Shanti Mishra

Thriller Others

2.5  

Shanti Mishra

Thriller Others

ରଂଗ ବିରଂଗ

ରଂଗ ବିରଂଗ

7 mins
364


ପୃଥିବୀରେ ଯେତେ ପ୍ରକାର ରଂଗ ଅଛି ସବୁ ରଂଗକୁ ମିଶେଇ ଦେଲେ ଯୋଉ ରଂଗ ସେଥିରୁ ସୃଷ୍ଟି ହେବ ତାର ନାମ ହଉଛି ବିବାହ l ଏଇଟା ତାର ଧାରଣା ମାତ୍ର l ଏହା କେତେ ଦୂର ସତ୍ୟ ତାକୁ ଜଣା ନାହିଁ l କାରଣ ସେ ଏପର୍ଯ୍ୟନ୍ତ ଅବିବାହିତ l ବିବାହ କଥା ଭାବି ସେ ଅନେକ ଥର ଆତ୍ମହରା ହୋଇଛି ସତ କିନ୍ତୁ ସେପରି ସୌଭାଗ୍ୟ ଏ ପର୍ଯ୍ୟନ୍ତ ତାକୁ ପ୍ରାପ୍ତ ହୋଇନାହିଁ l ହେବକି ନାହିଁ ତାକୁ ଜଣା ନାହିଁ l କାରଣ କିଛି ଦିନ ତଳେ ସେ ବିବାହ ପାଇଂ ପ୍ରସ୍ତାବ ଦେଇଥିଲା ସଂଜିତାକୁ କିନ୍ତୁ ଏ ପର୍ଯ୍ୟନ୍ତ ତାର କୌଣସି ଉତ୍ତର ମିଳିନାହିଁ l ମିଳିବକି ନାହିଁ ତାହା ଏକ ପ୍ରଶ୍ନବାଚୀ ବର୍ତ୍ତମାନ l

କାରଣ ଏଯାଏ ସେପଟୁ ସେ କୌଣସି ତତ୍ପରତା ଦେଖି ପାରୁନାହିଁ l ଏଥିରେ ଏତେ ଭାବିବାର କଣ ଅଛି l ହଁ ବା ନାହିଁ କରିବାକୁ ଏତେ ସମୟ କଣ ଲାଗେ l ସେଦିନ ତା କଥା ଶୁଣି ଖାଲି ହସିଦେଇ ଚାଲିଗଲା ସଂଜିତା l ପରେ ଭାବିକି କହିବ ବୋଲି କହିଥିଲେ ବି ଚଳିଥାନ୍ତା l କିନ୍ତୁ ନା….ଏକ ନାଟକୀୟ ଭଂଗିରେ ପଛକୁ ଚାହିଁ ଚାହିଁ ଚାଲିଗଲା l

ଫୋନ୍ ଘଣ୍ଟି ଶୁଣିବାକୁ ଚାତକ ପରି ସେ ଚାହିଁ ବସିଛି l ନା ଫୋନ୍, ନା ଟେକ୍ସ, ନା ଇ ମେଲ୍ ,ନା ହ୍ବାଟସଆପ୍ କୋଉଥିରେ କିଛି ଖବର ନାହିଁ l ଚାରିଦିନ ବିତିଗଲାଣି l ଏଥରକ ଧିରେ ଧିରେ ମନର ଉତ୍ସାହ କମି କମି ଆସିଲାଣି l ଆଗ୍ରାହ ମରି ମରି ଗଲାଣି l ଆଉ ସ୍ବପ୍ନର ସବୁ ରଂଗ ଧିରେ ଧିରେ ଫିକା ପଡି ଆସିଲାଣି l

ଆଉ କିଛି ଦିନ ଏପରି ପ୍ରତିକ୍ଷାରେ ରହିଲେ ସବୁ ରଂଗ କଳା ପଡିଯିବ l ସବୁ ଅନ୍ଧାର ଅନ୍ଧାର ଲାଗିବ ତାକୁ l କୌଣସି ରଂଗ ଆଉ ତାକୁ ଆକର୍ଷିତ କରିବାକୁ ସକ୍ଷମ ହେବେ ନାହିଁ l ଅପେକ୍ଷା କରିବାର ଧୈର୍ଯ୍ୟ ସୀମା ଟପିଗଲାଣି l କିନ୍ତୁ ଆଶା ଏବେବି ସୁକୁ ସୁକୁ ହୋଇ ବଂଚି ଚାଲିଛି l କିନ୍ତୁ ସେ ଆଶାର ପ୍ରାଣ ପ୍ରଦୀପ ଆ ଉ ବେଶୀ ଦିନ ନୁହେଁ l

