ସ୍ୱର୍ଣ୍ଣା ବୋଲିଲେ ଭାଗବତ
ସ୍ୱର୍ଣ୍ଣା ବୋଲିଲେ ଭାଗବତ
ସ୍ଵର୍ଣ୍ଣଲତା ଦେବୀଙ୍କର ବୟସ ଚାଳିଶ ପାରିହେବା ପରେ ପରେ ତାଙ୍କୁ ଚାଳିଶା ଧରିଲା ବୋଧହୁଏ ।ପାଖରୁ ବହିର ଅକ୍ଷର ଝାପ୍ସା ଦେଖାଗଲା ।ଠିକରେ ଲେଖିପଢ଼ି ହେଲାନାହିଁ ।କିଛି ନ ହେଲେ ସନ୍ଧ୍ୟାରେ ଭାଗବତ ଅଧ୍ୟାୟଟିଏ ତ ବୋଲିବେ ।କେତେଥର ଏ ପ୍ରସଙ୍ଗ ଉଠେଇଲେଣି ସ୍ୱାମୀ, ପିଲାଙ୍କ ଆଗରେ ।ସୁଧାନନ୍ଦବାବୁଙ୍କର ଦୂର ସ୍ଥାନରେ ଚାକିରି ।ଶନିବାର ଘରକୁ ଆସନ୍ତି ଏବଂ ସୋମବାର ପ୍ରସ୍ଥାନ କରନ୍ତି କର୍ମସ୍ଥଳୀକୁ ।ଗୋଟିଏ ଦିନରେ ପରିବାରର ଅନେକ ସମସ୍ୟା ।ଯଥାସାଧ୍ୟ ତା'ର ସମାଧାନ କରୁ କରୁ ସମୟ ନିଅଣ୍ଟ ହୁଏ ।
ଆଉ ପିଲାମାନଙ୍କର ତ ଦାୟିତ୍ୱ ତୁଲାଇବାର ବୟସ ହୋଇନାହିଁ ।ବଡ଼ପୁଅ ଡାକ୍ତରି ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉ ହେଉ ଆକସ୍ମିକ ଭାବେ ଯୋଗଦେଲା ସେନା ବିଭାଗରେ ।ପଢ଼ା ସରି ନ ଥିବାରୁ ହଁ, ନାହିଁ ଭିତରେ ଘର ଲୋକଙ୍କ ସମ୍ମତି କ୍ରମେ ଅମିତ ଟ୍ରେନିଂ ପାଇଁ ଚାଲିଗଲା ।
ଏଣେ ଘରଜଞ୍ଜାଳ କରିବା ସାଙ୍ଗକୁ ଗୋରୁଗାଈଙ୍କୁ ଘାସ, କୁଣ୍ଡା ତୋରାଣି ଦେବା, ବାଡ଼ିରେ ପନିପରିବା ଲଗାଇ ଯତ୍ନ ନେବା ଆଉ କିଛି ଚାଷବାସ ଦାୟିତ୍ୱ ମଧ୍ୟ ସ୍ୱର୍ଣ୍ଣଲତାଙ୍କ ଉପରେ ।ଯାହାକୁ ସେ ଉତ୍ତମ ରୂପେ ସମ୍ପାଦନା କରନ୍ତି ।ସେ ଦିନ ଫୁଲହାରଟାଏ ଗୁନ୍ଥୁ ଗୁନ୍ଥୁ ଝିଅ ମନୀଷା ଆଖିରେ କ'ଣ ଗୋଟେ ପଡ଼ିଗଲା ।ସେ ଡାକ ପକାଇଲା, "ମାଆ ଦେଖିଲୁ, ମୋ ଆଖିରେ କ'ଣଟାଏ ପଡ଼ିଗଲା, ଖାଲି ଡବାଳି ହେଉଛି ।"
ମାଆ ପରିବା କଟା ଛାଡ଼ି ଧାଇଁ ଆସିଲେ ।"କାଇଁ ଦେଖେଇଲୁ, ଆଖି ବଡ଼ କରି ଉପରକୁ ଚାହାଁ, କାଇଁ କିଛି ତ ଜଣାପଡ଼ୁନି ।"
"ମାଆ, ଟିକେ ଭଲକରି ଦେଖ୍, ଆଖିକୁ ଭାରି କାଟୁଛି ।"
"ଦେଖିଲି ପରା, କିଛି ପଡ଼ିନି ।ରହ, ମୋ ଲୁଗାକାନିରେ ଆଫା କରି ଦେଉଛି ଦୁଇଚାରି ଥର ।କଷ୍ଟ କମିଯିବ ।"
"ଥାଉ ମ ତୋ ଆଫା କରିବା, ମୋ ଆଖି ଜଳି ପୋଡ଼ି ଗଲାଣି ।ଆଣିକି ଟିକେ ସଫା ପାଣି ଛାଟିଦେ ଦୁଇ ତିନିଥର ।"
ପାଣି ଛାଟିବା ଉତ୍ତାରୁ ମନୀଷାର ଆଖି ଯନ୍ତ୍ରଣା ଟିକେ କମିଲା ।ସେତିକିବେଳକୁ ଦଶବର୍ଷର ସୁନୀତା ଆସି କହିଲା, "ମନୀଷା ଅପା, କାଗଜଭାଙ୍ଗି ମୋ ଖାତା ସିଲାଇ ଦିଅ ।ଆଉ ବହିରେ ମଲାଟ ବି ଲଗେଇ ଦିଅ ।"
