Sambit Srikumar

Action Classics Inspirational

4.7  

Sambit Srikumar

Action Classics Inspirational

ସାର୍ଟିଫିକେଟ୍

ସାର୍ଟିଫିକେଟ୍

4 mins
245



ଦିନେ ଅଫିସରେ କାର୍ଯ୍ୟବ୍ୟସ୍ତ ଥିବା ବେଳେ ଅଜଣା ନମ୍ବରରୁ କଲ୍ ଟିଏ ଆସିଲା। ଟ୍ରୁ କଲର୍ ରେ ନମ୍ବରର ଉପଭୋକ୍ତାଙ୍କ ନାମ ପ୍ରଦର୍ଶିତ ହେଉ ନଥିବାରୁ ମୁଁ ଦୋଦପାଞ୍ଚ ହେଉଥାଏ ଫୋନ୍ ରିସିଭ୍ କରିବାକୁ। କାରଣ ଆଜିକାଲି ବେଳ କାଳ ଯାହା କେତେ ବେଳେ କୋଉ କଥା? ଅଗତ୍ୟା ମୁଁ ଫୋନ୍ ଉଠାଇଲି ନାହିଁ ଡରରେ। ବ୍ୟାଙ୍କିଙ୍ଗ୍ ଫ୍ରଡ୍ କଥା ଭାବିଲେ ତ ଅତ୍ୟନ୍ତ ଅତ୍ଯାବଶ୍ଯକ ସ୍ମାର୍ଟଫୋନଟିକୁ ହିଁ ଛାଡ଼ି ଦେବାକୁ ଇଚ୍ଛା ହୁଏ କେବେ କେବେ। ତାପରେ ଟେଲିମାର୍କେଟିଂ କଲ୍ ଏତେ ବିରକ୍ତିକର ଯେ ନକହିବା ଭଲ।

କିଛି ସମୟ ପରେ ପୁଣି ଗୋଟିଏ କଲ୍ ଆସିଲା ସେହି ଅଜଣା ନମ୍ବରରୁ। ଅଫିସ୍ କାର୍ଯ୍ୟର ଚାପ ହେତୁ ମୁଁ ଆଉ ଆଗ ପଛ ବିଚାର ନକରି ଏଥର ଫୋନ୍ ଉଠାଇଲି ଅତି ତରବରିଆ ଭାବରେ।

ଆରପଟରୁ ଭାସି ଆସିଲା, "ଆଜ୍ଞା! ଶାଶ୍ୱତ ବାବୁ କହୁଛନ୍ତି?"

: ହଁ ଆଜ୍ଞା! ମୁଁ ଶାଶ୍ୱତ କହୁଛି। ଆପଣ କିଏ?

ବଡ଼ ଆଶ୍ଚର୍ଯ୍ୟ ଲାଗୁଥିଲା ମୋତେ! ଅଜଣା ନମ୍ବରରୁ କଲ୍ ରିସିଭ୍ କରିବାକୁ ଡରୁଥିଲି କିନ୍ତୁ ଗୋଟିଏ ସେକେଣ୍ଡରେ ନିଜର ପ୍ରକୃତ ପରିଚୟ ବି ପ୍ରକାଶ କରିଦେଲି ଅଜଣା ଅଶୁଣା ବ୍ଯକ୍ତି ଆଗରେ ବିନା କୌଣସି ଦ୍ବିଧାରେ ବିନା କୌଣସି ପ୍ରଶ୍ନ ପଚାରି।

ଫୋନ୍ ରୁ ଶୁଭୁଥିବା କଣ୍ଠସ୍ବରରେ ମୁଁ ପ୍ରକୃତିସ୍ଥ ହେଲି। ଜନୈକ ମଧ୍ୟବୟସ୍କ ପୁରୁଷର ଗମ୍ଭୀର ଅଥଚ ବିନମ୍ର ସ୍ବର!

: ଆଜ୍ଞା! ଆପଣଙ୍କ ଘର କେଉଁଠି?