ହଠାତ୍ ଦିନେ ଫୋନର ଘଣ୍ଟି ବାଜି ଉଠିଲା l ବାଥ୍ ରୁମ୍ ରୁ ଦୌଡି ଦୌଡି ଆସୁଥିଲା ରାଜିବ୍ ଗୋଡ ଖସି ପଡିଗଲା, ଗୋଡାଟା ଟିକେ ମକଚି ହୋଇଗଲା l ଛଟପଟ ଭରା ଯନ୍ତ୍ରଣାକୁ ସେ ଖାତିର୍ ନକରି ତଳୁ ଉଠି ଦୌଡି ଆସି ଫୋନ୍ ଧରିଲା l ହ୍ୟାଲୋ…. ଗୋଡରୁ ମୁଣ୍ଡ ପର୍ଯ୍ୟନ୍ତ ତାର ଶିହରଣ l ଗୋଡ ଯନ୍ତ୍ରଣା ତାକୁ ବାଧୁ ନଥାଏ l ସଂଜିତାର ସ୍ବର ଶୁଣିବ l ସେ କଣ କହିବ ଲାଜେଇ ଯାଉଥିଲା ମନେ ମନେ ଏଣୁ ତେଣୁ ବହୁତ କିଛି ଭାବି ନେଇ l

ଗୋଟେ ହାତରେ ଫୋନ୍ ଅନ୍ୟ ହାତରେ ସବୁ ଦେବା ଦେବୀକଂ ଉଦେଶ୍ୟରେ ପ୍ରଣିପାତ ବି କରି ଚାଲିଥାଏ l ସେପଟୁ ଉତ୍ତର କିଛି ନପାଇ ପୁଣି ଥରେ ହ୍ୟାଲୋ କଲା ରାଜିବ୍ l ହୁଏତ ସଂଜିତା ବି ତା ପରି ଲାଜେଇ ଯାଉଛି କଣ କହିବ, କିପରି କଥା ଆରମ୍ଭ କରିବ, ସେଥିପାଇଂ ସମୟ ନଉଛି l କିନ୍ତୁ ତାକୁ ଚମକେଇ ଦେଇ ଏକ ଭାରି ଗଳାରୁ ସେପଟୁ ସ୍ବର ଶୁଭିଲା -“ଓ! ତୁମେ ତେବେ ସେଇ ମଣିଷ ଯିଏ ମୋ ସ୍ତ୍ରୀକୁଂ ବିବାହ କରିବାକୁ ପ୍ରସ୍ତାବ ଦେଇଛନ୍ତି l” ଏ କଣ ଶୁଣୁଛି ସେ l ପାଟି ତାର ଶବ୍ଦହୀନ l -“ହ୍ୟାଲୋ ଉତ୍ତର କାଇଂ ଦଉନ l ହଁ ମୁଁ ସଂଜିତା କଥା କହୁଛି l ତୁମ ସାହାସକୁ ଧନ୍ୟବାଦ ଦେବାକୁ ପଡିବ”l

ଆକାଶରୁ ଖସି ପଡିଲା ପରି ଯନ୍ତ୍ରଣା ଅନୁଭବ କଲା ରାଜିବ୍ l ଗୋଡ ମୋଡି ହୋଇ ଯାଇଥିବା ଯନ୍ତ୍ରଣା ଠାରୁ ଏ ଯନ୍ତ୍ରଣା ଶତ ଗୁଣିତ ହୋଇଗଲା l ମୁକ ପାଲଟି ଗଲା ସେ କ୍ଷଣକ ପାଇଂ l ସେପଟୁ ଯେତେ ହ୍ୟାଲୋ ହ୍ୟାଲୋ ଶୁଭୁଥିଲେ ବି ସେ କିଛି ଉତ୍ତର ଦେଲା ନାହିଁ l ସଂଜିତା କଣ ଭାବିଥିବ ତାକୁ l ସେମାନେ ଏକ ଅଫିସରେ କାମ କରୁଥିଲେ l ମାସକ ପୂର୍ବରୁ ସଂଜିତା ବଦଳି ହୋଇ ଯାଇଥିଲା ଅନ୍ୟ ଏକ ବ୍ରାଂଚକୁ l ନଚେତ୍ ତାକୁ ମୁହଁ ଦେଖେଇବା ଆଜି ସମ୍ଭବ ହୋଇ ନଥାନ୍ତା ତା ପକ୍ଷରେ l

କିନ୍ତୁ ସଂଜିତା ଯେ ବିବାହିତା ଏକଥା ସେ କେବେ କହିନଥିଲା ତାକୁ ଆଗରୁ କାହିଁକି ? ସେମାନେ ଅନେକ ଥର କଥାବାର୍ତ୍ତା ହୋଇଛନ୍ତି l ଏକାଠି କଫି ଜଳଖିଆ ଖାଇଛନ୍ତି l ସବୁବେଳେ ସେମାନେ ଅଫିସ୍ ଗପ ଗପନ୍ତି ବା ଅଫିସ୍ ଲୋକ ମାନକଂ ବିଷୟରେ ଗପନ୍ତି କେବେ ନିଜର ବ୍ୟକ୍ତିଗତ ବିଷୟରେ ଗପି ନାହାନ୍ତି ସତ କିନ୍ତୁ ରାଜିବ୍ ଧରି ନେଇଥିଲା ସଂଜିତା ଅବିବାହିତା ବୋଲି l ସେ ନା କେବେ ମଥାରେ ସିନ୍ଦୁର ପିନ୍ଧୁଥିଲା ନା ଚୁଡି ଗହଣା l ସେ ଯେ କିପରି ଜାଣିବ ସଂଜିତା ବିବାହିତା ବୋଲି କି ନୁହେଁ l

ଆଜି କାଲି ଅବଶ୍ୟ ଫେସନ୍ ହୋଇଗଲାଣି ଏ ସବୁ ନପିନ୍ଧିବା l ଝିଅ ମାନକଂ ମୁଡ୍ ଉପରେ ସବୁ ନିର୍ଭର କରେ ସେ ପିନ୍ଧିଲେ ପିନ୍ଧନ୍ତି ନ ପିନ୍ଧିଲେ ନାହିଁ l ତାକଂ ଇଛା ଉପରେ ସବୁ ନିର୍ଭର କରେ l ଆଜି କାଲି ଝିଅ ମାନକଂ ପାଇଂ କିଛି ବାଧ୍ୟତା ମୁଳକ ନୁହେଁ l ଯୁଗ କେବେଠୁ ବଦଳି ଗଲାଣି l ସେ ସିନା ବଦଳିନି, ଯେମିତି ପଛରେ ଥିଲା ସେମିତି ପଛରେ ଅଛି l ଯୁଗ ତ ଅନେକ ଆଗେଇ ଯାଇଛି l

କିନ୍ତୁ ସେଦିନ ରାଜିବ୍ ପ୍ରପୋଜ୍ କଲା ବେଳେ ସଂଜିତା କିଛି କହିଲା ନାହିଁ କାହିଁକି ହସି ହସି ଚାଲିଗଲା l ସେ ତାକୁ ହଁ ବୋଲି ଧରି ନେଲା ଓ ପରେ ସେ ନିଶ୍ଚୟ ତାର ଅଫିସିଆଲ୍ ସ୍ବୀକୃତି ଦେବ ବୋଲି ଧରି ନେଲା l ହୁଏତ ହଠାତ୍ ଏପରି ଏକ କଥା ସେ ରାଜିବ୍ ଠାରୁ ଆଶା କରି ନଥିଲା ସେ କିଂକର୍ତ୍ତବ୍ୟ ବିମୁଢ ହୋଇ କିଛି ଉତ୍ତର ଦେଇ ପାରି ନଥିଲା ହୁଏତ l ନା ଆଉ କିଛି ରହସ୍ୟ ଅଛି ଏହା ପଛରେ l ହୁଏତ ସଂଜିତା ବିବାହ କରି ଥିଲା ଅତୀତରେ, ଏବେ ବିଛେଦ ହୋଇ ଯାଇଛି l

