ରହସ୍ୟ
ରହସ୍ୟ


ପୋଲିସ ତାର ତନାଘନା ଚଳେଇ ସାରିଥିଲା, ୨୦ ଦିନ ହେଇଯିବ । ପ୍ରଶିକ୍ଷିତ କୁକୁର ବି ଘରଠୁ ବାଡି ବାଡି ଠୁଁ ଅଗଣା ସବୁଆଡେ଼ ଶୁଙ୍ଘି ଖେଦି ସାରିଲାଣି ହେଲେ ଏ ପର୍ଯ୍ୟନ୍ତ କିଛି ବି ସୁରାକ ମିଳିନି ।
ଦେବଦତ୍ତ ଘୋର ଚିନ୍ତିତ ବ୍ୟତିବ୍ୟସ୍ତ । ସକାଳୁ ଶୋଇକି ଉଠୁ ଉଠୁ ଶୋଇବା ଘର ଚଟାଣ ରକ୍ତରେ ଜୁଡୁବୁଡୁ । ଟିକେ ନୁହେଁ କି ଅଧେ ନୁହେଁ ପାଖା ପାଖି ଗୋଟେ ଲିଟର ଭଳି ରକ୍ତ ଚଟାଣରେ , ନା ତାଙ୍କର ନା ସ୍ତ୍ରୀ ନା ପୁଅର ନା କାମକୁ ଆସୁଥିବା କାମବାଲୀର କାହାର ବି ସାମାନ୍ୟତମ କ୍ଷତଟିଏ ବି ହୋଇନି , ଏମିତି କି ଘରେ ଥିବା ପୋଷା ବିଲେଇର ମଧ୍ୟ । ତେବେ ଚଟାଣ ସାରା ଏ ରକ୍ତ ! କାହାର ହୋଇପାରେ ? କିଛି କଳା ଯାଦୁ ତନ୍ତ୍ର ମନ୍ତ୍ର କିଏ କରିଛି କି ?
ଦେବଦତ୍ତ ଘୋର ବାସ୍ତବବାଦୀ କର୍ମ ବିଶ୍ବାସୀ ହୋଇଥିଲେ ମଧ୍ୟ ପ୍ରଥମଥର ପାଇଁ ସେ ଶୁଣି ଥିବା ତନ୍ତ୍ର ମନ୍ତ୍ର ଗୁଣି ଗାରେଡ଼ି ଉପରେ ବିଶ୍ବାସ କରିବାକୁ ବାଧ୍ୟ ହେଲେ ।
ଅନ୍ୟ କୋଉ ଗରିବ ଶ୍ରେଣୀର ଘର ହୋଇଥିଲେ ରକ୍ତ ପୋଛା ହୋଇ ସେ ଯାଗାରେ ଦଶ ବାର ଥର ଖାଇବା ସରି ସାରନ୍ତାଣି । ହେଲେ ଦେବଦତ୍ତ ବିଶିଷ୍ଟ ଶିଳ୍ପପତି । ବାହାରକୁ ଗୋଡ଼ କାଢିଲେ ତାଙ୍କ ଖାତିରି ମର୍ଯ୍ୟାଦା ବହୁତ ଅଧିକ । ତାଙ୍କ ଗୁଣ ଗାରିମାର ପ୍ରଶଂସକ ଯେତିକି ସେଥିରେ କ୍ଷୁଣ ବାହାର କରି ନିନ୍ଦୁକଙ୍କ ସଂଖ୍ୟା ବି କିଛି କମ୍ ନୁହେଁ ।
