Madhumita Mishra

Classics Inspirational


3.9  

Madhumita Mishra

Classics Inspirational


ରକ୍ତସ୍ନାନ

ରକ୍ତସ୍ନାନ

16 mins 207 16 mins 207


ପଦିଏ କଥା..


କେବଳ ସେହି ଏକମାତ୍ର ବାକ୍ୟ ହିଁ ଯଥେଷ୍ଟ ଥିଲା ଆପଣଙ୍କର ମାତା । କେବଳ ଗୋଟିଏ ଅତର୍କିତ ନିଷ୍ପତ୍ତି । କିମ୍ବା ସତରେ ଗୋଟିଏ ବଜ୍ରପାତ । ସେହି ଗୋଟିଏ ନିର୍ଦ୍ଦେଶ । ଯାହା ଆଣିଛନ୍ତି ସାଙ୍ଗରେ ତାହା ସମାନ ରୂପେ ବାଣ୍ଟି ଦେବାକୁ ?ଥରେ ମଧ୍ୟ ଭାବିଲେନି ନା..କଣ ହେବ ସେହି ପଦେ କଥାର ପରିଣାମ ? କିଛି ନ ଜାଣି ନ ଶୁଣି ଏପରି କହିଦେଲେ ? ଠିକ୍ ଅଛି..ଯଦି ଭୁଲରେ କହି ଦେଇଥିଲେ ଆଉ ଆପଣ ଜାଣିଥିଲେ ଯେ ଆପଣଙ୍କ ସନ୍ତାନମାନେ ଆପଣଙ୍କ କଥାର ବହୁତ୍ ସମ୍ମାନ କରନ୍ତି ଆଉ ଅକ୍ଷରେ ଅକ୍ଷରେ ପାଳନ କରନ୍ତି ତେବେ କହିଥିବା ବାକ୍ୟ ଫେରାଇ ନେବାକୁ ଆଉ କିଛି ନିୟମ କରିଲେନି କାହିଁକି?ଯେତେବେଳେ ଆପଣଙ୍କ ପୁଅମାନେ ଆପଣଙ୍କ କଥା ଅନୁସାରେ ମୋତେ ବାଣ୍ଟି ଦେବାକୁ ବିଚାର କଲେ ସେତେବେଳେ କଣ ଆପଣ କିଛି କରି ପାରିନଥାନ୍ତେ ? ଏମିତି ଖାମଖିଆଲିରେ କିଛି କହିଦେଲେ କଣ ତାହା ଜଣଙ୍କ ନିୟତି ହୋଇ ଯାଇପାରେ କି ? କିଛି ଫଳାଫଳ ଆକଳନ ନ କରି ଏମିତି କେହି କିଛି କହିଦେଲେ କଣ ସେହି କଥା ତା ଭାଗ୍ୟ ହୋଇଯାଏ କି?


ଛାଡ଼ନ୍ତୁ..ଆପଣ ସିନା ଦେଖି ନ ଥିଲେ କଣ ଅଛି ଆପଣଙ୍କ ପୁଅମାନଙ୍କ ସହିତ କିନ୍ତୁ ଆପଣଙ୍କ କଥା ଟିକକ ପାଇଁ ମୋ ଭାଗ୍ୟ ବଦଳେଇ ଦେଇଥିବା ସେହି ବୀର ପୁରୁଷମାନେ ନିଶ୍ଚୟ ଜାଣିଥିଲେ ନା ସେମାନେ ସାଙ୍ଗରେ କାହାକୁ ଆଣିଛନ୍ତି ? କୌଣସି ବନ୍ୟଜନ୍ତୁ ପୁଷ୍ପ ଫଳ ଅଥବା ନିର୍ଜୀବ ବସ୍ତୁ ନେଇ ଆସି ନ ଥିଲେ ସେମାନେ ଆଣିଥିଲେ ଅଗ୍ନିସମ୍ଭୂତା ପାଞ୍ଚାଳୀକୁ । ଆଣିଥିଲେ ଦ୍ରୁପଦ ରାଜାଙ୍କ ମାନ ମହତକୁ । ଆଣିଥିଲେ କୋଟି ହୃଦୟର ସ୍ପନ୍ଦନ ସାଜିଥିବା ଅପହଞ୍ଚ ସ୍ଵପ୍ନମୟୀ ରାଜକୁମାରୀ ଦ୍ରୌପଦୀଙ୍କୁ । ଯାହାଙ୍କୁ ଲାଭ କରିବା ଜମାରୁ ଏତେ ସହଜ ନ ଥିଲା । ଆର୍ଯ୍ୟବର୍ତ୍ତର ସମସ୍ତ ସମ୍ରାଟ କେବଳ ଏକ ଝଲକ ପାଇବା ପାଇଁ ଲାଳାୟିତ ଥିଲେ ତାଙ୍କର । ଏକ ଦୁର୍ଲଭ ଦୁଷ୍ପ୍ରାପ୍ୟ ସ୍ବପ୍ନକୁ ସାକାର ରୂପ ଦେଇ ଆଣିଥିଲେ ସେମାନେ ସାଙ୍ଗରେ । ଆଉ ଆପଣ.?


କିଛି ବୁଝିବା ଆଗରୁ ନିଷ୍ପତ୍ତି ଶୁଣେଇଦେଲେ ?


ଆଉ ଆପଣଙ୍କ ବିଚାରରହିତ କଥା ଟିକକ ରଖିବା ପାଇଁ ସେହି ବୀରମାନେ ତତ୍ପର ହୋଇ ଆଗେଇ ଆସିଲେ ହାତ ଧରାଧରି ହୋଇ । ଏ ପ୍ରକାର ଅସ୍ପର୍ଦ୍ଧା କଣ ଶୋଭା ପାଏ କି ପାଣ୍ଡବ କୁଳ ଶିରୋମଣି ମାନଙ୍କୁ?


ଜାଜ୍ଞସେନୀ ପାଇଁ ନିର୍ଦ୍ଧାରିତ କଷ୍ଟସାଧ୍ୟ ଯୋଗ୍ୟତାର କଷଟି ପଥରରେ ଚମକି ଉଠିଥିଲେ କେବଳ ମଧ୍ୟମ ପାଣ୍ଡବ । ମୋ ପିତାଙ୍କ ସର୍ତ୍ତ ପାଳନ କରିବାକୁ ଯାଇ ଚଳନ୍ତା ମତ୍ସ୍ୟର ଚକ୍ଷୁ ଭେଦ କରି ସେ ଜିତି ପାରିଥିଲେ ମୋ ହୃଦୟ। ଯଦି ମୋ ପରି ଏକ ଯୋଗ୍ୟା କନ୍ୟାର ସ୍ଵୟମ୍ବର ଏତେ ଦୂରୁହ ବ୍ୟାପାର ଥିଲା ତେବେ ମୋ ବିବାହ କିପରି ଏକ ଛଳନା କରି କରି ଦିଆଗଲା ସେକଥା ମୋତେ କହିବେ କି ? ହାତ ଧରି ଆସିଲା ବେଳେ ହିଁ ଜାଣି ପାରିଥିଲି ତାଙ୍କ ପରିଚୟ । ତା ଆଗରୁ ସେ କେବଳ ଜଣେ ଧନୂର୍ଦ୍ଧର ଥିଲେ ଯେ କି ସବୁ ପ୍ରକାରର ଯୋଗ୍ୟତା ସଞ୍ଚିତ କରି ରଖିଥିଲେ ମୋ ସହିତ ନିଜ ସମ୍ପର୍କ ଯୋଡିବା ପାଇଁ । ତେବେ..?ଏପରି ଏକ ବାଚାଳ ପ୍ରାୟ ବାକ୍ୟକୁ ମୋ କପାଳ ଲିଖନ ଆପଣ କିପରି କରି ଦେଇ ପାରିଲେ ମାତା?


ଅର୍ଜୁନଙ୍କ ହାତ ଧରି ଆପଣଙ୍କ ଦର୍ଶନ ପାଇଁ ଆଗେଇ ଆସିଲା ବେଳେ ମୁଁ ଧର୍ମରାଜ ଓ ବୃକୋଦରଙ୍କୁ ଦେଢ଼ସୁର ଜ୍ଞାନ କରି ସମ୍ମାନ ଦେଉଥିଲି ଆଉ ନକୁଳ ସହଦେବଙ୍କୁ ନିଜ ଦେବର ମାନି ସ୍ନେହ ଢାଳି ଦେଉଥିଲି।ଅର୍ଜୁନଙ୍କ ପତ୍ନୀ ହିସାବରେ ଦୁଇ ବଡ଼ ଭାଇ ଆଉ ଦୁଇ ସାନ ଭାଇ ପାଇ ବହୁତ୍ ଖୁସି ହୋଇଯାଇଥିଲି।ଥରେ ଭାବିଲେ ଦେଖି ଆପଣଙ୍କ ସହ ଦେଖା ହେଲା ପୂର୍ବରୁ କ୍ଷଣିକ ମଧ୍ୟରେ ସେ ସମସ୍ତେ ମୋର ସ୍ବାମୀ ହୋଇଗଲେ ? କେତେ କଳଙ୍କିତ ହୋଇଗଲା ମୋ ସତୀତ୍ଵ ସେକଥା ଥରେ ଭାବିଲେ କି ? ନା..ଆପଣ କାହିଁକି ଭାବିବେ ? ଆପଣଙ୍କ ପରି ମହାନ୍ ମାତାଙ୍କ ବାକ୍ୟ ସନ୍ତାନ ପାଇଁ ତ ବେଦର ଗାର ହୋଇଯାଏ । କିନ୍ତୁ ମୁଁ ଆପଣଙ୍କ ସନ୍ତାନ ନ ଥିଲି।


ତେବେ ମୁଁ କାହିଁକି ଆପଣଙ୍କ କଥାର ଭାର ସାରା ଜୀବନ ବହନ କଲି?


ମୋ ପ୍ରଶ୍ନର ଉତ୍ତର ଆପଣଙ୍କ ପାଖରୁ ମୁଁ ଆଶା କରୁନି।କାରଣ ମୁଁ ଜାଣେ ଏହା ଆପଣଙ୍କ ପାଖରେ ମଧ୍ୟ ନାହିଁ…


ଯଦି ଆପଣ କେବଳ ପାଞ୍ଚ ପୁଅଙ୍କ ଭିତରେ ମୋର ସମାନ ବଣ୍ଟନ ପରି ଏକ ଅକଥ୍ୟ କହିଥାନ୍ତେ ନା ;ତା ହେଲେ ମଧ୍ୟ ମୁଁ ଏତେ ଆହତ ହୋଇ ନ ଥାଆନ୍ତି।ଏକ ନାରୀ ହିସାବରେ ଆପଣ ଅନ୍ତତଃ ଏହା ତ କହି ପାରି ଥାନ୍ତେ ନା ଯେ ଆପଣଙ୍କ ପୁଅମାନେ ନିଜ ପତି ହେବାର ଦାୟୀତ୍ୱର ସମାନ ବଣ୍ଟନ କରନ୍ତୁ।ନିଜ କର୍ତ୍ତବ୍ୟର ବଣ୍ଟନ କରନ୍ତୁ।ତାହା ମଧ୍ୟ ନ୍ୟାୟ ସଂଗତ ହୁଅନ୍ତା।କିନ୍ତୁ ସେମାନଙ୍କ ଅଧିକାରକୁ ସେହି ପରିସୀମା ପରିଭୁକ୍ତ କରି ନ ଥାନ୍ତେ ଆପଣ।ତା ହେଲେ ଆଜି ଏ ଯାଜ୍ଞସେନୀ ଆଜି ରକ୍ତସ୍ନାନ କରିବା ପରି ଗର୍ହିତ କାର୍ଯ୍ୟ କେବେ ବି କରି ନ ଥାନ୍ତା..।


ଆଉ ଏସବୁ ହୋଇଛି କେବଳ କର୍ତ୍ତବ୍ୟ ବଦଳରେ ଅଧିକାରକୁ ବାଣ୍ଟି ଦେବାରୁ ନା ?


ଅଧିକାର ! କେତେ ଅଦ୍ଭୁତ ସତରେ ଏ ଶବ୍ଦ ? ପତ୍ନୀ ପାଖରେ ଯାହା କର୍ତ୍ତବ୍ୟ ଆଉ ତ୍ୟାଗ ହୋଇ ରହିଥାଏ ତାହା ପତି ହାତକୁ ଅଧିକାର ହୋଇ ଚାଲିଯାଏ । ତା ନ ହେଲେ ଆଜି ସେଇସବୁ କଥା ମୋ ଜୀବନରେ ହୁଅନ୍ତାନି ଯାହା ସବୁ ହୋଇଯାଇଛି । ପଞ୍ଚୂପତି ସହ ଚାଲି ଆଗେଇଗଲା ବେଳେ ମୁଁ ଜାଣିଛି ଲୋକମାନେ କେତେ ସମ୍ମାନ ସହିତ ମୋତେ ଦେଖୁଥିଲେ । ନାରୀ ଜଣେ ବହୁପତି ବରଣ କରିବା କେହି ମଧ୍ୟ ସାଧାରଣ ଦୃଷ୍ଟିରେ ନେଇ ନ ଥିଲେ ମାତା ।


ଆପଣ କହିଲେ ଯେତେବେଳେ ଆପଣ ଆଉ ମାଦ୍ରି ମାତା ନିଜ ପତିଙ୍କ ସହ ବିହାର କରୁଥିଲେ ସେତେବେଳେ କଣ ଏପରି କିଛି ନିୟମ କରିଥିଲେ ଯଦି କେହି ଜଣେ ଅପରକୁ ଅନ୍ତରଙ୍ଗ ଅବସ୍ଥାରେ ଦେଖେ ତେବେ ବନବାସରେ ଚାଲିଯିବ?ନାହିଁ ନା?କିନ୍ତୁ ମୋ ପତିମାନେ ଏପରି ଏକ ଅସାଧାରଣ ନିଷ୍ପତ୍ତି ନେଇଥିଲେ।ଆଉ କେବଳ ସେଥିପାଇଁ ମୋତେ ଜ୍ୟେଷ୍ଠ ଭ୍ରାତାଙ୍କ ସହ ଦେଖି ମୋ ସ୍ବାମୀ ଅର୍ଜୁନ ବାର ବର୍ଷ ପାଇଁ ବନବାସରେ ଚାଲିଗଲେ।ଏସବୁ କାହିଁକି ହେଲା ମାତା?


ଯଦି ପତି ପତ୍ନୀ ନିକଟତର ହୁଅନ୍ତି ତେବେ ଏଥିରେ ଅସୁବିଧା କେଉଁଠି ରହିଲା?


ଅର୍ଜୁନ ଯେହେତୁ ମୋତେ ଜୟ କରିବା ପରେ ସ୍ଵୟମ୍ବର କରି ପତ୍ନୀ ମାନି ସାରିଥିଲେ ସେ ମୋତେ ଏହି ଅବସ୍ଥାରେ ଦେଖି ନିଶ୍ଚୟ ସହି ପାରିଲେନି।ତେବେ କୁହନ୍ତୁ ମାତା..ଆପଣଙ୍କ ପୁତ୍ର କଣ ସତରେ ଆପଣଙ୍କ କଥା ରଖି ପାରିଲେ? ନିଜ ପତ୍ନୀକୁ ସମାନ ଭାବେ ନିଜ ଭାଇ ସହ ବାଣ୍ଟି ପାରିଲେ?


ଯଦି ସେଦିନ ମୋ ଦେଢଶୁରଙ୍କୁ ସ୍ବାମୀ ସଜେଇ ଆପଣ ଅପରାଧ କରି ନ ଥାନ୍ତେ ତେବେ ମୋ ସ୍ବାମୀ ସହ ମୁଁ କେତେ ଖୁସିରେ ଥାଆନ୍ତି ।


ଯାହା ହାତ ଧରି କାହା ସ୍ବପ୍ନ ଦେଖି ଯାହାକୁ ନିଜର ଭାବି ପିତୃଗୃହ ଛାଡ଼ି ଆସିଲି ସେ ବନବାସ ଚାଲିଗଲେ।ଆଉ ପର ପୁରୁଷମାନେ ଯେ କେବଳ ନିଜ ମାତାଙ୍କ ଏକ କଥାକୁ ପାଳନ କରୁଥିଲେ ସେମାନେ ମୋ ସ୍ଵାମୀ ହୋଇ ମୋ ପାଖରେ ରହିଲେ। ଫଳ କଣ ହେଲା ମାତା ଏସବୁର ? ମୋ ସ୍ବାମୀ ବନବାସ ସାରି ଆସିଲା ବେଳେ ମୋ ପାଇଁ ସଉତୁଣୀ ସୁଭଦ୍ରାଙ୍କୁ ନେଇ ଆସିଲେ। କଣ ଦରକାର୍ ଥିଲା ମାତା ଅର୍ଜୁନଙ୍କୁ ଦ୍ଵିତୀୟ ପତ୍ନୀ ଗ୍ରହଣ କରିବା ପାଇଁ? ମୁଁ କଣ ତାଙ୍କୁ ପତ୍ନୀସୁଖ ଦେଇ ପାରୁ ନ ଥିଲି? ଆଉ ସେ ଆଉ ଜଣଙ୍କୁ ବିବାହ କଲେ ବୋଲି କାହିଁ ମୁଁ ତ ସେମିତି କିଛି ଅହେତୁକ ସର୍ତ୍ତ ରଖିଲି ନାହିଁ ?


ଅଧିକାର କାହାର ରହିଲା ମାତା?କାହା ଉପରେ ରହିଲା? 


ମଧ୍ୟମ ପାଣ୍ଡବଙ୍କ ଦ୍ଵିତୀୟ ବିବାହକୁ ସାଦରେ ଆପଣମାନେ ଗ୍ରହଣ କରିନେଲେ। ଠିକ୍ ଅଛି।ଥରେ ନିଜ ଛାତି ଉପରେ ହାତ ରଖି କହିଲେ ମାତା । ଯଦି ଆପଣଙ୍କ ପାଞ୍ଚ ପୁଅଙ୍କ ସହ ବିବାହ କରିବା ପରେ ମୁଁ ଷଷ୍ଠ ବିବାହ କରିବାକୁ ଚାହାନ୍ତି?ଆପଣ ଅନୁମତି ଦେଇଥାନ୍ତେ ତ ?


କେବଳ ଆପଣଙ୍କର ଗୋଟିଏ ପ୍ରଳାପ ଯୋଗୁଁ ଏକ ପତ୍ନୀ ବାରାଙ୍ଗନା ସାଜିଗଲା?ଛିଃ..ଆପଣ ଏ କଣ କରିଦେଲେ ସତର ।


ଇନ୍ଦ୍ରପ୍ରସ୍ଥ ପରି ରାଜ୍ୟର ସାମ୍ରାଜ୍ଞୀ ହୋଇ ଦିନରାତି ଲୁହ ଝରେଇଛି ମୁଁ।କଣ ସୁଖ ଥିଲା ମୋ ଜୀବନରେ?ପାଞ୍ଚ ସ୍ବାମୀ..।କଣ ଲାଭ ସେହି ପଞ୍ଚୁପତି ଥାଇ ମୋର?ଭାତ୍ରୁ ବିବାଦ ଖାଇଗଲା ସମସ୍ତଙ୍କୁ।ହିତାହିତ ଜ୍ଞାନ ରହିତ ମହାଜ୍ଞାନୀ ସମସ୍ତେ।ତା ହୋଇ ନ ଥିଲେ ଅପ୍ରାକୃତିକ ଚିନ୍ତାଧାରା ସବୁ ଏପରି ଅନାୟାସରେ ଆସି ପାରି ନ ଥାଆନ୍ତା।


ହଁ..ମୁଁ ସେହି ଦିନକୁ ହିଁ ଇଙ୍ଗିତ କରୁଛି ଯେଉଁଦିନ ଦୁର୍ଯ୍ୟୋଧନ ମୋ ସହ ଖରାପ ବ୍ୟବହାର କରିବାକୁ ଆଗେଇ ଆସିଥିଲା। ଥରେ ଭାବିଲେ ମାତା..ଆପଣଙ୍କ ପୁଅ ଧର୍ମରାଜ୍ ପଶା ଖେଳିଲା ବେଳେ ତାଙ୍କୁ ଅଟକାଇବା ଆପଣଙ୍କ କର୍ତ୍ତବ୍ୟ ପରିସରଭୁକ୍ତ ନ ଥିଲା? ଯଦି ସେ ଖେଳିଲେ ତେବେ ଗୋଟି ଗୋଟି କରି ନିଜର ସବୁକିଛି ହାରି ଯିବା ପରେ ତାଙ୍କ ଜ୍ଞାନ ଉଦୟ କିପରି ହେଲାନି ମାତା ?