ଅନେକ ଅମୂଳକ କଥା, ସନ୍ଦେହ ଘେରରେ ରାଜିବ୍ ନା ଶୋଇ ପାରୁଛି ନା କିଛି ଠିକ୍ ଭାବେ ଭାବି ପାରୁଛି l କିନ୍ତୁ ରାଜିବ୍ ଆଜି ସଂଜିତାର ସ୍ବାମୀର କଥା ଶୁଣି ବହୁତ ଘାବରେଇ ଯାଇଥିଲା l ଲୋକଟି ତାକୁ ଛାଡିବନି ବୋଲି ତାର ମନେ ହେଲା l ହୁଏତ ତା ପିଠିରେ ଛୁରା ଭୁସି ଦେଇପାରେ ବା ଗୁଣ୍ଡ| ଲଗେଇ ବାଡେଇ ପାରେ ବା ଅନେକ କିଛି କ୍ଷତି କରି ପାରେ l ସଂଜିତା ଉପରେ ଥିବା ରାଗକୁ ତା ଉପରେ ଶୁଝେଇବାକୁ ଚାହୁଁଥାଇ ପାରେ l ସେ ଆଗକୁ ବିଶେଷ କିଛି ଭାବି ପାରିଲା ନାହିଁ l

ଏବେ ଆଉ କଣ l ଏହାର ସମାଧାନ କିପରି କରିବ l କ୍ଷମା ପ୍ରାର୍ଥନା ତ ନିଶ୍ଚୟ କରବ l କିନ୍ତୁ ସଂଜିତାକୁ ମୁହଁ କିପରି ଦେଖେଇବ ପ୍ରଥମେ ତାର ସେଇ ଚିନ୍ତା l ନା, ଇ ମେଲ୍ ଦ୍ବାରା ସବୁ ଜଣେଇଦେବା ଟା ଠିକ୍ ହେବ l କିନ୍ତୁ ତା ସ୍ବାମୀ ଠାରୁ ରାଜିବ୍ କିପରି ରକ୍ଷା ପାଇବ l ସେ ସପ୍ତାହେ ଛୁଟି ନେଇ ଘରେ ରହିଯିବ l ପରିସ୍ଥିତି ଟିକେ ଶିଥିଳ ହୋଇଗଲେ ସେ ଅଫିସ୍ ଯିବ l ଲୋକଟାର ସ୍ବରରୁ ଜଣେ ସୈତାନ୍ କି ପିଶାଚ ପରି ଲାଗୁଥିଲା l ଏପରି ରୁକ୍ଷ, କର୍କଶ ସ୍ବର ସେ ଆଗରୁ କେବେ ଶୁଣି ନଥିଲା l

ମନ ଦେହ ସବୁ ବିଷାକ୍ତ ହୋଇଗଲା l ଆଗରୁ ଥରେ ଅଧେ ଏପରି ଘଟଣା ଘଟିଯାଇଛି ତା ଜୀବନରେ l ନା, ଆଉ ସେ କେବେ ବିବାହ କରିବ ନାହିଁ ବୋଲି ମନେ ମନେ ଶପଥ କରିନେଲା l ତାର ଆଉ କୌଣସି ରଂଗ ଦରକାର ନାହିଁ ଏ ଜୀବନରେ l ସେ ରଂଗ ଶୂନ୍ୟ ହୋଇ କଳା ରଂଗ ସହିତ ଜୀବନ ବିତେଇ ଦେବ l ବଡ ମାନସିକ ଅଶାନ୍ତି ସହିତ ସପ୍ତାହ ଟି ବିତିଗଲା l ଶନିବାର ସକାଳୁ ସେ ଶନି ଦେବକଂ ମନ୍ଦିର ଯାଇ ପୂଜା କରିବ ବୋଲି ଭାବିନେଲା l

