ସ୍କୁଲ ଜୀବନ ରୁ ଦୁଇସାଙ୍ଗ ରୁନୁ ଓ ମୁନୁ ଖୁବ ସାଙ୍ଗ. ଓଡ଼ିଆ କି ଇଂରାଜୀ ଅବା ହିନ୍ଦିରେ ପ୍ରିୟ ସାଙ୍ଗ ବିଷୟରେ ରଚନା ଲେଖିବାକୁ କହିଲେ ରୁନୁ, ମୁନୁ କଥା ଲେଖିଥାଏ ଓ ମୁନୁ, ରୁନୁ କଥା. ଯାହା ତ ଉଭୟ ଉଭୟଙ୍କ ଭଲ ଗୁଣ ସବୁ ବର୍ଣ୍ଣନା କରିବାକୁ ଯାଇ ଲେଖିଥାନ୍ତି ସମାନ ସମାନ କଥା ଅନ୍ୟ ପିଲାମାନଙ୍କ ପରି. ଏହି କି ଯେ ମୋ ପ୍ରିୟ ସାଙ୍ଗ ଖୁବ ଉପକାରୀ, ସେବା, ସମ୍ପର୍କ, ସହାନୁଭୂତି,ସୌହାର୍ଦ୍ୟ ତଥା ସୁନ୍ଦର ପଣରେ ମୋ ପ୍ରିୟ ସାଙ୍ଗ କୁ କେହି ଟପିବେନି ଇତ୍ୟାଦି ଇତ୍ୟାଦି. ସମୟ କ୍ରମେ କିନ୍ତୁ ନବମ ଶ୍ରେଣୀରେ ସେହି ରଚନାକୁ ଆଉ ଟିକେ ରଙ୍ଗ,ରୂପ, ସାଜ ଦେଇ ଅଧିକା କଥା ଲେଖିବାକୁ ଯାଇ ମୁନୁ ଲେଖିଦେଇଥିଲା ଯେ ରୁନୁ ଓ ସେ ବିବାହ କଲାପରେ ଦୁହେଁ ସମୁଦୁଣୀ ହେବେ. ଏସବୁ ପଢି ସାର ହସିଲେ, କମନ ରୁମ ହସ ରେ ଫାଟିଲା ଆଉ ଅନ୍ୟ ସାଙ୍ଗ ମାନେ ଥଟ୍ଟା ତାମସା କରି ମୁନୁ ମୁଁହଁ ଲାଲ କରିପକେଇଲେ. କିଏ କହିଲା ତୁମ ଦୁଇଜଣଙ୍କର ଯଦି ପୁଅ ହୁଏ ବା ଝିଅ ହୁଏ ତେବେ କେମିତି ସମୁଦୁଣୀ ହେବ!ପୁଣି କିଏ ବୁଝେଇ ଦେଉଥିଲା ହଁ ଦ୍ୱିତୀୟ ସନ୍ତାନ କଣ ହେଉଛି ଦେଖି ଦୁହେଁ ସମୁଦୁଣୀ ହୋଇପାରିବ. ତ ଆଉ କିଏ କହୁଥିଲା ପୁଅ ଝିଅ ଯଦି ଅନ୍ୟ କାହାକୁ ଭଲ ପାଇଲେ ତେବେ ତୁମେ ଦୁହେଁ ସମୁଦୁଣୀ ହେବ କିପରି!ମୁନୁ ଏଥର ଚିଡି ଉଠି କହିଥିଲା ଲେଖୁ ଲେଖୁ ଲେଖିଦେଲି ବୋଲି ସତ ହେବ ବୋଲି କଣ କିଛି ମାନେ ଅଛି!ତଥାପି ସାଙ୍ଗମାନେ ଚିଡାଇ ଚିଡାଇ ନାକେଦମ କରୁଥିଲେ ମୁନୁ କୁ ଯେ କଲମ ପରା ଚଳନ୍ତି ଭଗବାନ. କଲମ ତଥା ପେନ ସବୁ ଲେଖନୀର ନୂଆ ରୂପ. ସେ ଯାହା ଲେଖେ ତାହା ସମ୍ପୂର୍ଣ୍ଣ ସତ ନହେଲେ ମଧ୍ୟ କିଛି ସତ ହୋଇଯାଏ ତ ଏଥର ରୁନୁ ମୁଁହଁ ଖୋଲିଥିଲା ଓ କହିଥିଲା ସତ ହେଲେ ଭଲ. ଖୁବ ଭଲ. ସେତିକି ବେଳକୁ ପିଲାଙ୍କ ଏ ଗହଳି ଦେଖି ସାହିତ୍ୟ ସାର ବାଡ଼ିଟିକୁ ଟେବୁଲ ଉପରେ ଏମିତି ବାଡେ଼ଇଲେ ଯେ ସେହି ଶବ୍ଦ ର ଭୟରେ ସମସ୍ତେ ଚୁପ ଚାପ ହୋଇଗଲେ.