କଣ ଭାବିଲେ କେଜାଣି ସେ । ମୋତେ ବାଜି ଲଗେଇଦେଲେ ?ଆଉ ଏ ଅବିବେକୀ କାମ କେବଳ ଆପଣଙ୍କ ଯୋଗୁଁ ହୋଇଛି ଜାଣି ପାରୁ ନାହାନ୍ତି ନା କେମିତି ଏଥିପାଇଁ ଆପଣ ଦାୟୀ ?


ଆପଣଙ୍କ ପୁତ୍ର ଧର୍ମରାଜ ଯେତେବେଳେ ପଶା ଖେଳ ଖେଳିବାକୁ ଯାଇଥିଲେ ସେତେବେଳେ ମୋର ଅନୁମତି ଲୋଡି ନ ଥିଲେ। କିନ୍ତୁ ନିଜ ଅଧିକୃତ ବସ୍ତୁ ପରି ମୋତେ ବାଜିରେ ଲଗେଇ ଦେଲେ ? ବାଃ..ଥରେ ଭାବିଲେନି ତ ହାରିଯିବେ ଯଦି କଣ ହେବ? ସେ କଣ ଏତେ ଭଲ ଖେଳାଳୀ ଥିଲେ ନା ଶକୁନିଙ୍କୁ ହରେଇବାର କ୍ଷମତା ରଖିଛନ୍ତି ବୋଲି ବୃଥା ଆକଳନ କରି ପକେଇଥିଲେ ? ଥରେ କହିଲେ ଦେଖି ତାଙ୍କୁ ଏ ଅଧିକାର କିଏ ଦେଇଥିଲା?


ୟାର ଏକମାତ୍ର ଉତ୍ତର ହେଉଛନ୍ତି ଆପଣ।


ଆପଣ ଯେତେବେଳେ ସେ ବଣ୍ଟନ କଥା କହିଥିଲେ ସେତେବେଳେ ଯଦି ଅଧିକାର ସହିତ କର୍ତ୍ତବ୍ୟ ମଧ୍ୟ ବାଣ୍ଟି ଦେଇ ଥାଆନ୍ତେ ତା ହେଲେ ସେ କେବେ ଏପରି ଅନୁଚିତ କାର୍ଯ୍ୟ କରିବାର ଧୃଷ୍ଟତା କରି ପାରି ନ ଥାନ୍ତେ..।


ଜାଣିଛନ୍ତି ମାତା ! ଯେତେବେଳେ ଦୁଃଶାସନ ମୋ କକ୍ଷକୁ ଆସି ମୋତେ ବଳ ପୂର୍ବକ କୁରୁସଭାକୁ ନେବାକୁ ଉଦ୍ୟତ ହେଲା ମୋତେ କଣ ଲାଗିଲା? ମୋତେ ଲାଗିଲା ଯେପରି ମୁଁ ଏକ ଗାଈ ହୋଇଯାଇଛି ଆଉ ମୋତେ ଜବରଦସ୍ତ ଟାଣି ନିଆ ଯାଉଛି।ଅଗ୍ନି ତେଜରେ ତେଜୀୟାନ୍ ଏ ଅନଳ ଶିଖାକୁ ସେ ହୁଏତ ଚିହ୍ନି ପାରି ନ ଥିଲା।ମୋତେ ହାତ ଲଗେଇବା ଅପରାଧରେ ସେ ଦୁଷ୍ଟକୁ ମୁଁ ସେହି ମୁହୂର୍ତ୍ତରେ ଦଣ୍ଡ ଦେଇ ପାରିଥାନ୍ତି। କିନ୍ତୁ ଚୁପ୍ ରହିଗଲି। ଜାଣିଛନ୍ତି କାହିଁକି?


କେବଳ ଆପଣଙ୍କ ସେହି ଗୋଟିଏ ବାକ୍ୟ ପାଇଁ।


ଯାହା ମୋତେ ମନ ଭିତରୁ ଆଗେଇଯିବାକୁ ପ୍ରେରଣା ଦେଲା। ଜଣେ କି ଦୁଇ ଜଣ ନୁହଁ ପାଞ୍ଚ ପାଞ୍ଚଜଣ ବୀର ଯୋଦ୍ଧା ମୋ ସ୍ବାମୀ ହୋଇ ସେହି ସଭାରେ ଉପସ୍ଥିତ ଅଛନ୍ତି। ତେବେ ସେମାନଙ୍କ ସମ୍ମୁଖକୁ ଯିବାରେ ଆପତ୍ତି ବା କଣ ଥାଇପାରେ? ଏଇ କଥା ଭାବି ମୁଁ ସେହି ସମୟରେ କୁରୁକୁମାରକୁ ଜାଳି ନ ଦେଇ ତା ସହ ଯାଇଥିଲି।ସେ ଦୁଷ୍ଟ ମୋ କେଶ ଧରି ଟାଣି ନେଇଥିଲା।ଜାଣନ୍ତି ମାତା..।କେଶ ଧରିବା ଅର୍ଥ କଣ ହୋଇଥାଏ?ସେ ମୁହୂର୍ତ୍ତରେ କଣ ସମ୍ପୂର୍ଣ୍ଣ କୁରୁବଂଶ ନିଜ ମର୍ଯ୍ୟାଦା ଚ୍ୟୁତ ହୋଇ ଯାଇ ନ ଥିଲା କି?ସେହି ମୁହୂର୍ତ୍ତରେ ଆପଣଙ୍କ ପାଣ୍ଡବ ବଂଶରେ କଳଙ୍କିତ ଅଧ୍ୟାୟ ଲେଖା ହୋଇଯାଇ ନ ଥିଲା କି?


ଅପେକ୍ଷା ତେବେ ଥିଲା କେଉଁ ପ୍ରଳୟର ? କହିଲେ ଟିକେ..।


ଗୋଟି ଗୋଟି କରି ପଶା ଖେଳର ସର୍ତ୍ତ ମୋତେ ଜଣେଇ ଦିଆଗଲା। ଆଚ୍ଛା କେଉଁଠି ଲେଖା ଯାଇଛି କହିଲେ ଗୋଟିଏ ଖେଳ ଆଉ ସେଥିରେ ଲଗା ଯାଇଥିବା କିଛି ଅଵିବେକୀ ସର୍ତ୍ତ ଜଣେ ନାରୀର ଆତ୍ମସମ୍ମାନଠାରୁ ଅଧିକ ଗୁରୁତ୍ବ ବହନ କରେ? କେଉଁଠି କୁହା ଯାଇଛି ଯେ ଅନର୍ଥକୁ ରୋକିବା ଅସମ୍ଭବ ? ଛିଃ..ଏପରି ଏକ ଅନ୍ୟାୟ କେବଳ ଏକ ମନୋରଞ୍ଜନ ପାଇଁ ରଚିତ ହୋଇ ନଥିଲା କି ?


ଯଦି ନା..?ତେବେ ଗୋଟି ଗୋଟି କରି ମହା ମାନବମାନେ ଜିଭ କାମୁଡି ବସି ରହିବାକୁ ପସନ୍ଦ କିପରି କଲେ?


ମହାରାଜ ଧୃତରାଷ୍ଟ୍ରଙ୍କ ପତ୍ନୀ,ଦ୍ରୋଣାଚାର୍ଯ୍ୟ କି କୃପାଚାର୍ଯ୍ୟଙ୍କ ପତ୍ନୀ କିମ୍ବା ସ୍ୱୟଂ ଭୀଷ୍ମ ପିତାମହଙ୍କର କୌଣସି ସମ୍ପର୍କୀୟା ଯଦି ମୋ ସ୍ଥାନରେ ଠିଆ ହୋଇଥାନ୍ତେ ତେବେ ମଧ୍ୟ କଣ ସମସ୍ତେ ଏମିତି ଅନ୍ଧ ମୂକ ବଧିର ସାଜି ଠିଆ ହେବାକୁ ନିଜ କୂଳଧର୍ମ ଆଖ୍ୟା ଦେଇଥାନ୍ତେ? ଆଉ ଆପଣମାନେ..ମାତା ଗାନ୍ଧାରୀ,ଆପଣ,ଏପରିକି ସତ୍ୟବତୀ,ଆଉ ଅନ୍ୟ ମହିୟସୀ ଗୁରୁଜନ ନାରୀମାନେ କୁରୁକୁଳ ଭୂଷିତା ହୋଇ କେବଳ କଣ ରାଜମହଲର ଶୋଭା ବର୍ଦ୍ଧନ କରିବା ପାଇଁ ସେଇଠି ଉପସ୍ଥିତ ରହିଥିଲେ? ମୋତେ ତ ଲାଗୁଥିଲା ଯେପରି କୁରୁ ରାଜମହଲରେ ଗୋଟିଏ ବି ସ୍ତ୍ରୀ ସେଦିନ ନ ଥିଲା।ଆରେ ମହିଳା କଣ ସେଦିନ ବୋଧେ କାହା ପ୍ରାଣରେ ପିଣ୍ଡ ହିଁ ନ ଥିଲା । ଭୁଲ୍ କହୁଛି କି ମୁଁ?ଯଦି ସମସ୍ତେ ସେଦିନ ବଞ୍ଚି ରହିଥିଲେ ତେବେ ଏପରି ଅନ୍ୟାୟ ହେବାକୁ କିପରି ଦେଲେ?