ଏହି କଥାରେ ସାମାନ୍ୟ ବିରକ୍ତି ପ୍ରକାଶ କରି ମୁଁ କହିଲି, "ଆପଣ କିଏ କହୁଛନ୍ତି ପ୍ରଥମେ କୁହନ୍ତୁ ତ... ପରେ ମୋ ଘର ଠିକଣା ଜାଣିବେ।"

: ଶାଶ୍ୱତ ବାବୁ! ବିରକ୍ତ କାହିଁକି ହେଉଛନ୍ତି ଆଜ୍ଞା?

: ଆପଣ ତ ମୋର ପରିଚୟ ଜାଣିଲେ, ଏବେ ନିଜର ପରିଚୟ ପ୍ରଦାନ କରିବା ପାଇଁ ଏତେ ଗୌରଚନ୍ଦ୍ରିକା କାହିଁକି? ମୋ ପାଖରେ ସମୟର ଅଭାବ, ଯାହା କିଛି ବି କହିବାର ଅଛି ଜଲଦି କୁହନ୍ତୁ।

: ରାଗନ୍ତୁ ନାହିଁ ଆଜ୍ଞା! ମୁଁ ଭବାନୀପାଟଣାରୁ କହୁଛି। ଭବାନୀପାଟଣାରୁ...

ଅଚାନକ ଆଖି ଆଗରେ ନାଚି ଯାଉଥିଲା ଭବାନୀପାଟଣାର ସ୍ମୃତି ସବୁ। ଝାପ୍ସା ଝାପ୍ସା ମନେପଡ଼ିଲା କିନ୍ତୁ ସଂପୂର୍ଣ୍ଣ ନୁହେଁ। ଏହି ଭବାନୀପାଟଣା ସହରରେ ମୋ ଜୀବନର ପ୍ରଥମ ଚାରି ପାଞ୍ଚଟି ବର୍ଷ ବିତିଛି। ନିରୀହ ସରଳ ଲୋକଙ୍କ ମେଳରେ ଅନାବିଳ ଭଲପାଇବାରେ କଟିଛି ମୋ ପିଲାଦିନ। ଏଣୁ ମୋତେ କିଛି ଅଜବ ଅଜବ ଲାଗୁଥିଲା ଭବାନୀପାଟଣାରୁ ଫୋନ୍ ଆସିଥିବାରୁ। ହେଲେ ମୋ ଜାଣିବାରେ ମୋ କଣ୍ଟାକ୍ଟ ନମ୍ବର କାହା ପାଖରେ ନାହିଁ ସେଠାରେ। ସେତେବେଳର ସମୟ ଓ ଆଜିର ସମୟ ମଧ୍ୟରେ ଆକାଶପାତାଳ ଫରକ। ଚିହ୍ନାଜଣା ଲୋକେ କେତେ ମରିହଜି ଗଲେଣି ଆଉ କିଛି ଚିହ୍ନି ବି ପାଶୋରି ଗଲେଣି। ଆମର ଯେ ଆଉ କୋଉ ମନେ ଅଛି ଯେ ସେମାନଙ୍କ କଥା?

ମୁଁ କହିଲି, "ଆଜ୍ଞା! ଜାଣିଛି ଭବାନୀପାଟଣା, କଳାହାଣ୍ଡି ଜିଲ୍ଲାରେ... ଜିଲ୍ଲାର ସଦର ମହକୁମା ପରା। କେବେ ଆମେ ରହୁଥିଲୁ ସେଠାରେ। ହେଲେ ଏବେ ତ ଆମର ଆଉ ସେଠି କେହି ଚିହ୍ନାଜଣା ବି ନାହାଁନ୍ତି।"

: ନାଇଁ ଆଜ୍ଞା! ଚିହ୍ନାଜଣା ଲୋକ ମୁଁ କହୁନି...

: ତେବେ କିଏ ଆପଣ? ମୋ ମୋବାଇଲ୍ ନମ୍ବର ପାଇଲେ କେମିତି? ମୋ ପାଖରେ ଆପଣଙ୍କର କାମ କଣ? କାହିଁକି ମୋତେ ଫୋନ୍ କରିଛନ୍ତି?

ମୋର କୌଣସି ପ୍ରଶ୍ନର ଉତ୍ତର ନଦେଇ ସେ କହି ଚାଲିଥାନ୍ତି....

