Nityananda Nandi

Classics Others

4  

Nityananda Nandi

Classics Others

ରାକ୍ଷୀ, ଗୋଟେ ବାହାନା

ରାକ୍ଷୀ, ଗୋଟେ ବାହାନା

5 mins
176



ଭାରି ଜିଦ କରୁଥିଲି ଛୋଟବେଳେ। ବାପା, ବୋଉ ଓ ଭାଇ ସମସ୍ତେ ମୋତେ ଡରୁଥିଲେ। ରାଗିଲେ, ସବୁ ଭାଙ୍ଗି ପକାଏ। ଥରେ ଟିଭିକୁ ଠେଲି ଦେଇ କଚାଡିବା ଆଗରୁ ବାପା ଧରି ପକେଇଲେ । ମାତ୍ର ପାଞ୍ଚ କି ଛ ବର୍ଷର ହୋଇ ଥାଏ ମୁଁ ସେତେବେଳେ।

 

ହଠାତ ଗୋଟାଏ ବଡ ପରିବର୍ତ୍ତନ ଆସିଲା ମୋ ଜୀବନ ଶୈଳୀରେ। ମୁଁ ଚୁପଚାପ୍ ହୋଇଗଲି। ଝଡ ତୋଫାନ ପରେ ଲାଗେ ଯେମିତି ପୃଥିବୀର ଜୀବନ ନାହିଁ। ନିସ୍ତବ୍ଧତା ଭିତରେ କେବଳ ସମୟ ହିଁ ଚାଲିଥାଏ ଆଗକୁ। ପତ୍ର ଝଡିଯାଇ ତରୁଲତା ଅନାଥ ଶିଶୁ ପରି ଛିଡା ହୋଇ ଥାଆନ୍ତି ରାସ୍ତା କଡ଼ରେ। ମୁଁ ବି କାହିଁକି କେଜାଣି ଥମିଗଲି ପତ୍ରଝଡ଼ା ଗଛଟିଏ ପରି। ଅଚାନକ ମୋର ଏଇ ଶାନ୍ତ ସ୍ଵଭାବ ଦେଖି ବାପା, ବୋଉ ଚକିତ ହୋଇ ଉଠିଲେ।  ଖୁବ ପଢାପଢି କଲି।

 

ବାପା ବୋଉ, ଭାଇଙ୍କ ସାଥିରେ ଆନ୍ତରିକତା ଏତେ ବଢ଼ିଗଲା ଯେ ଗୋଟାଏ କ୍ଷଣ ବି ସେମାନଙ୍କୁ ଛାଡି ରହି ପାରୁ ନ ଥିଲି। ଭାଇ ଦୁଇ ବର୍ଷ ବଡ ଥିଲା ମୋ'ଠୁ। ବାପା ବୋଉଙ୍କ ମଝିରେ ଆମେ ଦୁହେଁ ଶୋଉଥିଲୁ। ମୁଁ ଦିନେ ବୋଉ ପାଖରେ ତ ଭାଇ ଦିନେ ବୋଉ ପାଖରେ ଶୋଇବାର ଅଭ୍ୟାସଟି ଆମ ଭିତରେ ଗୋଟାଏ ସ୍ଵତଃପ୍ରବୃତ ବୁଝାମଣା ପରି ଲାଗିଲା।


ରାକ୍ଷୀ ପୂର୍ଣ୍ଣମୀରେ ଭାଇକୁ ରାକ୍ଷୀ ବାନ୍ଧୁ ବାନ୍ଧୁ ଆଖିରୁ ଲୁହ ଝରି ଆସିଲା। ଆମେ ସବୁ ବଡ ହେଲୁଣି, ଭାଇକୁ ଆଉ କେତେ ବର୍ଷ ରାକ୍ଷୀ ପିନ୍ଧେଇବି କେଜାଣି ??? କିଏ ଯେମିତି ଶକ୍ତ ଧକ୍କା ଦେଲା ମନ ଭିତରେ, ମୁଁ ଚୁପ୍ ଚାପ୍ ହୋଇଗଲି ଆଉ ଥରେ।


