ରାଣୀ ଓ ଘୋଡ଼ାବେପାରୀ କାହାଣୀ ଭାଗ୨
ରାଣୀ ଓ ଘୋଡ଼ାବେପାରୀ କାହାଣୀ ଭାଗ୨
** ରାଣୀ ଓ ଘୋଡ଼ାବେପାରୀ କାହାଣୀ (ଭାଗ୨)**
ଭଗ୍ନ ମନୋରଥ ନେଇ ମହାମନ୍ତ୍ରୀ ରାଜପ୍ରାସାଦରୁ ଫେରିଲେ । ଆସନ୍ନ ବିପଦରୁ ରକ୍ଷା ପାଇବା ନିମନ୍ତେ ମହାମନ୍ତ୍ରୀ ସମସ୍ତ ସମ୍ଭାବ୍ୟ ବିକଳ୍ପ ଉପରେ ଚିନ୍ତା କଲେ । ମାତ୍ର ଯୁଦ୍ଧରେ ଜିତିବାର କୌଣସି ସମ୍ଭାବ୍ୟ ରାସ୍ତା ଦୃଷ୍ଟିଗୋଚର ହେଉ ନ ଥିଲା ।
ଏହିସମୟରେ ମହାମନ୍ତ୍ରୀଙ୍କର ଏ ଦୁଃଶ୍ଚିନ୍ତା ବିଷୟରେ ଅବଗତ ଥିବା ଜଣେ ଗୁପ୍ତଚର ଏକ ସମ୍ବାଦ ଦେଲା କି ରାଜ୍ୟ ସିମାନ୍ତରେ ଥିବା ଜଙ୍ଗଲରେ ଜଣେ ସିଦ୍ଧ ପୁରୁଷ ସାଧନାରତ । ଏଥିସହିତ ସାଧୂଜଣକ ଥିଲେ ଅନେକ ଚମତ୍କାରୀ ବିଦ୍ୟାରେ ପ୍ରବୀଣ । ମହାମନ୍ତ୍ରୀଙ୍କ ମନ ଭିତରେ କିଞ୍ଚିତ ଆଶାର ସଞ୍ଚାର ହେଲା । ବିଳମ୍ବ ନକରି ମହାମନ୍ତ୍ରୀ ,ସାଧୂଙ୍କୁ ସାକ୍ଷାତ କରିବା ଉଦ୍ଦେଶ୍ୟରେ ଜଙ୍ଗଲ ଅଭିମୁଖେ ଯାତ୍ରା ଆରମ୍ଭ କଲେ ।
ସଂଧ୍ୟାର ଅବ୍ୟବହିତ ପୂର୍ବରୁ ମହାମନ୍ତ୍ରୀ ଦୁଇଜଣ ଅନୁଗତ ସୈନିକଙ୍କ ସହିତ ଆଶ୍ରମରେ ପହଞ୍ଚିଗଲେ । ପ୍ରାକୃତିକ ସୌନ୍ଦର୍ଯ୍ୟ ପରିବେଷ୍ଟିତ ସେ ଆଶ୍ରମଟିରେ ସର୍ବତ୍ର ଏକ ଐଶରୀକ ମହିମାର ଉପସ୍ଥିତି ଷ୍ପଷ୍ଟ ପ୍ରତୀୟମାନ ହେଉଥିଲା । ବିଭିନ୍ନ ଦୁଶ୍ଚିନ୍ତାରେ ବିବ୍ରତ ଥିବା ମହାମନ୍ତ୍ରୀଙ୍କର ହୃଦୟରେ ଏକ ଅପୂର୍ବ ଶାନ୍ତି ଓ ସ୍ଥିରତା ଅନୁଭୂତ ହେଉଥିଲା । କେତେକ ଶିଷ୍ୟ ମହାମନ୍ତ୍ରୀଙ୍କର ସତ୍କାର ଉପଲକ୍ଷେ ସଜାଗ ରହିଥିଲେ । ଆଶ୍ରମରେ ସଂଧ୍ୟା ଆଳତି ଆରମ୍ଭ ହୋଇସାରିଥିଲା । ମହାମନ୍ତ୍ରୀ ନିଜ ଚେତନାରେ ଏକ ମହନୀୟ ବିଭୁକୃପାର ପରିପ୍ରକାଶଜନିତ ଅନିର୍ବଚନୀୟ ଆନନ୍ଦରେ ନିଜର ସାସାଂରିକ ସତ୍ତା ପ୍ରତି ବିସ୍ମୃତପ୍ରାୟ ଅବସ୍ଥାକୁ ଆସି ସାରିଥିଲେ ।