନୀ କୁ ଜଣେଇ ଦେଲା,
" ମୋର କିଛି ମନେ ପଡୁ ନାହିଁ,ଘରକୁ ଗଲେ ଜଣା ପଡ଼ିବ"....ଏତିକି କହି ମାଧବ ନିଜ ଘର ମୁହାଁ।
ଘର ଭିତର କୁ ଯିବା ପୂର୍ବରୁ ,ଘରର ପଛ ପଟ କୁଡିଆ ଘର କୁ ଲକ୍ଷ୍ୟ କରି ମାଧବ ନିଜ ମାଆ କୁ ପଚାରିଲା,"ସେଇ କୁଡ଼ିଆ ଘରେ କିଏ ରହୁଛି! "
ମାଆ କିନ୍ତୁ ବିରକ୍ତ ହୋଇ କହିଲେ, "ଆରେ ବାବା,ଏତେ ଦିନ ପରେ ଗାଁ କୁ ଆସିଛୁ, ଘର ଭିତରକୁ ନ ଯାଇ,ଘର ପଛ ପଟ କୁଡିଆ ଘର ପ୍ରତି କାହିଁକି ପଚାରୁ ଅଛୁ । ଠିକ୍,ଅଛି.. ହାତ ଗୋଡ ଧୋଇ ଟିକିଏ ଆରାମ କର,ମୁଁ କିଛି ଖାଇବା ପାଇଁ ପ୍ରସ୍ତୁତ କରିଛି,ଖାଇ ସାରିଲା ପରେ ସବୁ କହିବି, ଗାଁ ସାରା ଖବର ଗୋଟି ଗୋଟି କରି କହିବି।"
ମା ହାତ ତିଆରି ସୁଆଦିଆ ଖାଦ୍ୟ ଖାଇ ସାରିଲା ପରେ,ପୁଣି ସେଇ ପଛ ପଟ କୁଡିଆ ବିଷୟ ରେ ମାଧବ ର ଜିଜ୍ଞାସା...
ଏଥର ମାଆ କହିବାକୁ ଲାଗିଲା..." ତୋର ମନେ ନ ଥିବ ବୋଧେ, ଆମ ପଛ ପଟ କୁଡ଼ିଆରେ ଗୋଟିଏ ଗରିବ ପରିବାର ରହନ୍ତି,ମୂଲ ଲାଗି ଚଳୁ ଛନ୍ତି, ଆଜକୁ ପଚିଶି ବର୍ଷ ହେଲା ସେମିତି ରହିଛନ୍ତି।ତାଙ୍କର ପିଲା ପିଲି ନାହାନ୍ତି କହିଲେ ଭୁଲ୍ ହେବ,ଏକ ପରିତ୍ୟକ୍ତ ଝିଅ ,ଯାହାକୁ କେହି ଜନ୍ମ ଦେବାର କିଛି ଘଣ୍ଟା ପରେ ଆମ ଗାଁ ମନ୍ଦିର ପାଖରେ ଛାଡି ଯାଇ ଥିଲେ,କେହି ନେବାକୁ ରାଜି ନ ହେବାରୁ ଆମ ପଛ ପଟେ ରହୁଥିବା ସେଇ ନିଃସନ୍ତାନ ଦମ୍ପତି ପିଲାଟିକୁ ନେଇ ଲାଳନ ପାଳନ କରୁଛନ୍ତି।ଏବେ ସେଇ ଝିଅ ପିଲା ବଡ ହୋଇ ଗଲାଣି"।
ମା ମୁହଁରୁ କଥା ନ ସରୁଣୁ ମାଧବ କହିଲା,"ସେଇ ଝିଅ ର ନାଁ ନନ୍ଦନି ନୁହଁ ତ! "
ହଁ ତା ନାଁ ନନ୍ଦିନୀ, ମାଆ ଆଶ୍ଚର୍ଯ୍ୟ ହୋଇ ମାଧବ ମୁହଁକୁ ଚାହିଁ ପ୍ରଶ୍ନ କଲେ,'' ତୁ କେମିତି ତା ' ନାଁ ଜାଣିଲୁ ବାବା"।
ଏକ ଅପରାଧୀ ଭଳି ମୁଣ୍ଡ ତଳକୁ କରି ମାଧବ କହିବାକୁ ଲାଗିଲା, ''ଗାଁ ଭିତରକୁ ଆସିବା ପୂର୍ବରୁ କିଛି ଝିଅ ବିଲ ଭିତରେ ନଇଁ ପଡ଼ି କଣ ସଂଗ୍ରହ କରୁଛନ୍ତି ଜାଣିବା ପାଇଁ,ମୁଁ ବିଲ ଭିତରକୁ ଯାଇ ଥିଲି, ସେଠି ଥିବା ପିଲାଙ୍କ ମଧ୍ୟରୁ ତୁମେ କିଏ ପଚାରିବାରୁ ମୁଁ ବାପାଙ୍କ ନାଁ କହିଲି,ଆଉ ବାପାଙ୍କ ନାମ ଶୁଣି ସେହି ବଡ ଝିଅ ଟା, ଯା'ର ନାଁ ନନ୍ଦିନୀ ମୋତେ ଚିହ୍ନିଲା ପରି କହିଲା ମୁଁ ମାଧବ।ମୋ ନାମ କେମିତି ଜାଣିଲୁ ତାକୁ ପଚାରିବାରୁ ,ସେ ଆମ ଘର ପଛ ପଟେ ରହୁଛି କହିଲା। ଏତିକିରେ ମୁଁ ତା ନାଁ ନନ୍ଦିନୀ ବୋଲି ଜାଣିଛି।"
ମାଧବ ମୁଖରୁ ନନ୍ଦିନୀ କଥା ଶୁଣି ମାଆ ହସିଲେ ଓ କହିଲେ,"ସେ ବହୁତ ଭଲ ଝିଅ,ସୁନ୍ଦର ବି, ତୁ ତ ନିଜେ ଦେଖିଲୁ' ମୁଁ ଆଉ କଣ ଅଧିକ କହିବି ଯେ...