ସେହି ନିନ୍ଦୁକ ମାନଙ୍କ ଭିତରେ ତାଙ୍କୁ କେହି ତଳକୁ ଖସାଇବାକୁ ଏମିତି କିଛି ତନ୍ତ୍ର ମନ୍ତ୍ର କରି ଚକ୍ରାନ୍ତ ଚଳାଇ ନାହିଁତ ? ମନରେ ଅନେକ ପ୍ରଶ୍ନ ଅନେକ ଦ୍ବନ୍ଦର ଉର୍ଦ୍ଧ୍ବକୁ ଯାଇ କିଛି ସ୍ଥିର ନିଶ୍ଚିତ ହୋଇ ପାରୁନଥିବା ବେଳେ ବନ୍ଧୁ ନବଲୋକର ପରାମର୍ଶ କ୍ରମେ ପ୍ରସିଦ୍ଧ ଚଣ୍ଡି ସାଧକ ମାୟାବଂଶୀଙ୍କ ସହ ସାକ୍ଷାତ ପରେ ସେ ଏକ ତନ୍ତ୍ର ମନ୍ତ୍ର ପୂଜା ପାଠର ଆୟୋଜନ କଲେ । ମାୟାବଂଶୀଙ୍କ ପୂଜା ପାଠରେ ନୀୟମ ଅତି କଡ଼ା ତାଙ୍କ କଥାର ଗୋଟିଏ ଶବ୍ଦ ବି ଏପଟ ସେପଟ ହେବନି କାର୍ଯ୍ୟ ତ ଦୂରର କଥା ।
ଡାହାଣ ହାତରେ ଧରିବା ବଦଳରେ ଭୁଲରେ ବି ବାମ ହାତ ବାଜିଗଲା । ଧଳା ବସ୍ତ୍ରରେ ଯଦି ଛୋଟ କଳା ଦାଗଟେ ବି ରହିଗଲା ଗଲା ପୁଣି ପ୍ରଥମରୁ ଆଉ ଥରେ ଆରମ୍ଭ ହେବ ପୂଜା ବିଧି । ସେ ଘୋର କ୍ରୋଧୀ ଲୋକଟେ ବୋଲି ଛୋଟ ତୃଟିକୁ ବି ସେ ବରଦାସ୍ତ କରି ପାରିନ୍ତିନି । ସାମାନ୍ୟତମ ତୃଟି ଦେଖିଲେ ବି ସେ ଭଙ୍ଗା ଫୋପଡା କରି ସବୁ ସର୍ବନାଶ କରି ପକାନ୍ତି ପାଖରେ ଥିବା ଜିନିଷ ଗୁଡ଼ିକ ।
ସେଥିପାଇଁ ବହୁତ ସତର୍କତାର ସହ ଧ୍ୟାନ ଦେଇ କାମ କରିବାକୁ ଆଗରୁ ସାବଧାନ କରି ଦେଇଥିଲେ ବନ୍ଧୁ ନବଲୋକ । କିଛି ବି ତୃଟି କରିବାକୁ ଦେଇନଥିଲେ ଦେବଦତ୍ତ ।
ଶେଷରେ ଶିଡି ଘର ତଳେ ରାତି ବାରରୁ ରାତି ତିନି ଯାଏଁ ତନ୍ତ୍ର ପାଠ ଚାଲିଲା ।
ଶେଷକୁ ମାୟାବଂଶୀ ଯାହା କହିଲେ ଦେବଦତ୍ତ ଶୁଣି ଏକବାର ହତବାକ ହୋଇଗଲେ ।
ମାୟାବଂଶୀ କହିଲେ -" ଏ ଜାଗାରେ ବହୁତ ବର୍ଷ ତଳେ ସ୍ବାମୀ ତା ସ୍ତ୍ରୀ କୁ ଆଉ ତା ଛୁଆ କୁ ଅତି ନୃଶଂସ ଭାବେ ପନିକିରେ ହାଣି ହତ୍ୟା କରିଥିଲା । ସେଇ ଅତୃପ୍ତ ଆତ୍ମା ଏବେ ବି ଅଶାନ୍ତ ଅଛି । କାହାର ନା କାହାର ଗୋଟେ ମୁଣ୍ଡ ନେବ ସାବଧାନ । "