ଏସବୁ ବୃଥା କାରଣ ଆଉ ବାହାନା ମୋତେ ଶୁଣେଇ ନିଜ ମର୍ଯ୍ୟାଦାହାନି କରନ୍ତୁ ନାହିଁ।


ଆଛା..ଜ୍ୟେଷ୍ଠ ପାଣ୍ଡବ ମୋତେ ଖେଳରେ ବାଜି ଲଗେଇ ହାରିଗଲେ।ଠିକ୍ ଅଛି।ତାଙ୍କ ଅଧିକାର ସେ ପ୍ରୟୋଗ କରିଦେଲେ।ତେବେ ମୋତେ ଆପଣ କୁହନ୍ତୁ ଦୁର୍ଯ୍ୟୋଧନର ଭୁଲ୍ କଣ ରହିଲା?ନିଜ ଅଧିକାରକୁ ଆସି ଯାଇଥିବା ବସ୍ତୁ ସହ ମାଲିକ ଯାହା ବ୍ୟବହାର କରେ ସେଥିନେଇଁ କାହାର କିଛି ଆପତ୍ତି କରିବା ଆବଶ୍ୟକ ନ ଥିଲା ପ୍ରକୃତରେ।


ଭାବୁଛନ୍ତି ନା ପାଞ୍ଚାଳୀ ବାଚାଳାମୀ କରୁଛି।


କିନ୍ତୁ ନା..।ଏହି ଦ୍ରୁପଦ ରାଜଜେମା ତା ବିବାହ ପରେ ହସ କୌତୁକ ସମ୍ପୂର୍ଣ୍ଣ ଭୁଲି ଯାଇଛି। ସତ କହିବାକୁ ଗଲେ ଏକ ଜ୍ୱଳନ୍ତ ଅଗ୍ନିପିଣ୍ଡ ହୋଇ କେବଳ ଦହନକୁ ହିଁ ଆପଣେଇ ନେଇଛି।ଆଉ ସେଇଥିପାଇଁ ମୁଁ ଏତେ ଜୋର୍ ଦେଇ କହୁଛି ଦୁର୍ଯ୍ୟୋଧନର ମୋ ପ୍ରତି କିଛି ଅନୁଚିତ ବିଚାର ନ ଥିଲା..


ଥରେ ଭାବିଲେ ଧର୍ମରାଜ୍ ବାଜିରେ ହାରି ଯାଇଥିବା ସବୁ ପଦାର୍ଥ ଉପରେ ଦୁର୍ଯ୍ୟୋଧନର ପ୍ରଭୂତ୍ଵ ସ୍ଵୀକାର କଲେ କି ନାହିଁ? ଏପରିକି ପଞ୍ଚୁ ପାଣ୍ଡବ ନିଜ ପତ୍ନୀର ମହତ ରକ୍ଷା ପାଇଁ ବସିବା ସ୍ଥାନରୁ ଉଠି ଆସି ପାରିଲେନି।କାରଣ କେବଳ ଏତିକି ଥିଲା ନା ଯେ ସେମାନେ ନିଜ ବଡ଼ ଭାଇଙ୍କ ଦ୍ଵାରା ବସ୍ତୁ ହିସାବରେ ହାରିଯାଇ ଦୁର୍ଯ୍ୟୋଧନର ମାଲିକାନା ପରିସରଭୁକ୍ତ ହୋଇସାରିଥିଲେ।ତେବେ ପ୍ରଶ୍ନ ଯେତେବେଳେ ଏହି ପାଞ୍ଚାଳୀର ଆସିଲା ସେତେବେଳେ କାହିଁକି ଏତେ ଖରାପ୍ ଲାଗିଲା ଆପଣମାନଙ୍କୁ?ଯେଉଁ ମୁହୂର୍ତ୍ତ ପର୍ଯ୍ୟନ୍ତ ଦୁର୍ଯ୍ୟୋଧନ ଖେଳରେ ମୋତେ ଜିତି ନ ଥିଲେ ସେ କେବେ ମଧ୍ୟ ମୋ ମାନ ମହତ ସହ ଖେଳିବାକୁ ଉଦ୍ୟମ କରି ନ ଥିଲେ।ଆଉ ଯେତେବେଳେ ସେ ଏହି ବସ୍ତୁକୁ ଜିତିଗଲେ ନିଜ ଅଧିକାର ଜାହିର କରିବାକୁ ପସନ୍ଦ କଲେ।ଏଇଟା ନିହାତି ସାଧାରଣ କଥା।ଜ୍ୟେଷ୍ଠ ପାଣ୍ଡବ କଣ ଭାବି ନ ଥିଲେ ଦୁର୍ଯ୍ୟୋଧନ ମୋତେ ଜିତିବା ପରେ ଏହିପରି କିଛି ଲାଳସା ଦେଖେଇ ଥାନ୍ତେ?ଭାତ୍ରୁବତ୍ ସମ୍ପର୍କ ସେମାନଙ୍କ ଭିତରେ କେବେ ମଧ୍ୟ ନ ଥିଲା।ତେବେ ସେ ମୋତେ ଜିତିଯାଇ ହୁଏତ ନିଜ ଦାସୀ କରନ୍ତେ ଅଥବା ମୃତ୍ୟୁଦଣ୍ଡ ଦିଅନ୍ତେ ନ ହେଲେ ମୋ ଇଜ୍ଜତ ନେଇଥାନ୍ତେ।ଏତିକି ଅବଶ୍ୟମ୍ଭାବୀ ଥିଲା।ଏତେ ବଡ଼ ପରିବାର ଆଗରେ ଏମିତି ଭାଇମାନେ ଦ୍ୟୁତକ୍ରୀଡା ଚଲେଇ ସବୁ କିଛି ବାଜି ଲଗେଇ ଚାଲିଥିଲେ ଆଉ ହାରୁଥିଲେ ତଥାପି ସମସ୍ତ ଗୁରୁଜନ ମୌନ ଥିଲେ।ଆଉ ସେହି ମୌନତା ମୋ ବସ୍ତ୍ରହରଣ ସମୟରେ ଦେଖା ଗଲା।


ଏଥିରେ ଏତେ ଆଶ୍ଚର୍ଯ୍ୟ ହେବାର କିଛି ନ ଥିଲା ତ ?


ଓଃ..ବୋଧେ ପାଣ୍ଡବମାନେ ଭାବିଥିଲେ ଦୁର୍ଯ୍ୟୋଧନ ନିଜ ଅଧିକାର କୌଣସି ଏକ ନିଭୃତ କୋଠରୀରେ ସାବ୍ୟସ୍ତ କରିଥାଆନ୍ତେ..।


ଆଉ ସେତେବେଳେ ବୋଧେ ସେମାନେ ମଧ୍ୟ କିଛି ପ୍ରତିବାଦ କରି ନ ଥାନ୍ତେ।କିନ୍ତୁ ଏସବୁ ସର୍ବ ସମକ୍ଷରେ ହୋଇଯିବାରୁ ସେମାନେ ? କଣ କଲେ?କଣ ବା କରି ପାରିଲେ? ନିଜ ପତ୍ନୀର ବସ୍ତ୍ର ବାହାର କରିବା ପରି ଘୃଣିତ କାର୍ଯ୍ୟ କରୁଥିବା ଦୃଶ୍ୟ ଦେଖି କଣ ସେମାନେ ଉପଭୋଗ କରୁଥିଲେ? ଛିଃ..ଏତେ କୁତ୍ସିତ ମାନସିକତା? ଆଉ ଏହାକୁ ନାମ ଦିଆଗଲା ଦ୍ୟୁତ କ୍ରୀଡାର ପରିଣାମ?


ସତ କହିଲେ ମାତା..ଯଦି ମୋ ସ୍ଥାନରେ ଆପଣ ଥାଆନ୍ତେ ଆଉ ଆପଣଙ୍କ ପତିଙ୍କ ଭ୍ରାତା ଜ୍ୟେଷ୍ଠ ପିତା ଧୃତରାଷ୍ଟ୍ର ଆପଣଙ୍କ ସହ ଏପରି କିଛି କରନ୍ତେ ତା ହେଲେ ଆପଣଙ୍କ ପତି ଏମିତି ଚୁପ୍ ବସିଥାନ୍ତେ ?


ଅଧିକା କଣ ହୁଅନ୍ତା?


ଯେଉଁ ମହାସମର କିଛି ବର୍ଷ ପରେ ହେଲା ତାହା ଆଗରୁ ହୋଇଯାଇଥାନ୍ତା ନା?କିଛି ଅସୁବିଧା ହୁଅନ୍ତା ନାହିଁ।ଅତି କମରେ ଏ ପଞ୍ଚୂପତିଙ୍କ ପତ୍ନୀ ଗର୍ବରେ କୁହନ୍ତା ମୋ ସ୍ବାମୀ ଥିଲେ ସେହି ସଭାରେ..ଯେଉଁଠି ମୋ ଇଜ୍ଜତ ବଂଚେଇବାକୁ ସେ ନିଜ ଧର୍ମ ମନେ କରିଥିଲେ।


କହିଲେ ଦେଖି ଧର୍ମ କ୍ଷଳନ ହୋଇନି?