କାହିଁକି କେଜାଣି ପୁଣି ଥରେ ଗମ୍ଭୀର ହୋଇଗଲି ମୁଁ। ହାଉ ହାଉ କରୁଥିଲା ମୋ ଛାତି ଭିତରଟା। ଡାକ୍ତର କହିଲେ ହର୍ମୋନାଲ ଅସନ୍ତୁଳନ , ଡିପ୍ରେଶନ ନ ହେଲେ ବି ଠିକ୍ ସେମିତି ଗୋଟାଏ ଆଭାସ ମିଳୁଛି। ଯୌବନକୁ ଛୁଇଁବାର ଏଇ ମୁହୂର୍ତ୍ତଟା ଅତି ସମ୍ବେଦନଶୀଳ ପ୍ରତି ତରୁଣୀ ପାଇଁ। ପ୍ରାୟ ଏମିତି ଘଟଣା ସବୁ ଘଟିଥାଏ । ଡାକ୍ତର ଔଷଧ ଦେଲେ। 

ବୋଉ ଖାଲି ପଚାରି ପଚାରି ହେଲା କଣ ହୋଇଛି କହ। ଆଦୌ କହୁ ନ ଥିଲି। ଦିନେ ବୋଉ କାନ୍ଦିବାର ଦେଖି ମୁଁ କହିଲି, ବୋଉ ! କିଛି ଦିନ ପରେ ମୁଁ ତୁମଠୁ ଅଲଗା ହୋଇ ଯିବି ନା.., ତୁ, ବାପା ଓ ଭାଇ ସାଥିରେ ରହି ବହୁତ ମଉଜ ମଜ୍ଲିସ କରିବ। ମୁଁ ତେଣେ ଶାଶୁ ଘରେ କଷ୍ଟ ପାଉଥିବି... ଡାକରେ ରାକ୍ଷୀ ପଠେଇଲେ ସେଥିରେ କଣ ମଜା ଥାଏ ବୋଉ। ରାକ୍ଷୀ ହାତରେ ପିନ୍ଧେଇବାକୁ ହୁଏ। କାନ୍ଦି ପକେଇଲି ବୋଉ ଆଗରେ , ହରିଣପଲରୁ ଅଲଗା ହୋଇ ଛୋଟ ହରିଣ ଛୁଆକୁ ଘାସ ବି ରୁଚେନି, କେତେବେଳେ କୋଉ ବାଘ ହାବୁଡ଼ରେ ପଡିଯିବ କେଜାଣି..ଜୀବନର ଅଦ୍ଭୁତ ଏଇ ଅଭୟାରଣ୍ୟ। ଏକା ହୋଇ ଯିବାର ଭୟ ମୋତେ କାବୁ କରିନେଲା ମୋ ଅଜାଣତରେ..


ମୋ ବିବାହର ଦଶ ବର୍ଷ ପରେ ବୋଉ ସେଇ କଥା ମନେ ପକେଇ ଚିଠିଟି ଏ ଲେଖିଥିଲା ମୋ ପାଖକୁ। ଏମିତିକା ଏକା ବସିଥିଲେ ବୋଉର ସେଇ ଚିଠିଟି କୁ ବାର ବାର ପଢେ। ଆଜି ରାକ୍ଷୀ ପୂର୍ଣ୍ଣିମା। କାହିଁକି କେଜାଣି ଇଚ୍ଛା ହେଲା ପଢ଼ିବା ପାଇଁ ବୋଉର ସେଇ ଚିଠି କୁ। ଲକର ଭିତରେ ସାଇତି ରଖିଛି। ବାଲକାନିରେ ବସି ପଢିଲି।


