STORYMIRROR

Nityananda Nandi

Classics

3  

Nityananda Nandi

Classics

ସାପ ସିଡ଼ି

ସାପ ସିଡ଼ି

7 mins
198

 

ଆଜି ବୋଧ ହୁଏ ଜୀବନର ଶେଷ ପରୀକ୍ଷା ତାଙ୍କ ପାଇଁ !

ଡିପାର୍ଟମେଣ୍ଟାଲ୍ ଇନକ୍ୱାରି ର ଶେଷ ତାରିଖ। ଡିଆଇ ଅଫିସ କୁ ବାହାରି ଗଲେ ସେ ଅଳ୍ପ ସମୟ ଆଗରୁ।

ଫେରି ବାକୁ ବିଳମ୍ବ ହେବ। ସେଇଥି ପାଇଁ ଦୁଇ ଦୁଇଟା ଡବାରେ ରୁଟି ଆଉ ଭେଣ୍ଡି ଭଜା ଦେଇଛି।


ପାଞ୍ଚ ଦିନ ପରେ ସେ ଚାକିରୀ ରୁ ଅବସର ନେବେ। ଇନକ୍ୱାରି ଫାଇସିଲା ଆଜି ହେବ ହିଁ ହେବ। ଦଣ୍ଡ ଅନୁଯାୟୀ ଟର୍ମିନାଲ ବେନିଫିଟ ଫାଇନାଲ କରିବେ ସରକାର। 


ଜଳି ଜଳି ବି ବଞ୍ଚିବାକୁ ହୁଏ , ତାହା ହିଁ ଜୀବନ ବୋଧ ହୁଏ। ଯଦି ଦୁନିଆରେ କିଛି ନିଶ୍ଚିତ ଥାଏ, ତାହା ହିଁ ଅନିଶ୍ଚିତତା। ସେଇଥି ପାଇଁ ଲୋକେ କହନ୍ତି ଜୀବନର ଅନ୍ୟ ନାମ ସାପ ସିଡ଼ି ଖେଳ । କେତେବେଳେ ଉତ୍ଥାନ ତ କେତେବେଳେ ପତନ।


ସ୍କୁଲ ରେ ତାଙ୍କ ଡ୍ରୟାର ଭିତରୁ ପାଞ୍ଚ ହଜାର ଚୋରି ହୋଇଯାଇଥିଲା। ପିଲା ମାନଙ୍କ ସ୍କଲାର୍ଶିପ ପଇସା। ଚାବି ପକେଇ ବାକୁ ଭୁଲି ଯାଇଥିଲେ ସେଦିନ। ତା ପରଦିନ ଯାଇ ଦେଖିଲେ, ପଇସା ନାହିଁ। ହେଡମାଷ୍ଟରଙ୍କୁ କହିଲେ। କଥାଟି ଡିଆଇ ପର୍ଯ୍ୟନ୍ତ ଚାଲିଗଲା। ହେଡମାଷ୍ଟର ଙ୍କୁ କହିବା ଛଡା କିଛି ଉପାୟ ନ ଥିଲା ତାଙ୍କ ପାଖରେ। ପାଞ୍ଚ ହଜାର ବ୍ୟବସ୍ଥା କରି ଡ୍ରୟାର ଭିତରେ ରଖିବା ସମ୍ଭବ ନ ଥିଲା ତାଙ୍କ ପାଇଁ। ପିଅନ କୁ ପଚାରା ଉଚାରା କଲେ ହେଡ୍ ସାର୍। କିଛି ଲାଭ ହେଲାନି।

