STORYMIRROR

MADHU MITA

Drama Romance

4  

MADHU MITA

Drama Romance

ରିପୋର୍ଟ

ରିପୋର୍ଟ

11 mins
407


"ଏଇ ଅନୁ... ଆସିଲ...ତମ ହାତର ମେହେନ୍ଦି ଟିକେ ଦେଖିବା…କେତେ ରଙ୍ଗ ହେଇଛି..."ହସି ହସି ଭାଉଜ ଡାକିଲେ ଆଉ ଏକ ରକମ ଟାଣିଦେଇ ପାପୁଲି ଉପରେ ଲେଖା ନାମକୁ ଦେଖି ଆହୁରି ଜୋରରେ ହସିଲେ…!


ପାଖରେ ବସିଥିବା ପିଉସୀ ତାଙ୍କ ହସର ଖିଅ ଧରି ହସି ହସି କହିଲେ…"ଭାଉଜ..ତମକୁ କିନ୍ତୁ ମାନିବାକୁ ପଡ଼ିବ।ପୁଅ ନାଁ ଅନୁ ଆଉ ବୋହୂ ବି ଖୋଜିଛ ଅନୁ ନାଁରେ..କେମିତି ଅଲଗା କରି ଡାକିବ କହିଲ ବୋହୂ ଆସିଲା ପରେ?ନା ଜଣକୁ ଡାକିଲେ ଦି ଜଣ ଦୌଡ଼ି ଆସିବେ ବୋଲି ଏମିତି କରିଛ ମ..?"


ପିଉସୀ କଥା ସାରିଛନ୍ତି କି ନାହିଁ ମା ସଙ୍ଗେ ସଙ୍ଗେ କହି ଉଠିଲେ.."କାହିଁକି...ମୋ ବଡ ପୁଅ ଆଉ ବୋହୂଙ୍କ ଡାକ ନାଁ ବି ତ ଅନି। କେମିତି ଡାକୁଛି କି? ସେମାନେ କଣ ଜାଣି ପାରୁ ନାହାଁନ୍ତି…? ନା କଣ ମା ଅନି?"


ଭାଉଜ ମାଙ୍କୁ କୁଣ୍ଢେଇ ହସି ହସି କହିଲେ…"ହଁ ମା..ଆପଣଙ୍କ ପାଇଁ ସବୁ ସମ୍ଭବ…"


ପିଉସୀ କହିଲେ…"କିନ୍ତୁ ଅନିତା..ମୁଁ ତୋତେ ଏମିତି ହିଁ ଡାକିବି। ଆଉ ତୋ ସ୍ବାମୀ ଅନିରୁଦ୍ଧକୁ ହିଁ ଅନି ବୋଲି କହିବି। ଆଉ ହେଇଟି ଅନୁ..ତୁ ବି ଶୁଣ...ତୋତେ ଅନୁ ଡାକିବି କିନ୍ତୁ ତୋ ସ୍ତ୍ରୀ ଆସିଲେ ତାକୁ ଅନୁପମା ବୋଲି କହିବି ହେଲା…?"


ସମସ୍ତେ ହସି ହସି ଗଡିଗଲା ବେଳେ ଅନୁରାଗ ସେଇଠୁ କେମିତି ଖସି ଚାଲି ଯାଉଥିଲା। ଘରଟା ସାରା ବନ୍ଧୁବାନ୍ଧବ ଭର୍ତ୍ତି ହୋଇଛନ୍ତି। ସମସ୍ତେ ବ୍ୟସ୍ତ। ରାତି ପାହିଲେ ତା ବାହାଘର।ଆଜିକାଲି ଝିଅ ମାନଂକ ପରି ପୁଅ ମାନଂକୁ ମଧ୍ୟ ମେହେନ୍ଦି ଲଗାଇ କେତେ ମଜା କରୁଛନ୍ତି।ଏଇ ଯେମିତି ତା ହାତ ପାପୁଲି ଉପରେ ଭାଉଜ ଅନୁପମାଙ୍କ ନାମ ଲେଖି ଦେଇଥିଲେ।ସନ୍ଧ୍ୟାରେ ଦିଅଁ ମଙ୍ଗୁଳି ପାଇଁ ଯାଇଥିଲେ ସମସ୍ତେ।ସଜବାଜ ଚାଲିଛି। ହଳଦୀ ଗିନା ତିଆରି ହୋଇ ଗଲାଣି।ବରକୁ ହଳଦୀ ଲଗେଇବା କାମଟା କମ୍ ହେଲେ ସେତିକିବେଳେ ସମସ୍ତେ ନିଜ ନିଜ ଭିତରେ ହଳଦୀ ବୋଳାବୋଳି ହୋଇ ମଜା କରିବେ।ଖାଲି ବାହାନା ଦରକାର ଏ ସମସ୍ତଙ୍କୁ। ଘୋ ଘା କରିବାରେ ଲାଗି ପଡ଼ିବେ।ଭାଇ ବାହାଘରର ଅନୁଭୂତିରୁ ସେ ସବୁକଥା ଜାଣିଛି।ଏମିତି ଭାବି ଅନୁରାଗ ସେଇ ଦିଗରୁ ମୁହଁ ବୁଲେଇ ଦେଲା ବେଳକୁ ପୁତୁରା ଆଉ ଭାଣିଯି ଗୋଟିଏ ଭିଡିଓ ଗେମ୍ ପାଇଁ ପାଟି କରୁଥିବା ଦେଖିଲା।ତାଙ୍କ ପାଖକୁ ଯାଇ କଥାଟା ସମାଧାନ କରିବାକୁ ବାହାରିଲା ବେଳେ ସେପଟୁ ଭିଣୋଇଙ୍କ ପାଟି ଶୁଣାଗଲା…"ଆରେ ପିଲେ..ଏଠିକି ଆସ।ସଙ୍ଗୀତ ପାଇଁ କେମିତି କଣ ସବୁ କରିବା ସେକଥା ବାବା ପଚାରୁଛନ୍ତି…! "ଆଉ ପିଲା ଦି ଜଣ ପୁରୁଣା କଥା ଭୁଲି ଭିଡିଓ ଗେମ୍ ଥୋଇଦେଇ ବାପାଙ୍କ ରୁମ ଆଡେ ଦୌଡ଼ି ପଳେଇଲେ।


ଅଦ୍ଭୁତ ଆଗ୍ରହ ଆଉ ଉତ୍ସାହ ଥିଲା ଚାରିଆଡ଼େ...


