ସେହି ସାଇକେଲର ମୋହ
ସେହି ସାଇକେଲର ମୋହ


ଚାରିଚକିଆ ଓ ଦୁଇଚକିଆ ଯାନ ଉପରେ ମଣିଷ ଏତେ ନିର୍ଭରଶୀଳ ହେଉଛି ଯେ ମୂହୁର୍ତ୍ତେ ତାକୁ ଛାଡି ରହିପାରୁନି। ପାଖ ବଜାରକୁ ଗଲେ ବି ଗାଡି ନେଇ ଯିଵାକୁ ପଡୁଛି ।ଗଳିକନ୍ଦି,ସହର ଵଜାର ଚାରିଆଡ଼େ ଖାଲି ଚାରି ଚକିଆ ଦୁଇଚକିଆ ଯାନର ପ୍ରଵଳ ଭିଡ। ପହଣ୍ଡେ ଚାଲିକି ଯିବାପାଇଁ ନିଜକୁ ବହୁତ କଷ୍ଟକର ବୋଧ ହେଉଛି।କିନ୍ତୁ ଵର୍ତମାନର ଏହି ଲକ୍ ଡାଉନ ଅବସ୍ଥାରେ ବିଭିନ୍ନ ଗାଡି ନେଇ ବଜାରକୁ ଗଲେ ପୁଲିସ ଜବତ କରୁଥିବାରୁ ଲୋକେ ସାଇକେଲରେ ଯିବାକୁ ନିରାପଦ ମଣୁଛନ୍ତି। ସାଇକେଲ ଚଲାଇବା ଓ ପାଦରେ ଚାଲିବା ସତେ ଯେମିତି ପୁରୁଣାକାଳିଆ ଅଭ୍ୟାସ ଦୋହୋଇରାଇ ଦେଇଛି। ସାଇକେଲ ଚଲାଇବାକୁ ନେଇ ମୋର ମନେପଡିଗଲା ଅତୀତର ସେହି ସ୍ମୃତି ସବୁ। ଅତି ପ୍ରିୟର ଥାଏ ମୋର ସେହି ବି.ଏସ୍.ଏ.ବି.ଏସ୍.ଏଲ୍.ଆର୍ ସାଇକେଲଟି । ଆଖି ଆଗରେ ନାଚିଉଠୁଛି ସେ ସମୟର ସଵୁକଥା ଗୋଟି ଗୋଟି ।ମୁଁ ଯେତେବେଳେ ନବମ ଶ୍ରେଣୀରେ ପାଠ ପଢୁଥିଲି ସେ ସାଇକେଲଟି ମୋ ପାଇଁ ଅଣାଯାଈଥିଲା।ତାକୁ ନେଇ ସବୁବେଳେ ମୁଁ ସ୍କୁଲକୁ ଯାଏ।ପ୍ରକୃତରେ ସିଏ ମୋର ସାଥୀଟିଏ ପରି ଥିଲା।ସିଏ ମତେ ବାଟ କଡାଉଥିଲା ଏବଂ ରାସ୍ତାବି ଦେଖାଉଥିଲା।କେତେ ଖୁସି ଲାଗୁଥିଲା ସେ ସମୟ। ଗଣିତ ସାରଙ୍କ ଟ୍ୟୁସନରୁ ଇଂରାଜୀ ସାରଙ୍କ ଟ୍ୟୁସନ , ସେଠୁଁ ପୁଣି ସ୍କୂଲ , ସ୍କୁଲରୁ ଆସି କଣ ଗଣ୍ଡେ ଖାଇ ଦେଇ ପୁଣି ସଂସ୍କୃତ ସାରଙ୍କ ଟ୍ୟୁସନକୁ । ପୁଣି ସେଠୁଁ ଆସି ସିଧା ଘରକୁ।ମୋ ସାଇକେଲ ଚଲାଇବା ଦେଖି ମୋ ଟ୍ୟୁସନ ସଂସ୍କୃତ ସାର୍ କହନ୍ତି ଶତପସ୍ଥେ ସାଇକେଲ ଧରି ଉଡୁଛନ୍ତି।