: ନାମ - ଶାଶ୍ୱତ କୁମାର ମହାପାତ୍ର

ପିତାଙ୍କ ନାମ - ସିଦ୍ଧାର୍ଥ ଶଙ୍କର ମହାପାତ୍ର

ଜନ୍ମ ତାରିଖ - ୦୧. ୦୬. ୧୯୮୦

ଠିକଣା - କ୍ବାଟର୍ସ ନଂ. ଡି/ ୧୦୪, 

ୟୁନିଟ୍-୬, ଗଙ୍ଗନଗର,  

ଭୁବନେଶ୍ବର, ଓଡ଼ିଶା ll

ମୋବାଇଲ୍ - ୦୯୯୭୭୮୮୬୬୯୯

ସତେ ଯେପରି ମୋ ବିଷୟରେ ସବୁ କିଛି ଜାଣିଥିଲେ ସେହି ଭଦ୍ର ବ୍ଯକ୍ତି। ମୋ ମନରେ ବେଳକୁ ବେଳ ଭୟ ବଢ଼ୁଥାଏ। ଛାତି ଧଡ଼ପଡ଼ ହେଉଥାଏ। ରହସ୍ୟମୟ ଲୋକଟି ସମ୍ବନ୍ଧରେ ଜାଣିବା ପାଇଁ ଉତ୍କଣ୍ଠା ସୃଷ୍ଟି ହେଉଥାଏ। ମାତ୍ର କାର୍ଯ୍ୟବ୍ୟସ୍ତତା ହେତୁ ଏତେ ଲମ୍ବା ସମୟ କଥା ହେବାକୁ ମୋର ଧୈର୍ଯ୍ୟ ମଧ୍ୟ ନଥାଏ।

ଏଣୁ ମୁଁ ବିରକ୍ତ ହୋଇ କହିଲି, "ଯଦି ମୋ ପ୍ରଶ୍ନର ଉତ୍ତର ଦେବେ ତ ଦିଅନ୍ତୁ ନହେଲେ ମୁଁ ଫୋନ୍ କାଟୁଛି..."

: ଆଜ୍ଞା ଶୁଣନ୍ତୁ ଆଜ୍ଞା! ଫୋନ୍ କାଟନ୍ତୁ ନାହିଁ ପ୍ଲିଜ୍...

: ତେବେ ମୋତେ ଗୋଟିଏ କଥା କୁହନ୍ତୁ ମୋ ବିଷୟରେ ଆପଣ ଏତେ ସବୁ ତଥ୍ଯ ଜାଣିଲେ କେମିତି? ଆପଣ ତ ଆମର ଚିହ୍ନାଜଣା ଲୋକ ବି ନୁହଁନ୍ତି...

ବଡ଼ ରୁକ୍ଷ ଭାବେ କହି ଦେଲି ତାଙ୍କୁ ଏସବୁ ଏକା ନିଶ୍ଵାସକେ। ପରେ ନିଜକୁ ସମ୍ଭାଳି ନେଇ ଭାବିଲି ହୁଏତଃ ମୋର ବିବାହ ନିମନ୍ତେ କନ୍ଯା ପକ୍ଷରୁ ପ୍ରସ୍ତାବ ଆସିଥିବ ଆଉ ସେଥିପାଇଁ ଏହି ଅନୁସନ୍ଧାନ ଚାଲିଛି ଫୋନ୍ କଲରେ! ଏକଥା ଚିନ୍ତା କରିବା ମାତ୍ରେ ମୋର ସେହି ଅଜ୍ଞାତ ଭଦ୍ର ବ୍ଯକ୍ତିଙ୍କ ନିମନ୍ତେ ଗଭୀର ସମ୍ମାନ ଜାତ ହେଲା କ୍ଷଣିକରେ। ବିରକ୍ତି ଭାବ ଦୂରେଇଗଲା ସଂପୂର୍ଣ୍ଣ ଭାବେ।

ଫୋନ୍ ରେ ସେ କହୁଥାନ୍ତି, "ଆଜ୍ଞା ଶାଶ୍ୱତ ବାବୁ! ଆପଣ ଗର୍ମେଣ୍ଟ୍ ସର୍ଭିସ୍ କରୁଛନ୍ତି ତ?"