ସୁଧା

ସ୍ନେହ ନେବୁ। ପୁଅ ଭାରି ଦୁଷ୍ଟ ବୋଲି ଲେଖିଥିଲୁ। ତୋର ମନେ ନାହିଁ ! ତୁ କେତେ ଦୁଷ୍ଟଥିଲୁ ପିଲାବେଳେ। କଥା କଥାକେ ସବୁ ଭାଙ୍ଗି ଦେଉଥିଲୁ ନା ..। ତା ପରେ କେତେ ବଦଳି ଗଲୁ ତୁ। ଆମ ନାତି ଟୋକାକୁ ଜମାରୁ ମାରିବୁନି। ଧୀରେ ଧୀରେ ସେ ବଦଳି ଯିବ। ଝିଅ କାନ୍ଥକୁ ଧରି ଠିଆ ହେଉଥିବ ପ୍ରାୟ..। ଏ ବର୍ଷ ରାକ୍ଷୀ ବାନ୍ଧିବ ସେ ତା ଭାଇ ହାତରେ।

 

ମନେ ପଡୁଛି ! ରଜୋବତୀ ହେବାର ଠିକ୍ ବର୍ଷେ ପରେ ହଠାତ୍ କଣ ହେଲା କେଜାଣି, ତୁ ଗୁମୁରି ଗୁମୁରି କାନ୍ଦିଲୁ । ଆଦୌ କଥା ହେଉ ନ ଥିଲୁ କାହା ସହିତ।

ଦିନେ ହଠାତ୍ କହିଲୁ ବୋଉ ! ତୁ, ବାପା ଓ ଭାଇ ସାଥିରେ ରହି ବହୁତ ମଉଜ ମଜ୍ଲିସ କରିବ। ମୁଁ ତେଣେ ଶାଶୁ ଘରେ କଷ୍ଟ ପାଉଥିବି..ଡାକରେ ରାକ୍ଷୀ ପଠେଇଲେ ସେଥିରେ କଣ ମଜା ଥାଏ ବୋଉ। ରାକ୍ଷୀ ତ ହାତରେ ପିନ୍ଧେଇବାକୁ ହୁଏ... କାନ୍ଦି ପକେଇଲୁ ମୋ ଆଗରେ ।

ସୁଧା ଏମିତି କହୁଛି ବୋଲି, ତୋ ବାପାଙ୍କୁ କହିଲି। ଶୁଣି ସାରି ମୁହଁ ମାଡି ଶୋଇଗଲେ ତୋ ବାପା। ସକାଳେ ହଠାତ୍ ତାଙ୍କ ତକିଆ ଉପରେ ନଜର ପଡିଲା, ଲୁହର ମାନଚିତ୍ର ତକିଆ ଉପରେ। ଶୁଖି ଯାଇଛି। ଆଉ କେବେ ଥରେ ତୋ କଥା କହିବାକୁ ସାହାସ କରି ନ ଥିଲି ତୋ ବାପାଙ୍କ ଆଗରେ। ଜୀବନର କିଛି ସତ୍ୟ ମନକୁ ଛୁଇଁ ଯାଏ, ହୃଦୟ ବିଦାରକ ଥିଲା ସତ୍ୟର ସେଇ ଆଭାସ ଟି, ତୋ ବାପା ବି ତ ଜଣେ ମଣିଷ। ତରଳିବେ ନାହିଁ କାହିଁକି ? ଝିଅ ପରା ବାପାର ସବୁ କିଛି... 

ତୁ ଭାବୁଥିଲୁ ନା.. ତୋ ବାହାଘର ପରେ ଆମେ ସବୁ ଖୁସିରେ ରହିବୁ। ଗୋଟାଏ ଡାଇନିଙ୍ଗ ଟେବୁଲ୍ ଉପରେ ବସି ଖାଇବୁ, ମଉଜ ମଜ୍ଲିସ କରିବୁ ତୋ ଭାଇ ସହିତ। ନା..... ସତ ଲାଗୁଥିବା ସବୁ କଥା ସତ ନୁହେଁ ସୁଧା। ଆଜି ଦେଖ ତୋ ଭାଇ ଅହମଦାବାଦରେ। ଭାଉଜ ଚେନ୍ନାଇରେ। କର୍ଯ୍ୟବ୍ୟସ୍ତ ସମସ୍ତେ। କାହା ପାଖରେ ଆଉ ସମୟ ଅଛି ଯେ ଘରକୁ ଆସିବ।