ସେ ସାର୍ ଥଟ୍ଟାରେ ମତେ ସତପଥୀ ସ୍ଥାନରେ ସତପସ୍ତେ କହନ୍ତି। ଆମ ଘରୁ ବାହାରି ମୁଁ ପାଞ୍ଚ ମିନିଟ୍ ରେ ସ୍କୁଲରେ ପହଞ୍ଚିଯାଏ।ପନ୍ଦର ମିନିଟ୍ ଯାଗାରେ ମତେ ପାଞ୍ଚମିନିଟ୍ ଲାଗେ।ପ୍ଲାଇଟ୍ ରେ ଉଡିଲାପରି ଲାଗେ। ନିତି ତାକୁ ମୁଁ ମୋ ନିଜ ହାତରେ ସାମ୍ପୁ ଲଗାଇ ଧୋଇ ପୋଛାପୋଛି କରେ।ଦାଗ ଟିକେ ଲାଗିବାକୁ ଦିଏ ନାହିଁ।ସବୁବେଳେ ଚକଚକ ଦିଶୁଥାଏ।ନାଲି କପଡାର ଡୋରି ଗୋଟେ ବାନ୍ଧିଥାଏ ।ବହୁ ଜଣକର ଉପକାରରେ ମଧ୍ୟ ମୋ ସାଇକେଲଟି ଆସିଛି।ମୁଁ ସ୍କୁଲ ଯିବାସମୟରେ ରାସ୍ତାରେ କୌଣସି ସାଙ୍ଗ ଚାଲିକି ଯିବା ଦେଖିଲେ ତାକୁ ସାଇକେଲରେ ବସାଇ ନେଇ ସ୍କୁଲରେ ଛାଡିଦିଏ।ଘରକୁ ଫେରିବା ସମୟରେ ମଧ୍ୟ ପ୍ରାୟ ସବୁ ସାଙ୍ଗକୁ ସାହାର୍ଯ୍ୟ କରେ ଏପରି ଭାବେ। କେତେ ବହିର ଭାର ବୋହିଛି
ମୋ ସାଇକେଲ।ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉର୍ତ୍ତିଣ୍ଣ ହୋଇ ଯେତେବେଳେ କଲେଜ ଯାଇଥିଲି ସାଇକେଲଟି ମୋର ଅଧିକ ବହିର ବୋଝ ସମ୍ଭାଳିଥିଲା ।ଅବିରାମ ଭାବେ ଦ୍ବାଦଶ ଶ୍ରେଣୀଠୁ ଆରମ୍ଭ କରି ସ୍ନାତକ ଏବଂ ସ୍ନାତକୋତ୍ତର ଯାଏଁ।ମୁଁ ତାକୁ ଯେତେ ଚାଳନା କରୁଥାଏ ସେ ତୀବ୍ର ଗତିରେ ଦୌଡୁଥାଏ। କିନ୍ତୁ ବର୍ତ୍ତମାନ ସାଇକେଲଟିକୁ ଦେଖି ଆଦୌ ଚିହ୍ନି ହେଉନି। ମୁଁ ଯେତେ ବେଳେ ଘରକୁ ଯାଏ, ସାଇକେଲଟିକୁ ଦେଖି ନିଜକୁ ନିଜେ ଵହୁତ ଖୁସି ଅନୁଭବ କରେ ଯାହାହେଉ ମୋ ସାଇକେଲଟି ସେମିତି ସାଇତା ହୋଇ ରହିଛି ଏକ କାନ୍ଥକୁ ଆଉଜା ହୋଇ।ମୁଁ ସେଥିରେ ବସିବାକୁ ଚେଷ୍ଟା କରେ। କିନ୍ତୁ ତାର ପୂର୍ବଭଳି ଆଉ ଅବସ୍ଥାରେ ନାହିଁ ପରସ୍ତେ ଧୂଳି ଜମାଟ ଵାନ୍ଧି ରହିଛି ।