"ହଉ କରିଦେବି, ଝିଅ ଟିକେ ଦେଖିଲୁ ମୋ ଆଖିରେ କ'ଣଟାଏ ପଡ଼ିଯାଇଛି ।"
"ହଉ ଦେଖାଅ ଅପା, ଇ ମା, ଆଖି ତ ପୂରା ନାଲି ପଡ଼ିଗଲାଣି, ସେ ପଟକୁ ଡୋଳା ବୁଲାଅ ।ହଁ, ଦିଶିଲା ଦିଶିଲା ।ଭମା ନୁହେଁ, ଗୋଟେ କୁଜୀ ପୋକ ।ଲାଖି ଯାଇଛି କୋଣରେ ।"
"ହେଇ ମୋ ଚୁନରୀ କୋଣକୁ ମୋଡ଼ି ବଳିତା ଭଳି କରି ଦେଉଛି, ଏଥିରେ କାଢ଼ି ଆଣ ।ନୋହିଲେ ଡାକ୍ତର ପାଖକୁ ଯିବାକୁ ପଡ଼ିବ ।"
ଅବଶ୍ୟ ଟିକିଏ ସମୟ ଲାଗିଲା; କିନ୍ତୁ ସୁନୀତା କୁଜୀ ପୋକକୁ କାଢ଼ି ଆଣିଲା ମନୀଷା ଆଖିରୁ ।
"ଦେଖିଲୁ ମାଆ କେଡ଼େ ବଡ଼ ପୋକ,ଆଉ ତୁ କହୁଥିଲୁ ମୋ ଆଖିରେ କିଛି ପଡ଼ିନି ବୋଲି ।"
"ମୋତେ ତ ଦେଖାଯାଉନି ଠିକରେ ଏଇ ଛୋଟ ଛୋଟ ଜିନିଷ ।ଛୁଞ୍ଚିରେ ପରା ସୂତା ଲଗେଇ ପାରୁନି ଆଉ ସଜନା ଶାଗ ଉଞ୍ଚୁଡ଼ିଲେ ପୋକ ଝାଡ଼ିବାକୁ ତୋତେ କହୁଛି ।ବହି ପଢ଼ା ତେଣିକି ଗଲାଣି ।ଆଉ କ'ଣ କରିବି !"
"ତୁ ଆଉ ଚିନ୍ତା କରନା ମାଆ, ଏଥର ଅମିତ ଛୁଟିରେ ଘରକୁ ଆସିଲେ, ମୁଁ ତାକୁ କହିବି ।ସେ ଡାକ୍ତର ପାଖରେ ତୋ ଆଖି ପରୀକ୍ଷା କରିଦେବ ।"
"ହଉ ଏମିତିରେ ଛଅ ମାସ ତ ଗଲାଣି, ମୋ ପୁଅ ଭଲରେ ଆସୁ ।"
କିଛିଦିନ ପରେ ଅମିତ ଘରକୁ ଆସିବାରୁ ମନୀଷା ତାକୁ ମାଆର ଆଖି ସମସ୍ୟା କଥା ଜଣେଇଲା ।ଶନିବାର ରବିବାର ବାପା ଥା'ନ୍ତି ଘରେ ।ତାଙ୍କ ସହ ପରାମର୍ଶ କରି ଅମିତ ମାଆକୁ କହିଲା, "ଆମେ ଆସନ୍ତାକାଲି ଅନୁଗୋଳ ଯାଇ ଆଗେ ଆଖି ଡାକ୍ତରଙ୍କୁ ଦେଖା କରିବା ।ତା' ପରେ ମାଉସୀଘର ଦେଇ ବୁଲି ଆସିବା ।"
ଚକ୍ଷୁ ବିଶେଷଜ୍ଞ ପରୀକ୍ଷା ନିରୀକ୍ଷା କରି ନିର୍ଦ୍ଦିଷ୍ଟ ପାୱାରର ଏକ ଚଷମା ପିନ୍ଧିବାକୁ କହିଲେ ସ୍ୱର୍ଣ୍ଣଲତା ଦେବୀଙ୍କୁ ।ଏଥର ଭାଗବତ ବୋଲିବା, ପୁରାଣ ପଢ଼ିବା, ଚାଉଳରୁ ଗୋଡ଼ି ବାଛିବା, ଖଇରୁ ଧାନ ଛଡ଼େଇବା, ଛୁଞ୍ଚିରେ ସୂତା ଲଗେଇବାରେ ତାଙ୍କର ଆଉ ଅସୁବିଧା ହେଉନି ।ପୁଅ ଅମିତ ଅଣେଇ ଦେଇଥିବା ଚଷମା ପିନ୍ଧି ସେ ପାଖ ଓ ଦୂର ଜିନିଷ ଠିକରେ ଦେଖିପାରୁଛନ୍ତି ।ଦୃଷ୍ଟି ଦୋଷ ଜନିତ ସମସ୍ୟା ଦୂର କରିଥିବାରୁ ମଝିରେ ମଝିରେ ଭଗବାନଙ୍କୁ ଅବଶ୍ୟ ଧନ୍ୟବାଦ ବି ଦିଅନ୍ତି ।