ଆଜି କିନ୍ତୁ ମୁନୁ ଅସହାୟ. ରୁନୁ ତାର ସଉତୁଣୀ ହେବାକୁ ଯାଉଛି. ତା କୋଳରେ ପିଲା ବକଟେ ନହେବାରୁ ସ୍ୱାମୀ ତାର ଦ୍ୱିତୀୟ ବିବାହ କରିବେ ରୁନୁ କୁ. ମୁନୁ ମାଟ୍ରିକ ପାସ କରୁ କରୁ ଗାଁ ପୁଅ ବିନୋଦ କୁ ବିବାହ କରିଥିଲା. ବିବାହର ପାଞ୍ଚ ବର୍ଷ ଯାଏଁ ପିଲା ନହେବାରୁ ଶାଶୁଙ୍କ ନିଷ୍ପତ୍ତି ରେ ବିନୋଦ ସେଇ ଗାଁର ବିଏ ପାଶ କରିଥିବା ପାଠୋଇ ଝିଅ ରୁନୁ କୁ ବିବାହ କରିବାକୁ ଯାଉଛନ୍ତି. ସବୁ ଜାଣିଶୁଣି ରୁନୁ କେମିତି ରାଜି ହେଲା ବୋଲି ଭାବୁଥିଲା ମୁନୁ!ମୁନୁ କିନ୍ତୁ କପାଳ ଲିଖନ କେ କରିବ ଆନ ନ୍ୟାୟରେ ତୁନି ପଡିଥିଲା.ରୁନୁ ଖାଲି ବୋହୁ ହୋଇ ଆସିଲାନି ବରଂ ମାଆ ବନିଗଲା ବର୍ଷକ ରେ . ଝିଅର ମାଆ. ମୁନୁ ଜୀବନ ର ଏତେ ଦୁଃଖ ଭିତରେ ରୁନୁ ଯେମିତି ସବୁ ସୁଖ ନେଇ ଆସିଥିଲା. ହେଲେ ଭାଗ୍ୟ ରେ ଅଲଗା କିଛି ଲେଖାଥିଲା ବୋଧହୁଏ.ସେଇ ରଚନା କଥା ଭାବି ମୁନୁ ଚିନ୍ତା କରୁଥିଲା ସତକଥା ଆପଣା ହସ୍ତେ ଜିହ୍ୱା ଛେଦି... କେ ଅଛି ତାର ପ୍ରତିବାଦୀ! ଅଳ୍ପ ଦିନ ଭିତରେ କିନ୍ତୁ ମୁନୁ ଆଖିର ତତଲା ଲୁହ ନିଶ୍ଵାସ ରେ କି ଗ୍ରହ କୋପ ରେ କେଜାଣି ରୁନୁ କୋଳରେ ଝିଅ ଆସିବା ପରେ ପରେ ସ୍ୱାମୀ ବିନୋଦ ଚାଲିଗଲେ ସେଇ ଅଫେରା ବାଟକୁ.ଆଉ ତାଙ୍କ ଚାକିରୀ ପାଇଲା ମୁନୁ. ମାଟ୍ରିକ ପାଶ କରିଥିବା ଝିଅ ମୁନୁ ଏବେ ଚାକିରୀ ପାଇ ମଧ୍ୟ ରୁନୁର ଝିଅକୁ ନିଜ ପ୍ରାଣ ଠାରୁ ଅଧିକା ଭଲ ପାଉଥିଲା. ଝିଅ ବଡ଼ ହୋଇ କଲେଜ ଗଲାଣି. ଶାଶୁ ଶଶୁର କେବେଠାରୁ ସେପୁରରେ. ମୁନୁ ଓ ରୁନୁ ସାଙ୍ଗ ଥିଲେ, ସାଙ୍ଗ ରୁ ସଉତୁଣୀ ହେଉ ହେଉ ଏବେ ଗୋଟେ ବଢିଲା ଝିଅର ମାଆ ଦୁହେଁ. ସେହି ଝିଅ ଏବେ ବିବାହ ଉପଯୋଗୀ. ଯେତେ ପ୍ରସ୍ତାବ ଦୁଇ ମାଆ ଆଣୁଥିଲେ ଝିଅ ଲିପି ସେସବୁ ପ୍ରସ୍ତାବକୁ ନାପସନ୍ଦ କରି ଦେଉଥିଲା.
ରୁନୁ ର ବାପା,ଲିପି ର ଅଜା ଲକ୍ଷ କରୁଥିଲେ ବୟସ ବଢିବା ସହ ଲିପି ପଢାଘର ଟେବୁଲରେ ବହିପତ୍ର ଓ ବହିପାତ୍ର ରହିବା ସ୍ଥାନ ଓ ଥାକ ବଢିଛି. ଶିଶୁ ଗଳ୍ପ ଉପନ୍ୟାସ ପରିବର୍ତ୍ତେ ଜାଜ୍ଞସେନୀ ଓ ଅନ୍ୟାନ୍ୟ ଗଳ୍ପ ଯଥା ଫକୀର ମୋହନ ସେନାପତିଙ୍କର ମାମୁଁ, ଲଛମା, ରେବତୀ, ଛଅ ମାଣ ଆଠଗୁଣ୍ଠ ଇତ୍ୟାଦି ଗଳ୍ପ ସହିତ କାହ୍ନୁଚରଣ ଙ୍କ କା, ମାଟିର ମଣିଷ ସହିତ ଅମାବାସ୍ୟା ର ଜହ୍ନ ଓ ବିଭୁତି ପଟ୍ଟନାୟକ ଙ୍କ ଅନେକ ଉପନ୍ୟାସ ଥିଲା. ଏଥିରେ ଅଜା ଖୁସି ହେବା ସ୍ୱାଭାବିକ. ତା ସହିତ ଲିପିର ସଦ୍ୟ ପ୍ରକାଶିତ ପ୍ରେମ ପତଞ୍ଜଳି ବହି ଉନ୍ମୋଚନ ଇତ୍ୟାଦି ଦେଖି ଅଜା ଙ୍କ ମନରେ ଘୋର ସନ୍ଦେହ ତେବେ ଲିପି ବାହା ହେବାକୁ ରାଜି ନୁଁହଁ କାହିଁକି? ଏଇ କାହିଁକି ଉତ୍ତର ପାଇବାକୁ ସେଦିନ ଲିପି ରୁମକୁ ପଶିଗଲେ ଅଜା. ଅଜା କିଛି ପଚାରିବା ପୂର୍ବରୁ ଲିପି କିନ୍ତୁ ଅଜା ଙ୍କୁ ପଚାରୁଥିଲା ଅନ୍ୟ କିଛି. ପଚାରୁଥିଲା ଜଣେ ମହିଳା ଲେଖିକା ବା ଗାଳ୍ପିକା ବା କବୀ ଜଣେ ନାରୀ ମନର ଅବ୍ୟକ୍ତ ଭାଷା ଲେଖିବା ସହଜ କିନ୍ତୁ ଜଣେ ପୁରୁଷ ନାରୀ ମନର ଗହନ କଥା ଲେଖେ କେମିତି ଅଜା!ଅଜା କହିଲେ ଏସବୁତ ଖୁବ ସହଜ. ଯେତେ ବହି ପଢିବ ସେତେ ଜ୍ଞାନ ବଢିବ. ସେ ଜ୍ଞାନ ସାଂସାରିକ ପ୍ରେମ ହେଉ ବା ଐଶ୍ଵରିକ ପ୍ରେମ ହେଉ ଅବା ପ୍ରକୃତି ପ୍ରେମ. ହସିଦେଲା ଲିପି.