ରାଣୀ ଓ ଘୋଡ଼ାବେପାରୀ କାହାଣୀ(ଅନ୍ତ
ରାଣୀ ଓ ଘୋଡ଼ାବେପାରୀ କାହାଣୀ(ଅନ୍ତ
ସଂଧ୍ୟା ଆଗତପ୍ରାୟ । ଆଗକୁ ଆସୁଥିବା ରାତିଟି ରାଜା ପ୍ରତାପ ଦେବଙ୍କ ପାଇଁ ହୁଏତ କାଳରାତ୍ରୀ ହୋଇପାରେ । କିଏ ଜାଣେ ,ରୁଦ୍ରସେନଙ୍କ ମୁଣ୍ଡଟିକୁ ନେବାପାଇଁ ଏଠାକୁ ଆସିଥିବା ପ୍ରତାପ ଦେବ ହୁଏତ ନିଜ ମୁଣ୍ଡଟି ହରାଇ ପାରନ୍ତି । ହାୟ ! ଆମ୍ଭମାନଙ୍କର ସମସ୍ତ ଇଚ୍ଛା ଓ ଯୋଜନାର ଉର୍ଦ୍ଧ୍ୱରେ ଯେ ବିଧାତାର ଅନ୍ୟ ଗୋଟିଏ ଇଚ୍ଛା ରହିଛି , ଏକଥା ପ୍ରାୟତଃ ଆମକୁ ଅଜ୍ଞାତ ଥାଏ ।
ରାଜା ରୁଦ୍ରସେନଙ୍କ ଦରବାରରେ ଯୁଦ୍ଧବନ୍ଦୀ ରାଜା ପ୍ରତାପ ଦେବଙ୍କର ବିଚାର ଚାଲିଛି । ପ୍ରତାପ ଦେବଙ୍କୁ ପ୍ରାଣଦଣ୍ଡ ଦେବାର ସପକ୍ଷରେ ସମସ୍ତ ଅମାତ୍ୟବର୍ଗ । ସେନାପତି ଓ ମହାମନ୍ତ୍ରୀ ମଧ୍ୟ ଏଥିରେ ସମ୍ମତ ଅଛନ୍ତି । ଏଭଳି ଶତ୍ରୁକୁ ଜୀବନ୍ତ ଛାଡିଦେଲେ ସେ ପୁନର୍ବାର ଆକ୍ରମଣ କରିପାରେ ।
ଏବେ ପ୍ରଭାତ ହେବାକୁ ଅପେକ୍ଷା । ରାତିରେ କାହାକୁ ପ୍ରାଣଦଣ୍ଡ ଦେବା ନିଷେଧ । କେବଳ ମହାମନ୍ତ୍ରୀ ସୋମଦେବ ଏ ସଂପର୍କରେ ଗୁରୁଦେବଙ୍କର ମତାମତ ଚାହୁଁଥିଲେ । କିନ୍ତୁ ଗୁରୁଦେବ ସେ ସମୟରେ ଦରବାରରେ ଉପସ୍ଥିତ ନଥିଲେ ।
ପରଦିନ ପ୍ରଭାତରେ ରାଜା ପ୍ରତାପ ଦେବଙ୍କୁ ପ୍ରାଣଦଣ୍ଡ ଦେବା ନିମନ୍ତେ ବଧଭୂମିକୁ ଅଣାଗଲା । ପ୍ରତାପ ଦେବ ଆଣ୍ଠୁମାଡି ନତଜାନୁ ହୋଇ ବସିଲେ । ଘାତକ ଖଣ୍ଡାକୁ ଉର୍ଦ୍ଧ୍ଵମୁଖା କରି ରାଜାଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଛି । ଉପସ୍ଥିତ ଜନତା କରତାଳି ଦେଇ ରାଜାଙ୍କୁ ଉତ୍ସାହିତ କରୁଥିଲେ ।
ରହିଯାଅ ! କ୍ଷାନ୍ତ ହୁଅ । ଅଦୂରରୁ କାହାର ଏକ ଗୁରୁଗମ୍ଭୀର ସ୍ଵର ଶୁଣାଗଲା । ରାଜା ଘାତକକୁ ନିର୍ଦ୍ଦେଶ ନଦେଇ ରହିଗଲେ । ଗୁରୁଦେବ ସେ ସ୍ଥାନକୁ ଆସୁଥିଲେ ।
ରୁହନ୍ତୁ ମହାରାଜ ! ମୃତ୍ୟୁଦଣ୍ଡ ଏକ କାଳଜୟୀ ସିଦ୍ଧାନ୍ତ ନୁହେଁ I ଗୁରୁଦେବ ରାଜାଙ୍କ ନିକଟକୁ ଆସି କହିଲେ ।
ତେବେ ଆପଣଙ୍କ ସିଦ୍ଧାନ୍ତ କୁହନ୍ତୁ । ଆମେ ସେ ସିଦ୍ଧାନ୍ତକୁ ଖୁସିରେ ମାନିନେବୁ I ରାଜା ରୁଦ୍ରସେନ କହିଲେ।
