Gangadhar Nanda

Abstract Romance Classics

3  

Gangadhar Nanda

Abstract Romance Classics

ରାଣୀ ଓ ଘୋଡ଼ାବେପାରୀ କାହାଣୀ ଭାଗ୪

ରାଣୀ ଓ ଘୋଡ଼ାବେପାରୀ କାହାଣୀ ଭାଗ୪

3 mins
12K


ରାଣୀ ଓ ଘୋଡ଼ାବେପାରୀ କାହାଣୀ (ଭାଗ୪)


         ଅଳ୍ପକିଛିଦିନ ଅନ୍ତେ ଦିନେ ମହାରାଜା ରୁଦ୍ରସେନଙ୍କୁ ଦୂତ ଜରିଆରେ ଏକ ସମାଚାର ପ୍ରାପ୍ତ ହେଲା କି ନଗର ଉପକଣ୍ଠରେ ଏକ ଘୋଡା ବେପାରୀ ଆସି ଡେରା ପକାଇଛି । ସାଙ୍ଗରେ ଅଛନ୍ତି ଘୋଡାମାନଙ୍କର ରକ୍ଷଣାବେକ୍ଷଣା ପାଇଁ ନିଯୁକ୍ତ କିଛି ଅନୁଚ଼ର ଓ ଦଳେ ଉନ୍ନତ ପ୍ରଜାତିର ଘୋଡା । ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି , ତଥା ସେନାପତି ଓ ମହାମନ୍ତ୍ରୀଙ୍କ ପରାମର୍ଶ ମାନି ଉକ୍ତ ବେପାରୀଠାରୁ କିଛି ଘୋଡା କ୍ରୟ କରିବା ଲାଗି ମହାରାଜା ସିଦ୍ଧାନ୍ତ ନେଲେ ।

        ଅତଏବ ରାଜନଅରକୁ ଆସି ମହାରାଜାଙ୍କୁ ତୁରନ୍ତ ସାକ୍ଷାତ କରିବାଲାଗି ବେପାରୀ ନିକଟକୁ ସନ୍ଦେଶ ପ୍ରେରଣ କରାଗଲା । ରାଜାଙ୍କ ନିର୍ଦ୍ଦେଶ କ୍ରମେ ପରଦିନ ପ୍ରଭାତରୁ ବେପାରୀଟିକୁ , ସେ ଆଣିଥିବା ଘୋଡାଗୁଡିକର ଦକ୍ଷତା,ପରାକ୍ରମ ଓ ବଶ୍ୟତା ଇତ୍ୟାଦି ପ୍ରଦର୍ଶନ କରିବାକୁ ହେବ । ପରଦିନ ପ୍ରଭାତରୁ ମହାରାଜା , ମହାମନ୍ତ୍ରୀ , ସେନାପତି ଓ ମୂଖ୍ୟ ଅମାତ୍ୟବର୍ଗଙ୍କ ଗହଣରେ ନଅର ସମୀପରେ ଥିବା ଖୋଲାସ୍ଥାନରେ ପହଞ୍ଚିଲେ । ଯଥାସମୟରେ ବେପାରୀ ଜଣକ ନିଜ ସଙ୍ଗେ ଆଣିଥିବା ଘୋଡା ଓ ଅନୁଚରମାନଙ୍କୁ ନେଇ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିଗଲେ । ଘୋଡାମାନଙ୍କର ପରୀକ୍ଷା ନେବାର ସମୟ ଆଗତପ୍ରାୟ । କେବଳ ରାଜାଙ୍କ ଅନୁମତୀକୁ ଅପେକ୍ଷା । ମହାରାଜା କିନ୍ତୁ ଅନୁମତି ପ୍ରଦାନ ନ କରି କାହାକୁ ଅପେକ୍ଷା କରୁଥାନ୍ତି । ମନ୍ତ୍ରୀ ମହାରାଜାକୁ ଅନୁମତି ପ୍ରଦାନ ଲାଗି ବିଳମ୍ବତା ହେତୁ ପଚାରି ଜାଣିଲେ କି ମହାରାଣୀଙ୍କର ବିନା ଉପସ୍ଥିତିରେ ଉକ୍ତ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇପାରିବନାହିଁ । କଥାଟି ହେଲା ,ସେପର୍ଯ୍ୟନ୍ତ ରାଣୀଙ୍କର ଆଗମନ ହୋଇନଥାଏ ।

        କିଛି ସମୟ ଉତ୍ତାରୁ ମହାରାଣୀ ମନ୍ଦାକିନୀ ଦେବିଙ୍କର ଆଗମନ ହେଲା । ବେପାରୀ ପ୍ରଥମେ ରାଜା ଓ ରାଣୀଙ୍କୁ ଅଭିବାଦନ କରି ନିଜର ନାମ ଶ୍ୱାନକେତୁ ବୋଲି ଘୋଷଣା କରିସାରି ଗୋଟିଏ ପରେ ଗୋଟିଏ କରି ନିଜ ଘୋଡାମାନଙ୍କର କଳା କୌଶଳ ଦେଖାଇ ଚାଲିଲେ । ସମସ୍ତେ ଥିଲେ ଏକୁ ଆରେକ ବଳି । କାହାକୁ ପ୍ରତ୍ୟାଖ୍ୟାନ କରିବାର ଅବକାଶ ନଥିଲା । ଅତଏବ ସମସ୍ତ ଘୋଡାମାନଙ୍କୁ କ୍ରୟ କରିବାର ସିଦ୍ଧାନ୍ତ ରାଜା ମନ ମଧ୍ୟରେ ନେଇସାରିଥିଲେ । କେବଳ ଲୋଡା ଥିଲା ରାଣୀଙ୍କ ସହମତି । ରାଣୀ ମଧ୍ୟ ରାଜାଙ୍କ ମନୋଭାବ ବୁଝିଲାଭଳି ସହାସ୍ୟ ସହମତି ପ୍ରଦାନ କଲେ ।