ଅନୁରାଗ ଆଉ ଅନିରୁଦ୍ଧଙ୍କର ନିଜ ଭଉଣୀ ନ ଥିଲେ ମଧ୍ୟ ସେମାନଙ୍କ ମାମୁଁ ଝିଅ ଭଉଣୀ ରୀମା ସେହି ଅଭାବକୁ ପୂରଣ କରି ଦେଇଥିଲା।ଏକମାତ୍ର ନଣନ୍ଦ ବୋଲି ତା ମନ ଖୁସିରେ ଫାଟି ପଡୁଥିଲା...।


"ଆରେ ଅନୁ...ତୋ ସାଙ୍ଗମାନେ ଆଜିଠୁ ପଅର ଦିନ ଯାଏଁ ରହିବେ ବୋଲି କହି ଦେଇଛୁ ତ?"ପଚାରି ଫୁଲମାଳ ସବୁକୁ ତା ରୁମ ଯାଏଁ ପଠେଇବାକୁ ଫୋନରେ ନିର୍ଦ୍ଦେଶ ଦେଇଥିଲା ସେ।ତା କଥାରେ ହଁ କରି ଅନୁରାଗ ରୁମ ଆଡ଼କୁ ଗଲାବେଳେ ଭାଉଜ ଆସି ଅଟକେଇ ଦେଲେ…"ରୁହ ରୁହ।ଆଉ ତମେ ସେଇ ରୁମକୁ ଏକୁଟିଆ ଯାଇ ପାରିବନି।ତମ ସ୍ତ୍ରୀ ଆସିଲେ ଦୁଇଜଣ ସାଙ୍ଗ ହୋଇ ଯିବ ହେଲା..?"କହି ସେ ହସିଲେ ଆଉ ତାଙ୍କ ସହିତ ତାଳ ଦେଇ ରୀମା ବି ବୋହେ ହସିଲା।ଗୋଟିଏ ବାଧ୍ୟ ବାଧକତାର ହସ ଖେଳେଇ କେମିତି ଖସି ପଳେଇବାକୁ ଚାହୁଁଥିଲା ସେଇଠୁ ଅନୁରାଗ ।


"ଆରେ..ବୋହୂର ବାପଘର ଲୋକେ ଆସି ପହଞ୍ଚି ଗଲେଣି।କିଏ ଯାଉଛ କିରେ ଏୟାରପୋର୍ଟକୁ?"ପାଟି କଲେ ବାପା।

"ଅନୁ..ତୁ ଟିକେ ଯା ତ…! "ମା କହିଲେ।

"ଆରେ ସକାଳୁ ତା ବାହାଘର। ତାକୁ କଣ କାମ କହୁଛ ଯେ?ଅନି କେଉଁଠି ଅଛି..ତାକୁ କହୁନ ଯିବାକୁ..."ବାପା କହିଲେ।

"କିଛି ଅସୁବିଧା ନାହିଁ ବାପା..ମୁଁ ଯାଉଛି…"କହି ଅନୁରାଗ ବାହାରିଗଲା ଏୟାରପୋର୍ଟକୁ…


ଘରେ ଆସି ପହଁଚିଲା ବେଳେ ଶଙ୍ଖ ହୁଳହୁଳି ଆଉ ବ୍ୟାଣ୍ଡବାଜା ସବୁ ଏକ ସଙ୍ଗେ ଆରମ୍ଭ ହୋଇଗଲା।ମା , ଅନିତା ଭାଉଜ, ରୀମା ଆଉ ଅନ୍ୟ ସ୍ତ୍ରୀ ଲୋକମାନେ ତାକୁ ରୁମକୁ ନେଇଗଲେ।ହଳଦୀ ରଙ୍ଗର କୁର୍ତ୍ତା ଆଉ ପାଟ ପିନ୍ଧି ସେ ବସିଲା ମଣ୍ଡପ ଉପରେ।ଜଣ ଜଣ କରି ତା ଦେହରେ ହଳଦୀ ଲଗେଇ ଦେଲେ ଆଉ ତା ପରେ ନାରୀମାନଙ୍କ ଭିତରେ ହଳଦୀ ଖେଳ ଆରମ୍ଭ ହୋଇଗଲା।


"ଯା ଅନୁ..ଏଥର ଗାଧୋଇ ପଡ଼।ତୁ ଆସିଲେ ଡିନର ପ୍ରୋଗ୍ରାମ ଆରମ୍ଭ କରିବା" କହିଲେ ଅନିଭାଇ।


ବାଥରୁମ ଯାଇ ସାୱାର ଖୋଲି ଠିଆ ହେଲା ଅନୁରାଗ।ଥଣ୍ଡା ଥଣ୍ଡା ପାଣି ଦେହସାରା ପଡ଼ିଲା ପରେ ମଧ୍ୟ କେମିତି ଏକ ଅସହନୀୟ ଜ୍ଵାଳା ବାହାରିଗଲା ପରି ଲାଗୁଥିଲା ତାକୁ...ଆଖି ବନ୍ଦ କରି ସେ ମୁହଁଟାକୁ ଦେଖେଇ ଦେଲା ସାୱାର ଆଡେ...ପାଣିର ଧାର ସହିତ ଏକାକାର ହୋଇ ଅନେକ ଛବି ଚଳଚ୍ଚିତ୍ର ପରି ତା ଆଖି ଆଗରେ ନାଚି ଯାଉଥିଲା…।