ଦେବଦତ୍ତଙ୍କ ମୁହଁ ବିକଳ ଦିଶିଲା । ନବଲୋକକୁ ସଫା ସଫା କହିଦେଲେ - "ଯାହା କରିବା କଥା କର ଟଙ୍କା ଖର୍ଚ୍ଚ ପ୍ରତି ଭୟ କରନା କିନ୍ତୁ ସେଥିରୁ ମୁଁ ମୁକ୍ତି ଚାହେଁ । "
ପୁଣି ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଲା ଆଉ ଏକ ବଡ ତନ୍ତ୍ର ପାଠ ହେଲା ୧୦ ରାତି କାଳ । ଯାହା ମାୟାବଂଶୀ କହିଲେ ସବୁ ଯୋଗାଡି ଦେଲେ ଦେବଦତ୍ତ । ମୂଲ୍ୟବାନରୁ ଅତି ମୂଲ୍ୟବାନ ଜିନିଷ ସଂଗ୍ରହ କରି । ସାଧକ ମାୟାବଂଶୀ କରୁଥିବା ସାମଗ୍ରୀ ଆଣିବା ଏତେ ସହଜ ନଥିଲା । ତା ଭିତରେ ଗୋଟିଏ ଜିନିଷର ନାଁ ଶୁଣି ଘାବରେଇ ଗଲେ ଦେବଦତ୍ତ ।
ଜିଅନ୍ତା ବାଘର ଦାନ୍ତ !
ଗୋଟେ ମାସ ଲାଗିଗଲା ବାଘ ଦାନ୍ତ ସଂଗ୍ରହ କରିବା ପାଇଁ । କେତେ କାହାକୁ ହାତ କରି ଲୁଚା ଛପାରେ କେତେ ଯେ ପଇସା ପାଣି ଭଳି ପଳେଇଲା ସେଇ ଦାନ୍ତ ପାଇଁ ପ୍ରାୟ ଦୁଇ ଲକ୍ଷରୁ ଉର୍ଦ୍ଧ୍ବ ।
ଶେଷକୁ ଘୋର ସାଧନାରେ ଚାରିଦିନ କାଳ ବସି ଅନ୍ନ ଜଳ ସ୍ପର୍ଶ ନକରି ତନ୍ତ୍ର ପାଠ ଚାଲିଲା ପରେ ମାୟାବଂଶୀ ଉତ୍ତର ଦେଲେ ' ସବୁ ପ୍ରକାର ଚେଷ୍ଟା ବିଫଳ ହେଲା ।
ଦଶଟା କୁକୁଡ଼ା ୪ ଟି ଛେଳିକୁ ବଳି ଦେବା ପରେ ବି ସେ ଅଶାନ୍ତ ଆତ୍ମା ଶିଶୁ ମୁଣ୍ଡ ଚାହେଁ ମଣିଷ ରକ୍ତ ଚାହେଁ । ତା ବ୍ୟତୀତ ଆଉ କିଛି ଉପାୟ ନାହିଁ ତାଠୁ ମୁକ୍ତି ପାଇଁ ।
ଦେବଦତ୍ତଙ୍କ ଆଖି ସାମ୍ନାଟା ଅନ୍ଧାର ଦିଶିଲା ।
ଶିଶୁ ବଳି ? ମଣିଷ ରକ୍ତ !