ଛ ମାସ ଭିତରେ ଦଶ ଥରରୁ ଅଧିକ ହେବ, ଇନକ୍ୱାରି ଆଟେଣ୍ଡ କରି ସାରିଲେଣି ସେ। ଆଜି ଶେଷ ତାରିଖ।


ଯେତେ ବାଷ୍ପ ହେଲେ ବି ସମୁଦ୍ର ପାଣି କଣ ଶୁଖେ ! ମଣିଷ ର ଦୁଃଖ ଠିକ୍ ସେମିତି। କଫିନ ଭିତରେ ଜାକି ଜୁକି ଶୋଇବା ପର୍ଯ୍ୟନ୍ତ ପିଛା ଛାଡେନି। ବାର ବାର ଜଳି ପୋଡି ଛାରଖାର ହୋଇ ଯାଇଥିବା ଜଣେ ଶିକ୍ଷକର ଶକ୍ତି ବି ନ ଥିଲା ଆତ୍ମହତ୍ୟା ପାଇଁ। ବିନା ସଂଜରେ ରାତି ହୁଏ ନା, କିନ୍ତୁ ବିନା ଚୋରିରେ ଆତ୍ମସାତ ର ଦୋଷାରୋପ,କେତେ ବିରୋଧାଭାସ।  ବାର ବାର ବଳାତ୍କାର ର ଶିକାର ହେବା ପରେ ଅବଳା ଫୁଲଟିଏ କୌଣସି ଗୋଟାଏ ନିର୍ଦ୍ଦିଷ୍ଟ  ମଧୁ ମକ୍ଷିକା କୁ ଦୋଷାରୋପ କରି ପାରେନି, କେହି କଣ ମାନିବେ ! ଗୋଟି ଗୋଟି କରି ଝଡିଯାଏ ଫୁଲର ପାଖୁଡ଼ା। ସମୟ ବି ଚୁପ୍ ରହେ, ଯେମିତି କିଛି ଜାଣିନି !! ମଧୁ ମକ୍ଷିକା ର ଯାଏ ଆସେ କଣ ଯେ...ଫୁଲଟି ମଲା କି ବଞ୍ଚିଲା। କେତେ ସ୍ୱାର୍ଥପର ସେମାନେ।


ଅନେକ ବୁଝେଇଲି, ତମ ଚରିତ୍ର ବାବଦରେ ମୁଁ ଜାଣିଛି। ତମେ ଚୋରି କରିନ, ତା ମଧ୍ୟ ମୁଁ ଜାଣିଛି। ତମ ଓନେଷ୍ଟି, ତମ ସଚ୍ଚୋଟତା ପରା ମୋ ଗହଣା । ଏହା ଠାରୁ ବଳି ଶ୍ରେଷ୍ଠ ଉପହାର କଣ ହୋଇପାରେ ଆଉ ମୋ ପାଇଁ। ଜୀବନରେ ମଙ୍ଗଳସୂତ୍ର ଟିଏ ରିପେଆର କରିବା ପାଇଁ କହିନି, ଏଇଥି ପାଇଁ ଯେ ହଜାରେ ଦୁଇହଜାର ଖର୍ଚ୍ଚ କରିବା କାଠିକର ପାଠ ତମ ପାଇଁ। ସବୁ ବେଳେ କହେ, ତମ ସଚ୍ଚୋଟ ପଣିଆ ହିଁ ମୋର ମଙ୍ଗଳସୂତ୍ର। ମୋର ଆଉ କଣ ଦରକାର !


ଠିକ୍ ଅଛି, ଜଣେ କେହି ଚୋରି କରି ନେଇଛି ତ ! ଭଗବାନ ତା କଥା ନିଶ୍ଚୟ ବୁଝିବେ। ସୁନା ପିଲା ପରି ବୁଝି ଗଲେ। ସାହାସ ଜାଗି ଉଠିଲା ମନ ଭିତରେ। ଆଜି ବି ସେ ହାରି ନହାନ୍ତି, ଯିବାବେଳେ ସାହାସ ଦେଲି, ହସି ଦେଲେ। ସେ ଆଜନ୍ମ ନାସ୍ତିକ। ଯିବାବେଳେ କହିଲି, ଠାକୁର ଘରେ ମୁଣ୍ଡିଆ ମାରି ଯାଅ। ସତକୁ ସତ, ସେ ହାତ ଯୋଡ଼ି କଣ ଭୁଟ ଭୁଟ କହିଲେ ଠାକୁରଙ୍କୁ। ମୋ ଆଖିରୁ ଦୁଇ ଟୋପା ଲୁହ ବୋହି ଗଲା। ଜୀବନରେ ପ୍ରଥମ ଥର ପାଇଁ ଜଣେ ନାସ୍ତିକ ର ସମ୍ପୂର୍ଣ୍ଣ ସମର୍ପଣ। ଭଗବାନ ନିଶ୍ଚୟ ଶୁଣିବେ।


