ରଥଯାତ
ରଥଯାତ
ମୁଁ ନୁହେଁ ଇନ୍ଦ୍ରଦ୍ୟୁମ୍ନ ଯିଏ ଗଢିଥିଲେ ଭବ୍ଯ ରଥ ତୁମ୍ଭର ଶ୍ରୀଗୁଣ୍ଡିଚା ଯାତ୍ରା ନିମନ୍ତେ। ମୁଁ ବଳରାମ ଦାସ ମଧ୍ଯ ନୁହେଁ ଯିଏ ତୁମ୍ଭ ପାଇଁ ବାଲିରଥ ଗଢିଥିଲେ ମହୋଦଧି କୂଳରେ। ମୁଁ ସାଲବେଗ କିମ୍ବା ଦାସିଆ ବାଉରୀ ମଧ୍ୟ ନୁହେଁ ଯେ ତୁମ୍ଭର ନନ୍ଦିଘୋଷ ରଥ ମୋ ପାଇଁ ଅଟକି ଯିବ ଅବା ମୋ ହାତରୁ ନାରିକେଳ ନେଇଯିବ ତୁମ୍ଭେ ବଳିଆରଭୁଜ। ମୁଁ ତୁଛ ପତିତଟିଏ ମାତ୍ର ଯାହାକୁ ଏଇ ଭବସାଗରରୁ ଉଦ୍ଧାର କରିବା ପାଇଁ ତୁମ୍ଭର ଏଇ ନବଦିନାତ୍ମକ ପତିତପାବନ ଘୋଷ ଯାତ୍ରା।
ହେ ରାଜରାଜେଶ୍ଵର କାଳିଆ ସାଆନ୍ତ! ତୁମେ ବିଶ୍ଵ ନିଅନ୍ତା, ସବୁରି ଭାଗ୍ୟ ବିଧାତା। ମୁଁ ଯେ ତୁମ୍ଭର ସେବକ ମାତ୍ର। ତୁମ୍ଭ ଶ୍ରୀଚରଣରେ ମୁଁ ଛାର କିଙ୍କର। ବଡଦାଣ୍ଡରେ ତ କେବଳ ତୁମ ରଥ ଗଡେ ନାହିଁ କି ନେତ ଉଡେ ନାହିଁ, ସଚରାଚର ବିଶ୍ବ ବ୍ରହ୍ମାଣ୍ଡର କୋଣ ଅନୁକୋଣରେ ସବୁଠି ମୁଖରିତ ତୁମ୍ଭ ରଥର ଘର୍ଘର ନାଦ। ହେଲେ କଣ ପାଇଁ ବନ୍ଦ କରିଦେଲ ମୋର କୁନି ରଥ? କେଉଁଥିରେ ମୁଁ ଉଣା କରିଥିଲି ଯେ ମୋତେ ତୁମ ସେବାରୁ କରିଲ ବଞ୍ଚିତ? କି ଅପରାଧ କରିଥିଲି ମୁଁ ତୁମ୍ଭ ପାଶେ ମହାବାହୁ? କୁହ ବାରେ କଣ ମୋର ଦୋଷ?
ଛୋଟ ଗାଁଟି ମୋର। ସରକାରୀ ରାଜସ୍ବ ନଥିପତ୍ରରେ ନାଁ ତାର ନାଟୀ। ଚାରିଆଡ଼େ ମାଳତୀ ନଟା ନଟେଇ ଥିବାରୁ ହୁଏତଃ ମୋର ପୂର୍ବଜମାନେ ଏପରି ନାମକରଣ କରିଥିବା ଅନୁମାନ କରାଯାଏ। ହାତ ଗଣତି କେତେଟା ମାତ୍ର ପରିବାରକୁ ନେଇ ଆମର ଛୋଟିଆ ଗାଁ। ଖୁବ୍ ସୁନ୍ଦର ସବୁଜିମା ଭରା ପରିବେଶ। ସୁଖ ଦୁଃଖରେ ସଭିଏଁ ପରସ୍ପରକୁ ସାହାଯ୍ୟ ସହଯୋଗ କରନ୍ତି। ଭାଇଚାରାରେ ବନ୍ଧା ସମସ୍ତେ ବେଶ୍ ହସଖୁସିରେ ଦିନ କାଟନ୍ତି ଏଠି।
ମୋର ଠିକ୍ ଭାବେ ମନେ ଅଛି ଷଷ୍ଠ ଶ୍ରେଣୀରେ ପଢୁଥାଏ ମୁଁ। ହଠାତ୍ ଆମେ କିଛି ଗାଁ ପିଲା ଚିନ୍ତା କଲୁ ରଥଯାତ୍ରା କରିବା ପାଇଁ। ଏକଥା ଶୁଣି ବଡ଼ବଡୁଆ ଲୋକେ ନାକ ଟେକିଲେ। ଏହାର ବି କାରଣ ଥିଲା। ପାଖ ଗାଁ ସୁଧାନଗରରେ ବଡ଼ ଆକାରରେ ରଥଯାତ୍ରା ହୁଏ। ଦୋକାନ ବଜାର ବସେ। ଆଖପାଖ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଲୋକ ଆସନ୍ତି ଦେଖିବାକୁ। ନିରୁତ୍ସାହିତ କରିବା ପାଇଁ କେତେକ କହିଲେ, "ସୁଧାନଗର ରଥ ଛାଡି ଲୋକ କଣ ଆସିବେ ତୁମ ରଥଯାତ ଦେଖି? କାହିଁକି ମାତିଛ ସବୁ ଏଥିରେ? ଯାଅ ହେ ଖେଳା ଖେଳି କରିବ... "
