ସୌଭରି ଋଷି ଚରିତ
ସୌଭରି ଋଷି ଚରିତ
କୁରୁକ୍ଷେତ୍ର ରଣଭୂମିରେ ବିଷାଦଗ୍ରସ୍ତ ଅର୍ଜୁନ ଅସ୍ତ୍ର ତ୍ୟାଗ କରି ମୌନ ହୋଇ ବସି ଥାନ୍ତି l ଭଗବାନ ଶ୍ରୀକୃଷ୍ଣ ତାଙ୍କୁ ଯୁଦ୍ଧରେ ପ୍ରବୃତ୍ତ ହେବାପାଇଁ ଗୀତା ଉପଦେଶ ଦେଇ ଚାଲି ଥାନ୍ତି l ଭଗବାନ ସାଂଖ୍ୟ ଯୋଗରେ ପାର୍ଥଙ୍କୁ ଇନ୍ଦ୍ରିୟମାନଙ୍କୁ ବଶ ମଧ୍ୟରେ ରଖିବା କଥା ବୁଝାଇ କହିଲେ :-
ଯତତୋହ୍ୟପି କୌନ୍ତେୟ ପୁରୁଷସ୍ୟ ବିପଶ୍ଚିତଃ l
ଇନ୍ଦ୍ରିୟାଣି ପ୍ରମାଥୀନି ହରନ୍ତି ପ୍ରସଭଂ ମନଃ ll
ଅର୍ଥାତ୍ ହେ କୌନ୍ତେୟ ! ଆସକ୍ତି ନାଶ ନ ହୋଇ ଥିବାରୁ ଏ ପ୍ରମଥନ ସ୍ଵଭାଵ ବିଶିଷ୍ଟ ଇନ୍ଦ୍ରିୟମାନେ ଏତେ ଶକ୍ତିଶାଳୀ ଯେ ଜଣେ ଯତ୍ନଶୀଳ ବୁଦ୍ଧିମାନ ପୁରୁଷଙ୍କର ମନକୁ ସେମାନେ ବଳପୂର୍ବକ ହରଣ କରିନିଅନ୍ତି l ଇନ୍ଦ୍ରିୟ ଗୁଡ଼ିକ ହେଉଛନ୍ତି ଅମାନିଆଁ ଲଗାମଛଡ଼ା ଅଶ୍ୱସଦୃଶ l ତାଙ୍କୁ ଶୃଙ୍ଖଳିତକରିବା ପାଇଁ ସାଧକକୁ ନିଜ ଇନ୍ଦ୍ରିୟ ମାନଙ୍କୁ ବଶ କରିବା ପାଇଁ ପଡ଼ିବ l ଇନ୍ଦ୍ରିୟ ମାନଙ୍କର ଯୋଗୀ ମାନଙ୍କୁ ମଧ୍ୟ ଭ୍ରଷ୍ଟ କରିବାର ଶକ୍ତି ଅଛି l ଏହି ଶ୍ଳୋକଟିକୁ ବୁଝାଇବା ପାଇଁ ପଣ୍ଡିତ ମାନେ ଶ୍ରୀମଦ୍ ଭାଗବତ ମହାପୁରାଣରେ ବର୍ଣ୍ଣିତ ସୌଭରିଋଷିଙ୍କ କାହାଣୀ କହିଥାନ୍ତି l ଏହା ଶ୍ରୀମଦ ଭାଗବତର ନବମ ସ୍କନ୍ଧ ଷଷ୍ଠ ଅଧ୍ୟାୟରେ ବର୍ଣ୍ଣିତ ହୋଇଛି l
ପ୍ରାଚୀନ କାଳରେ ସୌଭରି ନାମକ ଜଣେ ପ୍ରସିଦ୍ଧ ଋଷି ଥିଲେ l ସେ ଋଷି ଜଣେ ସିଦ୍ଧତପା ଯୋଗୀ l ୠଗ୍ବେଦରେ ଏହାଙ୍କ ନାମରେ "ସୌଭରି ସୂତ୍ର" ବୋଲି ଏକ ମନ୍ତ୍ର ଅଛି,ସୌଭରି ସଂହିତା ନାମକ ଏକ ସଂହିତା ମଧ୍ୟ ତାଙ୍କ ନାମରେ ଅଛି l ତାଙ୍କର ଶରୀର ଉପରେ ଏତେ ନିୟନ୍ତ୍ରଣ ଥିଲା