ପୁଅ ଚାକିରୀ ପାଇବା ପରେ ଗର୍ବରେ ଫୁଲି ଉଠିଲେ ସେ। ପୁଅ ପାଖରୁ ପ୍ରଥମ ମନି ଅର୍ଡର ଆସିଲା, ଦୁଇ ହଜାର ଟଙ୍କା। ଟଙ୍କାକୁ ପାଞ୍ଚ ଦିନ ପର୍ଯ୍ୟନ୍ତ ପକେଟ୍ ରେ ଧରି ବୁଲିଲେ । ସ୍କୁଲ ଠୁ ଆରମ୍ଭ କରି ଡିଆଇ ଅଫିସ ପର୍ଯ୍ୟନ୍ତ ଏମିତି କେହି ବାକି ନ ଥିଲେ ଯାହାଙ୍କୁ ସେ ଟଙ୍କା ଦେଖେଇ ନାହାନ୍ତି। ପାଞ୍ଚ ଛ ମାସରେ ନିଜ ପାଖରେ କୋଡ଼ିଏ ହଜାର ଟଙ୍କା ଦେଖି ତାଙ୍କ ମୁଣ୍ଡ ଆଉ କାମ କଲାନି। ପ୍ରାଇମେରୀ ସ୍କୁଲ ଶିକ୍ଷକ। ଏକ ସମୟରେ ଏତେ ଗୁଡ଼ାଏ ଟଙ୍କା ସେ କେବେ ଆଗରୁ ଦେଖି ନ ଥିଲେ।

ମିସ୍ତ୍ରୀ ଡାକି ପକା ଘର ନିଅଁ ପକେଇଲେ। 

ପୁଅର ମୃତ୍ୟୁ ଖବର ଆସିଲା, ଦୁର୍ଘଟଣାରେ ମୃତ୍ୟୁ। ଦିଶାହୀନ ଚକ୍ରବାତ। ଉଡିବାକୁ ଚେଷ୍ଟା କରୁଥିବା ପ୍ରଜାପତି ର ଡେଣା ଦେହରୁ ଖସିଗଲା । ସକାଳ ର କଅଁଳିଆ ଖରା ବରଫାବୃତ। ଶବ୍ଦ ହୀନ ଭୂକମ୍ପ। ଇଚ୍ଛା ସବୁ କକ୍ଷଚ୍ୟୁତ। ସାମୟିକ ଖୁସି ହିମବାହ ର ଓଜନିଆ ଆବରଣ ତଳେ ଶ୍ୱାସ ରୁଦ୍ଧ ହୋଇଗଲା। 


ମାସେ ସ୍କୁଲ ଗଲେନି। ମୁଁ ବି ପଥର ପାଲଟି ଗଲି। ହେଡମାଷ୍ଟର ବୁଝା ଶୁଝା କଲେ, ମୁଁ ବୁଝେଇଲି। ସ୍କୁଲ ଯିବାକୁ ରାଜି ହେଲେ।


କେତେ ସଙ୍କୁଚିତ ହୋଇଗଲା ଆମ ପୃଥିବୀ। ଆମେ ଦୁଇଜଣ ବଞ୍ଚିବା ଶିଖିଲୁ। ମାଛି କୁ ମର ବୋଲି କହନ୍ତି ନି ସେ। ଭଗବାନ କେତେ ନିଷ୍ଠୁର, ଉଡି ଶିଖୁଥିବା ବାଇ ଚଢ଼େଇ ଟି ପଥବଣା ହୋଇଗଲା। ମାଆ ବସାକୁ ଫେରି ପାରିଲାନି। ପଇସା ପତ୍ର ର ଘୋର ଅଭାବ ହେଲା। ପାଞ୍ଚ ଜଣ ପିଲା ଆସି ଘରେ ପଢ଼ିଲେ। ଭାବିଲୁ, ଦୈନନ୍ଦିନ ଖର୍ଚ୍ଚ ମେଣ୍ଟି ଯିବ। ମାସେ ଦୁଇ ମାସ ପର୍ଯ୍ୟନ୍ତ କେହି ପଇସା ପତ୍ର ଦେଲେ ନାହିଁ, ସେମାନେ ବି ସବୁ ଗରିବ ଛୁଆ। ମୁଁ କହିଲି, ମୁହଁ ଖୋଲି ପିଲା ମାନଙ୍କୁ ପଇସା ମାଗ। ଯିଏ ଯାହା ପାରିବ ଦେବ। କହିଲେ ଆଜି ନିଶ୍ଚୟ ମାଗିବି।ଢ଼କ୍ ଢ଼କ୍ କରି ପାଞ୍ଚ ଗ୍ଲାସ ପାଣି ପିଇ ଗଲେ। ପଇସା ମାଗି ପାରିଲେ ନାହିଁ। ଭାରି ସ୍ଵାଭିମାନୀ ଥିଲେ ସେ।