ଗୋଟିଏ ଟୁ ବେଡ଼ରୁମର ଫ୍ଲାଟ୍...ଅଳ୍ପ ଆବଶ୍ୟକୀୟ ଜିନିଷପତ୍ର ସହିତ ବଡ଼ ବଡ ଦୁଇଟି ବହି ଥାକ।ଆଉ ତିନିଜଣ ବ୍ୟାଚେଲର ସାଙ୍ଗ। ଖାଇବା ପିଇବା ଶୋଇବା ସବୁ ଏକ ସାଙ୍ଗରେ କରନ୍ତି। ହଠାତ୍ ଗୋଟିଏ ସାଙ୍ଗ ମଲ୍ଟିନାସନାଲ କମ୍ପାନୀରେ ଚାକିରୀ ପାଇ ଯାଇଛି।ଆଉ ଜଣେ ସାଙ୍ଗ ଜଣେ ନାମୀ ବ୍ୟବସାୟୀ ସହିତ ଯୋଡ଼ି ହୋଇ ନୂଆ ନୂଆ ବ୍ୟବସାୟ ଆରମ୍ଭ କରିଛି। ଆଉ ତୃତୀୟ ଜଣକ କମ୍ପିଟେଟିଭ ପରୀକ୍ଷା ପାଇଁ ଜୋର ପ୍ରସ୍ତୁତି ଚଲେଇଛି। ପାଠପଢା ପରେ କର୍ମକ୍ଷେତ୍ରରେ ଅଲଗା ରାସ୍ତାରେ ଚାଲିଲେ ମଧ୍ୟ ସେମାନଙ୍କ ବନ୍ଧୁତା ଅକ୍ଷୁର୍ଣ୍ଣ ଅଛି ଆଉ ସେମାନେ ପରସ୍ପରର ବହୁତ୍ ଅନ୍ତରଙ୍ଗ ହୋଇ ଯାଇଛନ୍ତି। ଦୁଇ ବନ୍ଧୁଙ୍କ ରୋଜଗାରକ୍ଷମ ହୋଇଯିବାଟା କିନ୍ତୁ ତୃତୀୟ ବନ୍ଧୁକୁ ଭିତରେ ଭିତରେ କଷ୍ଟ ଦେଉଛି।ସେ ଉଭୟଙ୍କ ଠାରୁ ଅଧିକ ଜ୍ଞାନୀ ଆଉ ପରିଶ୍ରମୀ ହେଲେ ମଧ୍ୟ ତାର ଜିଦ୍ ପାଇଁ ସେ ଅସୁବିଧାରେ ପଡୁଛି। ସେ କୌଣସି ପ୍ରାଇଭେଟ୍ କମ୍ପାନୀରେ ଚାକିରି କରିବନି। କେବଳ କମ୍ପିଟେଟିଭ ଦେଇ ସରକାରୀ ଚାକିରୀରେ ଯୋଗ ଦେବ।ଥରେ ଏପରି ନିଜକୁ ସମସ୍ତଙ୍କ ଆଗରେ ଉପସ୍ଥାପନ କରିବା ପରେ ନିଜ ନିଷ୍ପତ୍ତିରୁ ଓହରିଯିବା ଆଉ ସମ୍ଭବ ହୁଏନି। ବୋଧେ ଏଇଟା ହିଁ ସବୁଠୁ ବଡ ସମସ୍ୟା ଥିଲା।ଏହି କାରଣରୁ ନା ସେ ଚାକିରୀ ପାଉଥିଲା ନା ଆଉ କେଉଁଠି ଯୋଗ ଦେଇ ପାରୁଥିଲା। ତଥାପି ତା ମନଭାବ ବୁଝି ଦୁଇ ସାଙ୍ଗ ତାକୁ ସମ୍ଭାଳିଲେ ଆଉ ଜବରଦସ୍ତି ଏକ ଇନ୍ସ୍ତିଟୁସନରେ ଟ୍ୟୁଟର ଚାକିରୀଟେ କରେଇ ଦେଲେ।


ଧୀରେ ଧୀରେ ସମୟ ସହିତ ତାଳ ଦେଇ ତିନିଜଣ ବନ୍ଧୁ ନିଜ ପରିଧି ଭିତରେ ଗୋଟିଏ ପରେ ଗୋଟିଏ ସଫଳତା ପାଇଲେ।ବିବାହଯୋଗ୍ୟ ହେବା ପରେ ସମସ୍ତଙ୍କ ପାଇଁ ପରିବାର ପକ୍ଷରୁ ବୋହୂ ଖୋଜା ମଧ୍ୟ ଆରମ୍ଭ ହୋଇଗଲା।ଆଉ ଯେତେବେଳେ ପ୍ରଥମ ବନ୍ଧୁର ବିବାହ ଠିକ୍ ହୋଇଗଲା...ତାକୁ ତୃତୀୟ ବନ୍ଧୁ ଅନୁପ କହିଲା…।


"ଅନୁ...ବାହାଘର ପରେ ତୋତେ କେବଳ ଗୋଟିଏ ହିଁ ସ୍ୱାଦର ବ୍ୟଞ୍ଜନ ମିଳିବ ବନ୍ଧୁ..! ହେଲେ ତା ପୂର୍ବରୁ ଟିକେ ଅନ୍ୟ ପ୍ରକାର ସ୍ଵାଦ ଥରେ ଚାଖିବୁ ଆଜି ମୋ ସହିତ…!"


"ବୁଝି ପାରୁନୁ କି ଅନୁ?"ହସି ହସି କହିଲା ଦ୍ଵିତୀୟ ସାଙ୍ଗ ସତିଶ.."ଆରେ ଅନୁପ ପରା ଲୈଲାର ରେଗୁଲାର ଗ୍ରାହକ।ତୋତେ ତା କୋଠିକି ଆଜି ଯିବାକୁ ଡାକୁଛି…"


"ଲୈଲା … ମାନେ.. ଏ ସହରର ରାଣୀ ମହୁମାଛି..?"ଆଶ୍ଚର୍ଯ୍ୟ ହୋଇ ଅନୁରାଗ ପ୍ରଶ୍ନ କଲା..


"ୟେସ ବସ୍…"ଅନୁପ ଚେନାଏ ହସ ଖେଳେଇ ନିଶ ମୋଡି କହିଲା…"ଆରେ ମନଚାହାଁ ଚାକିରୀ ସିନା ମିଳିନି ହେଲେ ମନ କିଣି ନେଇଥିବା ଲୈଲା ମିଳି ଯାଇଛି ମୋତେ।କଣ କହିବି ୟାର ତା ବିଷୟରେ..! ତୁ ମୋ ସାଙ୍ଗରେ ଥରେ ଚାଲ।ବାହାଘର ବନ୍ଧନରେ ବାନ୍ଧି ହେବା ଆଗରୁ ଥରୁଟିଏ ମୁକ୍ତିର ଆନନ୍ଦ ପାଇ ଯା..।"