ଆଖି ସାମ୍ନାରେ ତାଙ୍କ ପୁଅ ପୁପୁନର ରକ୍ତ ଉଡୁବୁଡୁ ଶରୀର ଭାସି ଆସିଲା ।
ମାୟାବଂଶୀ ସାବଧାନ କରେଇ ଦେଲେ ସମୟ ବହୁତ କମ୍ , ଚାରିଦିନ ଭିତରରେ ବଳି ପାଇଁ ଛୋଟ ଛୁଆଟେ ଯୋଗାଡ଼ ହେବ ଯେମିତି ହେଲେ , ନହେଲେ ଅନର୍ଥ ।
ଆଉ କିଛି ଅଧିକ ଚିନ୍ତା କରି ପାରିଲେନି ଦେବଦତ୍ତ । କ'ଣ କରିବେ କ'ଣ ନକରିବେ କିଛି ବୁଝିବା ପୂର୍ବରୁ କାମବାଲୀର ଚତୁର୍ଥ ଶ୍ରେଣୀରେ ପଢୁଥିବା ପୁଅଟି ନଜରକୁ ଆସିଗଲା ହଠାତ୍ । ଦୁଇଦିନ ପରେ ତାକୁ ଉଠେଇ ଆଣିଲେ ସ୍କୁଲରୁ ଫେରିବା ବାଟରେ ।
ଦିନ ଧାର୍ଯ୍ୟ କରାଗଲା । ଛୁଆଟିକୁ ହଳଦୀ ପାଣିରେ ଗାଧୋଇ ଲଣ୍ଡା କରାଗଲା ପାଟିରେ କପଡା ବିଣ୍ଡା ଜୋର ଜବରଦସ୍ତ ଭର୍ତ୍ତି କରି ଦିଆଗଲା ସଂପୂର୍ଣ୍ଣ ଉଲଗ୍ନ ଅବସ୍ଥାରେ ରାତି ଗୋଟାଏ ତିରିଶରେ ଏକ ଧାରୁଆ ଅସ୍ତ୍ରରେ ମାୟାବଂଶୀ ସେ ଛୁଆଟିର ଗଳାକୁ କାଟିଦେଲେ ।
ଛଟପଟ ହେଉଥିବା ପାଦ ଯୋଡିକ ଧିରେ ଧିରେ ସ୍ଥିର ହୋଇଗଲା ।
ମାୟାବଂଶୀ ଉତ୍ତର ଦେଲେ -" ଏବେ ଚିନ୍ତାର କୈାଣସି କାରଣ ନାହିଁ । ସେ ଆତ୍ମା ଏବେ ଶାନ୍ତ ହୋଇଗଲା ।
କିନ୍ତୁ .....?
ମାୟାବଂଶୀଙ୍କର ବଡ ବଡ ଆଖି ଦୁଇଟା ପୁଅ ପୁପୁନ୍ ଠାରେ ଅଟକି ଗଲା ।
ଦେବଦତ୍ତ ଭୟ କରିଗଲେ । ପୁଅକୁ ପାଖକୁ ଭିଡିଆଣି ଜାବୁଡ଼ି ଧରିଲେ ।
ହଠାତ୍ ପଛରୁ କାମବାଲୀ ଚିଲେଇଲା - " ବାବୁ , ମୋ ପୁଅ !?"
ଦେବଦତ୍ତ ଆଶ୍ଚର୍ଯ୍ୟ ହୋଇଗଲେ । କବାଟ ତ ବାହାର ପଟୁ ତାଲା ଦିଆ ଯାଇଛି ଭିତରପଟୁ ବି ଛିଟିକିଣି ପଡ଼ିଛି ଏ କାମବାଲୀ ଭିତରକୁ ଆସିଲା କେମିତି ?