ପ୍ରଥମ ବଚନ ତ ପାଣ୍ଡବମାନେ ମୋତେ ଦେଇଥିଲେ ।ଯେଉଁଦିନ ମୋତେ ବିବାହ କଲେ ସେଦିନ ମୋ ମାନ ସମ୍ମାନ ରକ୍ଷା ସେମାନଙ୍କ ପ୍ରଥମ କର୍ତ୍ତବ୍ୟ ବୋଲି ସେମାନେ ବଚନବଦ୍ଧ ହୋଇଥିଲେ।ତା ପରେ ହୁଏତ ଦ୍ୟୂତରେ ଦିଆଯାଇଥିବା ବଚନ ପ୍ରସଙ୍ଗକୁ ଆସିଲା।ତେବେ ଯଦି ସେମାନେ ନିଜ ପୂର୍ବ ବଚନ ରକ୍ଷା କରନ୍ତେ ତେବେ ଅନୈତିକ ହୁଅନ୍ତା ନାହିଁ ନା..??


ଧର୍ମରାଜ୍ ମୋତେ ବାଜି ଲଗେଇବା ବେଳେ ଯଦି ମୋର ଅନ୍ୟ ବୀରବର ପତିମାନେ ଏହା ବିରୁଦ୍ଧରେ ପଦେ କୁହନ୍ତେ ଅତି କମରେ ସେହି ପତିଟି ମୋତେ ନିଜ ଅର୍ଦ୍ଧାଙ୍ଗିନୀ କରି ପାରିଛି କହି ମୁଁ ଗର୍ବିତ ହୁଅନ୍ତି।ଯଦି ପାଞ୍ଚ ପତିଙ୍କୁ ନିଜର କରି କର୍ତ୍ତବ୍ୟ କରିବା ମୋ ଧର୍ମ ଥିଲା ତେବେ ଜ୍ୟେଷ୍ଠ ପାଣ୍ଡବ ମୋତେ ହାରିଯିବା ପରେ ବାକି ପତିମାନେ ସେମାନଙ୍କ ଧର୍ମ ନିଭେଇବା ମଧ୍ୟ ନ୍ୟାୟ ସଙ୍ଗତ ଥିଲା।ସେମାନେ ତ ମୋତେ ହାରି ନ ଥିଲେ।ହଁ..ସେତେବେଳେ ଏତିକି ହୁଅନ୍ତା ଯୁଧିଷ୍ଠିରଙ୍କ ସହିତ ଥିବା ମୋ ଉପରେ ଅଧିକାର ଟିକକ ସେ ଦୁର୍ଯ୍ୟୋଧନଙ୍କ ହାତରେ ଟେକି ଦିଅନ୍ତେ।


ଆଉ ସେତେବେଳେ ବଳକା ଚାରି ଜଣ ସ୍ବାମୀ ନିଜ ଅଧିକାର କି କର୍ତ୍ତବ୍ୟ ବିଷୟ ନିଶ୍ଚୟ ଭାବି ଥାଆନ୍ତେ ।


ଆପଣ ମୋତେ ବାଣ୍ଟିବା ବେଳେ ଯଦି ମୁଁ ପାଞ୍ଚ ଭାଗ ହେଲି ଆଉ ଗୋଟିଏ ଭାଗରେ ମୋତେ ଅନ୍ତରଙ୍ଗ ହେବା ଦେଖିଦେଇ ମୋ ସ୍ବାମୀ ଅର୍ଜୁନ ବନବାସ ଭୋଗ କଲେ ତେବେ ଯୁଧିଷ୍ଠିରଙ୍କ ଭାଗ ସହିତ ବଳକା ସ୍ବାମୀମାନେ ନିଜ ଭାଗକୁ କିପରି ଦେଇଦେଲେ?


ଏକଥା କେବେ ପଚାରିଛନ୍ତି ଆପଣ ନିଜ ପୁତ୍ରଙ୍କୁ?


ଆପଣଙ୍କ ପଦେ କଥା ଶୁଣି ମୋତେ ସଙ୍ଗେ ସଙ୍ଗେ ଭାଗ ଭାଗ ହୋଇଯିବାକୁ ହେଲା।ଆଉ ଯୁଧିଷ୍ଠିର ନିଜ ଅଧିକାର ବାଜିରେ ହାରିଯିବାରୁ ବାକି ପାଣ୍ଡବ ମଧ୍ୟ ହାତ ଟେକି ଦେଇଥିଲେ।ବାଃ..କି ନ୍ୟାୟବନ୍ତ ପୁରୁଷ ମାନେ ସତରେ..।ଯାହାଙ୍କୁ ଆପଣ କଣ ଭାବି ମୋ ପଣତରେ ବାନ୍ଧି ଦେଇଥିଲେ ?


ଆଛା ଆପଣ ତ ଦୁର୍ଯ୍ୟୋଧନର ଜ୍ୟୋଷ୍ଠମାତା ।ସେ ମଧ୍ୟ ଆପଣଙ୍କ ପୁତ୍ର ସମାନ ନା?ତେବେ ଯେଉଁ ଦ୍ରୌପଦୀଙ୍କୁ ଆପଣ ନିଜ ପାଞ୍ଚ ପୁଅଙ୍କୁ ବାଣ୍ଟିଦେଲେ ତାକୁ ଆଉ ଗୋଟିଏ ପୁଅ ସହ ମଧ୍ୟ ବାଣ୍ଟି ଦିଅନ୍ତେ ଅସୁବିଧା କଣ ଥିଲା?


ଶୁଣିଲା ବେଳେ ଭାରି ଖରାପ ଲାଗୁଛି ନା ମାତା?କିନ୍ତୁ ଏଥିରେ ଅସୁବିଧା କଣ ରହିଲା କହିଲେ?ଯଦି ଆପଣଙ୍କ ମୁଖନିସୃତ ଏକ ବାକ୍ୟ ପାଇଁ ଆପଣଙ୍କ ପାଞ୍ଚପୁଅ ଜଣେ ରାଜଜେମାକୁ ନିର୍ଜୀବ ପଦାର୍ଥ ପରି ବାଣ୍ଟି ନେବାକୁ ଆଗେଇ ଆସିଲେ..ତେବେ ଏତେ ବଡ଼ ଧର୍ମରାଜଂକ ବୁଦ୍ଧିମାନ ନିଷ୍ପତ୍ତି ଆଗରେ ଆପଣ କାହିଁକି ନିଜର ଅନୁମୋଦନ ଦେଇ ଦେଲେନି?


ଆପଣ କାହିଁକି କହି ପାରିଲେନି ଯାହା କହି ଦିଆ ଯାଇଛି ତାହା ହିଁ ହେଉ।


ପାଞ୍ଚାଳୀ ନିଜ ଷଷ୍ଠ ପତି ବରଣ କରୁ।ଆପଣଙ୍କ ଭାବନା ଅନୁସାରେ ସ୍ବାମୀ ହିଁ କେବଳ ଅଧିକାର ସାବ୍ୟସ୍ତ କରୁଥିବା ଏକ ନିର୍ଲଜ ମାଲିକଟିଏ ନା?ତେବେ ଏହି ପଦବୀରେ ଦୁର୍ଯ୍ୟୋଧନ କାହିଁକି ରହି ପାରି ନ ଥାନ୍ତେ?


ଆଉ ସେପରି ହୋଇଥିଲେ ସେ ହୁଏତ ନିଜ ଅର୍ଦ୍ଧାଙ୍ଗିନୀଙ୍କୁ ଭରା ସଭାରେ ନିର୍ବସ୍ତ୍ର କରିବା ଆଦେଶ ଦେଇ ନ ଥାନ୍ତେ..।


କାରଣ ମୋତେ ସତରେ ଲାଗୁଛି ସେ ଅନୈତିକ କାର୍ଯ୍ୟ କରି ନାହାନ୍ତି।ସ୍ୱାମୀର ମୁଖା ପିନ୍ଧି ନିଜ ଧର୍ମପତ୍ନୀକୁ ଅନ୍ୟ ହାତରେ ଟେକି ଦେଇ ପାରିବା ପରି ଧର୍ମ ଆଚରଣ ସେ କରି ପାରି ନାହାଁନ୍ତି।ବରଂ ନିଜ ଅଧିକାରକୁ ଆସିଯିବା ପରେ ହିଁ କେବଳ ସେ କିଛି ଆଦେଶ ଦେବାର ଧୃଷ୍ଟତା କରିବା ଅଧର୍ମ କରିଛନ୍ତି।ଥରେ ଜଣେ ନାରୀ ହିସାବରେ ଭାବିଲେ ଉପରୋକ୍ତ ଦୁଇ ମନୋବୃତ୍ତିରୁ କେଉଁଟା ଧର୍ମ ପରିସରଭୁକ୍ତ ଆଉ କେଉଁଟା ଅଧର୍ମ ସୀମା ଅନ୍ତର୍ଗତ ??


ଯଦି କେବଳ ପଦେ କଥା ମୋ ଭାଗ୍ୟରେ ପାଞ୍ଚ ସ୍ବାମୀ ଲେଖିଦେଲା ତେବେ ଗୋଟିଏ ବାଜି ଛ ସ୍ବାମୀଙ୍କୁ କାହିଁକି ଲେଖିଲାନି? କାରଣ ସେଇ ବାକ୍ୟ କି ସେଇ ବାଜି ଆପଣ ଲଗେଇ ନ ଥିଲେ? ମୋର ଏହି ପ୍ରଶ୍ନର ଉତ୍ତର ଆପଣ ଦେଇ ପାରିବେନି ମାତା.. ମୁଁ ଜାଣିଛି।


ଜାଣିଛନ୍ତି ଯେତେବେଳେ କୁରୁସଭାର ପୁରୁଷମାନେ ଛଳନା କରୁଥିଲେ ନିଜ ନିଜ ହାତ ବାନ୍ଧି ହୋଇଯାଇଥିବାର ଆଉ ଦୁଃଶାସନ ଚେଷ୍ଟା ଚଳେଇଥିଲା ମୋ ବସ୍ତ୍ର ହରଣ କରି ନେବାର,ସେତେବେଳେ ମୋ ମନ କଣ ହେଉଥିଲା?