ମନା କଲା ଅନୁରାଗ। ଚାରିତ୍ରିକ କ୍ଷାଳନକୁ ଶକ୍ତ ବିରୋଧ କରେ ସେ।ଆଉ ଏମିତି ଏକ ଅପବିତ୍ର ସମ୍ପର୍କ ପାଇଁ ଆଗେଇ ଆଗକୁ ଥିବା ତାର ପବିତ୍ର ସମ୍ପର୍କ ଉପରେ ଦାଗ ଲଗେଇବାର ତିଳେ ମାତ୍ର ଇଚ୍ଛା ନ ଥିଲା ତାର।ସତିଶ ମଧ୍ୟ ଏସବୁ କାର୍ଯ୍ୟକଳାପ ପସନ୍ଦ କରେନା।କାରଣ ସେ ଭୟ କରୁଥିଲା ଯଦି ତାର ଏମିତି ଭୁଲ୍ ଯୋଗୁଁ କିଛି ଅସୁବିଧା ହୁଏ ତେବେ ତା ଭବିଷ୍ୟ ଅନ୍ଧକାର ହୋଇଯିବ। ତାର ଗୋଟିଏ ବୋଲି ଭଉଣୀର ଜୀବନ ବି ନଷ୍ଟ ହେଇଯିବ...ଏଣୁ ସେ ଏସବୁ କଥାବାର୍ତ୍ତାଠାରୁ ମଧ୍ୟ ଯଥା ସମ୍ଭବ ଦୁରେଇ ରହୁଥିଲା।


"ୱେଷ୍ଟ ବଡିଜ୍ ଏଭର୍…"କହି ଅନୁପ ବସିବା ଜାଗାରୁ ଉଠିଲା ଆଉ ବ୍ରଶ କରି ସେଭିଂ କରି ମୁହଁ ଧୋଇ ଲୁଗା ବଦଳେଇବାକୁ ଗଲା।


"କେତେଥର କହିଲିଣି ଅନୁପ...ମୋ ରେଜର ବ୍ୟବହାର ନ କରିବାକୁ।ତେବେ ତୁ…"ଚିଲ୍ଲାଉ ଥିଲା ସତିଶ।ହେଲେ ତା କଥା ନ ଶୁଣି ଧୋବ ଫରଫର ଇସ୍ତ୍ରିକରା କୁର୍ତ୍ତାଟିଏ ପିନ୍ଧି ଅନୁପ ବାହାରି ଆସିଲା।


"ଏଇଟା ମୋ କୁର୍ତ୍ତା ଅନୁପ…"କହିଲା ଅନୁରାଗ।


ହେଲେ ନିର୍ଲଜ୍ଜମାନଂକ ପରି ଦାନ୍ତ ଦେଖେଇ ମେଞ୍ଚେ ଡିଓ ଲଗେଇ ସତିଶର ଜୋତା ପିନ୍ଧି ବାହାରିଗଲା ସେ ଘରୁ…!!


ଅନୁରାଗ ଆଉ ସତିଶ ପରସ୍ପରକୁ ଚାହିଁ ଭାବୁଥିଲେ.."ଏ ଅନୂପର ଆଉ କିଛି କରି ହେବନି।"


ଅନୁପ ସବୁବେଳେ ସେମିତି।ଯାହାର ପାରିବ ତାହାର ଗାଧୁଆ ବ୍ରଶ, ରେଜର୍,ପାନିଆ,ଡ୍ରେସ୍ ,ଜୋତା ସବୁକିଛି ବ୍ୟବହାର କରି ପକେଇବ।ଆଉ ପଚାରିଲେ ଖାଲି ଦାନ୍ତ ଦେଖେଇ ହସିଦେବ। ନ ହେଲେ କହିବ…"ଆରେ ୟାର ଦୋସ୍ତି ମେ ସବ ଚଲତା ହୈ…!"


ଆଉ ତିନିଦିନ ତଳେ ଅନୁପ ହଠାତ୍ ସମସ୍ତଙ୍କୁ ଛାଡି ସବୁଦିନ ପାଇଁ ଚାଲିଗଲା। ତାର ଏଚଆଇଭି ପଜିଟିଭ ଆସିଥିଲା।ମାତ୍ର ଏକ ସପ୍ତାହ ଧରି ସେ ଟିକେ ବେଶୀ ଅସୁସ୍ଥ ଜଣା ଯାଉଥିଲା।ଆଉ ଅଚାନକ ଦୁନିଆରୁ ବିଦାୟ ନେଇଗଲା। ଲୈଲାର ଅଧିକାଂଶ ଗ୍ରାହକ ଏହିପରି ଅକାଳ ମୃତ୍ୟୁର ଶିକାର ହୋଇଥିଲେ।ଆଗତ ବିବାହର ଖୁସିଠାରୁ ନିଜ ଅନ୍ତରଙ୍ଗ ସାଙ୍ଗ ମୃତ୍ୟୁ ଖବର ଅଧିକ ଦୁଃଖ ଦେଉଥିଲା ଅନୁରାଗକୁ।ସେମାନେ ପ୍ଲାନ୍ କରିଥିଲେ ବାହାଘରର ଦୁଇଦିନ ଆଗରୁ ସାଙ୍ଗ ହୋଇ ଆସି ତା ଘରେ ତା ସହିତ ରହିବେ ଆଉ ରିସପସନ,ସଙ୍ଗୀତ ପରେ ଯାଇ ଫେରିବେ…! କିନ୍ତୁ ଅଚାନକ ଏତେ ବଡ ଦୁଃଖକୁ ହଜମ କରି ପାରୁ ନ ଥିଲା ଅନୁରାଗ ।


ମନ ଦୁଃଖରେ ଚୂପହୋଇ ବସିଥିଲା ଘର ଛାତ ଉପରେ।ସତିଶ ଆଉ ସେ ସାଙ୍ଗ ହୋଇ ଆସି ଯାଇଥିଲେ।ମନର ସରସତା କିନ୍ତୁ ନ ଥିଲା।ଆଉ କାହାରିକୁ ସେମାନେ ଏ ଦୁଃଖଦ କଥା କହି ପାରି ନ ଥିଲେ।ସମସ୍ତେ ବାହାଘର ଖୁସିରେ ମସଗୁଲ୍ ଥିଲା ବେଳେ ଏପରି ଏକ ଖବର ଦେଇ କାହାରି ମନ ଦୁଃଖ କରେଇ ଦେବାକୁ ସେମାନଙ୍କର ସାହସ ନ ଥିଲା। ସତିଶ ତାକୁ ଛାତର ଗୋଟିଏ କୋଣକୁ ଡାକି ନେଇ କହିଲା…"ଅନୁ... ଗୋଟିଏ ପ୍ରୋବଲେମ୍ ହେଇ ଯାଇଛି।ଅନୁପ ଆମର ସବୁ ଜିନିଷ ବ୍ୟବହାର କରୁଥିଲା।ଏପରିକି ଆମ ସେଭିଂ ରେଜର୍ ,ପାନିଆ,ଜୋତା ମଧ୍ୟ…!!ସାଙ୍ଗ ମୁଁ ଭାବୁଛି ଆମେ ମଧ୍ୟ ଏଚଆଇଭି ଟେଷ୍ଟ କରେଇନବା ଉଚିତ୍ ହେବ…!! କାଳେ କିଛି ଇନ୍ଫେକସନ୍ ଥିବ କି..!!??"ଚମକି ପଡ଼ିଲା ଅନୁରାଗ।ସତରେ ତ…!!ଏତେ ଇଣ୍ଟିମେଟ ବନ୍ଧୁତା ପରେ ଏମିତି ଏକ ରୋଗ ଭୂତାଣୁ ସେମାନଙ୍କ ଦେହରେ ନ ଥିବ ତାର ଗ୍ୟାରେଣ୍ଟି କିଏ ଦେବ??ତୁରନ୍ତ ଦୁହେଁ ନିଷ୍ପତ୍ତି ନେଲେ ବ୍ଲଡ଼ ଟେଷ୍ଟ କରିବେ।ଆଉ ଆଜି ସକାଳୁ ହିଁ କିଛି ବାହାନା କରି ରକ୍ତ ନମୁନା ଦେଇ ଦେଇ ଆସିଛନ୍ତି।ହେଲେ ରିପୋର୍ଟ ଏଯାଏଁ ଆସିନି। କାଲି ସକାଳୁ ରିପୋର୍ଟ ମିଳିବ ବୋଲି ଲାବ ଆସିଷ୍ଟାଣ୍ଟ କହିଛନ୍ତି…!!