ଏଥର କବାଟ ବାଡ଼େଇବାର ଶବ୍ଦ ସହିତ ପୁଣି ଶୁଭିଲା - " ବାବୁ ମୋ ପୁଅ , ବାବୁ ମୋ ପୁଅ "
ନାଇଁ ଭିତରୁ ନୁହେଁ କାମବାଲୀ ବାହାର ପଟୁ ହିଁ ଡାକୁଥିଲା ଜୋର୍ ଆବାଜ୍ ରେ , କିନ୍ତୁ ସେ ଜାଣିଲା କେମିତି ଆମେମାନେ ସବୁ ଭିତରେ ଅଛୁ ବୋଲି ? ବିନା କିଛି ସୋର୍ ଶବ୍ଦ ରେ ମଧ୍ୟ ।
ଏ ଏକ ବଡ଼ ପ୍ରଶ୍ନ ।
ଦେବଦତ୍ତ ନବଲୋକ ପରସ୍ପର ମୁହଁକୁ ଚାହାଁ ଚାହିଁ ହେଲେ । ଦେବଦତ୍ତ କବାଟ ଖୋଲିବେ କି ନ ଖୋଲିବେ ଏତକ ଭାବି ଆଗେଇ ଯାଉ ଯାଉ ଚଟାଣରେ ବୋହି ଆସିଥିବା ଶିଶୁଟିର ରକ୍ତରେ ଗୋଡ଼ ଖସି ତଳେ ପଡି ଯାଇ ମୁଣ୍ଡ ମାଡ଼ ହୋଇଗଲା , ସେ ବେହୋସ୍ ହେବା ଅବସ୍ଥାରେ ।
ମୁଣ୍ଡକୁ ଚାପି ଧରି ଉଠିବାକୁ ଚେଷ୍ଟା କଲେ ଦେବଦତ୍ତ ।
ଆଖି ଖୋଲିଲେ ଧିରେ ଧିରେ , ଆଖି ସାମ୍ନାରେ ଛାତ ପଙ୍ଖା ହିଁ ଥିଲା କେବଳ । ସେ ଶୋଇଥିଲେ ବିଛଣାରେ ।
ସମୟ ଦେଖିଲେ ଭୋର୍ ୫ଟା ବାଜି ୪ ମିନିଟ୍ । ଦେହ ହାତ ଝାଳେଇ ଯାଇ ବଢ଼ି ଯାଇଥିବା ହୃଦସ୍ପନ୍ଦନ ଏବେ ଜାଣି ସ୍ବାଭାବିକ ହେଲା ।
ଆଜି ପର୍ଯ୍ୟନ୍ତ ଏମିତିକା ଭୟାନକ ସ୍ବପ୍ନ ସେ କେବେ ବି ଦେଖି ନଥିଲେ । ଗୋଟେ ଦୀର୍ଘ ଶ୍ବାସ ଭିତରକୁ ନେଇ ପୁଣି ବାହାରକୁ ବାହାର କଲେ । ସେ ନିଜକୁ ସଂପୂର୍ଣ୍ଣ ହାଲକା ଅନୁଭବ କରୁଥିଲେ ଏବେ ।
କବାଟ ଖୋଲି ବେସିନ ପାଖକୁ ଗଲେ ହାତ ଧୋଇବା ପାଇଁ , ଲାଇଟ୍ ଜଳେଇ ଦେଇ ହଠାତ୍ ବୁଲି ପଡିଛନ୍ତି ତ ଚମକି ପଡ଼ିଲେ ସେ ।
ଚଟାଣ ସାରା ରକ୍ତ ଜୁଡୁବୁଡୁ । ଟିକେ ନୁହେଁ କି ଅଧେ ନୁହେଁ ପ୍ରାୟ ଗୋଟେ ଲିଟର ପାଖାପାଖି ।
କବାଟ ବାଡେଇ ଘରର ସମସ୍ତ ସଦସ୍ୟଙ୍କୁ ଡାକିଲେ ଗୋଟି ଗୋଟି କରି , ତନ୍ନ ତନ୍ନ କରି ସବୁଆଡେ ଦେଖିଲେ କାହାର ଜଣକର ଟିକିଏ ବି କ୍ଷତ ହୋଇନଥିଲା ।
ଏମିତି କି ଘରକୁ ଆସୁଥିବା କାମବାଲୀର ନା ପୋଷା ବିଲେଇର କାହାର ବି ନୁହେଁ ।
ତେବେ ଏ ରକ୍ତ କାହାର ! ?