ସାବାସ୍ ରୋମୁ
ସାବାସ୍ ରୋମୁ


ଏଇ କିଛି ଦିନ ତଳର କଥା । ସିଦ୍ଧପୁର ଗାଁରେ ଚହଳ ପଡିଛି କି ଗାଁକୁ ଗୋଟିଏ ଛୁଆ ଚୋର ପଶି ଆସିଛି । ସେ ଚୋର ଯେଉଁ ପିଲାମାନଙ୍କୁ ଏକୁଟିଆ ଦେଖୁଛି ,ତାଙ୍କ ପାଖକୁ ଯାଇ ବଲବଲ କରି ମୁହଁକୁ ଚାହିଁ କଣ ଏଣୁ ତେଣୁ ଗପୁଛି ତ ପୁଣି କେତେବେଳେ ମୁହଁରେ, ଦେହରେ, ହାତରେ ହାତ ମାରି ଖୁବ ଜୋରରେ ହସୁଛି ।ସେଥିପାଇଁ ଗାଁରେ ସବୁ ଲୋକମାନେ ନିଜ ନିଜର ପିଲାମାନଙ୍କୁ ଆଖି ଆଗରେ ରଖିଛନ୍ତି । କେଉଁ ଆଡ଼କୁ ବି ଏକୁଟିଆ ପିଲାମାନଙ୍କୁ ଛାଡୁ ନ ଥାନ୍ତି । ରୋମୁ ବୋଲି ଗୋଟିଏ ଗୁଲୁଗୁଲିଆ ଭାରି ଚତୁର ପିଲାଟିଏ, ଶ୍ରୀମନ୍ତ ବାବୁଙ୍କର ନୟନମଣି ।ଜେଜେମା ଜେଜେବାପାଙ୍କର ଅନ୍ଧଲଉଡି । ତା'ଗୁଲୁଗୁଲିଆ କଥାରେ ଘରଟି ଯେମିତି ଖୁସି ଆନନ୍ଦରେ ଫାଟି ପଡୁଥାଏ । ତୃତୀୟ ଶ୍ରେଣୀରେ ପଢେ ରୋମୁ । ବଡ଼ଦିନ ଛୁଟି ପାଇଁ ବିଦ୍ୟାଳୟ ବନ୍ଦ ଥାଏ ରୋମୁର । ଦ୍ବିପହର ବେଳା ଖାଇ ସାରି ଜେଜେମା ପାଖରେ ଖଟରେ ଶୋଇ ଶୋଇ ପରୀ ରାଇଜର କାହାଣୀ, ଧରମା ଓ କୋଣାର୍କ ମନ୍ଦିର ନିର୍ମାଣ ଗଳ୍ପ ଶୁଣୁଥିଲା ।
ଏହି ସମୟରେ ବାହାରେ ବହୁତ ଜୋରରେ ପାଟି ଶୁଭିଲା । ଜେଜେମା ରୋମୁକୁ ଛାଡି ବାହାରକୁ ଉଠିଗଲେ କଥା କ'ଣ ବୁଝିବା ପାଇଁ । ରୋମୁ ଝରକାରେ ଦେଖିଲା ଯେ କେତେ ଜଣ ଗ୍ରାମବାସୀ କାହାକୁ ଜଣକୁ ବାଡେଇ ଚାଲିଥିଲେ । ଲୋକଟି ଏପଟ ସେପଟ ହୋଇ ଗଡୁଥାଏ । ବିକଳରେ କାନ୍ଦି କାନ୍ଦି ପିଠକୁ ଆଉଁସି ଚାଲିଥାଏ । ଏ ଦୃଶ୍ୟ ଦେଖି ରୋମୁର କୋମଳ ମନ ବହୁତ କଷ୍ଟ ପାଇଲା । ସେ ମଧ୍ୟ ସେହି ସ୍ଥାନକୁ ଧାଇଁ ଧାଇଁ ଚାଲିଗଲା ,ଜୋରରେ ସମସ୍ତଙ୍କୁ କହିଲା ବାଡାଅନି ,ବାଡାଅନି ସେ ମଉସାଙ୍କୁ । ସେ କଣ କରିଛନ୍ତି, କାହିଁକି ତାଙ୍କୁ ବାଡାଉଛ । ନୀରିହ ଲୋକକୁ ବିନା କାରଣରେ ଦଣ୍ଡ ଦେଲେ ଆମ ଭଗବାନଙ୍କୁ କଷ୍ଟ ହେବ । ଭଗବାନଙ୍କୁ କଷ୍ଟ ହେଲେ ଆମକୁ ବି କଷ୍ଟ ହେବ । ଲୋକମାନେ ବାଡେଇବା ସମୟରେ କିଏ କହୁଥାଏ ପୋଲିସରେ ଦେଇ ଦିଅ, କିଏ କହୁଥାଏ ଏହି ଗାଁ ମୁଣ୍ଡ ବରଗଛରେ ବାନ୍ଧି ଦିଅ ,ସେ ସାଇଜ଼ ହୋଇ ଯିବ । ରୋମୁ ତା ବାପାଙ୍କ ପାଖକୁ ଯାଇ ଲୋକଟିକୁ ମାରିବାର କାରଣ ପଚାରିଲା । ବାପା କହିଲେ ସେ ଗୋଟିଏ ଚୋର,କେତେବେଳେ ଦୋକାନରୁ ଚୋରି କରୁଛି ତ ଆଉ କେତେବେଳେ ପିଲାଚୋରି କରୁଛି । ଏହି ସମୟରେ ଗାଁ ମୁଖିଆ ଆସି ପହଞ୍ଚି ଗଲେ । ଘଟଣା କ'ଣ ବୋଲି ବୁଝି ନ୍ୟାୟ ବିଚାର କରିବା ପାଇଁ ସମସ୍ତଙ୍କୁ ନୀରବ ହେବାକୁ କହିଲେ । ସମସ୍ତେ ବିଚାର ମଣ୍ଡପ ପାଖରେ ପହଞ୍ଚିଲେ ଚୋରଟିକୁ ନେଇ । ମଣ୍ଡପର ଗୋଟିଏ ଖମ୍ବ ପାଖରେ ଲୋକଟିକୁ ବସେଇ ଦିଆଗଲା । ଚାଲିଲା ବିଚାର ବିମର୍ଷ । ଲୋକଟିକୁ ଚୋରି କରିବାର କାର ପଚାରି ପଚାରି ଥକିଗଲେ ବି ତା ପାଟିରୁ ପଦେହେଲେ କଥା ବାହାରୁ ନ ଥାଏ । ବିଚାରକ ଆସନରେ ଯେଉଁମାନେ ବସିଥିଲ
େ ବିରକ୍ତ ହୋଇ ଗଲେ । ଏହି ସମୟରେ ଗୋଟିଏ ଘଟଣା ଘଟିଲା । କୁନି ପୁଅ ରୋମୁ ଚୋର ପାଖକୁ ଦୌଡ଼ି ଯାଇ ପଚାରିଲା , ମଉସା ଆପଣ କାହିଁକି ଚୋରି କରୁଥିଲେ ? ଆପଣଙ୍କର କଣ କେହି ନାହାଁନ୍ତି ,ଆପଣ ଏଭଳି ଭୁଲ୍ କାମ କରୁଛନ୍ତି ଆପଣଙ୍କ ପୁଅଝିଅ କେହି ଗାଳି ଦେଉ ନାହାଁନ୍ତି । ଆପଣଙ୍କ ଘର କେଉଁଠି କୁହନ୍ତୁ, ମୁଁ ଯିବି ।ଆପଣଙ୍କ ପୁଅକୁ ପଚାରିବି ଯେ ତାଙ୍କ ସ୍କୁଲରେ ସାର୍ କଣ ଏହି କଥା ଶିଖେଇ ନାହାଁନ୍ତି ଯେ ଭୁଲ୍ କରୁଥିବା ଲୋକକୁ ସବୁବେଳେ ଠିକ୍ ବାଟରେ ଯିବା ପାଇଁ କହିବା । ହଠାତ୍ ଚୋର ଲୋକଟି ରୋମୁକୁ ଧରି ଭୋ ଭୋ ହୋଇ କାନ୍ଦି ପକେଇଲା । ସମସ୍ତେ ନୀରବ ହୋଇଗଲେ। କିଏ କହିଲା, ରୋମୁକୁ ନେଇ ଆସ ,ଚୋରଟା ପାଗଳ ହୋଇ ଗଲାଣି ,ମାରି ପକେଇବ ଇତ୍ୟାଦି ।