ମୋତେ ଇଚ୍ଛା ହେଉଥିଲା ଅଗ୍ନିସ୍ୱରୁପା ହୋଇ ସମସ୍ତଙ୍କ ସାମ୍ନାକୁ ଆସି ଠିଆ ହୋଇଯିବି ଆଉ ମୋ ଅଗ୍ନିର ଜ୍ୱାଳାରେ ସମସ୍ତଙ୍କୁ ଜାଳି ପୋଡ଼ି ଭସ୍ମ କରିଦେବି।


କିନ୍ତୁ ମୁଁ ସେପରି ନ କରି ସେହି ତଥାକଥିତ ସ୍ବାମୀ ମାନଙ୍କୁ ଶେଷ ସୁଯୋଗ ଦେଲି ଯେ ସେମାନେ ନିଜ ମର୍ଯ୍ୟାଦାର ପାଳନ କରନ୍ତୁ।କିନ୍ତୁ ନା..।ସମସ୍ତେ ଦେଖୁଥିଲେ ସେହି ଭୟାନକ ଦୃଶ୍ୟ ।ଛିଃ..ଏମାନଙ୍କୁ ଆପଣ ମଣିଷ ପଦବାଚ୍ୟ କରି ପାରିବେ ? ଶେଷରେ ଯେତେବେଳେ ମୁଁ ଜାଣିଗଲି ଜୀବର ରକ୍ଷା କେବଳ ପରମ ହିଁ କରନ୍ତି ସେତେବେଳେ ମୁଁ ମୋର ଅନ୍ତର୍ନିହିତ ପରମଶକ୍ତିଙ୍କୁ ଆବାହନ କଲି।ଆଉ ସେତେବେଳେ ସେ ନିଜ ଚିଦାନନ୍ଦ ସ୍ବରୂପ ଦେଖାଇ ମୋ ଇଜ୍ଜତ ରକ୍ଷା କରିବାରେ ସମର୍ଥ ହୋଇଥିଲେ।ଜାଣନ୍ତି ମାତା ଯେଉଁ କୃଷ୍ଣ ଖାଲି ବସ୍ତ୍ର ଟିକେ ଦେବା ପରେ ଦୁଃଶାସନ ନିଜ ସମସ୍ତ ବଳ ଓ ବୀରତ୍ଵ ହାରିଦେଲା ସେହି କୃଷ୍ଣ ଯଦି ଚାହାନ୍ତେ ତେବେ ଆଉ କିଛି ଅନର୍ଥ ହେବା ପୂର୍ବରୁ ସବୁ ସମାପ୍ତ ମଧ୍ୟ କରି ଦିଅନ୍ତେ। କିନ୍ତୁ ସେ ଅପେକ୍ଷା କରିଥିଲେ ଆଉ କିଛି ଘଟଣାବଳୀର ।ଯାହା ତାଙ୍କ ଲୀଳା ଦେଖେଇ ଦେଲା କେବଳ ।


ମହାବଳୀ ଭୀମ ।ସଙ୍ଗେ ସଙ୍ଗେ ପ୍ରତିଜ୍ଞା ନେଇଗଲେ ।


ଦୁର୍ଯ୍ୟୋଧନର ଜାନୁଭଙ୍ଗ କରିବେ ଆଉ ଦୁଃଶାସନର ଛାତି ଚିରିଦେବେ ।ହସ ଲାଗୁଛି ଏ ପ୍ରକାର ପାଗଳାମୀ ଦେଖି।ବୀର ପୁରୁଷ ନିଜ କଥାରେ ନୁହେଁ ନିଜ କାମରେ ନିଜକୁ ପ୍ରମାଣିତ କରନ୍ତି ବୋଲି ବୃକୋଦର ଭୁଲି ଯାଇଥିଲେ ବୋଧେ।ସେ ମୁହୂର୍ତ୍ତରେ ଯଦି ସେ ଦୁଃଶାସନର ହାତ ଧରି ତାକୁ ଅଟକେଇ ଦେଇଥାନ୍ତେ ତା ହେଲେ କଣ ଅସୁବିଧା ହୁଅନ୍ତା? ପଚାରିଛନ୍ତି କେବେ? ମୋ ଇଜ୍ଜତ ମହତ ସରିଗଲା ପରେ କାହାର ଜାନୁ ଭାଙ୍ଗୁ କି କାହାର ବକ୍ଷ ବିଦାରଣ ହେଉ..କଣ ଫରକ୍ ପଡିଥାନ୍ତା ମା?


ଏତିକି ଶାନ୍ତି ତ ମିଳନ୍ତା ଯେ ପାଞ୍ଚାଳୀ ପାଇଁ ଆପଣ ଯୋଗ୍ୟ ପତିର ଚୟନ କରିଥିଲେ ।


କଣ ଅଧିକା ହୋଇଯାଇଥାଆନ୍ତା? ଯେଉଁ ଯୁଦ୍ଧ କାଲି ହୁଅନ୍ତା ତାହା ଆଜି ହୋଇଥାନ୍ତା।କିନ୍ତୁ ଅନ୍ତତଃ ମୋ ସମ୍ମାନ ରକ୍ଷାହୁଅନ୍ତା ନା?ଭୀମଙ୍କ ଏପରି ଶପଥ ପରେ କଣ ଭାତ୍ରୁବତ୍ ସ୍ନେହ ଆଉ ରହି ପାରିଲା କି କୌରବଙ୍କ ସହିତ?ଯିଏ ଜଣଙ୍କ ଜୀବନ ନେବାକୁ ଶପଥ କରିଲେ ସେ ତ ଯୁଦ୍ଧର ଘୋଷଣା ମଧ୍ୟ ସେତେବେଳଠାରୁ ହିଁ କରିଦେଇଥିଲେ।


ତେବେ ..ତେବେ ସେତେବେଳେ କାହିଁକି ଲଢି ପାରିଲେନି ମୋ ପାଇଁ ?ଉତ୍ତର ଅଛି କାହା ପାଖରେ?


ଯେତେବେଳେ ଦୁଃଶାସନ ତା ସୀମା ଟପିଗଲା ସେତେବେଳେ ଯଦି ପାଣ୍ଡବ ନିଜ ବୀରତ୍ୱର ପରୀକ୍ଷଣ କରିଥାଆନ୍ତେ ତେବେ ଆଜି ଏତେ ପତିଙ୍କୁ ପାଇଛି ବୋଲି ମୁଁ ଗର୍ବର ସହ କହି ପାରିଥାନ୍ତି ଦୁନିଆକୁ, ନୁହେଁ କି ? କିନ୍ତୁ ଆଜି ମୋତେ ପରିହାସର ଶିକାର ହେବାକୁ ହେଉଛି ଯେ ଏତେ ପତି ଥାଇ ଗୋଟିଏ ପତ୍ନୀର ଇଜ୍ଜତ ବଞ୍ଚେଇବାକୁ ଚେଷ୍ଟା କଲେନି?


ଗାଣ୍ଡୀବଧାରୀଙ୍କୁ ନିଜ ପତି ରୂପେ ମୁଁ ସ୍ଵୟଂ ବରଣ କରିଥିଲି।ଆଉ ସେଥିପାଇଁ ମୋର ପ୍ରବଳ ଅଭିମାନ ମଧ୍ୟ ଥିଲା।ଗର୍ବ ଥିଲା ଯେ ଖାଣ୍ଡବପ୍ରସ୍ତକୁ ସବୁଜିମା ପୂର୍ଣ୍ଣ କରିଦେଇଥିଲେ ସେ କଣ ଚାହିଁଥିଲେ ନିଜ ପୌରୁଷର ପରିଚୟ ଦେଇ ସେଦିନ ମୋତେ ଅଭୟ ଦେଇ ନ ଥାନ୍ତେ?


ବୁଝିଲେ ମାତା.. ଆପଣଙ୍କ ସନ୍ତାନମାନଙ୍କ ବୀରତ୍ୱ କେବଳ ବୃଥା ଛଳନା।ଆପଣ ଅଧିକାର ସିନା ଦେଇଦେଲେ ହେଲେ କର୍ତ୍ତବ୍ୟ ଟିକକ ଶିଖେଇ ପାରିଲେନି ନିଜ ସନ୍ତାନମାନଙ୍କୁ।


ନ୍ୟାୟ ଦେଖନ୍ତୁ ତ ! କିଛି ସମୟ ପୂର୍ବରୁ ମୋତେ ବିବସନା କରିବା ମୋ ମାଲିକର ଅଧିକାର ନୁହଁ ବୋଲି ପ୍ରଚ୍ଛଦ ପ୍ରଳାପ କରୁଥିବା ମୋ ବୀର ପତିମାନେ ବନବାସରେ ବାହାରିଗଲେ।କେବଳ ସେଇ ଦ୍ୟୁତଖେଳର ସର୍ତ୍ତ ପାଳନ କରିବାକୁ ।ବାଃ..।ଆଉ ସାଙ୍ଗରେ ନେଇଗଲେ ପାଞ୍ଚାଳ ରାଜକନ୍ୟାକୁ । ଓଃ..ଏହା ମଧ୍ୟ ସେଦିନ ଆପଣଙ୍କ କଥାର ତାତ୍ପର୍ଯ୍ୟ ଥିଲା ବୋଧେ।


ଯେ ପତି କରିଥିବା ସମସ୍ତ ଅପରାଧର ବୋଝ ପତ୍ନୀ ମୁଣ୍ଡାଇବ?


ହଁ..ଯାଇଥିଲି ମୁଁ ବନପ୍ରଦେଶ..।ସେଇ ପାଞ୍ଚଜଣଙ୍କ ସହିତ ମୁକ୍ତକେଶୀ ହୋଇ।ପ୍ରତି ମୁହୂର୍ତ୍ତରେ ସେମାନଙ୍କ ପୁରୁଷପଣିଆ କ୍ଷତାକ୍ତ ହେଉଥିଲା ମୋ ଉନ୍ମୁକ୍ତ କେଶ ଦେଖି ଆଉ ସେଥିପାଇଁ କୁଆଡେ ମହାଭାରତ ଯୁଦ୍ଧ ହୋଇଗଲା ?