ଲୋକଟି ତାର ଏଯାଏ କିଛି କ୍ଷତି କରି ନାହିଁକି ତାର ପିଛା କରି ଘରକୁ ଆସିନାହିଁ l ହୁଏତ ତାର ଏକ ଶନି ଦଶା ଥିଲା କଟିଗଲା l ତେଣୁ ସେ ସକାଳୁ ଉଠି ଶନିକଂ ମନ୍ଦିର ନିମନ୍ତେ ବାହାରି ଗଲା l ମନ୍ଦିରରେ ପୂଜା ଅର୍ଚ୍ଚନା ସାରି ପୂଜାରିକଂ ଠାରୁ ପ୍ରସାଦ ଗ୍ରହଣ କରିବା ସମୟରେ ତା ପାଖରେ ଆଉ ଏକ ପ୍ରସାରିତ ହାତ ଦେଖି ସେ ଚମକି ପଡିଲା ଏତ ସଂଜିତାର ହାତ ପରି ମନେ ହେଉଛି l ମନେ ହେଉଛି ନୁହେଁ,ଏ ନିଶ୍ଚେ ସଂଜିତା l ତା ଡାହାଣ ହାତର ପିନ୍ଧା ଘଣ୍ଟାକୁ ସେ ବେଶ୍ ମନେ ରଖିଛି l

ରାଜିବ୍ ହଡବଡେଇ ଯାଇ ମୁହଁ ଫେରାଇ ଫେରି ଯିବାକୁ ବସିଥିଲା ବେଳେ ସଂଜିତା କଥା ଆରମ୍ଭ କଲା l ତମେ ଏମିତି ଚାଲି ଯାଉଛ କାହିଁକି l କଣ ରାଗ ନା ଅଭିମାନ ! ଆଉ ବେଶୀ ଦିନ କରିବାକୁ ପଡିବନି l ତୁମ ଫୋନ୍ କଲକୁ ଅପେକ୍ଷା କରିଥିଲି l ତମେତ କଲନି ଆଜି ଭାବିଥିଲି ଏ ମନ୍ଦିରରୁ ଫେରିଲା ପରେ କରିବି ବୋଲି l ବୋଉର ଗୋଟେ ବଡ ମାନସିକ ଥିଲା ଯୋଉଦିନ ମୋର ବାହାଘର ପ୍ରସ୍ତାବ ଯଦି କେହି ଦିଏ ବା ଆଣେ ମୁଁ ଯାଇ ଏ ସହରର ସବୁ ମନ୍ଦିର ଯାଇ ଠାକୁର ଦର୍ଶନ କରି ସାରିଲା ପରେ ଯାଇ ହଁ ଭରିବି l

ସେ ତ ଆଜି ଆଉ ନାହିଁ କିନ୍ତୁ ତା ଇଛାକୁ ସମ୍ମାନ ଦବାକୁ ଯାଇ ମୁଁ ସପ୍ତାହେ ହେଲାଣି ସବୁ ମନ୍ଦିର ଦର୍ଶନ କରି ସାରିଲିଣି l ଏଇ ମନ୍ଦିର ଶେଷ ଦର୍ଶନ କରିବାର ଥିଲା l ଦେଖ ତ ଭଗବାନକଂର କିପରି ବିଚାର l ତମ ସହିତ ଦେଖା ହୋଇଗଲା l ମୋ ଜାତକରେ କିଛି ଅଶୁଭ ସଂକେତ ଦେଖି ବୋଉ ଏପରି ଏକ ମାନସିକ କରି ଦେଇଥିଲା l ଅନ୍ୟ କେହି ବିଶ୍ବାସ କରନ୍ତୁ ବା ନା କରନ୍ତୁ ସେ ତ କରୁଥିଲା l ତେଣୁ ତୁମ କଥାର ଉତ୍ତର ଶିଘ୍ର ଦେଇ ପାରିଲିନି କ୍ଷମା କରିବେ ବୋଲି ଅଶା ରଖୁଛି l ତେବେ କୁହନା କେବେ ବରଯାତ୍ରୀ ଧରି ଆମ ଘରକୁ ଆସିବ ମତେ ନବା ପାଇଂ l

ରାଜିବ୍ ଧରିନେଲା ଏ ସଂଜିତାର ଥଟା ବା ପରିହାସ କେବଳ l -“ଛାଡନ୍ତୁ ସେକଥା ମତେ କ୍ଷମା କରି ଦିଅନ୍ତୁ l” -“ଆରେ କ୍ଷମା କଣ ପାଇଂ l” ସଂଜିତା ହସି ହସି ରାଜିବର ହାତ ଧରି ଟାଣି ଟାଣି ନେଇଗଲା ମନ୍ଦିର ପାହାଁଚରେ ଥିବା ସିନ୍ଦୁର ଡବା ପାଖକୁ l ସେ ରାଜିବ୍ କପାଳରେ ସିନ୍ଦୁର ଟୋପାଟିଏ ଲଗେଇ ଦେଇ ତା ନିଜ କପାଳରେ ଲଗେଇ ଦେବାକୁ ରାଜିବ୍ କୁ ଅନୁରୋଧ କଲା l