ଏକଥା ଶୁଣିବା ପରେ ମୁଁ ବିବାହ ପ୍ରସ୍ତାବ ନେଇ ନିଶ୍ଚିତ ହୋଇଯାଇ ଅତ୍ୟନ୍ତ ନମ୍ର ଏବଂ ମଧୁର ବ୍ୟବହାର ପ୍ରଦର୍ଶନ କରିବାରେ ଲାଗିଲି।

: ନାଇଁ ଆଜ୍ଞା! ମୁଁ ପ୍ରାଇଭେଟ୍ କମ୍ପାନୀରେ ଚାକିରୀ କରୁଛି।

: ଆଛା! ଏତେ ସବୁ ଡିଗ୍ରୀ ହାସଲ କରି ଫାର୍ଷ୍ଟ୍ କ୍ଲାସ୍ ପାଇକି ବି ଗର୍ମେଣ୍ଟ୍ ଚାକିରି ହେଲାନି କେମିତି? ବଡ଼ ଆଶ୍ଚର୍ଯ୍ୟର କଥା ଇଏ!

ଏହି ପ୍ରଶ୍ନଟି ମୋତେ ବେଶ୍ ଅଡୁଆରେ ପକାଇଲା। ମୋ ପାଖରେ ଏହାର କିଛି ବି ତ୍ବରିତ ଉତ୍ତର ନଥିଲା। ଅଗତ୍ୟା କହି ପକେଇଲି, "ମୁଁ ସରକାରୀ ଚାକିରି କରି ଫାଇଲ୍ ଚଷିବା ପାଇଁ ଇଛୁକ ନଥିଲି ଆଜ୍ଞା! ଆଉ ତାପରେ ସରକାରୀ ଚାକିରୀର ଯାହା ଅବସ୍ଥା ନକହିବା ଭଲ..."

ଫୋନ୍ ରୁ ଭାସି ଆସୁଥିଲା... ହାଃ... ହାଃ... ହାଃ... ମୋତେ ବିଦ୍ରୁପ ପରି ଲାଗୁଥିଲା ସେ ହସ! ମୋର ସାମର୍ଥ୍ୟ ଓ ପାରିବାପଣିଆକୁ ଉପହାସ କରୁଥିଲେ ସତେ! ମୁଁ ନିଜକୁ ଟିକେ ନ୍ୟୁନ ମନେ କରୁଥିଲି ଏବେ... କାରଣ ବାହା ବଜାରରେ ସରକାରୀ ଚାକିରିଆଙ୍କ ଡ଼ିମାଣ୍ଡ୍ ବହୁ ପୁରୁଣା ସମୟରୁ ରହିଛି ଆଉ ଆଗକୁ ବି ରହିଥିବ ଯଦିଓ ଏଇ ସଫ୍ଟୱେରବାଲାଙ୍କ ଭାଉ ଟିକେ ଅଧିକ ଆଜିକାଲି! କାରଣ ସରକାରୀ ଚାକିରୀ ବରଗଛର ଛାଇ। ସେଣ୍ଟ୍ରାଲ୍ ଗର୍ମେଣ୍ଟ୍ ଚାକିରି ହୋଇଥିଲେ ତ ଆଉ କିଛି କହିବାକୁ ନାହିଁ! ଧୋଇ ମରୁଡ଼ି ହେଲେ ବି ଚିନ୍ତାଦକ କିଛି ବୋଲି କିଛି ନାହିଁ, କାମ କର କି ନକର ଦରମା ଗଣ୍ଡାକ ଥୁଆ। ସେଥିରେ କେହି ହାତ ମାରି ପାରିବ ନାହିଁ! ହେଲେ ଏଥି ପାଇଁ ସରକାରୀ ଟ୍ରେଜେରୀରେ ଖାଲି ସଠିକ୍ ସମୟରେ ଆଲଟମେଣ୍ଟ୍ ଥିଲେ ହେଲା! କାରଣ ଖବରକାଗଜ ମାଧ୍ୟମରେ ଆମ ଜାଣିବାରେ ସରକାରୀ କର୍ମଚାରୀମାନେ ଅର୍ଥାଭାବ ଓ ରାଜସ୍ବହାନି ହେତୁ ମାସ ମାସ ଧରି ଦରମା ପାଆନ୍ତି ନାହିଁ। ସେଇଥିପାଇଁ କାଳେ ଉପୁରି ଖୋଜୁଥାନ୍ତି! କିନ୍ତୁ ଯେତେବେଳେ ଦରମା ପାଆନ୍ତି ପୁରା ଭରପୁର ରାଶି ପାଆନ୍ତି ବକେୟା ମହଙ୍ଗା ଭତ୍ତା ସହିତ ବର୍ଦ୍ଧିତ ହାରରେ।