"ଏ ଅନୁ...କେତେ ଗାଧାଉଛୁ?ଥଣ୍ଡା ହୋଇଯିବ ଯେ...ଆଉ ଆଜି ପରିକା ଦିନରେ ତୋତେ ଗରମ ହୋଇ ରହିବାର ଅଛି।ଥଣ୍ଡା ନୁହେଁ…"କହି ଅନିଭାଇ ଆସି କବାଟ ବାଡ଼େଇବାପରେ ସମ୍ବିତ ପାଇଲା ଅନୁରାଗ..!!


ରାତିରେ ଆଖିରେ ପଲକ ପଡୁ ନ ଥିଲା ଅନୁରାଗର।କଣ କରିବ?ଯଦି ତା ରକ୍ତରେ ମଧ୍ୟ ସଂକ୍ରମଣ ଥିବ??ଆଉ ଏକଥା କନଫର୍ମ ନ ହୋଇ କିପରି ସେ ବାହା ହୋଇ ଅନୁପମା ପରି ଏକ ସରଳ ଝିଅର ଜୀବନ ବରବାଦ କରିଦେବ??ନିଜ ଘରଲୋକଙ୍କ ସହିତ ଅନୁପମା ଘରଲୋକଙ୍କ ଠାରୁ ଏକଥା ସେ କେମିତି ଲୁଚେଇ ରଖିବ..??ଏଇ ବେମାରୀ କଣ ଥଣ୍ଡା ସର୍ଦ୍ଦି ପରି ସାଧାରଣ ହୋଇଛି କି…!!??ତା ବଖରା ସଜେଇ ଦିଆ ଯାଉଛି...ଏକ ନୂଆ ଜୀବନ ଆରମ୍ଭ କରିବା ଉଦ୍ଦେଶ୍ୟରେ।ସମସ୍ତେ କେତେ ଖୁସି ଅଛନ୍ତି।ଅନୁପମା ଘରେ ମଧ୍ୟ କେତେ ଖୁସି ଥିବେ ସମସ୍ତେ।ଏତିକି ବେଳେ ଏମିତି ଅହେତୁକ ଭୟ ସହିତ ସେ କେମିତି ଆଗକୁ ଆଗେଇବ??କଣ କରିବ??


ଏସବୁ ଭାବୁ ଭାବୁ କେତେବେଳେ ଟିକେ ଆଖି ଲାଗି ଯାଇଥିଲା...ଭୋରରୁ ଗହଳ ଚହଳ ଆରମ୍ଭ ହୋଇ ଯାଇଥିଲା।ଆଉ ତା ନିଦ ମଧ୍ୟ ଭାଙ୍ଗି ଯାଇଥିଲା। ହଲକୁ ଆସିବା ବେଳକୁ ସମସ୍ତେ ପ୍ରାୟ ସଜବାଜ ହେବାରେ ବ୍ୟସ୍ତ ଥିଲେ।ଭିଣୋଇ,ଅନିଭାଇ ଆଉ ତାର ଅନ୍ୟ ସାଙ୍ଗମାନେ ତାକୁ ନେଇ ବରବେଶରେ ସଜେଇବାକୁ ଆରମ୍ଭ କଲେ।କିଏ ଶେରୱାନିର ବୋତାମ ଲଗାଇ ଦେଉଥିଲା ତ ଆଉ କିଏ ତା ଘଣ୍ଟା,ଚେନ୍ ସଜାଡି ପିନ୍ଧେଇ ଦେଉଥିଲା।ଏତିକିବେଳେ ରୀମା ଆସି ତାକୁ ମେକପ କରିବ ବୋଲି କହିଲା।କିନ୍ତୁ ଭିଣୋଇ ତା ହାତରୁ ମେକପ୍ ବକ୍ସକୁ ନେଇଯାଇ "ଆମେ ସବୁ କରିଦେବୁ" କହି ତାକୁ ରୁମ ବାହାରକୁ ପଠେଇ ଦେଲେ।ପୁତୁରା ମାର୍କଣ୍ଡେୟ ହୋଇ ତା ସହିତ ଯିବା ପାଇଁ ସଜ ହେଉଥିଲା…!!


କିନ୍ତୁ ଅନୁରାଗର ଆଖି କେବଳ ସତିଶକୁ ହିଁ ଖୋଜୁଥିଲା।ସତିଶ ସୁବିଧା ଦେଖି ତା ମୁକୁଟ ସଜାଡ଼ିବା ବାହାନାରେ ଅତି ପାଖକୁ ଆସି ତା କାନରେ କହିଲା.."ଦଶଟା ସୁଦ୍ଧା ରିପୋର୍ଟ ଆସିଯିବ।ମୁଁ ସେଉଠୁ ତୋତେ ଫୋନ୍ କରି ଜଣେଇଦେବି…!"ତା କାନ୍ଧରେ ହାତ ରଖି ଅନୁରାଗ "ଏଜ୍ ସୁନ ଏଜ ପଶିବଲ ୟାର...ପ୍ଲିଜ୍" କହିଲା ଆଉ ଅନୋନ୍ୟପାୟ ହୋଇ ନିଜକୁ ପୁଣି ଅନ୍ୟମାନଙ୍କ ଭିତରେ ହଜେଇ ଦେଲା।