ଅଭାବ ମଣିଷର ସ୍ଵଭାବ କୁ ଗିଳି ଦିଏ। ସେ କିନ୍ତୁ ଆଦୌ ବଦଳୁ ନ ଥିଲେ । ମୁଁ ବରଂ ଚିଡି ଚିଡି ହୁଏ ତାଙ୍କ ଉପରେ। ଚୁପ ରହନ୍ତି, କିଛି ପ୍ରତିକ୍ରିୟା ନ ଥାଏ। ମନ ଭିତରେ କିନ୍ତୁ ଅଦୃଶ୍ୟ ରାଗଟିଏ ଥାଏ ମୋ ଉପରେ। ରାତିରେ ଶୋଇବା ବେଳେ ଗୋଟାଏ ଫୁଟ ଦୂରରେ ଶୁଅନ୍ତି, ମୁଁ ବୁଝି ଯାଏ, ସେ ରାଗିଛନ୍ତି। ମୁଁ ବି ଓଲଟା ଦିଗକୁ ମୁହଁ କରି ଶୋଏ। ଭୁଲ ବଶତଃ ଯଦି କେବେ ମୋ ପାଦ ଯାଇ ତାଙ୍କ ଦେହରେ ବାଜିଯାଏ, ସବୁ ଶେଷ। ରାଗ ରୋଷ ଆପେ ଆପେ ମିଳେଇ ଯାଏ ଅନୁରାଗ ର ଅଦ୍ଭୁତ ଆଭାସରେ। ମୋତେ ଆସି ଭିଡ଼ି ଧରନ୍ତି। ଜୀବନ ଟା ଆଉ କଣ ! ଟିକିଏ ରାଗ ରୋଷ ! ଆଉ ଟିକିଏ ବୁଝାମଣା !

ସାହିତ୍ୟ ପ୍ରେମୀ ଥିଲେ ସେ। ପୁଅ ଯିବାପରେ ଭାବ ପ୍ରବଣତା ବଢ଼ି ଯାଇଥିଲା ତାଙ୍କ ଭିତରେ। ସୁନ୍ଦର ଲେଖନ୍ତି, ଦୁଇ ତିନୋଟି ଲେଖା ପତ୍ର ପତ୍ରିକାରେ ପ୍ରକାଶିତ ହେଲା। ରେଡ଼ିଓ ସେଣ୍ଟର୍ ରୁ ଡାକରା ଆସିଲା, ଗପ ପଢ଼ିବା ପାଇଁ। ଯେତେବେଳେ ଅନୁଭବ କଲେ ତାଙ୍କର କିଛି ସାହିତ୍ୟିକ ବନ୍ଧୁ ତାଙ୍କ ପ୍ରତିଭାକୁ ଇର୍ଷା କରି ତାଙ୍କଠୁ ଦୂରେଇ ଯାଉଛନ୍ତି, ସେତେବେଳେ ସେ ସାହିତ୍ୟକୁ ସବୁ ଦିନ ପାଇଁ ବିଦାୟ ଦେଇଦେଲେ ନିଜ ମନ ଭିତରୁ। ମୋତେ କହିଲେ, ରୂପା ! 