ଫୁଲ ଗଛ ଦେଖିଛୁ। କଅଁଳିଆ ପତ୍ର ଭିତରେ ଫୁଲ ଫୁଟେ। ଲାଗେ ଗୋଟାଏ ଛୋଟ ଖୁସି ପରିବାର। ଯେମିତି ତୁ ଭାବୁଥିଲୁ।

ଅଚାନକ ଦିନେ ସକାଳେ ଗୋଟାଏ ଫୁଲ ନାହିଁ। ସେଇ ଫୁଲଟି ତୁ। ତା ପରଦିନ କୁ ଅନ୍ୟ ଫୁଲକୁ କିଏ ଆଦର କରି ଚୋରେଇ ନେଇଛି। ସେଇ ଫୁଲଟି ବୋଧେ ତୋ ଭାଇ। ତା ପରଦିନ ସକାଳେ ଗଛ ହିଁ ନାହିଁ। କିଏ ଓପାଡ଼ି ନେଇଛି।

ଜୀବନଟା ଅତି ବିଚିତ୍ର। ଏମିତି ସବୁ ଘଟଣା ର ସମାହାର ହିଁ ଜୀବନ

ତେଣୁ କେବେ ବି ଭାବିବୁ ନାହିଁ, ଆମେ ସମସ୍ତେ ଖୁସିରେ ଅଛୁ ବୋଲି ! ବେଳା ଭୂଇଁ ଛୁଇଁବା ପୂର୍ବରୁ ସୁଖ ଦୁଃଖର ଉଛୃଙ୍ଖଳ ଲହଡ଼ିକୁ ଭାଙ୍ଗିବାର କଳା ଆମେ ଜାଣିଛୁ ବୋଲି ତ ଆମେ ମଣିଷ। ମନରେ ଦୁଃଖ ନାହିଁ ବୋଲି ଦେଖେଇବାକୁ ହୁଏ। ହସି ବାକୁ ହୁଏ ଇଚ୍ଛା ନ ଥାଇ, ଏଇ ତ ଜୀବନ। କିଛି ସତ ଆଉ କିଛି ମିଛର ମିଶ୍ରଣ।

ଛୋଟ ବେଳେ ରାକ୍ଷୀ ପିନ୍ଧା କେତେ ଜୀବନ୍ତ ଥିଲା। ତୁ ରାକ୍ଷୀ ପିନ୍ଧେଇ ଦେଲେ ତୋ ଭାଇ ତୋତେ ଘିଅ ଲଡୁ ଖୁଏଇ ଦିଏ। ସ୍ନେହ ନେସି ଯାଏ ତୋ ଓଠ ସାରା। ଆଜି କିନ୍ତୁ ତୋର ଡାକ ଦ୍ଵାରା ରାକ୍ଷୀ ଓ ତୋ ଭାଇର ମନି ଅର୍ଡର ଭିତରେ ଖାସ୍ ସେମିତି କିଛି ନାହିଁ ଲୋ ସୁଧା। ଡାକବାକ୍ସ ଭିତରେ ହିଁ ବାଷ୍ପୀଭୂତ ହୋଇଯାଏ ସ୍ନେହସବୁ।  

ସେ ଯା ହେଉ ତୁ ଖୁସିରେ ଥା...ଇତି, ତୋ ବୋଉ।

 

ଲୁହକୁ ସମ୍ଭାଳିବା ସମ୍ଭବ ହେଲାନାହିଁ। ବୋଉ ଦୁଃଖ କରିବ ବୋଲି ତାକୁ ଆଜି ପର୍ଯ୍ୟନ୍ତ କହି ନାହିଁ ଭାଇ କିଛି ଦିଏନି ବୋଲି। ଏ ବର୍ଷ ବି ମୁଁ ରାକ୍ଷୀ ପଠେଇଛି ମୋ ଭାଇ ପାଖକୁ। 


ଚିଠି ଟିକୁ ପୁଣି ରଖିଦେଲି ଲକର ଭିତରେ।

ପୁଅ ସିଆଡେ ଚିତ୍କାର ଛାଡୁଥିଲା..