ବାଃ..ଚମତ୍କାର ବିଶ୍ଳେଷଣ..।


ଯେଉଁ ଦିନ କେଶବଙ୍କୁ ଦୂତ କରି ପଞ୍ଚଖଣ୍ଡ ଭୂଦେଶ ମାଗିବାକୁ ହସ୍ତୀନାପୁରକୁ ପ୍ରେରିତ କରାଗଲା ସେଦିନ କଣ ଏ ଯଜ୍ଞସେନୀର କେଶ ଉନ୍ମୁକ୍ତ ନ ଥିଲା ?


କାହିଁ ଥରେ କେହି ଚିନ୍ତା କରିଲେନି ତ ଯଦି ଦୁର୍ଯ୍ୟୋଧନ ରାଜି ହୋଇ ଯାଇଥାନ୍ତା ତେବେ କଣ ହୁଅନ୍ତା ମୋ ପ୍ରତିଜ୍ଞାର ? ମୋ ପ୍ରତିଶୋଧର ? ଯେଉଁ ନିଆଁରେ ଦଗ୍ଧ ହୋଇ ମୁଁ ପ୍ରତୀକ୍ଷା କରିଥିଲି ସେହି ସୁଦିନ ପାଇଁ ଯେଉଁଦିନ ଦୁଃଶାସନର ରକ୍ତରେ ମୋ କେଶ ଧୌତ କରି ମୋ ଜ୍ଵଳନ ଶାନ୍ତ କରିବି? ପାଣ୍ଡବ ନିଜ ଅଧିକାର ନିଜ ସାମ୍ରାଜ୍ୟ ଆଉ ନିଜ ପ୍ରତିଷ୍ଠା ଫେରି ପାଇବାକୁ ଯୁଦ୍ଧ ନିଷ୍ପତ୍ତି ନେଇଥିଲେ ନା ମାତା ।


ତେବେ ଯୁଦ୍ଧ ଦ୍ରୌପଦୀ ପାଇଁ ବୋଲି କାହିଁକି କୁହାଗଲା ? ସେଦିନ କୁରୁସଭା ଦୁର୍ଘଟଣା ପରେ ପରେ ଯଦି ଯୁଦ୍ଧ ହୁଅନ୍ତା ତେବେ ନିଶ୍ଚୟ ମୁଁ ତାର ଭାର ବହନ କରନ୍ତି।କିନ୍ତୁ ଏ ରାଜ୍ୟ ପ୍ରାପ୍ତିର ଯୁଦ୍ଧକୁ ମୁଁ କାହିଁକି ମୋ ଆଞ୍ଚଳ ତଳେ ଆଶ୍ରୟ ଦେବି?


ବନବାସ ସମୟରେ ଦୂର୍ବସାଙ୍କ କ୍ରୋଧରୁ ମୋତେ ବଞ୍ଚେଇଦେବାକୁ ନିଜେ ହରିବିଷ୍ଣୁ ମୋ ଉଚ୍ଛିଷ୍ଟ ଭକ୍ଷଣ କରି ତୃପ୍ତ ହୋଇଯାଇଥିଲେ।


ଜାଣନ୍ତି ମାତା..ଭଗବାନ୍ ଭକ୍ତର ଅଇଁଠା କେତେବେଳେ ଖାଆନ୍ତି? ଯେତେବେଳେ ତାଙ୍କ ଭିତରେ ଆଉ ଭକ୍ତ ଭିତରେ କୌଣସି ପାର୍ଥକ୍ୟ ସେ ଦେଖନ୍ତି ନାହିଁ।ଆଉ ତେଣୁ ମୁଁ ନିଜେ ଈଶ୍ୱରୀ । ଏଥିରେ ସନ୍ଦେହ ନାହିଁ।ମୋ ଡାକରେ ଯଦି ସ୍ଵୟଂ ଗୋଲକବିହାରୀ ଆସି ମୋ ସହାୟତା ପାଇଁ ଆଗଭର ହୁଅନ୍ତି ତେବେ ଆପଣମାନେ କିପରି ଭାବି ପାରିଲେ ଯେ ମୋ ପ୍ରତିଶୋଧ କି ସମ୍ମାନ ରକ୍ଷା କରିବାକୁ ମୁଁ ଆପଣଙ୍କ ସେହି ପାଞ୍ଚପୁତ୍ର ଉପରେ ଭରସା ରଖି ଥାଆନ୍ତି?


ନାରୀ ମୁଁ..କିନ୍ତୁ ନାରାୟଣୀ ।ଆଉ କେବଳ ସେଇଥିପାଇଁ ମୋ ଭିତରେ ଏତିକି ସାମର୍ଥ୍ୟ ଅଛି ଯେ ମୁଁ ଏହି ଭୟାବହ ମହାଭାରତ ଯୁଦ୍ଧ ନିଜ ଆଖିରେ ଦେଖି ଆଜି ଖୁସି ହେଉଛି।ସମସ୍ତଙ୍କ ବିନାଶର ଉଗ୍ର ତାଣ୍ଡବ ମୋତେ ଶାନ୍ତି ଦେଉଛି।ବୀରମାନଙ୍କ ବିକଳ କ୍ରନ୍ଦନ ମୋତେ ଆନନ୍ଦିତ କହୁଛି।ରକ୍ତପାତର ବିଭତ୍ସ ଦୃଶ୍ୟ ଦେଖି ମୁଁ ଆମୋଦିତ ହେଉଛି।ଆପଣଙ୍କୁ ଏସବୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗି ପାରେ..।କିନ୍ତୁ ସତ୍ୟ କେବଳ ଏତିକି।ଏହି ବିନାଶ ପାଇଁ ମୋର ସୃଷ୍ଟି ହୋଇଥିଲା।ମୁଁ ଅବିନାଶୀ ,ମୁଁ କାଳଜୟୀ ।ଆଜି କେବଳ ଅଟ୍ଟହାସ୍ୟ କରିବାକୁ ଇଛା ହେଉଛି।ବିଜୟିନୀ ପରି ତାଣ୍ଡବ କରିବାକୁ ମନ କହୁଛି ।


କାହିଁକି ଜାଣିଛନ୍ତି?


ଆପଣ କେବେ ନିଜକୁ ନିଜେ ପଚାରିଛନ୍ତି ଆପଣ କେତେ ଭୀରୁ?ଗାନ୍ଧାରୀ ମାତାଙ୍କ ପରି ସତ୍ ସାହସ ଆପଣଙ୍କର ନାହିଁ ଯେ ଆପଣ ଧର୍ମର ବିଜୟ,ସତ୍ୟର ପ୍ରତିଷ୍ଠା ପାଇଁ ଆଶୀର୍ବାଦ ଦେଇ ପାରିବେ । ନିଜ ପାଞ୍ଚ ପୁତ୍ରଙ୍କ ଜୀବନ ଛଡା ଆପଣଙ୍କର ଆଉ କିଛି କାମନା ନାହିଁ।ଆପଣଙ୍କ ଜୀବନର ଏକମାତ୍ର ଉଦ୍ଦେଶ୍ୟ ଆପଣ ପାଞ୍ଚ ଜୀବିତ ପୁତ୍ରଙ୍କ ଜନନୀ ହୋଇ ରହିବେ।ଆଉ ସେଇଥିପାଇଁ ଆପଣ ତ ନିଜ ଜ୍ୟେଷ୍ଠ ସନ୍ତାନକୁ ଭିକ୍ଷା ମାଗିବାକୁ ପଛେଇଲେନି ଯେ ସେ ପଛକୁ ଫେରିଯିବେ।ରାଧେୟ କର୍ଣ୍ଣ ଆପଣଙ୍କ ସନ୍ତାନ ଥିଲେ ବୋଲି ଆପଣ ଜାଣିଥିଲେ।କିନ୍ତୁ ଶେଷ ମୁହୂର୍ତ୍ତ ଯାଏଁ ତାଙ୍କ ପରିଚୟ ଗୁପ୍ତ ରଖିଲେ।


ଏହାର ଏକମାତ୍ର କାରଣ ଥିଲା ଆପଣଙ୍କ ଭୟ।


ସେହି ଭୟ ଯାହା ଆପଣଙ୍କୁ ଜଣେଇ ଦେଇଥିଲା ଯେ କର୍ଣ୍ଣ କିମ୍ବା ଅର୍ଜୁନ ମଧ୍ୟରୁ ଜଣେ ହିଁ ବଞ୍ଚି ରହିପାରିବେ।ଆଉ ଆପଣ ଷଷ୍ଠ ପୁତ୍ର ଜନନୀ ବୋଲି ଜଗତ ବିଦିତ ହେଲା ପରେ ପୁନଃ ପାଞ୍ଚ ପୁଅଙ୍କୁ ହିଁ ଜୀବିତ ପାଇଥାନ୍ତେ..ଜାଣିଥିଲେ ଆପଣ।ତେଣୁ କର୍ଣ୍ଣ ହେଉ କି ଅର୍ଜୁନ..।ଆପଣଙ୍କୁ କିଛି ବି ଫରକ୍ ପଡି ନ ଥିଲା..।


ଆଜି ମୁଁ ଲୁକ୍କାୟିତ ଏକ ଗୋପନ ସତ୍ୟ କହୁଛି।


ସେଦିନ ମୋ ଆଗମନ ସହ ଆପଣଙ୍କୁ ନିଶ୍ଚିତ ରୂପେ ମୋ ସତୀତ୍ଵ ଆଉ କ୍ଷମତାର ଆଭାସ ହୋଇଯାଇଥିଲା।ଏକଥା ମୁଁ ମାନିବାକୁ ଜମାରୁ ପ୍ରସ୍ତୁତ ନୁହେଁ ଯେ ମାତା କୁନ୍ତୀ ନିଜ ପୁତ୍ରମାନଙ୍କ ଆଗମନ ଜାଣି ପାରିଲେ ଆଉ ବଧୂ ଆଗମନର ଆଭାସ ମଧ୍ୟ କରି ପାରିଲେନି । ଆପଣ ନିଶ୍ଚୟ ମୋତେ ଦୂରରୁ ଦେଖି କଳନା କରି ସାରିଥିଲେ ଯେ ଏହି ଅଗ୍ନିସଂଭୂତା ହିଁ ଆପଣଙ୍କ ପୁତ୍ରମାନଙ୍କ ରକ୍ଷା କବଚ ହୋଇ ପାରିବ।