Friends are more important than what I am writing. ମୁଁ ଆଉ କେବେ ସାହିତ୍ୟ ଲେଖିବିନି। ଭାରି ଜିଦି ପ୍ରକୃତିର ଲୋକ ଥିଲେ ସେ। ସାହିତ୍ୟ ଠୁ ବିଦାୟ ନେଲେ ସବୁ ଦିନ ପାଇଁ। ମୁଁ ମନେ ମନେ ଭାବିଲି ସାଙ୍ଗ ମାନେ କୌଣସି ଜିନିଷକୁ ଇଜିଲି ନେଇ ପାରନ୍ତି ନାହିଁ କାହିଁକି ? ଟିକିଏ ଖାଲି ବ୍ରୋଡ୍ ମାଇଣ୍ଡ ର ତ ଆବଶ୍ୟକତା ! କଣ ସମ୍ଭବ ହୁଏନି !


ଦଶ ହଜାର ଟଙ୍କା ପାଇଲେ ଗୋଟାଏ ଲଟେରୀ ଖେଳ ରୁ। ୧୦ ଟଙ୍କା ଦେଇ ଟିକେଟ କିଣିଥିଲେ। ଏବେ ବି ମନେ ଅଛି ମୁଁ ତାଙ୍କୁ ବହୁତ ଗାଳି କରିଥିଲି। ତମ ପରି ଜଣେ ଆଦର୍ଶ ଶିକ୍ଷକ ଯଦି ଲଟେରୀ ଖେଳିବେ, ତେବେ ତମେ ଅନ୍ୟକୁ ଶିକ୍ଷା ଦେବ କଣ ! ତମେ ଓ ସାଧାରଣ ଲୋକ ଭିତରେ ପାର୍ଥକ୍ୟ କଣ ରହିଲା। ପୁଣି ଥରେ ଯଦି ଏମିତି ପଥଭ୍ରଷ୍ଟ ହୁଅ, ସିଧା ହେଡମାଷ୍ଟର ଙ୍କୁ କହିବି। ପୁଅ ମରିବା ପରେ କଲିଜା ପଥର ପାଲଟି ଯାଇଥିବା ଜଣେ ବାପାଙ୍କ ଆଖିରେ ପ୍ରଥମ ଥର କରି ଲୁହ ଦେଖିଲି, କୋଳେଇ ନେଇ କହିଲି, ଆଉ ଏମିତି କେବେ କହିବିନି। ଦଶ ହଜାର ପାଇବା ପରେ ତାଙ୍କ ଖୁସିର ସୀମା ନ ଥିଲା। ଅନେକ ଦିନରୁ ଶୂନ୍ୟ ଆକାଶକୁ ମୁହଁ କରି ଛିଡ଼ା ହୋଇଥିବା ସିମେଣ୍ଟ ପିଲା ର ପାଖରେ କାନ୍ଥ ଉଠାଇଲେ। ଆଜି ପର୍ଯ୍ୟନ୍ତ ବି ଛାତ ପଡିନି। 


ସମୟ ର ଅଭିନୟ ବି ବୁଝିବା ସବୁବେଳେ ସମ୍ଭବ ହୁଏନି। ହାତ ଧରେ, କାନ ପାଖରେ ଫୁସୁଲାଏ, ବହୁତ ଉପରକୁ ଯିବାର ପ୍ରଲୋଭନ ଦେଖାଏ, ସାପ ମୁହଁରେ ପଡି ତଳକୁ ଖସି ଯିବାପରେ ସମୟ ହାତ ଛାଡ଼ି ଗାଏବ, ଅଦ୍ଭୁତ ଚରିତ୍ର ଏ ସମୟର। ଅଦ୍ଭୁତ ଏ ସାପ ସିଡ଼ି ଖେଳ।


ସ୍କଲାରସିପ୍ ପଇସା ବାଣ୍ଟିବା ସମୟରେ ଜଣେ ଅଭିଭାବକ ୫୦ ଟଙ୍କା ଗେଂଜି ଦେଲେ ତାଙ୍କ ପକେଟ୍ ରେ। ଶୁଣିବା ପରେ ମୁଁ ତାଙ୍କ ସହିତ ଦୁଇଦିନ କଥା ହେଲିନି, ସ୍କୁଲ ରୁ ଫେରି କହିଲେ, ରୂପା ! ୫୦ ଟଙ୍କା ତାଙ୍କୁ ଫେରେଇ ଦେଲି। ସରଳ, ନିଷ୍କପଟ ହସଟିଏ ତାଙ୍କ ଓଠ ଉପରେ ଉଦ୍ଭାସିତ ହେଲା। ମୋ ରାଗ ପାଣି ରେ ମିଳେଇ ଗଲା। ଖୁସି ହୋଇ ନାଲି ଚା ବନେଇଲି, ପଟିଆ ବିଛେଇ ବାରଣ୍ଡାରେ ବସି ଚା ପିଇଲୁ। ଏମିତି ସବୁବେଳେ ଛୋଟ ଛୋଟ ଭୁଲ କରନ୍ତି ସେ, ଛୋଟ ପିଲା ର ହାତ ଧରି ଚଲେଇ ଶୁଖିଲା ପରି ସବୁବେଳେ ମୁଁ ଆକଟ କରେ। ନିଷ୍କପଟ ହସଟିଏ ଦେଇ ମୋ ରାଗ କୁ କାବୁ କରି ନିଅନ୍ତି। 


