ରାନୀ କଣ୍ଢେଇର ଛାଡଖାଇ
ରାନୀ କଣ୍ଢେଇର ଛାଡଖାଇ
ସାମ୍ନା ଘର ବାଲ୍କୋନିରେ କଣ୍ଢେଇକୁ ନୂଆ ଜାମା ପିନ୍ଧେଇ ଖେଳୁଛି ମିଶ୍ର ବାବୁଙ୍କ ଝିଅ ମାମୁନି। ଭିତରକୁ ଚାହିଁ ବଡ଼ ପାଟିରେ କହିଲା, " ମାମା ଦେଖିଲ ମୋ "କୁନି" କେତେ ସୁନ୍ଦର! ଠିକ ଆକାଶର ପରି ଭଳି। ଭିତରୁ ମା' ଡାକିଲେ, ଥାଉ କୁନି ସେଇଠି , ତୁ ଆ ଗାଧେଇବୁ। ସ୍କୁଲ ଯିବୁ। ମା'ଙ୍କ କଥା ଶୁଣି ଆରପଟେ ଠିଆ ହୋଇଥିବା ରାନୀ ଆଡକୁ କଣ୍ଢେଇ ଦେଖେଇଲା, ହାତ ଉଠେଇ। ଗୋଟେ ହାତରେ କଫି କପ ଧରି ଠାରରେ କହିଲା, ବଢିଆ ହୋଇଛି। ମା ପୁଣି ଡାକିଲେ। ରାନୀ ଦେଖୁଥିଲା କଣ୍ଢେଇକୁ। ଠିକ ୟା ରି ଭଳି ତା ଜୀବନ। ନିଜସ୍ୱ ଇଚ୍ଛା ବୋଲି କିଛି ନାହିଁ। ପର କଥାରେ ଖାଇବ, ପିନ୍ଧିବ ଆଉ ରହିବ। ପର ଇସାରାରେ ହସିବ, କାନ୍ଦିବ ଆଉ ନାଚିବ। ନାରୀ ଯେ ଆଜି ବି ଭୋଗ୍ୟ,ଏକଥା ତା ଠୁ ବଳି ଆଉ କିଏ ବୁଝିପାରେ? ମାମୁନି ଚାଲିଗଲାଣି କେତେବେଳୁ, କଣ୍ଢେଇଟି ସେଇଠି ଥୋଇ ଦେଇ। ରାନୀ ଏକଥା ଜାଣିନି, ସେ ବୁଡି ଯାଇଛି ଅନ୍ୟ ଏକ ଦୁନିଆରେ। ଏତିକି ବେଳେ ଫୋନ ଟି ବାଜି ଉଠିଲା।
" ଓଃ ମାଇଁ ଲଭଲି ବେବି, ଫୋନ ଟା ଉଠେଇବାକୁ ଏତେ ଡେରି କଲ ଯେ? ତମେ ଜାଣ ମୁଁ ତମକୁ କେତେ ମିସ କରୁଛି ଏଠି! ମୁଁ ସନ୍ଧ୍ୟାରେ ପହଞ୍ଚିବି, ତମ ପାଇଁ କଣ ନେବି କୁହ? ଆଉ ଶୁଣ, ମୋ ପାଇଁ ଆଜି ଗୋଟେ ଭଲ ଡିସ କରିଥିବ। ଆଜି ଛାଡ଼ଖାଇ। ମାସେ ହେଲା, ପାଟିରେ ଆଇଁସ ବାଜିନି। ରାନୀ ଉତ୍ତର ଦେଲା, "ଆଜ୍ଞା, ଯେମିତି ଆପଣଙ୍କ ଇଚ୍ଛା।" ସେପଟେ ଥିଲେ ବଂଶୀଧର ବିଶ୍ୱାସ ଓରଫ ବବି।ସହରର ଜଣେ ଲବ୍ଧ ପ୍ରତିଷ୍ଠିତ ବିଲଡ଼ର। ଅୟସକୁ ଯଦି ଧନୀର ମାପକାଠି କରାଯାଏ,ତେବେ ବବି ଏ ସହରେ ସବୁଠୁ ବଡ଼ ଧନୀ। ବିଳାସୀ ମନ ଅହଂକାରରେ ବୁଡି ପାପ କରିବସେ। ଆଉ ସେଇ ପାପର କେଉଁ ଏକ ଡାଳେ ରାନୀର ଆବିର୍ଭାବ। ବେଣୀବନ୍ଧା, ଅଳତାପିନ୍ଧା , ହଳଦୀମଖା ଛାଡି ସେ ଆଜି ଉଗ୍ର ଆଧୁନିକା, ବବ ହେଆର , ପେଡିକ୍ୟୁର ବାଲା ଚିକଣ ପାଦ ଆଉ ପାଉଡର ନେଶା ମୁହଁ ତା ପରିଚୟ। ପିଲାଦିନେ ଗାଁ ଡ୍ରାମାରେ, କେତେଥର ନାୟିକା ହୋଇ ଲୋକଙ୍କ ମନ ଜିତିଛି । ଆଜି ବି ସେ ଅଭିନୟ କରୁଛି। ନାୟିକା ଭୂମିକାରେ ନୁହେଁ, ଉପନାୟିକା ଭୂମିକାରେ। ସେ ବବିଙ୍କ ରକ୍ଷିତା।ସେ ରହେ, ସହରର ସବୁଠୁ ଦାମୀ ଆପାର୍ଟମେଂଟରେ, ଟଙ୍କାର ଅଭାବ ନାହିଁ ତା ପାଖେ। ବବି ଆସନ୍ତି ତା ପାଖକୁ, ଖାଲି ଟିକେ ଦେହ ସୁଖ ପାଇଁ। ଦରକାର ପଡ଼ିଲେ ରାନୀ ଭୋଗ ଲାଗେ, ବଡ଼ବଡ଼ିଆଙ୍କ ପାଖେ। ଯେ ଦିନ ଆଲୁଅରେ ଭଦ୍ରଲୋକ, ଆଉ ରାତି ହେଲେ ଭୋକିଲା ଅଜଗର। ବବିଙ୍କ ପରିବାର ଅଛି, ତାଙ୍କ ମାନ ପ୍ରତିଷ୍ଠାରେ ଆଞ୍ଚ ନ ଆସୁ ସେଥିପାଇଁ ରାନୀ ଖୁବ ଯତ୍ନଶୀଳ। ରାନୀର ମନେ ପଡ଼ିଲା ଆଜି ଛାଡ଼ଖାଇ। କାଲି କାର୍ତ୍ତିକ ପୂର୍ଣ୍ଣମୀ ଥିଲା, ତା ଜନ୍ମଦିନ। ବାପା ତା ନାଁ ଦେଇଥିଲେ, ପୁଣ୍ୟତୋୟା, ପୁନି। ପୁଣ୍ୟ ତକ କେବେ ଠୁ ଶୁଖିଗଲାଣି। ଏବେ ପାପରେ ଲୋଟୁଛି ସେ।
ଏବେ କିଛି ଦିନ ହେଲା ଭାରି ଖୁସି ସେ। ତା ରଂଗହୀନ ଜୀବନକୁ ମଳୟ ଆସିଛି, ଫଗୁଣ ନେଇ।ସମୟ କାଟିବାକୁ, ସେ ପାଖରେ ଗୋଟେ କ୍ଳବରେ ମିଶିଛି। ସମାଜ ସେବା ପାଇଁ। ମଳୟ ନିପଟ ମଫସଲି ଟେ। କ୍ଲବର ସେ ବି ଜଣେ ସଭ୍ୟ। ତା ହାବ ଭାବ ଚାଲି ଚଳଣ ଖୁବ ପ୍ରଭାବିତ କରିଛି ରାନୀକୁ। ତା ସରଳତା ଆଉ ନିରୀହ ଚାହାଣୀରେ ରାନୀର ପଥର ହୃଦୟ ତରଳୁ ଥାଏ। ଗାଁ କଥା ମନେ ପଡ଼ିଯାଏ ତାର। ଆମ୍ବତୋଟା, ବୋହୁଚୋରି, କୋଳି ଆଚାର ତାକୁ ହାତ ଠାରି ଡାକେ। ଗାଁର ମୋରମ ପକା ନାଲି ରାସ୍ତାରେ ଧାଇଁ ଯାଆନ୍ତା କି ସେ ଫ୍ରକ ଟେ ପିନ୍ଧି! କଳା ଟିପା ନାଇ ବୁଲି ଆସନ୍ତା, ଆର ସାହି ଆଡେ। ମଳୟ ଭଲ ଲାଗୁଥାଏ ରାନୀକୁ। ତା ପ୍ରତିଟି ଛୋଟ ବଡ଼ କଥାରେ ମଳୟକୁ ଖୋଜେ। ଅନେକ ସମୟରେ ସେମାନେ ଫୋନରେ କଥା ହୁଅନ୍ତି। ରାନୀ ଦିନେ ତାକୁ ପଚାରେ, " ତମେ ଜାଣ ମୁଁ କିଏ, କଣ କରେ?" "ନା,କେବେ ଦରକାର ପଡିନି।" ଉତ୍ତର ଦେଲା ମଳୟ। " ତମେ କଣ ମୋ ନାଁରେ କିଛି ଶୁଣିନ? "ହଁ, ଶୁଣିଛି ଅନେକ କଥା।" ସବୁ ଜାଣିବି ତମେ ମୋ ସାଙ୍ଗେ ଏମିତି କଥା ହେଇପାର? ତମର କେବେ ଇଛା ହେଇନି ଏ ରାନୀ ମହୁମାଛିର ମହୁ ଚାଖିବାକୁ? ନା, ମତେ ସେମିତି କିଛି ଲାଗେ ନାହିଁ। ତମେ ମୋ କଥା ଶୁଣି ଖୁସି ହୁଅ, ତେଣୁ କଥା ହୁଏ। ତମକୁ ହସିବା ଦେଖି ମତେ ଭାରି ଖ
ୁସି ଲାଗେ। ନହେଲେ ଆମ ଗାଆଁରେ ମୋ ପାଇଁ ବା ଗଣ୍ଡାଏ ଝିଅ ପାଗଳୀ ହେଇ ବୁଲୁଛନ୍ତି। ମଳୟ ପାଖରେ ସବୁ ସମାନ । ସେ ଖାଲି ଖୁସି ବାଣ୍ଟିବା ଜାଣେ। ଯାହା ତମେ କରୁଛ, ସେଇଟା ବୋଧେ ତମ କାମ। ନିଜ ପେଟ ନିଜେ ପୋଷୁଛ। ଏଥିରେ ଭୁଲ କଣ !
ଏମିତି ପୃଷ୍ଠା ପରେ ପୃଷ୍ଠା ଯୋଡି ହୋଇ ଚାଲେ, ସେମାନଙ୍କ ସମ୍ପର୍କରେ। ମଳୟ ଗାଁ ଜୀବନର ମଜା ମଜା କଥା କହି ଖୁବ ହସାଏ ରାନୀକୁ। ରାନୀ ଆବିଷ୍କାର କରେ, ମଳୟ ର ନିଷ୍କପଟ ଆତ୍ମୀୟତା। ସେ ଅନ୍ୟ ମାନଙ୍କ ପରି ତାକୁ ଭୋଗ୍ୟ ବୋଲି ଭାବେନି। ଏଇ ଭାବନାର ମଳୟରୁ ଆସେ,ଏକ ସୁରକ୍ଷାବୋଧ। ମଳୟ ପାଖେ ସେ ଖୁବ ନିରାପଦ ଓ ନିର୍ଭୟ। ଚୋରାବାଲି ପରି ବହିଯାଏ ସମୟ, ମାଲୟର ସାନିଧ୍ୟରେ ଯେଉଁ ତୃପ୍ତି, ତାହା ଏଇ ସହରୀ ସଭ୍ୟତାରେ ନାହିଁ। ଠିକ ତା ବୋଉର ପଖାଳ କଂସା ପରି।
ଆଉ ମଳୟ ବି ମତୁଆଲା ରାନୀର ରାନୀର ସୁରଭି ରେ। ସେ ବୁଣୁଥାଏ କେତେ ସ୍ୱପ୍ନ, ତାକୁ ନେଇ। ବୁଝିପାରେ ତା ନିଃସହାୟତା । ଇଚ୍ଛା ହୁଏ ତାକୁ ଏଇ ପାପ ନର୍ଦ୍ଦମା ରୁ ନେଇ ଝଡ଼ିଝୁଡ଼ି ପୁଣି କରିଦିଅନ୍ତା, ପୁଣ୍ୟତୋୟା ଟିଏ। କଥା କଥାରେ ଅନେକ ଥର କହିଛି, ରାନୀ ବୁଝି ବି ନୀରବ ରହେ।
ରାନୀ ଏବେ ପ୍ରସ୍ତୁତ ହେଲା, ନିଜର ଚିରାଚରିତ କାମ ପାଇଁ। ବବିଙ୍କ ମନକୁ ମୋହିବାର ସବୁ ଚେଷ୍ଟା ସେ କରିବାରେ ସିଦ୍ଧହସ୍ତ। ଦାମୀ ମେକପ ତଳେ ଲୁଚି ଯାଉଥିଲା, ମଳୟର ସରଳ, ନିଷ୍କପଟ ଭଲପାଇବା।