ତ ଅଜା ସାହାସ ପାଇ ପଚାରୁଥିଲେ ଏତେ କଥା ବୁଝୁଛୁ ମାଆ ହେଲେ ବିବାହ ଯେ ଜୀବନର ଏକମାତ୍ର ପନ୍ଥା ଆଗକୁ ବଢିବାକୁ, ଏକଥା ଭୁଲିଗଲେ କେମିତି ହେବ ଝିଅ! ଲିପି ଖୁବ ସୁନ୍ଦର ଭାବେ ଉତ୍ତର ଦେଇଥିଲା ତୁମେ ମୋ ପିଲାଦିନେ ମତେ ପାଖରୁ ନଛାଡିବାକୁ କେତେ ଚଣ୍ଡୀ ମାଆ ଙ୍କୁ ଡାକିଛ ଅଜା! ଆଉ ଏବେ ତୁମ ବାର୍ଦ୍ଧକ୍ୟ ବେଳେ ତୁମକୁ ଛାଡ଼ି ମୁଁ ଶାଶୁଘର ଯିବି କେମିତି! ତା ଛଡା କେମିତି ଜାଣିବି ମୋ ସ୍ୱାମୀ କେମିତି ହୋଇଥିବ!ଅଜା କିଛି କିଛି ବୁଝିଗଲେ ବି କିଛି ତ ଅବୁଝା ରହିଲା.
କଣ ଚାହେଁ ଲିପି? ଅଜା ଭାବୁଥିଲେ.ସତକଥା ପିଲାଦିନେ ଲିପି ସପ୍ତମ ଶ୍ରେଣୀରେ ଏନ ଟି ଆର ଏସ ପାଇଲେ ସହରକୁ ଚାଲିଯିବ ତାଙ୍କୁ ଛାଡ଼ି ବୋଲି,ମାଆ ଦୁହେଁ କେତେ ଦିଅଁ ଦେବତା କରୁଥିଲା ବେଳେ ଓ ଲିପି ରାତି ରାତି ଅନିଦ୍ରା ହୋଇ ପାଠ ପଢୁଥିଲା ବେଳେ ଅଜା ହୋଇ ସେ ଚଣ୍ଡିମା ଙ୍କୁ ଗୁହାରୀ କରୁଥିଲେ ନପାଉ ଏନ ଟି ଆର ଏସ ବୃତ୍ତି ପଛେ ଲିପି ଘର ଛାଡ଼ି ତାଙ୍କୁ ଛାଡ଼ି କୁଆଡେ ନଯାଉ. ଆଉ ଆଜି ସେହି ଲିପିର ବାହାଘର ହୋଇଯାଇ ସେ ଶାଶୁଘରକୁ ଯାଉ ବୋଲି କେମିତି ଭାବୁଛନ୍ତି ସେ ଅଜା ହୋଇ!ସବୁ ଦୋଷ ସେଇ ଭାଗ୍ୟର କହି ରକ୍ତ ଚାଉଳ ଚୋବାଉ ଥିଲେ ଅଜା ଲିପିର ଆଈ ଉପରେ. ଆଈ ଯେବେ କହେ ମୋ ଲିପିକୁ ବାହା ହେବ ଏମିତି ପୁଅ କିଏ କୋଉଠି କାହିଁ ମ!