କାହାର କିଛି କଥା ଆମର ଉତ୍ସାହ ଉପରେ କୌଣସି ନକାରାତ୍ମକ ପ୍ରଭାବ ପକାଇ ପାରି ନ ଥିଲା। ଆରମ୍ଭ ହେଲା ରଥ ଗଢା କାର୍ଯ୍ୟ। ସ୍କୁଲରୁ ଫେରିବା ପରେ ନିମ୍ବ ବୃକ୍ଷ ସବୁ କଟାଯାଏ ପ୍ରତିଦିନ। ଆମକୁ ଖୁବ୍ ଉତ୍ସାହିତ କରୁଥିଲେ କରୁଣା ବାବା। ଆର ଗାଁ ମଠ ପରିତ୍ଯାଗ କରି ରହୁଥିଲେ ନିଜ ଘରେ ସେ। ରଥଯାତ୍ରାରେ ଗାଇବା ପାଇଁ ଆମ୍ଭମାନଙ୍କୁ କିଛି ଜଣାଣ ଭଜନ ଶିଖାଇଲେ ସେ। ଏବେବି ସେଇ ଗୀତ ଖାତା ଗାଁରେ ମୋର ସାଇତା ହୋଇ ରହିଛି।
ଏବେ ଚିନ୍ତା ଥିଲା ଠାକୁର କେଉଁଠୁ ଆଣିବା? ମୁଁ ପ୍ରସ୍ତାବ ବାଢିଲି, "ଆମ ଠାକୁର ଘରୁ।" କିଛି ଦିନ ତଳେ କେହି ଜଣେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ବିଗ୍ରହ ଆମ ଠାକୁର ଘରେ ଅର୍ପଣ କରିଯାଇଥିଲେ। ମଠ ଅଧିକାରୀଙ୍କ ପରାମର୍ଶ ମତେ ମୋ ଜେଜେବାପା ଠାକୁରଙ୍କର ସେବା ପୂଜା କରୁଥିଲେ। ଏକଥା ସଭିଙ୍କ ମନକୁ ପାଇଲା ଓ ଜେଜେ ବି ଆମ କଥାରେ ସମ୍ମତି ପ୍ରଦାନ କଲେ। ସତେଯେପରି ଲାଗୁଥିଲା କୌଣସି ଏକ ଅଦୃଶ୍ୟ ଶକ୍ତି ଆମ୍ଭମାନଙ୍କୁ ଆଗେଇ ଯିବା ପାଇଁ ପ୍ରେରଣା ଯୋଗାଇ ଦେଉଥାଏ।
ଆମେ ଗୋଚର ଜମିରେ ଉଠିଥିବା ଗଛ ସବୁ କାଟିଆଣିଲୁ ରଥ ଗଢିବାକୁ। ମହାରଣା ଡାକି ରଥ ଗଢିବା ଆମ ସାଧ୍ୟରେ ନଥିଲା। କେବଳ ଚକ ଚାରୋଟି ଗଢିଆଣିଲୁ। ଯେବେ ବିନୋଦ ଭାଇ ରଥ କଥା ଶୁଣିଲେ ତାଙ୍କର ପାଉଣା ନେଲେ ନାହିଁ। ନିଜେ ନିଜେ ସାଜିଲୁ ମହାରଣା, କାଠକୁ ସଠିକ ଭାବେ କାଟି କଣ୍ଟା ବାଡ଼େଇ ଗଢିଲୁ ଆମ କୁନି ରଥ। ବାନା ବାନ୍ଧିଲା ପରେ କିନ୍ତୁ ବେଶ୍ ବଡ଼ ଦିଶୁଥିଲା। ନାଲି ନେଳି ରଙ୍ଗର ଜରି କାଗଜରେ ସଜାଇଲୁ। ଯାହା କିଛି ଚାନ୍ଦାଭେଦା କରିଥିଲୁ ସେଥିରେ ଭୋଗ ପାଇଁ ଜିନିଷ ସବୁ କିଣି ଆଣିଲୁ। ରଥଯାତ୍ରା ଦିନ ଯେତିକି ଯେତିକି ପାଖେଇ ଆସୁଥିଲା ମନରେ ଉତ୍ସାହ ଆହୁରି ଆହୁରି ବଢୁଥାଏ। ଅବର୍ଣ୍ଣନୀୟ ସେ ଅନୁଭୂତି!