କଲିଂ ବେଲ ବାଜିଲା, ଦୁଆର ଖୋଲୁ ଖୋଲୁ, ସମୁଦ୍ର ଜୁଆର ପରି ମାଡି ଆସିଲେ ବବି। କୁଣ୍ଢେଇ ଧରି, ଓଠରେ ଓଠ ଛନ୍ଦି ଅଜାଡି ଦେଇଗଲେ ଅନେକ ଦିନର ବାସନା କୁ। ରାନୀ ପ୍ରସ୍ତୁତ ନଥିଲା ଏସବୁ ପାଇଁ ହଠାତ। ଧୀରେ ଧୀରେ ସେ ଅବଶ ହେଇ ସମର୍ପି ଦେଲା ଦେହକୁ ବବିଙ୍କ ପାଖେ। ତାକୁ ବାହୁରେ ଧରି ବେଡ଼ରୁମ କୁ ନେଇଗଲେ । ଜିରୋ ବଲ ର ଧିମା ଆଲୁଅରେ ଘରଟି ପୁରି ଉଠିଲା, ଅନେକ ସିତ୍କାର ଓ ଚୁମ୍ବନ ଶବ୍ଦରେ। ଆଦିମ କ୍ରୀଡ଼ାରେ ମଗ୍ନ ଏକ ମିଥୁନ ପକ୍ଷୀର ପେଣ୍ଟିଙ୍ଗ ଥିଲା ଏସବୁର ସାକ୍ଷୀ।
ଫୁଙ୍ଗୁଳା ଦେହରେ ପଡି ରହିଥିଲା ରାନୀ। ସବୁ ମେକପ ଛାଡି ଯାଇଥିଲା ମୁହଁରୁ। ପାଖରେ କ୍ଲାନ୍ତ ହୋଇ ପଡି ରହିଥିଲେ ବବି। ମଳୟ ଅନେକ ବୁଝେଇ ଥିଲା, ଯୋଉ କାମ କରିବାକୁ ତୁମ ଆତ୍ମା ମନା କରୁଛି କରନି ସେ କାମ। ହେଲେ, ତାକୁ କିଏ ବୁଝେଇବ? ରାନୀ ପର କଣ୍ଢେଇ, ତାର ଆତ୍ମା କୁଆଡୁ ଆସିବ। ଆତ୍ମ ଗ୍ଲାନିର ଦି ଧାର ଝରି ଆସିଲା ଆଖି କୋଣରୁ। କୋହ କଣ୍ଠରୋଧ କରୁଥିଲା। ଇଚ୍ଛା ହଉଥିଲା, ଜୋରେ କାନ୍ଦିବାକୁ। ହେଲେ ପାରିଲାନି। ଡ୍ର ରୁ ଫୋନ ବାହାର କରି ଦେଖିଲା ମଳୟର ମେସେଜ। କେଉଁ ଏକ ଅନାମଧେୟ କବିତାରୁ ଦି ଧାଡି ଚୋରେଇ ଆଣିଛି ତା ପାଇଁ।
"ମନ ଉପବନେ ଅନଙ୍ଗ ସହରେ
ମୁକ୍ତାକେଶୀ ଲୋଟେ କାନ୍ତଙ୍କ କୋଳରେ
ପୀରତି ଅଧରେ ଅବିର ବୋଳି
କାମିନୀ ଦଂଶନେ ଉନ୍ମାଦ ଭରେ
ବତୁରା ତନୁର ବାସ୍ନା ଦିଏ
ନିଆଁ ଲଗେଇ
ଦେଖିବାକୁ ସତେ ପ୍ରିୟା
ମୁଁ ଯେ ନାହିଁ...."
ଟେବୁଲ ଉପରେ ପ୍ରସ୍ତୁତ ଥିଲା ଚକୁଳି ପିଠା, ଖାସି ମାଂସ କଷା ଆଉ ହୁଈସ୍କି ବୋତଲ। ମହମବତୀ ଜଳି ସାରି ଅପେକ୍ଷା କରିଥିଲା ସ୍ୱଳ୍ପ ଆୟୁଷକୁ । ମିଶ୍ର ବାବୁଙ୍କ ବାଲକୋନିରେ ସେମିତି ହସୁଥିଲା ମାମୁନିର କଣ୍ଢେଇ। କହୁଥିଲା କଣ ଭାବୁଛୁ? ଜଣକୁ ତୁ ଛାଡିପାରୁନୁ ଆଉ ଜଣଙ୍କୁ ନେଇ ପାରୁନୁ। ମୋ କଥା ମାନ, " ଖାଇ"ଯିବା ଆଗରୁ ଏ ଦୁନିଆ,ସବୁ "ଛାଡି", ଆ ଆମେ ଉଡିଯିବା ଦୂର ଆକାଶକୁ ଡେଣା ବାଡେଇ।