ସଂଜିତା କଣ ପାଗଳୀ l ତାର ସ୍ବାମୀ ଘର ସଂସାର ଆଜି ନାହିଁ ସତ କିନ୍ତୁ ଦିନେ ତ ଥିଲା l ସ୍ବାମୀ ବଂଚି ଥାଉ ଥାଉ ସେ ଏପରି କାହିଁକି ବ୍ୟବହାର କରୁଛି l ତା ମୁଣ୍ଡରେ ସିନ୍ଦୁର ଦେବାକୁ କହୁଛି l ପରିହାସର ସୀମା ଥାଏ କିନ୍ତୁ ଏ ତ ସୀମା ଲଂଘି ଚାଲିଛି l ସଂଜିତା ପ୍ରଗଲଭ ଭାବରେ ଗପି ଚାଲିଥାଏ “କାଲି ବାପା, ବଡ ଭାଇ, ବଡ ଭଉଣୀ ଓ ଭିଣେଇ ତୁମ ଘରକୁ ଯିବେ ବିବାହର ଦିନ ଠିକ୍ କରିବାକୁ l”

ସଂଜିତାର କଥାରେ ଟିକେ ମିଚ୍ଛ ବା ଥଟା କି ଛଳନା ସେପରି କିଛି ଜଣାପଡୁନି ତ l ବେଶ୍ ସ୍ବଭାବିକ ଲାଗୁଛି l ତେବେ ସେ ଶୁଣିଥିବା ଫୋନ୍ କଲ ବିଷୟରେ କିଛି କହିଲାନି ସଂଜିତାକୁ ସତ, କିନ୍ତୁ ମନେ ମନେ ଭାବି ଚାଲିଥାଏ l ତାହା କଣ ହୋଇପାରେ l ଏବେ ଭାବୁଛି କେହି ବଦମାସ୍ ଲୋକର କାରସାଦୀ l କେହି ଖେଳୁଥିଲା ତା ସହିତ ବୋଧେ l ସୈତାନ ସଂଗେ ଯଦି କେବେ ଦେଖା ହୋଇଯାଆନ୍ତା ତା ତନ୍ଟି ଚିପି ଦିଅନ୍ତା l ସାତ ଦିନର ନିଦ ନଷ୍ଟ କରି ଦେଲା l

ବାହାଘର ଦିନ ସଂଜିତାର ଭିଣେଇ ଶଶାଂକ ଆସି ରାଜିବର କାନରେ ଚୁପି ଚୁପି କହିଥିଲା -“କଣ ଡରିଯାଇ ଥିଲକି ବନ୍ଧୁ ସେଦିନ ତୁମ ଭାବୀ ସ୍ତ୍ରୀକୁ ମୋ ସ୍ତ୍ରୀ କହିଦେଲି ବୋଲି l ଏତେ ଡରକୁଳା ହେଲେ ଚଳିବ, ତେବେ ମୋ ଶାଳୀ ମାନେ ମୋ ଅଧା ଘରବବାଲିକୁ ସମ୍ଭାଳିବ କିପରି l”

ରାଜିବ୍ ହସି ହସି ଗଡି ଯାଇଥିଲା l “ଓ ! ତେବେ ଏସବୁ ତମ କାରସାଦି ଥିଲା l ଭଲ ରଂଗ ତୁମ ପିଚକାରିରୁ ଛାଡିଥିଲ l ଜୀବନ ସାରା କେବେ ଛାଡିବନି ସେ ରଂଗ l” ସଂଜିତା ଏବେ ସମ୍ପୂର୍ଣ୍ଣ ରୁପେ ତାର ତା ଜୀବନରେ ଭାବିଥିବା ସବୁ ରଂଗ ପୁଣି ଫେରି ଆସିଥିଲା l ସଂସାର ଟା ହଜାର ରଂଗରେ ପୁଣି ରଂଗାୟିତ ହୋଇ ଯାଇଥିଲା l


Rate this content
Log in

Similar oriya story from Thriller