ହେଲେ ରୋମୁ ତା'ଆଖିରୁ ଲୁହ ପୋଛି କହିଲା ,କୁହ ମଉସା ତୁମ କଥା କିଛି କୁହ ।
ବାବୁରେ ତୋ ଭଳି ମୋର ଦୁଇଟି ପୁଅଝିଅ ଥିଲେ । ବହୁତ ଭଲ ପାଠ ପଢୁଥିଲେ । ହେଲେ ଗତ ୨୦୨୦ରେ କରୋନାରେ ତା ମାଆଟି ଆରପାରିକୁ ଚାଲିଗଲା । ୪ବର୍ଷର ପୁଅ ୭ବର୍ଷର ଝିଅକୁ ଛାଡ଼ି ମୂଲ ଲାଗିବାକୁ ବାବୁ ଘରକୁ ଯାଇଥିଲି। ଆସିବା ବେଳକୁ ମୋ ଘରେ ମୋ ପୁଅଝିଅ କେହି ନାହାଁନ୍ତି। ସେହି ଦିନ ଠାରୁ ଖୋଜି ଚାଲିଛି ମୋ ପୁଅଝିଅ ଦୁଇ ଜଣଙ୍କୁ । ମୁଁ ପିଲା ଚୋର କି ଚୋର ବି ନୁହେଁ । ଯେଉଁଠି ଯାହା ପାଏ ଖାଏ ନ ହେଲେ ସେମିତି ଉପାସ ଭୋକରେ ୟା ତା ପିଣ୍ଢାରେ ଶୋଇପଡେ । ଛୋଟ ପିଲାମାନଙ୍କୁ ଦେଖିଲେ, ତାଙ୍କ ପାଖକୁ ଯାଇ ମୋ ପୁଅଝିଅ କିଏ ଚିହ୍ନିବାକୁ ଚେଷ୍ଟା କରେ । ମୋର ଏହି କଥା ପାଇଁ ଆଜି ସମସ୍ତେ ପିଟି ପିଟି ଲହୁଲୁହାଣ କରି ଦେଇଛନ୍ତି । ମୋ ଗୋବିନ୍ଦ, ମୋ ଲକ୍ଷ୍ମୀ କୁଆଡେ ଗଲେ ଯେ ଏ ସହର ସାରା ଖୋଜୁଛି । ମୋ ପୁଅଝିଅଙ୍କୁ କେହି ଖୋଜି ଦିଅ ,ସେମାନେ ମୋ ଜୀବନ । ସେମାନଙ୍କୁ ନ ପାଇଲେ ମୁଁ ମରିଯିବି । ଉପସ୍ଥିତ ଲୋକମାନେ ନୀରବ ,ସମସ୍ତଙ୍କ ଆଖିରେ ଲୁହ । ଆହାଃ ବୋଲି ସମସ୍ତେ ମନ ଦୁଃଖ କରୁ ଥାଆନ୍ତି। ଆଉ ଲୋକଟିକୁ ମାରିବେ କ'ଣ ! ମୁଖିଆ ପୋଲିସ ବାବୁଙ୍କ ପାଖକୁ ଫୋନ କରି ଡାକିଲେ । ଗ୍ରାମବାସୀ ତରଫରୁ ଲୋକଟିର ପୁଅଝିଅର ନିଖୋଜ ଏତାଲା ଦିଆଗଲା । ସେହି ଗ୍ରାମରେ ରହିବାର ବ୍ୟବସ୍ଥା ମଧ୍ୟ କରାଗଲା ।
ମୁଖିଆ କହିଲେ ,କୁନି ପୁଅ ରୋମୁ ଆଜି ଏତେ ବଡ଼ ସମସ୍ୟାକୁ ଧୀରସ୍ଥିର ଚିତ୍ତରେ ଗୋଟିଏ ପ୍ରଶ୍ନ ମାଧ୍ୟମରେ କେମିତି ସମାଧାନର ରାସ୍ତା ଖୋଲିଦେଲା ଏବଂ ସତ୍ୟକୁ ପଦାକୁ ଆଣି ପାରିଲା ଧନ୍ୟବାଦ ରୋମୁ, ସାହସିକତାର ପରିଚୟ ଦେଇ ବହୁତ ବଡ଼ କାମ କରିଛ ।
ସମସ୍ତେ ରୋମୁକୁ ସାବାସ ଦେଲେ ,ରୋମୁ ଭଳି ସାହସୀ ହେବା ପାଇଁ ସବୁ ପିଲାଙ୍କୁ ମଧ୍ୟ କହିଲେ ।