ଆଈ ମାଆ ଙ୍କ ଏହି କଥା ଶୁଣି ଲିପି ଆଉ ମନମୋଟିଆ ହୋଇଯାଉନି ତ! ବୁଢୀକୁ ଦୋଷ ଦେବାରୁ ସେ ମଧ୍ୟ ଅନେକ ଫୁସୁଲେଇ କହିଲାଣି ନାତୁଣୀ ଲିପି କୁ. ଆମେ ବୁଢା ବୁଢ଼ୀ ଦିଟା ଆଉ କେତେଦିନ ଲିପି! ମରିବା ପୂର୍ବରୁ ତୋ ବାହାଘର ଦେଖି ନଗଲେ ଭୂତ ହେବୁ ସିନା. ଏଥର ଲିପି ଅଜା ଙ୍କୁ ସାଙ୍ଗରେ ରଖି ଆସିଥିବା ପୁଅ ସହ ଏକାନ୍ତରେ କଥୋପକଥନ ବେଳେ ପଚାରିଥିଲା ଆପଣ ପ୍ରତିଦିନ ଶୋଇବାକୁ ଯିବା ପୂର୍ବରୁ କଣ କରନ୍ତି?ପୁଅଟି ଟିକେ ଚିନ୍ତା କରି କହିଥିଲା ବହି ପଢେ.ବାହାଘର ପରେ କଣ କରିବେ? ଏଥର ପୁଅଟି ଟିକେ ହଡବଡେଇ କହିଥିଲା ଅଭ୍ୟାସ ବଦଳେଇବାକୁ ସମୟ ଲାଗିବ. ସେଥିରେ ମତେ ତୁମର ସାହାଯ୍ୟ ଓ ସହଯୋଗ ଆବଶ୍ୟକ. ମାନେ କଣ କରିବାକୁ ହେବ ମତେ,ପଚାରିଥିଲା ଲିପି. ତ ପୁଅଟି କହିଥିଲା ମୋ ବହି ପଢିବା ପରେ ଶୋଇବା ଅଭ୍ୟାସକୁ ସହିବାକୁ ପଡିବ ତୁମକୁ. ସେଇଠି ହିଁ ବାହା ହେବାକୁ ରାଜି ହୋଇଗଲା ଲିପି. ବିଦାୟ ବେଳେ ଅଜା ଯେବେ ପଚାରିଲେ ଏତେ ଏତେ ପ୍ରସ୍ତାବ ଭାଙ୍ଗିଦେଉଥିଲା ବେଳେ ଏ ପୁଅଠି କଣ ଦେଖିଲୁ ମାଆ! କାନ୍ଦୁ କାନ୍ଦୁ ହସି ହସି ଲିପି କହୁଥିଲା ସଉତୁଣୀ ଭୟ ନାହିଁ ଅଜା. କାରଣ ବହି ତାଙ୍କ ପ୍ରଥମ ପ୍ରେମ ଓ ପ୍ରେମିକା. ଅଜା ଓ ଆଈ ସ୍ତବ୍ଧ ହୋଇ ଠିଆ ହୋଇଥିଲା ବେଳେ ଲିପି ର ବିଦାୟୀ ଗାଡି ଆଗକୁ ଗଡୁଥିଲା.ମୁନୁ ରୁନୁ, ଦୁଇ ମାଆ ଦୁହେଁ ଦୁହିଁଙ୍କୁ ଜାବୁଡି କାନ୍ଦୁଥିଲେ.କହିବା ବାହୁଲ୍ୟ ପୁଅଟି ମୁନୁର ପୁତୁରା ଥିଲା ତ ସାଙ୍ଗ ରୁ ସଉତୁଣୀ ଓ ସଉତୁଣୀ ରୁ ଏକରକମ ସମୁଦୁଣୀ ହୋଇଯାଇଥିଲେ ମୁନୁ ଓ ରୁନୁ.
,,,,,,,,,,,,,,,,,,,,