ସମସ୍ତ ଆଶ୍ରମବାସୀ ଓ ଶିଷ୍ୟମାନଙ୍କର ସମବେତ ପ୍ରାର୍ଥନାର ନିରନ୍ତର ଧ୍ଵନି ତରଙ୍ଗ ହୃଦୟ ଓ ମସ୍ତିସ୍କର ସମସ୍ତ ସ୍ନାୟୁତନ୍ତ୍ରୀ ଭେଦ କରିଯାଉ ଥିଲା । ଗୋଟିଏ ମୂହୁର୍ତ୍ତ ପାଇଁ ମନେହେଲା କି ଏ ସଂସାରର ସମସ୍ତ ସଂଘଟିତ ଘଟଣା ପଛରେ ଏକ ଶକ୍ତିଶାଳୀ ଅଦୃଶ୍ୟ ନିୟନ୍ତାଙ୍କର ଇଚ୍ଛା ଓ ଉଦ୍ଦେଶ୍ୟ ନିହିତ ରହିଛି । ବୄଦ୍ଧକାଳରେ ଏଭଳି ଏକ ଆଧ୍ୟାତ୍ମିକ ପରିବେଶରେ କିଛି ମୂହୁର୍ତ୍ତ ଅତିବାହିତ କରିବାର ସୁଯୋଗ ମିଳିବ, ଏହା ମହାମନ୍ତ୍ରୀଙ୍କର କଳ୍ପନା ବାହାରେ ଥିଲା । ଜୀବନସାରା ରାଜ୍ୟ ଓ ରାଜପରିବାରର ଯଥାସାଧ୍ୟ ସାଧୂତାପୂର୍ଣ୍ଣ ସେବା ବଦଳରେ ବୋଧହୁଏ ଏହା ଥିଲା ଭଶ୍
ଵରଙ୍କର ଏକ ବରଦାନ ।
ଜଙ୍ଗଲ ଭିତରେ ରାତ୍ରର ଅନ୍ଧକାର ଧିରେ ଧିରେ ଘନୀଭୂତ ହୋଇ ଆସୁଥିଲା । ମହାମନ୍ତ୍ରୀଙ୍କ ମନ ଭିତରେ ସାଧୂଙ୍କୁ ସାକ୍ଷାତ କରିବାର ଉତ୍କଣ୍ଠା ବଢି ଚାଲିଥିଲା । ଯେଉଁ ବ୍ୟକ୍ତିଙ୍କର ସାଧନା ବଳରେ ,ଐଶରୀକ ବିଭୂତିର ଏ ଅପୂର୍ବ ରୁପାୟନ ସମ୍ଭବ ହୋଇପାରେ ତାଙ୍କର ବ୍ୟକ୍ତିତ୍ଵ କିଭଳି ହୋଇଥିବ ? ମହାମନ୍ତ୍ରୀ ନିଜ କଳ୍ପନା ଚକ୍ଷୁରେ ଦେଖିବାକୁ ଚେଷ୍ଟା କରୁଥିଲେ । କଳ୍ପନାରେ ଦେଖାଯାଉଥିଲା ଶିରର ଉପରିଭାଗ ଅଯତ୍ନବର୍ଦ୍ଧିତ ଜଟାଦ୍ଵାରା ଆବୃତ୍ତ ଓ ଦୀର୍ଘଶ୍ମଶ୍ରୁ ଦ୍ଵାରା ଆଛାଦିତ ମୁଖ୍ୟମଣ୍ଡଳର ଅଧିକାରୀ ଏକ ତାମ୍ର ବର୍ଣ୍ଣର ଦୁର୍ବଳ ବୃଦ୍ଧଙ୍କର