"ସନ୍ଧ୍ୟାର ସବୁ ଆରେଞ୍ଜମେଣ୍ଟ ସରିଛି ତ?ଦେଖ ଆମେ ଆସିଲା ବେଳକୁ ଚାରିଟା ବାଜି ଯାଇଥିବ।ଆଉ ତା ପରେ ମାତ୍ର ଦୁଇ ଘଂଟା ପରେ ରିସେପସନ ଆରମ୍ଭ କରିଦେବା।ସମୟ ବହୁତ୍ କମ୍ ଅଛି…"ବାପା କହୁଥିଲେ।


"ହୁଁ...ପ୍ରାୟ ସବୁ ସରିଛି।ପୂଜା ପାଇଁ ଯୋଗାଡ଼ ହୋଇ ଯାଇଛି।ବାକି ପାର୍ଟି ପାଇଁ ପିଲାମାନେ ସବୁ ଆଗୁଆ ଯୋଗାଡ଼ ସାରିଛନ୍ତି।ତମେ ବାହାଘର କାମ ଭଲରେ ସାରି ଦେଇ ଆସିଗଲା ପରେ ଆମର ବଳକା କାମ ସବୁ ଦେଖିବ ହେଲା?"ମା କହିଲେ ଆଉ ଅନିତା ଭାଉଜଙ୍କୁ ଦହିଗୁଡ ଦେଇ ଅନୁରାଗ ପାଖକୁ ଯିବାକୁ କହି ଅନ୍ୟ ରୁମକୁ ଚାଲିଗଲେ।ପୁଅ ବରବେଶରେ ବାହାରିଲା ବେଳେ କୁଆଡେ ମା ଦେଖନ୍ତି ନାହିଁ…ବରଯାତ୍ରୀ ବାହାରିଲା ବେଳେ ରୀମା ଜବରଦସ୍ତି ଅନୁରାଗର ଫୋନ୍ ସ୍ୱିଚ ଅଫ କରି ରଖିଦେଲା।ଅନୁରାଗ କେତେ ବ୍ୟସ୍ତ ହେଲା କାରଣ ସେ ଜାଣେ ସତିଶ ତାକୁ ଫୋନ କରିବ କିନ୍ତୁ ରୀମା ସହିତ ବାକି ସମସ୍ତେ ମଧ୍ୟ ସେଇ ଏକା କଥା କହିବାରୁ ସେ ଆଉ କିଛି କରି ପାରିଲାନି…।


ସବୁ କାମ ତା ସମୟରେ ଆଗେଇ ଚାଲିଥିଲା।ବାପା ସମୟର ମୂଲ୍ୟ ଠିକ୍ ବୁଝିଥିଲେ।ଆଉ ସେଇଥି ପାଇଁ ଗୋଟିଏ ଦିନରେ ବାହାଘର ସହିତ ରିସେପସନ ପାର୍ଟି ମଧ୍ୟ ରଖିଥିଲେ।ବନ୍ଧୁବାନ୍ଧବଙ୍କୁ ମଧ୍ୟ ସୁବିଧା।ଅଲଗା ଅଲଗା ପାର୍ଟି ହେଲେ କିଏ କେତେଦିନ ଛୁଟି ନେଇ ଆସି ରହି ପାରିବେ ।


ଏତେ ଖୁସି ଭିତରେ କିନ୍ତୁ ଅନୁରାଗର ମନ କେଉଁଠି ବି ଲାଗୁ ନ ଥାଏ...ରିପୋର୍ଟ ବିଷୟ ଜାଣିବା ଆଗରୁ ବାହା ହେବାକୁ ଯିବାକୁ ବାହାରି ସେ ଠିକ୍ କରୁଛି ନା ନାହିଁ ସେ ବିଷୟରେ ନିଷ୍ପତ୍ତି ନେଇ ପାରୁ ନ ଥାଏ…କେବଳ ଗୋଟିଏ ଭୟ...ଯଦି ତାର ରିପୋର୍ଟ ପଜିଟିଭ ହେଇଥିବ... ହେଲେ...।


ବରଯାତ୍ରୀ ଆଗକୁ ବଢ଼ି ଚାଲିଥିଲେ।ବିବାହ ମଣ୍ଡପ ପାଖେଇ ଆସୁଥିଲା। ଭାଣିଜି,ପିଉସୀ,ଭାଉଜ, ରୀମା ସମସ୍ତେ ନାଚି ନାଚି ଆଗକୁ ଚାଲିଥିଲେ।ଆଉ ଅନିଭାଇ,ବାପା,ଭିଣୋଇ ଏମାନେ ସବୁ ବ୍ୟାଣ୍ଡ ସହିତ ତାଳ ଦେଇ ତା କାର ପାଖେ ପାଖେ ମଣ୍ଡପ ଗେଟ ପାଖରେ ପହଞ୍ଚିବା ମାତ୍ରେ ଅନୁପମାଙ୍କ ଘରଲୋକେ ଆସି ସେମାନଙ୍କୁ ପାଛୋଟି ନେଉଥିଲେ ।


ମନ ଭିତରଟା ଘାଣ୍ଟି ଗୋଳେଇ ହେଇ ଯାଉଥିଲା। ଅନୁପମାଙ୍କ ବାପା ଆସି କାର୍ ଭିତରୁ ଅନୁରାଗର ହାତ ଧରି ତାକୁ ଓହ୍ଲେଇ ବରଣ କରିବାକୁ ଆଗେଇ ଆସିଲେ ।


ତାଙ୍କ ବିଶ୍ଵାସଭରା ଆଖିକୁ ଭଲ ରୂପେ ଥରେ ଦେଖିଲା ଅନୁରାଗ।ନିଜ ଅଲିଅଳ ଝିଅକୁ ତା ହାତକୁ କେତେ ଆଶାରେ ଟେକି ଦେଉଛନ୍ତି ସେ...ଜୀବନ ସାରା ପାଇଁ । ଅନୁରାଗ ତାଙ୍କ ବଢ଼ି ଆସିଥିବା ହାତକୁ ଧରିବା ପରିବର୍ତ୍ତେ ହଠାତ୍ ନିଜ ଦୁଇହାତ ଯୋଡ଼ି ତାଙ୍କୁ କ୍ଷମା ମାଗିଲା।ଏସବୁ ଦେଖି ବ୍ୟାଣ୍ଡ ବାଜା,ସାହାନାଇ ସବୁ ଅଚାନକ ବନ୍ଦ୍ ହୋଇଗଲା। ନାଚୁଥିବା ବରଯାତ୍ରୀ ଚୁପ୍ ଠିଆ ହୋଇଗଲେ...ଆଉ ବାପା, ଅନିଭାଇ କିଛି ବୁଝି ନ ପାରି ଅନୁରାଗ ପାଖକୁ ଚାଲି ଆସିଲେ ।


