Gangadhar Nanda

Abstract Drama Classics fantasy

3  

Gangadhar Nanda

Abstract Drama Classics fantasy

ରାଣୀ ଓ ଘୋଡ଼ାବେପାରୀ କାହାଣୀଭାଗ-୧

ରାଣୀ ଓ ଘୋଡ଼ାବେପାରୀ କାହାଣୀଭାଗ-୧

2 mins
12K



          ରାଜାଙ୍କୁ ହତ୍ୟା କରିବା ପାଇଁ ଆଦେଶ ଦେଇଥିଲେ ସ୍ୱୟଂ ମହାରାଣୀ ମନ୍ଦାକିନୀ ଦେବୀ । ତତ୍‌କ୍ଷଣାତ କୋଷମୁକ୍ତ ଖଡ୍‌ଗ ଉନ୍ମୁକ୍ତ କରି ରାଜାଙ୍କ ନିକଟକୁ ଝପଟି ଆସିଲେ ଚାରିଜଣ ସୈନିକ । ଆଉ ସାମାନ୍ୟ ବିଳମ୍ବ ହୋଇଥିଲେ , ରାଜା ରୁଦ୍ରସେନଙ୍କର ଶିର ହୋଇଥାନ୍ତା ଧରାଶାୟୀ ; କିନ୍ତୁ ତା ପୂର୍ବରୁ ସେନାପତି ରାଜାଙ୍କ ନିକଟରେ ପହଞ୍ଚି ସାରିଥିଲେ ।

   

         ଚନ୍ଦ୍ରାଲୋକର କିରଣରେ ଚିକ୍ ଚିକ୍ କରୁଥିଲା ସେନାପତିଙ୍କ ହସ୍ତରେ ଥିବା ବୃହତ ରକ୍ତପିପାସୁ ତରବାରୀ । ଏଥିସହିତ ନିଜ ରାଜ୍ୟ ଓ ରାଜାଙ୍କର ଜୀବନ ରକ୍ଷା ଲାଗି ସଦା ସଂକଳ୍ପବଦ୍ଧ ଥିବା ସେନାପତି ଛାଡିଲେ ଏକ ଭୟଙ୍କର ରଣହୁଙ୍କାରର ଗର୍ଜ୍ଜନ । ରାଜାଙ୍କୁ ଆକ୍ରମଣ କରିବା ଉଦ୍ଦେଶ୍ୟ ନେଇ ଦଉଡି ଆସୁଥିବା ଚାରିଜଣ ସୈନିକ , ସେନାପତିଙ୍କର ଏ ଭୀଷଣ ରୂପ ଦେଖି ତଟସ୍ଥ ହୋଇ ଠିଆ ହୋଇ ରହିଲେ । ସ୍ୱୟଂ ସେନାପତିଙ୍କୁ ଆକ୍ରମଣ କରିବାର ସାହାସ ଜୁଟାଇବାରେ ସେମାନେ ସମର୍ଥ ହୋଇପାରୁନଥିଲେ । ଏହି ସମୟ ମଧ୍ୟରେ ସେନାପତିଙ୍କ ନିକଟକୁ ଚାଲିଆସିଥିଲେ ଶ୍ୱାନକେତୁ । ଏଥି ସହିତ ସେନାପତିଙ୍କର ରଣହୁଙ୍କାର ଶୁଣି ପୂର୍ବରୁ ପ୍ରସ୍ତୁତ ହୋଇ ଲୁଚି ରହିଥିବା ସୈନ୍ୟମାନେ ଏ ସମସ୍ତଙ୍କୁ ଘେରିଗଲେ । ରାଜାଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟ ନେଇ ଆସିଥିବା ରାଣୀଙ୍କ ସୈନ୍ୟ ଚାରିଜଣ ପଳାୟନ କରିନପାରି ସେଇଠାରେ ମୃତ୍ୟୁବରଣ କଲେ ।


         ଏତେ ଶୀଘ୍ର ଓ କ୍ଷୀପ୍ରଗତୀରେ ଘଟିଯାଇଥିବା ଘଟଣା ଗୁଡିକୁ ବୁଝିବା ପାଇଁ ରାଜାଙ୍କୁ କିଛି ସମୟ ଲାଗିଗଲା । ଏହାପରେ ରାଜାଙ୍କ ନିର୍ଦ୍ଦେଶରେ ରାଣୀ ମନ୍ଦାକିନୀ ଦେବୀ ବନ୍ଦୀ ହେଲେ । ବନ୍ଦୀ ହେବା ସମୟରେ ରାଣୀ ପ୍ରଚଣ୍ଡ କ୍ରୋଧ ଓ ଅବିଶ୍ୱାସ ଭରା ଚକ୍ଷୁରେ ଶ୍ୱାନକେତୁଙ୍କୁ ଦେଖୁଥିଲେ ।

          ମହାରାଜା ସ୍ଵୟଂ ନିଜ କର୍ଣ୍ଣରେ ରାଣୀଙ୍କ ଆଦେଶ ଶୁଣିଥିଲେ । ତେଣୁ ରାଣୀ କରିଥିବା ଷଡ଼ଯନ୍ତ୍ର ବିଷୟରେ ରାଜାଙ୍କୁ କୌଣସି ପ୍ରମାଣ ଦେବାର ଆବଶ୍ୟକତା ନଥିଲା । ସେହି ରାତ୍ରରେ ମହାମନ୍ତ୍ରୀ ସୋମଦେବ ସମସ୍ତ ଘଟଣା ସଂପର୍କରେ ରାଜା ରୁଦ୍ରସେନଙ୍କୁ ଅବଗତ କରାଇଲେ । ଏହାପରେ ରାଣୀଙ୍କ ରହିବା ପାଇଁ ଏକ ସ୍ୱତନ୍ତ୍ର କାରାଗାର ଗୃହର ବ୍ୟବସ୍ଥା କରାଗଲା ।