ଶରୀର । କୋଟରଗତ ଚକ୍ଷୁ ଦୁଇଟି ଜ୍ଵଳନ୍ତ ଅଙ୍ଗାର ଭଳି ତେଜୀୟାନ । ପୂର୍ବରୁ କେବେ ଏଭଳି ଆଧ୍ୟାତ୍ମିକ ପରିବେଶର ସଂସ୍ପର୍ଶରେ ଆସିନଥିବା ମହାମନ୍ତ୍ରୀଙ୍କର ଶରୀର ଏକ ଅଜଣା ପୂଲକରେ ଶିହରିତ ହୋଇ ଉଠୁଥିଲା ।ଲାଗୁଥିଲା ସତେଯେପରି ଆଉ କେଉଁ ଏକ ଅଜଣା ମୁଲକରେ ତାଙ୍କର ପ୍ରବେଶ ଘଟିଛି ।
କାହାର ପଦଶବ୍ଦରେ ମହାମନ୍ତ୍ରୀଙ୍କର ଧ୍ୟାନ ଭଗ୍ନ ହେଲା । ଆଶ୍ରମର ଜଣେ ଶିଷ୍ୟ ମହାମନ୍ତ୍ରୀଙ୍କର ବିଶ୍ରାମ କୁଟୀରରେ ପ୍ରବେଶ କଲେ । ଗୁରୁଦେବଙ୍କର ତୁରନ୍ତ ଆଗମନର ସମ୍ବାଦ ଦେବାକୁ ଓ ଅତିଥିଙ୍କର ବିଶେଷ କୌଣସି ଆବଶ୍ୟକତା ସଂପର୍କରେ ବୁଝିବାକୁ ଗୁରୁୁଦେବ ସ୍ୱୟଂ ତାଙ୍କୁ ପଠାଇଥିଲେ । କୂଟୀର ଭିତରେ ଲିଭି ଆସୁଥିବା ଏକମାତ୍ର ମସାଲରେ ଆବଶ୍ୟକୀୟ ତୈଳ ଲେପନ କରିସାରି ଶିଷ୍ୟ ଜଣକ ଗୁରୁଦେବଙ୍କ ଅପେକ୍ଷାରେ କୂଟୀରର ଏକ କୋଣରେ ସମ୍ଭ୍ରମତା ପୂର୍ବକ ଛିଡାହୋଇ ରହିଲେ ।
କିଛିକ୍ଷଣ ପରେ ଗୁରୁଦେବଙ୍କର ଆଗମନ ହେଲା ।
'ପ୍ରଣାମ ମନ୍ତ୍ରୀବର !' ଯୋଡ ହସ୍ତରେ ଅଭିବାଦନ କରିବା ସହ ମୂଖରେ ସ୍ମିତ ହାସ୍ୟ ଖେଳାଇ କୂଟୀର ଭିତରକୁ ଗୁରୁଦେବ ପ୍ରବେଶ କଲେ । ପ୍ରତ୍ୟାଭିବାଦନ କରିବା ଅବସରରେ ମହାମନ୍ତ୍ରୀ ଗୁରୁଦେବଙ୍କ ମୁଖମଣ୍ଡଳକୁ ଦୃଷ୍ଟିପାତ କଲେ ।..' ଏ କଣ '? ମହାମନ୍ତ୍ରୀ ନିଜ ଚକ୍ଷୁକୁ ବିଶ୍ୱାସ କରିପାରିଲେ ନାହିଁ । ଏ ସେହି କଳ୍ପିତ ସାଧୂ ,ଯାହାଙ୍କର ସାକ୍ଷାତ ପାଇବାପାଇଁ ଏ ରାଜ୍ୟର ମହାମନ୍ତୀ ଏତେ ଦୂରରୁ ,ରାଜନଅରରୁ ଧାଇଁ ଆସିଛନ୍ତି ସୁଦୂର ଜଙ୍ଗଲ ଭିତରକୁ ! ଅସମ୍ଭବ ;
**କ୍ରମଶଃ**