: ହଉ ଶାଶ୍ୱତ ଆଜ୍ଞା! ଏତେ ଆଉ ଟେନସନ୍ ନିଅନ୍ତୁ ନାହିଁ ଆପଣ। ମୁଁ ଭବାନୀପାଟଣାର ଜଣେ ରଦ୍ଦି ବିକାଳୀ। ପୁରୁଣା କାଗଜ ସବୁ ଖେଳଉ ଖେଳଉ ଆପଣଙ୍କର ଫଟୋ ଥିବା ଜବ୍ ଆପ୍ଲିକେସନ୍ ସହ ସାର୍ଟିଫିକେଟ୍ ଜେରକ୍ସ୍ କପି ସବୁ ମିଳିଲା। ଏଣୁ ଏଥିରେ ଥିବା ଫୋନ୍ ନମ୍ବରରେ ଟିକେ କଥା ହୋଇଗଲି ଆଉ। କିଛି ଖରାପ ଭାବିବେ ନାହିଁ ଆଜ୍ଞା! ମୋର କଥାଟା ହେଉଛି ଏମିତିକା, ବେପାରୀ ଲୋକ ତ! ଆପଣଙ୍କ ଠିକଣାରେ ଏସବୁକୁ ପଠେଇ ଦେବିକି?

ମୁଁ ଥଙ୍ଗମଙ୍ଗ ହୋଇ କହିଲି, "ହଁ ଆଜ୍ଞା!"

: ନମସ୍କାର! ରହୁଛି ଆଜ୍ଞା...

ପ୍ରତି ନମସ୍କାର ଜଣାଇବା ପୂର୍ବରୁ ଫୋନ୍ କଟିଗଲା... ସହୃଦୟ ବ୍ୟକ୍ତିଙ୍କର ନାମଟା ଜାଣିବାର ସୁଯୋଗ ମିଳିଲା ନାହିଁ ମୋତେ।

ସବୁ କାମ ଛାଡ଼ି ମୁଁ ଅଫିସରେ ବସି ଏକାନ୍ତରେ ଭାବୁଥିଲି, ଯେଉଁ ଡିଗ୍ରୀ, ସାର୍ଟିଫିକେଟ୍ ପାଇଁ ରାତି ରାତି ଉଜାଗର ରହି ପାଠ ପଢୁଥିଲୁ, ସାଙ୍ଗସାଥୀଙ୍କ ସହିତ କେତେ ପ୍ରତିଦ୍ୱନ୍ଦିତା କରୁଥିଲୁ, ସାମାଜିକ ଉତ୍ସବକୁ ବର୍ଜନ କରୁଥିଲୁ, ସ୍ବାର୍ଥପର ସାଜି ଜ୍ଞାତି କୁଟୁମ୍ବମାନଙ୍କୁ ପରୀକ୍ଷା ଅଛି କହି ଘରକୁ ଆସିବାକୁ ବାରଣ କରୁଥିଲୁ ଆଜି ସେହି ସାର୍ଟିଫିକେଟ୍ ସବୁ ବିକ୍ରୀ ହେଉଛି ରଦ୍ଦିର ଭାଉରେ ଏଇ ଦୁନିଆଁର ବଜାରରେ...



Rate this content
Log in

Similar oriya story from Action