ଆପଣ ଜାଣି ସାରିଥିଲେ ଯେ ସ୍ଵୟଂ କାଳ ମଧ୍ୟ ଅସମର୍ଥ ମୋ ମଥାର ସିନ୍ଦୂର ସ୍ପର୍ଶ କରିବା ପାଇଁ। ଯମଦେବଙ୍କ ଯୋଗ୍ୟତା ନାହିଁ ଯେ ସେ ଯଜ୍ଞସେନୀର ମଥାରେ ବୈଧବ୍ୟ ଲେଖି ପାରିବେ।


ତେଣୁ ଆପଣ କେବଳ ନିଜର ଏକ ପୁତ୍ର ପାଇଁ ନିଶ୍ଚିନ୍ତ ନ ହୋଇ ବରଂ ନିଜର ପାଞ୍ଚପୁଅଙ୍କୁ ଚୀର ସୁରକ୍ଷା ଦେବାକୁ ଚାହିଁଲେ।ଆପଣ ଜାଣିଥିଲେ ଭବିଷ୍ୟ ନିଜ ଗର୍ଭରେ ଚରମ ବିନାଶର ଗାଥା ଲେଖି ସାରିଛି।ଆଉ ସେଥିରୁ ବର୍ତ୍ତିବା କାହା ପକ୍ଷରେ ସମ୍ଭବ ନ ଥିଲା।


କେବଳ ମାତ୍ର ଏହି ଦ୍ରୌପଦୀ ମୃତ୍ୟୁ ଆଖିରେ ଆଖି ମିଶେଇ ତାକୁ ପରାସ୍ତ କରିବା କ୍ଷମତା ରଖିଥିଲା।


କେବଳ ଏହି ଗୋଟିଏ କାରଣରୁ ଆପଣ ନିଜ ପାଞ୍ଚ ପୁଅଙ୍କୁ ମୋ ସିନ୍ଦୂରର କବଚ ପିନ୍ଧେଇ ଅମରତ୍ଵ ଦେବାକୁ ନିଷ୍ପତ୍ତି ନେଇଥିଲେ।ଆଉ କୌଣସି ଉପାୟ ନ ଥିଲା ପାଣ୍ଡବଙ୍କ ଏ ମହାସମରରେ ଜୀବିତ ରହିବା ପାଇଁ।


ଧନ୍ୟ ଆପଣ ମାତା..।ଧନ୍ୟ ଆପଣ ମହାରାଣୀ କୁନ୍ତୀ।ଆପଣ ଜାଣିଥିଲେ ମହାଭାରତ ଯୁଦ୍ଧରେ ମୃତ୍ୟୁକୁ ହରେ଼ଇବା କ୍ଷମତା କେବଳ କୃଷ୍ଣ ରଖିଥିଲେ ଯେ କି ନିଜ ସୁଦର୍ଶନ ଆଢ଼ୁଆଳରେ ବଞ୍ଚାଇ ଦେଇଥିଲେ ପରୀକ୍ଷୀତକୁ..।


ଆଉ ସେହି ସମାନ କ୍ଷମତା ଥିଲା କେବଳ ଏହି କୃଷ୍ଣାର..।


ଯାହାର ସିମନ୍ଥ ସିନ୍ଦୂର ଆଢ଼ୁଆଳରେ ରହି ଜୀବଦାନ ପାଇଥିଲେ ଆପଣଙ୍କ ପାଞ୍ଚ ପୁତ୍ର।ଏହି ବିଭତ୍ସ ସମରର ବିଭୀଷିକାକୁ ପ୍ରତିହତ କରିବା କ୍ଷମତା କେବଳ ମୋ ସତୀତ୍ୱର ହିଁ ଥିଲା ବୋଲି ସେଦିନ ଆପଣ ଜାଣି ସାରି କହି ଦେଇଥିଲେ ସମାନ ଭାବେ ବାଣ୍ଟି ନେଇଯିବାକୁ ।


ଆପଣ ବାଣ୍ଟିବାକୁ କହିଥିଲେ ଏହି ସୌଭାଗ୍ୟ,ଏହି କବଚ,ଏହି ସଂଜୀବନୀ…।


ଆଜି ଯାଏଁ ଆତ୍ମଦାହ ଜ୍ଜଳନର ଜ୍ୱାଳାରେ ଜଳୁଥିବା ଯାଜ୍ଞସେନୀ ଦୁଃଶାସନର ରକ୍ତରେ ଧୋଇ ଦେଇଛି ତାର ମୁକ୍ତକେଶ । ଆଉ ଆଜି ଏହି ରକ୍ତସ୍ନାନ ପରେ ମୋ ଜ୍ଵାଳା କମ୍ ହୋଇ ପାରିଛି ଆଉ ମୁଁ ବୋଧେ ମୋ ପ୍ରଶ୍ନର ଉତ୍ତର ମଧ୍ୟ ପାଇ ପାରିଛି ।


ବ୍ରହ୍ମାଙ୍କ ରଚିତ ସଂସାରରେ କେବଳ ଏ ପାଞ୍ଚାଳୀ ଏକମାତ୍ର ନାରୀ ଯେ ରକ୍ତ ଦେଖି ନିଜ ଚକ୍ଷୁ ମୁଦ୍ରିତ କରି ନିଜ ପତିର ବକ୍ଷରେ ମୁହଁ ଲୁଚାଇ ଦିଏନି ବରଂ ସ୍ଵୟଂ ରକ୍ତସ୍ନାନ କରି ସେଥିରେ ଧୋଇଦେଇ ପାରେ ନିଜ ମନର ଗ୍ଲାନି, ସବୁ କଳୁଷିତ ଚିନ୍ତାଧାରା ଆଉ ସେହି ରକ୍ତସ୍ନାନ ପରେ ଆହୁରି ଉଜ୍ଜ୍ୱଳ ହୋଇ ଜଳିଉଠେ ତା ମଥାର ସିନ୍ଦୂର ଆଉ ସେ ହୋଇଯାଏ ନିଜ ପତିର ରକ୍ଷା କବଚ ।


ଆଜି ଏ ମୃତ ଶରୀରମାନଙ୍କ ଗହଣରେ ଏ ଧ୍ଵଂସର ଶୁଷ୍କ ବାଲୁକା ଶଯ୍ୟାରେ ଦେଖନ୍ତୁ କିପରି ଆପଣଙ୍କ ପୂତ୍ରମାନଙ୍କ ଢାଲ ଆହୁରି ଶକ୍ତ ହୋଇସାରିଛି ।ଅଗ୍ନି ପ୍ରଶମିତ ହେବା ପାଇଁ ଆଜି ରକ୍ତ ଆହୂତି ମାଗିଛି।ଆଉ ସତ୍ୟ ଜ୍ଞାତ ହେବା ପରେ ମୁଁ ଆପଣଙ୍କୁ ବଚନ ଦେଉଛି ସଶରୀରେ ମୋ ସିନ୍ଦୂରର ଛତ୍ରଛାୟା ତଳେ ଆଶ୍ରିତ ଥିବା ମୋ ସ୍ବାମୀମାନଙ୍କୁ ନେଇଯିବି ମୁଁ ସ୍ଵର୍ଗାରୋହଣରେ,ନିଜେ ଆଗେଇ ଯିବି ନିର୍ବାଣ ପଥରେ ।


ପଦିଏ କଥା,ଗୋଟିଏ ବାକ୍ୟ,ଆଜି ତା ତାତ୍ପଯ୍ୟ ମୁଁ ବୁଝି ପାରିଛି ମାତା ।


ଆଉ ସନ୍ତାନ ସୁରକ୍ଷା ପାଇଁ ଆପଣଙ୍କ ସେହି ସୁଚିନ୍ତିତ ପଦକ୍ଷେପକୁ ସମ୍ମାନ ଜଣାଉଛି।ଶରଣାଗତକୁ ସୁରକ୍ଷା ଦେବା କ୍ଷତ୍ରିୟ ଶିରୋମଣି ହିସାବରେ ମୋ ଧର୍ମ । ତେଣୁ ଆଜି ଏହି ପବିତ୍ର ରକ୍ତସ୍ନାନ ସହ ଘୋଷଣା କରୁଛି ସିମନ୍ଥିନୀର ମଥା ସିନ୍ଦୂର ତା ପତିର ରକ୍ଷାକବଚ ହୋଇ ତାକୁ ରକ୍ଷା କରିବ ଯୁଗ ଯୁଗରେ..


କିନ୍ତୁ ସେଥିପାଇଁ ତାକୁ ନାରୀରୁ ନାରାୟଣୀ ସାଜି ଅଭେଦ୍ୟ ଅଜେୟ ହେବାକୁ ହେବ । ଅସୂର୍ଯ୍ୟଂପଶ୍ୟା ନୁହେଁ..। ତୀର୍ଯ୍ୟକ୍ ବାଣୀର ତୀକ୍ଷ୍ଣ ତୀରାଘାତ ସହି ମଧ୍ୟ ନିଜ ଧୈର୍ଯ୍ୟ ସହ ରକ୍ତସ୍ନାନ କରିବାକୁ ହେବ । ଅଗ୍ନି ସମ ତେଜୀୟାନ ହେବାକୁ ହେବ ।ତେବେ ଯାଇ ଯାଜ୍ଞସେନୀ ପୁନଃ ଜୀବିତ ହୋଇ ସୌଭାଗ୍ୟ ପ୍ରାପ୍ତି କରିବ ।



Rate this content
Log in

More oriya story from Madhumita Mishra

Similar oriya story from Classics