ଯେଉଁ ଭୂଲ ଆପଣ ଏବେ କରିବାକୁ ଯାଉଛନ୍ତି , ସେହି ଭୂଲ ଅତୀତରେ ଆପଣଙ୍କର ପ୍ରପିତାମହ ରାଜା ରଣେନ୍ଦ୍ର ପ୍ରତାପ କରିଥିଲେ । ପ୍ରତିହିଂସା ସମସ୍ତ ସମସ୍ୟାର ସ୍ଥାୟୀ ସମାଧାନ ନୁହେଁ । ପ୍ରତିହିଁସା ବଶତଃ ପ୍ରତିଶୋଧ ନେବାପାଇଁ ବିଧାତାର ଇଚ୍ଛା ରହିବା ଆବଶ୍ୟକ । ଏହା ଅବତାର ପୁରୁଷଙ୍କର କାର୍ଯ୍ୟ , ଆମର ନୁହେଁ । ଏଣୁ ଆପଣ ପ୍ରତାପ ଦେବଙ୍କୁ କ୍ଷମା କରିଦିଅନ୍ତୁ । ଫଳରେ ଉଭୟ ରାଜ୍ୟ ମଧ୍ୟରେ ଶାନ୍ତି ଓ ମିତ୍ରତା ବୄଦ୍ଧି ପାଇବ ।
ଆପଣଙ୍କ ଆଜ୍ଞା ଶିରୋଧାର୍ଯ୍ୟ ଗୁରୁଦେବ I ମହାରାଜା ରୁଦ୍ରସେନ ପ୍ରତାପ ଦେବଙ୍କୁ ମୁକ୍ତ କରିବା ଲାଗି ଆଦେଶ ଦେଲେ । ଉଭୟ ରାଜା ଖୁସିରେ ଆଲିଙ୍ଗନବଦ୍ଧ ହେଲେ ।
ମୋତେ ଏବେ ବିଦାୟ ଦିଅନ୍ତୁ ମହାରାଜ । ଗୁରୁଦେବ ମହାରାଜା ରୁଦ୍ରସେନଙ୍କୁ କହୁଥିଲେ । ଯିବା ପୂର୍ବରୁ ଆପଣଙ୍କୁ ଆଉ ଗୋଟିଏ ଅନୁରୋଧ କରୁଛି । ଆଶା କରୁଛି , ମୋର ଏ ଶେଷ ଅନୁରୋଧଟି ଆପଣ ରକ୍ଷା କରିବେ।
ଆଜ୍ଞା ଦିଅନ୍ତୁ ଗୁରୁଦେବ ; ଆପଣଙ୍କ କଥା ମୁଁ ନିଶ୍ଚୟ ପାଳନ କରିବି : କଥା ଦେଉଛି I ରାଜା ନତମସ୍ତକ ହୋଇ କହିଲେ ।
ଆପଣ ମହାରାଣୀଙ୍କୁ କ୍ଷମା କରିଦିଅନ୍ତୁ । ତାଙ୍କର ଭୂଲ କିଛି ନାହିଁ । ଆପଣଙ୍କର ରାଜକାର୍ଯ୍ୟ ପ୍ରତି ଅତ୍ୟଧିକ ଉଦାସୀନତା ହେତୁ ରାଜ୍ୟର ପ୍ରଜା ଓ ସୈନ୍ୟଗଣ ଦୁଃଖିତ ରହୁଥିବା ସହିତ ମହାମନ୍ତ୍ରୀ ସୋମଦେବ ଅତ୍ୟନ୍ତ ଚିନ୍ତିତ ରହୁଥିଲେ । ଏ ସମସ୍ତ କଥା ମହାମନ୍ତ୍ରୀ ମୋତେ ଜଣାଇବାରୁ ମୁଁ ଶ୍ୱାନକେତୁ ନାମ ନେଇ ଏକ ଘୋଡା ବେପାରୀର ଛଦ୍ମବେଶରେ ଏଠାକୁ ଆସିଲି । ରାଣୀଙ୍କ ପ୍ରତି ଆପଣଙ୍କ ମୋହ ଭଙ୍ଗ କରିବା ତଥା ଆପଣଙ୍କୁ କର୍ତ୍ତବ୍ୟ ସଚେତନ କରାଇବା ମୋର ଉଦ୍ଦେଶ୍ୟ ଥିଲା । ମୋ ଯୋଜନାରେ ରାଣୀ ବଳି ପଡ଼ିଗଲେ । କିନ୍ତୁ ମୁଁ ଖୁସି କି ଆପଣଙ୍କର ମୋହ ଭଙ୍ଗ ହୋଇସାରିଛି । ଏବେ ଆପଣଙ୍କୁ ଅନୁରୋଧ କରୁଛି, ପୂର୍ବଭଳି ଆପଣ ମହାରାଣୀଙ୍କ ସହ ମିଶି ଖୁସିରେ ରାଜ୍ୟ ଶାସନ କରନ୍ତୁ I
ଯଥା ଆଜ୍ଞା ଗୁରୁଦେବ । ରାଜା ଉତ୍ତର ଦେଲେ ।