ବୋଉ, ଟିକିଲିକୁ ନେଇ ଶୀଘ୍ର ଆ, ମୋତେ ରାକ୍ଷୀ ପିନ୍ଧେଇବ। ବାପା ବ୍ୟସ୍ତ ହେଲେଣି। ଟିକିଲିକୁ କାଖରେ ନେଇ ପଶି ଆସିଲି ଡାଇନିଂ ହଲ ଭିତରକୁ, ବୋଉର ସେଇ ଗୋଟାଏ କଥା କାନ ପାଖରେ ଗୁଞ୍ଜୁ ଥିଲା। ସଦ୍ୟଜାତ ଫୁଲ ମାନେ ମାଆ କୋଳରେ ଛୁଆ ପରି ଖୁସିରେ ପ୍ରସ୍ଫୁଟିତ ହୁଅନ୍ତି, କେତେ କ୍ଷଣସ୍ଥାୟୀ ଖୁସିର ଏଇ ଝଲକ, କଲି ସକାଳୁ ଦେଖିଲା ବେଳକୁ ଫୁଲ ହିଁ ନାହିଁ, କିଏ ତୋଳି ନେଇ ଯାଇଛି। ବୋଉ କହୁଥିଲା ଲାଗୁଥିବା ସବୁ ସତ ପ୍ରକୃତରେ ସତ ନୁହେଁ...ସବୁ ବଦଳି ଯାଏ।

ପୁଅ କହିଲା, ଟିକିଲି ରାକ୍ଷୀ ପିନ୍ଧେଇ ଦେଲା, କେତେ ମଜା ଲାଗୁଛି ବୋଉ..ଦେଖ, କଣ ଆଣିଛି ତା ପାଇଁ। ଏତେ ବଡ ଖେଳନା ! ହସି ଦେଲି ଅନ୍ୟମନସ୍କ ହୋଇ, ଭାଇ କଥା ଭାରି ମନେ ପଡ଼ିଲା, ଛୋଟ ବେଳେ କେତେ କଣ ଆଣି ଦେଉଥିଲା ସେ ମୋ ପାଇଁ। 

ଫୋନ !! ଭାଇ ପାଖରୁ, ଫୋନ ଧରୁ ଧରୁ ବାଷ୍ପରୁଦ୍ଧ ହୋଇଗଲା ମୋ ଗଳାଟି।

ସୁଧା ! ତୋ ରାକ୍ଷୀ ପାଇଛି । 

ଭାଇ ! ମୋର କିଛି ଦରକାର ନାହିଁ। ଉପହାର କିଛି ନୁହେଁ, ଅଳ୍ପ ସମୟ ପାଇଁ ମନକୁ କିଣି ନିଏ, ବାସ୍। ତମେ ମଝିରେ ମଝିରେ ଏମିତି ଥରେ ଥରେ ଫୋନ କଲେ ମୋତେ ଲାଗିବ ମୁଁ ସୁରକ୍ଷିତ, ମୋ ଭାଇ ଅଛି ନା... ମୋ ପାଖେ ପାଖେ। ରାକ୍ଷୀ ଗୋଟେ ବାହାନା ମାତ୍ର। କିଛି କହି ପାରୁ ନ ଥିଲେ ମୋ ଭାଇ, କାନ୍ଦୁଥିଲେ ବୋଧେ, ମୁଁ ଫୋନ ରଖିଦେଲି.....



  



Rate this content
Log in

Similar oriya story from Classics