ବେଳା ଭୂଇଁରେ ପାଦ ଚିହ୍ନର ଭିଡ ଭିତରୁ ଅତି ପରିଚିତ କାହା ପାଦ ଚିହଁ କଣ ଖୋଜି ପାଇ ହୁଏ। ସ୍ମୃତି ସବୁ ଖୋଲା କବାଟ ଫାଙ୍କରେ ଅଧା ଅଧା ମୁହଁ ଦେଖେଇ ଛୁପି ଯାଆନ୍ତି। ବିଗତ ବର୍ଷ ମାନଙ୍କରେ ଘଟିଥିବା ଘଟଣା ଆଉ ମନେ ନାହିଁ, ଖୋଜିଲେ ଖାଲି ପୁଅ କଥା ହିଁ ମନେ ପଡେ। 


ପାଞ୍ଚଟା ବାଜିଲାଣି, ମନଟା ଘାଣ୍ଟି ହେଲା। କେତେ ଆଉ କଷ୍ଟ ପାଇବେ ସେ। ସାହାସ ଦେବା ପାଇଁ ମୁଁ ଯାଇ ଛିଡ଼ା ହୋଇ ରହିଲି ଡିଆଇ ଅଫିସ ଗେଟ ପାଖରେ। ଜୀବନରେ ଅନେକ ଥର ହାରି ଥିବା ମଣିଷ ଆଉ ଥରେ ହାରି ଗଲେ କିଛି ଫରକ ପଡେନି। ତଥାପି ଅସହାୟ ମଣିଷର ପିଠିକୁ ଥାପୁଡେଇ ଦେଲେ ଅନେକ ଫରକ୍ ପଡେ। କିଛି ଗେରେଣ୍ଟି ନାହିଁ , ସେ ଜିତିବେ ବୋଲି !! 


ସେ ଅଫିସ ରୁ ବାହାରି ଆସିଲେ। ମୁଁ ତାଙ୍କ ପଛେ ପଛେ ଚାଲିଲି। ସମୟ ପାଇ ନାହାନ୍ତି ଖାଇବା ପାଇଁ ବୋଧେ। ରାସ୍ତା ପାଖରେ ବସିଥିବା ଗୋଟାଏ ଭିକାରୀ କୁ ରୋଟି ଆଉ ଭେଣ୍ଡି ଭଜା ଦେଲେ ଖାଇବା ପାଇଁ। ମୁଁ ଭାବିଲି ସେ ଖୁସି ଅଛନ୍ତି ! ମୋ ଛାତି ଟା ଭୟରେ ଧଡ ପଡ ହେଉଥାଏ। ଗୋଟାଏ ଜାଗାରେ ଅଟକି ଯାଇ ପାଞ୍ଚ ପାଞ୍ଚ ଟଙ୍କାରେ ଦୁଇଟି ବାଦାମ ପୁଡିଆ କିଣିଲେ। ଗୋଟେ ଗୋଟେ କରି ବାଦାମ ପାଟିରେ ପକେଇ ଚାଲୁଥାଆନ୍ତି ସେ। ଆଉ ଗୋଟାଏ ସାଇଡ ପକେଟ ରେ ପୂରେଇ, ଚାଲିଲେ ଆମ ଘର ମୁହାଁ ହୋଇ। ଅନ୍ୟ ବାଦାମ ପାକେଟ ଟି ମୋର ବୋଲି, ବୁଝିଗଲି। ତଥାପି ସାହାସ ହେଉନି ତାଙ୍କୁ ଯାଇ ପଚାରିବାକୁ ଯେ, କଣ ହେଲା ବୋଲି ! ଆଦୌ ବିବ୍ରତ ଲାଗୁ ନ ଥିଲେ ସେ।