         ମଧ୍ୟରାତ୍ର ଅତିକ୍ରମ ହୋଇ ବ୍ରାହ୍ମମୂହୁର୍ତ୍ତ ଭୋଗ ହେଉଛି । ସମଗ୍ର ରାଜ୍ୟବାସୀ ସୁଖ ନିଦ୍ରାରେ ନିଦ୍ରିତ । ଆସନ୍ତା ପ୍ରଭାତରେ ଆସିବାକୁ ଥିବା ଏକ ପ୍ରଚଣ୍ଡ ବିପଦ ସଂପର୍କରେ ସମସ୍ତେ ଅଜ୍ଞାତ । ଚନ୍ଦ୍ରପୁରର ରାଜା ପ୍ରତାପ ଦେବ ବିଷ୍ଣପୁର ଆକ୍ରମଣ ଉଦ୍ଦେଶ୍ୟରେ ନିଜର ସୈନ୍ୟ ଅଭିଯାନ ଆରମ୍ଭ କରିସାରିଛନ୍ତି । ଏକ ଅପରାଜେୟ , ଦୁର୍ଦ୍ଦଶ ଓ ବିଶାଳ ସୈନ୍ୟବାହିନୀକୁ ସଙ୍ଗରେ ନେଇ ରାଜା ପ୍ରତାପ ଦେବ , ବିଷ୍ଣପୁର ଅଭିମୁଖେ ମାଡିଚାଲିଛନ୍ତି ; ଏକମାତ୍ର ଉଦ୍ଦେଶ୍ୟ ହେଉଛି , ବିଷ୍ଣୁପୁର ରାଜ୍ୟକୁ ଛାରଖାର କରିବା ସହିତ ରାଜା ରୁଦ୍ରସେନଙ୍କର ସ୍କନ୍ଧମୁକ୍ତ ଶିରଟିକୁ ନେଇ ନିଜ ରାଜ୍ୟକୁ ପ୍ରସ୍ଥାନ କରିବା । ଯୁଦ୍ଧବେଳେ ହତ୍ୟା , ଲୁଣ୍ଠନ ଓ ଅପହରଣ ଇତ୍ୟାଦି ଅତ୍ୟନ୍ତ ସାଧାରଣ କଥା । ପ୍ରତାପ ଦେବଙ୍କର ଅଟଳ ପ୍ରତିଜ୍ଞା, ଆସନ୍ତା କାଲି ସୂର୍ଯ୍ୟାସ୍ତ ବେଳକୁ ବିଷ୍ଣପୁର ରାଜ୍ୟର ଅସ୍ତିତ୍ଵ ନଥିବ .ଏଥି ସହିତ ରୁଦ୍ରସେନଙ୍କର ମୁଣ୍ଡଟି ମଧ୍ୟ ।

          ଯେଉଁ ସମୟରେ ଚନ୍ଦ୍ରପୁରର ବିଶାଳ ସୈନ୍ୟବାହିନୀ ବିଷ୍ଣୁପୁର ରାଜ୍ୟର ନିକଟବର୍ତ୍ତୀ ହେଉଥିଲେ , ସେଇ ସମୟରେ ବିଷ୍ଣୁପୁର ରାଜା ରୁଦ୍ରସେନଙ୍କର ଏକାନ୍ତ ପରାମର୍ଶ ଗୃହରେ ଚାଲିଥିଲା ଏକ ଗୁପ୍ତ ମନ୍ତ୍ରଣା। ଉକ୍ତ ଗୁପ୍ତ ମନ୍ତ୍ରଣାର ଅଂଶଗ୍ରହଣକାରୀମାନେ ହେଲେ ରାଜା ରୁଦ୍ରସେନ , ମନ୍ତ୍ରୀ ସୋମଦେବ , ସେନାପତି ଓ ଅଶ୍ଵ ବ୍ୟାପାରୀ ଶ୍ୱାନକେତୁ । ରାଜାଙ୍କର ପୂର୍ବୋକ୍ତ ବିଶ୍ଵସ୍ତ ଦେହରକ୍ଷୀ ଦୁଇ ଜଣ ପ୍ରକୋଷ୍ଠ ବାହାରେ ଦଣ୍ଡାୟମାନ ଥିଲେ । ଏମାନଙ୍କୁ ଛାଡ଼ିଦେଲେ ଅନ୍ୟ କାହାରୀ ମଧ୍ୟ ଆଗତ ବିପଦ ସଂପର୍କରେ ତିଳେମାତ୍ର ଧାରଣା ନଥିଲା । ଆଲୋଚନାର ବିଷୟବସ୍ତୁ ଥିଲା ପ୍ରଭାତରେ ଆରମ୍ଭ ହେବାକୁ ଥିବା ଯୁଦ୍ଧ ସଂପର୍କିତ ଓ ତତ୍ ସହିତ ଯୁଦ୍ଧରେ ବିଜୟଲାଭ କରିବାଲାଗି ଆବଶ୍ୟକ ହେଉଥିବା ବିଭିନ୍ନ ରଣକୌଶଳର ପ୍ରୟୋଗ ଉପରେ ।

    

କ୍ରମଶଃ.....



Rate this content
Log in

Similar oriya story from Abstract