ଯେ,ସେ ଯମୁନା ଜଳରେ ବୁଡ଼ି ରହି ତପସ୍ୟା କରୁଥିଲେ l ଦିନେ ସେ ଦେଖିଲେ ଏକ ମାଛ ତାହାର କୁଟୁମ୍ବ ମାନଙ୍କୁ ଧରି ଯମୁନାଜଳରେ କ୍ରୀଡ଼ା କରୁଛି ଏବଂ ପତ୍ନୀ ସହ ମୈଥୁନରତ ଅଛି l ମୈଥୁନରତ ମତ୍ସ୍ୟ ଯୁଗଳଙ୍କୁ ଦେଖି ସୌଭରିଙ୍କ ମନ ବିଚଳିତ ହୋଇ ଗଲା l ତାଙ୍କ ମନରେ କାମଭାବ ଜାତ ହେଲା ଓ ଯୌନ ସମ୍ଭୋଗର ଇଚ୍ଛା ଜାଗିଉଠିଲା l ଇଚ୍ଛାପୂର୍ତ୍ତି ଅଭିଳାଷରେ ସେ ତପସ୍ୟା ପରିତ୍ୟାଗ କରି ଜଳ ମଧ୍ୟରୁ ବାହାରି ଆସିଲେ l
ସେତେବେଳେ ଅଯୋଧ୍ୟାରେ ରାଜପଣ କରୁଥିଲେ ଇକ୍ଷାକୁବଂଶର ଯଶସ୍ବୀ ରାଜା ମାନ୍ଧାତା l ଅତ୍ୟନ୍ତ ଧର୍ମ ପରାୟଣ ଶାସକ ଥିଲେ ମାନ୍ଧାତା l ତାଙ୍କର ପଚାଶଗୋଟି ସୁନ୍ଦରୀ କନ୍ୟା ଥିଲେ l ମାନ୍ଧାତାଙ୍କ ନିକଟକୁ ଯାଇ ସୌଭରି ମୁନି ସେହି ପଚାଶ ଜଣ କନ୍ୟାଙ୍କ ମଧ୍ୟରୁ ଜଣକୁ ବିବାହ କରିବାର ପ୍ରସ୍ତାବ ଦେଲେ l
ଜଣେ ବୃଦ୍ଧ ତପସ୍ୱୀ ବିବାହ କରିବାକୁ ଚାହୁଁଛନ୍ତି !ଏହା ଚିନ୍ତା କରି ରାଜା ମାନ୍ଧାତା ଆଶ୍ଚର୍ଯ୍ୟ ହୋଇ ଗଲେ ଏବଂ ସେ ଭାବିଲେ ଋଷିଙ୍କର ବୁଦ୍ଧି ନିଶ୍ଚିତ ଭାବେ ଭ୍ରଷ୍ଟ ହୋଇଯାଇଛି,ମତି ଭ୍ରମ ହୋଇଛି l ସୌଭରି ମୁନି ଜଣେ ତେଜସ୍ୱୀ ଋଷି ଏହା ରାଜା ମାନ୍ଧାତା ଜାଣିଥିଲେ l ତାଙ୍କ ପ୍ରସ୍ତାବକୁ ଉପେକ୍ଷା କଲେ ଋଷି ଅଭିଶାପ ଦେଇ ପାରନ୍ତି, ଏହା ଚିନ୍ତା କରି, ରାଜା ଭୟଭୀତ ହୋଇ ପଡ଼ିଲେ l ଅପର ପକ୍ଷରେ ଯଦି ଏହି ପ୍ରସ୍ତାବକୁ ସେ ସ୍ୱୀକାର କରନ୍ତି ତେବେ ଜଣେ କନ୍ୟାର ଜୀବନ ନଷ୍ଟହୋଇଯିବ l ଏହାକୁ ଚିନ୍ତା କରି ସେ ସୌଭରି ଋଷିଙ୍କୁ କହିଲେ, 'ହେ ସାଧୁମହାତ୍ମା ଆପଣଙ୍କ ପ୍ରସ୍ତାବକୁ ମୁଁ ସମ୍ମାନ ଜଣାଉଛି l ଦୟାକରି ଆସନ ଗ୍ରହଣ କରନ୍ତୁ, ମୁଁ ମୋର ପଚାଶଜଣ କନ୍ୟାଙ୍କୁ ଆପଣଙ୍କ ସମ୍ମୁଖକୁ ଆଣୁଛି,ସେମାନଙ୍କ ମଧ୍ୟରୁ ଯିଏ ଆପଣଙ୍କୁ ବରଣ କରିବ, ତା' ସହିତ ମୁଁ ଆପଣଙ୍କ ବିବାହ କରାଇ ଦେବି l' ମହାରାଜା ମାନ୍ଧାତା ନିଶ୍ଚିନ୍ତ ଥିଲେ ଯେ, ତାଙ୍କର କୌଣସି କନ୍ୟା ମୁନିଙ୍କୁ ବରଣ କରିବେ ନାହିଁ ଏବଂ ଏମିତି ସେ ମୁନିଙ୍କ ଅଭିଶାପରୁ ବର୍ତ୍ତି ଯାଇ ପାରିବେ l
ସୌଭରି ମୁନି ରାଜାଙ୍କର ଏହି ଅଭିପ୍ରାୟକୁ ବୁଝି ପାରିଲେ l ସେ ପରଦିନ ଆସିବେ କହି ରାଜାଙ୍କ ଠାରୁ ବିଦାୟ ନେଇ ଚାଲିଗଲେ l ସନ୍ଧ୍ୟାବେଳେ ନିଜର ଯୋଗବଳରେ ସେ ନିଜକୁ ଜଣେ ସୁନ୍ଦର ଯୁବକରେ ପରିଣତ କଲେ l ତହିଁ ପରଦିନ ସେ ଯେତେବେଳେ ରାଜ ଭବନରେ ପହଞ୍ଚିଲେ ରାଜା ମାନ୍ଧାତାଙ୍କ ପଚାଶ ଜଣ କନ୍ୟା ତାଙ୍କୁ ପତିରୂପେ ବରଣ କଲେ l ରାଜା ବଚନବଦ୍ଧ ଥିଲେ l ତେଣୁ ସେ ସମସ୍ତ କନ୍ୟାଙ୍କୁ ତାଙ୍କ ସହ ବିବାହ କରିବା ପାଇଁ ବାଧ୍ୟ ହେଲେ l ରାଜା କିନ୍ତୁ ଚିନ୍ତିତ ହୋଇ ପଡ଼ିଲେ, ତାଙ୍କର କନ୍ୟା ମାନଙ୍କ ମଧ୍ୟରେ ଏଣିକି କଳହ ସୃଷ୍ଟିହେବ l ତାଙ୍କ ସ୍ୱାମୀଙ୍କୁ ଅନ୍ୟ ମାନଙ୍କ ସହ ଭାଗ କରିବାକୁ ପଡ଼ିବ l କିନ୍ତୁ ସୌଭରି ମୁନି ନିଜ ତପଃ ଶକ୍ତି ପ୍ରୟୋଗ କରି ନିଜକୁ ପଚାଶଟି ଶରୀରରେ ରୂପାନ୍ତରିତ କରିନେଲେ ଓ ପଚାଶଟି ଭବନ ସୃଷ୍ଟିକରି,ପ୍ରତ୍ୟେକ କନ୍ୟାଙ୍କ ସହ ଅଲଗା ଅଲଗା ବାସ କଲେ l ଏହିପରି ଭାବରେ ହଜାର ହଜାର ବର୍ଷ ବିତିଗଲା l ପ୍ରତି ସ୍ତ୍ରୀଙ୍କଠାରୁ ତାଙ୍କର ଶହେ କରି ପାଞ୍ଚହଜାର ସନ୍ତାନ ଜାତ ହେଲେ ଓ ସନ୍ତାନ ମାନଙ୍କର ପୁଣି ସନ୍ତାନ ଜାତ ହୋଇ ଏକ ବିରାଟ ପରିବାର ଓ ବସତି ଗଢ଼ି ଉଠିଲା l ମୁନି ଏହି ଭଳି ଅନେକ ପ୍ରକାରର ବିଷୟ ଭୋଗ କରି ଆନନ୍ଦରେ କାଳାତିପାତ କଲେ l
ଯେତେ ଘିଅ ଢାଳିଲେ ଯେଉଁପରି ଅଗ୍ନି ତୃପ୍ତ ହୁଏ ନାହିଁ,ଏତେ ବିଷୟ ଭୋଗ କରି ମଧ୍ୟ ସୌଭରିଙ୍କ ମନରେ ସନ୍ତୋଷ ମିଳିଲା ନାହିଁ l ଦିନେ ମୁନିଙ୍କ ଚୈତନ୍ୟ ଉଦୟ ହେଲା l ମତ୍ସ୍ୟ ରାଜର କ୍ଷଣିକ ସଙ୍ଗ ଫଳରେ ସେ କିପରି ନିଜର ତପଶ୍ଚର୍ଯ୍ୟାକୁ ହରାଇ ନିଜର ସ୍ୱରୂପକୁ ଭୁଲିଗଲେ ତାହା ଚିନ୍ତା କରିବାକୁ ଲାଗିଲେ l 'ହାୟ,କେଡ଼େବଡ଼ ତପସ୍ୱୀ ମୁଁ ନଥିଲି ! ମୋର କି ଅଧଃପତନ ଘଟି ନଗଲା, ମୋର ବ୍ରହ୍ମ ତେଜ ନଷ୍ଟ ହୋଇ ଗଲା l' ଏମିତି କହି,ସେ ପ୍ରଳାପ କରିବାରେ ଲାଗିଲେ l
ଅହୋ ଇମଂ ପଶ୍ୟତ ମେ ବିନାଶମ୍
ତପସ୍ୱୀନଃ ସଚ୍ଚରିତ୍ର ବ୍ରତସ୍ୟ l
ଅନ୍ତର୍ଜଳେ ବାରିଚର ପ୍ରସଙ୍ଗାତ୍
ପ୍ରଚ୍ୟାବିତଂ ବ୍ରହ୍ମ ଚିରଂ ଧୃତଂ ଯତ୍ ll
ସେ କହି ହେଲେ ଯେ ମୋକ୍ଷକାମୀ ପୁରୁଷମାନେ ସର୍ବଥା ଭୋଗୀ ପ୍ରାଣୀ ମାନଙ୍କ ସଙ୍ଗ ଛାଡ଼ିଦେବା ଉଚିତ, କ୍ଷଣକପାଇଁ ମଧ୍ୟ ଇନ୍ଦ୍ରିୟମାନଙ୍କୁ ଆୟତ୍ତ ବାହାରେ ଛାଡ଼ିଦେବା ଉଚିତନୁହେଁ l ସେ ସର୍ବଦା ଏକାନ୍ତ ରହି ଭଗବାନଙ୍କ ଧ୍ୟାନ କରିବା ଉଚିତ l ଯଦି ସଙ୍ଗ କରିବାର ଆବଶ୍ୟକତା ଉପୁଜେ ତା' ହେଲେ ସେ ଭଗବତ ପ୍ରେମୀ ମହାତ୍ମାଙ୍କ ସହିତ ସଙ୍ଗ କରିବା ଉଚିତ l ବିଷୟାକୁ ସତ୍ୟ ବୋଲି ମଣିବାରୁ ମୋର ବୁଦ୍ଧି ସବୁ ହରଣ ହୋଇଗଲା l ଏବେ ମୋର ମୁକ୍ତି ଦରକାର l
ଏମିତି ବିଚାରକରି ସେ ବୈରାଗୀ ହୋଇ ବଣକୁ ଚାଲିଲେ l ପତ୍ନୀମାନେ ମଧ୍ୟ ତାଙ୍କ ସହ ଗାମିନୀ ହେଲେ l ବନରେ ସେ ଘୋର ତପସ୍ୟା କଲେ ଓ ନିଜ ଶରୀରକୁ ପରମାତ୍ମାଙ୍କ ଠାରେ ଲୀନ କରି ଦେଲେ l ତାଙ୍କର ପତ୍ନୀମାନେ ମଧ୍ୟ ତାଙ୍କରି ଗତି ପ୍ରାପ୍ତ ହେଲେ l ଭାଗବତ ଭାଷାରେ :-