ହେଲେ ବିଚାରୀ ଗରିବ ଘରର ଝିଅ ହୋଇ ଭଲ ଖଣ୍ଡେ ପିନ୍ଧିବାକୁ ପାଉ ନାହିଁ।ବାପା ମା ମୂଲ ଲାଗି ଯାଉଛନ୍ତି,ଆଉ ନନ୍ଦିନୀ ବି କିଛି ନା କିଛି ସାହାଯ୍ୟ କରୁଛି,ତାକୁ ମନା କରି ଥିଲି ସେ ଧାନ ସାଉଁଟି-ବାକୁ ନ ଯିବାକୁ,ହେଲେ ସେ ପିଲାମାନଙ୍କ ସହିତ ସାଥୀ ହୋଇ ଏମିତି ହୁଣ୍ଡି ପରି ହେଉଛି।"
ମାଧବ ଏଥର ସାହସ ଜୁଟାଇ କହିଲା," ମା , ମୁଁ ନନ୍ଦିନୀ କୁ ବିବାହ କଲେ କିଛି ଆପତ୍ତି ଅଛି କି?
ମୋ ମନ କଥା କହିଲି,ଝିଅ ସୁନ୍ଦର ଅଛି,ବାହା ହେଲା ପରେ ସେ ମୋ ସହିତ ରହିବ।ବାପା ମନ୍ଦିର ରୁ ଆସିଲେ ଏହି କଥା ଆଲୋଚନା ହେଉ।"
ମାଧବ ର କଥା ଶୁଣି ମାଆ ନିର୍ବାକ। ହେଲେ ଗୋଟିଏ ବୋଲି ପୁଅର ପସନ୍ଦ ପୁଣି।କେତେ ପ୍ରସ୍ତାବ ନାକଚ ହୋଇଛି ।ମାଧବ କୁ ହଁ,ନାହିଁ କିଛି ନ କହି ମାଆ ଅନ୍ୟ କିଛି କାମ ଅଛି କହି କଥାର ମୋଡ ବଦଳାଇବାକୁ ଲାଗିଲେ।
କ୍ରମେ ସନ୍ଧ୍ୟା ହେଲା।ନନ୍ଦିନୀ ଘରକୁ ଆସି ସଫା ସୁତୁରା ହୋଇ,ଭଲ ଲୁଗା ଖଣ୍ଡିଏ ପିନ୍ଧି ମାଧବ ର ଘର ମୁହଁ ରେ ହାଜର।ନନ୍ଦିନୀ କୁ ଦେଖି ମାଧବ ର ମାଆ ଘର ଭିତରକୁ ଡ଼ାକି ନେଇ ରୋଷେଇ କାମରେ ସାହାଯ୍ୟ କରିବାକୁ କହିଲା।
ମାଧବ ଅତି ନିକଟ ରୁ ନନ୍ଦିନୀ କୁ ଦେଖିବାର ସୁଯୋଗ ମିଳିଲା।ନନ୍ଦିନୀ ର ମନ ବି ଉଛନ ।
କ୍ରମେ ରାତି ବେଶି ହେଲାଣି।ମାଧବ ର ବାପା ମନ୍ଦିର ବନ୍ଦ କରି ଘର କୁ ଆସିଲେଣି।ଆଉ ମାଧବ ର ମାଆ ମୁଖରୁ ନନ୍ଦିନୀ କଥା ବି ଶୁଣିଲେଣି।
କେବଳ ଫଳା ଫଳ ଅପେକ୍ଷାରେ ମାଧବ।
ସକାଳୁ ଫଳାଫଳ ପ୍ରକାଶ ପାଇଛି । ମାଧବ ବାବୁ ସହରୀ ଢାଞ୍ଚାରେ ଶୋଇଛନ୍ତି।ସକାଳ ଆଠ ଟା ହେଲାଣି।ବୋଧେ ବିଚରା ସପନ ଦେଖୁଛି....
ଶେଷ ଦୃଶ୍ୟରେ ନନ୍ଦିନୀ ଚା କପେ ଧରି,ବାବୁ ଚା ନିଅ କହି ମୁଣ୍ଡ ତଳକୁ କରି ଲାଜେଇ ଛିଡ଼ା ହୋଇଛି।
ଧାନ-ସାଉଁଟି ଏବେ ଧନ-ସାଉଁଟିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ମାଧବ ର ଘର ପଛ ପଟରୁ କିଏ ଜଣେ କହି ଚାଲିଛି...''ଭଗବାନ ମାଧବକୁ ଭଲ ମଣିଷ ଭାବେ ଏ ଦୁନିଆ କୁ ପଠେଇଛନ୍ତି, ଗରିବ ଝିଅ ମୁହଁରେ ହସ ଫୁଟାଇ ମହତ କାର୍ଯ୍ୟ କରିଛନ୍ତି, ଜୀବନରେ ମଙ୍ଗଳ ହିଁ ମଙ୍ଗଳ ହେଉ ' '
ସେଇ ଗାଁ ଧାନ ସାଉଁଟି ଝିଅ ଆଜିକାଲି ଚର୍ଚ୍ଚାର
ବିଷୟ ।