ଗେଟ୍ ଗ୍ରୀଲ ପାଖରେ ଛିଡ଼ା ହେଲେ, ମୁଁ ଯାଇ ଗେଟ ଖୋଲିଲି , ମୋ ହାତକୁ ବାଦାମ ପାକେଟ ବଢେଇ ଦେଇ ହସି ଦେଲେ।

ହଁ, ଅଶୀ ହଜାର ଟଙ୍କା ଗ୍ରାଚୁଇଟି ରୁ କାଟି ନେବେ..ତାଙ୍କ ହସରେ ସାମିଲ ହେବା ବ୍ୟତୀତ ମୋ ପାଖରେ କିଛି ଉପାୟ ନ ଥିଲା। ଭାବୁଥିଲି ପାଞ୍ଚ ହଜାର ଟଙ୍କା ତେବେ ନେଲା କିଏ !!! ପୁରୁଣା ଚଳଚ୍ଚିତ୍ର "ଏକ ରୁକା ହୁଆ ଫଇସିଲା" କଥା ମନ ଭିତରେ ନାଚି ଉଠୁଥିଲା। ଏକ ଅଳନ୍ଦି ଭରା ବାକ୍ସ ଭିତରେ ନ୍ୟାୟ କୁ ଖୋଜୁ ଖୋଜୁ କ୍ଳାନ୍ତ ହୋଇ ସାରି ଥିଲୁ ଆମେ ଦୁଇ ଜଣ। ଶେଷରେ ହାରି ଗଲୁ।

କେତେ କଷ୍ଟ ଏଇଠି ନ୍ୟାୟ ପାଇବା !!!

ଯା ହେଉ, ଗୋଟେ ଫଇସିଲା ହୋଇଗଲା। ମୁଁ ଭାବିଥିଲି ଦୁଇ ତିନି ଲକ୍ଷ କାଟି ନେବେ ବୋଲି। କହିଥିଲି ନା ଭଗବାନ ଆମ କଥା ଶୁଣିବେ !!

ଚିନ୍ତା କରନି, ଗୋଟାଏ କଥା ଆଜି ପର୍ଯ୍ୟନ୍ତ କହିନି। ପ୍ରତିଥର ଦରମା ପାଇବା ପରେ ତମ ପକେଟରୁ ଶହେ ଶହେ ଚୋରି କରି ପୋଷ୍ଟ୍ ଅଫିସରେ ରଖିଛି।

ପାସବୁକ୍ ବଢେଇ ଦେଲି ତାଙ୍କ ହାତକୁ।

ନବେ ହଜାର !!!!

ଆଶ୍ଚର୍ଯ୍ୟ ହୋଇ ଆଉଜି ପଡିଲେ ମୋ ଉପରକୁ। କିଛି ଉଷ୍ମତା, ଆଉ କିଛି ସାହାରା କୁ ଖୋଜୁଥିଲେ ମୁଁ ପିନ୍ଧିଥିବା ଶାଢ଼ୀ ଆଞ୍ଚଳ ଭିତରେ। ଅଧା ଖଣ୍ଡିଆ ହୋଇ ଛିଡା ହୋଇଥିବା ଘରକୁ ଅନେଇ ଲେ। କାନ ପାଖରେ କହିଲେ, ଛାତ ପକେଇ ଦେଲେ ହେବ !!!!

କେତେ ଅମାୟିକ ସେ !! କେତେ ଆଶା ତାଙ୍କ ମନ ଭିତରେ। ମରିବା ପୂର୍ବରୁ ଆପାତତ ଘର ଛାତ ସମ୍ପୂର୍ଣ୍ଣ କରିବା ପାଇଁ ଚାହୁଁ ଥିଲେ ସେ।

ମୋତେ ଲାଗୁଥିଲା ସାପ ସିଡ଼ି ଖେଳ ସରିନି ତାଙ୍କ ଜୀବନରେ, ଆହୁରି ବାକି ଅଛି....



Rate this content
Log in

Similar oriya story from Classics