ନିଜର ସବୁ ସାହସ ଏକତ୍ରିତ କରି ଅନୁରାଗ ଗୋଟିଏ ନିଃଶ୍ୱାସରେ ସବୁ କଥା କହିଗଲା...ଅନୁପ କଥା, ଲୈଲା କଥା, ଏଡ଼ସ କଥା,ଗୋଟିଏ ରେଜର୍ ଆଉ ଅନ୍ୟାନ୍ୟ ଜିନିଷ ବ୍ୟବହାର କରିବା କଥା,ସନ୍ଦେହ ପାଇଁ ତାର ବ୍ଲଡ଼ଟେଷ୍ଟ କଥା ,ଘରେ କାହାକୁ ନ ଜଣେଇବା କଥା ଆଉ ଏଯାଏଁ ସତିଶର କୌଣସି ଖବର ନ ଆସିବା କଥା ସବୁ…ସବୁ କଥା ଗୋଟି ଗୋଟି କରି କହିଗଲା ।


"ଏଥର ଆପଣ ହିଁ କୁହନ୍ତୁ...ମୁଁ କଣ କରିବି?ରିପୋର୍ଟ ଆସିବା ଆଗରୁ ବାହାହେବା ଉଚିତ୍ ନୁହେଁ ବୋଲି ମୁଁ ଭାବୁଛି…!!"ଅନୁରାଗ ସେମିତି କାରରେ ବସି ଏକଥା କହିବା ପରେ ଦୁଇ ସମ୍ଭାବ୍ୟ ସମୁଦୀ ପରସ୍ପରକୁ ଆଶ୍ଚର୍ଯ୍ୟ ହୋଇ ନିର୍ବାକ ଚାହିଁ ରହିଥିଲେ।ଏପରି ଏକ ଅସ୍ବଭାବିକ ପରିସ୍ଥିତିରେ କିଏ ବା କଣ ଆଉ କହି ପାରନ୍ତା ।


ସ୍ତବ୍ଧ ଶୁନଶାନ୍ ବାତାବରଣ ଭିତରେ ହଠାତ୍ ଶୁଣା ଗଲା…"ଅନୁ..ଅନୁ.."...ସତିଶ ହାତରେ କିଛି ପେପର ନେଇ ଦୌଡ଼ି ଆସୁଥିଲା ଅନୁରାଗ ଆଡେ…"ତୁ ଫୋନ୍ ସ୍ଵିଚ ଅଫ କରି ରଖିଛୁ କାହିଁକି?"


"ସତିଶ...ସବୁକଥା ମୁଁ ସମସ୍ତଙ୍କୁ କହି ଦେଇଛି।ତୁ ରିପୋର୍ଟ ଆଣିଛୁ??"ବ୍ୟସ୍ତ ବିବ୍ରତ ହୋଇ ପଚାରିଲା ଅନୁରାଗ ।


"ଓଃ ଗଡ.. ଇଟସ୍ ନେଗେଟିଭ ୟାର..ଆମେ ବଞ୍ଚିଗଲେରେ ଭାଇ..ୱି ଆର୍ ସେଫ୍…!"କହି ହସି ହସି ସତିଶ କୁଣ୍ଢେଇ ପକେଇଲା ଅନୁରାଗକୁ ।


ଅଳ୍ପ ହସି ଆଖି ପୋଛି ଅନୁପମାଙ୍କ ବାପା କହିଲେ…"ତୁମ ପରି ଜଣେ ଯୋଗ୍ୟ,ନିର୍ଭୀକ, ସ୍ପଷ୍ଟବାଦୀ ହୃଦୟବାନ ମଣିଷ ପରି ମଣିଷଟିଏ ମୋ ଝିଅ ପାଇଁ ପାଇ ମୁଁ ଗର୍ବିତ ବାପା... ଆସ...ତୁମକୁ ବରଣ କରି ମୁଁ ସତରେ କୃତାର୍ଥ ହେବି…! "ଆଉ ତାଙ୍କ ହାତଟିକୁ ପୁଣି ବଢେଇ ଦେଲେ ଅନୁରାଗ ଆଡେ..! ବାପା ତା କାନ୍ଧ ଉପରେ ହାତ ରଖି ସମ୍ମତି ଦେଲେ ଆଉ ଅଳ୍ପ ହସି ଅନୁରାଗ ମଧ୍ୟ ନିଜ ହାତକୁ ବଢ଼େଇ ଦେଲା... ସାରା ଜୀବନର ଏକ ବନ୍ଧନରେ ବାନ୍ଧି ହେବା ପାଇଁ...ମନ ଖୁସିରେ...ଶାନ୍ତିରେ...ଅପୂର୍ବ ତୃପ୍ତିରେ…!


ବ୍ୟାଣ୍ଡ ପୁଣି ବାଜି ଉଠିଲା...ଶଙ୍ଖ ହୁଳହୁଳି ଶବ୍ଦରେ ଚତୁର୍ଦ୍ଦିଗ କମ୍ପି ଉଠିଲା... ସାହାନାଇ ସ୍ଵର ସହିତ ନାଚୁଥିବା ବରଯାତ୍ରୀ ଖୁସିରେ ପରସ୍ପରକୁ କୁଣ୍ଢେଇ ପକାଉଥିଲେ...ଆଉ ବାଟ ବରଣ ପରେ ଅନୁରାଗ ନିଜ ଭାବୀ ଶ୍ବଶୁରଙ୍କ ହାତ ଧରି ଧୀରେ ଧୀରେ ଆଗେଇ ଚାଲିଥିଲା ବିବାହ ମଣ୍ଡପ ଆଡେ…!