ସାଇକେଲର ଚକାରେ ଲାଗି ଥିବା ରିମ୍ ଦୁଇଟି ଏବଂସ୍ପୋକ ଗୁଡ଼ିକ ଜଙ୍କ ଖାଇ ନଷ୍ଟ ହୋଇ ଗଲାଣି।ଟାୟାର ଦୁଇଟି ଘସରା ହୋଇ ଫାଟି ଗଲାଣି। ସେଥିରୁ ଅନୁମାନ କରାଯାଇ ପାରେ ଟ୍ୟୁବର ଅବସ୍ଥା ଯାହାଥିବ। ସିଟ କଭରର ମେରୁନ କଲର ଛାଡି ପୁରାପାଞ୍ଚ ଛଅ ଯାଗାରେ ଫଟାଚିରା।ସାଇକେଲର ଘଣ୍ଟିଟି ସହ ପେଡାଲ ଦୁଇଟିର ଅବସ୍ଥାବି ଖରାପ ।ଭାଇଙ୍କର ପିଲାମାନେ ମୋର ସେହି ପୁରୁଣା ସାଇକେଲ ସହ ସବୁବେଳେ ଲାଗନ୍ତି। ସେମାନେ ନିଜ ସାଇକେଲ ମାନଙ୍କରେ ପମ୍ପ ଦେବା ବେଳେ ମୋ ସାଇକେଲରେ ମଧ୍ୟ ପମ୍ପ ଟିକେ ଦେଇ ଦିଅନ୍ତି।ସିଟ୍ ଉପରେ ବସି ଚଲାଇଲା ବେଳକୁ ସଙ୍ଗେ ସଙ୍ଗେ ପମ୍ପତକ ଫୁସ୍ ହୋଇ ବାହାରିଯାଏ। ମତେ ଘରଲୋକ ଥଟ୍ଟା ପ୍ରକାଶ କରି ହସନ୍ତି ତୁ ଏବେବି ତୋ ସାଇକେଲକୁ ଭଲପାଉଛୁ? ନିଜ ପାଖରେ ଦୁଇଚକିଆ,ଚାରିଚକିଆ ପାଞ୍ଚସାତଟି ଗାଡି ରଖି ମଧ୍ୟ! କଣ ମୋହ ଲାଗିଛି ତା ପ୍ରତି।ଯଦି ଏତେଭଲ ଲାଗୁଛି ତତେ ତାହା ହେଲେ ତୋ ସାଥିରେ ତାକୁ ନେଇଯାଉନୁ। ସତରେ ମତେ ଆଣିବାକୁ ଇଛାହୁଏ କିନ୍ତୁ..... ଲାଜ ମାଡେ।ଏ ସାଇକେଲର ଯାହା ଅବସ୍ଥା ହୋଇଛି ତାକୁ ଚଲାଇ ମୁଁ କଣ ବାହାରକୁ ଯାଇପାରିବି? ମତେ ଲାଜମାଡିବନି?ସମସ୍ତେ କହିବେ କଣ?ପାଖରେ ଏତେ ଗାଡି ଥାଇ ଏ ସାଇକେଲ ଚଲାଉଛି! ପୁରୁଣା ଜିନିଷ ଯେତେ ଖରାପ ହେଲେ ମଧ୍ୟ ତା ପ୍ରତି ମୋହ କାହିଁକି ତୁଟେ ନାହିଁ। ଖରା,ବର୍ଷାଶୀତ ସହି ସାଇକେଲଟି ଅବିରତ ଗତିରେ ଦୌଡୁଥିଲା ମୋ ସହ। ତାର କୌଣସି ଭୁଲ ନୁହଁ ମୁଁ ଯେତେବେଳେ ତାଠୁ ଦୂରେଇ ଗଲି ତାର ଅବସ୍ଥା ଏଭଳି ହୋଇଯାଇଛି। ଆଜି ପୁଣି ତାକୁ ଭାରି ମନେପଡୁଛି।