ରଥଯାତ୍ରା ଦିନ ଆମେ ସବୁ ନୂଆ ପଇତା ପିନ୍ଧିଲୁ। ଅରୁଆ ଖାଇଲୁ। ଜେଜେମାଆ ଥଟ୍ଟାରେ କହୁଥିଲା, "ଯାହା ହଉ ଆଜି ଠାକୁର କାନ୍ଧେଇବ ନାତି ମୋର!" କେମିତି ଗୋଟାଏ ନିଆରା ନିଆରା ଅନୁଭବ ହେଉଥିଲା ସେତେବେଳେ। ଜେଜେବାପା ଆଳତୀ ଠାରୁ ଆରମ୍ଭ କରି ସବୁ ନୀତି କାନ୍ତି ସଂପାଦନ କରିଦେଲେ। ରଥ ଗଡିଲା ଆମର ଗାଁର ମଟାଳ ଦାଣ୍ଡରେ। ଘଣ୍ଟ ଘଣ୍ଟା ମୃଦଙ୍ଗ ଝାଞ୍ଜର ଶବ୍ଦ ସହ କରୁଣା ବାବାଙ୍କ ଭଜନ ଜଣାଣ ପରିବେଶକୁ ଭକ୍ତିମୟ କରିଦେଲା।
ଗୁଣ୍ଡିଚା ମନ୍ଦିର ହୋଇଥିଲା ଗ୍ରାମଦେବତୀ ମା କୁତାମଚଣ୍ଡୀଙ୍କ ପୀଠ। ସବୁ କିଛି ପୂର୍ବରୁ ନିର୍ଦ୍ଧାରିତ ଥିଲା। ଆମେ ସବୁ ଥିଲୁ ମାଧ୍ୟମ ମାତ୍ର। ଆମେ ହିଁ ଥିଲୁ ଦଇତାପତି ଆଉ ଆମେ ପଣ୍ଡା ପଢିଆରୀ। ଯାତ୍ରା ଦିନ ସବୁ କେତେ ଖୁସିରେ କଟିଗଲା ଜଣା ପଡିଲା ନାହିଁ। ସବୁଦିନ ଆମେ ଯାଉଥିଲୁ ଠାକୁରାଣୀଙ୍କ ପୀଠକୁ। ଭଜନକୀର୍ତ୍ତନରେ କମ୍ପି ଉଠୁଥିଲା କ୍ଷେତ୍ର। ଆସିଲା ପୁଣି ବାହୁଡ଼ା ଯାତ୍ରାର ବେଳ। ଆମ ମନର ସରାଗରେ ଭଟ୍ଟା ପଡିବା ପରି ଲାଗୁଥିଲା।
ପରବର୍ତ୍ତୀ ବର୍ଷ ଗାଁରେ ପଶିଗଲା ଘୃଣ୍ୟ ରାଜନୀତି! ପରିବାର ସବୁ ଦୋମେଳିରେ ବାଣ୍ଟି ହୋଇଗଲେ। ସଭିଏଁ ଭୁଲିଯାଇଥିଲେ ନିଜ ନିଜ ଭିତରେ ଥିବା ସମ୍ପର୍କକୁ। ମାର୍ ହାଣ୍ ରେ ମଗ୍ନ ଥିଲେ। ଏହା ଆମ ପିଲାଙ୍କ ପାଇଁ ଥିଲା ଦାରୁଣ ଯନ୍ତ୍ରଣାର ଘଡି। ଏହି ହିଂସା ଦ୍ବେଷରେ ବଳି ପଡ଼ିଗଲା ଆମ ରଥଯାତ!
ସମ୍ଭବତଃ ମହାପ୍ରଭୁଙ୍କ ରଥଯାତକୁ ନେଇ ପ୍ରତିଯୋଗିତା କରୁଥିଲୁ ଆମେ। ଆମର ବଡ଼ ରଥ ତମର ଛୋଟ ରଥ କହି ଅହଂକାର ପ୍ରଦର୍ଶନ କରୁଥିବା ହେତୁ ସେ ନିଜେ ହିଁ ନିଜ ଯାତ୍ରା ବନ୍ଦ କରିଦେଲେ, ଯେମିତିକି ସେ ଆରମ୍ଭ କରିଥିଲେ ଅଚାନକ। ଆଜି ବି ଗାଁ ଅଛି, ଠାକୁର ଅଛନ୍ତି ଆମେ ସବୁ ଯିଏ ଯେଉଁଠି ପ୍ରବାସରେ ନିଜ ନିଜର ନିୟତି ସହ ଯୁଝୁଛୁ ନିତି।
ଯେବେ ଦଣ୍ଡେ ଘଡିଏ ପାଇଁ ହେଉ ପଛକେ ଗାଁକୁ ମୁଁ ଯାଏ, ଠାକୁର ଘର କବାଟ ଖୋଲି ମହାପ୍ରଭୁଙ୍କୁ ଥରେ ଆଖି ପୁରେଇ ଦେଖିଦେଲେ କେଜାଣି କାହିଁକି ଅମାନିଆ ଦୁଇ ଧାର ଲୁହ ବୋହି ଯାଏ...