ଏମନ୍ତେ ଭାବି ସେ ଏକାନ୍ତେ l
ତକ୍ଷଣେ ପଶିଲେ ବନସ୍ତେ ll
ପତ୍ନୀ ସମେତେ ତପ ଦାହି l
ଅନ୍ତେ ଲଭିଲେ ଭାବଗ୍ରାହୀ ll
ଏହି ସୌଭରି ଋଷିଙ୍କ ଅଭୟ ପାଇ କାଳୀୟନାଗ ସକୁଟୁମ୍ବ କାଳିନ୍ଦୀ ହ୍ରଦରେ ନିର୍ଭୟରେ ବାସ କରୁ ଥିଲା l ସେ ଭଗବାନ ଶ୍ରୀକୃଷ୍ଣଙ୍କ ସହ ଦ୍ରୋହକରି ପରେ ପରାଜିତ ହୋଇ ସକୁଟୁମ୍ବେ ତାଙ୍କ ଶରଣ ପଶିଲା l ପ୍ରଭୁ ତାକୁ ଅନୁଗ୍ରହ କଲେ ଓ ଫଣାରେ ତା'ର କଠଉ ଚିହ୍ନ ଆଙ୍କି ଦେଲେ l ସେହି ଦିନରୁ ନାଗମାନେ ପ୍ରଭୁଙ୍କ କଠଉଚିହ୍ନ ଫଣାରେ ଧାରଣ କରିଛନ୍ତି l ଏହି ପବିତ୍ର ଗାଥା ଭାଗବତର ଦଶମ ସ୍କନ୍ଧ କାଳୀୟଦଳନ ଲୀଳାରେ ବର୍ଣ୍ଣିତ ହୋଇଛି l
ସେହି ଉପାଖ୍ୟାନ ଅନୁସାରେ ଏକଦା କାଳିନ୍ଦୀ ହ୍ରଦରେ ଗରୁଡ଼ ଅତିଶୟ କ୍ଷୁଧାରୁ ଗୋଟିଏ ମାଛ ଧରି ଖାଇଗଲେ l ମାଛଟି ଥିଲା ମାଛ ମାନଙ୍କର ରାଜା l ଏଣୁ ସବୁ ମାଛ ମିଶି କାଳୀନ୍ଦୀ ତୀରରେ ରହୁଥିବା ସୌଭରି ଋଷିଙ୍କୁ ଯାଇ ଗୁହାରି କଲେ l ଋଷି ଦୟା ପରବଶ ହୋଇ ମାଛମାନଙ୍କ ସୁରକ୍ଷା ପାଇଁ ଗରୁଡ଼ଙ୍କୁ ଏ ହ୍ରଦକୁ ଆସିବା ବାରଣକଲେ l ଅଭିଶାପ ଦେଇ ଗରୁଡ଼ଙ୍କୁ କହିଲେ ତୁ ଏ ହ୍ରଦରେ ପ୍ରବେଶ କଲେ ଅବିଳମ୍ବେ ନାଶ ହେବୁ l କାଳିନ୍ଦୀ ହ୍ରଦ ଗରୁଡ଼ଙ୍କ ବର୍ଜିତ ନିରାପଦସ୍ଥାନ ବିଚାର କରି କାଳୀୟ ନିଜ ପତ୍ନୀ କୁଟୁମ୍ବ ମାନଙ୍କ ସହ କାଳିନ୍ଦୀ ହ୍ରଦରେ ନିର୍ଭୟରେ ବାସ କରୁ ଥିଲା l ଭାଗବତ ଦଶମସ୍କନ୍ଧରେ ସୌଭରି ଋଷିଙ୍କ ଗରୁଡ଼ଙ୍କୁ ଶାପ ଦେବା କଥାରେ କୁହାଯାଇଛି :-
ମୋହର ମନେ ଦେଲୁ ତାପ l
ଉଚିତେ ଘେନ ମୋର ଶାପ ll
କାଳିନ୍ଦୀ ହ୍ରଦେ ନ ପଶିବୁ l
ଜୀବନେ ଯେତେ କାଳ ଥିବୁ ll
ଓଁ ନମଃ
ଭଗବତେ ବାସୁଦେବାୟଃ ।।