        ଉକ୍ତ ଦିବସର ସଂଧ୍ୟା ସମୟରେ ରାଜାଙ୍କର ନିର୍ଦ୍ଦେଶକ୍ରମେ ମହାମନ୍ତ୍ରୀ ରାଜାଙ୍କୁ ସାକ୍ଷାତ କଲେ ।

' ମନ୍ତ୍ରୀବର '

'ହଜୁର ମହାରାଜ ';

' ସେ ବେପାରୀଟିର ସମସ୍ତ ଘୋଡାଗୁଡିକୁ ଆମ୍ଭେ କିଣିନେବାର ନିଷ୍ପତ୍ତି ନେଇସାରିଛୁ 'I

'ଆଜ୍ଞା ମହାରାଜ ';

'କେବଳ ସେତିକି ନୁହେଁ ; ଘୋଡା ସହିତ ଘୋଡାଗୁଡିକର ମାଲିକ ଅର୍ଥାତ ସେ ବେପାରୀଟି ମଧ୍ୟ କିଣା ହେଉ ବୋଲି ଆମ ରାଣୀଙ୍କର ଇଚ୍ଛା 'I

'କିନ୍ତୁ ମହାରାଜ , ଏ ପ୍ରସ୍ତାବରେ ଶ୍ୱାନକେଡୁ ରାଜି ହେବ କି ନ ହେବ...;

'ମନ୍ତ୍ରୀବର ! ଆପଣଙ୍କୁ ସେ ଦାୟିତ୍ୱଟି ଦେଲି ,ଅର୍ଥାତ ଶ୍ୱାନକେତୁକୁ ରାଜି କରାଇବାର ଦାୟିତ୍ୱ । ଆବଶ୍ୟକ ହେଲେ ତାକୁ ମୁଖ୍ୟ କଟୁଆଳ ପଦବୀଟି ଦେବାର ଲୋଭ ଦେଖାଅ । କିନ୍ତୁ ସେ ଆମ ରାଜ୍ୟକୁ ଛାଡି ଚାଲି ନ ଯିବା ଚାହି , ଏହା ଆମ ପ୍ରିୟ ମହାରାଣୀଙ୍କ ଇଚ୍ଛl '। ମହାରାଜା ନିଜର ସାମାନ୍ୟ ଖସିଆସିଥିବା ଉତ୍ତରୀୟକୁ ସଜାଡି ଦେବା ଅବସରରେ କହିଲେ ।

'ହଜୁର , ତାହା ହିଁ ହେବ 'I

'କେବଳ ସେତିକି ନୁହେଁ , ତାକୁ ଆମ ସମ୍ମୁଖରେ ଆଉ ଏକ ପରୀକ୍ଷା ଦେବାକୁ ହେବ । ସେ ନିଜେ ଶିଖିଥିବା ଯୁଦ୍ଧବିଦ୍ୟାର ପରୀକ୍ଷା । ଆମ ରାଣୀଙ୍କର ବିଜ୍ଞତା ପୂର୍ଣ୍ଣ ପ୍ରଖର ଦୃଷ୍ଟିିକୁ ସେ ବେପାରୀ ବାପୁଡ଼ା ଫାଙ୍କି ଦେଇପାରିବ ନାହିଁ । ବୁଝିଲେ ମନ୍ତ୍ରୀବର ? ଘୋଡାମାନଙ୍କର ରଣ କୌଶଳ ଦେଖାଉଥିବା ଅବସରରେ ରାଣୀଙ୍କୁ ଜ୍ଞାତ ହୋଇସାରିଛି କି ଶ୍ୱାନକେତୁ ନାମକ ସେ ବେପାରୀଟି ନିଜେ ଜଣେ କୁଶଳୀ ଯୋଦ୍ଧା 'I

       ଗୋଟିଏ ଛୋଟିଆ ସର୍ତ୍ତରେ ଶ୍ୱାନକେତୁ ମହାମନ୍ତ୍ରୀଙ୍କର ପ୍ରସ୍ତାବରେ ରାଜି ହେଲେ । ସର୍ତ୍ତଟି ଥିଲା ,ଯଦି ରାଜା ଓ ରାଣୀ ବେପାରୀଙ୍କର ଯୁଦ୍ଧ କୌଶଳ ପ୍ରଦର୍ଶନରେ ସନ୍ତୋଷ ହେବେ , ତା'ହେଲେ ପରବର୍ତ୍ତୀ ସମୟରେ ତାଙ୍କୁ ରାଜାଙ୍କ ବ୍ୟକ୍ତିଗତ ଅତିଥିଭଵନରେ ରହିବା ପାଇଁ ସୁଯୋଗ ମିଳିବ । ସର୍ତ୍ତଟିରେ ରାଜା ଆରାଜି ହେବାର କୌଣସି କାରଣ ନଥିଲା ।ଅତଏବ ପରଦିନ ପ୍ରଭାତରୁ ମହାରାଜା ଓ ମହାରାଣୀଙ୍କ ଉପସ୍ଥିତିରେ ଶ୍ୱାନକେତୁ ନିଜର ଯୁଦ୍ଧବିଦ୍ୟା ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ସ୍ଥିର ହେଲା ।

     


Rate this content
Log in

Similar oriya story from Abstract