ସ୍ୱାଗତ ବସ
ସ୍ୱାଗତ ବସ


ରଘୁ ଡିଗ୍ରୀ ସାରିଲା ପରେ ପାଖ ଗାଁର ତିନି ସାଙ୍ଗ ସହ ସହରକୁ ଯାଇ ଚାକିରୀ କରିବା ପାଇଁ ବାହାରି ଥାଏ। ସେଦିନ ଥାଏ ଅମାବାସ୍ୟା। ହଠାତ୍ ରଘୁର ମାଆଙ୍କ ଦେହ ଖରାପ ହୋଇଗଲା। ରଘୁ ଆଉ ସେଦିନ ସହରକୁ ଯାଇ ପାରିଲା ନାହିଁ।ତା ସାଙ୍ଗମାନେ କହିଲେ ଏବେ ସେମାନେ ଯାଇ କରି ଘର ଆଉ କାମ ଠିକ୍ କରିକି ମାସେ ପରେ ଆସି ତାକୁ ସହରକୁ ନେଇ ଯିବେ।
ସ୍ୱାଗତ ବସରେ ରଘୁର ସାଙ୍ଗମାନେ ସହର ଅଭିମୁଖେ ବାହାରିଗଲେ। ଦୁଇ ଦିନ ପରେ ରଘୁ ଖବର ପାଇଲା ସ୍ୱାଗତ ବସର ଦୁର୍ଘଟଣା ଘଟିଛି। ଆଉ ତା ସଙ୍ଗମାନଙ୍କର କିଛି ଖବର ନାହିଁ।
ଠିକ ମାସେ ପରେ ଯେଉଁ ଦିନ ରଘୁର ସାଙ୍ଗମାନେ ଆସିବେ କହିଥିଲେ ସେହି ଦିନ ସେମାନଙ୍କର ଫୋନ୍ ରଘୁ ପାଖକୁ ଆସିଲା। ରଘୁ ସେମାନେ ବଞ୍ଚି ଥିବା ଜାଣି ପୁରା ଖୁସି ହୋଇଗଲା। ସେମାନେ ତାକୁ ସ୍ୱାଗତ ବସରେ ସେଦିନ ରାତିରେ ସହରକୁ ଯିବାକୁ ଡାକିଲେ।
ରଘୁ ଘରୁ ବାହାରିଲା ବେଳକୁ ତା ମାଆ ତାକୁ ଗୋଟିଏ ବ୍ୟାଗ୍ ରେ ଜଗନ୍ନାଥଙ୍କ ନିର୍ମାଲ୍ୟ ଆଉ ଗଙ୍ଗା ଜଳ ଆଉ କିଛି ଶୁଖିଲା ଖାଦ୍ୟ ଜିନିଷ ପୁରାଇ ଦେଲେ ଆଉ କହିଲେ ମୋତେ କିଛି ଭଲ ଲାଗୁନାହିଁ। ତୁ ଏ ବ୍ୟାଗକୁ ଛାଡିବୁନି। ଜଗନ୍ନାଥ ପ୍ରଭୁ ତୋର ରକ୍ଷା କରିବେ।
ରଘୁ ସ୍ୱାଗତ ବସରେ ସାଙ୍ଗମାନଙ୍କ ସହିତ ସହର ଅଭିମୁଖେ ବାହାରିଲା। ତା ସାଙ୍ଗମାନେ ତାକୁ ତା ମାଆ ଦେଇଥିବା ବ୍ୟାଗକୁ ନ ନେବା ପାଇଁ କହୁଥିଲେ... ଯେ ସେ ବ୍ୟାଗରୁ ଗନ୍ଧ ବାହାରୁଛି... ଫିଙ୍ଗି ଦେବାପାଇଁ। କିନ୍ତୁ ରଘୁ ତାକୁ ନ ଫିଙ୍ଗି ତା ସାଙ୍ଗମାନଙ୍କ ଠାରୁ ଦୂରେଇକି ରଖିଲା।ତାକୁ ବସରେ ଆଶ୍ଚର୍ଯ୍ୟ ଲାଗୁଥାଏ ସବୁବେଳେ କଥା ହେଉଥିବା ସାଙ୍ଗମାନେ ଚୁପଚାପ ବସିଛନ୍ତି। ବସରେ କୋଡିଏ ଜଣ ଲୋକ କଥା ହେଉଥିବା ବେଳେ ବାକି ତିରିଶ ଜଣ ଲୋକ ପୁରା ଚୁପଚାପ ବସିଛନ୍ତି।