"ଗୋଟିଏ କଥା କହିଲ...ଯଦି ତୁମ ରିପୋର୍ଟ ପଜିଟିଭ ହେଇଥାନ୍ତା ହେଲେ ତୁମେ କଣ ଫେରି ଯାଇଥାନ୍ତ ବରଯାତ୍ରୀ ସହିତ…! "ଅନୁରାଗର ଡାଇରୀରୁ ଏସବୁ ପଢ଼ି ସଦ୍ୟ ବିବାହିତା ଅନୁପମା ପ୍ରଶ୍ନ କଲେ।


"ଜାଣିନି ଅନୁ...କିନ୍ତୁ ସେଇଟା ହିଁ ଠିକ୍ ହୁଅନ୍ତା।ଏମିତି କିଲର୍ ବେମାରୀର ଭୁତାଣୁ ଥିବା ଲୋକଟିଏ କଣ ନୂଆ ଜୀବନଟେ ଆରମ୍ଭ କରି ପାରନ୍ତା..??ବିବାହ କରିବା ପାଇଁ ସେ କଣ ଯୋଗ୍ୟ କି…! "କହିଲା ଅନୁରାଗ।


"ସେ ଯାହା ବି ହେଉ। ତୁମର ମଣିଷପଣିଆର ଏହି ରିପୋର୍ଟ କିନ୍ତୁ ମୋତେ ତୁମ ସ୍ତ୍ରୀ ହେବାର ଗର୍ବ କରିବାକୁ ପ୍ରେରଣା ଯୋଗାଉଛି। "କହି ଅନୁରାଗ ହାତକୁ ଅନୁପମା ସ୍ନେହରେ ଧୀର ଚାପଟେ ଦେଲା।


ଏଇ ସମୟରେ ହଠାତ୍ ଅନୁପମାର ଫୋନ୍ ବାଜି ଉଠିଲା।


"ହ୍ୟାଲୋ ...କହିଲା ଅନୁପମା…"ସେପଟୁ ତା ରୁମ୍ ମେଟ୍ ଶୀଲା ଫୋନ୍ କରିଥିଲା। ଏଇ ଦୁଇବର୍ଷ ହେବ ସେମାନେ ଲେଡିଜ୍ ହଷ୍ଟେଲରେ ରହି ପଢ଼ାପଢ଼ି କରୁଥିଲେ। ତା ବାହାଘରକୁ ସେ ଆସି ପାରି ନ ଥିଲା। କାରଣଟା ଅନୁପମା ଜାଣି ନ ଥିଲା।


"ଅନୁରେ...ତୋ ବାହାଘରକୁ ଆସି ପାରିଲିନି।ତୋର ଶୁଭ କାମ ଥିଲା ବୋଲି ତୋତେ ଗୋଟିଏ ଅଶୁଭ ଖବର ଦେଇନି।ସେଇଥିପାଇଁ ହିଁ ମୁଁ ବ୍ୟସ୍ତ ଥିଲି।ଆମ ହଷ୍ଟେଲର ରୁମ ପାର୍ଟନର ...ମିତା ଅପା…"କହି ଚୁପ୍ ହେଇଗଲା ଶିଲା।


"ହଁ ମ ଆମ ସିନିୟର୍।କଣ ହେଲା ତାଙ୍କର??ମୁଁ ଲାଷ୍ଟ ୱିକ ବାହାଘର ପାଇଁ ରୁମ ଛାଡ଼ି ଆସିଲା ବେଳେ ତାଙ୍କୁ ଜ୍ଵର ହୋଇଥିଲା।ଆଉ ତୁ କହୁଥିଲୁ ସେ ସୁସ୍ଥ ହୋଇଗଲେ ତମେ ଦୁଇଜଣ ସାଙ୍ଗ ହୋଇ ବାହାଘରକୁ ଆସିବ... ଆଛା ସେ ଏବେ କେମିତି ଅଛନ୍ତି?ତାଙ୍କ ଦେହ କଣ ସୁସ୍ଥ ହୋଇନି…? "ପଚାରିଲା ଅନୁପମା…!


"ସେ ସବୁଦିନ ପାଇଁ ଚାଲିଗଲେରେ।ତାଙ୍କୁ ଏଡ଼ସ ହୋଇ ଯାଇଥିଲା।ସେ ଦୁଇ ମାସ ହେବ ଚାକିରୀ ପାଇବା ପରେ ତାଙ୍କର ଇମିଡ଼ିଏଟ୍ ବସ୍ ଘରକୁ ଯିବା ଆସିବା କରୁଥିଲେ।ନୂଆ ଚାକିରୀର ଡିମାଣ୍ଡ ବୋଲି ଏମିତି କରୁଛନ୍ତି ବୋଲି ଆମେ ଭାବୁଥିଲେ ନା..! ହେଲେ ସେମାନଙ୍କ ସଂପର୍କ ଏତେ ନିବିଡ ହୋଇ ଯାଇଥିଲା କିଏ ଜାଣିଥିଲା କହିଲୁ...ଆଉ ଶେଷରେ…"ଶିଲାର ସ୍ଵର କାନ୍ଦୁରା ଶୁଣା ଯାଉଥିଲା ।


"ଓଃ ମାଇ ଗଡ...ଆମେ ତ କିଛି ବି ଜାଣି ପାରିଲେନି ରେ…! ମିତା ଅପା..! ହେ ଭଗବାନ…! "ଅନୁପମା କଣ କହିବ ବୁଝି ପାରୁ ନ ଥାଏ।


"କିନ୍ତୁ ଗୋଟିଏ ପ୍ରୋବଲେମ୍ ହେଇଛି ଅନୁ...ମିତା ଅପା ଆଉ ଆମେ ସବୁ ପ୍ରତି ମାସରେ ଗୋଟିଏ ଦିନରେ ସାଙ୍ଗ ହୋଇ ଗୋଟିଏ ସିଜର ଆଉ ଗୋଟିଏ ପାନିଆ ବ୍ୟବହାର କରି ପରସ୍ପରର ଚୁଟି ଟ୍ରିମ୍ କରୁଥିଲେ ନା…!କିଏ ଜାଣେ ଆମ ଦେହରେ ବି ସଂକ୍ରମଣ ହେଇଥିବ କି ନାହିଁ..??କଣ କହୁଛୁ...ଆମର ବ୍ଲଡ଼ ଟେଷ୍ଟ କରେଇ ନେବା..?"ଶିିଲା ବିକଳ ହୋଇ ପଚାରୁଥିଲା।


ଛଳଛଳ ଆଖିରେ ଫୋନ ଧରି ଅନୁପମା ଆଁ କରି ଅନୁରାଗ ଆଡେ ଦେଖୁଥିଲା...ଆଉ ଅନୁରାଗ ତା ଆଡେ ମୁଗ୍ଧ ହୋଇ ରୋମାଣ୍ଟିକ ନଜରରେ ଅପଲକ ଅନେଇ ରହିଥିଲା…।



Rate this content
Log in

Similar oriya story from Drama