ତାଙ୍କ ଗାଁରୁ ସହରକୁ ସାତ ଘଣ୍ଟା ଲାଗେ। ତିନି ଘଣ୍ଟା ପରେ ସ୍ୱାଗତ ବସ ଗୋଟିଏ ହୋଟେଲରେ ଲାଗିଲା। ରାତିର ଖାଇବା ପାଇଁ ସବୁ ଓହ୍ଲେଇ ହୋଟେଲ ଗଲେ। ବସର ଡ୍ରାଇଭର ଆଉ କଣ୍ଡକ୍ଟର ବସ ଲାଇଟର କଣ ଅସୁବିଧା ହୋଇଥାଏ, ତାକୁ ଠିକ କରୁ ଥାନ୍ତି।ରଘୁ ଖାଇବା ପାଇଁ ସାଙ୍ଗମାନଙ୍କୁ ଡାକିବାରୁ ସେମାନେ ଯାଇ ରଘୁ ପାଖରେ ବସିଲେ ଆଉ ଖାଇବାକୁ ମନା କଲେ... କହିଲେ ସେମାନଙ୍କୁ ଭୋକ ଲାଗୁନାହିଁ। ରଘୁକୁ ଆହୁରି ଆଶ୍ଚର୍ଯ୍ୟ ଲାଗୁଥାଏ ଯେଉଁ ଲୋକମାନେ ବସରେ ଚୁପଚାପ ବସିଥିଲେ, ସେମାନେ ହୋଟେଲରେ ମଧ୍ୟ ନ ଖାଇ ସେମିତି ଚୁପଚାପ ବସିଥାନ୍ତି।
ରଘୁ ହୋଟେଲ ଷ୍ଟାଫ୍ ଙ୍କ ଠାରୁ ଶୁଣିଲା ମାସେ ତଳେ ଏମିତି ଅମାବାସ୍ୟା ରାତିରେ ସ୍ୱାଗତ ବସ ଆସିଥିଲା। ତା ଲାଇଟରେ ଅସୁବିଧା ହୋଇ ଥିବାରୁ ଡ୍ରାଇଭର ଆଉ କଣ୍ଡକ୍ଟର ତାକୁ ହୋଟେଲରେ ଛିଡା କରି ଠିକ କରି ଥିଲେ।କିନ୍ତୁ ପନ୍ଦର କି.ମି ପରେ ଘାଟି ଉପରେ ବଧେ ଲାଇଟ ଖରାପ ହେବାରୁ ରାସ୍ତା ନ ଜଣା ପଡିବାରୁ ବସଟି ତଳକୁ ଖସି ଯାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବସରେ ନିଆଁ ଲାଗି ଯାଇଥିଲା ଆଉ ବସର ଡ୍ରାଇଭର, ହେଲ୍ପର ଆଉ କଣ୍ଡକ୍ଟର ସହ ସମସ୍ତ ଯାତ୍ରୀ ଜଳି ମରି ଯାଇ ଥିଲେ।ପୁଣି ଆଜି ଅମାବାସ୍ୟା ରାତିରେ ସ୍ୱାଗତ ବସ ଆସିଛି ଯେ... ଏଇଟା କଣ ସ୍ୱାଗତ ବସ ମାଲିକଙ୍କ ଆଉ ଗୋଟିଏ ବସ କି...?
ରଘୁକୁ ହୋଟେଲ ମାଲିକ ପଚାରିଲେ ବସ ଷ୍ଟାଫ୍ କୁଆଡ଼େ ଗଲେ ଖାଇବେ ନାହିଁ କି..?
ରଘୁ କହିଲା ଦେଖନ୍ତୁ ସେମାନେ ବସର ଲାଇଟ୍ ଠିକ କରୁଛନ୍ତି। ହୋଟେଲ ମାଲିକ କହିଲେ ବସ ପାଖରେ ତ କେହି ବି ନାହାନ୍ତି। ରଘୁ ପୁରା ଆଶ୍ଚର୍ଯ୍ୟ ଆଉ ନିଶବ୍ଦ ହୋଇ ଛିଡ଼ା ହୋଇଗଲା। ହଠାତ୍ ତାର ଧ୍ୟାନ ହୋଟେଲର ଆଇନ ଆଡକୁ ଗଲା। ଦେଖିଲା ତା ସାଙ୍ଗମାନେ ଯେଉଁ ଠାରେ ଆଇନାରେ ସେଠି ତିନୋଟି କଙ୍କାଳ ବସିଥିବା ଦେଖାଯାଉଛି।
ସେ ଆଇନାକୁ ଘୁରାଇ ଦେଖିଲା ବସରେ ବସ ଷ୍ଟାଫ୍ ସହ ଚୁପଚାପ ବସିଥିବା ସମସ୍ତ ଯାତ୍ରୀ ପ୍ରକୃତରେ ସେମାନେ ମଣିଷ ନୁହଁନ୍ତି। ସେମାନେ ଭୂତ।
ସେପଟେ ବସ କଣ୍ଡକ୍ଟର ସମସ୍ତଙ୍କୁ ବସକୁ ଯିବାକୁ ଡାକିଲାଣି।ରଘୁ କେମିତି ଅନ୍ୟ ଯାତ୍ରୀ ମାନଙ୍କୁ ବଞ୍ଚାଇବ ଭାବୁଥାଏ...ହଠାତ୍ ତା ମନକୁ ସେ ଧରିଥିବା ବ୍ୟାଗରେ ମାଆ ଦେଇଥିବା ନିର୍ମାଲ୍ୟ ଆଉ ଗଙ୍ଗା ଜଳ କଥା ଆସିଲା।
ହୋଟେଲ ଷ୍ଟାଫ୍ ଙ୍କ ସହ ମିଶି ସେ ନିର୍ମାଲ୍ୟ ଆଉ ଗଙ୍ଗା ଜଳ ସମସ୍ତଙ୍କ ଉପରକୁ ଛିଞ୍ଚିବାକୁ ଲାଗିଲା।ଭୂତମାନଙ୍କ ଉପରେ ପଡ଼ିବାରୁ ସେମାନେ ବିକଟାଳ ଚିତ୍କାର କରି ପାଉଁଶ ହୋଇଗଲେ। ବସ ବିନା ଡ୍ରାଇଭରରେ ହୋଟେଲ ଆଡକୁ ଗଡିବାକୁ ଲାଗିଲା।
ରଘୁ ଆଉ ହୋଟେଲର ଷ୍ଟାଫ୍ ସବୁ ଏକା ସାଙ୍ଗରେ ନିର୍ମାଲ୍ୟ ଆଉ ଗଙ୍ଗା ଜଳ ବସ ଉପରକୁ ଛିଞ୍ଚିଲେ। ହୋଟେଲ ମାଲିକ ଜଗନ୍ନାଥ ପ୍ରଭୁଙ୍କ ମାଳ ବସ ଉପରକୁ ଫିଙ୍ଗି ବାରୁ ସ୍ୱାଗତ ବସ ଅଦୃଶ୍ୟ ହୋଇଗଲା।
ସମସ୍ତ ଯାତ୍ରୀଙ୍କ ଆଉ ବୁଝିବାରେ ବାକି ନ ଥିଲା ଯେ ସେ ଦିନ ସ୍ୱାଗତ ବସ ଦୁର୍ଘଟଣାରେ ମରିଥିବା ସେମାନଙ୍କ ସମ୍ପର୍କୀୟମାନେ ସେମାନଙ୍କୁ ସବୁଦିନ ପାଇଁ ନିଜ ପାଖକୁ ନେଇ ଯିବା ପାଇଁ ଆସିଥିଲେ। ସବୁ ଡରି ଯାଇ ହୋଟେଲ ଭିତରେ ବସି ରାତି କାଟିଲେ... ଭଗବାନଙ୍କ ନାମ ନେଇ କରି।
ସକାଳ ହେବାରୁ ଆଉ ସହରକୁ ନ ଯାଇ ପ୍ରଥମ ବସ ଯାତ୍ରୀମାନେ ନିଜ ନିଜ ଘରକୁ ଫେରିଲେ। ରଘୁ ଆସିକି ଗାଁରେ ସବୁ କଥା କହିଲା... ଆଉ ତା ମାଆ ଦେଇଥିବା ନିର୍ମାଲ୍ୟ ଆଉ ଗଙ୍ଗା ଜଳ ଆଉ ଭଗବାନଙ୍କ ଆର୍ଶୀବାଦ ପାଇଁ ଆଜି ସବୁ ବଞ୍ଚି ଗଲେ।ସେ ଭଗବାନଙ୍କ ପାଖରେ ଅଶେଷ ଧନ୍ୟବାଦ ଜଣାଇଲା। ତାପର ଠାରୁ ରଘୁ ଆଉ ରାତି ବସରେ କେବେ ବି ଯିବା ଆସିବା କଲା ନାହିଁ।